Unknown

 

 

 

 

 

 

 

 

 

ଗାନ୍ଧୀ-ଗୋପବନ୍ଧୁ

ଚିତ୍ତରଞ୍ଜନ ଦାସ

 

ପ୍ରଥମେ ପଦେ

ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଦେଶରେ ଅନେକ ଲୋକ ସେମାନେ ପୁରୁଣା ହୋଇଗଲେଣି ବୋଲି ଭାବନ୍ତି । ଯିଏ ଯାହା ଥାଏ, ତାହାହିଁ ହୋଇ ରହିବ ବୋଲି ଜିଦ୍ ଧରି ବସିଥାଏ, ସିଏ ଚିରନ୍ତନ ସନ୍ଦେଶଗୁଡ଼ିକୁ ଆଦୌ ଆଦରି ନେଇପାରେ ନାହିଁ । ସିଏ ଭୟ କରେ, ସିଆଣିଆ ହୁଏ, ଖାପ ଖାଇଯାଏ, ଚମକୁ ବହଳ କରି ରଖେ, ତେଣୁ କିଛି ଚିହ୍ନି ପାରେ ନାହିଁ ।

ଗାନ୍ଧୀ – ପ୍ରେରଣା କ୍ରମେ ଏକ ବିଶ୍ୱ-ପ୍ରେରଣାରେ ପରିଣତ ହେବାକୁ ବସିଲାଣି । ବିଶ୍ୱର ତରୁଣଶକ୍ତି ସବୁଠିଁ ସତେ ଅବା ଗାନ୍ଧୀ-ଜୀବନର ଦର୍ପଣ ଉପରେ ବର୍ତ୍ତମାନର ମୂଲ୍ୟାଙ୍କନ କରି ବାହାରିଛି, ଭବିଷ୍ୟତର ନିର୍ମାଣ କରିବ ବୋଲି ବାହାରିଛି । ଆମ ସାନ ଓଡ଼ିଶାରେ ବି ଆମେ ଯେଉଁଦିନ ସେହି ତାରୁଣ୍ୟର ଆଘାତଟିକୁ ଅନୁଭବ କରିପାରିବା, ସେଦିନ ଆମେ ଆମ ଘରେ ଗୋପବନ୍ଧୁଙ୍କୁ ବି ଚିହ୍ନିବା । ଆନ୍ତରିକତାକୁ ଧର୍ମ ବୋଲି ସ୍ୱୀକାର କରିନେଇ ଆମେ ଅନ୍ତରର ହିଁ ଆବିଷ୍କାର କରି ବାହାରିବା, ଅନ୍ତରର ବୋଲ ମାନିବା; ଗୋପବନ୍ଧୁ ଯୁଗେ ଯୁଗେ ଆମ ଲାଗି ସେହି ଆନ୍ତରିକତାର ପ୍ରେରକ ଓ ପ୍ରତିନିଧି ହୋଇ ରହିବେ । ଏହି ସଂଗ୍ରହର ଅଧିକାଂଶ ପ୍ରବନ୍ଧ ‘ସମାଜ’ର ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟାରେ ବାହାରିଥିଲା । ଆଉ କେତୋଟି ପତ୍ରିକା ଓ ସ୍ମରଣିକାରେ ବି ବାହାରିଥିଲା । ସମ୍ପୃକ୍ତ ସମ୍ପାଦକମାନଙ୍କ ପାଖରେ ମୁଁ ଏହି ଅବସରରେ କୃତଜ୍ଞତା ଜ୍ଞାପନ କରୁଛି ।

ଭୁବନେଶ୍ୱର

ଚିତ୍ତରଞ୍ଜନ ଦାସ

ତା ୧୬/୫/୭୮

 

Image

 

ନୂତନ ସଂସ୍କରଣ ନିମନ୍ତେ :

ପଥିକ ପ୍ରକାଶନୀର ବନ୍ଧୁ ଶ୍ରୀ ଭାଗ୍ୟଧର ସାହୁ ବର୍ତ୍ତମାନ ଏହି ପୁସ୍ତକଟିର ଏକ ନୂତନ ସଂସ୍କରଣ ପ୍ରକାଶ କରିବାକୁ ଯାଉଛନ୍ତି, ମୁଁ ସେଥିଲାଗି ତାଙ୍କୁ ମୋର କୃତଜ୍ଞତା ଜଣାଉଛି।

 

ପ୍ରସ୍ତୁତ ସଂସ୍କରଣଟିରେ ‘ଗୋପବନ୍ଧୁ ଓ ଓଡ଼ିଶାର ଜାତୀୟତା’ ପ୍ରବନ୍ଧଟି ବାଦ୍ ଦିଆଯାଇଛି । ଏଇଟି ମୋର ଆଉ ଗୋଟିଏ ପ୍ରବନ୍ଧ-ସଂଗ୍ରହ ‘ଶିଳା ଓ ଶାଳଗ୍ରାମ’ରେ ସ୍ଥାନ ପାଇ ସାରିଥିଲା । ତା ବଦଳରେ ପରେ ଲେଖା ହୋଇଥିବା ‘ଭାରତୀୟ ଦେଶାତ୍ମବୋଧି ସାହିତ୍ୟ ଓ ଗୋପବନ୍ଧୁ’ ପ୍ରବନ୍ଧଟିକୁ ଏଠି ଗୁନ୍ଥି ଦିଆ ଯାଇଛି ।

 

ଅଗଷ୍ଟ ୯, ୨୦୦୦

ଚିତ୍ତରଞ୍ଜନ ଦାସ

Image

 

ସୂଚୀପତ୍ର

 

୧.

ବିପ୍ଳବ କିଏ କରିବ ?

୨.

ପ୍ରବଞ୍ଚିତ ବିପ୍ଳବ

୩.

ଗାନ୍ଧୀବାଦ ଓ ବିବେକ

୪.

ଗାନ୍ଧୀ-ଧର୍ମୀ : ଗାନ୍ଧୀ-ରାଜନୀତି

୫.

ଜୀବନଧର୍ମ ଓ ଗାନ୍ଧୀ

୬.

ଶତବାର୍ଷିକୀ

୭.

ସରକାରୀ ଶତବାର୍ଷିକୀ

୮.

ଗାନ୍ଧୀ-ଶକ୍ତି : ସତ୍ୟାଗ୍ରହ-ଶକ୍ତି

୯.

ଗାନ୍ଧୀ-ପ୍ରେରଣା

୧୦.

ଶ୍ରାଦ୍ଧବାସର

୧୧.

ଗୋପବନ୍ଧୁ ଦରକାର

୧୨.

ଗୋପବନ୍ଧୁ ଓ ଶିକ୍ଷା

୧୩.

ଭାରତୀୟ ଦେଶାତ୍ମବୋଧୀ ସାହିତ୍ୟ ଓ ଗୋପବନ୍ଧୁ

୧୪.

କାଳ ହଟିବ, ନା ମଣିଷ ?

୧୫.

ଜଣେ ଶିକ୍ଷକଙ୍କ କାହାଣୀ

Image

 

ବିପ୍ଳବ କିଏ କରିବ ?

 

ଏବେ ସମସ୍ତେ କହୁଛନ୍ତି ଯେ, ଆମ ଦେଶରେ ବର୍ତ୍ତମାନ ଗୋଟାଏ ବିପ୍ଳବ ଦରକାର । ଅର୍ଥାତ୍ ଯିଏ ଯେଉଁ କ୍ଷେତ୍ରରେ ଅଛନ୍ତି, ସେମାନେ ସେହି ‘କ୍ଷେତ୍ରର ବର୍ତ୍ତମାନର ସ୍ଥିତିରେ ଆଦୌ ସନ୍ତୁଷ୍ଟ ନୁହନ୍ତି; ତେଣୁ ସେମାନେ ସେହି କ୍ଷେତ୍ରରେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ସେହି ପରିବର୍ତ୍ତନକୁ ସେମାନେ ବିପ୍ଳବ ବୋଲି କହୁଛନ୍ତି । ମନ୍ତ୍ରୀ ଓ ଯନ୍ତ୍ରୀ ଆଜି ସମସ୍ତେ କହୁଛନ୍ତି, ଆମ ଦେଶରେ ବର୍ତ୍ତମାନ ଏକ ବିପ୍ଳବ ନିତାନ୍ତ ଦରକାର । କେହି ବିରକ୍ତ ହୋଇ ଏପରି କହୁଛନ୍ତି, କେହି ବା ବିବ୍ରତ ହୋଇ ଏପରି କହୁଛନ୍ତି । ସେଦିନ ଜଣେ ଉଚ୍ଚପଦସ୍ଥ ଓ ଅତି ବିଶ୍ୱସ୍ତ ସରକାରୀ କର୍ମଚାରୀ–ଜଣେ ଇଞ୍ଜିନିୟର–ଯିଏ କି ନିଜର ଅଫିସ, ହାକିମ ଓ ଗସ୍ତକ୍ରମ ବ୍ୟତୀତ ଦୁନିଆରେ ପ୍ରାୟ ଆଉ କିଛିହେଲେ ଜାଣନ୍ତି ନାହିଁ, ଜଣେ ଉଚ୍ଚପଦସ୍ଥ ପୋଲିସ ଅଫିସରଙ୍କ ଆଗରେ ସିଏ ବି ଆପଣା ଭିତରେ କୌଣସି ଅନିର୍ଣ୍ଣିତ ଗହ୍ୱରରେ କେଉଁ ଅନିଶ୍ଚିତ ଜ୍ୱାଳା ଅନୁଭବ କରୁଥିବା ପରି ହଠାତ୍ ଶାନ୍ତିଭଙ୍ଗ କରି କହି ପକାଇଲେ, ‘‘ଏ ଦେଶରେ ଗୋଟାଏ ବିପ୍ଳବ ଅତି ସତ୍ୱର ଅବଶ୍ୟ ଦରକାର-।’’ ଭାରତୀୟ ଜନସମାଜର ସହିବାର ସୀମାରେ ସେ ବିସ୍ମୟ ପ୍ରକାଶ କରିଥିଲେ । ପ୍ରକାରାନ୍ତରେ ସେ ହୁଏତ ଆପଣା ସହିବା-ଶକ୍ତିର ସୀମାରେ ହିଁ ବିସ୍ମୟ ପ୍ରକାଶ କରୁଥିଲେ ।

 

ବିପ୍ଳବ ସମସ୍ତେ ଚାହୁଁଛନ୍ତି; ତେଣୁ କାରଣ ଓ ଅକାରଣରେ ସମସ୍ତେ ବିପ୍ଳବର ଆରୋପଣ ବି କରୁଛନ୍ତି । ଆମ ଜୀବନ-ସଂସ୍ଥାନର ପୁରୁଣା ଚାଳଗୁଡ଼ାକୁ ଏକାବେଳେକେ ଓଲାରିଦେବାକୁ ସମସ୍ତେ ଚାହୁଁଛନ୍ତି । ହୁଏତ ସେହି କାରଣରୁ କୋଉଠି କୋଉ ଗାଈକୁ ଚାଳ ଓଲାରୁଥିବାର ଦେଖିଲେ ସେମାନେ ଗୋଟାଏ ପ୍ରକାର ହର୍ଷ ଅନୁଭବ କରୁଛନ୍ତି ଏବଂ ସେହି ହର୍ଷଦାହର ଉତ୍ତେଜନାରେ ପଡ଼ି ସେମାନେ ସେଇଟାକୁ ସେମାନଙ୍କର ଅତି ଆକାଙ୍‌କ୍ଷିତ ବିପ୍ଳବର ଏକ ପୂର୍ବସୂଚନା ବୋଲି ଭାବିବାକୁ ମଧ୍ୟ ଆରମ୍ଭ କରୁଛନ୍ତି । ଆଗେ ଆମେ ସମାଜରେ ସୁନାପୁଅ ହେବାକୁ ବା ବୋଲାଇବାକୁ ଭଲ ପାଉଥିଲୁ, ଏବେ ହୁଏତ ବିପ୍ଳବୀ ହେବାକୁ ବା ବୋଲାଇବାକୁ ଭଲ ପାଉଛୁ । ଆଗେ ଆମେ ଆମ ପିଲାଙ୍କ ନାଆଁ ‘ସୁଶୀଳ’, ‘ସୁଶାନ୍ତ’, ବା ‘ସୁକୁମାର’ ବୋଲି ଦେଉଥିଲୁ, ଏବେ ବିପ୍ଳବୀ ବୋଲି ଦେଲୁଣି । ଏପରି ନାଆଁରେ ଆମର ପିଲାଏ ଏବେ ବେଶ୍ ଗର୍ବ ଓ ଗୌରବ ବି ଅନୁଭବ କଲେଣି । ଆମ ଚାରିପାଖରେ ଆମେ ବିପ୍ଳବ ବ୍ୟତୀତ ସତେଅବା ଆଉ କିଛି ହେଲେ ଦେଖି ପାରୁନାହୁଁ । କିଏ ନୃତ୍ୟଜଗତରେ ବିପ୍ଳବ ସୃଷ୍ଟି କରୁଛି, କେଉଁ ତାରକା ଚିତ୍ରଜଗତରେ ବି ବିପ୍ଳବ ସୃଷ୍ଟି କରୁଛି । ଗୋଆଲିଅର୍ ବା ଗୋରଖପୁରର କେଉଁ ଲୁଗାକଳ ସୁଟ୍‍ ଓ ସାର୍ଟ ଜଗତରେ ବିପ୍ଳବ ସୃଷ୍ଟି କରୁଛି, ପୁଣି କେଉଁ ପ୍ରକାଶକ ବହିର ଗେଟ୍‌ଅପ୍ ଜଗତରେ ମଧ୍ୟ ବିପ୍ଳବ ସୃଷ୍ଟି କରୁଛି ତ । କିଏ ଫେଶନ୍‍ ଜଗତରେ ବିପ୍ଳବ ସୃଷ୍ଟି କରୁଛି ତ ଆଉ କିଏ ମଡ଼େଲ୍ ଜଗତରେ ବି ବିପ୍ଳବ ସୃଷ୍ଟି କରୁଛି । ବିପ୍ଳବ କହିଲେ ଆଗେ ଆମେ ରୁଷ୍ ବିପ୍ଳବ, ଫରାସୀ ବିପ୍ଳବ ବା ଶିଳ୍ପ ବିପ୍ଳବ ଆଦି ଇତିହାସର କେତୋଟି ବିଶେଷ ଘଟାଣାକୁ ବୁଝୁଥିଲୁ । ସଂସାରର ବିପ୍ଳବଗୁଡ଼ାକ ସେତେବେଳେ ଆମର ହାତଆଙ୍ଗୁଠି ଆଗରେ ଗଣିହୋଇ ଯାଉଥିଲା । ଗୋଟାଏ ଯୁଗରେ ହୁଏତ କେବଳ ଗୋଟାଏ ବିପ୍ଳବ ହେଉଥିଲା । ମାତ୍ର ଏବେ ବିପ୍ଳବ ପଦେପଦେ ହେଉଛି, ବିପ୍ଳବ କଥାକଥାକେ ହେଉଛି, ଥଳଅଥଳରେ ଧୂମାଳ ଉଠୁଛି ଏବଂ ଅଥଳଥଳରେ ବିପ୍ଳବର ନାଆଁ ପଡ଼ୁଛି । କିଏ କହୁଚି : ଆମେ ଚାହୁ ବା ନ ଚାହୁ, ଆମକୁ ଓ ଆମର ଚତୁଃପାର୍ଶ୍ୱକୁ ନେଇ ଏକ ତୁନ୍‌ତାନ୍‌ ବିପ୍ଳବ ଏବେ ନିରନ୍ତର ଚାଲିଛି । ବିନା ଶବ୍ଦରେ ଷ୍ଟୋଭ ଜଳିଲା ପରି ଓ ବିନା ଘୁ’ ଘୁ’ ରେ ଜେଟ୍ ବିମାନ ଚାଲିଲା ପରି ଏହି ତୁନ୍‌ତାନ୍‌ ହୋଇ ବରଡ଼ାମାନ ଖସିବାରେ ଲାଗିଛନ୍ତି; ଖାଲି ଖସିବାରେ ହିଁ ଲାଗିଛନ୍ତି । ହସିବାକୁ ବେଳନାହିଁ, କି ମୋ’ ଦିନକାଳ ଆସୁଚି ବୋଲି କହିବାକୁ ବି ବେଳ ନାହିଁ । ଆମ ସାମୂହିକ ଓ ପ୍ରାତ୍ୟହିକ ଜୀବନର ଅନ୍ତରୀକ୍ଷ ଉପରେ କେତେ କୃତ୍ରିମ ବିପ୍ଳବର ହାବେଳୀମାନ ଯେ ଉପଗ୍ରହ ସଦୃଶ କେତେ କେତେ ନୂଆ କକ୍ଷରେ ବୁଲିବାରେ ଲାଗିଛନ୍ତି ଓ ଆମକୁ ନୋଟିସ୍ ନ ଦେଇ ଆମର ଜୀବନକୁ କେତେ ପ୍ରକାରେ ଯେ ନିୟନ୍ତ୍ରିତ କରିବାରେ ଲାଗିଛନ୍ତି, ସେକଥା ଆମକୁ ବି ଜଣା ନାହିଁ ।

 

ସରକାରୀ ପତାକା ତଳେ ସଭାରେ ବସି ଆମ ମନ୍ତ୍ରୀମାନେ ବିପ୍ଳବର କଥା କହୁଛନ୍ତି; କଳାପତାକା ଧରି ସଡ଼କ ଉପରେ ଯାଉଯାଉ ମନ୍ତ୍ରୀଙ୍କର ବିରୋଧୀମାନେ ବି ବିପ୍ଳବର କଥା କହୁଛନ୍ତି । ମଜଦୁରମାନେ ଧର୍ମଘଟ କରି ମାଲିକମାନଙ୍କ ବିରୁଦ୍ଧରେ ବିପ୍ଳବ କରୁଛନ୍ତି, ମାଲିକମାନେ କାରଖାନା ବନ୍ଦ କରିଦେଇ ସରକାରଙ୍କ ବିରୁଦ୍ଧରେ ବିପ୍ଳବ କରୁଛନ୍ତି । ମହଙ୍ଗାଭତ୍ତା ବଢ଼ାଅ ବୋଲି ଦାବୀ କରି ତଳିଆ କର୍ମଚାରୀମାନେ ବିପ୍ଳବ କରୁଛନ୍ତି, ମାହାଳିଆ ଭତ୍ତାମାନ ବଢ଼ାଇ ଆମକୁ ଇଂଲଣ୍ଡ ଓ ଆମେରିକାର ସମପଦସ୍ଥ ବାବୁମାନଙ୍କ ପରି ହେବାକୁ ଦିଅ ବୋଲି ଦାବୀ କରି ଆମ ହାକିମମାନେ ମଧ୍ୟ ବିପ୍ଳବ କରୁଛନ୍ତି । ରେଳଗାଡ଼ି ଅଟକାଇ, ଶିକ୍ଷା ଅଫିସର୍‌ ଓ ଶିକ୍ଷକମାନଙ୍କୁ ଘେରାଉ କରି ଏବଂ ପରୀକ୍ଷା ବର୍ଜନ କରି ଆମ ଛାତ୍ରମାନେ ବିପ୍ଳବ କରୁଛନ୍ତି । ସେମାନଙ୍କର ସମଧର୍ମୀ ଶିକ୍ଷକମାନେ ବି କମ୍ କାମ କରି ଓ ବେଶୀ ଦାବୀ କରି ବିପ୍ଳବର ବଜାରରେ ଅନ୍ୟ ଯେକୌଣସି ଉତ୍ତେଜିତ ପଲର ସମକକ୍ଷ ହୋଇ ସଉଦା କରି ବାହାରୁଛନ୍ତି । ଆଗେ ଶିକ୍ଷକମାନେ ଆବଶ୍ୟକ ପଡ଼ିଲେ ଛାତ୍ରମାନଙ୍କୁ ପରୀକ୍ଷା-ଘରୁ ବାହାର କରି ଦେଉଥିଲେ, ଏବେ ଆବଶ୍ୟକ ପଡ଼ିଲେ ଛାତ୍ରମାନେ ବି ଶିକ୍ଷକମାନଙ୍କୁ ପରୀକ୍ଷା-ଘରୁ ବାହାର କରି ଦେଉଛନ୍ତି । ପ୍ରବୀଣ ଓ ପୁରାତନମାନଙ୍କୁ ସତେଅବା ଯେକୌଣସି ପ୍ରକାରେ ଅବଜ୍ଞା କରିବା ଲାଗି ଆଧୁନିକ ସାହିତ୍ୟିକ ଆପଣାକୁ ବିପ୍ଳବୀ ବୋଲି କହୁଛି । ତାକୁ ଟିକିଏ ନିକଟରୁ ଦେଖିବାକୁ ଚେଷ୍ଟା କଲେ ମନେ ହେଉଛି, ସତେ ଯେପରି ସେ ସାହିତ୍ୟିକ ହେବା ଆଗରୁ ପ୍ରଥମେ ବିପ୍ଳବୀ ହିଁ ହେବାକୁ ଇଚ୍ଛା କରୁଛି । କାରଣ କେଉଁ କାମଚଣ୍ଡୀଙ୍କର ବୋଲ ମାନିଥିବା ପରି ସିଏ ସାହିତ୍ୟ ଅପେକ୍ଷା ବିପ୍ଳବଟାକୁ ଚିହ୍ନିବା ଲାଗି ହିଁ ଯେପରି ଆପଣାର ଭବ୍ୟତମ ଧର୍ମ ରୂପେ ଗ୍ରହଣ କରିନେଇଛି ।

 

ସ୍ୱାଧୀନତା ପରେ ଅର୍ଥାତ୍ ଗତ କୋଡ଼ିଏ ବର୍ଷ ଭିତରେ ଆମ ଦେଶରେ କେତେ ନାମରେ କେତେ ବିପ୍ଳବ ହୋଇଯାଇଛି । ସରକାରୀ ଓ ବେସରକାରୀ ଉଭୟବିଧ ଶିବିରରୁ ଏହିସବୁ ବିପ୍ଳବର ଡାକରା ଦିଆଯାଇଛି, ଉଭୟବିଧ ମଞ୍ଚାଉପରୁ ବିପ୍ଳବର ନହବତ ବାଜିଛି । ଦିଲ୍ଲୀରୁ ଦେଶକୁ ଚଳାଉଥିବା ବଡ଼ ବଡ଼ ଅଫିସରମାନେ ଓ ସେମାନଙ୍କ ବ୍ୟାଖ୍ୟାଦ୍ୱାରା ପରିଚାଳିତ ହେଉଥିବା ମନ୍ତ୍ରୀମାନେ ସରକାରୀ ଗୋଷ୍ଠୀବିକାଶ ଯୋଜନାକୁ ବେଶ୍ କେତେଦିନ ଲାଗି ଏକ ତଥାକଥିତ ‘ନୀରବ ବିପ୍ଳବ’ ବୋଲି କହିବାରେ ଲାଗିଥିଲେ । ଏହି ନୀରବ ବିପ୍ଳବରେ ବିପ୍ଳବ ନଥିଲା, କି ନୀରବତା ମଧ୍ୟ ନଥିଲା । କାରଣ ଏହାକୁ ନେଇ ଦିଲ୍ଲୀସ୍ତରରୁ ଆମ ବ୍ଲକସ୍ତର ପର୍ଯ୍ୟନ୍ତ ସବୁଠିଁ ବିପ୍ଳବକୁ ବାଦ ଦେଇ ପ୍ରଧାନତଃ କୋଳାହଳ ହିଁ ସୃଷ୍ଟି କରାଯାଇଥିଲା । ସେହି କୋଳାହଳ ମଧ୍ୟ ଏବେ କ୍ରମେ ଧିମେଇ ଆସିଥିବା ପରି ମନେ ହେଉଚି । ଅଫିସରମାନଙ୍କ ସମେତ ସରକାରୀ ମନ୍ତ୍ରୀମାନେ ଏବେ ପରିବାର ନିୟନ୍ତ୍ରଣକୁ ବିପ୍ଳବର ନୂତନତର ସ୍ଲୋଗାନ ରୂପେ ଗ୍ରହଣ କଲେଣି । ସେମାନେ ଏବେ ତାହାରି ସକାଶେ ଅଧିକ ବକ୍ତୃତା ଦେଉଛନ୍ତି ଓ ଅଧିକ କାଗଜ ଚଷୁଛନ୍ତି । ଏପରି କରି ସେମାନେ ଗୋଟାଏ ବଡ଼ ବିପ୍ଳବରେ ଗୌରବାନ୍ୱିତ ଅଂଶ ଗ୍ରହଣ କରୁଛନ୍ତି ବୋଲି ଭାବୁଛନ୍ତି । ମାତ୍ର ଏପରି କରି ସେମାନେ ହୁଏତ ଅସଲ ବିପ୍ଳବଗୁଡ଼ାକୁ କୁଣ୍ଠିତ ଓ ବିଳମ୍ବିତ କରି ଦେବାରେ ହିଁ ଅଧିକ ସାହାଯ୍ୟ କରୁଛନ୍ତି । ଆମ ଦେଶରେ ଭାଷାକୁ ନେଇ ଯେ ବିପ୍ଳବ ହୋଇପାରେ, ଗାଈର ଲାଙ୍ଗୁଳ ଧରି ଧର୍ମମଠର ମହନ୍ତ ଗୁରୁମାନେ ଯେ ଭଗବାନଙ୍କର ନାମ ନେଇ ବିପ୍ଳବ କରିବାକୁ ବାହାରି ପାରନ୍ତି, ଆମେ ଗତ କେତେ ବର୍ଷର ଘଟଣାଗୁଡ଼ିକରୁ ତାହାର ଏକାଧିକ ଦୃଷ୍ଟାନ୍ତ ବି ଦେଖିବାକୁ ପାଇଛୁ । ହଁ, ଆମ ଦେଶରେ ଜାତିକୁ ନେଇ ମଧ୍ୟ ବିପ୍ଳବ ହୋଇପାରେ, ଅର୍ଥାତ୍ ଗୋଟିଏ ଜାତି ଓ ଗୋଟିଏ ରାଷ୍ଟ୍ରରୂପେ ଆପଣାକୁ ଗଢ଼ିବାର ସ୍ୱପ୍ନ ଦେଖୁଥିବା ଓ ଉଦ୍ୟମ କରୁଥିବା ଏହି ଭାରତବର୍ଷରେ ଆମେ ବିପ୍ଳବର ବାନା ଧରି ଗୋଟିଏ ଖଣ୍ଡଜାତିକୁ ଆଉ ଗୋଟାଏ ଖଣ୍ଡଜାତି ସହିତ ବେଶ୍ ଲଢ଼ାଇ ଦେଇପାରୁ । ଏସବୁ କଥା କେବଳ କଳ୍ପନା ବା ସମ୍ଭାବନା ନୁହେଁ; କାରଣ ଗତ କୋଡ଼ିଏ ବର୍ଷ ଭିତରେ ଏସବୁ ଆମ ଦେଶରେ ନାନା ନାମରେ ଓ ନାନା ଭେକରେ କେତେ କେତେ ଜାଗାରେ ଘଟିଯାଇଛି । ଓଡ଼ିଶାରେ ଘଟିଛି, ଓଡ଼ିଶା ବାହାରେ ମଧ୍ୟ ଘଟିଛି । ଅତୀତରେ ଘଟିଛି, ହୁଏତ ବର୍ତ୍ତମାନ ମଧ୍ୟ ଅଦମିତ ଉତ୍ସାହର ସହିତ ଘଟିବାରେ ଲାଗିଛି । କିନ୍ତୁ ଏହିସବୁ ତଥାକଥିକ ବିପ୍ଳବ ଭିତରେ ଆମେ ଗୋଟିଏ ସର୍ବସାମାନ୍ୟ ଲକ୍ଷଣକୁ ଅବଶ୍ୟ ବାରି ରଖିବା । ସରକାରୀ ତଥା ବେସରକାରୀ ଏହିସବୁ ପ୍ରାୟ ପ୍ରତ୍ୟେକ ବିପ୍ଳବରେ, ତାହା ଯାହାକୁ ଆଶ୍ରୟ କରି ସଂଘଟିତ ହୋଉଥାଉ ପଛକେ, ସବୁଥିରେ ରାଜନୀତିବାଲାଏ ହିଁ ନେତୃତ୍ୱ ଗ୍ରହଣ କରିଛନ୍ତି । ବିପ୍ଳବ ଧର୍ମକୁ ନେଇ ହୋଇଛି, ଭାଷାକୁ ନେଇ ହୋଇଛି, ଗୋମାତାକୁ ନେଇ ହୋଇଛି, କିନ୍ତୁ ରାଜନୀତି ହିଁ ଏହିସବୁ ବିପ୍ଳବରେ ମୂଳ ପ୍ରେରଣା ଓ ମୂଳ ପ୍ରେରକ ରୂପେ କାର୍ଯ୍ୟ କରିଛି । ଯେଉଁମାନେ କ୍ଷମତାରେ ଅଛନ୍ତି, କ୍ଷମତାରେ ତିଷ୍ଠି ରହିବା ଲାଗି ସେମାନେ ଅନୁରୂପ ବିପ୍ଳବର ବଖାଣ କରି ଆମ ସମସ୍ତଙ୍କର ମନକୁ ଫୁସୁଲାଇ ରଖିବାର ଉଦ୍ୟମ କରିଛନ୍ତି । ଏବଂ ଯେଉଁମାନେ କ୍ଷମତାରେ ନାହାନ୍ତି, ସେମାନେ କ୍ଷମତାସୀନମାନଙ୍କୁ ଉଠାଇ ଆପେ ଯାଇ ସେମାନଙ୍କ ସ୍ଥାନରେ ବସିବା ମତଲବରେ ଆମ ସମସ୍ତଙ୍କର ମନକୁ ଉଖାରି ଦେବାର ଉଦ୍ୟମ କରିଛନ୍ତି ଓ ଯାହା କରିଛନ୍ତି, ତାହାକୁ ହିଁ ବିପ୍ଳବ ବୋଲି କହିଛନ୍ତି । ଫଳରେ ଆମ ଦେଶରେ ନେତା ବଦଳିଛନ୍ତି, ସ୍ଲୋଗାନ୍ ବଦଳିଛି, ଆମ ରୋଷ ଓ ଅସନ୍ତୋଷଗୁଡ଼ାକର ନିମିତ୍ତମାନ ବଦଳି ଯାଇଛନ୍ତି ସତ; ମାତ୍ର ରାଜନୀତିକ ସ୍ୱାଧୀନତା ହାସଲ କରିବା ପରେ ଆମ ଦେଶରେ ଯାହାସବୁ ଆଗ ବଦଳିବା ଉଚିତ ଥିଲା ଓ ଯାହାସବୁ ବଦଳିଥିଲେ ଏଠି ଯଥାର୍ଥରେ ଗୋଟାଏ ବିପ୍ଳବ ହେଲା ବୋଲି କୁହାଯାଇ ପାରିଥାନ୍ତା, ସେସବୁ ଏପର୍ଯ୍ୟନ୍ତ ବଦଳି ନାହିଁ ।

 

ବିପ୍ଳବ କେତେ ରକମର, କାରଣ ବିପ୍ଳବୀ କେତେ ରକମର । ମୂଳତଃ ମଣିଷ ହିଁ ବିପ୍ଳବ କରେ, ମଣିଷ ହିଁ ବିପ୍ଳବର ସ୍ୱପ୍ନ ଦେଖେ ଓ ବିପ୍ଳବର ମଙ୍ଗ ମୋଡ଼େ । ସେଦିନ ଭାରତ ସରକାରଙ୍କର ଜଣେ ମନ୍ତ୍ରୀ ଛାତ୍ରମାନଙ୍କୁ ଭାଷଣ ଦେଇ କହିଲେ ଯେ, ସ୍ଲୋଗାନ୍ ଦ୍ୱାରା ବିପ୍ଳବ ହୁଏ ନାହିଁ । ଏହା ଅତ୍ୟନ୍ତ ସତ କଥା । କିନ୍ତୁ ହୁଏତ ଅସଲ କଥାଟି ଏଡ଼ି ଦେବାକୁ ସିଏ ତାହାପରେ ମିଛ କଥାଟିଏ ବି କହିଲେ । ସେ କହିଲେ ଯେ ବିଜ୍ଞାନ ଓ ଯନ୍ତ୍ରକୌଶଳ ଦ୍ୱାରା ସମାଜରେ ବିପ୍ଳବ ହୁଏ । ମୁଁ କହିବି, ମଣିଷ ଚାହିଁଲେ ଯାଇ ବିଜ୍ଞାନ ଏବଂ ଯନ୍ତ୍ରକୌଶଳ ବିପ୍ଳବର ସାଧନ ରୂପେ ବ୍ୟବହୃତ ହୁଅନ୍ତି । ପୁଣି କେତେକ ଅନ୍ୟକାମୀ ମଣିଷ ଚାହିଁଲେ ବି ବିଜ୍ଞାନ ଓ ଯନ୍ତ୍ରକୌଶଳର ସାହାଯ୍ୟରେ ଅନେକ ମଣିଷଙ୍କୁ ପ୍ରତାରିତ ମଧ୍ୟ କରିପାରନ୍ତି । ଗତ କୋଡ଼ିଏ ବର୍ଷ ଧରି ଆମ ଦେଶ ଓ ଆମର ସମାଜକୁ ଦେଖି ଆସିଥିବା କୌଣସି ପାଠକକୁ ଏକଥା ବୁଝାଇ କହିବା ହୁଏତ ଆବଶ୍ୟକ ହିଁ ହେବ ନାହିଁ । ଆମ ପୁରୁଣା କଥାଟିର ଖିଅ ଧରି ଆମେ କହିବା ଯେ ବିପ୍ଳବ କେତେ ରକମର, କାରଣ ବିପ୍ଳବୀ କେତେ ରକମର । ସ୍ଲୋଗାନ୍ ବିପ୍ଳବ କରେ ନାହିଁ, ମତବାଦ ବିପ୍ଳବ କରେ ନାହିଁ । ବିପ୍ଳବୀର ଦୃଷ୍ଟି ହିଁ ବିପ୍ଳବକୁ ଅସଲି ବା ନକଲି ଅର୍ଥ ଦେଇଥାଏ । ବିପ୍ଳବୀର ଦୃଷ୍ଟି ଯେତିକି ପ୍ରଶସ୍ତ ହୁଏ, ବିପ୍ଳବ ମଧ୍ୟ ସେତିକି ପ୍ରଶସ୍ତ ହୁଏ । ବିପ୍ଲବୀର ଦୃଷ୍ଟି ସଙ୍କୁଚିତ ହୋଇଆସିଲେ, ତାହା ଯେକୌଣସି କାରଣରୁ ବା ଅକାରଣରୁ ହେଉ ପଛକେ, ସକଳ ଆଡ଼ମ୍ୱର ଓ ଆସ୍ଫାଳନ ସତ୍ତ୍ୱେ ତା’ର ବିପ୍ଳବ ମଧ୍ୟ ସଙ୍କୁଚିତ ହୋଇଯାଏ । ରାଜନୀତିକ ସ୍ୱାଧୀନତା ସକାଶେ ଏ ଦେଶରେ ସଂଗ୍ରାମ ଚାଲିଥିବା ସମୟରେ ସ୍ୱାଧୀନତା ହାସଲ ହୋଇଯିବା ପରେ ଆମେ ଆପଣାର ଦେଶକୁ କିପରି ଭାବରେ ଗଢ଼ିବା, ତତ୍କାଳୀନ ନେତୃତ୍ୱର ଏ ବିଷୟରେ ଏକ ସମଗ୍ର ଓ ସଙ୍ଗତ ଦୃଷ୍ଟି ସବୁବେଳେ ରହିଆସିଥିଲା ।

 

ସ୍ୱାଧୀନତା ଆସିଗଲେ ଆମେ ସମସ୍ତେ ଯେ ଶୋଇବାକୁ ଚାଲିଯିବା, ଅର୍ଥାତ୍ ଗୋଟିଏ ଜାତି ବା ସମୂହ ହିସାବରେ ଯେ ଆମର ଆଉ କିଛି କରିବାକୁ ନଥିବ, ସେତେବେଳର ନେତୃତ୍ୱ କଦାପି ଏପରି ଚିନ୍ତା କରୁ ନଥିଲା । ଆମ ହାତକୁ ସ୍ୱାଧୀନତା ଆସିଲେ ଆମେ ତାହାପରେ ଆମ ସମାଜକୁ ଏକ ନିର୍ଦ୍ଦିଷ୍ଟ ଛାଞ୍ଚରେ ତିଆରି କରିବା – ପ୍ରଧାନତଃ ସେଇଥିଲାଗି ଆମେ ସ୍ୱାଧୀନତାକୁ ଆବଶ୍ୟକ ପ୍ରଥମ ସୋପାନ ରୂପେ ଗ୍ରହଣ କରିଥିଲୁ । ଦେଶର ପ୍ରତ୍ୟେକ ମନୁଷ୍ୟ ଲାଗି ବିକାଶର ବାଟକୁ ଉନ୍ମୁକ୍ତ କରି ଏଠି ଏକ ଯୋଗ୍ୟତର ସମାଜର ପ୍ରତିଷ୍ଠା ହେବ; ମଣିଷର ହାତ, ଗୋଡ଼ ଓ ମନକୁ ନାନା ପ୍ରକାରେ ବାନ୍ଧି ରଖିଥିବା ଯାବତୀୟ ଆର୍ଥିକ, ସାମାଜିକ ଓ ରାଜନୀତିକ ବାଧା ଅପସରି ଯିବ; ବିଦେଶୀ ଶାସକର ଗୋଲମକୁ କେବଳ ରାଷ୍ଟ୍ରୀୟ ଶାସକର ଗୋଲାମ ହେବାପାଇଁ ଗୋଟାଏ ନୂଆ ଭେକ ପିନ୍ଧାଇ ଦେଲେ ଯଥେଷ୍ଟ ହେବ ନାହିଁ, ମଣିଷକୁ ମଣିଷ ଭଳି ମୁକ୍ତ, ବିକାଶୋତ୍ସାହୀ ଓ ଦାୟିତ୍ୱ-ସମ୍ପନ୍ନ କରି ଗଢ଼ିବାଲାଗି ଏହି ଦେଶରେ ପୂର୍ଣ୍ଣଶକ୍ତି ଉଦ୍ୟମ କରାଯିବ; ଦେଶର ଶିକ୍ଷାକୁ ମଧ୍ୟ ଆମେ ତଦନୁରୂପ ବଦଳାଇଦେବା, ପୁରୁଣା ସଂସ୍କାରଗୁଡ଼ାକୁ ମଧ୍ୟ ତଦନୁରୂପ ବଦଳାଇଦେବା–ଏସବୁ ହେବ ବୋଲି ଆମେ ଆମ ଦେଶକୁ ସ୍ୱାଧୀନ କରିବାକୁ ଚାହିଁଥିଲୁ । ଏହିସବୁ କାର୍ଯ୍ୟକ୍ରମକୁ ତତ୍‌କାଳୀନ ଜାତୀୟ ନେତୃତ୍ୱ ଓ ଜାତୀୟ ବିପ୍ଳବର ପ୍ରତୀକ ଗାନ୍ଧୀ ଆପଣା ଭାଷାରେ ରଚନାତ୍ମକ କାର୍ଯ୍ୟକ୍ରମ ବୋଲି କହୁଥିଲେ । ଦେଶରୁ ବିଦେଶୀ ଶାସନ ହଟିଯିବା ପୂର୍ବରୁ ମଧ୍ୟ ନୂଆ ଭାରତର ଉଦ୍ୟାନ ଲାଗି ସତେଅବା ମାଟି ପାଗ କରି ରଖିବାଲାଗି ସେ ରଚନାତ୍ମକ କାର୍ଯ୍ୟକୁ ଆରମ୍ଭ ବି କରିଦେଇଥିଲେ । ଆପଣାର ନିର୍ମାଣମୂଳକ ଦୃଷ୍ଟିରେ ପରିଚାଳିତ ହୋଇ ସେ ରାଜନୀତିକ ସ୍ୱାଧୀନତା ହାସଲ କରିବାର ସଂଗ୍ରାମଠାରୁ ରଚନାତ୍ମକ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ଆବଶ୍ୟକ ଅଧିକ ଜରୁରୀ ବୋଲି କହୁଥିଲେ । କାରଣ ସେ ଭାବୁଥିଲେ ଯେ, ରାଜନୀତିକ ସ୍ୱାଧୀନତା ସଙ୍ଗେ ସଙ୍ଗେ ଆର୍ଥିକ, ସାମାଜିକ ଓ ଶିକ୍ଷାଗତ କ୍ଷେତ୍ରରେ ମଧ୍ୟ ବିପ୍ଳବ ସଂଘଟିତ ହୋଇପାରିଲେ ଯାଇ ଆମ ଦେଶରେ ମଣିଷକୁ ମଣିଷପରି ଗଢ଼ିବାର ବିପ୍ଳବ ସଂପନ୍ନ ହୋଇପାରିବ । ଆମ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଏହି ଦୃଷ୍ଟିର ପ୍ରତିନିଧି ହୋଇ ରହିଥିଲେ । ଦେଶର ରାଜନୀତିକ ସ୍ୱାଧୀନତା ଉପରେ ସେ ଯେତେ ଲେଖିନାହାନ୍ତି ବା କହିନାହାନ୍ତି, ସ୍ୱାଧୀନ ଦେଶର ଅନୁକୂଳ ଭୂମି ଉପରେ ମଣିଷକୁ ତା’ର ଯାବତୀୟ ମହିମାରେ ସର୍ବଥା ସମ୍ପନ୍ନ କରି ଗଢ଼ିବା ବିଷୟରେ ତା’ଠାରୁ ଅଧିକ କହିଛନ୍ତି ଓ ଲେଖିଛନ୍ତି, ଅଧିକ ବ୍ୟାକୁଳତା, ପ୍ରକାଶ କରିଛନ୍ତି । ଗାନ୍ଧୀ କହ ବା ଗୋପବନ୍ଧୁ କହ, କେତେଜଣ ତଥାକଥିତ ସୁନାଗରିକ ଗଢ଼ିବା ଏମାନଙ୍କର ମୂଳ ଲକ୍ଷ୍ୟ ନଥିଲା । ‘ନାଗରିକ’ ଶବ୍ଦଟିର ପରିଧି ପ୍ରଧାନତଃ କେବଳ ଏକ ରାଜନୀତିକ ମୂଲ୍ୟ–କଳ୍ପନା ଭିତରେ ସୀମାବଦ୍ଧ । ପ୍ରତ୍ୟେକ ନାଗରିକକୁ ପରିପୂର୍ଣ୍ଣତର ମଣିଷ ହେବା ଲାଗି ଆବଶ୍ୟକ ବାତାବରଣ ଓ ଉତ୍‌ପ୍ରେରକମାନ ଯୋଗାଇଦେବା ହେଉଛି ଯେକୌଣସି ସୁରାଷ୍ଟ୍ର ବା ସ୍ୱରାଜ୍ୟର ସର୍ବପ୍ରଧାନ କର୍ତ୍ତବ୍ୟ । କେବଳ ଜଣେ ସୁନାଗରିକ ହେବା ଯଥାର୍ଥ ମଣିଷର ଲକ୍ଷ୍ୟ ନୁହେଁ, ନାଗରିକତାର ଗୋଚରଭୂମିଠାରୁ ମଣିଷପଣିଆର ଗୋଚରଭୂମି ଅନେକ ବଡ଼ । ମଣିଷକୁ ନାନା ଭାବରେ ଧରିବାନ୍ଧି ଫୁସୁଲାଇ କେବଳ ଏକ ବାଧ୍ୟ ନାଗରିକ କରି ରଖିବାର ଅପଚେଷ୍ଟା ଆମ ଇତିହାସରେ ଅନେକ ହୋଇଛି ଏବଂ ଏହି ଅପଚେଷ୍ଟାକୁ ବିପ୍ଳବ ବୋଲି କୁହାଯାଇଛି । ରାଷ୍ଟ୍ର ମଣିଷର ଅନୁକୂଳ ହେବ, ଏହା ଏକ ବୈପ୍ଳବିକ ବିଚାର । ମଣିଷ ରାଷ୍ଟ୍ରାୟତ୍ତ ହୋଇ ରହିବ, –ଏହା ହେଉଛି ଏକ ପୁରୁଣା କଥା, ଏକ ପୁରୁଣା ସଂସ୍କାର ।

 

ଆମ ଦେଶ ସ୍ୱାଧୀନ ହେଲା, ଇଂରେଜ ଗଲେ, ସ୍ୱାଧୀନତା ସକାଶେ ସଂଗ୍ରାମ କରୁଥିବା ବୀରମାନେ ଦେଶର ଶାସକ ହେଲେ । କିନ୍ତୁ ଆମର କଳ୍ପିତ ‘ବିପ୍ଳବ’ ଗଲା କୁଆଡ଼େ ? କାଲି ତତ୍‌କାଳୀନ ନେତୃତ୍ୱ ପାଖରେ ସେମାନେ ଯେଉଁ ସମ୍ପୂର୍ଣ୍ଣ ବିପ୍ଳବର ଶପଥ ନେଇଥିଲେ, ତାହାକୁ ଏପରି ଅଧାପନ୍ତରିଆ କରି ପକାଇ ରଖିଲେ କାହିଁକି ? ଗୋଟାଏ ଦୃଷ୍ଟିରୁ ଦେଖିଲେ ଆମ ଦେଶରେ ଗତ କୋଡ଼ିଏ ବର୍ଷର ଇତିହାସ ହେଉଛି, ଏକ ଆବଶ୍ୟକ ଓ ସ୍ୱାଭାବିକ ବିପ୍ଳବକୁ ଅଟକାଇ ରଖିଥିବାର ଇତିହାସ ଓ ତାହାର ଆନୁଷଙ୍ଗିକ ଯାବତୀୟ ଅସ୍ୱାଭାବିକତାର ଇତିହାସ । ବିପ୍ଳବର ସମାଜଶାସ୍ତ୍ରୀୟ ଆଲୋଚନା କରି ଅନେକ ସମୀକ୍ଷକ କହିଛନ୍ତି ଯେ, ବିପ୍ଳବ ଦ୍ୱାରା କୌଣସି ଜନସମୂହ ଯାହାସବୁ ହାସଲ କରିବାର ସ୍ୱପ୍ନ ଦେଖିଥାଏ, ଯେ ସାଧାରଣତଃ ତାହାସବୁ ହାସଲ କରିପାରେ ନାହିଁ । ଆଜି ଝଣ୍ଡା ଧରି ବିପ୍ଳବ କରି ବାହାରିଥିବା ବିପ୍ଳବ ଭିତରେ କାଲି ବିପ୍ଳବ ପରେ କୋଉଠି କି ଶିଥିଳତା ବା ଅପାରଗତା ଆସେ କେଜାଣି, ପରବର୍ତ୍ତୀ ବିପ୍ଳବମାନ କରିବା ସକାଶେ ସେ ଆଉ ସମର୍ଥ ନେତୃତ୍ୱ ଦେଇପାରେ ନାହିଁ । ବିପ୍ଳବର ଦ୍ୱାହି ଦେଇ ସେ ପୁରୁଣା ଗାଦୀକୁ ଭାଙ୍ଗେ; କିନ୍ତୁ ବିପ୍ଳବ ପରେ ନିଜେ ନୂଆ ଗାଦୀରେ ବସିଯିବା ପରେ ସେ ଆଉ ବିପ୍ଳବର ନାଆଁ ବି ଧରେ ନାହିଁ । କାରଣ ସେ କେବଳ ଗାଦୀ ମାଡ଼ି ବସିରହିବାକୁ ଚାହେଁ । ଏହି ସୂତ୍ରରେ ପଡ଼ି କାଲିର ବିପ୍ଳବୀ ଆଜି ପ୍ରତିକ୍ରିୟାଶୀଳ ପକ୍ଷରେ ପରିଣତ ହୁଏ । ଗୋଟାଏ ସ୍ତରର ସ୍ୱେଚ୍ଛାଚାରିତା ପରେ ଆଉ ଗୋଟିଏ ସ୍ତରରେ ସ୍ୱେଚ୍ଛାଚାରିତା ଆରମ୍ଭ ହୋଇଯାଏ । ବିପ୍ଳବ ଅଟକିଯାଏ, କାଲିକା ବିପ୍ଳବର ନେତା ଆଜିର ସତ୍ତାକୁ ହସ୍ତାୟତ୍ତ କରିସାରିବା ପରେ ଆଉ ବିପ୍ଳବ କଥା କହେ ନାହିଁ । ସେ ଯେଉଁଠି ଅଛି, ସେଇଠି ରହିବାକୁ ଚାହେଁ । ତା’ର ଅନୁଗତ ମଣିଷସମୂହକୁ ମଧ୍ୟ ସେ ସେଇଠି ତୁଣ୍ଡି ବାନ୍ଧି ପକାଇ ରଖିବାକୁ ଚାହେଁ । ତାକୁ ଗାଦୀରୁ ତଡ଼ିବା ଲାଗି ହୁଏତ ଆଉ ଦଳେ ବିପ୍ଳବୀ ବାହାରନ୍ତି, ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ବି ପ୍ରତିକ୍ରିୟାଶୀଳ ପାଲଟି ଶୀତଳ ହୋଇଯାଆନ୍ତି । ଇତିହାସରେ ଏକାଧିକ ଦେଶରେ ଆମେ ଏହି ବିଷଚକ୍ରର କରାମତି ଦେଖିବାକୁ ପାଇବା । ଏକଥା ରୁଷିଆରେ ହୋଇଛି; ଏକ ବିପ୍ଳବୀ ବିଚାରର ସୂତ୍ରଗୁରୁ କାର୍ଲ୍ ମାର୍କ୍‌ସ୍‌ ମଧ୍ୟ ଏହାରି ଉତ୍ତେଜନାରେ ପଡ଼ି ଆପଣା ବିଚାରରେ ସର ପକାଇ ଦେଇଛନ୍ତି । ହୁଏତ ଏହି ଦୃଷ୍ଟିରୁ ବିଚାର କରି ଆଲୋଚକ ଟଏନ୍‌ବୀ ଆମେରିକାକୁ ‘ବିପ୍ଳବ ଫେଲ ମାରିଥିବାର ଏକ ଦେଶ’ ବୋଲି କହିଛନ୍ତି । ରାଜନୀତିକ ସ୍ୱାଧୀନତା ଆସିବା ପରେ ହୁଏତ ଆମ ଭାରତବର୍ଷରେ ମଧ୍ୟ ଏହିପରି ଗୋଟିଏ ଦୁର୍ଘଟଣା ବା ଦୁଃଖଦ ଘଟଣା ଘଟିଛି । କାଲିର ବିପ୍ଳବରେ ସବୁଠାରୁ ବେଶି ଗର୍ଜନ କରିଥିବା ନେତୃତ୍ୱ ଆଜି କ୍ଷମତାହୀନ ହୋଇ ପ୍ରତିକ୍ରିୟାଶୀଳ ପାଲଟିଯାଇଛି ଓ ଯାବତୀୟ ଯଥାର୍ଥ ବିପ୍ଳବର ମୁହଁ ବନ୍ଦ କରି ରଖିବାକୁ ହିଁ ଆପଣାର ସର୍ବପ୍ରଧାନ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛି-। ସେ ରାଜନୀତିକ ସ୍ୱାଧୀନତାକୁ ହିଁ ମନୁଷ୍ୟାକାଙ୍‌କ୍ଷାର ଆଦି ଓ ଅନ୍ତ ରୂପେ ଗ୍ରହଣ କରିନେଇଛି । କୌଣସି ପ୍ରକାର ବିବେକଚାଳିତ ବିଚାରଦ୍ୱାରା ପ୍ରଣୋଦିତ ହୋଇ ନୁହେଁ, ଆପଣାର ଆସ୍ଥାନଟିକୁ ଯେକୌଣସି ପ୍ରକାରେ ଦୃଢ଼ କରି ରଖିବାର ଦୁଷ୍ଟ ଲୋଭରେ ପଡ଼ି ସେ ଏପରି କରିଛି । ଏକଥା ଶୁଣି ଆମେ ମୁଣ୍ଡ କୋଡ଼ୁ ବା ଦାନ୍ତ ରଗଡ଼ୁ ପଛକେ, ଆମ ଦେଶରେ ଏହିପରି ହିଁ ହୋଇଛି-। ନ ହେଲେ ବିଗତ କୋଡ଼ିଏ ବର୍ଷର ସୁଦୀର୍ଘ ଅବସର ଭିତରେ ଆମ ଦେଶର ଇତିହାସ ଭିନ୍ନ ଅକ୍ଷରରେ ଲେଖା ହୋଇଥାନ୍ତା । ଏ ଦେଶରେ ଅନ୍ୟ ମୂଲ୍ୟର ଅର୍ଚ୍ଚନା ହୋଇଥାନ୍ତା ଏବଂ ଆମ ସମସ୍ତଙ୍କର ଉତ୍ସାହ ଗୋଟିଏ ଅନ୍ୟ ମାର୍ଗରେ ଧାବିତ ହୋଇଥାନ୍ତା । ସମଗ୍ର ଦେଶକୁ ଗୋଟିଏ ସୁଯୋଗ ଓ ଆହ୍ୱାନର କ୍ଷେତ୍ର ରୂପେ ଗ୍ରହଣ କରି ଏଠି ମଣିଷଜୀବନକୁ ନେଇ ଫୁଲ ପୁଟାଇବା ଲାଗି ଶ୍ରଦ୍ଧାର ସହିତ ଜମି ତିଆରି ହୋଇଥାନ୍ତା, ଅନାବାଦୀ ଆବାଦୀ ହୋଇଥାନ୍ତା । ମାତ୍ର ଗୋଟାଏ ଦେଶକୁ ଏତେ ଭାଗରେ ବାଣ୍ଟି ଦେବା ଲାଗି ଦିନକୁଦିନ ନୂଆ ନୂଆ ବାଡ଼ ପଡ଼ୁ ନ ଥାନ୍ତା, କି ନୂଆ ନୂଆ କାନ୍ଥି ବା ଅଧାକାନ୍ଥିମାନ ଉଠୁ ନ ଥାନ୍ତା । ଅସଲ ବିପ୍ଳବଟି ଏଠି ବାରିତ ହୋଇ ରହିଛି ବୋଲି ବୋଧହୁଏ ଆମର ଚାରିପାଖକୁ ଗ୍ରାସ କରି ଏତେ ଏତେ ଖଣ୍ଡବିପ୍ଳବ ବା ଖଣ୍ଡପ୍ରଳୟର ଅଶୁଭ ଶକୁନ ମୁଣ୍ଡ ଟେକିବାରେ ଲାଗିଛନ୍ତି । ଅସଲ ମଣିଷକୁ ବାରିତ କରି ରଖାଯାଇଛି ବୋଲି ବୋଧହୁଏ ଏଠି ଗତ କୋଡ଼ିଏ ବର୍ଷ ହେଲା ଅମଣିଷଙ୍କ ସକାଶେ ଅଧିକ ପ୍ରଶ୍ରୟ ଦିଆଯାଉଛି । ଯାହାସବୁ ନ ଘଟିବା ଉଚିତ ଥିଲା, ଆମ ଦେଶରେ ସେହିଗୁଡ଼ାକ ହିଁ ଅଧିକ ନିଶ୍ଚିତ ଭାବରେ ଘଟି ଘଟି ଚାଲିଛି । ବାହାରେ କୋଳାହଳ ବଢ଼ୁଛି, ବିପ୍ଳବ ବିଷୟରେ ଲମ୍ୱା ଚଉଡ଼ା ଭାଷଣ ଦିଆଯାଉଛି; କିନ୍ତୁ ଆପଣା ଆପଣାର ଆସ୍ଥାନ ଉପରେ ତିଷ୍ଠି ରହିବା ଲାଗି ହିଁ ଆମ ଦେଶରେ ବିଭିନ୍ନ-ଭେକୀ ନେତୃତ୍ୱସବୁ ଲଢ଼େଇ କରି ବାହାରିଛନ୍ତି । ଶକ୍ତି ଏଇଥିରେ ସରୁଛି । ତେଣୁ ଅସଲ ବିପ୍ଳବ କରିବାପାଇଁ ଆଉ ଶକ୍ତି ଆସିବ କୁଆଡ଼ୁ ? ଚତୁରତା ବା ଧୂର୍ତ୍ତତାକୁ ହିଁ ଏବେ ପ୍ରତ୍ୟୁତ୍ପନ୍ନମତିତା ବୋଲି କୁହାଯାଉଛି; ତେଣୁ ମଣିଷ ଲାଗି ଯଥାର୍ଥ ବିପ୍ଳବର ଅବସର ଖାଲି ଗଡ଼ି ଗଡ଼ି ଯାଉଛି ।

 

ଆମର ଦେଶ ବିଦେଶୀ ଶାସନରୁ ମୁକ୍ତି ପାଇବା ଲାଗି ସଂଗ୍ରାମ କରୁଥିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ମୁଖ୍ୟତଃ ଏକ ରାଜନୀତିକ ସଂଗ୍ରାମ ହୋଇ ରହିଥିଲା । ଏପରି ହେବା ଅତ୍ୟନ୍ତ ସ୍ୱଭାବିକ ଥିଲା । ରାଜନୀତି କହିଲେ ସେତେବେଳେ ବିଦେଶୀ ପ୍ରଭୁତ୍ୱକୁ ହଟାଇବାର ସାମ୍ମୁଖ୍ୟଟିକୁ ହିଁ ବୁଝାଉଥିଲା । କିନ୍ତୁ ରାଜନୀତିକ ସ୍ୱାଧୀନତା ଆସିବା ପରେ ଯଦି ଆମର ଦେଶ ସ୍ୱାଭାବିକ ଭାବରେ ଆବଶ୍ୟକ ଅନ୍ୟାନ୍ୟ ବିପ୍ଳବଗୁଡ଼ିକର ସ୍ୱାଗତ କରିଥାନ୍ତା, ତେବେ ଏ ଦେଶରେ ରାଜନୀତି କ୍ରମେ ଗୌଣ ହୋଇଯାଇଥାନ୍ତା, ବିପ୍ଳବ ହିଁ ମୁଖ୍ୟ ହୋଇଥାନ୍ତା । ଶାସନ ଚଳାଇବା ଲାଗି ନିର୍ବାଚିତ ହେଉଥିବା ପାତ୍ର-ମନ୍ତ୍ରୀମାନେ ମଧ୍ୟ ଏ ଦେଶରେ ମୁଖ୍ୟତଃ ବିପ୍ଳବକୁ ଆଗେଇ ନେବାରେ ହିଁ ସହଯୋଗ କରିଥାନ୍ତେ । ବଡ଼ ନିକୃଷ୍ଟ, ଅଥଚ ବଡ଼ ଚତୁର ଭାବରେ ସେମାନେ ଶାସନ କାମୁଡ଼ି ରହିବାକୁ ହିଁ ଦେଶର ମଣିଷ ପ୍ରତି ସେମାନଙ୍କର ଏକମାତ୍ର କର୍ତ୍ତବ୍ୟ ବୋଲି ଧରିନେଇ ନଥାନ୍ତେ । ସ୍ୱାଧୀନତା ପରେ ଏ ଦେଶରେ ବିପ୍ଳବ ଲାଗି କେତେ କଅଣ କ୍ଷେତ୍ର ନ ଥିଲା । ଦେଶର ପାଞ୍ଚଲକ୍ଷ ଗାଆଁ ସେମାନଙ୍କ ନିଷ୍ଠାପର ହାତର ଯତ୍ନଲାଗି ଅପେକ୍ଷା କରି ରହିଥିଲେ, ଦେଶର କୋଟିକୋଟି ନିରକ୍ଷର ଆଖି ପାଇବେ ବୋଲି ଅନାଇ ରହିଥିଲେ; ଦେଶର ପିଲାଏ ପାଠ ପଢ଼ିବାକୁ ଯିବେ ବୋଲି ଚାହିଁ ବସିଥିଲେ; ଦେଶର ଚାଷୀ ଚାହିଁ ରହିଥିଲା, ଦେଶର ଶ୍ରମିକ ଚାହିଁ ରହିଥିଲା । କିନ୍ତୁ ସ୍ୱାଧୀନତା ପରେ ଆମ ଜାତୀୟ ଜୀବନର ବିଭିନ୍ନ ସ୍ତରରେ ଯେଉଁମାନେ କ୍ଷମତାରେ ରହିଲେ ସେମାନେ ଏହିସବୁ ଆହ୍ୱାନକୁ ଉପେକ୍ଷା କରି କେଡ଼େ ଅଯୋଗ୍ୟତା ଓ ନିର୍ମମତା ନ ଦେଖାଇଲେ ! ସେମାନେ ଆପଣାର କର୍ତ୍ତବ୍ୟଟିକୁ ଛାଡ଼ି ଆଉ ସବୁ କାମ କଲେ । ମନ୍ତ୍ରୀ ସଭା କଲେ, ମାଲ୍ୟଚନ୍ଦନ ଭୂଷିତ ହେବାକୁ ଗସ୍ତରେ ଧାଇଁଲେ, ସୁଧୀ ବୋଲାଇବାକୁ ବକ୍ତୃତା କରି ବୁଲିଲେ ଓ ସବୁପ୍ରକାର ଆସନରେ ଯାଇ ଆଗ ବସିବାକୁ ବ୍ୟସ୍ତ ହୋଇପଡ଼ିଲେ । ସେମାନେ ସାହିତ୍ୟ କଲେ, ଧର୍ମସଭାରେ ଯୋଗୀ ସନ୍ନ୍ୟାସୀମାନଙ୍କ ଗହଣରେ ଯାଇ ବସିଲେ, ସଙ୍ଗୀତ କଲେ, ନାଟକ କଲେ, ଏକାଡ଼େମୀ କଲେ । କିନ୍ତୁ ଆପଣାର କାମଟି କଲେ ନାହିଁ, -ପ୍ରତିନିଧି ହିସାବରେ ଦେଶର ଯେଉଁସବୁ ବିପ୍ଳବରେ ନିମିତ୍ତ ରୂପେ ବ୍ୟବହୃତ ହୋଇ ସେମାନେ ଧନ୍ୟ ହୋଇଥାନ୍ତେ, ସେହିସବୁ ବିପ୍ଳବରୁ ଦେଶର ମନକୁ ହୁରୁଡ଼ାଇ ନେବାରେ ହିଁ ସେମାନେ ନିମିତ୍ତ ପରି କାର୍ଯ୍ୟ କଲେ । ଏହି ଅସାଧୁତା ଜ୍ୟାମିତିକ ସୂତ୍ରରେ କ୍ରମେ ଅଧିକ ସଂପ୍ରସାରିତ ହେଲା; ଅର୍ଥାତ୍ ଦେଶର ଆହୁରି ଅନେକ କ୍ଷେତ୍ରରେ ଆସ୍ଥାନସ୍ଥ ବଡ଼ ମଣିଷମାନେ ମଧ୍ୟ କ୍ରମେ ଆପଣାର କାର୍ଯ୍ୟଟିକୁ ବାଦ୍ ଦେଇ ଆଉସବୁ କଥା କରିବାରେ ମନ ବଳାଇଲେ । ବିଶ୍ୱବିଦ୍ୟାଳୟର ବିଦ୍ୟାକ୍ଷେତ୍ରରେ ହୁଏତ କାଉ ଉଡ଼ିଲେ; ମାତ୍ର ଅଧ୍ୟାପକଙ୍କ ସମେତ ବିଶ୍ୱବିଦ୍ୟାଳୟର ଥାନପତିମାନେ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ବୀରପଣିଆ ଦେଖାଇ ବାହାରିଲେ-। ସାହିତ୍ୟସଭାଠାରୁ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ସବୁ ଥାନକୁ ଯିବାଲାଗି ସେମାନଙ୍କୁ ସମୟ ମିଳିଲା, ସେମାନଙ୍କର ଶକ୍ତି ପାଇଲା; ମାତ୍ର ବିଦ୍ୟାଚର୍ଚ୍ଚା ଓ ଅଧ୍ୟାପନା ଲାଗି ଶକ୍ତି ପାଇଲା ନାହିଁ, କି ସମୟ ଅଣ୍ଟିଲା ନାହିଁ । ସଫଳତା ଓ ସାବାସୀ ପାଇବାର ଏହି ଆତ୍ମସଚେତ ଦୌଡ଼ରେ ସେମାନେ ପରସ୍ପରର ନିନ୍ଦୁକତା କଲେ, ପରସ୍ପରର ଗାତ ଖୋଳିବାରେ ଲାଗିଲେ ଏବଂ ସର୍ବୋପରି ଆପଣା ଆପଣାର ସ୍ଥାନଗୁଡ଼ିକୁ ସୁଦୃଢ଼ ରଖିବା ଲାଗି ସବୁଠାରୁ ଅଧିକ ତତ୍ପର ହୋଇ ରହିଲେ । ଇଞ୍ଜିନିଅର ଗୁଣେ ଜାଗାରେ ହୁଏ ତ ପାଞ୍ଚ ଗୁଣ କମାଇଲା; କିନ୍ତୁ ବାଧ୍ୟହୋଇ ଆପଣା କାମର ଚଉଠେ ମାତ୍ର କଲା । ଡାକ୍ତର ଔଷଧ ଲାଗି ଚିଠା ଲେଖିଦେଲା, ପଇସା ନେଇ ବଡ଼ଲୋକ ହେଲା; କିନ୍ତୁ ଯେଉଁସବୁ ଗୁଣ ଓ ଯୋଗ୍ୟତା ଥିଲେ କୌଣସି ମଣିଷକୁ ଜଣେ ଯୋଗ୍ୟ ଡାକ୍ତର ବୋଲି କୁହାଯାଇପାରନ୍ତା, ସେହିସବୁ ଗୁଣ ଓ ଯୋଗ୍ୟତାକୁ ସିଏ ପୁରୁଣା ପଢ଼ାବହି ଭିତରେ ରଖିଦେଇ ଆସିଲା । ଶିକ୍ଷା ବିଭାଗର ସର୍ବୋଚ୍ଚ କର୍ମଚାରୀଠାରୁ ଆରମ୍ଭ କରି ଗାଆଁ ସ୍କୁଲର ଶିକ୍ଷକ ପର୍ଯ୍ୟନ୍ତ ସମସ୍ତେ ପ୍ରଚଳିତ ଶିକ୍ଷାରୀତି ଓ ପରୀକ୍ଷାରୀତି ବଦଳିବା ଉଚିତ ବୋଲି କହିଲେ; କିନ୍ତୁ ଶିକ୍ଷା ଓ ପରୀକ୍ଷାର ମାଲଗୋଦାମମାନଙ୍କରେ ପାରମ୍ପରିକ ରୀତିରେ ଯେଉଁ ବ୍ୟବସାୟ ସମ୍ପୃକ୍ତ ସଭିଙ୍କର ସୌହାର୍ଦ୍ୟ ଭିତରେ ଚାଲିଆସୁଛି, ସେମାନେ ସମସ୍ତେ ସେଥିରୁ ଲାଭ ଉଠାଇବାରେ କୌଣସି କାର୍ପଣ୍ୟ କଲେ ନାହିଁ । ଏହି ବ୍ୟବସାୟ ଭାଙ୍ଗିଲେ ସିନା ଶିକ୍ଷା ଓ ପରୀକ୍ଷାର ରୀତି ବଦଳିପାରନ୍ତା । ତେଣୁ ଏହିସବୁ ମଣିଷମାନେ ବିପ୍ଳବ କରିଥାନ୍ତେ ଆଉ କେତେବେଳେ ? ଆମ ଦେଶରେ ବିପ୍ଳବକୁ ଟାଳିଦେବାରେ ଆମ ସାହିତ୍ୟିକ ମଧ୍ୟ କମ୍ ଦାୟୀ ନୁହେଁ । ଗତ କୋଡ଼ିଏ ବର୍ଷ ଭିତରେ ସେ ସାହିତ୍ୟରେ ଯେତେ ଆଗ୍ରହ ନ ଦେଖାଇଛି, ରାଜନୀତିକୁ ଆଣି ସାହିତ୍ୟସଭାରେ ବସାଇବା ଲାଗି ହୁଏତ ତା’ଠାରୁ ଅଧିକ ଆଗ୍ରହ ଦେଖାଇଛି । ସାହିତ୍ୟରସିକ ଓ ମଣିଷ ହିସାବରେ ସେମାନେ ଯେଡ଼େ ଅଯୋଗ୍ୟ ହୋଇଥାଆନ୍ତୁ ପଛକେ, ରାଜନୀତିକ କ୍ଷମତାଧାରୀମାନେ ଆମ ସ୍ୱାଧୀନ ଭାରତରେ ସଫଳ ସାହିତ୍ୟର ଆରାଧନୀୟ ହୋଇ ରହିଛନ୍ତି । ସେମାନଙ୍କୁ ସାହିତ୍ୟସଭାରେ ରଥୀ କରି ବସାଇ ଆମ ସାହିତ୍ୟିକମାନେ କୁସୁମ ପରଶରେ ପଟ ନିସ୍ତରିଗଲା ପରି ଅନୁଭବ କରୁଛନ୍ତି । ଏଥର ଅତି ସହଜରେ ବୁଝିହେବ, ଆମ ଦେଶର ସାହିତ୍ୟିକର ଆକାଙ୍‍କ୍ଷା କାହିଁକି ଅନେକାଂଶରେ ଏକ ଭାବପ୍ରଣ ଜାତୀୟତାର ହୁଡ଼ାବନ୍ଧ ଭିତରେ ଏକ ଶାନ୍ତ ଜଳାଶୟ ପରି ହୋଇରହିଛି । ରାଜନୀତିକ ସ୍ୱାଧୀନତା ପରେ ଆମ ଦେଶରେ ଜାତୀୟତାର ସଂଜ୍ଞାରେ ମଧ୍ୟ ଏକ ବିପ୍ଳବ ହୋଇଯାଇଥାନ୍ତା ଏବଂ କେହି କିଛି ନ କରିଥିଲେ ମଧ୍ୟ ସାହିତ୍ୟିକ ହିଁ ଏହି କାର୍ଯ୍ୟରେ ଅଗ୍ରଣୀ ହୋଇ ବାହାରିଥାନ୍ତା । ମାତ୍ର ତାହା ହୋଇପାରିଲା ନାହିଁ । ପ୍ରଧାନତଃ ସାହିତ୍ୟିକର ଅଶକ୍ତତା ହେତୁ ହିଁ ଆମର ଜାତୀୟତା ଏପର୍ଯ୍ୟନ୍ତ ମଣିଷଜୀବନର ଯଥାର୍ଥ ଜୀବନ ପରିଧିଗୁଡ଼ିକୁ ସ୍ପର୍ଶ ବି କରିପାରିଲା ନାହିଁ । ସେହି ତୁଚ୍ଛା ଓ ଭୂଇଁଛଡ଼ା ରୋମାଣ୍ଟିକ୍ ଯୁଗରେ ହିଁ ପଡ଼ିରହିଲା । ପୁରା କାଳରେ କୋଉ ଶତାବ୍ଦୀରେ ଓଡ଼ିଆମାନେ କୁଆଡ଼େ ସୁଦୂର ପୂର୍ବ ଏସିଆରେ ଚମ୍ପାରାଜ୍ୟର ପ୍ରତିଷ୍ଠା କରିଥିଲେ । ସେଯୁଗରେ ଚମ୍ପାରାଜ୍ୟ ହେଉଚି ଏବର ଭିଏତ୍‌ନାମ । ତେଣୁ ଆଜି ଭିଏତ୍‌ନାମ ଯୁଦ୍ଧରେ ସେଠି ଯେଉଁ ରକ୍ତ ବହୁଛି, ସେଥିରେ ଓଡ଼ିଆର ରକ୍ତ ମଧ୍ୟ ରହିଛି । ଦୁଃଖରେ ପଡ଼ିଥିବା ମଣିଷଙ୍କ ସହିତ ଆତ୍ମୀୟତା ଅର୍ଜନ କରିବା ଲାଗି ସେଦିନ ଏକ କବି-ସଭାରେ ଓଡ଼ିଶାର ଜଣେ ସୁପ୍ରତିଷ୍ଠିତ ଲେଖକ ଏହିପରି ଏକ ମାର୍ଗର ସୂଚନା ଦେଇଥିଲେ ଏବଂ ଉପସ୍ଥିତ କବିମଣ୍ଡଳୀ ଏଥିରେ କୌଣସି ବିସ୍ମୟ ପ୍ରକାଶ କରି ନ ଥିଲେ ।

 

ଆମ ସଂସାରରେ ଅନେକ ଲୋକ ବିପ୍ଳବୀ ହୋଇ ବାହାରନ୍ତି, ମାତ୍ର ସମସ୍ତେ ବିପ୍ଳବ ଚାହାନ୍ତି ନାହିଁ-ଅଧିକାଂଶ କ୍ଷମତା ଚାହାନ୍ତି । ଯେଉଁମାନେ ଆଗରୁ କ୍ଷମତାରେ ବସି ରହିଥିଲେ, ସେମାନଙ୍କୁ ହଟାଇ ଆପେ କ୍ଷମତାରେ ବସିବାକୁ ଚାହାନ୍ତି ଏବଂ ସେଇଥିରେ ହିଁ ପରିପୂର୍ଣ୍ଣ ଚିତ୍ତପ୍ରସାଦ ଅନୁଭବ କରନ୍ତି । ସେମାନଙ୍କର ନୂଆ ଶାସନରେ ଆଗର ସେଇ ଅନ୍ଧତା ରହିଥାଏ; ସେହି ଅନ୍ୟାୟ ଓ ସେହି ଅରାଜକତାଗୁଡ଼ିକ ମଧ୍ୟ ରହିଥାଏ । ତଥାପି ଆଖି ବୁଜି ପରମ ଦମ୍ଭର ସହିତ ସେମାନେ ଏପରି ଏକାଗ୍ରଭାବରେ କ୍ଷମତା ଉପରେ ସମାଧି ମାଡ଼ି ବସିଯାଇଥାନ୍ତି ଯେ, ସେମାନେ ତାହାକୁ ହିଁ ବିପ୍ଳବ ବୋଲି କହନ୍ତି । ସେମାନଙ୍କୁ କ୍ଷମତାରେ ଆଣି ବସାଇଦେବା ବ୍ୟତୀତ ସତେ ଯେପରି ବିପ୍ଳବର ଆଉ କିଛି ହେଲେ କରିବାର ନଥିଲା । ମୁଁ ଏଠାରେ କ୍ଷମତାକୁ ଅକାମ୍ୟ ଓ ସର୍ବଥା ବର୍ଜନୀୟ ବୋଲି କଦାପି କହୁନାହିଁ । ଯଥାର୍ଥ ବିପ୍ଳବ ସମ୍ଭବ କରିବାକୁ ହେଲେ କ୍ଷମତା ଅବଶ୍ୟ ଦରକାର–ରାଜନୀତିକ କ୍ଷମତା ଦରକାର, ବିଜ୍ଞାନର କ୍ଷମତା, ଦରକାର, ହୁଏତ ଶାସନଦଣ୍ଡର କ୍ଷମତା ବି ଦରକାର । ସେଥିପାଇଁ ବିପ୍ଳବ ଲାଗି ଆହ୍ୱାନ ଦେଉଥିବା ସମସ୍ତେ ବିପ୍ଳବ ପୂର୍ବରୁ ଜନଗଣଠାରୁ କ୍ଷମତା ମାଗି ବୁଲନ୍ତି । ସେମାନଙ୍କ ଉପରେ ବିଶ୍ୱାସ କରି ଜନଗଣ ସେମାନଙ୍କ ହାତରେ ଯାବତୀୟ ଦଣ୍ଡକୁ ଆଣି ଧରାଇଦିଅନ୍ତି ଏବଂ ତା’ପରେ ସେମାନେ ବିପ୍ଳବ କଥା ଭୁଲିଯାଆନ୍ତି, କାରଣ ସେମାନେ କ୍ଷମତାରେ ହିଁ ଲାଖିରହନ୍ତି । ଏହି ଅନିତ୍ୟ ସଂସାରରେ ସେମାନେ ଆଉ ଅଧିକ ବିପ୍ଳବର ଅଳୀକତା ଭିତରେ ନ ପଡ଼ି ନିତ୍ୟ କ୍ଷମତାଭୋଗର ଶରଣଗତି ଭଜନ୍ତି । ବିପ୍ଳବ ଲାଗି କ୍ଷମତା ଦରକାର, ସମାଜକୁ ବଦଳାଇବା ଲାଗି କ୍ଷମତା ଦରକାର, ନ୍ୟାୟ ଓ ମନୁଷ୍ୟୋଚିତ ଶାସନ କାଏମ୍ କରିବାପାଇଁ ହୁଏତ କ୍ଷମତା ବି ଦରକାର । କିନ୍ତୁ କ୍ଷମତା ଆସିଲେ ହିଁ ବିପ୍ଳବ ଆସିଯାଏ ନାହିଁ । କ୍ଷମତା ଆସିଲେ ହିଁ ସମାଜରେ ଆପେ ଆପେ ସତ୍ୟ ଓ କଲ୍ୟାଣର ପ୍ରତିଷ୍ଠା ହୋଇଯାଏ ନାହିଁ । ଏଥିଲାଗି ବିପ୍ଳବର ବାସନା ରଖିବାକୁ ପଡ଼େ, ସତ୍ୟ ଓ କଲ୍ୟାଣର ବାସନା ରଖିବାକୁ ପଡ଼େ । କ୍ଷମତାର ବାସନା ଅନେକ ସମୟରେ କ୍ଷମତାସୀନକୁ ଉପର୍ଯ୍ୟୁକ୍ତ ଅନ୍ୟ ବାସନାଗୁଡ଼ିକ ବିଷୟରେ ବିସ୍ମୃତ କରି ରଖେ । ଅନେକ ଅକଲ୍ୟାଣ ଭିଆଇ ମଧ୍ୟ ସେ ତଥାପି ସେଗୁଡ଼ାକୁ ଅସତ୍ୟ ଓ ଅକଲ୍ୟାଣ ବୋଲି କହିପାରେ ନାହିଁ । ଅନ୍ଧାରକୁ ଅନ୍ଧାର ବୋଲି କହିପାରେ ନାହିଁ । ଢୋଲକୁ ଢୋଲ ବୋଲି କହିପାରେ ନାହିଁ । ତା’ର କ୍ଷମତାଲାଗି ଯାହା ସୁହାଏ, ସେ ତାହାକୁ ହିଁ ସତ୍ୟ ଓ କଲ୍ୟାଣ ବୋଲି କହେ । ତା’ର କ୍ଷମତା ଯେଉଁଠି ବିଚରଣ କରେ, ସେ ସେଠାରେ କେବଳ ଆଲୋକର ହିଁ ପ୍ରତ୍ୟକ୍ଷ କରିଥାଏ । କ୍ଷମତାର ବାସନା ବିପ୍ଳବର ବାସନାକୁ ମାରିଦିଏ,–ବିପ୍ଳବ ବାରିତ ହୋଇ ରହେ । କ୍ଷମତାସୀନ ରାଜଗଣଙ୍କର ରାଜ୍ୟ ଚାଲେ । ସେମାନେ ସେତିକିବେଳେ ଜାତୀୟତାର ଆଦର୍ଶକୁ ଏକ ଅତ୍ୟନ୍ତ ଅମୋଘ ଆୟୁଧ ରୂପେ ବ୍ୟବହାର କରନ୍ତି । ଜାତୀୟ ଆୟ, ଜାତୀୟ ସୁରକ୍ଷା, ସମ୍ମାନ, ଜାତୀୟ ସଂସ୍କୃତି ଓ ଜାତୀୟ ସାହିତ୍ୟର ଭାରି ଧୁମ୍‌ଧାମ୍ ଆରମ୍ଭ ହୁଏ । ଅତୀତର ଉଦ୍‌ବୋଧନ କରିବାକୁ ଯାଇ ବର୍ତ୍ତମାନ ସମ୍ୱନ୍ଧରେ ଅନେକ ମଣିଷଙ୍କ ଭିତରେ ରହିଥିବା ଅସନ୍ତୋଷକୁ ଶୀତଳ କରିଦିଆଯାଏ, ମଣିଷର ମଣିଷପଣିଆକୁ ଶୀର୍ଣ୍ଣ ଓ ଶ୍ରୀହୀନ କରି ରଖିବାର ଚକ୍ରାନ୍ତ ଦ୍ୱାରା ଚାଳିତ ହୋଇ ଜାତିକୁ ବଡ଼ କରି ଗଢ଼ିବାର ମନ୍ତ୍ରଣା ଦିଆଯାଏ । ମନ୍ତ୍ରବଶ ହେଲା ପରି ଜନଗଣ ମଧ୍ୟ ଆପଣାର ଭୋକ ଭୁଲି ଜାତିର ଜୟଗାନ କରନ୍ତି, ଅର୍ଥାତ୍ କ୍ଷମତାସୀନର କ୍ଷମତାଲାଳସାକୁ ଆହୁରି ଉଗ୍ର ହେବା ଲାଗି ବାଟ ଛାଡ଼ିଦିଅନ୍ତି ।

 

ବର୍ତ୍ତମାନ ଆମ ଦେଶକୁ ମୋଟାମୋଟି ସେଇ ଦଶା ପଡ଼ିଛି । ଆମର ଆଗର ବିପ୍ଳବୀମାନେ କ୍ଷମତାର ଖୋଳପା ଭିତରେ ଶୀତଳ ହୋଇ ବସିଛନ୍ତି । ଆଉ ଯେଉଁମାନେ ଅର୍ବାଚୀନ ଉତ୍ସାହ ନେଇ ସେମାନଙ୍କ ସହିତ ଆସି ମିଶୁଛନ୍ତି, ବିପ୍ଳବ ଅପେକ୍ଷା କ୍ଷମତାଟା ହିଁ ସେମାନଙ୍କୁ ଅଧିକ ଆକର୍ଷଣ କରୁଥିବା ପରି ମନେହେଉଛି । ଏ ଦେଶରେ ଏବେ କେତେ ଦଳ ଗଢ଼ା ହେଉଛି, ଦଳମଣ୍ଡୁକମାନେ କେତେ ପ୍ରକାରେ ଭେକ ବଦଳାଉଛନ୍ତି, କେତେ ପ୍ରକାର ନୂଆ ମାଳି ଗଡ଼ାଉଛନ୍ତି । କ୍ଷମତାରେ ବସିପାରିବାର ସୁରାଖ ପାଇଲାମାତ୍ରକେ ସେମାନେ ଏ ଅନ୍ଧୁଲିରୁ ବାହାରି ସେ ଅନ୍ଧୁଲି ଭିତରେ ଯାଇ ପଶୁଛନ୍ତି । ଆମ ଦେଶବାସୀଙ୍କ ବିଷୟରେ ସେମାନେ କଅଣ ଭାବୁଥିବେ କେଜାଣି, ମାତ୍ର ସେମାନଙ୍କ ଦ୍ୱାରା ଯେ କିଛି ହୋଇପାରିବ ନାହିଁ, ଦେଶବାସୀ ସେକଥା କ୍ରମେ ଭଲକରି ଜାଣିସାରିଲେଣି । ଆପଣାର କାମ ହାସଲ କରିବା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ କେହି ଏ ନେତାଙ୍କ ପାଖକୁ ଯାଉନାହାନ୍ତି । ରାଜନୀତି କଥା ଶୁଣିବା ଲାଗି କେହି ରାଜନୀତି-ଘରର କ୍ଷମତାଧାରୀମାନଙ୍କ ପାଖକୁ ଯାଉନାହାନ୍ତି । ହୁଏତ ଖୋସାମଦ କରି ନିଜର କାମ ହାସଲ କରିବାକୁ ଯାଉଛନ୍ତି । ଶିକ୍ଷା ବିଷୟରେ କିଛି ଆଲୋଚନା କରିବା ଲାଗି ଶିକ୍ଷାମନ୍ତ୍ରୀ ବା ଅଧ୍ୟାପକମାନଙ୍କୁ ଏବେ କେହି ଆପଣା ଗାଆଁକୁ ବା ଆପଣା ସ୍କୁଲକୁ ଡାକୁ ନାହାନ୍ତି । ସରକାରୀ ଶିକ୍ଷା ବିଭାଗରେ ବହୁ ଦିନ ଶାସନସ୍ତରରେ ରହିଆସିଥିବା କର୍ମଚାରୀ ବା ହାକିମମାନଙ୍କୁ ପ୍ରୟୋଜନତଃ ବାଧ୍ୟହୋଇ ସେମାନେ ଶିକ୍ଷାବିତ୍ ବୋଲି କହୁଛନ୍ତି । ଦେଶଯାକ ପରିବର୍ତ୍ତନ ଓ ବିପ୍ଳବର ଘୋଷଣା କରି ବୁଲୁଥିବା ଏହି କ୍ଷମତାସ୍ଥୂଳ ଲାଭଲାଳସୀମାନେ ମଣିଷର ଅସଲି ବିକାଶ ଓ ସାମୂହିକ ଜୀବନର ଅସଲ ବିପ୍ଳବ ଲାଗି ଅପେକ୍ଷା କରିବାକୁ ବି ଅସମର୍ଥ ହୋଇ ପଡ଼ିଲେଣି । କୌଣସି ପ୍ରକାର ଯଥାର୍ଥ ବିକାଶ ଓ ବିପ୍ଳବ ଲାଗି କିଛି କରିବାର ସାମର୍ଥ୍ୟ ମଧ୍ୟ ଆଉ ସେମାନଙ୍କଠାରେ ନାହିଁ । କିଏ ଜାଣେ, ହୁଏତ ସେମାନେ ବିକାଶ ଓ ବିପ୍ଳବକୁ ଭୟ ବି କରୁଛନ୍ତି । କାରଣ ଆପଣା ଭିତରେ ମଧ୍ୟ ବିକାଶ ଓ ବିପ୍ଳବ ଲାଗି ବାଟ ଛାଡ଼ିଦେବାକୁ ସେମାନେ ଡରୁଛନ୍ତି । ବାଧ୍ୟହୋଇ ପଡ଼ିରହିବାକୁ ଓ ପଡ଼ିରହିବା ଲାଗି ଅନ୍ୟମାନଙ୍କୁ ବାଧ୍ୟ କରିବାକୁ ସେମାନେ ବିକାଶ ଓ ବିପ୍ଳବ ଶବ୍ଦକୁ ଗୋଟାଏ ପନ୍ଥା ଭାବରେ ଗ୍ରହଣ କରିନେଲେଣି ।

 

‘‘କେବଳ କଥା କହି ବିପ୍ଳବର ରଡ଼ନିଆଁ ଉଦ୍‌ଗାର କଲେ ବା ବଡ଼ପାଟିରେ ବିପ୍ଳବର ସ୍ଲୋଗାନ ଦେଲେ ଜଣେ ବିପ୍ଳବୀ ହୋଇଯିବ ନାହିଁ । କେବଳ ଜଣେ ମୁକ୍ତ ମଣିଷ ହିଁ ବିପ୍ଳବୀ ହୋଇପାରିବ । ସେ ସମସ୍ତ ପ୍ରକାର ଆବଦ୍ଧତା, ସ୍ଥାନୀୟତା ଓ ପ୍ରାଦେଶିକତାରୁ ମୁକ୍ତ ହୋଇଥିବ, ଆପଣା ବଂଶ ଓ ଆପଣା ମାଟିର ସଂସ୍କାରଗୁଡ଼ାକୁ ମୁଣାପରି କରି ସେ ତାହାରି ଭିତରେ ରଖି ନ ଥିବ । ଆପଣାର ରାଷ୍ଟ୍ର, ବର୍ଗ, ଜାତି, ଦଳ ବା ଧର୍ମକୁ ସିଏ ଆପଣାର ଅନୁରକ୍ତିଗୁଡ଼ାକ ଲାଗି ଗୋଟିଏ ଗୋଟିଏ କୂପ ପରି ବ୍ୟବହାର କରୁ ନ ଥିବ । ଯଥାର୍ଥ ବିପ୍ଳବୀ ମାନବବାଦୀ ହେବ, ଅର୍ଥାତ୍‌ ସମଗ୍ର ମାନବଜାତିକୁ ସେ ଆପଣା ଭିତରେ ଅନୁଭବ କରିପାରୁଥିବ, ମାନବଜୀବନ ସମ୍ପକୀୟ କୌଣସି ଆଗ୍ରହ ଓ କୌଣସି ଅଭିଳାଷକୁ ସେ ଆପଣାଠାରୁ କବାଟ କିଳି ରଖି ନ ଥିବ । ସିଏ ଜୀବନକୁ ଭଲ ପାଉଥିବ, ଜୀବନକୁ ସମ୍ମାନ ଦେଉଥିବ, ଜୀବନ ଉପରେ ତା’ର ଅଟଳ ଆସ୍ଥା ରହିଥିବ, ଅଥଚ କୌଣସି କଥାକୁ ସେ ଅନ୍ଧ ଓ ଭାବପ୍ରବଣ ଭାବରେ ମାନି ନେଉ ନ ଥିବ’’–ମନୋବିଜ୍ଞାନକୁ ଆପଣାର କ୍ଷେତ୍ର ରୂପେ ଗ୍ରହଣ କରିଥିବା ଏ ଯୁଗର ଜଣେ ଜୀବନଜିଜ୍ଞାସୁ ବିପ୍ଳବୀ ମଣିଷର ଏହିପରି ଏକ ବ୍ୟାଖ୍ୟା କରିଛନ୍ତି । (Erich From: The Dogma of Chirst and Other Essays-Holt, Rinehart and Winston, Newyork, 1968--ପୃଷ୍ଠା – ୧୬୫) ଅର୍ଥାତ୍ ବିପ୍ଳବ କହିଲେ, କେବଳ ଭାଙ୍ଗିଦେବା ବା କେବଳ ଚାଳ ଓଲାରି ପକାଇବାକୁ ବୁଝାଏ ନାହିଁ । ଏଥିରେ ନେଗେଟିଭ୍ ଅପେକ୍ଷା ପଜିଟିଭ୍‌ ଉପାଦାନ ଓ ପଜିଟିଭ୍‌ ଆହ୍ୱାନ ଅଧିକତର ମାତ୍ରାରେ ରହିଛି । ବିପ୍ଳବ କହିଲେ କେବଳ କେତେଟା ତାତ୍କାଳିକ ଉତ୍ତୋଜନାମୂଳକ କାର୍ଯ୍ୟକ୍ରମକୁ ହିଁ ବୁଝାଏ ନାହିଁ । ବ୍ୟକ୍ତିଗତ ଓ ସାମୂହିକ ଜୀବନରେ ଏହା ହେଉଛି ଏକ ସମଗ୍ର ଦୃଷ୍ଟିକୋଣ; ଇଂରେଜୀରେ ଯାହାକୁ a way of life ବା ଜର୍ମାନ୍‌ ଭାଷାରେ Weltanschauung ବୋଲି କୁହାଯାଇପାରେ । ବିପ୍ଳବୀ ମଣିଷ ଅଳ୍ପକରେ ସନ୍ତୁଷ୍ଟ ହୁଏ ନାହିଁ, ସେ ଅଧିକ ହେବାକୁ ଚାହେଁ । ସମଗ୍ର ଜୀବନର ନୂତନତର ନିର୍ମାଣ ଲାଗି ସେ ଆପଣାକୁ ଅଧିକରୁ ଅଧିକ ହେବାକୁ ଚାହେଁ ଓ ତାହାରି ଜରିଆରେ ପରିପୂର୍ଣ୍ଣତା ଉପଲବ୍‌ଧି କରେ । ଏହି ଦୃଷ୍ଟିରୁ ଜଣେ ଧର୍ମରାଜ୍ୟରେ ବିପ୍ଳବ ଆଣିପାରେ, ସମାଜନୀତି ଓ ରାଜନୀତିରେ ବିପ୍ଳବ ଆଣିପାରେ । ସାହିତ୍ୟରେ ବି ବିପ୍ଳବ ଆଣିପାରେ । ଜଣେ ବିପ୍ଳବୀର ଜୀବନରେ ବ୍ୟକ୍ତିଗତ ଓ ସାମାଜିକ ହିତ ଭିତରେ କୌଣସି ଦ୍ୱନ୍ଦ୍ୱ ନ ଥାଏ, ଠିକ୍ ଯେପରି ଗାନ୍ଧୀଙ୍କ ଜୀବନରେ ଏପରି କୌଣସି ଦ୍ୱନ୍ଦ୍ୱ ନଥିଲା; ଗୋପବନ୍ଧୁଙ୍କ ଜୀବନରେ ମଧ୍ୟ ନଥିଲା । ସେମାନେ ମହାନ୍‌ବ୍ୟକ୍ତି ଥିଲେ–ସେମାନଙ୍କର ଜୀବନରୀତି ମହାନ୍‌ ଥିଲା; ସମାଜ ଲାଗି ମଧ୍ୟ ସେମାନେ ମହାନ୍‌ ଅବଦାନର ଯୋଗ୍ୟ ହୋଇ ପାରିଥିଲେ । ସେମାନଙ୍କର ବ୍ୟକ୍ତିଗତ ଜୀବନ ସୁନ୍ଦର ଥିଲା ଏବଂ ଆପଣାର କାର୍ଯ୍ୟଦ୍ୱାରା ସେମାନେ ସମାଜକୁ ମଧ୍ୟ ଅଧିକ ସୁନ୍ଦର କରି ଗଢ଼ିବାରେ ବଳିଷ୍ଠ ନେତୃତ୍ୱ ଦେଇପାରିଥିଲେ । ସେହିପରି ଜଣେ ଜଣେ ବିପ୍ଳବୀ ଗୋଟାଏ ଗୋଟାଏ ଯୁଗକୁ ମଧ୍ୟ ବଦଳାଇ ଦିଅନ୍ତି, ଗୋଟାଏ ଗୋଟାଏ ଦେଶର ନିଦକୁ ଭାଙ୍ଗି ଦିଅନ୍ତି; ଗୋଟାଏ ଗୋଟାଏ ସାମ୍ରାଜ୍ୟକୁ ମଧ୍ୟ ଦୋହଲାଇ ଦିଅନ୍ତି । ଭକ୍ତ ଯେଉଁଠାକୁ ଯାଏ, ସେହି ସ୍ଥାନକୁ ତୀର୍ଥରେ ପରିଣତ କରିଦେଲା ପରି ସେମାନେ ବି ଯାଉଥିରେ ହାତ ଦିଅନ୍ତି, ସେଥିରେ ନୂତନ ସ୍ୱପ୍ନ, ନୂତନ ପ୍ରେରଣା ଓ ବିଶ୍ୱାସ ଭରିଦିଅନ୍ତି । ସେମାନେ ଯାହାକୁ ଆପଣାର କାର୍ଯ୍ୟବୋଲି ଗ୍ରହଣ କରନ୍ତି, ସେହି କାର୍ଯ୍ୟ ବିପ୍ଳବାତ୍ମକ ଶକ୍ତିର ସଞ୍ଚାର କରେ ଓ କେତେ ମନରେ ନୂଆ ନୂଆ ଉତ୍‌ପ୍ରେରଣା ସୃଷ୍ଟି କରିବାରେ ଲାଗେ । ସେମାନେ ଆପଣାକୁ ବଦଳାଇବା ଲାଗି ପ୍ରସ୍ତୁତ ହୋଇ ବାହାରିଥାଆନ୍ତି; ତେଣୁ ସମସ୍ତେ ସେମାନଙ୍କର କଥା ବୁଝିପାରନ୍ତି, ସେମାନଙ୍କ କଥା ଉପରେ ବିଶ୍ୱାସ ରଖନ୍ତି, ସେମାନଙ୍କ ନେତୃତ୍ୱରେ ସବୁ ପଣ କରି ବାହାରନ୍ତି । ଏହି ନ୍ୟାୟରୁ ବିଚାର କରି ଦେଖିଲେ ବିପ୍ଳବୀ ହିଁ ବିପ୍ଳବ କରେ । ଖାଲି ସାମୂହିକ ଜୀବନରେ ବିପ୍ଳବର ଆବଶ୍ୟକତା ତୀବ୍ର ଓ ପ୍ରଖର ହୋଇଉଠିଲେ ବିପ୍ଳବ ମନକୁମନ ହୋଇଯାଏ ନାହିଁ । ପାଣି ଫୁଟି ମନକୁମନ ବାମ୍ପ ହୋଇଗଲା ପରି ଅସନ୍ତୋଷ ଫୁଟି ମନକୁମନ ବିପ୍ଳବ ହୋଇଯାଏ ନାହିଁ । ଆମ ଦେଶରେ ଗତ କୋଡ଼ିଏ ବର୍ଷ ହେଲା କେତେପ୍ରକାର ଅସନ୍ତୋଷର ପଟଳ ଆମର ଯାବତୀୟ ଜୀବନକ୍ଷେତ୍ରକୁ ଗ୍ରାସି ରହିଛି । କିନ୍ତୁ ବିପ୍ଳବ କାହିଁ କେଉଁଠି ହେଉଛି ? ବହ୍ୱାରବ୍‌ଧ ଅଜାଯୁଦ୍ଧ ପରି ଆମ ଦେଶରେ କେତେ କେତେ ବିପ୍ଳବ ବିଜୁଳିବତୀ ଭାଙ୍ଗିବା ଓ ରେଳଗାଡ଼ି ଉପରକୁ ଟେକା ଫୋପାଡ଼ିବାରେ ଫୁସ୍‌ ହୋଇଯାଉଛି । କେତେ ମାନବିକ ଅସନ୍ତୋଷ ଭାଷା, ପ୍ରଦେଶ, ଗୋମାତା ଓ ଧର୍ମଗତ ବୁଦ୍‌ବୁଦାକାର ଧାରଣ କରି ଏହି ଦେଶରେ ଫାଟିଯିବାରେ ଲାଗିଛି । ଅସଲ ବିପ୍ଳବ ହେବାକୁ ଏବେ ମଧ୍ୟ ବାକୀ ରହିଛି; ମାତ୍ର ବିପ୍ଳବୀ ନାହାନ୍ତି-। କ୍ଷମତାଲୋଭୀ ହୁଏତ ଆବଶ୍ୟକତାରୁ ଅଧିକ ଅଛନ୍ତି, ପଦ ଓ କର୍ତ୍ତୃତ୍ୱଲୋଭୀ ଅଧିକ, ଭାଙ୍ଗିରୁଜି ହୋ’ ଧୋ’ କରି ଅଶାନ୍ତ ମନର କଣ୍ଡୁ ମେଣ୍ଟାଇବା ଲାଗି ତଥାକଥିତ ବିଦ୍ରୋହୀ ମଧ୍ୟ ଅଛନ୍ତି; କିନ୍ତୁ ବିପ୍ଳବୀ କାହାନ୍ତି ? ସମଗ୍ର ଜୀବନ, ସମଗ୍ର ମଣିଷ ଓ ସମଗ୍ର ସମାଜଭୂମିକୁ ବଦଳାଇବାର ଆହ୍ୱାନ ଦେଇପାରିବାକୁ ବର୍ତ୍ତମାନ ଆମ ଦେଶରେ ସେହି ସୃଜନଶୀଳ ବିପ୍ଳବର ନେତୃତ୍ୱ କିଏ ଦେଉଛି ?

 

ଉପରେ ଆଲୋଚିତ ପୁସ୍ତକଟିର ଲେଖକ ପୁଣି କହିଛନ୍ତି, ‘‘ଆମର ଏହି ଅସୁସ୍ଥ ପୃଥିବୀରେ ଯିଏ ତଥାପି ସୁସ୍ଥ ଜୀବନ ଧରି ବଞ୍ଚିବାକୁ ଚେଷ୍ଟା କରୁଛି, ନାନା ପ୍ରକାରେ ପଙ୍ଗୁ ଓ ବିକଳାଙ୍ଗ ହୋଇ ପଡ଼ିଥିବା ଏକ ପୃଥିବୀରେ ଯିଏ ତଥାପି ଆପଣାକୁ ପରିପୂର୍ଣ୍ଣ ରୂପେ ବିକଶିତ କରିବାର ଉଦ୍ୟମ କରୁଛି, ଅଧା ଶୋଇଥିବା ଏକ ପୃଥିବୀରେ ଯିଏ ସମ୍ପୂର୍ଣ୍ଣ ଭାବରେ ଜାଗ୍ରତ ରହିଛି, ସେହି ହେଉଛି ବିପ୍ଳବୀ; ତାହାରି ଜୀବନଦୃଷ୍ଟି ହେଉଛି ଜଣେ ବିପ୍ଳବୀର ଜୀବନଦୃଷ୍ଟି ।’’ ଏହି ଉକ୍ତିଟିର ମନନ କଲାବେଳକୁ ମୋର ଶ୍ରୀ ଜର୍ଜ ଅର୍‌ଓଏଲ୍‌ଙ୍କ ଲିଖିତ ‘୧୯୮୪’ ଉପନ୍ୟାସଟିର କଥା ମନେ ପଡ଼ିଯାଉଛି । ଆମ ବର୍ତ୍ତମାନ ସଭ୍ୟତାର ସକଳ ପ୍ରଚଣ୍ଡତା ଓ ପ୍ରଖରତାକୁ ନେଇ ପୃଥିବୀ ଏବେ ଯେଉଁ ଦିଗରେ ଗତି କରୁଛି, ସେହି ଦିଗରେ ଯାଉ ଯାଉ ୧୯୮୪ ମସିହା ବେଳକୁ ଆମ ସାମୂହିକ ଜୀବନମଞ୍ଚରେ ଯେଉଁ ନିୟନ୍ତ୍ରଣ-ତାଣ୍ଡବର କ୍ରୂରାଭିନୟ ଅବଶ୍ୟ ହେବ, ତାହାରି ଏକ ଭୟାବହ କଳ୍ପନା ଏହି ଉପନ୍ୟାସଟିରେ ଦିଆଯାଇଛି । ସେତେବେଳେ ମଣିଷ ଉପରେ Big Brotherର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ । Big Brother ଅର୍ଥାତ୍‌ ସର୍ବସତ୍ତାଧୀଶ । ନୂତନତମ ଯନ୍ତ୍ରକୌଶଳ ବଳରେ ଏହି ନିୟନ୍ତ୍ରଣ ସମ୍ଭବ ହୋଇପାରିବ । ସ୍ୱାଧୀନ ଭାବରେ ଅର୍ଥାତ୍‌ ମଣିଷ ଭାବରେ କେହି କିଛି ଚିନ୍ତା ବା ଇଚ୍ଛା କରିବା ମାତ୍ରକେ Big Brotherର ପରାକ୍ରମୀ ନିୟନ୍ତ୍ରଣ-ଯନ୍ତ୍ରଗୁଡ଼ାକ ତତ୍‌କ୍ଷଣାତ୍‌ ତାହା ଜାଣିପାରିବେ ଏବଂ ମଣିଷକୁ ସେପରି ଅବାଧ୍ୟ ହେବାକୁ ନ ଦେବାଲାଗି ରାଜ୍ୟର ସମସ୍ତ ବଳ ସଙ୍ଗେ ସଙ୍ଗେ ତା’ ପାଖକୁ ମାଡ଼ି ଆସିବେ । ବାଧ୍ୟହୋଇ ରହିବା ଲାଗି, ଅଜ୍ଞାନୁସାରେ ଘୃଣା କରିବା ଲାଗି ଓ ଅଜ୍ଞାନୁସାରେ ଭଲ ପାଇବା ଲାଗି ମନୋବିଜ୍ଞାନର ମେଷତତ୍ତ୍ୱ ଖଟାଇ ମଣିଷର ମସ୍ତିଷ୍କ, ହୃଦୟ ଓ ମନକୁ ଅନୁରୂପ କରି ତିଆରି କରାଯିବ । ମଣିଷ ସତ୍ୟର ସନ୍ଧାନ କରିବ ନାହିଁ, - ଏକଛତ୍ରଶାସନର ନିୟନ୍ତ୍ରଣାଳୟରେ ରହିଥିବା ‘ସତ୍ୟବିଭାଗ’ ପ୍ରତ୍ୟେକ ମଣିଷକୁ ସତ୍ୟ କଣ ବତାଇଦେବ ଓ ପ୍ରତ୍ୟେକ ମଣିଷ ସେହି ପରିବର୍ଦ୍ଧିତ ସତ୍ୟର ଅନୁଗମନ କରିବେ । ଭଲ ପାଇବାର ପ୍ରସଙ୍ଗାପ୍ରସଙ୍ଗମାନ ତତ୍ତ୍ୱାବଧାନ କରିବାକୁ ମଧ୍ୟ ଆଉ ଏକ ଟାଣୁଆ ବିଭାଗ ରହିବ ଓ ମଣିଷ ମଣିଷ ଭିତରେ ସ୍ନେହପ୍ରୀତିର ମୋଟା ସରୁ, ଉପସ୍ଥିତି ବା ଅନୁପସ୍ଥିତିର ନିୟନ୍ତ୍ରଣ କରିପାରିବ । ଏହି ଶାସନ ଏକ ବ୍ୟତିକ୍ରମହୀନ ବିଶୁଦ୍ଧ ଶାସନ ହେବ । ନିୟନ୍ତ୍ରଣ ହିଁ ଏହାର ଏକମାତ୍ର ସୂତ୍ର ହୋଇ ରହିବ - Big Brotherକୁ ସକଳ କ୍ଷମତା ଟେକିଦେଇ ମଣିଷ ଏକ ନିଶ୍ଚିନ୍ତ ଶିରଃପୀଡ଼ାହୀନ ମେସିନ୍‌ ପରି ବଡ଼ ବିଶ୍ୱସ୍ତ ଭାବରେ କାଳାତିପାତ କରିବ । କୌଣସି ପ୍ରକାର କକ୍ଷଚ୍ୟୁତି ଲାଗି ଅବକାଶ ହିଁ ନଥିବ । ନିୟନ୍ତ୍ରଣର ମାନଦଣ୍ଡ ଉପରେ ଦେଖିଲେ ଏହି ବ୍ୟବସ୍ଥା ଯେତିକି ଆଦର୍ଶ ସ୍ଥାନୀୟ, ମାନବିକ ଜୀବନର ସହଜ ସୃଜନଶୀଳତା ଦୃଷ୍ଟିରୁ ଦେଖିଲେ ଏହା ସେତିକି ଭୟାବହ । ତେଣୁ ଉଲ୍ଲିଖିତ ଉପନ୍ୟାସଟିରେ ଲେଖକ ଏହି ଆଦର୍ଶବ୍ୟବସ୍ଥାରୁ ଉଦ୍ଧାର ପାଇବାର ବାଟ ମଧ୍ୟ ଖୋଜିବାର ଚେଷ୍ଟା କରିଛନ୍ତି । ତାଙ୍କ ବର୍ଣ୍ଣିତ ରାଜ୍ୟର ଜଣେ ମଣିଷ ମଣିଷ ପରି ରହିବାକୁ ଚେଷ୍ଟା କରୁଛି; ମଣିଷ ପରି ଭଲ ପାଇବାକୁ ଚେଷ୍ଟା କରୁଛି । ତା’ ଉପରେ କେତେ ଅତ୍ୟାଚାର କରାଯାଉଛି, ତାରି ମଣିଷପଣିଆକୁ ଶୂଳୀ ଦେବାର ଅଭିପ୍ରାୟରେ ତାକୁ କେତେ କେତେ ଯନ୍ତ୍ରଣାଦାୟକ ବୈଜ୍ଞାନିକ ନିୟନ୍ତ୍ରଣଶାଳା ଭିତରେ ନେଇ ଭର୍ତ୍ତି କରାଯାଉଛି । ମାତ୍ର ତା’ର ଶରୀର ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରିଉଠୁଛି ସିନା, ବାର ବାର ତା’ର ଚେତା ବୁଡ଼ିଯାଉଛି ସିନା; ମାତ୍ର ସେ ଅବଶ ହୋଇପଡୁ ନାହିଁ; ଅର୍ଥାତ୍ ତା’ ଭିତରେ ପିଣ୍ଡ ପରି ରହିଥିବା ମଣିଷପଣିଆ ବଶ ହୋଇପାରୁ ନାହିଁ । ଯନ୍ତ୍ରଚାଳିତ ସୁଶିକ୍ଷିତ ପ୍ରଜାଙ୍କ ପରି ଯେତେବେଳେ ସମସ୍ତେ Big Brotherର ଜିନ୍ଦାବାଦ କରୁଥିଲେ, କେବଳମାତ୍ର ସେଇ ଏକା ଅଜସ୍ର ଜୀବନ-ବିଶ୍ୱାସ ଓ ଜୀବନ-ସାହସର ଧ୍ୱଜା ଉଡ଼ାଇ Down with the Big Brother ବୋଲି ପାଟିକରି ଉଠୁଛି । ସତ୍ତା ଆଗରେ ସେ ମଣିଷର ବିପ୍ଳବ ଘୋଷଣା କରୁଛି । ସତ୍ତା-ନିୟୋଜିତ ବନ୍ଧୁକଧାରୀମାନେ ତାକୁ ଗୁଳିରେ ମାରି ଉଡ଼ାଇଦେଲେ ସତ, କିନ୍ତୁ ତଥାପି ତା’ର ସାହସୀ ଘୋଷଣା ଏକ ନିଶ୍ଚିତ ବ୍ୟତିକ୍ରମ ରୂପେ ଜୀଇ ରହିଲା । ଏହି ସାହସିକ କୃତିଟିର ଅବତାରଣା କରାଇ ସାହିତ୍ୟିକ ଅର୍‌ଓଏଲ୍‌ ଆପଣା ସାହିତ୍ୟିକ ଦୃଷ୍ଟିର ପରାକାଷ୍ଠା ଦେଖାଇଗଲେ-। କେବଳ ଭୟାବହତାରେ ଉପନ୍ୟାସଟିକୁ ଶେଷ କରିଥିଲେ, ସେ ଆମ ଭିତରର ମଣିଷକୁ ହୁଏତ ଏତେଦୂର ଉତ୍‌ପ୍ରେରିତ କରିପାରିନଥାନ୍ତେ । ଜୀବନକୁ ଭଲ ପାଇ ଶିଖିଲେ ବୋଧହୁଏ ମଣିଷ ଭିତରେ ଏହିପରି ବ୍ୟତିକ୍ରମମାନ ଘଟାଇବାର ସାହସ ଆସେ ଏବଂ ସମ୍ଭବତଃ ଠିକ୍‌ ସେତିକିବେଳେ ମଣିଷ ଭିତରେ ବିପ୍ଳବୀର ଅବତରଣ ବା ଆରୋହଣ ଆରମ୍ଭ ହୁଏ । ଏହି ଆରୋହଣର ଆକାଙ୍‌କ୍ଷାକୁ ଏକାଠି ମିଶାଇ ମହାତ୍ମା ଗାନ୍ଧୀ ତାହାକୁ ସତ୍ୟାଗ୍ରହ ବୋଲି କହିଥିଲେ-। ଅବସରବାଦକୁ ବାସ୍ତବବାଦ ବୋଲି କହି ଯିଏ ଆପଣା ଜୀବନର ଆହ୍ୱାନଗୁଡ଼ିକ ପାଖରେ ଚାହାଳୀଚୋର ହୋଇ ବୁଲୁଥାଏ, ସେ ସତ୍ୟାଗ୍ରହୀ ହୋଇପାରେ ନାହିଁ, ସେ ବିପ୍ଳବୀ ହୋଇପାରେ ନାହିଁ । ସତ୍ୟାଗ୍ରହୀ ଓ ବିପ୍ଳବୀ ଭିତରେ ନା’ ବୋଲି କହିବାର ସାହସ ଓ ସଜ୍ଜନତା ଅବଶ୍ୟ ରହିଥାଏ । କ୍ଷମତା ଭିତରେ ଲାଖି ରହିଥିବା ମଣିଷ ନା କହିପାରେ ନାହିଁ । ଅବସରବାଦୀ ନା କହିପାରେ ନାହିଁ ବା ତଥାକଥିତ ବାସ୍ତବବାଦୀ ମଧ୍ୟ ନା କହିପାରେ ନାହିଁ । ଆପଣା ଆପଣାର ସ୍ଥାନରେ ଥାଇ ବିପ୍ଳବ ବିପ୍ଳବ ବୋଲି ଯେତେ ଗର୍ଜନ କରୁଥିଲେ ମଧ୍ୟ ଏମାନେ ବିପ୍ଳବ କରିପାରନ୍ତି ନାହିଁ । କାରଣ ସିଦ୍ଧ ହେବା ଆଗରୁ ଏମାନେ କଇଁଥା ପଡ଼ିଯାଇଥାନ୍ତି ।

 

ଗୋପବନ୍ଧୁ ବିପ୍ଳବୀ ଥିଲେ, ଆମେ ତାଙ୍କୁ ଇତିମଧ୍ୟରେ ଓଡ଼ିଆ କରିସାରିଲୁଣି । ସେ ଆମକୁ ତାଙ୍କରି ପରି ଗଢ଼ିବା ଲାଗି ମନ ବଳାଇଥିଲେ, ଆମେ ସମ୍ଭବତଃ ତାଙ୍କୁ ଠିକ୍‌ ଆମରି ଭଳି ଗଢ଼ି ଥୋଇ ଦେବାପାଇଁ ଏବେ ଅଧିକ ଫିକର କରିବାକୁ ଲାଗିଲୁଣି । ତାଙ୍କୁ ଆମ ଭିତରକୁ ଟାଣିଆଣି ଆମେ ହୁଏତ କ୍ରମେ ଆନନ୍ଦ ବି ଅନୁଭବ କରିବାକୁ ବସିଲୁଣି । ଗୋପବନ୍ଧୁ ବିଚାରକ ଥିଲେ, ସଂଚାରକ ଥିଲେ, ଆଚାର୍ଯ୍ୟ ଥିଲେ, ସଂସ୍ଥାପକ ଥିଲେ–ଆମେ ତାଙ୍କୁ ଏବେ ପୂଜା କରିବାରେ ଲାଗିଗଲୁଣି-ଜୀଅନ୍ତା ମଣିଷଟାକୁ ପଥର କରି ରଖିବାର ଚକ୍ରାନ୍ତ ଭିତରେ ପଶିଗଲୁଣି ।

 

(‘ସମାଜ’, ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା, ୧୯୬୮)

Image

 

ପ୍ରବଞ୍ଚିତ ବିପ୍ଳବ

 

ଉତ୍କଳମଣି ଗୋପବନ୍ଧୁଙ୍କୁ ଆମେ ଅନେକ ଜଣେ ବିପ୍ଳବୀ ବୋଲି କହିଥାଉ । କଲେଜମାନଙ୍କରେ ପିଲାମାନଙ୍କୁ ପାଠ ପଢ଼ାଉଥିବା ଅଧ୍ୟାପକଙ୍କଠାରୁ ଆରମ୍ଭ କରି ଭାବପ୍ରବଣ ବକ୍ତାମାନଙ୍କ ପର୍ଯ୍ୟନ୍ତ ଅନେକ ଲୋକ ଗୋପବନ୍ଧୁଙ୍କୁ ଜଣେ ବିପ୍ଳବୀ ବୋଲି କହିଥାନ୍ତି । ଏପରିକି, ବିପ୍ଳବର ସମଗ୍ର ଅର୍ଥ ବା ସମଗ୍ର ଆହ୍ୱାନଟିକୁ ବୁଝିବାଲାଗି ଯେଉଁମାନେ କେବେହେଲେ ଚେଷ୍ଟା ବି କରନ୍ତି ନାହିଁ, କୌଣସି ବିପ୍ଳବ ଲାଗି କଦାପି ସାହସ କରିପାରନ୍ତି ନାହିଁ, ଏବଂ ଅନେକ ସମୟରେ ହୁଏତ ଆପଣାର ଅଜଣାତରେ ଅନେକ ସମ୍ଭାବ୍ୟ ବିପ୍ଳବର ପଥରେ ଏକ ଅନ୍ତରାୟ ହୋଇ ରହିଥାନ୍ତି, ସେମାନେ ବି ସତେଅବା ଭାରି ପୁଲକିତ ମନୋଭାବ ନେଇ ଗୋପବନ୍ଧୁଙ୍କୁ ଜଣେ ବିପ୍ଳବୀ ବୋଲି କହିଥାନ୍ତି ।

 

ଗୋପବନ୍ଧୁ ଯେ ପ୍ରକୃତରେ ଜଣେ ବିପ୍ଳବୀ ଥିଲେ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ । ସିଏ ସେବା କରୁଥିଲେ, ସ୍କୁଲ ବସାଇଥିଲେ, ଲାଟସଭାରେ ଭାଷଣ ଦେଉଥିଲେ, ଉତ୍କଳ ସମ୍ମିଳନୀରେ ସଭାପତି ବି ହେଉଥିଲେ; ସିଏ ରାଜନୀତି କରୁଥିଲେ, ଜାତୀୟ କଂଗ୍ରେସର ପ୍ରଚାର କରୁଥିଲେ, ଜେଲ ବି ଯାଉଥିଲେ; ମାତ୍ର ସବୁ କ୍ଷେତ୍ରରେ ସେ ମୂଳତଃ ଜଣେ ବିପ୍ଳବୀର ଭୂମିକାରେ ହିଁ ଆପଣାକୁ ଅବତୀର୍ଣ୍ଣ କରାଉଥିଲେ । ଅର୍ଥାତ୍, ସିଏ ସବୁ କ୍ଷେତ୍ରରେ ଏକ ପରିବର୍ତ୍ତନ ଚାହୁଁଥିଲେ । ସମାଜ ଓ ପାରମ୍ପରିକ ସଂସ୍କାରରେ ଯେତେବେଳେ ନାନା ଅବ୍ୟବସ୍ଥା ମଣିଷକୁ ମଣିଷ ହେବାରୁ ବଞ୍ଚିତ କରି ରଖିଥିଲା, ସେଗୁଡ଼ିକର ବିରୁଦ୍ଧରେ ଗୋପବନ୍ଧୁ ପ୍ରତିବାଦ ଘୋଷଣା କରିଥିଲେ । ସିଏ କେବେହେଲେ କୌଣସି ଗାଦୀକୁ ମାନୁନଥିଲେ, ଅର୍ଥାତ୍ ସବୁଠାରୁ ଉପର ଗାଦୀରେ ମଣିଷକୁ ଅର୍ଥାତ୍‌ ମଣିଷ ମାତ୍ରେ ସମସ୍ତଙ୍କୁ ନେଇ ବସାଇବାର ସ୍ପର୍ଦ୍ଧା ରଖିଥିଲେ । ଆଜିକାଲି ଆମ ଦେଶରେ ରାଜନୀତି କହିଲେ ଅଧିକାଂଶତଃ ଯାହା ବୁଝାଉଛି, ଗୋପବନ୍ଧୁ କଦାପି ସେଭଳି ରାଜନୀତି କରୁନଥିଲେ । ସିଏ ରାଜନୀତିରେ ରହିଥିଲେ ସତ, ମାତ୍ର ରାଜନୀତିକ କ୍ଷମତା ଲାଗି କଦାପି ରାଜନୀତି କରୁନଥିଲେ । କ୍ଷମତାକୁ, ଅର୍ଥାତ୍ କ୍ଷମତା ହାସଲ କରି ଆପେ ସେଇଥିରେ ପ୍ରତିଷ୍ଠିତ ବା ଆତ୍ମବିସ୍ମୃତ ହୋଇରହିବାକୁ ସେ କେବେହେଲେ ରାଜନୀତିର ସାର ବୋଲି ମାନୁନଥିଲେ । କ୍ଷମତାକୁ କେହି ଆତ୍ମସାତ୍ କରିବ ନାହିଁ, ମଣିଷର ଉଦୟ ଲାଗି ହିଁ କ୍ଷମତା କାମରେ ଲାଗିବ ସମାଜ ଭିତରେ ମାନବିକ ଶକ୍ତି ଓ ମାନବିକ ଆସ୍ପୃହାଗୁଡ଼ିକୁ ବଢାଇବା ଲାଗି ହିଁ କ୍ଷମତା ବ୍ୟବହୃତ ହେବ; -ରାଜନୀତି କିମ୍ୱା ରାଜନୀତିକ କ୍ଷମତା କହିଲେ ଉତ୍କଳମଣି ଗୋପବନ୍ଧୁ ଏହି ସାର କଥାଟିକୁ ବୁଝୁଥିଲେ । ରାଜନୀତି ତାଙ୍କୁ କଦାପି ଗ୍ରାସ କରି ପକାଇ ନଥିଲା । ଏବେ ଆମ ଓଡ଼ିଶାରେ ବା ଭାରତବର୍ଷରେ କ୍ଷମତାରେ ଆଉଟିପାଉଟି ହେଉଥିବା ଅଧିକାଂଶ ବ୍ୟକ୍ତି ରାଜନୀତିର ଗ୍ରାସରେ ହିଁ ପଡ଼ିଯାଇଛନ୍ତି । ସେମାନଙ୍କର ରାଜନୀତି ଅର୍ଥାତ୍ କ୍ଷମତାର ଭୋଗଗୁଡ଼ାକୁ ଚତୁର୍ମୁଖ ବା ଦଶବଦନ ହୋଇ ଭୁଞ୍ଜିବାର ଲାଳସାପଣଗୁଡ଼ାକ ସତେଅବା ଗୋଟାଏ ଅଜଗର ପରି ସେମାନଙ୍କର ଦେହଟା ସାରା ଗୁଡ଼ାଇହୋଇ ରହିଛି, ସେମାନଙ୍କର ବିବେକର ଷଣ୍ଢଟାକୁ ହୁଏତ କେଉଁଦିନୁ ମୋଡ଼ି ଦେଇ ସାରିଲେଣି । ଉତ୍କଳମଣିଙ୍କର ରାଜନୀତି ଏକାବେଳେ ଅନ୍ୟ ପ୍ରକାରର ରାଜନୀତି ଥିଲା । ଗୋପବନ୍ଧୁ ଗୋଟାସୁଦ୍ଧା ଅନ୍ୟ ଏକ ଜାତିର ଥିଲେ । ତାଙ୍କୁ ଉତ୍କଳମଣି ବୋଲି କହି ଆମେ ଆତ୍ମସାତ୍ କରିଦେବାକୁ ଅର୍ଥାତ୍ ଆମ ଧୂର୍ତ୍ତତାଗୁଡ଼ାକର ଦଉଡ଼ିରେ ବାନ୍ଧି ରଖିବାକୁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ସିଏ ଆଜି ବି ଆମଠାରୁ ଅନେକ ଦୂରରେ ରହିଛନ୍ତି । ଆମେ ତାଙ୍କର ଥାପନା କଲୁ ବୋଲି ତାଙ୍କର ଯେଉଁ ମୂର୍ତ୍ତିଟା ଆଗରେ ଆମେ ସଭିଏଁ ଯାଇ ତାଙ୍କର ପୂଜା କରୁଛୁ, ସେହି ମୂର୍ତ୍ତି ଭିତରେ ସିଏ ଆଦୌ ନାହାନ୍ତି । ସିଏ ଆମର ଏହି ତାମସା ଭିତରେ ନାହାନ୍ତି, ଆମର ଏହି ଯାବତୀୟ ରାଜକୀୟ ବିପ୍ଳବଠାରୁ ସେ ବହୁ ଦୂରରେ ଅଛନ୍ତି । ଆପଣା ଆପଣାର ରାଜନୀତିକ ଫାନ୍ଦ ଭିତରେ ରହି ଆମେ ତାଙ୍କୁ ଆମର ଏହି ଶଠତାଗୁଡ଼ାକ ଭିତରକୁ ଟାଣି ଆଣିବା ଲାଗି ଭାରି ଚେଷ୍ଟା କରୁଛୁ ସିନା, ମାତ୍ର ତାଙ୍କୁ ଧରିପାରୁନାହୁଁ । ତାଙ୍କୁ ଆମେ ବିପ୍ଳବୀ ବୋଲି କହୁଛୁ ସିନା, ମାତ୍ର ଆପଣା ଭିତରେ ଅସଲ ବିପ୍ଳବର ସୂତ୍ରଟିକୁ ଧରିପାରି ନଥିବାରୁ ଓ ନିଜର ମତ୍ତ ଲାଳସାଗୁଡ଼ାକୁ ଆମେ ବିପ୍ଳବ ବୋଲି କହୁଥିବାରୁ ଆମେ ତାଙ୍କୁ ମୋଟେ ଧରି ପାରୁନାହୁଁ । ତାଙ୍କୁ ଗୋଟାସୁଦ୍ଧା ଆମର ବୋଲି ଯେତେ କହୁଥିଲେ ମଧ୍ୟ ଆମେ ତାଙ୍କଠାରୁ ଯୋଜନେ ଅନ୍ତର ହୋଇ ରହିଛୁ, ଅର୍ଥାତ୍ ଆମଠାରୁ ତାଙ୍କୁ ଯୋଜନେ ଅନ୍ତର କରି ରଖିଛୁ ।

 

ସମଗ୍ର ଭାରତବର୍ଷକୁ ନେଇ ମହାତ୍ମା ଗାନ୍ଧୀ ଯେଉଁ ସାମାଜିକ ବିପ୍ଳବର କଳ୍ପନା କରିଥିଲେ, ଗୋପବନ୍ଧୁ ଓଡ଼ିଶାରେ ଠିକ୍ ସେହି ବିପ୍ଳବର ହିଁ ବାର୍ତ୍ତାବହ ହୋଇ ରହିଥିଲେ । ସିଏ ଏଠି ସେହି ବିପ୍ଳବର ବାସନା ରଖିଥିଲେ ଓ ସେହି ବିପ୍ଳବକୁ ନେତୃତ୍ୱ ଦେଇଥିଲେ । ନିଜର ଇପ୍‌ସିତ ବିପ୍ଳବକୁ ସମ୍ଭବ କରାଇବା ଲାଗି ଗାନ୍ଧୀ ତାହାର ପ୍ରଥମ ସୋପାନ ବା ପ୍ରଥମ ଆବଶ୍ୟକତା ରୂପେ ଭାରତରେ ଏକ ରାଜନୀତିକ ବିପ୍ଳବରେ ହିଁ ସେନାପତିତ୍ୱ ଗ୍ରହଣ କରିଥିଲେ । ଦେଶ ଗୋଟାକର ନେତାମାନେ ସେତେବେଳେ ବ୍ରିଟିଶ୍ ସାମ୍ରାଜ୍ୟ ଭିତରେ ହିଁ ଅନୁଗତ ଓ ସୁଖୀ ପ୍ରଜା ହୋଇ ରହିବାର ଅଳସୁଆ ଉପଦେଶ ଦେଉଥିବାବେଳେ ଗାନ୍ଧୀ ହିଁ ଭାରତରେ ପୂର୍ଣ୍ଣ ରାଜନୀତିକ ସ୍ୱାଧୀନତାର କଥା କହିଲେ, ଏଠାରୁ ବ୍ରିଟିଶ୍ ଶାସନକୁ ହଟାଇବାର ଯୋଜନା କଲେ, ଏକ ସକ୍ରିୟ ମୁକ୍ତି-ଆନ୍ଦୋଳନ ପାଇଁ ଡାକରା ଦେଲେ । ସେହି ଆନ୍ଦୋଳନ ଆମ ଲାଗି ରାଜନୀତିକ ସ୍ୱାଧୀନତା ଆଣିଦେଲା । କିନ୍ତୁ ତଥାପି ଗାନ୍ଧୀ କେବଳ ଏତିକି ଚାହୁଁ ନଥିଲେ । ରାଜନୀତିକ ମୁକ୍ତି ସଂଗ୍ରାମକୁ ସର୍ବପ୍ରଥମ ଆବଶ୍ୟକତା ବୋଲି ଗ୍ରହଣ କରୁଥିଲେ ମଧ୍ୟ ଗାନ୍ଧୀ ଏହାକୁ ପରବର୍ତ୍ତୀ ଏକ ଆବଶ୍ୟକ ସାମାଜିକ ବିପ୍ଳବର ହିଁ ପୂର୍ବସୋପାନ ବା ଅନୁପୂରକ ବୋଲି ବିଚାର କରୁଥିଲେ । ସେ ଏପରି ଏକ ବିପ୍ଳବର କଳ୍ପନା କରୁଥିଲେ, ଯାହାଦ୍ୱାରା ଭାରତର ସମାଜ ବଦଳିଯିବ, ଭାରତର ସମାଜ ଭାରତର ପ୍ରତ୍ୟେକ ମଣିଷକୁ ମଣିଷ ଭଳି ଗଢ଼ି ହେବାର ତଥା ମଣିଷ ପରି ବଞ୍ଚିବାର ରସଦ ଯୋଗାଇଦେଇ ପାରିଲା ଭଳି ନୂଆ କରି ଗଢ଼ା ହେବ । ନୂଆ ଭାରତ ଲାଗି ଶିକ୍ଷା ନୂଆ ହୋଇ ଗଢ଼ା ହେବ । ଭୂବ୍ୟବସ୍ଥା ନୂଆ ହୋଇ ଗଢ଼ା ହେବ । ନାନା ପ୍ରକାରେ ଉଚ୍ଚ ନୀଚ, ଉତ୍ତମ ବା ଅଧମ ହୋଇ ତିଆରି ହୋଇଥିବା ଆମର ଏହି ସମାଜ ମଣିଷ ହିସାବରେ ପ୍ରତ୍ୟେକ ମଣିଷକୁ ବାଟ ଛାଡ଼ିଦେବ । ମଣିଷ ତା’ର ଆପଣାର ଶକ୍ତିରେ ମହୀୟାନ୍ ଓ ବଳୀୟାନ୍ ହେବାଲାଗି ଏଠି ଏହି ଭାରତବର୍ଷରେ ମଧ୍ୟ ପୂର୍ଣ୍ଣ ପରିସର ଲାଭ କରିବ । ସାମାଜିକ ବିପ୍ଳବ କହିଲେ ମହାତ୍ମା ଗାନ୍ଧୀ ଏହିଭଳି ଏକ ବୃହତ୍ତର ଜିଦ୍‌କୁ ବୁଝୁଥିଲେ । ମଣିଷକୁ ହିଁ ସର୍ବୋଚ୍ଚ ମୂଲ୍ୟ ଓ ସର୍ବୋଚ୍ଚ ମର୍ଯ୍ୟାଦା ବୋଲି ମାନିନେଇଥିବା ଏକ ସାମାଜିକ ନ୍ୟାୟକୁ ହିଁ ବୁଝୁଥିଲେ । ଏହି ସାମାଜିକ ନ୍ୟାୟର ପ୍ରତିଷ୍ଠା ବ୍ୟତୀତ ତଥାକଥିତ ରାଜନୀତିକ ସ୍ୱାଧୀନତା ଯେ ମଣିଷ ଲାଗି ବସ୍ତୁତଃ ନିଷ୍ଫଳ ହୋଇ ରହିବ, ଅନେକ ମଣିଷଙ୍କୁ ଗଧ କରି ରଖି ମାତ୍ର ଅଳ୍ପ କେତେଜଣ ପ୍ରମତ୍ତ ଅମଣିଷ ସେମାନଙ୍କର ପିଠିରେ ବସି ନେତା ହୋଇ ବୁଲିବାଟା ହିଁ ଯେ ସାର ହେବ, ମହାତ୍ମା ଗାନ୍ଧୀ ଏକଥା ଭଲ କରି ବୁଝିଥିଲେ । ତେଣୁ ରାଜନୀତିକ ସ୍ୱାଧୀନତା ମିଳିଯିବା ସଙ୍ଗେ ସଙ୍ଗେ ଦେଶବାସୀ ଯେପରି ପରବର୍ତ୍ତୀ ସାମାଜିକ ବିପ୍ଳବଟି ଲାଗି ଯୋଗ୍ୟ ଓ ପ୍ରସ୍ତୁତ ହୋଇଯାଇଥିବେ, ସେଥିଲାଗି ରାଜନୀତିକ ସ୍ୱାଧୀନତା ଆସିବାର ବହୁବର୍ଷ ପୂର୍ବରୁ ମଧ୍ୟ ଗାନ୍ଧୀ ଦେଶର ଦୃଷ୍ଟିକୁ ତଦନୁରୂପ ଏକ ତାଲିମ୍ ଦେବାର ଉଦ୍ୟମ କରିଥିଲେ । ଆପଣାର ଭାଷାରେ ସିଏ ତାକୁ ‘‘ରଚନାତ୍ମକ କାର୍ଯ୍ୟକ୍ରମ’’ ବୋଲି କହୁଥିଲେ; ମାତ୍ର ତାହାକୁ ରାଜନୀତିକ ମୁକ୍ତି ସଂଗ୍ରାମଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି କହୁଥିଲେ; ଆମର ଅସଲ ବିପ୍ଳବର ବୀଜଟି ତାହାରି ମଧ୍ୟରେ ନିହିତ ହୋଇ ରହିଛି ବୋଲି ସେ କହୁଥିଲେ । ସାମାଜିକ ନ୍ୟାୟର ପ୍ରତିଷ୍ଠା ଏହି କାର୍ଯ୍ୟକ୍ରମଟିର ସର୍ବମୂଳ ବୃତ୍ତି ହୋଇ ରହିଥିଲା । ସ୍ୱାଧୀନ ଭାରତରେ ଦିଲ୍ଲୀର ରାଜପ୍ରସାଦ କଡ଼ରେ ଦରିଦ୍ରର କୁଡ଼ିଆ ଘରକୁ ହୁଏତ ଦିନକ ସକାଶେ ବି ରହିବାକୁ ଦିଆଯିବ ନାହିଁ ବୋଲି ଗାନ୍ଧୀଜୀ ସ୍ୱାଧୀନତା ଆସିବାର ଅନେକ ପୂର୍ବରୁ କହିଥିଲେ; ମାତ୍ର ଦେଶ ସ୍ୱାଧୀନତା ଲାଭ କରିବା ପରେ ଯେଉଁ ସିଆଣିଆମାନେ ଦେଶର ନେତୃତ୍ୱ ନେଲେ, କେବଳ ବାହାରର ବେଶଟାକୁ ହିଁ ବଦଳାଇ ଯେଉଁମାନେ ଏ ଦେଶର ଶିକ୍ଷା, ଶାସନ, ବଣିଜ ଓ ବିଧିବ୍ୟବସ୍ଥାର କଚେରୀଘରଗୁଡ଼ାକରେ ନେତା ହୋଇ ବସିଲେ, ସେମାନେ ଏ ଦେଶରେ କୌଣସି ସାମାଜିକ ବିପ୍ଳବ ଅଣାଇ ଦେଲେ ନାହିଁ, ବରଂ ବିପ୍ଳବକୁ ଆତ୍ମସାତ୍ କରି ଆପଣାର ପ୍ରତିଷ୍ଠାଗୁଡ଼ାକୁ ହିଁ ଜାରି ରଖିଲେ । ପ୍ରାସାଦଗୁଡ଼ାକ ଆହୁରି ଉଚ୍ଚ ହୋଇ ଗଢ଼ାହେଲା, କୁଡ଼ିଆଘର ଗୁଡ଼ାକ ସେଥିରେ ଭାଗ୍ୟକୁ ଆଦରି ପଡ଼ି ରହିଥିବା କୋଟି କୋଟି ମଣିଷଙ୍କ ସମେତ ଉପେକ୍ଷିତ ହୋଇ ରହିଲା । ସାମାଜିକ ବିପ୍ଳବ ଭତ୍ସିତ ହୋଇ ରହିଗଲା । ରାଜନୀତିକ ବିପ୍ଳବକୁ ହିଁ ଏକମାତ୍ର ବା ସମୁଦାୟ ବିପ୍ଳବ ବୋଲି କୁହାଗଲା ।

 

ଆଜିକୁ ପ୍ରାୟ ଶହେବର୍ଷେ ପୂର୍ବେ ଇଉରୋପରେ କାର୍ଲ୍ ମାର୍କସ୍‌ ଏକାଧିକ ଅବସରରେ ଅସଲ ସାମାଜିକ ବିପ୍ଳବଠାରୁ ତଥାକଥିତ ରାଜନୀତିକ ବିପ୍ଳବକୁ ପୃଥକ୍ କରି ଦେଖାଇଦେବାକୁ ଚେଷ୍ଟା କରିଥିଲେ । ଯେତେବେଳେ କୌଣସି ଦେଶ ବା ଜନସମୂହର ନେତୃତ୍ୱ ସାମାଜିକ ବିପ୍ଳବ ଇଚ୍ଛା କରେ ନାହିଁ, ଅର୍ଥାତ୍ ସାମାଜିକ ବିପ୍ଳବକୁ ତାହା ପଛାଇ ବା ଗଡ଼ାଇ ରଖିବାକୁ ଚାହୁଁଥାଏ, ସେତିକିବେଳେ ହିଁ ତାହା ରାଜନୀତିକ ବିପ୍ଳବ ଭିତରେ ସାମାଜିକ ବିପ୍ଳବକୁ ଭଣ୍ଡାଇ ରଖିବାକୁ ଇଚ୍ଛା କରୁଥାଏ । ଅର୍ଥାତ୍, ସ୍ୱୟଂ ଜବର ହୋଇ କ୍ଷମତାରେ ବସି ରହିବା ଲାଗି ଜନଗଣଙ୍କୁ ଭଣ୍ଡାଇବାରେ ଲାଗିଥାଏ । କାର୍ଲ୍ ମାର୍କସ୍‌ଙ୍କ କଥାରେ କହିଲେ, ଯେଉଁ ବିପ୍ଳବ ପୁରୁଣା ସମାଜକୁ ଭାଙ୍ଗିଦେଇ ତା’ ସ୍ଥାନରେ ଏକ ନୂଆ ସମାଜ ଗଢ଼ିବାର ଅଭିଳାଷ ରଖିଥାଏ ଓ ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ପୁରୁଣାକୁ ଭାଙ୍ଗି ନୂଆର ସ୍ଥାପନା କରେ, ତାହା ହେଉଛି ସାମାଜିକ ବିପ୍ଳବ । ଅପର ପକ୍ଷରେ, ଯେତେବେଳେ କୌଣସି ରାଜନୀତିକ ଦଳ ଗାଦୀରେ ବସିଥିବା ଅର୍ଥାତ୍ ଶାସନ କ୍ଷମତାରେ ରହିଥିବା ଆଉ ଗୋଟାଏ ଦଳକୁ ଗାଦୀଚ୍ୟୁତ କରେ ଓ ଆପେ ଗାଦୀଟାକୁ ଅଧିକାର କରି ବସେ, ଏହି ପରିବର୍ତ୍ତନ ଅର୍ଥାତ୍ ଗାଦୀ ବଦଳାକୁ ଯଦି ଏକ ବିପ୍ଳବ ବୋଲି କୁହାଯାଏ, ତେବେ ସେଇଟା ହେଉଛି ରାଜନୀତିକ ବିପ୍ଳବ । (Kritische Randglossen etc, 1844)

 

କଥାଟିକୁ ଟିକିଏ ଅଧିକ ପ୍ରାଞ୍ଜଳ କରିଦେବାକୁ ଯାଇ ମାର୍କସ୍ କହିଛନ୍ତି ଯେ, ଯେତେବେଳେ କୌଣସି ଏକ ରାଜନୀତିକ ଦଳ ଅଥବା ଗୋଷ୍ଠୀ ଶାସନକ୍ଷମତାରେ ରହିଥାନ୍ତି, ସେତେବେଳେ ସେହିମାନଙ୍କର ନିୟନ୍ତ୍ରଣ-ଡୋରରେ ହିଁ ଦେଶ ଗୋଟାକର ଜୀବନ ଛନ୍ଦା ହୋଇ ରହିଥାଏ । ଅଫିସର୍‌ମାନେ ସେହି ଦଳର ବୋଲକରା ହୁଅନ୍ତି, ଖବରକାଗଜଗୁଡ଼ାକ ସେହି ଦଳର ସ୍ତୁତିଗାନ କରୁଥାନ୍ତି, ରାଜକୀୟ ଯାବତୀୟ ପ୍ରଚାର କେବଳ ସେହି ଦଳକୁ ସୁହାଇଲା ପରି ହେଉଥାଏ; ସେହି ଦଳର ଶ୍ରେଷ୍ଠମାନେ ଅର୍ଥାତ୍ ତୁଙ୍ଗ ପଦସ୍ଥମାନେ ସଭାକୁ ଡକାହୋଇ ଯାଆନ୍ତି, ପ୍ରଶସ୍ତି ପାଆନ୍ତି ଓ ଦେଶ ବା ଜାତିର ଭାଗ୍ୟଧର ବୋଲି ଘୋଷିତ ହେଉଥାନ୍ତି । ସେହିମାନେ ହିଁ ଦେଶରେ ଅର୍ଥାତ୍ ସରକାର ଭିତରେ ତଥା ବାହାରେ ସର୍ବପ୍ରଭାବଶାଳୀ ହୋଇ ରହିଥାନ୍ତି ଅର୍ଥାତ୍ ସରକାରୀ ଭାବରେ ସେହିମାନେ ହିଁ ଦେଶଟାଯାକକୁ ପ୍ରଭାବିତ କରୁଥାନ୍ତି । ସକଳ କ୍ଷମତାରେ ଥାଇ କ୍ଷମତାରେ ନ ଥିବା ଅନ୍ୟ ରାଜନୀତିକ ଦଳ ବା ଗୋଷ୍ଠୀମାନଙ୍କ ଲାଗି ଏମାନେ ଇର୍ଷାର ପାତ୍ର ହୋଇ ରହିଥାନ୍ତି; ଏବଂ ବଞ୍ଚିତ ସେହି ଅନ୍ୟମାନେ କ୍ଷମତାସୀନମାନଙ୍କୁ ଆସନଚ୍ୟୁତ କରି ନିଜେ କ୍ଷମତାରେ ଯାଇ ବସିବା ଲାଗି ସବୁପ୍ରକାରେ ତତ୍ପର ରହିଥାନ୍ତି । ଏହି ତତ୍ପରତାଗୁଡ଼ାକୁ ସେମାନେ ରାଜନୀତି ବୋଲି କହୁଥାନ୍ତି ଓ କ୍ଷମତାସୀନ ଦଳକୁ କ୍ଷମତାଚ୍ୟୁତ କରିବାକୁ ହିଁ ଦେଶର ସମ୍ମୁଖରେ ରହିଥିବା ସବୁଠାରୁ ଅଧିକ ଜରୁରୀ କାର୍ଯ୍ୟକ୍ରମ ବୋଲି ଗ୍ରହଣ କରିଥାନ୍ତି । ବିପ୍ଳବ କହିଲେ ସେମାନେ କେବଳ ସେତିକି ହିଁ ବୁଝିଥାନ୍ତି । ଦେଶ କହିଲେ ସେମାନେ ରାଷ୍ଟ୍ରୀୟ କ୍ଷମତା ବୋଲି ବୁଝୁଥାନ୍ତି; ରାଷ୍ଟ୍ରୀୟତାର ଆସ୍ଥାନ ଉପରେ କ୍ଷମତା ଧରି ବସିଥିବା ଦଳ ବା ସ୍ୱାର୍ଥ ଯେତେବେଳେ ଯେପରି ଭାବରେ ଜନଗଣନା ଆକାଙ୍‌କ୍ଷା ଓ ଅଭିଳାଷଗୁଡ଼ିକର ପୂରଣ ବା ନିୟନ୍ତ୍ରଣ କରୁଥିବ, ସେମାନେ ତାହାକୁ ହିଁ ଜନଗଣର ଭାଗ୍ୟ ବୋଲି ବୁଝିଥାନ୍ତି । ରାଷ୍ଟ୍ର କହିଲେ ସେମାନେ ଜନଗଣର କାନ୍ଧ ଉପରେ ବସିଥିବା ଓ ଜନଗଣଠାରୁ ଆପଣାକୁ ଅଲଗା କରି ରଖିଥିବା ଏକ କ୍ଷମତାକୁ ହିଁ ବୁଝୁଥାନ୍ତି ଓ ସେହି କ୍ଷମତାଟିକୁ ଅନ୍ୟ ହାତରୁ ଛଡ଼ାଇ ଆପଣା ହାତକୁ ଆଣିବା ଲାଗି ସକସକ ହେଉଥାନ୍ତି, ଏବଂ ଆପଣାର ଏହି ମନାସଟାକୁ ସିଦ୍ଧ କରିବାଲାଗି ଏମାନେ ଯେଉଁ ବିପ୍ଳବ କରନ୍ତି, ଅର୍ଥାତ୍, ରାଷ୍ଟ୍ରୀୟ କ୍ଷମତାର ଛାମୁଡ଼ିଆ ତଳେ ରାଷ୍ଟ୍ରୀୟ ଗାଦୀରେ ଯାଇ ବସିବା ପାଇଁ ବିଭିନ୍ନ ଦଳ ଓ ବିଭିନ୍ନ ସ୍ୱାର୍ଥ ମଧ୍ୟରେ ଯେଉଁ ଲଢ଼େଇ ଓ ହାରଜିତ ଲାଗିରହିଥାଏ, କାର୍ଲ ମାର୍କ୍‌ସ୍‌ଙ୍କର ପରିଭାଷାରେ ଆମେ ତାହାକୁ ହିଁ ରାଜନୀତିକ ବିପ୍ଳବ ବୋଲି କହିପାରିବା ।

 

ରାଜନୀତି କ୍ଷମତା ଅର୍ଥାତ୍ ରାଷ୍ଟ୍ରଶାସନର କ୍ଷମତାକୁ ଆପଣା ହାତରେ ଜାବୁଡ଼ି କରି ରଖିବା ସକାଶେ ଦଳ ବା ଦାମ୍ଭିକମାନଙ୍କ ମଧ୍ୟରେ ଯେଉଁ ତାମସା ବା ଲଢ଼େଇ ଚାଲେ, ହୁଏତ ସେଇଟାକୁ ହିଁ ଆମେ ରାଜନୀତିକ ବିପ୍ଳବ ବୋଲି ବୁଝିବା । ଏଥିରେ ବି ହାରିବା ଓ ଜିତିବା ଲାଗିରହିଥାଏ; କେତେବେଳେ ଏ ଦଳ ଜିତେ ତ ଆଉ କେତେବେଳେ ସେ ଦଳ ଜିତେ । ମାତ୍ର ଯେତେବେଳେ ଯିଏ ଜିତୁ ପଛକେ, ଜନଗଣ ସବୁବେଳେ ହିଁ ଘୋଡ଼ା ହୋଇ ରହିଥାନ୍ତି ଓ ଦଳଗୁଡ଼ାକ ତା’ ଉପରେ ସବାର ହୋଇ ବସିଥାନ୍ତି । କ୍ଷମତାକୁ ଆସିବା ପୂର୍ବରୁ ସେମାନେ ଦେଶଟାକୁ ଏସା ବା ତେସା କରିଦେବି ବୋଲି କହନ୍ତି, ଜନଗଣର ମୁଣ୍ଡକୁ କେତକୀ ଓ ଗୋଡ଼କୁ ପାହୁଞ୍ଜ ଆଣି ଖଞ୍ଜି ଦେବେ ବୋଲି କେତେ ବାହାଦୂରୀ କରୁଥାନ୍ତି, ଏବଂ କ୍ଷମତାକୁ ଆସିବା ପରେ ଦେଶର ପୋଲିସ୍, ଦେଶର-ଖଜଣା ଓ ଦେଶର ମାଲମତାକୁ କେବଳ ଆପଣାର ନାନା ସିଦ୍ଧିରେ ହିଁ ଲଗାଇଦିଅନ୍ତି । ଲୋକଙ୍କ ପାଖରେ ଏମାନଙ୍କର ଆଉ କୌଣସି ପ୍ରୟୋଜନ ନଥାଏ, ଗାଦୀଚ୍ୟୁତ ହେବା ପୂର୍ବରୁ ଆପଣାର ଗଦା ଓ ମୂଷଳଗୁଡ଼ାକୁ ଦୋରସ୍ତ କରି ନେବାକୁ ହିଁ ଏମାନେ ଏକମାତ୍ର ରାଜନୀତି ବୋଲି ଜାଣନ୍ତି । ବିରୋଧୀମାନଙ୍କୁ ସାବାଡ଼ କରି ରଖିବାଲାଗି ସରକାରୀ କ୍ଷମତାର ପରିପୂର୍ଣ୍ଣ ପ୍ରୟୋଗ କରୁଥାନ୍ତି । ରାଜନୀତିକ କ୍ଷମତାର ଅଢ଼ା କେତେବେଳେ ଏଦଳ ହାତକୁ ଓ ପୁଣି କେତେବେଳେ ସେଦଳ ହାତକୁ ଆସୁଥାଏ ଓ ରାଜନୀତିକ ବିପ୍ଳବ ପୂର୍ଣ୍ଣ ପରାକ୍ରମରେ ଚାଲିଥାଏ । ଏହି ବିପ୍ଳବଟା ଲାଗି ମଧ୍ୟ ଚଉକଷ ସଂଗଠନ ଦରକାର ପଡ଼େ । କର୍ମୀ ସଂଗଠନ କରିବାକୁ ହୁଏ । ସ୍ୱେଚ୍ଛାସେବକଙ୍କର ବାହିନୀ ଠିଆ କରିବାକୁ ହୁଏ, ଯୁବଶକ୍ତି ଏକାଠି ଆଣି ଯୋଚିବାକୁ ହୁଏ ଏବଂ ଜନସମ୍ପର୍କକୁ ବି ଟାଣ କରି ରଖିବାକୁ ପଡ଼େ । ମାତ୍ର ଏହି ଯାବତୀୟ ସଂଗଠନ କେବଳ ଏକ ସଂକୀର୍ଣ୍ଣ ଓ ଭେଦମୂଳକ ଦୃଷ୍ଟିକୋଣ ଉପରେ ପ୍ରତିଷ୍ଠିତ ରହିଥାଏ । ତେଣେ ବୃହତ୍ତର ସମାଜରେ ଯାହା ହେଉ ନା କାହିଁକି, ଜନଗଣ ଚୂଲୀ ଭିତରକୁ ଯାଆନ୍ତୁ ନା କାହିଁକି, ମଣିଷଗୁଡ଼ାକ ଅରକ୍ଷିତ ଓ ଅବାଞ୍ଛିତ ହୋଇ ରହନ୍ତୁ ପଛକେ, ଗୋଟାଏ ନିର୍ଦ୍ଦିଷ୍ଟ ଦଳକୁ ଅର୍ଥାତ୍ ନିଜ ଦଳକୁ ରାଷ୍ଟ୍ରୀୟ କ୍ଷମତାରେ ଆଣି ପ୍ରତିଷ୍ଠିତ କରିବାକୁ ହିଁ ଏହି ବିପ୍ଳବ ଆପଣାର ସର୍ବସାର କରି ରଖିଥାଏ, ଏହି ସଂକୀର୍ଣ୍ଣ ସ୍ୱାର୍ଥସୀମା ବା ଦମ୍ଭସୀମାଟି ଭିତରେ ହିଁ ଏହାର ଯାବତୀୟ ଦୃଷ୍ଟି ଆବଦ୍ଧ ହୋଇ ରହିଥାଏ-। ରାଜନୀତିକ ବିପ୍ଳବକୁ ଗରମ କରି ରଖିବା ଲାଗି ଦେଶରେ ଏକାଧିକ ରାଜନୀତିକ ଦଳ ରହିଥାନ୍ତି । ଦେଶର ଦାରିଦ୍ର୍ୟ, ଅବନତି ଓ ଅବ୍ୟବସ୍ଥାଗୁଡ଼ାକ ସକାଶେ କେବଳ କ୍ଷମତାସୀନ ଦଳଟା ହିଁ ଦାୟୀ ଓ ତେଣୁ ଯେକୌଣସି ପ୍ରକାରେ ତାହାକୁ ସେଠାରୁ ହଟାଇ ଆଣିପାରିଲେ ଯେ ପାଣି ଫୋଟକା ଫାଟିବା ପରି ସମସ୍ୟାଗୁଡ଼ାକର ସଙ୍ଗେ ସଙ୍ଗେ ସମାଧାନ ହୋଇଯିବ, କ୍ଷମତାର ବାହାରେ ଥିବା ବିଚାରା ବଞ୍ଚିତ ଅଥଚ ଲାଳାୟିତମାନେ ସେହି କଥାର ହୁରି ପକାଇବାରେ ଲାଗିଥାନ୍ତି । ଏହି ମତଲବଟାକୁ ନାନାପ୍ରକାର ତାତ୍ତ୍ୱିକ ପରିଚ୍ଛଦ ପିନ୍ଧାଇ ସନ୍ଦର୍ଭମାନ ଲେଖା ହେଉଥାଏ; ଜନଗଣ କିପରି ଯେ ଏଭଳି ଏକ ପ୍ରତିକ୍ରିୟାଶୀଳ ଲୋକଶତ୍ରୁ ଦଳକୁ ଶାସନରେ ରହିବାକୁ ପ୍ରଶୟ ଦେଇଛନ୍ତି, କ୍ଷମତାର ହତା ବାହାରେ ରହିଥିବା ନେତାମାନେ ତାହାକୁ ନେଇ ହାହାକାର ବି କରୁଥାନ୍ତି । (Karl Marx : Vorwaerts, Paris, 7.8.1844)

 

ଯଦି ଏହାହିଁ ରାଜନୀତିକ ବିପ୍ଳବ ହେଲା, ତେବେ ସାମାଜିକ ବିପ୍ଳବ କହିଲେ କାର୍ଲମାର୍କ୍‌ସ୍ ପ୍ରକୃତରେ କ’ଣ ବୁଝୁଥିଲେ ? ମହାତ୍ମା ଗାନ୍ଧୀଙ୍କର ଯାବତୀୟ ନୀତି ଏବଂ ରାଜନୀତି ପଛରେ ଯେପରି ଏକ ନୂତନ ମନୁଷ୍ୟ, ନୂତନ ସମାଜ ଓ ଜୀବନର ନୂତନ ମୂଲ୍ୟବୋଧ ଏକ ସ୍ୱପ୍ନ ଓ ଏକ ମୂଳପ୍ରେରଣା ରୂପେ ରହି ତାଙ୍କୁ ସତତ ପ୍ରେରତି କରି ରଖିଥିଲା, କାର୍ଲମାର୍କସ୍‌ଙ୍କର ଯାବତୀୟ ସମାଜ-ବିଶ୍ଳେଷଣ ଓ ସମାଜଚର୍ଚ୍ଚା ପଛରେ ମଧ୍ୟ ସେହିପରି ଏକ ନୂତନ ମଣିଷ, ନୂତନ ସମାଜ ଓ ଜୀବନର ନୂତନ ମୂଲ୍ୟବୋଧ ଏକ ସ୍ୱପ୍ନ ଓ ମୂଳପ୍ରେରଣା ରୂପେ ତାଙ୍କୁ ସତତ ଉଦ୍‌ବୁଦ୍ଧ ଓ ଉନ୍ମୁଖ କରି ରଖିଥିଲା । ସେହି ନୂତନ ସ୍ୱପ୍ନକୁ ଏଇଠି ଏଇ ମଣିଷଗୋଷ୍ଠୀଦ୍ୱାରା ସମ୍ଭବ କରିବାକୁ ମାର୍କସ୍ ଆମର ଯୁଗକୁ ସମଗ୍ର ଭାବରେ ଆଲୋଡ଼ିତ କରିପାରିବା ଭଳି ଯେଉଁ ବିପ୍ଳବର ସ୍ୱପ୍ନ ଦେଖୁଥିଲେ, ସେ ତାହାକୁ ହିଁ ସାମାଜିକ ବିପ୍ଳବ ବୋଲି କହୁଥିଲେ । ସାମାଜିକ ବିପ୍ଳବ ହେଉଛି ସାମାଜିକ ତଥା ଜୀବନଗତ ଯାବତୀୟ ଉତ୍‌ପ୍ରେରଣାରେ ମଣିଷକୁ ହିଁ ମଧ୍ୟମଣି ରୂପେ ପ୍ରତିଷ୍ଠିତ କରିପାରିବାର ବିପ୍ଳବ । ଯେଉଁଠି ମନୁଷ୍ୟବ୍ୟକ୍ତି ଏବଂ ମନୁଷ୍ୟସମାଜର ସ୍ୱାର୍ଥଭିତରେ ଆଦୌ କୌଣସି ଦ୍ୱନ୍ଦ ରହିବ ନାହିଁ, ଆପଣାକୁ ସମାଜ ଅର୍ଥାତ୍ ସମୂହ ଲାଗି ସମର୍ପିତ କରି ରଖି ଯେଉଁଠି ମଣିଷ ଆପଣାର ପୂର୍ଣ୍ଣ ବିକାଶ କରିବ ଓ ସାମାଜିକ ସଂଗଠନ ମଧ୍ୟ ପ୍ରତ୍ୟେକ ମନୁଷ୍ୟର ପୂର୍ଣ୍ଣ ବିକାଶ ଲାଗି ଦ୍ୱାର ଉନ୍ମୁକ୍ତ କରି ରଖିବ, ବର୍ତ୍ତମାନର ପୁରୁଣା ସମାଜକୁ ଭାଙ୍ଗି ଅର୍ଥାତ୍ ବ୍ୟାଧିତ-ବ୍ୟକ୍ତି ଓ ବ୍ୟାଧିତ-ସମାଜର ସକଳ ବାଧାକୁ ଚୂର୍ଣ୍ଣ କରି ସେହିପରି ଏକ ନୂତନ ପାରସ୍ପରିକତା ଓ ପରିପୂରକତାର ପ୍ରତିଷ୍ଠା ଲାଗି ଯେଉଁ ବିପ୍ଳବ ଆବଶ୍ୟକ, ଆପଣାର ନାନାବିଧି ବିଶ୍ଳେଷଣ ଓ ବ୍ୟାଖ୍ୟା ମଧ୍ୟରେ କାର୍ଲମାର୍କ୍‌ସ୍ ତାହାକୁ ହିଁ ସାମାଜିକ ବିପ୍ଳବ ବୋଲି ଘୋଷଣା କରିଥିଲେ । ମଣିଷକୁ ପ୍ରଧାନତଃ ଅମଣିଷ କରି ରଖିଥିବା ବର୍ତ୍ତମାନର ଏହି ଜୀବନବ୍ୟବସ୍ଥା ବିରୁଦ୍ଧରେ ମଣିଷର ପ୍ରତିବାଦ, ଅର୍ଥାତ୍ ମଣିଷ ଭିତରେ ରହି ଆର୍ତ୍ତନାଦ କରୁଥିବା ଓ ଆତ୍ମପ୍ରକାଶ କରିବା ଲାଗି ବ୍ୟାକୁଳ ହେଉଥିବା ମାନବତ୍ୱର ପ୍ରତିବାଦ; କାର୍ଲମାର୍କ୍‌ସ୍‌ଙ୍କ ପରିଭାଷାରେ ତାହାହିଁ ହେଉଛି ସାମାଜିକ ବିପ୍ଳବ । ଯେଉଁ ବ୍ୟକ୍ତି ଆପଣାକୁ ଯଥାର୍ଥରେ ଜଣେ ମଣିଷ ବୋଲି ଅନୁଭବ କରିବ, ଏହି ସମାଜର ସଂଗଠିତ ଅମଣିଷ-ପଣିଆଗୁଡ଼ାକୁ ଧରି ସିଏ ଆଉ କଦାପି ଥୟ ହୋଇ ରହିପାରିବ ନାହିଁ । ସିଏ ପ୍ରତିବାଦ କରିବ, ମାନିବାକୁ ମନା କରିଦେବ; ସମାଜର ବୃହତ୍ତର ଜୀବନ ମଧ୍ୟରେ ଜଣେ ପୂର୍ଣ୍ଣତର ମନୁଷ୍ୟ ହିସାବରେ ଆପଣାର ଯଥାର୍ଥ ଅବଦାନ ଦେଇପାରିବାରୁ ଯେ ତାକୁ ଅତ୍ୟନ୍ତ ନୃଶଂସ ଭାବରେ ବଞ୍ଚିତ କରି ରଖାଯାଇଛି, ସିଏ ତାହାରି ବିରୁଦ୍ଧରେ ପ୍ରତିବାଦ କରି ବାହାରିବ । କାରଣ ଏକ ପୂର୍ଣ୍ଣ ଓ ସୁସ୍ଥ ସମାଜରେ ଜଣେ ପରିପୂର୍ଣ୍ଣ ବ୍ୟକ୍ତି ହୋଇ ନିଜର ଜୀବନ ବଞ୍ଚାଇବାକୁ ହିଁ ସିଏ ଆପଣାର ଯଥାର୍ଥ ସାମାଜିକ ଜୀବନ ବୋଲି ଜାଣିବ, ତାହାକୁ ହିଁ ସେ ଯଥାର୍ଥ ମାନବିକ ଜୀବନ ବୋଲି ଜାଣି ତାହାରି ଆକାଙ୍‌କ୍ଷା ରଖିଥିବ । ତେଣୁ ସାମାଜିକ ବିପ୍ଳବ ହେଉଛି ମର୍ମତଃ ମାନବମୁକ୍ତିର ବିପ୍ଳବ, ମଣିଷର ଏହି ସଂସାରରେ ମଣିଷର ଯଥାର୍ଥ ସଂସାରଟିକୁ ପ୍ରତିଷ୍ଠା କରିପାରିବାର ବିପ୍ଳବ, ସ୍ୱାର୍ଥଜଡ଼ିତ ବର୍ତ୍ତମାନର ମଣିଷର ଯଥାର୍ଥ ସଂସାରଟିକୁ ପ୍ରତିଷ୍ଠା କରିପାରିବାର ବିପ୍ଳବ, ସ୍ୱାର୍ଥଜଡ଼ିତ ବର୍ତ୍ତମାନର ଏହି ସଂସାରଟାକୁ ଏକ ବୈପ୍ଳବିକ ବିଶୋଧନ ଦ୍ୱାରା ପୁନର୍ବାର ସେହି ମଣିଷ ପାଖକୁ ହିଁ ଫେରାଇ ଆଣିବାର ବିପ୍ଳବ ।

 

ଏହି ପୁନଃପ୍ରତିଷ୍ଠାରେ ହିଁ ମଣିଷର ଯଥାର୍ଥ ମୁକ୍ତି ନିହିତ ହୋଇ ରହିଛି । ପ୍ରତ୍ୟେକ ମନୁଷ୍ୟକୁ ଏକ ମାନବିକ ବା ମନୁଷ୍ୟୋଚିତ ସମ୍ୱନ୍ଧରେ ବାନ୍ଧି ରଖିଥିବା ଏକ ସମାଜ ଭିତରେ ହିଁ ମନୁଷ୍ୟ ତା’ର ଯଥାର୍ଥ ମୁକ୍ତି ଲାଭ କରିବ, ତା’ର ଯଥାର୍ଥ ଅଭିଳାଷକୁ ପରିପୂର୍ଣ୍ଣ କରିବ, ତା’ର ଯଥାର୍ଥ ଜୀବନର ଆସ୍ୱାଦନ ଲାଭ କରିପାରିବ । [Zur Judenfrage, 1843] ମାତ୍ର, ଯେଉଁଠି ସମାଜ ନାମରେ ଗୋଷ୍ଠୀ ତଥା ଉପଗୋଷ୍ଠୀଗତ ନାନା ସ୍ୱାର୍ଥ ମଣିଷକୁ ମଣିଷଠାରୁ ଦୂରଛଡ଼ା କରି ରଖିଥିବ, ଯେଉଁଠାରେ ଗୋଟାଏ ଶ୍ରେଣୀ ବିରୁଦ୍ଧରେ ଆଉ ଗୋଟାଏ ଶ୍ରେଣୀର ବାଦ ଓ ବିଦ୍ୱେଷ ହିଁ ସମୁଦାୟ ସାମାଜିକ ଜୀବନକୁ ସନ୍ତାପିତ କରି ରଖିଥିବ, ଆମେ ତାହାକୁ ଏକ ଯଥାର୍ଥ ସମାଜ ବୋଲି ନ କହି କେବଳ ଗୋଟାଏ ସଂଗଠିତ ବିଭ୍ରମ ବୋଲି ହିଁ କହିପାରିବା । ଏଠି ଉପରେ ଥାଇ ଦଳେ ସବୁକିଛି ମାଡ଼ିବସି ରହିଥିବେ, ସେମାନେ ସବୁଯାକ ନୀତିର ମାଲିକ ହୋଇ ବସିଥିବେ; ଏବଂ ଆଉ ଯେଉଁମାନେ ତଳେ ଅସମର୍ଥ ହୋଇ ପଡ଼ି ରହିଥିବେ ଓ ଉପରର ଦୌରାତ୍ମ୍ୟଗୁଡ଼ାକୁ ସହ୍ୟ ହିଁ କରିବାରେ ଲାଗିଥିବେ, ସେମାନଙ୍କ ସକାଶେ ଏହି ସମାଜରେ ଆଦୌ କୌଣସି ମୂଲ୍ୟ ନଥିବ । ଏହି ସମାଜ ସେମାନଙ୍କର ଗୋଡ଼ରେ ବେଡ଼ୀ ହୋଇ ରହିଥିବ, ସେମାନଙ୍କର ମାନବିକ ବାସନାଗୁଡ଼ିକୁ ତୁଣ୍ଡି ପକାଇ ରଖିଥିବ । ଏକ ଯଥାର୍ଥ ସମାଜରେ ବ୍ୟକ୍ତି ନାନା ସାମାଜିକ ସମ୍ୱନ୍ଧରେ ପରସ୍ପର ସହିତ ସମ୍ମିଳିତ ହୋଇ ଆପଣାର ଯଥାର୍ଥ ସ୍ୱାତନ୍ତ୍ର୍ୟ ଲାଭ କରିଥିବ, ସେ ମେରୁଦଣ୍ଡକୁ ସିଧା କରି ମଣିଷ ପରି ବାଟ ଚାଲି ପାରୁଥିବ ଓ ସମାଜକୁ ଆପଣାର ଘର ବୋଲି ଅନୁଭବ କରୁଥିବ । କୌଣସି ପ୍ରକାର ବ୍ୟବସ୍ଥା ବା ବାଡ଼ଦ୍ୱାରା ସେ କାହାରି ଦାସ ହୋଇ ରହି ନ ଥିବ କିମ୍ୱା କାହାରି ଦଉଡ଼ିରେ ଗଧ ହୋଇ ବନ୍ଧା ହୋଇନଥିବ । (Deutsche lodeologie, 1845-46)

 

ରାଜନୀତିର ନୀଳକୁଣ୍ଡ ଭିତରେ ପଶି ଜର୍ମାନ୍ ଭାଷାର Proletariat ଶବ୍ଦଟି ନାନା ସ୍ଥଳରେ ନାନା ବର୍ଣ୍ଣ ଧାରଣ କରିଛି ସତ, ମାତ୍ର କାର୍ଲ ମାର୍କ୍‌ସଙ୍କର ମୂଳ ଲେଖାମାନଙ୍କରେ ଏହି ଶବ୍ଦଟିର ଏକ ବିଶେଷ ଅର୍ଥ ଓ ବ୍ୟଞ୍ଜନା ରହିଛି । ଓଡ଼ିଆ ଭାଷାରେ ଅନୁବାଦ କରି ପ୍ରୋଲେଟାରିଆଟ୍ ଶବ୍ଦଟିକୁ ସାଧାରଣତଃ ଆମେ ସର୍ବହରା ବୋଲି କହିଥାଉ । ଇଂରାଜୀ ଅଭିଧାନରେ ମଧ୍ୟ ଏହି ଶବ୍ଦକୁ ସମାଜର ନିମ୍ନତମ ଅର୍ଥାତ୍ ଦରିଦ୍ରତମ ଓ ବଞ୍ଚିତତମ ବର୍ଗ ବୋଲି ବ୍ୟାଖ୍ୟା କରାଯାଇଛି । କାର୍ଲ ମାର୍କ୍‌ସ୍‌ ଏହାକୁ ଆପଣାର ଭୌତିକ ତଥା ନୈତିକ ଦାରିଦ୍ର୍ୟ ବିଷୟରେ ସଚେତନ ହୋଇପାରିଥିବା ଦାରିଦ୍ର୍ୟ ବୋଲି ବର୍ଣ୍ଣନା କରିଛନ୍ତି, ଆପଣାର ଅବମାନନା ବିଷୟରେ ପୂର୍ଣ୍ଣ ସଚେତ ହୋଇପାରିଥିବା ଅବମାନିତ ମଣିଷ ବୋଲି କହିଛନ୍ତି । ଯାବତୀୟ ଅବମାନନା ମଧ୍ୟରେ ସେହି ଅବମାନନାର ବିରୁଦ୍ଧରେ ସେ ତାହାକୁ ଏକ ପ୍ରତିମୂର୍ତ୍ତି ବିଦ୍ରୋହ ବୋଲି ଘୋଷଣା କରିଛନ୍ତି । ଆପଣା ଭିତରେ ଛଟପଟ ହେଉଥିବା ମଣିଷଟାକୁ ଅତ୍ୟନ୍ତ ବାସ୍ତବ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ଅନୁଭବ କରିପାରୁଥିବା ମଣିଷ ହିଁ ସେହି ଅବମାନନା ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବାପାଇଁ ସମର୍ଥ ହୁଏ । ତାହାରି ଭିତରେ ରହି ତାକୁ କଲବଲ କରୁଥିବା ମଣିଷ ମଣିଷ ରୂପେ ଫୁଟି ଉଠି ବାହାରକୁ ଆସିବା ଲାଗି ଚାହୁଁଥାଏ; ମାତ୍ର ବାହାରର ଅର୍ଥାତ୍ ସମାଜର ପରିବେଶଟା ହିଁ ତା’ର ଫୁଟି ଉଠିବାର ପଥରେ ନାନା ପ୍ରତିବନ୍ଧକ ଆଣି ଠିଆ କରି ରଖେ, ଅମଣିଷକୃତ ନାନା ଅନୀତି, ଅଧର୍ମ ଓ ଅନ୍ୟାୟକୁ ନୀତି, ଧର୍ମ ଓ ନ୍ୟାୟ ବୋଲି କହି ମଣିଷକୁ ଦବାଇ ରଖିବାକୁ ଇଚ୍ଛା କରୁଥାଏ । ଆମ ଭିତରେ ନିହିତ ହୋଇ ରହିଥିବା ମଣିଷ ହେବାର ବାସନା ଓ ସେହି ବାସନାକୁ ନାନା ଭଳି ବିକୃତ କରି ରଖିଥିବା ଏକ ପରିବେଶ ମଧ୍ୟରେ ମନୁଷ୍ୟ ଯେଉଁ ବିରୋଧଟି ରହିଥିବାର ଅନୁଭବ କରେ, ତାହାହିଁ ତାକୁ ବିଦ୍ରୋହ କରିବା ଲାଗି ପ୍ରେରଣା ଦିଏ, ତା’ର ମାନବତ୍ୱକୁ ଅତ୍ୟନ୍ତ ନିର୍ମମ ଭାବରେ ଏକ ମିଥ୍ୟା ବୋଲି ଘୋଷଣା କରୁଥିବା ଏହି ସାମାଜିକ ପରିବେଶଟିର ବିରୁଦ୍ଧରେ ତାକୁ ବିଦ୍ରୋହୀ କରି ବାହାର କରି ଆଣେ । (Die heilige Familie, 1845)

 

ଅମଣିଷକୃତ ଓ ଅମଣିଷ ଦ୍ୱାରା ପ୍ରପୀଡ଼ିତ ଏକ ସମାଜ ବିରୁଦ୍ଧରେ ଅସଲ ମଣିଷର ଏହି ବିଦ୍ରୋହ ହେଉଛି କାର୍ଲ ମାର୍କ୍‌ସ୍‌ଙ୍କ କଳ୍ପନାରେ ସାମାଜିକ ବିପ୍ଳବ, ଯାବତୀୟ ରାଜନୀତିକ ବିପ୍ଳବଠାରୁ ଏହା ହେଉଛି ସମ୍ପୂର୍ଣ୍ଣ ଏକ ଭିନ୍ନ ସ୍ତରର ବିପ୍ଳବ । ରାଜନୀତିକ ବିପ୍ଳବ ଆପାତତଃ ଯେଡ଼େ ବୃହତ୍ ଏବଂ ବିଶ୍ୱବ୍ୟାପୀ ବୋଲି ଦେଖାଯାଉଥିଲେ ମଧ୍ୟ ଏହାର ଆବେଦନ ହେଉଛି ସର୍ବଦା ଏକ ସଂକୀର୍ଣ୍ଣତର କ୍ଷେତ୍ରର ଆବେଦନ; ତାହା ହେଉଛି ଗୋଟାଏ ଦଳକୁ କ୍ଷମତାଚ୍ୟୁତ କରି ଆଉ ଗୋଟାଏ ଦଳକୁ କ୍ଷମତାରେ ନେଇ ବସାଇବାର ଏକ ଆନ୍ଦୋଳନ । କିନ୍ତୁ ସାମାଜିକ ବିପ୍ଳବ ହେଉଛି ମଣିଷକୁ ମଣିଷ ହୋଇ ପାରିବା ଲାଗି ଏକ ମୁକ୍ତ ଏବଂ ମାନବିକ ପରିବେଶ ଯୋଗାଇ ଦେଇ ପାରିବାର ଏକ ବିପ୍ଳବ, ମଣିଷକୁ ସାମାଜିକ ତଥା ରାଜନୀତିକ କ୍ଷମତାର ସକଳ ଶୋଷଣରୁ ମୁକ୍ତ କରି ତାକୁ ମଣିଷ ହେବାର ସମ୍ଭାବନା ସକାଶେ ଉନ୍ମୁକ୍ତ କରିଦେବାର ବିପ୍ଳବ । କାର୍ଲ ମାର୍କ୍‌ସ୍‌ଙ୍କ କହିବା ଅନୁସାରେ, ମନୁଷ୍ୟର ଜୀବନ, ଅର୍ଥାତ୍ ତା’ର ମାନବିକ ଜୀବନ ହେଉଛି ରାଜନୀତି ଅଥବା ରାଜନୀତିକ ଜୀବନଠାରୁ ଅନେକ ବେଶୀ, ଅନେକ ଅଧିକ; କାରଣ, ମଣିଷ ଭାଗ୍ୟ ତା’ର ରାଷ୍ଟ୍ରୀୟତ୍ୱର ଭାଗ୍ୟଠାରୁ ଅନେକ ବେଶୀ, ମଣିଷର ପରିଚୟ ତା’ର ନାଗରିକତ୍ୱର ପରିଚୟ ଅପେକ୍ଷା ଅନେକ ବେଶୀ । ତେଣୁ ଏକଥା ଅତ୍ୟନ୍ତ ସ୍ପଷ୍ଟ ଯେ, ରାଜନୀତିର ଦଳଗତ ଶିବିରମାନଙ୍କରେ ବିବାଦପତାକା ଉଡ଼ାଇ ବାହାରିଥିବା ନେତାମାନେ ହିଁ ରାଜନୀତିକ ଯାବତୀୟ ବିପ୍ଳବରେ ନେତୃତ୍ୱ ନିଅନ୍ତି । ଆପଣାର ପକ୍ଷାଗ୍ରହ ଅର୍ଥାତ୍ ଦଳସର୍ବସ୍ୱ ଆଗ୍ରହ ଦ୍ୱାରା ହିଁ ଏମାନେ ଯାବତୀୟ ଆଗ୍ରହକୁ ନିଶା ଖୁଆଇ ରଖିଥାନ୍ତି । ଏମାନେ କ୍ଷମତା ଚାହୁଁଥାନ୍ତି, ପୁରୁଣା ଭାଙ୍ଗି ନୂଆର ପ୍ରତିଷ୍ଠା କରିବାକୁ ମୋଟେ ଚାହୁଁନଥାନ୍ତି, କ୍ଷମତାବଦଳକୁ ହିଁ ବିପ୍ଳବ ବୋଲି କହି ସେମାନେ ମତ୍ତ ହୋଇ ବାହାରିଥାନ୍ତି । ଏଭଳି ନେତୃତ୍ୱ ଦ୍ୱାରା ସାମାଜିକ ବିପ୍ଳବ ହୁଏ ନାହିଁ । ଏହି ଭାଡ଼ିଟାକୁ ଭାଙ୍ଗିଦେଇ ସେହି ଭାଡ଼ିଟାକୁ ବାନ୍ଧିଦେଇ ହୁଏ ସତ, ମାତ୍ର ମଣିଷକୁ ମୁକ୍ତି ମିଳେ ନାହିଁ, ମଣିଷର ଉଦୟ ହୁଏ ନାହିଁ, ତିମିର ଘୋଟି ରହିଥାଏ । କେବଳ ଯଥାର୍ଥରେ ସମର୍ପିତ ମଣିଷମାନେ ହିଁ ସାମାଜିକ ବିପ୍ଳବର ଆଗ୍ରହ ରଖିବାରେ ସମର୍ଥ ହୁଅନ୍ତି, ସାମାଜିକ ବିପ୍ଳବଲାଗି ସାହସୀ ହୁଅନ୍ତି । ସେମାନେ କ୍ଷମତା ଚାହାନ୍ତି ନାହିଁ, ସେମାନେ ବିପ୍ଳବ ଚାହାନ୍ତି । ଅନ୍ଧାର ଭିତରେ ରହି ସିଦ୍ଧିର ସବୁ ବତୀଗୁଡ଼ାକୁ ସେମାନେ ଆପଣାର ହାତମୁଠା ଭିତରେ ଜାବୁଡ଼ି ରଖିବାକୁ ଆଦୌ ଚାହାନ୍ତି ନାହିଁ, ମାତ୍ର ଯାବତୀୟ ଅନ୍ଧାର ଭିତରୁ ମଣିଷକୁ ମୁକ୍ତ କରି ଆଣିବାଲାଗି ଆଗୁଆ ହୋଇ ରହିଥାନ୍ତି ।

 

କୌଣସି ଏକ ଅବସରରେ କାର୍ଲ ମାର୍କ୍‌ସ୍‌ ରାଜନୀତିକ ବିପ୍ଳବକୁ revolution tout court ବୋଲି କହିଛନ୍ତି । ଅର୍ଥାତ୍‌, ରାଜନୀତିକ କ୍ଷମତାକୁ ଆତ୍ମସାତ୍‌ କରି ରଖିବାଲାଗି ଯେଉଁମାନେ ବିପ୍ଳବକୁ କେବଳ ଏକ ସାଧନ ବୋଲି ଧରିନେଇଥାନ୍ତି, ବିପ୍ଳବ କହିଲେ ସେମାନେ କେବଳ ସେତିକି ବୁଝନ୍ତି । ନାନା ଧୂର୍ତ୍ତ ଭାବପ୍ରବଣତାର ଆଡ଼ମ୍ବର ଓ କୌଶଳ ସହିତ ସେମାନେ ରାଜନୀତିକ ବିପ୍ଳବକୁ ସାମାଜିକ ବା ଅନ୍ୟ ଯାବତୀୟ ବାଟରେ ଏକ ପ୍ରତିବନ୍ଧକ ରୂପେ ଠିଆ କରି ରଖିବା ସକାଶେ ଚାହୁଁଥାନ୍ତି । ଅନ୍ୟ ଯାବତୀୟ ବିପ୍ଳବକୁ ସେମାନେ ହାଡ଼େ ହାଡ଼େ ଡରୁଥାନ୍ତି, କୌଣସି ମଣିଷ ମଣିଷ ପରି ସିଧା ହୋଇ ଠିଆ ହେବାକୁ ଜିଦ୍‌ ଧରିବସିଲେ ସେମାନେ ତାକୁ ରାଷ୍ଟ୍ରଦ୍ରୋହୀ ବୋଲି କହିବାଲାଗି ବାହାରିପଡ଼ନ୍ତି, ତା’ର ବୃତ୍ତିକୁ ଏକ ରାଷ୍ଟ୍ରଦ୍ରୋହୀ ବୃତ୍ତି ବୋଲି କହି ହୁରି ପକାନ୍ତି । ଆମ ଆଧୁନିକ ଇତିହାସରେ ଅଧିକାଂଶ ଦେଶରେ ସମାଜମୁକ୍ତିର ଅଭୀପ୍‌ସା ବା ମାନବିକ ମୂଲ୍ୟପ୍ରତିଷ୍ଠାର ଉଦ୍ୟମଗୁଡ଼ାକ ଅନେକତଃ ନାନାଭାବେ ପ୍ରରୋଚିତ ଓ ପ୍ରବଞ୍ଚିତ ହୋଇ ଏହି ରାଜନୀତିକ ବିପ୍ଳବ ଯାଏ ଆସି ସେଇଠି ଅଟକିଯାଇଛି; ରାଜନୀତିକ ବିପ୍ଳବ ଅର୍ଥାତ୍‌କ୍ଷମତାକୁ ହିଁ ଗଣ୍ଠି କରି ଧରିଥିବା ରାଜନୀତିର ଘଟଣା ଭିତରେ ପଡ଼ି ତାହା ସେଇଠାରେ ରହିଯାଇଛି, ଆଉ ବାହାରି ପାରିନାହିଁ; ସମାଜିକ ତଥା ମାନବିକ ବିପ୍ଳବର ସବୁଯାକ ସ୍ୱପ୍ନ ସେଇଠି ବିଡ଼ମ୍ବିତ ହୋଇ ରହିଛି । ଦେଶ, ଜାତି ଓ ଜାତୀୟତା ନାମରେ ନାନପ୍ରକାର ଅଫିମ ଖୁଆଇ ଦିଆଯାଇ ମଣିଷକୁ ମଣ ଓ ବଶ କରି ରଖାଯାଇଛି । ଜାତୀୟତାକୁ ରାଷ୍ଟୀୟତା ସହିତ ଏକାକାର କରି ଯୋଚି ଦିଆଯାଇଛି, ରାଷ୍ଟ୍ରର ବଶ୍ୟତା ସ୍ୱୀକାର କରି ରହିବାକୁ ହିଁ ଏଡ଼େ ପାଟିରେ patriotism ବୋଲି ଜାହିର କରାଯାଇଛି । ମାତ୍ର, ମଣିଷ ଯେ ତା’ର ରାଷ୍ଟ୍ରୀୟତାଠାରୁ ଅନେକ ବେଶୀ ଓ ଅନେକ ବଡ଼, ଶହେବର୍ଷ ତଳେ ଆଧୁନିକ ମଣିଷ ଲାଗି ଏକ ଅଭିନବ ବିପ୍ଳବର ବାସନା ଜାଗୃତ କରାଇଥିବା କାଲ୍‌ ମାର୍କ୍‌ସ୍‌ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସେହି କଥାଟିକୁ ଘୋଷଣା କରି କହି ଦେଇଥିଲେ । ତାଙ୍କର ବ୍ୟାଖ୍ୟା ଅନୁସାରେ ଆଜି ସବୁଠାରେ ରାଷ୍ଟ୍ର ହିଁ ସମାଜଟାକୁ ପ୍ରାୟ ଗ୍ରାସ କରି ରହିଛି । ରାଷ୍ଟ୍ର ହିଁ ସମାଜର ଜୀବନ ଅର୍ଥାତ୍‌ ମଣିଷର ଜୀବନକୁ ଆପଣାର ଇଚ୍ଛାମତେ ନିୟନ୍ତ୍ରଣ କରିବାରେ ଲାଗିଛି । କିନ୍ତୁ ରାଷ୍ଟ୍ରକୁ ମଣିଷ ଉପରେ ମାଲିକ ବୋଲି ମାନୁଥିବା ପର୍ଯ୍ୟନ୍ତ ମଣିଷର ଅସଲ ମୁକ୍ତି ମୋଟେ ସମ୍ଭବ ହେବନାହିଁ, ମଣିଷର ବେଡ଼ି ଫିଟିବ ନାହିଁ । ସମାଜରେ ଆବଶ୍ୟକ ପରିବର୍ତ୍ତନ ଘଟି ରାଷ୍ଟ୍ର ଯେତେବେଳେ ସମାଜର ଅର୍ଥାତ୍‌ ମଣିଷର ସେବାକାରୀ ହୋଇ ରହିପାରିବ, ମଣିଷ ଉପରେ ଦୌରାତ୍ମ୍ୟ ନକରି ମଣିଷର ଉଦୟ ଲାଗି ତାହା ଏକ ସ୍ୱାଭାବିକ ସାଧନ ହୋଇ ରହିପାରିବ, କାଲ୍‌ ମାର୍କ୍‌ସ୍‌ଙ୍କ ମତରେ ସେହିଦିନ ଯାଇ ମଣିଷ ଯଥାର୍ଥରେ ମୁକ୍ତ ହେବ, ଏବଂ ସମାଜରେ ଯଥାର୍ଥ ମୁକ୍ତି ସମ୍ଭବ ହେବ । [Critique of the Gotha Programme, 1875]

 

ଗୋଟାଏ ରାଜନୀତିକ ଦଳ କିମ୍ବା ସ୍ୱାର୍ଥ ହାତରୁ କ୍ଷମତା ଯାଇ ଆଉ ଗୋଟାଏ ଦଳ ହାତରେ ରହିଲେ ଯେ ତାହାଦ୍ୱାରା କେବେ ସାମାଜିକ ବିପ୍ଳବ ଓ ତଜ୍ଜନିତ ମୁକ୍ତି ସମ୍ଭବ ହେବ, ମାର୍କ୍‌ସ୍‌ ସେକଥା କେବେହେଲେ ବିଶ୍ୱାସ କରିନାହାନ୍ତି । ଏପରିକି, ଏହି ପୁରୁଣା ସମାଜର ମୂଳଦୁଆକୁ ଭାଙ୍ଗି ଯେତେବେଳେ ନୂଆ ସମାଜର ନିଅଁ ପଡ଼ିବ, ସେତେବେଳେ ବି କ’ଣ କେବଳ ଏକ ନୂତନ ଗୋଷ୍ଠୀ ଅଥବା ଦଳ ହାତରେ ରାଜନୀତିକ କ୍ଷମତା ଠୁଳ ହୋଇ ରହିବ ଓ ନୂତନ ସମାଜର ଦୁର୍ଦ୍ଧର୍ଷ ସ୍ଥାପୟିତା ରୂପେ କ’ଣ ସେଇମାନେ ହିଁ ଅନ୍ୟ ସମସ୍ତଙ୍କୁ ଆୟତ୍ତ ଓ ଅଧୀନ କରି ରଖିବେ ? –ଏହି ସଂଶୟଟିର ଆଲୋଚନା କରି ମଧ୍ୟ କାର୍ଲ୍‌ ମାର୍କ୍‌ସ୍‌ ‘‘ନାହିଁ’’ ବୋଲି ଉତ୍ତର ଦେଇଛନ୍ତି । ସିଏ କହିଛନ୍ତି ଯେ ବର୍ତ୍ତମାନର ଶୋଷିତ ଏବଂ ଶ୍ରମକବର୍ଗ ନୂଆ ସମାଜର ମାଲିକ ହୋଇ ଆପଣାକୁ ନୂଆ ଶୋଷକ ରୂପେ ପ୍ରତିଷ୍ଠିତ କରିବେ ଓ ପୁରୁଣା ସମାଜର ଅମାନୁଷିକତା ଓ ଉତ୍ପୀଡ଼ନଗୁଡ଼ାକୁ ସ୍ଥାୟୀ କରି ରଖିବେ, ସେକଥା କଦାପି ହେବନାହିଁ । କାରଣ, ସେପରି ହେଲେ, ମଣିଷର ମୁକ୍ତି ଆସିବ ନାହିଁ, ଶ୍ରମିକମାନଙ୍କର ବି ମୁକ୍ତି ଆସିବ ନାହିଁ । ଦଳ ଓ ଦଳଗତ ସବୁ ଦୌରାତ୍ମ୍ୟର ବିଲୋପସାଧନ ଦ୍ୱାରା ହିଁ ଯଥାର୍ଥ ମୁକ୍ତି ଲାଗି ଭୂମି ତିଆରି ହେବ । ସେତେବେଳେ ସବୁ ମଣିଷ ମଣିଷରୂପେ ହିଁ ସ୍ୱୀକୃତ ହେବେ । ଶ୍ରମିକ ମଧ୍ୟ ମଣିଷର ସ୍ପର୍ଦ୍ଧା ରଖିବାକୁ ସମର୍ଥ ହେବ-। ଶୋଷକ ଶୋଷଣ ଛାଡ଼ି ମଣିଷ ହେବାର ବାସନାକୁ ହିଁ ଗୌରବ ବୋଲି ଜାଣିବ । ସେଠି ଗୋଟାଏ ଦଳ ଉପରେ ଆଉ ଗୋଟାଏ ଦଳର ରାଜନୀତିକ କ୍ଷମତା ବିସ୍ତାର ଲାଗି କୌଣସି ଅବକାଶ ରହିବ ନାହିଁ । ସେହି ସାମାଜିକ ବିପ୍ଳବ ଦ୍ୱାରା ହିଁ ମଣିଷ ଲାଗି ପ୍ରକୃତ ମୁକ୍ତି ଆସିବ । [Misere de la Philosophie, 1847]

 

ଗତ ପଚିଶିବର୍ଷ ହେଲା ଆମ ଭାରତବର୍ଷରେ ପ୍ରଧାନତଃ ଏକ ରାଜନୀତିକ କ୍ଷମତାଲିପ୍‌ସାର ସୁଆଙ୍ଗ ଲାଗିରହିଛି କି ଏବଂ ବଡ଼ ଚତୁର ଭାବରେ ଅସଲ ସାମାଜିକ ବିପ୍ଳବଟିକୁ ଏଠାରେ ଅଟକାଇ ରଖାଯାଇଛି କି ? ରାଜନୀତିକ ବନାମ ସାମାଜିକ ବିପ୍ଳବ ସମ୍ବନ୍ଧରେ ମାର୍କ୍‌ସ୍‌ଙ୍କର ବିଚାରଗୁଡ଼ିକୁ ପଢ଼ିବା ପରେ ଆମ ମନରେ ସ୍ୱତଃ ଏହିପରି ଗୋଟାଏ ପ୍ରଶ୍ନର ଉଦୟ ହୋଇଥାଏ । ଆମର ଏଠି ସ୍ୱାଧୀନତାଲାଭର ରାଜନୀତି ରଣରେ ଜିତାପଟ ନେଇଥିବା ନେତାମାନେ ଗତ ଗୋଟାଏ ପୁରୁଷ ଧରି ଜାତୀୟ ଜୀବନର ବିବିଧ କ୍ଷେତ୍ରରେ ନେତୃତ୍ୱ ନେଇଛନ୍ତି-। ମନେହେଉଛି, ଯେପରି ସେମାନେ ରାଜନୀତିକ କ୍ଷମତା ହାସଲ କରିବା ସକାଶେ ହିଁ ଆପଣା ଆପଣା ମଧ୍ୟରେ ଏକ ରଣରେ ମତ୍ତ ହୋଇ ରହିଛନ୍ତି ଏବଂ ତାହାକୁ ହିଁ ସମସ୍ତ ବିପ୍ଳବ ବୋଲି କହୁଛନ୍ତି । ସେମାନେ ସମସ୍ତେ ଆମ ଦେଶକୁ ନୂଆ କରି ଗଢ଼ିବେ ବୋଲି କହୁଛନ୍ତି, ନୂଆ ସମାଜ ଗଢ଼ିବା ବିଷୟରେ କେତେ ହିଂସ୍ର ନାଦ ଦେଉଛନ୍ତି; ମାତ୍ର କାର୍ଯ୍ୟତଃ ଏକ ରାଜନୀତିକ ମୁଷ୍ଟିଯୁଦ୍ଧର ପ୍ରାଙ୍ଗଣ ଉପରେ ସତେଅବା ଗୋଟାଏ ଗୋଟାଏ ବିବାଦମାନ ଢୋଲ ପରି ଖାଲି ଗଡ଼ଗଡ଼ାଇବାରେ ଲାଗିଛନ୍ତି । ଏହିମାନଙ୍କ ମଧ୍ୟରୁ ଦଳେ ସରକାର ଭିତରେ ଅଛନ୍ତି, ଆଉ ଦଳେ ବା ଆଉମାନେ ସରକାର ବାହାରେ ରହିଛନ୍ତି । ଏମାନଙ୍କୁ ବିରୋଧୀଦଳ ବୋଲି କୁହାଯାଉଛି । ମାତ୍ର, ଏଠି ଥାଆନ୍ତୁ ଅଥବା ସେଠି ଥାଆନ୍ତୁ ପଛକେ, କ୍ଷେତ୍ର ବିଶେଷରେ କ୍ଷମତା ହସ୍ତଗତ କରି ରଖିବା ଅର୍ଥାତ୍ ଅନ୍ୟମାନଙ୍କୁ କ୍ଷମତାଚ୍ୟୁତ କରି ରଖିବାରେ ହିଁ ଏମାନଙ୍କର ସବୁଯାକ ବୈପ୍ଳବିକ ଉତ୍ସାହ ବେଶ୍ ପୋଷା ମାନି ଘର ଆଦରି ରହିଯାଇଛି । ଇଂଲଣ୍ଡର ପାର୍ଲିଆମେଣ୍ଟ ଶାସନରେ ପ୍ରାୟ ଆବହମାନ କାଳରୁ ମାନ୍ଦା ଓ ଅମାନ୍ଦା, –ଏହିପରି ଦୁଇଟି ପ୍ରଧାନ ଦଳ ରହି ଆସିଛନ୍ତି । କେହି କେହି ସେମାନଙ୍କୁ ଜାଠଦଳ ଓ ଶ୍ରମିକଦଳ ବୋଲି ବି କହିଥାନ୍ତି । ଯେକୌଣସି ସମୟରେ ଗୋଟାଏ ଦଳ ସରକାରୀ ଦଳ ହୁଏତ ଆରଟା ବିରୋଧୀଦଳ ବୋଲାଏ । ପୁଣି ଗାଦୀ ବଦଳିଲେ ଇଏ ସେପାଖକୁ ଯାଏ ଓ ସିଏ ଏପାଖକୁ ଆସେ । ଏତିକି ବ୍ୟତୀତ ବିଲାତର Whig ଆଉ Toryଙ୍କ ଭିତରେ ମତିଗତ ଆଉ ପ୍ରାୟ କୌଣସି ପାର୍ଥକ୍ୟ ନଥାଏ । ଆପଣା ବର୍ଣ୍ଣନାର ଭଙ୍ଗୀ ଦେଇ ଏହି ଉପଚାରଟିକୁ ଥରେ କାର୍ଲ ମାର୍କ୍‌ସ୍ Whig ମାନଙ୍କୁ ‘‘Tories out of power’’ ବୋଲି ବ୍ୟାଖ୍ୟା କରିଥିଲେ । (Newyork Daily Tribune, 21.8.1852) ଆମ ଦେଶରେ ବି ଆମ ସରକାରୀ ଦଳ ଓ ବିରୋଧୀ ଦଳକୁ ଆମେ ପ୍ରାୟ ସେହିଭଳି ଏକ ସମ୍ୱନ୍ଧ-ନିରୂପଣର ସୂତ୍ର ଦେଇ ବର୍ଣ୍ଣନା କରିପାରିବା । ଏହି ଦେଶରେ ଏକ ଯଥାର୍ଥ ସାମାଜିକ ବିପ୍ଳବ ସମ୍ଭବ କରିବାଲାଗି ଏମାନେ କେହି ହେଲେ କେବେହେଲେ ପ୍ରସ୍ତୁତ ହୋଇନାହାନ୍ତି, ହୁଏତ ସିଆଡ଼କୁ ସେମାନେ କେବେହେଲେ ମନ କରିନାହାନ୍ତି । ଭୋଟ ଜିଣିବାରେ ଅର୍ଥାତ୍ ରାଜନୀତିକ କ୍ଷମତା ହାସଲ କରି ଗାଦୀ ଭୁଞ୍ଜିବାରେ ହିଁ ଏମାନଙ୍କର ପ୍ରାୟ ସବୁ ବଳ, ବୟସ ଓ ବହପ ସରିଛି, ଏବେ ମଧ୍ୟ ସରୁଛି । ସେମାନେ ପ୍ରତ୍ୟେକେ ଆପଣାକୁ ପ୍ରଗତିଶୀଳ ବୋଲି କହୁଛନ୍ତି, ଅନ୍ୟମାନଙ୍କୁ ପ୍ରତିକ୍ରିୟାଶୀଳ କହୁଛନ୍ତି; ମାତ୍ର ପ୍ରତ୍ୟେକେ ସବାଆଗ କ୍ଷମତାକୁ ହିଁ ଲୋଡ଼ୁଛନ୍ତି ଓ ହୁଏତ ତା’ପରେ ଯାଇ ବିପ୍ଳବକୁ ଲୋଡ଼ୁଛନ୍ତି । ଆଗ ସେମାନଙ୍କର ହାତକୁ କ୍ଷମତା ନ ଆସିବା ପର୍ଯ୍ୟନ୍ତ କଦାପି କୌଣସି ବିପ୍ଳବ ହୋଇ ପାରିବନାହିଁ ବୋଲି ସେମାନେ ଅତି ପବିତ୍ର ଭାବରେ ବିଶ୍ୱାସ କରୁଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ରଡ଼ ତଥା ସବୁଠାରୁ ଅଧିକ ରାଢ଼ ମାନେ ମଧ୍ୟ ସେହି ରାଜନୀତିକ କ୍ଷମତାଲାଭର ତେଲଘଡ଼ିଟି ଭିତରେ ଯାଇ ଲାଖି ରହିଛନ୍ତି । ସେମାନେ କେବଳ ରାଜନୀତିକ ବିପ୍ଳବରେ ହିଁ ଅଟକିଯାଇଛନ୍ତି । ସେମାନେ କେବଳ କ୍ଷମତା ଚାହୁଁଛନ୍ତି, ଏହି ଦେଶର ମଣିଷ କେବେ ମଣିଷପରି ଠିଆ ହୋଇପାରୁ ବୋଲି ସେମାନେ ଆଦୌ ଇଚ୍ଛା କରୁନାହାନ୍ତି । ସେମାନେ ଏଠି ମଣିଷକୁ ବୋକା ବନାଇ ରଖିଛନ୍ତି, ଆପଣା ଭିତରର ମଣିଷଟାକୁ ମଧ୍ୟ ଲାଜରା କରି ରଖିଛନ୍ତି, ବାହାରେ ଓ ଭିତରେ ସେମାନେ ମଣିଷ ଆଡ଼କୁ ପିଠି କରି ଠିଆ ହୋଇଛନ୍ତି ।

 

୧୯୧୭ ମସିହାରେ ଋଷ୍ ଦେଶରେ ଦୁଇଟି ବିପ୍ଳବ ଘଟିଥିଲା । ଗୋଟିଏ ଫେବୃଆରୀ ମାସରେ, ଆଉ ଗୋଟିଏ ଅକ୍ଟୋବରରେ । ପ୍ରଥମ ବିପ୍ଳବଟି ଦ୍ୱାରା ସେଠାରେ ସମ୍ରାଟ ଶାସନର ଅନ୍ତ ହେଲା ଏବଂ ତା’ପରେ ପ୍ରାୟ ଆଠମାସ କାଳ ବିଭିନ୍ନ ରାଜନୀତିକ ଦଳଙ୍କ ଭିତରେ କ୍ଷମତା ହାସଲ କରିବା ଲାଗି ବଳ କଷାକଷି ଚାଲିଲା । ଘଡ଼ି ଘଡ଼ିକେ ଶାସନ ବଦଳିଲା, ଶାସକମାନେ ବଦଳିଲେ । ଆଠ ଦିନ ବା ପନ୍ଦର ଦିନ ସକାଶେ ମଧ୍ୟ ଦଳେ ସରକାର ବନି ଶାସନ ଚଳାଇଲେ । ଏହିଭଳି ଗୋଟିଏ ଅସ୍ଥାୟୀ ପର୍ଯ୍ୟାୟରେ ଥରେ ତେରେଶେଙ୍କୋ ବୋଲି ଜଣେ ହଠାତ୍ ନେତାଙ୍କର ବି ପାଳି ପଡ଼ିଥିଲା । ସିଏ ଯେତିକି ଦିନ ଗାଦୀରେ ରହିଲେ, ଖାଲି ଭାଷଣ ପରେ ଭାଷଣ ଦେଇ ବୁଲିଲେ । ଆମର ଏଠି ଭାରତବର୍ଷରେ ନେତୃତ୍ୱଗୁଡ଼ାକ ଏବେ ସତେଅବା ସେହି ତେରେଶେଙ୍କୋଙ୍କର ଅବତାର ଗ୍ରହଣ କରିଥିବା ପରି ଅନେକ ସମୟରେ ମନେ ହେଉଛି । ଦେଶଟାକୁ ସୁନାରେ ଆଉ ରୂପାରେ ଛୁଆଣି କରିଦିଆଯିବ ବୋଲି ଭାଷଣ ଦେବାରେ ଏଠି ଆଦୌ କୌଣସି ବାଡ଼ବତା ନାହିଁ, ଆମର ଏଠି ମଧ୍ୟ ବିପ୍ଳବ ହେବ ଓ ଖାସ୍ ଆମରି ନେତୃତ୍ୱରେ ସେହି ବିପ୍ଳବ ହେବ ବୋଲି ବଚନ ଭଣିବାରେ ଆଦୌ କୌଣସି ବିରାମ ନାହିଁ । ମାତ୍ର ତଥାପି, ଉପରକୁ ଏହିପରି ଗୋଟାଏ କୁହୁଡ଼ିବାଣ ମାରିଦେଇ ଭିତରେ ଯାହା ହେଉଛି, ତାହା କେବଳ କ୍ଷମତା ଲାଗି ହିଁ ହେଉଛି । ମଣିଷ ବିସ୍ମୃତ ହୋଇ ରହିଛି । ଦଳ ଦଳ ଭିତରେ ଦଳ ଭଙ୍ଗାଇବାର ନିକୃଷ୍ଟ ଯୁଦ୍ଧ ଲାଗିରହିଛି । ସେ ଘରୁ କେତେଟା ଓଳିଆ ଉଠାଇ ଆଣି ନିଜ ଘରେ ଭର୍ତ୍ତି କଲାପରି ସେ ଦଳରୁ କେଇଜଣଙ୍କୁ ଖସାଇଆଣି ନିଜର ଦଳଟାକୁ ବହୁମୁଣ୍ଡ କରି ଦେଖାଇବାର ନିତ୍ୟ ଫିକର ଚାଲିଛି ଏବଂ ପ୍ରାୟ ଏକ ପୂର୍ଣ୍ଣ ବୈପ୍ଳବିକ କାଇଦାରେ ଏସବୁ କରାଯାଇଛି । ତେଣେ ଶହେରେ ଅଠାନବେ ମଣିଷ ଭାଗ୍ୟକୁ ଆଦରି ଅକିଞ୍ଚନ ହୋଇ ରହିଛନ୍ତି ।

 

ଗତ ପଚିଶିବର୍ଷ ଭିତରେ ଯାହାସବୁ ହୋଇଥିଲେ ଏହି ଦେଶର ମଣିଷ ନିଜକୁ ମଣିଷ ବୋଲି ଅନୁଭବ କରିଥାନ୍ତା ଏବଂ ମନୁଷ୍ୟସୁଲଭ ଏକ ଉଜ୍ଜ୍ୱଳ ବିଶ୍ୱାସ ନେଇ ଆପଣାର ସଂସାର ଆଡ଼କୁ ଅନାଇ ପାରିଥାନ୍ତେ, ସେଗୁଡ଼ାକୁ ଏଠାରେ ସତେ ଯେପରି ଜାଣିଶୁଣି ଉପେକ୍ଷିତ କରି ରଖାଯାଇଛି । ଶିକ୍ଷା ମଣିଷର ଆଖି ଖୋଲିଦିଏ । ନୂତନ ଶିକ୍ଷା ନୂତନ ସମାଜର ଗଠନଲାଗି ସାହସ ଆଣିଦିଏ । କିନ୍ତୁ ଆମ ଦେଶରେ ଏହି ଶିକ୍ଷା ହିଁ ସବୁଠାରୁ ଅଧିକ ଅବହେଳିତ ହୋଇ ରହିଛି । ଦେଶର ସବୁ ପିଲାଙ୍କୁ ସ୍କୁଲକୁ ଆଣିବାର ସ୍ୱପ୍ନ ଆଜି ମଧ୍ୟ ସ୍ୱପ୍ନ ହୋଇ ରହିଛି । ମାତ୍ର କେତେକ ପିଲାଙ୍କୁ ଏକ ଗେଲବସରିଆ ପାଠ ପଢ଼ି ବାବୁ ହୋଇ ବସିବାଲାଗି ଏଠାରେ ଶିକ୍ଷା ନାମରେ ସବୁ ପ୍ରକାର କୁମନ୍ତ୍ରଣା ଦିଆଯାଉଛି । ଯାହାର ପଇସା ଅଛି, ପ୍ରଧାନତଃ ତାହାରି ପିଲାଏ ସଫଳ ହେବାର ପାଠ ପଢ଼ି ପାରୁଛନ୍ତି । ମାତ୍ର, ମଣିଷକୁ ଶକ୍ତିମାନ୍ କରିବାକୁ ହେଲେ ସବୁଠାରେ ଯେଉଁ ସାର୍ବଜନୀନ ଶିକ୍ଷାର ଏକାନ୍ତ ପ୍ରୟୋଜନ ରହିଛି, ଆମ ଦେଶରେ ତା’ପ୍ରତି ଉପେକ୍ଷା ହିଁ ପ୍ରଦର୍ଶନ କରାଯାଉଛି । ଫଳରେ କେତେଜଣ କୁଶିକ୍ଷିତ ବାବୁ ଏକ ଶିକ୍ଷାବଞ୍ଚିତ ଜନସମୂହ ଉପରେ ଆପଣାର ଦୌରାତ୍ମ୍ୟ ଜାହିର କରି ରଖିବା ହିଁ ସାର ହୋଇଛି । ଗୋଟାଏ ଅନ୍ୟଦେଶୀ ମହାର୍ଘ ଭାଷାକୁ ହାକିମ ଓ ପଦସ୍ଥମାନଙ୍କର ଭାଷାରେ ପରିଣତ କରି ରଖି ବୃହତ୍ତର ମନୁଷ୍ୟ ସମାଜକୁ ଅନ୍ଧାର ପିଆଇ ରଖିବାରେ ବାବୁମାନଙ୍କୁ ଅଧିକ ସାହାଯ୍ୟ ମିଳିଛି । ଶିକ୍ଷିତମାନେ ଜନଗଣଙ୍କର ସେବା କରିଛନ୍ତି, ଜନହିତୈଷୀ ନେତା ବନି ସେମାନଙ୍କୁ କେତେ ଦୟା ବି ଦେଖାଇଛନ୍ତି, ମାତ୍ର ମଣିଷ ହିସାବରେ ସେମାନଙ୍କୁ ଆପଣା ସହିତ ସ୍ୱୀକାର କରି ନେଇନାହାନ୍ତି । କୁଶିକ୍ଷା ଦ୍ୱାରା ଧର୍ଷିତ ହେଉଥିବା ଏହି ଦେଶରେ ଜଣେ ହରିଜନ ବା ଜଣେ ଆଦିବାସୀ ନିଜକୁ ଜଣେ ମଣିଷ ବୋଲି ଅନୁଭବ କରିବାକୁ ପ୍ରକୃତରେ କେତେ କମ୍ ଅବସର ପାଇଛି, ଅଥଚ ଧୋବମାନଙ୍କର ଦୟାର ପାତ୍ର ହୋଇ ରହିବା ଲାଗି ସେମାନଙ୍କୁ କେଡ଼େ ଅସଭ୍ୟ ଓ ଅରୁଚିକର ଭାବରେ ମଣ କରି ରଖାଯାଇଛି ।

 

ସରକାରୀ ତଥା ବିରୋଧୀ ଦଳର ପାରସ୍ପରିକ ସହଯୋଗରେ ଆମର ଏଠାରେ କେତେ କଅଣ ସଂସ୍କାର କରାଯାଇଛି; ଜୀର୍ଣ୍ଣ ମନ୍ଦିରର ସଂସ୍କାର କରାଯାଇଛି, ପୂର୍ବତନ ବିଧିବିଧାନର ସଂସ୍କାର ହୋଇଛି, ମାତ୍ର ଭୂମି-ସଂସ୍କାର ହୋଇପାରି ନାହିଁ, ଅର୍ଥାତ୍ ଜମିରେ କାମ କରୁଥିବା ମଣିଷର ହାତକୁ ଜମିର ମାଲିକାନା ଆସିପାରିନାହିଁ । ଦେଶର କୋଟି କୋଟି ମଣିଷ ଅନ୍ୟର ଜମିରେ କେବଳ ମୂଲିଆ ହୋଇ ଖଟୁଛନ୍ତି ଏବଂ ଦେଶର ଜନସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ନିରକ୍ଷରଙ୍କ ସଂଖ୍ୟା ବଢ଼ିବା ପରି ଭୂମିହୀନ ମୂଲିଆଙ୍କର ସଂଖ୍ୟା ମଧ୍ୟ କ୍ରମେ ବଢ଼ିବାରେ ଲାଗିଛି; ଅର୍ଥାତ୍ ଶୋଷଣ ଚଉକଷ ହୋଇ ରହିଛି, ଖଟିଖିଆ ମଣିଷକୁ ଜବତ କରି ରଖିଯାଇଛି, ଦେଶର ଉତ୍ପାଦନ ବୃଦ୍ଧି କରିବାର ମହାସମାରୋହ ଅଭିଯାନରେ ତାକୁ ଗୋଲାମ କରି ରଖାଯାଇଛି । ଦେଶରେ ବଳକା ଖାଦ୍ୟଶସ୍ୟ ଉତ୍ପନ୍ନ ହେଲାଣି, ଅଥଚ ସିଏ ଉପାସ ରହୁଛି; ତାର ପିଲାଏ ପୁଣି ସେହି ମୂଲିଆ ହେବାର ମନ୍ଦଭାଗ୍ୟ ଲାଗି ମଣ ହେଉଛନ୍ତି । ସାମାଜିକ ବିପ୍ଳବକୁ ଏଡ଼ି ଦିଆଯାଇ ଖାଲି ରାଜନୀତିକ ବିପ୍ଳବଟାକୁ ହିଁ ବଡ଼ଦାଣ୍ଡରେ ଏକମାତ୍ର ରଥ ବୋଲି ଟାଣିବାରେ ଲାଗିଥିଲେ ମଣିଷ ଠିକ୍ ଏମିତି ଉପାସୀ ହୋଇ ରହେ, ଠିକ୍ ଏମିତି ମୂଲିଆ ହୋଇ ରହିବାକୁ ବାଧ୍ୟ ହୁଏ । ବିଜ୍ଞାନର ବଡ଼ତି ହୁଏ; ମାତ୍ର ଅଧିକାଂଶ ମଣିଷଙ୍କର ଜୀବନଭୂମିକୁ ତାହା ଆଦୌ ସ୍ପର୍ଶ କରି ପାରେନାହିଁ, ତେଣୁ ତାହା ସାଆନ୍ତମାନଙ୍କର ହିଁ ସମ୍ପତ୍ତି ହୋଇ ରହେ । ବୈଜ୍ଞାନିକମାନେ ଜାତିର ଗୌରବ ବୃଦ୍ଧି କରନ୍ତି, ହାତୀଶାଳରେ ହାତୀ ହୋଇ ପୋଷା ହୁଅନ୍ତି ସତ, ମାତ୍ର ଏଠି ଅଧିକାଂଶ ମଣିଷଙ୍କ ଲାଗି ଆଦୌ କୌଣସି କାମନାରେ ଆସିପାରନ୍ତି ନାହିଁ । ଜାତିଆଣ ଭାବ ବଢ଼ିବାରେ ଲାଗିଥାଏ, ଆଞ୍ଚଳିକତାକୁ ପ୍ରଶୟ ଦିଆଯାଏ; ମାତ୍ର ମଣିଷକୁ ମଣିଷ ବୋଲି ଚିହ୍ନିବାର ଆଖିଗୁଡ଼ାକ କ୍ରମେ ହଜି ହଜି ଯାଉଥାଏ । ସମାଜ ଚାଲିଥାଏ, ମାତ୍ର ସମାଜର ଅଧିକାଂଶ ମଣିଷ ଆପଣାକୁ ସେହି ସମାଜର ଅନ୍ତର୍ଗତ ବୋଲି ମୋଟେ ଅନୁଭବ କରିପାରନ୍ତି ନାହିଁ ।

 

ଆଜି ଆମରି ଭିତରେ ଗୋପବନ୍ଧୁ ବଞ୍ଚିଥିଲେ ଏହିସବୁ ରାଜନୀତିକ ନାଟରେ ସିଏ କେବେହେଲେ ଗୋବର୍ଦ୍ଧନ ହୋଇ ରହିନଥାନ୍ତେ । ଏହିସବୁ ନାଟକୁ ସେ କେବଳ ନାଟ ବୋଲି କହିଥାନ୍ତେ ଏବଂ ମଣିଷର ଯାବତୀୟ ସଭାରେ ଏହି ନାଟୁଆମାନଙ୍କୁ ସେ କେବଳ ନାଟୁଆ ବୋଲି ଚିହ୍ନାଇ ଦେଉଥାନ୍ତେ । ବଞ୍ଚିରହିଥିଲେ ସାରା ଭାରତରେ ମହାତ୍ମା ଗାନ୍ଧୀ ଯାହା କରିଥାନ୍ତେ, ଗୋପବନ୍ଧୁ ଏଠାରେ ଠିକ୍ ସେଇଆ କରିଥାନ୍ତେ । ରାଜନୀତିକ ବିପ୍ଳବର ଅନ୍ତଃବିଦାରଣ କରି ଏକ ସାମାଜିକ ବିପ୍ଳବ ଆଡ଼କୁ ଆମ ସମସ୍ତଙ୍କର ଦୃଷ୍ଟିକୁ ମୁହାଁଇ ରଖିବାରେ ସିଏ ଏଠି ଅଗ୍ରଣୀ ହୋଇ ବାହାରିଥାଆନ୍ତେ ।

 

ତା ୩.୫.୭୨

(‘ସମାଜ’ର ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟା, ୧୯୭୨ରେ ଏହି ପ୍ରବନ୍ଧଟି କ୍ଷତବିକ୍ଷତ
ଭାବରେ ପ୍ରକାଶିତ ହୋଇଥିଲା ।)

Image

 

Unknown

ଗାନ୍ଧୀବାଦ ଓ ବିବେକ

 

ବିଚାର ବୁଢ଼ା ହେଲେ ବାଦରେ ପରିଣତ ହୁଏ । ବାଦରୁ ବିବାଦର ଜନ୍ମ ହୁଏ । ବିଚାରକୁ ଧ୍ୱଜାରେ ବାନ୍ଧି ଆମ ସଂସାରରେ ବାଦୀ ଯେତିକି ବାହାରନ୍ତି, ସେତିକି ସଂଖ୍ୟାରେ ଓ ସେତିକି ଉତ୍ସାହରେ ବିବାଦୀ ବି ବାହାରନ୍ତି । ବାଦ ଓ ବିବାଦରୁ ସମ୍ୱାଦ ବା ସମନ୍ୱୟ ଉପୁଜିବାର ଏକ ସମ୍ଭାବନା ସବୁବେଳେ ରହିଥାଏ ବୋଲି କେତେକ ଦାର୍ଶନିକ ମତ ଦେଇଥାନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ସମନ୍ୱୟ କ୍ୱଚିତ୍ ହୁଏ, ସଂଘର୍ଷଟା ହିଁ ଲାଗି ରହିଥାଏ । ସଂର୍ଘଷରେ ଶକ୍ତି ସରେ, ସମନ୍ୱୟ ଲାଗି ଆଉ ଧୈର୍ଯ୍ୟ ନଥାଏ ।

 

ଗାନ୍ଧୀବାଦର ପ୍ରକୃତ ବ୍ୟାଖ୍ୟା ବିଷୟରେ ଏପର୍ଯ୍ୟନ୍ତ ବି ଅନେକ ସଂଶୟ ଓ ମତଭେଦ ରହିଆସିଚି । ମାତ୍ର ତଥାପି ଗାନ୍ଧୀବାଦୀ ବହୁ ସଂଖ୍ୟାରେ ରହିଚନ୍ତି । ଗାନ୍ଧୀ ଜୀବନରୁ ଯିଏ ଯେତିକି ବୁଝିଚି, ସିଏ ହୁଏତ କେବଳ ସେତିକିକୁ ହିଁ ଗାନ୍ଧୀ ଜୀବନର ସାରସର୍ବସ୍ୱ ବୋଲି ଗ୍ରହଣ କରିପକାଇଚି । ଗାନ୍ଧୀ ବିଚାରର ଯେଉଁ ଦିଗଟା ବା ଯେଉଁ କଣଟା ଯାହାକି ନାନା କାରଣରୁ ବିଶେଷ ପରିମାଣରେ ଆକର୍ଷକ ମନେ ହୋଇଚି, ସେ ସେଇଟାକୁ ହିଁ ଗାନ୍ଧୀ-ବିଚାରର ସର୍ବସ୍ୱ ବୋଲି ମାନି ନେଇଚି । ବିଚାରର କ୍ଷେତ୍ରରେ ଯାହା ସଚାରଚର ହୋଇଥାଏ, ଗାନ୍ଧୀ –ଜୀବନ ତଥା ଗାନ୍ଧୀ ବିଚାରର କ୍ଷେତ୍ରରେ ମଧ୍ୟ ଅଳ୍ପବହୁତ ତାହାହିଁ ହୋଇଚି । ବିଚାରର ବହୁ କାନିରୁ ହୁଏତ କେବଳ ଗୋଟିଏ କାନି ଧରି ବା ସେଥିରୁ କେବଳ ଗୋଟିଏ ଖିଅ ସୂତା ଦୁହିଁ ଆଣି ଆମେ ସତେଅବା ସକଳ ଗୃହଟିର ଅଧିକାରୀ ହୋଇ ବସିଗଲୁ ବୋଲି ଭ୍ରମ କରିଚୁ । ଆମ ଭ୍ରମର ଚତୁର୍ଦ୍ଦିଗରେ ପାଚେରୀ ଉଠାଇଦେଇଚୁ, ସେହି ଭ୍ରମଟିକୁ ନେଇ ଗାଦୀରେ ବସାଇଦେଇଚୁ ଓ ତାହାକୁ ହିଁ ବଳିଷ୍ଠ ବୋଲି ଘୋଷଣା କରିଚୁ । ହୁଏତ ପ୍ରାୟ ଏହିପରି ଏକ ରୀତିରେ ପୃଥିବୀରେ ସବୁଠିଁ ବାଦର ସୃଷ୍ଟି ହେଇଚି । ବିଚାରରୁ ଖିଏ ଦୁହିଁ ଆଣି ବାଦର ସୃଷ୍ଟି ହୋଇଚି । ବସ୍ତ୍ରାଭାବେ ସୂତ୍ରକୁ ହିଁ ବସ୍ତ୍ର ବୋଲି ଘୋଷଣା କରାଯାଇଚି ।

 

ଗାନ୍ଧୀ ବଞ୍ଚିଥିବାବେଳେ ଅନେକ ଲୋକ ଆପଣାକୁ ଗାନ୍ଧୀବାଦୀ ବୋଲି କହୁଥିଲେ । ଠିକ୍ ସେହି ପରମ୍ପରାରେ ଆଜି ମଧ୍ୟ ଅନେକେ ଆପଣାକୁ ଗାନ୍ଧୀବାଦୀ ବୋଲି କହୁଥିବେ । ଗାନ୍ଧୀ-ଜୀବନର ପ୍ରେରଣାକୁ ଏମାନେ କେବଳ ଗାନ୍ଧୀବାଦର ତରାଜୁରେ ହିଁ ତଉଲି କରି ଦେଖୁଥିବେ । ଗାନ୍ଧୀ-ଜୀବନର ଆହ୍ୱାନକୁ ଏମାନେ ଗାନ୍ଧୀବାଦର କଷଟି ପଥର ଉପରେ ପରଖିବାକୁ ମନ ବଳାଇଥିବେ । ଗାନ୍ଧୀ ବଞ୍ଚିଥିବାବେଳେ ମଧ୍ୟ ଏମାନେ କେବଳ ଏତିକିରୁ ଆଉ ଅଧିକ କିଛି କରୁନଥିଲେ । ପରସ୍ପରଠାରୁ ଭିନ୍ନ ରୁଚି ଓ ଭିନ୍ନ ଧାତୁରେ ଗଢ଼ା ହୋଇଥିଲେ ମଧ୍ୟ ଏମାନେ ସମସ୍ତେ ଆପଣାକୁ ଗାନ୍ଧୀବାଦୀ ବୋଲି କହୁଥିଲେ । ଭିନ୍ନ ଭିନ୍ନ ବାସନା ନେଇ ବେଢ଼ା ଭିତରେ ପଶିଥିଲେ ମଧ୍ୟ ଏମାନେ ପରସ୍ପରକୁ ଗାନ୍ଧୀଗଣର ଅନ୍ତର୍ଭୁକ୍ତ କରି ଦେଖୁଥିଲେ । ଏମାନେ ସଭିଏଁ ଗାନ୍ଧୀଙ୍କୁ ମହାତ୍ମା ବୋଲି ମାନୁଥିଲେ । ମହାତ୍ମାପଦର ବୋଝରେ ଗାନ୍ଧୀଙ୍କୁ ବଡ଼ ବିବ୍ରତ କରି ରଖିଥିଲେ । ଆପଣାର ଏହି ମହାତ୍ମାପଦକୁ ଗାନ୍ଧୀ ପ୍ରକୃତରେ ଏକ ବୋଝ ବୋଲି କହିଚନ୍ତି । ଏହାକୁ ସେ ଏକ ଦୁଃଖଦାୟକ ବୋଝ ବୋଲି କହଚନ୍ତି । କେବଳ ଆପଣାର ଶକ୍ତିସୀମା ଓ ନାନା ଅକିଞ୍ଚନତା ବିଷୟରେ ନିରନ୍ତର ସଚେତ ରହି ସେ ଆପଣାକୁ ଏହି ମହାତ୍ମାପଦର ଅତ୍ୟାଚାରରୁ ବଞ୍ଚାଇ ରଖିବାରେ ସମର୍ଥ ହୋଇଛନ୍ତି; ଗାନ୍ଧୀ ନିଜେ ଏକଥା ସ୍ୱୀକାର କରିଛନ୍ତି । (୧) କୌଣସି ମଠର ଅଧୀଶ୍ୱର ହୋଇ ରହିବାକୁ ଚାହୁଁଥିଲେ ସେ କଦାପି ଏପରି କହି ପାରିନଥାନ୍ତା । ବାଦର ପ୍ରତିଷ୍ଠା ଉପରେ ଏକ ବିଜୟ ପ୍ରତିମା ରୂପେ ବ୍ୟବହୃତ ହେବାକୁ ମନ ବଳାଉଥିବା ମହାତ୍ମା ଏପରି କଥା କଦାପି କହି ପାରିନଥାନ୍ତା । ମଠର ମହନ୍ତ ବା ବଟତଳର ବାବାଜୀ ହେବାଲାଗି ଗାନ୍ଧୀଙ୍କଠାରେ କୌଣସି ଯୋଗ୍ୟତା ନଥିଲା । ସେ ମୂଳତଃ ଜଣେ ବିନୋଦନପ୍ରିୟ ବ୍ୟକ୍ତି ଥିଲେ । ଗାଦୀର ଲାଳସା ରଖିଥିବା ବ୍ୟକ୍ତି କେବଳ ଆପଣାକୁ ଛାଡ଼ି ଅବଶିଷ୍ଟ ସମସ୍ତ ସଂସାରକୁ ବ୍ୟଙ୍ଗ କରିବାରେ ଲାଗିଥାଏ । ବିନୋଦନପ୍ରିୟ ବ୍ୟକ୍ତି ସଂସାରକୁ ହସେ ନାହିଁ, ସେ ଆପଣାକୁ ହସିପାରେ-। ଆପଣାର ଶକ୍ତିସୀମାକୁ ହସିପାରୁଥିଲେ ବୋଲି ଗାନ୍ଧୀ ଅତ୍ୟୁତ୍ସାହୀ ବାଦୀ ଓ ବିବାଦୀ ତଥା ଭକ୍ତ ଓ ନିନ୍ଦୁକ ଉଭୟଙ୍କର ଉତ୍ପୀଡ଼ନରୁ ଆପଣାକୁ ବଞ୍ଚାଇ ରଖିପାରୁଥିଲେ । ନିଜ ଭିତରେ humour ଲାଗି ଅଜସ୍ର ସ୍ଥାନ ରଖିପାରିଥିବା ବ୍ୟକ୍ତି ହିଁ ଏପରି କରିପାରେ । ଅନ୍ୟମାନେ ଟଳିପଡ଼ନ୍ତି । ବଡ଼ ବଡ଼ ଦେବତାଙ୍କୁ ମଧ୍ୟ ଭକ୍ତମାନଙ୍କର ଅଧୀନ ହୋଇ ରହିବାକୁ ପଡ଼େ । ‘‘Humourର ଶକ୍ତି’’ –ଅର୍ଥାତ୍ ଆପଣାକୁ ହସି ପାରିବାର ଶକ୍ତି – ‘‘ନଥିଲେ ମୁଁ କୋଉଦିନୁଁ ଆତ୍ମହତ୍ୟା କରିସାରନ୍ତିଣି’’ – ଏକ ପ୍ରସଙ୍ଗରେ (୨) ଗାନ୍ଧୀଜୀ ଏପରି ଏକ ମନ୍ତବ୍ୟ କରିଚନ୍ତି । ଗାନ୍ଧୀ ମଣିଷ ହୋଇ ବଞ୍ଚି ରହିବାକୁ ଚାହୁଁଥିଲେ । ତେଣୁ ମହାତ୍ମାପଦର ଗ୍ରାସରେ ପଡ଼ିଯିବାକୁ ସେ ଆତ୍ମହତ୍ୟା ସଦୃଶ ମଣୁଥିଲେ ।

 

ଗାନ୍ଧୀ ଗାନ୍ଧୀବାଦୀ ନଥିଲେ, ଠିକ୍ ଯେପରି କାର୍ଲ ମାର୍କ୍‌ସ୍‌ ମାର୍କ୍‌ସ୍‌ବାଦୀ ନଥିଲେ । Thank God, I am no Marxist; –ଏପରି କହି ମାର୍କ୍‌ସ୍‌ ଆପଣାର ବିଚରଣ କ୍ଷେତ୍ରରେ ହୁଏତ ଅନେକ ଭରସା ପାଉଥିଲେ । ମଣିଷର ବିଚାର ଓ ଜୀବନ-ବେଭାରରେ ନୂତନ ପ୍ରଭାବ ଓ ନୂତନ ଆଲୋଡ଼ନ ସୃଷ୍ଟି କରିଯାଇଥିବା ବ୍ୟକ୍ତିମାନେ କେବେହେଲେ କୌଣସି ବାଦର ପ୍ରତିଷ୍ଠା କରିଯାଇନାହାନ୍ତି । ଚେଲାମାନେ ହିଁ ସେସବୁ କରିଚନ୍ତି । ଶିଷ୍ୟମାନେ ଖିଅରେ ଖିଅ ବଳି ସୂତ୍ରନିପାତ କରିଚନ୍ତି । ଗୌତମବୁଦ୍ଧ ଧର୍ମଚକ୍ରର ପ୍ରବର୍ତ୍ତନ କରିଥିଲେ, ଧର୍ମସୂତ୍ରର ପ୍ରବର୍ତ୍ତନ କରିନଥିଲେ । ଯୀଶୁଖ୍ରୀଷ୍ଟ କ୍ରୁସ୍‌ବରଣ କରିଥିଲେ, କ୍ରୁସ୍‌କୁ ନେଇ ଧର୍ମସୂତ୍ର ଗଢ଼ି ନଥିଲେ । ବୁଦ୍ଧଙ୍କ ପରେ ବୌଦ୍ଧଧର୍ମର ଉପପାଦ୍ୟ ଓ ସମ୍ପାଦ୍ୟମାନ ତିଆରି ହେଲା । ଯୀଶୁଖ୍ରୀଷ୍ଟଙ୍କ ପରେ ତାଙ୍କ ନାମରେ ଧର୍ମଗ୍ରନ୍ଥର ସଂକଳନ ହେଲା । କ୍ରୁସ୍‌କୁ ଥାପି ରଖିବା ଉଦ୍ଦେଶ୍ୟରେ ଗୀର୍ଜାମାନ ଗଢ଼ା ହେଲା । ବୌଦ୍ଧଧର୍ମକୁ ଦୁଇଫାଳ କରି ହୀନଯାନ ଓ ମହାଯାନର ଭିଆଣ ହେଲା । ଦୁଇଫାଳ କ୍ରମେ ଅନେକ ଫାଳ ହେଲା । ଦେଶ ଓ କାଳପ୍ରତି ଶ୍ରଦ୍ଧା ରଖି ନାନା ଆବଶ୍ୟକତାର ଅନୁରୋଧରେ ବଜ୍ରଯାନ ବାହାରିଲା, ପ୍ରତ୍ୟେକ ବୁଦ୍ଧଯାନ ବାହାରିଲା, ସହଜଯାନ ଓ ମହାସୁଖଯାନ ବି ବାହାରିଲା । ନାନା ବାଦର ନାଳୀ ଭିତରେ ପଡ଼ି ବୌଦ୍ଧଧର୍ମ କାଳକ୍ରମେ ଏ ଦେଶରୁ ନିଃଶେଷିତ ବି ହୋଇଗଲା । ଯୀଶୁଖ୍ରୀଷ୍ଟଙ୍କର ଆପଣା ଭୂମିରୁ ନିର୍ବାସିତ ହୋଇ ଦୂର ଇଉରୋପରେ ଖ୍ରୀଷ୍ଟଧର୍ମର ପ୍ରଥମ ଶ୍ରୀକ୍ଷେତ୍ର ତିଆରି ହେଲା । ଅଳ୍ପ କେତେ ଶତାବ୍ଦୀ ପରେ ଗୋଟିଏ ଶ୍ରୀକ୍ଷେତ୍ର ଦୁଇଟିରେ ବିଭକ୍ତ ହୋଇଗଲା । ତା’ପରେ ସେଥିରୁ କାଳକ୍ରମେ କେତେ ବାଦ ଓ ଉପବାଦର ସୃଷ୍ଟି ହେଲା । କେତେପ୍ରକାର ଲାଳନ ଓ ତାଡ଼ନର ପ୍ରକୋପରେ ପଡ଼ି ଯୀଶୁନାମରେ ପ୍ରଚାରିତ ଏହି ଧର୍ମବାଦ ଇତିହାସରେ କେତେ ପ୍ରମାଦ ଓ ଅପବାଦ କାରଣ ହେଲା ଏବଂ ସ୍ୱୟଂ ଯୀଶୁଖ୍ରୀଷ୍ଟଙ୍କ ଉପରେ ଧର୍ମସୂତ୍ରର ପଲମଟିକୁ ପରମ ଯତ୍ନରେ ଉଗାଡ଼ି ରଖିଦିଆଗଲା ।

 

ଗାନ୍ଧୀଙ୍କର ଆହ୍ୱାନ ବହୁମୁଖୀ ଥିଲା, ତାଙ୍କର କାର୍ଯ୍ୟକ୍ରମ ମଧ୍ୟ ବହୁମୁଖୀ ଥିଲା । ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ନେତୃତ୍ୱ ଏକ ଅଭିନବ ଦିଗପରିବର୍ତ୍ତନ ଆଣି ଦେଇଥିଲା-। ପ୍ରତିଷ୍ଠିତ ଶାସନ ସହିତ ଲଢ଼ିବା ଲାଗି ସେ ଏକ ଅଭିନବ ଅସ୍ତ୍ରର ପ୍ରୟୋଗ କରିଥିଲେ ଏବଂ ଆମ ସମସ୍ତଙ୍କୁ ସେଇଥିରେ ମଣ କରିବାକୁ ବାହାରିଥିଲେ । ତାଙ୍କର ରଚନାତ୍ମକ କାର୍ଯ୍ୟକ୍ରମ ଏହି ଦେଶର ଅର୍ଥାତ୍ ଆମର ସମଗ୍ର ନିର୍ମାଣ ଲାଗି ଏକ ଅଭିନବ ସ୍ପର୍ଦ୍ଧା ରଖିଥିଲା । ସିଏ ଆମକୁ ହାତରେ ସୂତା କାଟିବାକୁ କହିଲେ, ହାତବୁଣା ଖଦୀକପଡ଼ା ପିନ୍ଧିବାକୁ କହିଲେ । ପ୍ରଚଳିତ ପୁରୁଣା ଶିକ୍ଷାର ଏକ ସୁସ୍ଥ ସ୍ଥାନାପନ୍ନ ଭାବରେ ସେ ନୟୀତାଲୀମର ପ୍ରସଙ୍ଗଟିକୁ ଆଣି ଆମ ପାଖରେ ଥୋଇଲେ । ବହୁଭାଷାର ଦେଶ ଏହି ଭାରତବର୍ଷରେ ଗୋଟିକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରିନେବାକୁ ସେ ହିନ୍ଦୀ-ପ୍ରସାରର କାର୍ଯ୍ୟକ୍ରମ ରଖିଲେ । ତାଙ୍କରି ନେତୃତ୍ୱରେ ଅସ୍ପୃଶ୍ୟତା-ନିବାରଣ ସକାଶେ ହରିଜନ ଆନ୍ଦୋଳନ ଚାଲିଲା । ଭାରତର ସାମାଜିକ ଓ ରାଜନୀତିକ ଇତିହାସରେ ଗାନ୍ଧୀ ଆମକୁ ପ୍ରଥମ କରି ଗ୍ରାମାଭିମୁଖୀ ହୋଇ ଚିନ୍ତା କରିବାକୁ ଶିଖାଇଲେ । ଗାଆଁ ଲାଗି କର୍ମୀ ତିଆରି ହେଲେ । ଆମ ଦେଶରେ ନିଶାନିବାରଣର ଆନ୍ଦୋଳନ ଚାଲିଲା । ଗାନ୍ଧିଜୀଙ୍କର ଏହି ଅଭିନବ ଅଥଚ ବହୁମୁଖୀ ନେତୃତ୍ୱ ଦ୍ୱାରା ଆପଣାକୁ ଉଦ୍‌ବୁଦ୍ଧ ସୈନିକ ରୂପେ ବିଚାର କରୁଥିବା ଆମେ ସମସ୍ତେ ଆପଣା ଆପଣାର ରୁଚି ଅନୁସାରେ ଏହି ବିବିଧ କାର୍ଯ୍ୟକ୍ରମରୁ ଆପଣା ଲାଗି ଗୋଟିଏ ଗୋଟିଏ ବାଛିନେଲୁ । ଆପଣା ଦୀକ୍ଷାର ଅଧିକାର ବଳରେ ଆମେ ସମସ୍ତେ ଗାନ୍ଧୀବାଦୀ ବୋଲାଇଲୁ । ଆମ ଭିତରୁ କିଏ ରାଜନୀତିରେ ରହିଲା ତ କିଏ ଖଦୀକାମ କଲା । କେହି ମୌଳିକଶିକ୍ଷା ଚଳାଇଲା ତ କେହି ପ୍ରାକୃତିକ ଚିକିତ୍ସାର କେନ୍ଦ୍ରଟିଏ ଖୋଲି ବସିଗଲା-। କେଉଁମାନେ ହରିଜନ ସେବକସଂଘ ଗଢ଼ିଲେ ତ କୋଉମାନେ ଉପଜାତି ସେବକସଘଂ ଗଢ଼ିଲେ-। କିଏ କୁଷ୍ଠ ସେବା କଲା ତ ଆଉ କିଏ ଗୋ-ସେବାରେ ଆତ୍ମନିୟୋଜନ କଲା । ଆଉମାନେ ରାଷ୍ଟ୍ରଭାଷା ପ୍ରଚାର ସମିତି ଗଢ଼ିଲେ ଏବଂ ଆଉ କିଏ ତାଳଗୁଡ଼ ସମିତି ଗଢ଼ିଲେ । ଏ ସବୁଯାକ କାମ ଗାନ୍ଧୀକାମ ରୂପେ ଚାଲିଲା । ଗାନ୍ଧୀ ବଞ୍ଚିଥିବା ସମୟରେ ତାଙ୍କର ମାର୍ଗଦର୍ଶନରେ ଚାଲୁଥିଲା, ଗାନ୍ଧୀଙ୍କ ଅନ୍ତେ ତାଙ୍କରି ନାମରେ ଚାଲିଲା । ଗାନ୍ଧୀ ନାମରେ ବିଭୂତି ନାନା ଭେକରେ ବାଣ୍ଟି ହୋଇଗଲା । ଗାନ୍ଧୀକାମକୁ ମୁଣ୍ଡରେ ମୁଣ୍ଡାଇଥିବା ବ୍ୟକ୍ତିମାନେ ନାନା ଡିହରେ ବାଣ୍ଟି ହୋଇଗଲେ-। କିନ୍ତୁ ଏମାନେ ସମସ୍ତେ ଗାନ୍ଧୀବାଦୀ ହିଁ ବୋଲାଇଲେ । ଏମାନଙ୍କ ଭିତରେ ଆଜି ମଧ୍ୟ ପ୍ରାୟ ସେହି ପରମ୍ପରାଟି ପ୍ରଚଳିତ ରହିଛି । ଗାନ୍ଧୀ-ନେତୃତ୍ୱଦ୍ୱାରା ପରିଚାଳିତ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିବା କାଲିର ସୈନିକ ଆଜି ଗାଦୀରେ ବସି ଆପଣାକୁ ଗାନ୍ଧୀର ଅନୁଗାମୀ ବୋଲି ବିଚାରୁଛି । ସିଏ ଗାନ୍ଧୀକଥା କହୁଛି, ନିମିତ୍ତପର୍ବରେ ଗାନ୍ଧୀର ସ୍ମରଣ କରୁଚି; ଦେଶକୁ ଆଗକୁ ଚଳାଇ ନେବାର ମହାନ ଦାୟିତ୍ୱରେ ସିଏ ସ୍ୱର୍ଗତଃ ଆତ୍ମାର ଆଶୀର୍ବାଦ ମାଗୁଚି । ଯେଉଁମାନେ ଅନ୍ୟାନ୍ୟ ବହୁବିଧ କ୍ଷେତ୍ରରେ କାର୍ଯ୍ୟ କରୁଚନ୍ତି, ସେମାନେ ବି ଆପଣାକୁ ଗାନ୍ଧୀବାଦୀ ବୋଲି ସମଝୁଛନ୍ତି । ଗାନ୍ଧୀ ବଞ୍ଚିଥିବା ସମୟରେ ଗାନ୍ଧୀପ୍ରେରଣା ହିଁ ଏହିସବୁ କ୍ଷେତ୍ରକୁ ଭେଦିକରି ରହିଥିଲା-। ଗାନ୍ଧୀଙ୍କ ଅନ୍ତେ ଏମାନେ ସମସ୍ତେ ଗାନ୍ଧୀଙ୍କୁ ଆପଣାର କ୍ଷେତ୍ରଟିରେ ହିଁ ବାଡ଼ଦେଇ ରଖିବାରେ ମନ ବଳାଇଛନ୍ତି । ତେଣୁ ଗାନ୍ଧୀ ବିଚାରର ଘରେ ଆଜି କେତେ କେତେ ବାଡ଼ ପଡ଼ିଗଲାଣି । ଗାନ୍ଧୀବାଦର ବିଭେଦକ ଉତ୍ସାହରେ ଗାନ୍ଧୀ ବୁଡ଼ି ବୁଡ଼ି ଯାଇଥିଲା ପରି ଲାଗୁଚି ।

 

ବଞ୍ଚିଥିବାବେଳେ ମଧ୍ୟ ଗାନ୍ଧୀଙ୍କୁ କେତେଥର କେତେ ବାଦ ବା କେତେ ଶିବିର ଭିତରେ ଭର୍ତ୍ତି କରିନେବାର ଚେଷ୍ଟା କରାହୋଇଚି । ଗାନ୍ଧୀ ଖ୍ରୀଷ୍ଟଜୀବନ ପ୍ରତି ଗଭୀର ଶ୍ରଦ୍ଧା ରଖିଥିଲେ । ଯୀଶୁଖ୍ରୀଷ୍ଟଙ୍କର ଜୀବନପ୍ରେରଣା ତାଙ୍କୁ ନାନାଭାବେ ଅନୁପ୍ରେରିତ କରିଥିଲା । ଏଇ ସୁରାଖଟିର ସୁଯୋଗ ନେଇ କେତେ ଖ୍ରୀଷ୍ଟିୟାନ୍ ପାଦ୍ରୀ ଗାନ୍ଧୀଙ୍କୁ ଖ୍ରୀଷ୍ଟିୟାନ୍ ଧର୍ମରେ ଦୀକ୍ଷିତ କରିନେବାର ଅଭିଳାଷ ବି ପୋଷଣ କରିଥିଲେ । ହିନ୍ଦୁ ଧର୍ମର ପଙ୍କୋଦ୍ଧାର କରି ଗାନ୍ଧିଜୀ ତାହାର ପୁନରୁଦ୍ଧାର କରିବାକୁ ଚାହୁଁଥିଲେ । ସେହି ଉତ୍ସାହରେ ପଡ଼ି କେବଳ ହିନ୍ଦୁ ଧର୍ମର ବାନା ଧରି ସଂସାରଟାକୁ ଚମକାଇ ଦେବାଲାଗି ବାହାରିଥିବା କେତେ ଧର୍ମନେତା ଗାନ୍ଧୀଙ୍କୁ ଆର୍ଯ୍ୟସମାଜର ଆୟତନ ଭିତରକୁ ଆଣିବା ପାଇଁ ଚେଷ୍ଟା ବି କରିଥିଲେ । ଗାନ୍ଧୀ ଅହିଂସାକୁ ଜୀବନର ବ୍ରତରୂପେ ଗ୍ରହଣ କରିଥିଲେ । ଅହିଂସାକୁ ଏକପ୍ରକାର obsession ରୂପେ କାମୁଡ଼ି ଧରିଥିବା କେତେ ଅହିଂସାବାଦୀ ଗାନ୍ଧିଜୀଙ୍କୁ ଜୈନ ଧର୍ମରେ ଦୀକ୍ଷିତ କରିନେବାକୁ ବି ଇଚ୍ଛା ପୋଷଣ କରିଥିଲେ । ଗାନ୍ଧିଜୀଙ୍କର ଧର୍ମବାସନା ଓ ଧର୍ମଚାରଣାରୁ ତାଙ୍କୁ କେତେ ଅତିବିଶ୍ୱାସୀ ଭଗବାନଙ୍କର କଳାବିଶିଷ୍ଟ ଏକ ଅବତାର ବୋଲି ମଣିଥିଲେ । ମୋହନ ଦାସଙ୍କୁ ଅନେକ ଲୋକ ମୋହନ ଅର୍ଥାତ୍ ଶ୍ରୀକୃଷ୍ଣଙ୍କର ଅବତାର ରୂପେ ପୂଜା କରିବାରେ ଲାଗିଥିଲେ । ଗାନ୍ଧୀ ମର ଶରୀରରେ ଥାଉଁ ଥାଉଁ ତାଙ୍କ ନାମରେ ମନ୍ଦିର ତୋଳା ହୋଇସାରିଥିଲା, ତାଙ୍କର ପୂଜା ହେଉଥିଲା । କିନ୍ତୁ ଗାନ୍ଧୀ କୋଉଥିରେ ବି ଧରାଦେବାର ମଣିଷ ନ ଥିଲେ । ସେ ଏକ ବିବେକର ବାର୍ତ୍ତାବହ ହୋଇ ଆସିଥିଲେ । ତେଣୁ କୌଣସିପ୍ରକାର ଲୋଭରେ ସେ ଟଳିଯିବାର ଲୋକ ନଥିଲେ । ଗାନ୍ଧୀଙ୍କ ପରେ ଆଜି ମଧ୍ୟ ଖଦୀ ହେଉଚି, ହରିଜନ ଓ ଆଦିବାସୀଙ୍କର ସେବା ହେଉଚି । ଗୋ-ସେବା ଓ କୁଷ୍ଠସେବା ହେଉଚି । ଅହିଂସାର ପ୍ରଚାର ହେଉଚି । ପ୍ରାକୃତିକ ଚିକିତ୍ସା ହେଉଚି, ମୌଳିକ ଶିକ୍ଷା ବି ହେଉଚି । ଯିଏ ଯାହା କରୁଚି, ସିଏ ସେଇଥିରେ ହିଁ ଗାନ୍ଧୀଙ୍କୁ ବାନ୍ଧି ରଖିବାକୁ ଚାହୁଁଚି । ଗାନ୍ଧୀ ବିବେକକୁ ହଜମ କରିବା ପୂର୍ବରୁ ସେ ଗାନ୍ଧୀବାଦୀ ବୋଲାଇବାରେ ହୁଏତ ଅଧିକ ସରାଗ ଦେଖାଉଚି । ଗାନ୍ଧୀ ଫଟୋରେ ଫୁଲ ଚଢ଼ାଉଚି, ଗାନ୍ଧୀଯୁଗର କଥା ମନେପକାଇ ସେ କେତେ ବାହୁନୁଚି । ଆମର ଏହି ଯୁଗରେ କେହି ଗାନ୍ଧୀକଥା ମାନିଲେ ନାହିଁ ବୋଲି ସେ କେତେ ଅଭିଶାପ ଦେଉଚି । ଏବଂ ଆପଣାର ଗାନ୍ଧୀବାଦୀ ଗୁମ୍ଫା ଭିତରେ ସିଏ ଆପଣାକୁ ବେଶ୍ ଅମୁହାଁ କରି ରଖିଚି-। ତଥାପି ଗାନ୍ଧୀଙ୍କୁ ଧରି ରଖିପାରୁ ନାହିଁ । ଗାନ୍ଧୀଙ୍କର ରାଜନୀତିକ ଖେଳରେ ସଢ଼େଇ ଓ କଣ୍ଢେଇ ରୂପେ ବ୍ୟବହୃତ ହୋଇଥିବା କଂଗ୍ରେସ ମଧ୍ୟ ଗାନ୍ଧୀଙ୍କୁ ବାନ୍ଧି ରଖିପାରିଲା ନାହିଁ । ରାଜନୀତି-କ୍ଷେତ୍ରରେ ଗାନ୍ଧୀ ଯାହା କରୁଥିଲେ, ସବୁ କଂଗ୍ରେସର ମାଧ୍ୟମରେ ହିଁ କରୁଥିଲେ । ତଥାପି କଂଗ୍ରେସର ବାହାରେ ଥିଲେ । କଂଗ୍ରେସବାଲାଏ ତାଙ୍କୁ ହୁଏତ ଆପଣାର ତୋରାଣିକଂସା ବୋଲି ଭାବୁଥିଲେ; ସେମାନେ ଆପଣାକୁ ଗାନ୍ଧୀବାଦୀ ବୋଲାଉଥିଲେ । ଆବଶ୍ୟକତାର ଅନୁରୋଧରେ ହୁଏତ ଆଜି ମଧ୍ୟ ବୋଲାଉଚନ୍ତି । ମାତ୍ର ତଥାପି ସେମାନେ ଗାନ୍ଧୀଙ୍କୁ ବାନ୍ଧିରଖି ପାରି ନାହାନ୍ତି । ଗାନ୍ଧୀବାଦ ଗାନ୍ଧୀଙ୍କୁ ବାନ୍ଧିରଖି ପାରିନାହିଁ । ଗାନ୍ଧୀ କୋଉଦିନ ବି ଗାନ୍ଧୀବାଦୀ ନଥିଲେ । ତେଣୁ ଗାନ୍ଧୀବାଦୀମାନଙ୍କର ସିନ୍ଦୂକ ଭିତରୁ ତାଙ୍କୁ ଖୋଜି ପାଇବା କିପରି କାହାଲାଗି ସମ୍ଭବ ହୋଇ ପାରିବ ? ବଞ୍ଚିଥିବା ସମୟରେ ଗାନ୍ଧୀ ମୂଳତଃ ଏକ ବିବେକରୂପେ ବଞ୍ଚିଥିଲେ । ତାଙ୍କୁ ଅନୁଭବ କରି ପାରିବାକୁ ହେଲେ ଆଜି ମଧ୍ୟ ତାଙ୍କୁ ଗାନ୍ଧୀ ବିବେକ ମଧ୍ୟରେ ହିଁ ତଲାଶ କରିବାକୁ ପଡ଼ିବ । ଗାନ୍ଧୀ-ବିବେକର ବର୍ତ୍ତିକା ନେଇ ତାଙ୍କୁ ଆପଣା ଭିତରେ ହିଁ ତଲାଶ କରିବାକୁ ପଡ଼ିବ ।

 

ବାଦ ଯିବ, ବିବେକ ରହିଥିବ । ବାଦରୁ କେତେ କେତେ ବିବାଦ ଉପୁଜିବ, କିନ୍ତୁ ବିବେକ କାଳକାଳକୁ ଉଦ୍‌ବୋଧନ ଦେଉଥିବ । ବୌଦ୍ଧଧର୍ମ ଗଲା; କିନ୍ତୁ ବୁଦ୍ଧ-ବିବେକ ବଞ୍ଚି ରହିଲା-। ଯୀଶୁଖ୍ରୀଷ୍ଟଙ୍କୁ ନେଇ ତିଆରି ହୋଇଥିବା ଧର୍ମବାଦ ଖଣ୍ଡ ଖଣ୍ଡ ହୋଇଗଲା, କିନ୍ତୁ ଯୀଶୁ-ବିବେକ ବଞ୍ଚିରହିଲା । ବାଦର ଭୂଗୋଳ ରହିଚି, ବିବେକର କୌଣସି ଭୂଗୋଳ ନାହିଁ । ବାଦ ଅନେକାଂଶରେ କାଳଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥାଏ, ମାତ୍ର ବିବେକ କାଳକାଳକୁ ରହିଯାଏ । କେତେ ଗଢ଼େ, କେତେ ଭାଙ୍ଗେ, କେତେ କେତେ ନୂଆ ଅସନ୍ତୋଷକୁ ଜନ୍ମ ଦିଏ, କେତେ କେତେ ନୂଆ ପ୍ରବର୍ତ୍ତନାରେ ମଣିଷକୁ ଘରୁ ବାହାର କରି ନେଇଆସେ । ଏହି ଦୃଷ୍ଟିରୁ ବିଚାର କଲେ ବୁଦ୍ଧ-ବିବେକ ଆଜି ବି ପ୍ରେରଣା ଦେଉଚି । ଯେଉଁମାନେ ବୌଦ୍ଧ ବା ବୁଦ୍ଧବାଦୀ ନୁହନ୍ତି, ସେମାନଙ୍କୁ ମଧ୍ୟ ପ୍ରେରଣା ଦେଉଚି । ଦେଶ ବା ଦେଶୀୟତାରେ କୌଣସି ବାରଣ ରହୁନାହିଁ । ଯୀଶୁ–ବିବେକ ଆଜି ବି ପ୍ରେରଣା ଦେଉଚି । ତଥାକଥିତ ଅଣଖ୍ରୀଷ୍ଟିୟାନ ଜଗତକୁ ମଧ୍ୟ ପ୍ରେରଣା ଦେଉଚି । ଏହା ଅଣଖ୍ରୀଷ୍ଟିୟାନ ଗାନ୍ଧୀଙ୍କୁ ଯେତେ ପ୍ରେରଣା ଦେଇଚି, ଦରବାରୀ ଖ୍ରୀଷ୍ଟବାଦୀ କୌଣସି ପୋପ୍‌ ବା କୌଣସି ପାଦ୍ରୀଙ୍କୁ ମଧ୍ୟ ସମ୍ଭବତଃ ସେତେଦୂର ପ୍ରେରଣା ଦେଇନାହିଁ । ମାର୍କ୍‌ସ୍‌ -ବିବେକ ଆଜି ବି ପ୍ରେରଣା ଦେଉଚି । ମାର୍କ୍‌ସ୍‌ବାଦୀ କେତେ ଆସିଲେଣି, କେତେ ଗଲେଣି । ମାର୍କ୍‌ସ୍‌ବାଦର ଦଣ୍ଡାରେ କେତେ କିଆବାଡ଼ ପଡ଼ିଲାଣି । କିଆବାଡ଼ର ବହୁଳତାରେ ହୁଏତ ଦଣ୍ଡାଟା ହିଁ ଅଦୃଶ୍ୟ ହୋଇ ରହିଗଲା ପରି ଲାଗୁଚି ! ତଥାପି ମାର୍କ୍‌ସ୍‌-ବିବେକ ଆଜି ବି ପ୍ରେରଣା ଦେଉଚି । ଖାଲି ଜର୍ମାନୀରେ ନୁହେଁ କି ଖାଲି ଇଉରୋପରେ ନୁହେଁ, ଏସିଆ ଓ ଆଫ୍ରିକାରେ ମଧ୍ୟ ପ୍ରେରଣା ଦେଉଛି । କୁବେର ଘର ଆମେରିକାରେ ବି ପ୍ରେରଣା ଦେଉଚି । ମଣିଷ ହୃଦୟରେ ନୂଆ ଉଚ୍ଚାଟ ସୃଷ୍ଟି କରୁଚି । ବାଦ ଗଡ଼ଗଡ଼େଇ ଯାଉଚି, ମାତ୍ର ବିବେକ ପ୍ରେରଣା ଦେବାରେ ଲାଗିଚି । ସେହିପରି ଗାନ୍ଧୀବାଦ ମଧ୍ୟ ହୁଏତ ଗଡ଼ଗଡ଼େଇ ଯିବ, ମାତ୍ର ଗାନ୍ଧୀବିବେକ ପ୍ରେରଣା ହେଉଥିବ ।

 

ଗାନ୍ଧୀ-ବିବେକ ଯୁଗ ଯୁଗକୁ ପ୍ରେରଣା ଦେଉଥିବ । ଗୋଟାଏ ଭାରତବର୍ଷ ଭିତରେ କିମ୍ବା ତଥାକଥିତ ଗୋଟାଏ ଗାନ୍ଧୀଯୁଗ ଭିତରେ ଏହାକୁ କେହି ବାନ୍ଧି ରଖି ପାରିବ ନାହିଁ । ଗାନ୍ଧୀବାଦ ଭିତରେ ଗାନ୍ଧୀ-ବିବେକକୁ ବାନ୍ଧି ରଖିବାର ତ ପ୍ରଶ୍ନ ହିଁ ଉଠୁନାହିଁ । ଗାନ୍ଧୀ ଯିବା ଅନ୍ତେ ଏ ଦେଶର ଗାନ୍ଧିବାଦୀମାନେ ଗାନ୍ଧୀବାଦକୁ ନେଇ ପ୍ରଧାନତଃ ପାକୁଳି କରିବାରେ ହିଁ ବ୍ୟସ୍ତ ରହିଥିବା ସମୟରେ ଗାନ୍ଧୀ-ବିବେକ ଯେ କିପରି କେତେ କେତେ ଦେଶର କେତେ କେତେ ମଣିଷଙ୍କର ଜୀବନକୁ ସ୍ପର୍ଶ କରିବାକୁ ବସିଲାଣି, ସେକଥା ବିଚାର କଲେ ଆପଣା ଦେଶରେ ଅନେକ ସମୟରେ ଲଜ୍ଜିତ ହେଲାପରି ମନେହୁଏ । ମନେହୁଏ ସତେ ଯେପରି ଗାନ୍ଧୀବାଦକୁ ନେଇ ଆମେ ଏଠି ପଡ଼ିରହିଚୁ, ମାତ୍ର ଗାନ୍ଧୀ-ବିବେକ ଆମକୁ ପଛରେ ପକାଇ ଆହୁରି କେତେ କୁଆଡ଼େ ଖେଦିଗଲାଣି । କେବଳ ଗାନ୍ଧୀବାଦୀମାନେ ହିଁ ଏ ବର୍ଷ ଗାନ୍ଧୀ-ଶତବାର୍ଷିକୀ ପାଳନ କରୁନାହାନ୍ତି । ସମଗ୍ର ପୃଥିବୀ ପାଳନ କରୁଚି । ବିଶ୍ୱବାସୀ ଏକ ବିଶ୍ୱ-ବିବେକର ମାନସକୁ ପାଳନ କରୁଚନ୍ତି । ଗାନ୍ଧୀ-ବିବେକ ଆମେରିକାର ନିଗ୍ରୋମାନଙ୍କୁ ଆହ୍ୱାନ ଦେଇପାରୁଚି । ଡାକ୍ତର ମାର୍ଟିନ୍‌ ଲୁଥର୍ କିଙ୍ଗ୍‌ ଗାନ୍ଧୀବାଦୀ ନଥିଲେ । ତଥାପି ଗାନ୍ଧୀ-ବିବେକର ଆହ୍ୱାନକୁ ସେ ଆପଣାର ଆହ୍ୱାନ ବୋଲି ଗ୍ରହଣ କରିପାରିଥିଲେ । ଡାକ୍ତର କିଙ୍ଗ୍‌ ଖଦଡ଼ ପିନ୍ଧୁ ନଥିଲେ , ଆମିଷ ଭକ୍ଷଣକୁ ହିଂସା ବୋଲି କହୁ ନଥିଲେ, ମୌଳିକ ଶିକ୍ଷାରେ ତାଲିମ ନେଇନଥିଲେ । ତଥାପି ଗାନ୍ଧୀବିବେକର ଉଦ୍‌ବୋଧନକୁ ସେ ଶୁଣି ପାରିଥିଲେ । ଏହି ବିବେକ ଦ୍ୱାରା ସହସ୍ର ସହସ୍ର ମଣିଷକୁ ଉଦ୍‌ବୁଦ୍ଧ କରିପାରିଥିଲେ । ଏହିପରି ପୃଥିବୀର କେତେ କେତେ ଦେଶର ଜନତା ଆଜି ଗାନ୍ଧୀ-ବିବେକ ଦ୍ୱାରା ଉଦ୍‌ବୁଦ୍ଧ ଦେଉଚନ୍ତି । ହିଂସାରେ ଦୁଇ ଦୁଇଟା ମହାସମର ଲଢ଼ିଥିବା ମଣିଷ ଉଦ୍‌ବୁଦ୍ଧ ହେଉଚନ୍ତି, ନାସ୍ତିକ ଉଦ୍‌ବୁଦ୍ଧ ହେଉଚନ୍ତି, ଆପଣା ରାଜନୀତିକ ଅନୁରକ୍ତିର ନିର୍ବିଶେଷରେ ସେମାନେ ଏହାଦ୍ୱାରା ଉଦ୍‌ବୁଦ୍ଧ ହେଉଚନ୍ତି । ସେମାନେ ଗାନ୍ଧୀବିବେକକୁ ଆଧୁନିକ ପୃଥିବୀ ଲାଗି ସବଳତମ ନିବେଦନ ବୋଲି ବିଚାରୁଚନ୍ତି । ଆଣବିକ ଶକ୍ତିର ନିୟୋଜନ କ୍ଷେତ୍ରରେ ନାନା ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରିଥିବା ଓ ଆଣୁବୋମାର ବୈଜ୍ଞାନିକ କାରିଗରମାନଙ୍କୁ ପାଠ ପଢ଼ାଇଥିବା ମାକ୍‌ସ ବର୍‌ନ୍‌ (Max Born) ଆମ ସମସ୍ତଙ୍କ ପକ୍ଷରେ ମହାତ୍ମା ଗାନ୍ଧୀଙ୍କର ବିବେକଦ୍ୱାରା ଉଦ୍‌ବୁଦ୍ଧ ହେବା କାହିଁକି ସମ୍ଭବ ନ ହେବ ବୋଲି ଏବେ ଏକ ପ୍ରଶ୍ନ ଉତ୍‌ଥାପନ କରିଚନ୍ତି । (୩) ପରସ୍ପରକୁ ଅବିଶ୍ୱାସ କରିବା ପରିବର୍ତ୍ତରେ ପରସ୍ପରକୁ ବୁଝିବାକୁ ଚେଷ୍ଟା କରିବା, ଅପରକୁ ଦ୍ୱେଷ ନ କରି ତା’ର କୌଣସି କାର୍ଯ୍ୟରେ ଲାଗିପାରିବା ସକାଶେ ମହଜୁଦ ରହିବା ଏବଂ ଘୃଣା ପରିବର୍ତ୍ତେ ସଭିଙ୍କ ପାଇଁ ଶ୍ରଦ୍ଧା ରଖିବା, –ଆନ୍ତର୍ଜାତିକ କ୍ଷେତ୍ରରେ ଏହିସବୁ ରୀତି ଅନୁଶୀଳନ ହୋଇପାରିଲେ ଯାଇ ଆମେ ସମସ୍ତେ ବର୍ତ୍ତମାନର ବିନାଶକାରୀ ଆପନ୍ନତାରୁ ପୃଥିବୀକୁ ବଞ୍ଚାଇ ରଖିପାରିବା ବୋଲି ସେ ମତପ୍ରକାଶ କରିଚନ୍ତି ଓ ଗାନ୍ଧୀ ଏହି ରୀତିଗୁଡ଼ିକର ସଫଳ ପ୍ରୟୋଗ କରିଯାଇଚନ୍ତି ବୋଲି କହିଚନ୍ତି-

 

ଗାନ୍ଧୀବାଦ ଯେତିକି ଯେତିକି ପୁରୁଣା ହୋଇଯାଉଚି, ଅର୍ଥାତ୍ ଗାନ୍ଧୀବାଦୀମାନେ ଏ ଦେଶରେ ଯେତିକି ଯେତିକି ଏକୁଟିଆ ହୋଇଯାଉଚନ୍ତି, ବୃହତ୍ତର ସଂସାରରେ ଗାନ୍ଧୀର ଆକର୍ଷଣ ସେତିକି ସେତିକି ଆଧୁନିକ ସମଗ୍ର ଯୁଗର ଆକର୍ଷଣ ବୋଲି ମନେହେଉଛି । ଗାନ୍ଧୀବିବେକ କ୍ରମେ ବିଶ୍ୱବିବେକରେ ରୂପାନ୍ତରିତ ହୋଇ ଚାଲିଚି । ପୁରୁଣା ଓ ପ୍ରତିଷ୍ଠିତ ଅନେକ ବିବେକ ଅତ୍ୟୁତ୍ସାହୀ ଅବିବେକୀମାନଙ୍କ ହାତରେ ପଡ଼ି କାଳକ୍ରମେ ଏକ ବାଦରେ ଅବଶିଷ୍ଟ ରହିଯାଉଥିବାବେଳେ ଓ ତେଣୁ ନିଷ୍ପ୍ରଭ ହୋଇ ପଡ଼ୁଥିବାବେଳେ ଗାନ୍ଧୀ-ବିବେକ ଯେ ବାଦର ସକଳ ବିଚ୍ଛିନ୍ନତାକୁ ଡେଇଁ ଏଯୁଗର ଓ ପୃଥିବୀଯାକ ମଣିଷଙ୍କର ନବୀନତମ ବିବେକ ରୂପେ ସ୍ୱୀକୃତ ହେବାକୁ ଯାଉଚି, ଏହାର କାରଣ କ’ଣ ? ଗାନ୍ଧୀବିବେକ କହିଲେ ଆମେ ପ୍ରଧାନତଃ କ’ଣ ବୋଲି ବୁଝିବା ? ଏହାର ସ୍ଥାୟୀ ଭାବରୂବେ ଆମେ ପ୍ରଧାନତଃ କେଉଁ ଆକାଙ୍‌କ୍ଷାଗୁଡ଼ିକୁ ଚିହ୍ନି ରଖିବା ? ଗାନ୍ଧୀ ନୀତି କହିଲେ ଗାନ୍ଧୀବାଦକୁ ନ ବୁଝାଇ ଯଦି ମୂଳତଃ ଗାନ୍ଧୀ ବିବେକକୁ ହିଁ ବୁଝାଇବା ଉଚିତ, ତେବେ ଆମେ ସେହି ନୀତିର କିପରି ବ୍ୟାଖ୍ୟା କରିବା ? ଆମ ହୃଦୟରେ ସେହି ନୀତି ପ୍ରଧାନତଃ କେଉଁ ସ୍ତରର ଆହ୍ୱାନମାନ ଦେଇଯିବ ? ଭାରତବର୍ଷର ବ୍ୟାବହାରିକ ପରମ୍ପରାରେ ନୀତି କହିଲେ ସାଧାରଣତଃ ‘ନେତି ନେତି’ର ଏକ ଅଭାବାତ୍ମକ ଚିତ୍ତବୃତ୍ତିକୁ ହିଁ ବୁଝାଇଥାଏ । କ’ଣ କରିବା ଉଚିତ, ସେ ଆଡ଼କୁ ବେଶୀ ଆଗ୍ରହ ନ କରି କ’ଣ ନ କରିବା ଉଚିତ, ଆମେ ତାହାରି ଉପରେ ଅଧିକ ଧ୍ୟାନ ଦେଇଥାଉ-। ଆମ ପିଲାଏ ଘରେ ବାପମାଆଙ୍କଠାରୁ ଏଇଆ ଶୁଣନ୍ତି, ମାଷ୍ଟରଙ୍କର ଶାସନ ବି ସେମାନଙ୍କୁ ଏହିପରି ଏକ ନକାରାତ୍ମକ ବୁଦ୍ଧିରେ ମଣ କରିଥାଏ । ଧର୍ମ କହିଲେ ଆମେ ଅଧିକାଂଶତଃ ନିଷେଧଗୁଡ଼ାକୁ ହିଁ ବୁଝିଥାଉ, ଗୁଣ କହିଲେ ଦୁର୍ଗୁଣ ଗୁଡ଼ାକର ବର୍ଜନକୁ ବୁଝିଥାଉ । ଏହା ଆମର ଦୁର୍ଭାଗ୍ୟ । ସେହି ପାରମ୍ପରିକ ରୀତିରେ ପଡ଼ି ଆମେ ଆମର ପୁରୋଗାମୀମାନଙ୍କୁ ମଧ୍ୟ ମୂଳତଃ ଏକ ନକରାତ୍ମକ ତରାଜୁରେ ତଉଲି ଦେଖିବାର ଦୀନତା ଦେଖାଇଥାଉ । ଗାନ୍ଧୀ ଆମକୁ ଯାହାସବୁ ନ କରିବାକୁ କହିଯାଇଚନ୍ତି, ଗାନ୍ଧୀନୀତି କହିଲେ ଆମେ ଅଧିକାଂଶ ସମୟରେ ଆଗ ସେଇଗୁଡ଼ାକୁ ହିଁ ମନେ ପକାଇଥାଉ । ଗାନ୍ଧୀ କହିଛନ୍ତି, ମିଲ୍ ଲୁଗା ପିନ୍ଧିବ ନାହିଁ; ଗାନ୍ଧୀ କହିଛନ୍ତି ମନ୍ଦ ଦେଖିବ ନାହିଁ, ମନ୍ଦ ଶୁଣିବ ନାହିଁ କି ମନ୍ଦ କହିବ ନାହିଁ; ଗାନ୍ଧୀ କହିଛନ୍ତି, ମିଛ କହିବ ନାହିଁ; ଗାନ୍ଧୀ କହିଛନ୍ତି, ହିଂସା କରିବ ନାହିଁ; ଇତ୍ୟାଦି ଇତ୍ୟାଦି । ସ୍ୱାଧୀନତା ସଂଗ୍ରାମ ବେଳର ଗାନ୍ଧୀଙ୍କ କଥା ମନେ କଲେ ବିଦେଶୀ-ବର୍ଜନ, ଅସହଯୋଗ ଓ ଆଇନ ଅମାନ୍ୟ ପ୍ରଭୃତି ନକାରାତ୍ମକ କଳ୍ପନାଗୁଡ଼ାକ ହିଁ ଆମର ଆଗେ ମନେ ପଡ଼ିଯାଏ । ଇତିହାସର ଆବଶ୍ୟକତା ଓ ଗାନ୍ଧୀ-ଅନୁଗାମୀମାନଙ୍କର ପ୍ରାଦୁର୍ଭାବରେ ପଡ଼ି ଗାନ୍ଧୀବାଦ ଆମକୁ ହୁଏତ ନକାରାତ୍ମକ ମନେ ହୋଇପାରେ, ମାତ୍ର ଗାନ୍ଧୀ-ବିବେକ କଦାପି ନକାରାତ୍ମକ ନୁହେଁ । ବାଦ ନକରାତ୍ମକ ହୋଇପାରେ; ମାତ୍ର ଯଥାର୍ଥ ବିବେକ କଦାପି ପୁରୁଣା ହୋଇଯାଏ ନାହିଁ । ଯୁଗର ଆବେଦନ ଅନୁସାରେ ବିବେକ ନୂଆ ନୂଆ ବ୍ୟଞ୍ଜନା ଓ ନୂଆ ନୂଆ ନିହିତାର୍ଥରେ ଅନୁଭୂତ ହେବାରେ ଲାଗିଥାଏ, ନୂଆଭାବେ ପ୍ରେରିତ କରିବାରେ ଲାଗିଥାଏ ।

 

 

ଗାନ୍ଧୀ ମଣିଷକୁ ମଣିଷ ଭଳି ଦେଖିବାକୁ ଚାହୁଁଥିଲେ । ସବୁ ମଣିଷଙ୍କ ଭିତରେ ଭଗବାନଙ୍କର ସତ୍ତା ରହିଚି ବୋଲି ଅନୁଭବ କରୁଥିଲେ । ତେଣୁ ମଣିଷକୁ ଚରମ ବୋଲି ମାନୁଥିଲେ । ମଣିଷକୁ ଯଥାର୍ଥରେ ମଣିଷ ହେବାକୁ ଦେଇପାରୁଥିବା ସମାଜ-ବ୍ୟବସ୍ଥାକୁ ସେ ଆଦର୍ଶ ବ୍ୟବସ୍ଥା ବୋଲି ମାନୁଥିଲେ । ଏହି ଜୀବନଦୃଷ୍ଟିକୁ ଦାର୍ଶନିକ ପରିଭାଷାରେ Humanism ବା ମାନବତାବାଦ ବୋଲି କୁହାଯାଇଥାଏ । ଏହି ମାନବତାବାଦକୁ ନେଇ ମଧ୍ୟ ପୃଥିବୀରେ ଅନେକ ବ୍ୟକ୍ତି ଗୋଷ୍ଠୀ ଗଢ଼ିଛନ୍ତି, ବିବେକ ହରାଇଛନ୍ତି । ଏଭଳି ବାଦୀ ଓ ବିବାଦୀମାନଙ୍କଠାରୁ ଗାନ୍ଧୀଦୃଷ୍ଟି ଯୋଜନ ଯୋଜନ ଦୂରରେ ରହିଥିଲା । ଗାନ୍ଧୀ ମଣିଷକୁ ଚାହୁଁଥିଲେ, ଅର୍ଥାତ୍ ପ୍ରତ୍ୟେକ ମଣିଷ ଭିତରେ ଅନ୍ତର୍ନିହିତ ଗୁଣଗୁଡ଼ିକର ପରିପୂର୍ଣ୍ଣ ବିକାଶ ଚାହୁଁଥିଲେ । ଏହି ବିକାଶକୁ ସମ୍ଭବ କରିବା ପାଇଁ ପ୍ରତ୍ୟେକ ମଣିଷର ଯେଉଁ ସ୍ୱାଧୀନତା ରହିବା ଆବଶ୍ୟକ, ସ୍ୱାଧୀନତା କହିଲେ ଗାନ୍ଧୀ ମୂଳତଃ ସେହି ସ୍ୱାଧୀନତାକୁ ହିଁ ବୁଝୁଥିଲେ । ଏହି ବିକାଶ ଲାଗି ଆମ ସମାଜରେ ଯେଉଁ ଅନୁକୂଳ ବାତାବରଣ ମହଜୁଦ ହୋଇ ରହିବା ଆବଶ୍ୟକ, ଗାନ୍ଧୀ ସମାଜକୁ ସେହିପରି ଏକ ବାତାବରଣର ଅନୁକୂଳ କରି ଗଢ଼ିବାକୁ ଚାହୁଁଥିଲେ । ରାଜନୀତି, ଅର୍ଥନୀତି, ଓ ସମାଜନୀତି ଜରିଆରେ ସେ ମଣିଷକୁ ହିଁ ଚାହୁଁଥିଲେ । ଆପଣାର ଧର୍ମନୀତି ଜରିଆରେ ମଧ୍ୟ ସେ ମୂଳତଃ ମଣିଷକୁ ଚାହୁଁଥିଲେ । କାରଣ ମଣିଷ ବ୍ୟତିରେକେ ଅର୍ଥାତ୍ ମଣିଷକୁ ଅସ୍ୱୀକାର କରି ସେ କୌଣସି ଧର୍ମସଂସ୍ଥାପନାର କଳ୍ପନା ହିଁ କରିପାରୁନଥିଲେ । ଗରିବ ପାଖକୁ ଆସିବାକୁ ହେଲେ, ଅର୍ଥାତ୍ ଗରିବର ଜୀବନରେ ଏକ ସତ୍ୟରୂପେ ଅନୁଭୂତ ହୋଇପାରିବାକୁ ହେଲେ ଭଗବାନଙ୍କୁ ଆପଣାର ଭଗବଦ୍‌ବେଶ ଛାଡ଼ି ରୁଟି ଓ ଭାତର ବେଶରେ ହିଁ ଯେ ଆସିବାକୁ ପଡ଼ିବ, ଓଡ଼ିଶାର ଏକ ଜନସଭାରେ ଗାନ୍ଧୀଜୀ ଏକଥା କହିଥିଲେ । କେବଳ ଗାନ୍ଧୀ ଏକଥା କହିପାରିଲେ, କାରଣ ସେ ଭଗବାନଙ୍କୁ ମଣିଷର ଜରିଆରେ ହିଁ ଦେଖୁଥିଲେ । ମଣିଷର ଜୀବନରେ ହିଁ ସେ ଭଗବାନଙ୍କୁ ପରିପୂର୍ଣ୍ଣ ହେବାର ଦେଖିବା ଲାଗି ଆକାଙ୍‌କ୍ଷା ରଖିଥିଲେ । ଏହି ମୂଳ ବିବେକଟିକୁ ବୁଝିଲେ ଆମେ ଗାନ୍ଧୀଙ୍କର ରାଜନୀତି, ଅର୍ଥନୀତି ଓ ଧର୍ମନୀତିର ମର୍ମପ୍ରବେଶ କରିପାରିବା । ତାଙ୍କୁ ରାଜନୀତିର ଛଦ୍ମ ବେଶ ପିନ୍ଧିଥିବା ଜଣେ ସନ୍ଥ କିମ୍ବା ଧର୍ମର ଛଦ୍ମ ବେଶ ପିନ୍ଧିଥିବା ଜଣେ ରାଜନୀତିଜ୍ଞ ବୋଲି କହିବାକୁ ଆଉ ମନ ବଳାଇବା ନାହିଁ । ସବୁ ମଣିଷଙ୍କର ଆଖିରୁ ସବୁ ଲୁହକୁ ପୋଛି ନେଇପାରିବା ଯଥାର୍ଥ ରାଜନୀତିର ଲକ୍ଷ୍ୟ ହେବା ଉଚିତ ବୋଲି ଗାନ୍ଧୀ ବାରବାର କହିଚନ୍ତି । ରାଜନୀତି ଯେପରି ଚାହିଁବ, ମଣିଷକୁ ସେପରିଭାବେ ବ୍ୟବହାର କରିପାରିବ, ଜାତୀୟତା ଓ ଦେଶର ନାଆଁରେ ମଣିଷକୁ ବଳି ଦିଆଯିବ, ଆର୍ଥିକ ସମୃଦ୍ଧି ଲାଗି ମଣିଷକୁ ମେସିନ୍ କରିଦିଆଯିବ, -ଗାନ୍ଧୀବିବେକ ଏଗୁଡ଼ାକୁ କେବଳ ଅବିବେକ ବୋଲି କହିବ, ମଣିଷ ପ୍ରତି ଅପମାନ ବୋଲି କହିବ । ବିଜ୍ଞାନ ମଣିଷ ଲାଗି, ମଣିଷ ବିଜ୍ଞାନ ଲାଗି ନୁହେଁ; ମଣିଷ ଲାଗି ଆଦର୍ଶ, ଆଦର୍ଶ ଲାଗି ମଣିଷ ନୁହେଁ; ସମୃଦ୍ଧି ମଣିଷ ଲାଗି, ମଣିଷ ସମୃଦ୍ଧି ଲାଗି ନୁହେଁ, –ଏହାହିଁ ଆମ ଆଧୁନିକ ସଂସାରର ବିବେକ, ଏହା ହିଁ ଆଧୁନିକତମ ବିବେକ–ଭବିଷ୍ୟତ ମଣିଷ ସଂସାରର ବିବେକ । ଏକ ପ୍ରବନ୍ଧରେ କାର୍ଲ ମାର୍କ୍‌ସ୍ ମଣିଷର ମଣିଷତ୍ୱକୁ ତା’ର ନାଗରିକତ୍ୱଠାରୁ ଉଚ୍ଚତର ଓ ମହତ୍ତର ବୋଲି କହିଛନ୍ତି । ଗାନ୍ଧୀ ମଧ୍ୟ ମଣିଷକୁ ଯେକୌଣସି ଅନୁଷ୍ଠାନରୁ ବଡ଼ ବୋଲି କହିଛନ୍ତି । ଆପଣାର ପ୍ରକଳ୍ପିତ ନୂତନ ଶିକ୍ଷା ବ୍ୟବସ୍ଥାରେ ଗାନ୍ଧୀ ପିଲାର ବ୍ୟକ୍ତିତ୍ୱକୁ ହିଁ ଯଥୋଚିତ ସମ୍ମାନ ଦେଖାଇବା ଅର୍ଥାତ୍ ପିଲା ଭିତରେ ରହିଥିବା ବିକଶମାନ ମଣିଷକୁ ହିଁ ସର୍ବୋଚ୍ଚ ସମ୍ମାନାସ୍ପଦ ଭାବେ ଗ୍ରହଣ କରିବାକୁ ସକଳ ଶିକ୍ଷାବିଚାରର ହୃଦୟ ବୋଲି ମାନିଚନ୍ତି । -ଏଯୁଗରେ ମଧ୍ୟ ଗାନ୍ଧୀ ବିବେକର ଆବଶ୍ୟକତା ଓ କାର୍ଯ୍ୟକାରିତା ରହିଚି ବୋଲି ଉପଲ୍‌ଧି କରିବା ମାତ୍ରକେ ଗାନ୍ଧୀଙ୍କର ଶିକ୍ଷା-ବିଚାର ଯେ ଆମକୁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଅନୁଭୁତ ହେବ, ଜଣେ ସମୀକ୍ଷକ ଏବେ ଇଂଲଣ୍ଡରେ ଏପରି ଏକ ମତ ଦେଇଛନ୍ତି । (୪) ଗାନ୍ଧୀ ଶିକ୍ଷାବିବେକ ମଣିଷକୁ ହିଁ କେନ୍ଦ୍ରବିନ୍ଦୁ ରୂପେ ଦେଖୁଥିଲା, ମଣିଷକୁ ହିଁ କ୍ଷେତ୍ରଜ୍ଞ ରୂପେ ପ୍ରତିଷ୍ଠିତ କରିବାର ଅଭିଳାଷ ରଖିଥିଲା ।

 

ଆଧୁନିକ ବିଚାରର ଜଗତରେ ଗାନ୍ଧୀ-ବିବେକର ଏକ ସମାନ୍ତର ଖୋଜି ବସିଲେ କାର୍ଲ୍‌ ମାର୍କ୍‌ସ୍‌ଙ୍କର ବିଚାରଗୁଡ଼ିକ ହିଁ ଆମ ଆଖି ଆଗକୁ ଆଗ ଆସିଯାଏ । ମାର୍କ୍‌ସ୍‌ ମଧ୍ୟ ମଣିଷକୁ ଲୋଡ଼ିଥିଲେ । ମଣିଷକୁ ଅସ୍ୱୀକାର କରି ଚତୁର୍ଦ୍ଦିଗରେ ଐଶ୍ୱର୍ଯ୍ୟବୃଦ୍ଧିର ହର୍ମ୍ୟମାନ ନିର୍ମାଣ କରାଯାଉଥିବାବେଳେ କାର୍ଲ୍‌ ମାର୍କ୍‌ସ୍‌ ମୂଳତଃ ମଣିଷକୁ ଲୋଡ଼ିବାର ସାହସ ଦେଖାଇଥିଲେ । ନୂଆ ଯନ୍ତ୍ରବିଜ୍ଞାନ ସାହାଯ୍ୟରେ ଲୋଭୀବର୍ଗମାନେ ମଣିଷକୁ ବଳି ଦେଇ ଲକ୍ଷ୍ମୀଲାଭ କରିବାର ପ୍ରମତ୍ତ ସ୍ଲୋଗାନ୍‌ ଦେଉଥିବାବେଳେ କାର୍ଲ ମାର୍କ୍‌ସ୍‌ ମଣିଷକୁ ବିଜ୍ଞାନଭୂମିର ଅନ୍ତର୍ଗତ କରି ଦେଖିବାର ଆହ୍ୱାନ ଦେଇଥିଲେ । ମଣିଷର ଅଭ୍ୟୁଦୟ ଲାଗି ବିଜ୍ଞାନର ବ୍ୟବହାର କରାଯାଉ ବୋଲି ସେ ଦାବୀ କରିଥିଲେ । ଅର୍ଥନୀତି ଓ ରାଜନୀତି ସମ୍ବନ୍ଧରେ ଆପଣାର ସକଳ ଯୋଜନାରେ ସେ ମଣିଷକୁ ହିଁ ସ୍ୱାଧୀନ ଦେଖିବାକୁ ଚାହୁଁଥିଲେ । ଏଇଟା କରିବି ବା ଏଇଟା କରିବି ନାହିଁ, ଏଇଟାକୁ ମାନିବି ବା ଏଇଟାକୁ ମାନିବି ନାହିଁ,- କେବଳ ଏତିକି ବିଷୟରେ ସ୍ୱାଧୀନତାକୁ ମାର୍କ୍‌ସ୍‌ ଏକ ନକାରାତ୍ମକ ସ୍ୱାଧୀନତା ବୋଲି କହିଚନ୍ତି । ଆପଣାର ପ୍ରକୃତ ବ୍ୟକ୍ତିତ୍ୱକୁ ପରିପୂର୍ଣ୍ଣ ରୂପେ ପ୍ରକାଶିତ କରିବାର ସ୍ୱାଧୀନତାକୁ ସେ ମଣିଷ ଲାଗି ସକାରାତ୍ମକ ବା ଅସଲ ସ୍ୱାଧୀନତା ବୋଲି ମାନିଚନ୍ତି । (୫) ଆମ ସମାଜ ମଣିଷକୁ ସେହି ସ୍ୱାଧୀନତା ଦେଇପାରିନାହିଁ, ଏହି ବିକ୍ଷୋଭ ହିଁ କାର୍ଲ୍‌ ମାର୍କ୍‌ସ୍‌ଙ୍କୁ ଏ ଯୁଗର ଜଣେ ବିପ୍ଳବୀ ବିଚାରକ ରୂପେ ଅବତୀର୍ଣ୍ଣ କରାଇଚି । ଏହି ସମାଜରେ ମଣିଷର ଶାସନ ପରିବର୍ତ୍ତେ ଖାଲି ବର୍ଗର ଶାସନ ଚାଲିଛି । ଗୋଟାଏ ବର୍ଗ ଆଉଗୋଟାଏ ବର୍ଗର ଶୋଷଣ କରିବାରେ ଲାଗିଚି । ଶାସକ ଓ ଶାସିତ ଉଭୟେ ମଣିଷ ହେବାର ସୌଭାଗ୍ୟଲାଭରୁ ବଞ୍ଚିତ ହୋଇ ରହିଚନ୍ତି । ଯେଉଁସବୁ ବିବେକହୀନ ବ୍ୟବସ୍ଥା ମଣିଷକୁ ନାନାଭାବେ ପଦଦଳିତ, ବଞ୍ଚିତ, ଲାଞ୍ଛିତ ଓ ଦାସ କରି ରଖିଚି, କାର୍ଲ୍‌ ମାର୍କ୍‌ସ୍‌ ସେହିସବୁ ବ୍ୟବସ୍ଥାକୁ ଭାଙ୍ଗି ଦେବାକୁ ଓ ମଣିଷ ଲାଗି ଏକ ଯୋଗ୍ୟ ବାତାବାରଣ ତିଆରି କରିବାକୁ ଆହ୍ୱାନ ଦେଇଥିଲେ । ଏହି କାୟାପାଲଟାକୁ ସେ ସାମାଜିକ ବିପ୍ଳବ ବୋଲି କହୁଥିଲେ । ରାଜନୀତିକ ବିପ୍ଳବ ଓ ସାମାଜିକ ବିପ୍ଳବ ମଧ୍ୟରେ ରହିଥିବା ପାର୍ଥକ୍ୟଟିକୁ ମାର୍କ୍‌ସ୍‌ ଅତ୍ୟନ୍ତ ସ୍ପଷ୍ଟଭାବରେ ଦର୍ଶାଇ ଦେଇଚନ୍ତି । ରାଜନୀତିକ କ୍ଷମତା ହାସଲ କରିବା ଲାଗି ସତ୍ତାରେ ନ ଥିବା ଦଳ ସତ୍ତାରୂଢ଼ ଦଳ ବିରୁଦ୍ଧରେ ଯେଉଁ ସଂଗ୍ରାମ କରେ, ତାହା ହେଉଚି ରାଜନୀତିକ ବିପ୍ଳବ । ମାତ୍ର ରାଜନୀତିକ ବିପ୍ଳବ ହୋଇଗଲେ ହିଁ ସାମାଜିକ ବିପ୍ଳବ ଆପେ ଆପେ ହୋଇଯାଏ ନାହିଁ । ମାର୍କ୍‌ସ୍‌ ଆପଣାର ଭାଷାରେ ସାମାଜିକ ବିପ୍ଳବକୁ ‘ଅମାନୁଷିକ ଜୀବନ ବିରୁଦ୍ଧରେ ମଣିଷର ଏକ ପ୍ରତିବାଦ’ ବୋଲି କହିଚନ୍ତି । ଏହାକୁ ସେ ଏକ ମାନବିକ ପ୍ରତିବାଦ (a human protest against an inhuman life) ବୋଲି କହିଚନ୍ତି । (୬) ବର୍ତ୍ତମାନ ସମାଜ ନାନା ବର୍ଗ ଓ ନାନା ପାହାଚରେ ବିଭକ୍ତ ହୋଇ ରହିଚି । ଏହି ସମାଜରେ ମଣିଷ ମଣିଷ ହିସାବରେ ନୁହେଁ, ଏକ ପଣ୍ୟ ହିସାବରେ ବ୍ୟବହୃତ ହେଉଚି । କିଣାବିକାର ଏକ ପଣ୍ୟ ହିସାବରେ ମଣିଷର ମୂଲ୍ୟ କରାଯାଉଚି । କାର୍ଲ୍‌ ମାର୍କ୍‌ସ୍‌ଙ୍କ କଳ୍ପନା ଅନୁସାରେ ସମାଜରୁ ଏହି ବର୍ଗ-ନ୍ୟାୟର ବିଲୋପ ଘଟିଲେ ଯାଇ ମଣିଷ ଆପଣାର ମଣିଷତ୍ୱକୁ ପୁନର୍ବାର ଫେରିପାଇବ । (Loses his commodity status and regains his humanity) ମଣିଷରୂପେ ପୁନର୍ଜନ୍ମ ଲାଭ କରି ସେ ଆପଣାର ପରିବେଶକୁ ଏପରି ଭାବରେ ଗଢ଼ିବାକୁ ସମର୍ଥ ହେବ, ଯାହା ଫଳରେ କି ସେ ଏଠି ପ୍ରକୃତ ମଣିଷର ଜୀବନ ବଞ୍ଚିପାରିବ । ଆପଣାକୁ ଜଣେ ମଣିଷ ବୋଲି ଭାବିପାରିବ ଏବଂ ଆପଣାର ଅସଲ ବ୍ୟକ୍ତିତ୍ୱର ଯଥାର୍ଥ ପ୍ରତିଷ୍ଠା କରିପାରିବ । ସେ ସେତେବେଳେ ଯାଇ ଅସଲ ସ୍ୱଭାବର ଭୂମି ଉପରକୁ ଯଥାର୍ଥଭାବେ ଫେରି ଆସିପାରିବ, ଜଣେ ସମଗ୍ର ମାନବରୂପେ ଜୀବନ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରିବ । (୭) ଗାନ୍ଧୀଜୀ ମଧ୍ୟ ଏଠାରେ ଏକ ସାମାଜିକ ବିପ୍ଳବ ଚାହୁଁଥିଲେ । ରାଜନୀତିକ ବିପ୍ଳବ ଅପେକ୍ଷା ସାମାଜିକ ବିପ୍ଳବ ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ । ରାଜନୀତିକ ସ୍ୱାଧୀନତା ଆସିବାର ପୂର୍ବରୁ ମଧ୍ୟ ଗାନ୍ଧୀ ଏହି ଦେଶ ଲାଗି ଏକ ଆଦର୍ଶ ସମାଜର ସ୍ୱପ୍ନ ଦେଖୁଥିଲେ । ଭାରତୀୟ ସମାଜ ଓ ଭାରତୀୟ ରାଜନୀତିରେ ମାନବିକତାର ପ୍ରେରଣା ଆଣି ଦେଇଥିବା ଦୃଷ୍ଟିରୁ ଗାନ୍ଧୀଜୀଙ୍କୁ ହୁଏତ ସର୍ବପ୍ରଥମ ସ୍ଥାନ ଦେବାକୁ ହେବ । ମାନବିକତାର ପ୍ରେରଣା ଅର୍ଥାତ୍‌ ମଣିଷ ପରି ଜୀବନ ବଞ୍ଚିବାର ପ୍ରେରଣା, ସମାଜକୁ ମଣିଷ ଲାଗି ଗଢ଼ିବାର ପ୍ରେରଣା ଏବଂ ସେଥିଲାଗି ବର୍ତ୍ତମାନ ସମାଜରେ ରହିଥିବା ସକଳ ପ୍ରକାର ବାଧା ଦୂର କରିବା ସକାଶେ ଏକ ମାନବିକ ବ୍ୟଗ୍ରତା । ମଣିଷ–ସେ ଆଜି ଯେତେ ପଦଦଳିତ ଓ ପ୍ରପୀଡ଼ିତ ହୋଇ ରହିଥାଉ ପଛକେ–ସିଏ ଯେ ତଥାପି ମଣିଷ ପରି ବଞ୍ଚିବାର ଆଶା ରଖିପାରିବ, ସିଏ ଯେ ବର୍ତ୍ତମାନର ଅନ୍ୟାୟଗୁଡ଼ାକୁ ହଟାଇ ଦେଇପାରିବ, ଊନବିଂଶ ଶତାବ୍ଦୀରେ କାର୍ଲ୍‌ ମାର୍କ୍‌ସ୍‌ ଏହି ସ୍ୱପ୍ନ ଦେଖିଥିଲେ । ସେ ଆପଣାର ଯୁଗକୁ ଏହି ସ୍ୱପ୍ନରେ ଉଦ୍‌ବୁଦ୍ଧ କରିଥିଲେ । ବିଂଶ ଶତାବ୍ଦୀରେ ଗାନ୍ଧୀ ମଣିଷସମାଜ ଲାଗି ସେହି ବିଶ୍ୱାସର ପ୍ରତୀକ ହୋଇ ରହିଚନ୍ତି । କେବଳ ଗୋଟାଏ ଦେଶରେ ନୁହେଁ, ପୃଥିବୀର ସବୁ କଣରେ ସେ କୋଟି ମଣିଷଙ୍କର ନିଦ ଭଙ୍ଗାଇଚନ୍ତି । ଆଜି ପୃଥିବୀର ନାନା ଦେଶରେ ଓ ନାନା କ୍ଷେତ୍ରରେ ଦୁର୍ବଳ ଓ ଶୋଷିତ ମଣିଷବର୍ଗ ଗାନ୍ଧୀ–ବିବେକରୁ ନୂଆ ବଳ ପାଇବାକୁ ଆରମ୍ଭ କଲେଣି । ଆଜି ସମଗ୍ର ପୃଥିବୀଲାଗି ଗାନ୍ଧୀ ଅଭୟର ପ୍ରତୀକ ହୋଇ ରହିଛନ୍ତି, ସିଏ ଆମ ପୃଥିବୀର ଭୀରୁତାକୁ ଭାଙ୍ଗି ଦେଇଛନ୍ତି । ହିଂସା ହେଉ କି ଅହିଂସା ହେଉ, ଭୀରୁ ମଣିଷ ଯେ କଦାପି କୋଉଠି କିଛି ହେଲେ କରିପାରିବ ନାହିଁ, ଆମ ସମସ୍ତଙ୍କୁ ଗାନ୍ଧୀ ସେହି ବିଷୟରେ ଚେତାଇ ଦେଇ ଯାଇଛନ୍ତି । ସିଏ ଆମକୁ ଆମର ଅସଲ ବଳର ପରିଚୟ ଦେଇ ଯାଇଚନ୍ତି । ଏହି ଅସଲ ବଳର ପରିଚୟ ପାଇଲେ ମଣିଷ ଆଉ କାହାରି ପଣ୍ୟରୂପେ ବ୍ୟବହୃତ ହେବ ନାହିଁ, କୋଉ ଆଦର୍ଶ ଲାଗି କଦାପି ବଳି ପଡ଼ିବ ନାହିଁ । ସେ ମଣିଷର ଶକ୍ତିରେ ମୁଣ୍ଡ ଟେକି ଠିଆ ହେବ । କୌଣସି ଅସ୍ତ୍ରକୁ ଡରିବ ନାହିଁ, କୌଣସି ଅନ୍ୟାୟକୁ ଆଦରି ନେବ ନାହିଁ । ଗାନ୍ଧୀ ଆପଣା ଭିତରେ ଏହି ମଣିଷର ପରିଚୟ ପାଇଥିଲେ । ସେଥିଲାଗି ସେ ସବୁବେଳେ ଜଣେ ଦୁର୍ଦ୍ଦମ ଆଶାବାଦୀ ପରି କଥା କହୁଥିଲେ, କାମ କରୁଥିଲେ । ମଣିଷ ହେବାର ଶପଥ ନେଇପାରିଲେ ଆମେ ପ୍ରତ୍ୟେକେ ଯେ ଆପଣା ଭିତରେ ଏହି ଶକ୍ତିର ପରିଚୟ ପାଇପାରିବା, ଗାନ୍ଧିଜୀ ଆମକୁ ଏହି ଉଦ୍‌ବୋଧନ ଦେଇଯାଇଚନ୍ତି ‘‘ମୁଁ ଜଣେ ଆଶାବାଦୀ । ମୋର ଆଶାବାଦକୁ କେହି ଟାଳିଦେଇ ପାରିବ ନାହିଁ ବା ଦବାଇ ଦେଇପାରିବ ନାହିଁ । କାରଣ ମୋ’ ନିଜ ଉପରେ ମୋର ଅଟଳ ବିଶ୍ୱାସ ରହିଛି ।’’ (୮) ସବୁ ମଣିଷକୁ ଗାନ୍ଧୀ ସମାଜରେ ସମାନ ଆସନ ଅର୍ଥାତ୍‌ ମନୁଷ୍ୟୋଚିତ ସମ୍ମାନ (equalization of status) ଦେବାକୁ ଚାହୁଁଥିଲେ । ସମାଜରେ ଲୋକ-ଶକ୍ତିର ପ୍ରତିଷ୍ଠା ହେଲେ ଯାଇ ସମାଜର ପ୍ରତ୍ୟେକ ମଣିଷ ସମ୍ମାନିତ ଆସନ ପାଇ ପାରିବ । ପ୍ରତ୍ୟେକ ମଣିଷକୁ ମଣିଷ ହିସାବରେ ତା’ର ଯଥାର୍ଥ ସ୍ୱାଧୀନତା ମିଳିପାରିଲେ ଯାଇ ଲୋକ-ଶକ୍ତିର ପ୍ରତିଷ୍ଠା ହୋଇପାରିବ । ପ୍ରତ୍ୟେକ ମଣିଷ ମଣିଷ ହିସାବରେ ତା’ର ଯଥାର୍ଥ ସ୍ୱାଧୀନତା ପାଇବ, ଅର୍ଥାତ୍‌ ବର୍ଗଶାସନର ବର୍ବରତା ହଟିଯିବ । ଅନେକ ସମୟରେ ବର୍ଗଶାସନ ହିଁ ଆପଣାକୁ ରାଷ୍ଟ୍ର ବୋଲି ଘୋଷଣା କରି ମଣିଷର ସ୍ୱାଧୀନତାକୁ ନାନାଭାବେ ଅପହରଣ କରିବାକୁ ଆସିଥାଏ । ସେତିକିବେଳେ ହିଁ ରାଷ୍ଟ୍ରଶକ୍ତିକୁ ଲୋକଶକ୍ତିଠାରୁ ଉଚ୍ଚତର ଓ ଅଧିକ ମୂଲ୍ୟବାନ୍‌ ବୋଲି ପ୍ରଚାର କରାଯାଏ । ରାଷ୍ଟ୍ରଶକ୍ତିକୁ ବଢ଼ାଇବା ଲାଗି ଲୋକଶକ୍ତିକୁ ମଣ କରାଯାଏ, ମଣିଷଠାରୁ ତା’ର ମଣିଷ ହେବାର ବାସନାକୁ ଛଡ଼ାଇ ନିଆଯାଏ । ଅଧିକାଂଶ ସ୍ଥଳରେ ରାଷ୍ଟ୍ରହିଁ ସମାଜ ଉପରେ ସବାର ହୋଇ ବସିଥାଏ । ସମାଜ ଉପରେ ଆଧିପତ୍ୟ ବିସ୍ତାର କରିଥାଏ । ଏହି ବ୍ୟବସ୍ଥାକୁ ଭାଙ୍ଗି ରାଷ୍ଟ୍ରକୁ ସମାଜର ସମ୍ପୂର୍ଣ୍ଣ ଅଧୀନ କରି ରଖିପାରିଲେ ଯାଇ ମଣିଷ ଯଥାର୍ଥ ସ୍ୱାଧୀନତା ଲାଭ କରିବ ବୋଲି କାର୍ଲ୍‌ ମାର୍କ୍‌ସ୍‌ ମତ ପ୍ରକାଶ କରିଚନ୍ତି । (୯) ରାଷ୍ଟ୍ର ସମାଜର ଆୟତ୍ତରେ ରହିବ, ସମାଜ ମଣିଷ ଲାଗି ଚାଲିବ । ରାଷ୍ଟ୍ରଶକ୍ତି ଲୋକଶକ୍ତିର ବୋଲ ମାନି ଚାଲିବ । ତେବେ ଯାଇ ମଣିଷ ମଣିଷ ରୂପେ ପ୍ରତିଷ୍ଠିତ ହେବ । ମଣିଷ ଯଥାର୍ଥ ଭାବେ ସ୍ୱାଧୀନ ହେବ । ଏହିପରି ଏକ କଳ୍ପନାକୁ ଆମେ ନିର୍ବିବାଦରେ ସାମ୍ୟବାଦର କଳ୍ପନା ବୋଲି କହିପାରିବା । ଗାନ୍ଧୀଜୀ କୌଣସି ସାମ୍ୟବାଦୀ ପାର୍ଟିର ସଦସ୍ୟ ନଥିଲେ, ମାତ୍ର ସେ ଆପଣାକୁ ଜଣେ ସାମ୍ୟବାଦୀ ବୋଲି କହୁଥିଲେ । କୌଣସି ସାମ୍ୟବାଦୀ ପାର୍ଟିର ଅଧିକାରବାଦକୁ ଆମେ ସାମ୍ୟବାଦ ବୋଲି କହିବା ନାହିଁ । ସାମ୍ୟବାଦ ଏକ ଜୀବନଦର୍ଶନ । ଏହା ଏକ ଭବିଷ୍ୟଦୃଷ୍ଟି, ମନୁଷ୍ୟର ମହରମ ସମ୍ଭାବନାଗୁଡ଼ିକ ବିଷୟରେ ଏକ ସାହସିକ ସ୍ୱପ୍ନ ଓ ସେହି ସ୍ୱପ୍ନକୁ ସଫଳ କରାଇବା ଲାଗି ଏକ ମାନବିକ ଉଦ୍ୟମ । ‘‘ସାମ୍ୟବାଦ କହିଲେ କେବଳ ଅସନ୍ତୋଷର ଏକ କସରତ (an exercise in discontent)କୁ ବୁଝାଏ ନାହିଁ । ଆର୍ଥିକ ଓ ରାଜନୀତିକ ନିଷ୍ପେଷଣର ଯାବତୀୟ ଜଞ୍ଜିରରୁ ମୁକ୍ତ ହେଲେ ମଣିଷର ଜୀବନରେ ଯାହାସବୁ ସମ୍ଭବ ହୋଇପାରିବ, ସାମ୍ୟବାଦ ଆମକୁ ତାହାରି ପ୍ରତିଶ୍ରୁତି ଦେଇଯାଏ ଏବଂ ସେହି ସମ୍ଭାବନାଗୁଡ଼ିକୁ ସଫଳ କରିବାପାଇଁ ବର୍ତ୍ତମାନ ମଧ୍ୟ ଆମର ଯେ କିଛି ନା କିଛି କର୍ତ୍ତବ୍ୟ ରହିଚି, ସାମ୍ୟବାଦ ଆମକୁ ଏହି ଉଦ୍‌ବୋଧନ ଦେଇଯାଏ ।’’ (୧୦) ମଣିଷର ବିବେକ ସ୍ଫୁରିଲା ଦିନଠାରୁ ଆମ ପୃଥିବୀରେ ଏହି ସ୍ୱପ୍ନ ଓ ଏହି ଉଦ୍ୟମର ଏକ ପରମ୍ପରା ଲାଗିରହିଛି । କେତେଥର ଗୋଡ଼ ଖସି ଯାଉଛି, ତଥାପି ସ୍ୱପ୍ନ ଅଟଳ ରହିଚି, ଉଦ୍ୟମ ଲାଗିରହିଛି । କାର୍ଲ୍‌ ମାର୍କ୍‌ସ୍‌ ଓ ଗାନ୍ଧୀ ସବୁଦିନ ପାଇଁ ଏହି ପରମ୍ପରାରେ ଦୁଇଟି ଉତ୍‌ପ୍ରେରକ ବିନ୍ଦୁରୂପେ ଅବଶ୍ୟ ରହିଥିବେ ।

 

କାର୍ଲ୍‌ ମାର୍କ୍‌ସ୍‌ ଜର୍ମାନୀର ମଣିଷ ଥିଲେ । ତେଣୁ ଜର୍ମାନୀର ଜନଗଣଙ୍କୁ ଆଧାର କରି ସେ ଭବିଷ୍ୟତ ସାମାଜିକ ବିପ୍ଳବ ଓ ସମାଜ ରଚନାର କେତେ କଅଣ ସ୍ୱପ୍ନ ଦେଖୁଥିଲେ । ସମଗ୍ର ମନୁଷ୍ୟକୁଳର ଦାସତ୍ୱ-ମୋଚନ ଏବଂ ନବୋଦୟକ୍ରମରେ ଜର୍ମାନୀ ହିଁ ଅଗ୍ରଣୀ ହୋଇ ବାହାରିବ ବୋଲି ସେ କଳ୍ପନା କରୁଥିଲେ । ତାଙ୍କ ଭାଷାରେ, ‘‘ନୂତନ ବିଚାରର ବିଦ୍ୟୁତ୍‌ ଜନଗଣର କୁମାରୀ ମାଟି ଭିତରକୁ ଥରେ ଭେଦିଯାଇ ପାରିଲେ ଜର୍ମାନୀର ସମାଜ ବନ୍ଧନମୁକ୍ତ ହେବ ଓ ଏକ ମନୁଷ୍ୟସମାଜ ରୂପେ ପୁନର୍ଜନ୍ମ ଲାଭ କରିବ । ମଣିଷ ହିଁ ମଣିଷଲାଗି ସର୍ବୋତ୍ତମ ଓ ସର୍ବୋଚ୍ଚ ସମ୍ପଦ (man is the highest being for man), –ଏହି ସତ୍ୟ ସିଦ୍ଧାନ୍ତଟିକୁ ସ୍ୱୀକାର କରିନେଲେ ଯାଇ ଜର୍ମାନୀର ବନ୍ଧନମୁକ୍ତି ଯଥାର୍ଥରେ ସମ୍ଭବ ହୋଇପାରିବ । ଜର୍ମାନୀର ସେହି ବନ୍ଧନମୁକ୍ତି ମନୁଷ୍ୟର ବନ୍ଧନମୁକ୍ତି ହିଁ ହେବ । ଏହି ବନ୍ଧନମୁକ୍ତି ସକାଶେ ବିଚାର (philosophy) ମସ୍ତିଷ୍କ ଯୋଗାଇ ଦେବ ଏବଂ ସର୍ବହରା ମଣିଷ ଏହି ବନ୍ଧନମୁକ୍ତିର ହୃଦୟ ହୋଇ ରହିବେ । ସର୍ବହରା ମଣିଷବର୍ଗର ବିଲୋପ ସାଧନ ଦ୍ୱାରା (ଅର୍ଥାତ୍‌ ମଣିଷକୁ ସର୍ବହରା ହୋଇ ରହିବାର ସ୍ଥିତିରୁ ମୁକ୍ତ କରି ଆଣିବା ଦ୍ୱାରା ହିଁ) ବିଚାରର ଉପଲ୍‌ବଧି ସମ୍ଭବ ହେବ ଏବଂ କେବଳ ବିଚାରର ଉପଲ୍‌ବଧି ଦ୍ୱାରା ହିଁ ସର୍ବହରା ବର୍ଗର ବିଲୋପ ଅର୍ଥାତ୍‌ ବିମୋଚନ ସମ୍ଭବ ହୋଇପାରିବ ।’’ (୧୧) କାର୍ଲ୍‌ ମାର୍କ୍‌ସ୍‌ ବଞ୍ଚିଥିଲାବେଳେ ସିନା ଏଭଳି ଏକ ସ୍ୱପ୍ନ ଦେଖୁଥିଲେ, ମାତ୍ର ମାର୍କ୍‌ସ୍‌ଙ୍କ ପରେ ଧୁରନ୍ଧର ମାର୍କ୍‌ସ୍‌ବାଦୀମାନେ ହିଁ ଜର୍ମାନୀ ଦେଶରେ କ୍ଷେତ୍ରାଧିପତି ହୋଇ ବାହାରିଲେ । ସେମାନେ ବାଦକୁ ବିବାଦର ବୀଜ ରୂପେ ବ୍ୟବହାର କଲେ । ମଣିଷକୁ ସର୍ବୋଚ୍ଚ ସମ୍ପଦ ବୋଲି ଜାଣିବାର ବିବେକଟିକୁ ଭୁଲିଗଲେ । ପରସ୍ପର ଉପରେ ଗଦାପ୍ରହାର କଲେ ଏବଂ ଏହାରି ଫଳରେ ଜର୍ମାନୀକୁ ବିସ୍‌ମାର୍କ ଆସିଲେ, କାଇଜର୍‌ ଉଇଲିଅମ୍‌ ଆସିଲେ, ଆଖରକୁ ହିଟ୍‌ଲର୍‌ ବି ଆସିଲେ । ମୁକ୍ତି ନାମରେ ଜର୍ମାନୀ ଆପଣାର ବେକରେ ନୂଆ ଫାଶ ଲଗାଇଦେଲା । ମନୁଷ୍ୟର ବନ୍ଧନ-ମୁକ୍ତିରେ ନିମିତ୍ତ ହେବା ଦୂରପରାହତ ହୋଇ ରହିଲା ।

 

ମୁକ୍ତ ଭାରତ ସମଗ୍ର ପୃଥିବୀର ମୁକ୍ତିଲାଗି ଏକ ଶକ୍ତିଶାଳୀ ପ୍ରେରଣା ରୂପେ କାର୍ଯ୍ୟ କରିବ, ଏକଥା ଗାନ୍ଧିଜୀ ଏକାଧିକ ପ୍ରସଙ୍ଗରେ କହିଯାଇଚନ୍ତି । ଶୃଙ୍ଖଳ-ମୁକ୍ତ ଭାରତ ପୃଥିବୀର ଶୃଙ୍ଖଳମୁକ୍ତି ଲାଗି ଏକ ନୂତନ ସନ୍ଦେଶ ବହନ କରି ଆଣିବ ବୋଲି ସେ ବାସନା ରଖିଥିଲେ । ମୁକ୍ତ ଭାରତର ମଣିଷ ସମଗ୍ର ପୃଥିବୀର ମଣିଷଙ୍କ ଲାଗି ଏକ ନୂତନ ଅନ୍ୱେଷଣର ପ୍ରେରକ ହୋଇରହିବ ବୋଲି ସେ କହୁଥିଲେ । ଭାରତବର୍ଷରେ ଏସବୁ କଣ ପ୍ରକୃତରେ ସମ୍ଭବ ହେବ, ନା ଜର୍ମାନୀରେ ମାର୍କ୍‌ସ୍‌ଙ୍କର ସ୍ୱପ୍ନ ପରି ଖାଲି ଫସରଫାଟି ଯିବ ? ଏହା ଏକ ଆହ୍ୱାନ, ବାଦକୁ ଛାଡ଼ି ମଣିଷକୁ ଚିହ୍ନିବା ସକାଶେ ଏକ ଆହ୍ୱାନ ! ମଣିଷ ଲାଗି ମଣିଷକୁ ହିଁ ସର୍ବୋଚ୍ଚ ଓ ସର୍ବୋତ୍ତମ ସମ୍ପଦ ରୂପେ ସ୍ୱୀକାର କରି ପାରିବାର ଏକ ଆହ୍ୱାନ । ଏହି ଆହ୍ୱାନ ରାଷ୍ଟ୍ରଲାଗି ନୁହେଁ, ବାଦଲାଗି ବି ନୁହେଁ । ଏହା ବିବେକ ଲାଗି, ଏହା ମଣିଷ ଲାଗି ।

Image

 

ଗାନ୍ଧୀ-ଧର୍ମ : ଗାନ୍ଧୀ-ରାଜନୀତି

 

“Most religious people are politicians in disguise,

I am a religious man in the guise
of a politician” – Gandhi

 

ଗାନ୍ଧୀ କୌଣସି ବିଶେଷ ଧର୍ମର ପ୍ରଚାର କରିନଥିଲେ, ଅର୍ଥାତ୍‌ ସେ ମଣିଷକୁ କୌଣସି ବିଶେଷ ଏକ ଭେକ ପିନ୍ଧାଇ ଦେବାକୁ ଲୋଭ କରିନଥିଲେ । ସେ ରାଜନୀତି ଭିତରେ ରହିଥିଲେ; ଏକ ଶକ୍ତିଶାଳୀ ସାମ୍ରାଜ୍ୟ ସହିତ ସଂଗ୍ରାମ କରି ଦେଶଲାଗି ସ୍ୱାଧୀନତା ହାସଲ କରିବାରେ ସେ ସେନାପତିତ୍ୱ କରିଥିଲେ । ପ୍ରାୟ ତିରିଶବର୍ଷ କାଳ ଭାରତବର୍ଷର ରାଜନୀତି ପ୍ରଧାନତଃ ତାଙ୍କରି ରଙ୍ଗରେ ରଙ୍ଗା ହୋଇ ରହିଥିଲା । ତଥାପି ତାଙ୍କ ନିଜର କୌଣସି ରାଜନୀତିକ ଦଳ ନ ଥିଲା । ସିଏ ନିଜେ ମଧ୍ୟ କୌଣସି ରାଜନୀତିକ ଦଳର ସଭ୍ୟ ନ ଥିଲେ ବା ରାଜନୀତିର ଯୁଦ୍ଧପଡ଼ିଆରେ କୌଣସି ପ୍ରକାର ଗଡ଼ ଜୟ କରିବା ଲାଗି କେବେହେଲେ ମନ ବଳାଇ ନଥିଲେ । ଆଧୁନିକ ରାଜନୀତି ତଥା ଆଧୁନିକ ଧର୍ମର ଇତିହାସରେ ଗାନ୍ଧିଜୀଙ୍କର ଅବଦାନ ଏକ ଅଭିନବ ପ୍ରକାରର । ସେଥିଲାଗି ଗାନ୍ଧୀ ଚାଲିଯିବାର କୋଡ଼ିଏ ବର୍ଷ ପରେ ଆଜି ବି ଧର୍ମ ଓ ରାଜନୀତି ଉଭୟ କ୍ଷେତ୍ରରେ ଗାନ୍ଧୀମାର୍ଗ ବା ଗାନ୍ଧୀ-ଦୃଷ୍ଟି ଆଧୁନିକ ମନକୁ ନାନାପ୍ରକାରେ ଅନୁପ୍ରେରିତ ଓ ଉଦ୍‌ବେଳିତ କରିବାରେ ଲାଗିଚି, ଧର୍ମ ଓ ରାଜନୀତିର ନାନା ପାରମ୍ପରିକ ମାର୍ଗ ଓ ସେହି ମାର୍ଗରେ ପ୍ରତିଷ୍ଠିତ ରହିଥିବା ଅଧୀଶ୍ୱରମାନଙ୍କୁ ନାନାପ୍ରକାରେ ସତର୍କ କରିଦେଉଚି ।

 

ଧର୍ମର ଭୂମି ଉପରେ ହିଁ ଗାନ୍ଧୀଜୀ ସଂସାରକୁ ଦେଖୁଥିଲେ ଏବଂ ଆପଣାକୁ ବି ଦେଖୁଥିଲେ । ପ୍ରଧାନତଃ ଧର୍ମର ଆହ୍ୱାନ ମାନି ସେ ଦେଶ ବା ସମାଜ ଆଗରେ ଉପସ୍ଥିତ ହୋଇଥିବା ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଥିଲେ । ଆଗରୁ ଅର୍ଥାତ୍‌ ଆବହମାନ କାଳରୁ ଧର୍ମ ରହିଆସିଥିଲା, ସାମୂହିକ ଜୀବନର ସମସ୍ୟାଗୁଡ଼ିକ ବି ରହିଥିଲା । ମାତ୍ର ମଣିଷ ଦୁଇ ବିଭିନ୍ନ ସ୍ତରରେ ସେଗୁଡ଼ିକର ସମ୍ମୁଖୀନ ହେଉଥିଲା, ଏ ସ୍ତରଟିର ସେ ସ୍ତରଟି ସହିତ ସାଧାରଣତଃ କୌଣସି ଯୋଗସୂତ୍ର ନ ଥିଲା । ଧର୍ମବିଳାସ ସହିତ ରାଜନୀତି ବିଳାସର କୌଣସି ସମ୍ବନ୍ଧ ନ ଥିଲା-। ଗୋଟିଏ କ୍ଷେତ୍ରର କର୍ତ୍ତବ୍ୟ ଅପରକ୍ଷେତ୍ରର କର୍ତ୍ତବ୍ୟଗୁଡ଼ିକ ସହିତ କୌଣସି ପ୍ରକାରେ ସଂଯୁକ୍ତ ବୋଲି ବିବେଚିତ ହେଉନଥିଲା । ସଂସାରରେ ଜୀବନର ଚକ ଦୁଇମୁହାଁ ହୋଇ ଗଡ଼ିଗଡ଼ି ଯାଉଥିଲା । ଧର୍ମର ବିବେକ ଇହଜୀବନର ବିବେକକୁ ଆଦୌ ସ୍ପର୍ଶ କରୁନଥିଲା, ଆଦର୍ଶର ବିବେକ ବାସ୍ତବର ବିବେକ ସହିତ ଏକତ୍ର ବିଚରଣ କରୁନଥିଲା । ଗାନ୍ଧିଜୀ ଧର୍ମର ନୂତନ ବ୍ୟାଖ୍ୟା କଲେ, ଅର୍ଥାତ୍‌ ଆମ ଧର୍ମଧାରଣାରେ ସେ ଏକ ନୂତନ ବ୍ୟଞ୍ଜନା ଆଣିଦେଲେ । ଶାଶ୍ୱତ ଧର୍ମସତ୍ୟଗୁଡ଼ିକର ନୂତନ ଅବତାରଣା କରାଇଲେ । ଧର୍ମ ବିଷୟରେ ମଣିଷର ନିତ୍ୟାକାଙ୍‌କ୍ଷାଗୁଡ଼ାକୁ ସେ ଆକାଶରୁ ଭୂଇଁ ଉପରକୁ ଉଦ୍ଧାର କରି ଆଣିଲେ । ଆମର ଧର୍ମକଳ୍ପନାରେ ସେ ଏକ ନୂତନ ପ୍ରସାରର ସୂତ୍ରପାତ କଲେ । ଧର୍ମକୁ ସମଗ୍ର ଜୀବନଧର୍ମର ସମବାଚୀ କରାଇଲେ ।

 

ତାଙ୍କରି ନିଜ ଭାଷାରେ କହିଲେ : ‘‘ମୁଁ କୌଣସି ନୂତନ ନିୟମ ବା ନୀତିସୂତ୍ରର ଉଦ୍ଭାବନ କରିଚି ବୋଲି କଦାପି ଦାବୀ କରିବି ନାହିଁ । ଆମ ଦୈନନ୍ଦିନ ଜୀବନ ଓ ସମସ୍ୟାଗୁଡ଼ିକରେ ଚିରନ୍ତନ ସତ୍ୟଗୁଡ଼ିକର ପ୍ରୟୋଗ କରିବା ଲାଗି ମୁଁ ସ୍ୱକୀୟ ଉପାୟରେ ଏକ ଚେଷ୍ଟା ହିଁ କରିଆସିଚି ।’’ (ହରିଜନ, ୨୮.୩.୩୬) ଗାନ୍ଧିଜୀ ସତ୍ୟକୁ ଭଗବାନ ବୋଲି ମାନୁଥିଲେ-। ତେଣୁ ଭଗବାନଙ୍କ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିବା ଆମର ଏହି ଜୀବନସଂସାରକୁ ସେ ମୂଳତଃ ସତ୍ୟଦ୍ୱାରା ଆତଯାତ ହେଉଥିବା ଏକ ସଂସାର ବୋଲି ମାନିଥିଲେ । ଏହି ସତ୍ୟ ଜୀବନଠାରୁ ଭିନ୍ନ ନୁହେଁ, ଆପଣା ଜୀବନରେ ଏହାର ପ୍ରୟୋଗ କରିବାଦ୍ୱାରା ହିଁ ଆମେ ଏହାର ଯଥାର୍ଥ ପରିଚୟ ପାଇପାରିବା । ଆମ ଜୀବନର ସମଗ୍ର କ୍ଷେତ୍ରଟିରେ ଧର୍ମ ଜଳବାୟୁ ପରି ହୋଇ ରହିବ, ଧର୍ମ ଆମ ଜୀବନର ସର୍ବବିଧ ଅନୁରାଗକୁ ରସ ଯୋଗାଇବ । ଜୀବନଛଡ଼ା ଧର୍ମକୁ ଗାନ୍ଧିଜୀ ଧର୍ମ ବୋଲି ମାନିବାକୁ ନାସ୍ତି କରିଦେଲେ । ‘‘ଧର୍ମ ବସ୍ତୁତଃ ଆମ ଜୀବନର ପ୍ରତ୍ୟେକ କାର୍ଯ୍ୟକଳାପରେ ଭେଦିକରି ରହିଥିବା ଉଚିତ । ଏଠାରେ ଧର୍ମ କହିଲେ କୌଣସି ବିଶେଷ ଏକ ସମ୍ପ୍ରଦାୟ ଭିତରେ ଆପଣାକୁ ଗ୍ରସ୍ତ କରି ରଖିବାକୁ ବୁଝାଇ ନାହିଁ । ସାରା ବିଶ୍ୱବ୍ରହ୍ମାଣ୍ଡ ଯେଉଁ ବିଧାନ ଅନୁସାରେ ଚାଲୁଚି, ବିଶ୍ୱଜୀବନ ଶୃଙ୍ଖଳିତ ଓ ନିୟନ୍ତ୍ରିତ ହେଉଚି, ସେହି ନୈତିକ ବିଧାନ ଉପରେ ବିଶ୍ୱାସ ସ୍ଥାପନ କରି ଜୀବନ ବଞ୍ଚିବା ହେଉଚି ଧର୍ମ । ଏହି ବିଧାନଟିକୁ ଆମେ ଆଖିରେ ଦେଖିପାରୁନାହୁଁ ସତ, ମାତ୍ର ତା’ ବୋଲି ଏହାକୁ ବାସ୍ତବତାଠାରୁ କମ୍ ବାସ୍ତବ ବୋଲି କହିବା ଆଦୌ ଉଚିତ ହେବନାହିଁ । ହିନ୍ଦୁଧର୍ମ, ଇସଲାମ ଓ ଖ୍ରୀଷ୍ଟିୟାନ ଧର୍ମ ପ୍ରଭୃତିର ତୁଳନାରେ ଏହି ଧର୍ମ ଅଧିକ ବ୍ୟାପକ, ଏହାର ବିଚରଣଭୂମି ଏକ ଅନ୍ୟ ସ୍ତରର । ମାତ୍ର ପ୍ରତିଷ୍ଠିତ ଧର୍ମମାର୍ଗଗୁଡ଼ିକୁ ଅସ୍ୱୀକାର କରିବା ବା ନିରର୍ଥକ ବୋଲି ଘୋଷଣା କରିବା ଏହି ଧର୍ମର ଉଦ୍ଦେଶ୍ୟ ନୁହେଁ । ବିଭିନ୍ନ ମାର୍ଗଗୁଡ଼ିକୁ ଏହା ଐକ୍ୟସୂତ୍ରରେ ବାନ୍ଧିରଖେ, ସେଗୁଡ଼ିକୁ ସାର୍ଥକ ଓ ସତ୍ୟସମ୍ପନ୍ନ କରି ରଖେ ।’’ (ହରିଜନ, ୧୦/୨/୪୦)

 

ଯଦି ଧର୍ମ ଆମ ସମଗ୍ର ଜୀବନର ସମ୍ପଦ ହେଲା, ତେବେ ଜୀବନର କୌଣସି କାର୍ଯ୍ୟକଳାପ ଏବଂ କ୍ଷେତ୍ରକୁ ଆମେ ଧର୍ମଠାରୁ ବିଚ୍ୟୁତ କରି ଦେଖିପାରିବା ନାହିଁ । ଧର୍ମର ଆକର୍ଷଣ ଅର୍ଥାତ୍‌ ସମଗ୍ର ଜୀବନରୂପୀ ଏକ ଆହ୍ୱାନର ଆକର୍ଷଣ । ଧର୍ମରେ ଶ୍ରଦ୍ଧା ଅର୍ଥାତ୍‌ ସମଗ୍ର ଜୀବନ ଓ ସମସ୍ତଙ୍କ ଜୀବନର ସମ୍ଭାବ୍ୟତମ ଅଭ୍ୟୁଦୟ ଲାଗି ଶ୍ରଦ୍ଧା । ଭାରତୀୟ ଧର୍ମର ମଠ-ପରମ୍ପରା ଯେତେବେଳେ ଯାହା କହି ଆସିଥାଉ ପଛକେ ସନ୍ଥ-ପରମ୍ପରା ଏହି ଅଭ୍ୟୁଦୟର ଘୋଷଣା ହିଁ କରିଆସିଥିଲା । ରାଜନୀତି ଭିତରେ ମଧ୍ୟ ଗାନ୍ଧିଜୀ ସେଇ ଅଭ୍ୟୁଦୟର କଥା କହିଲେ-। ରାଜନୀତିକୁ ଜୀବନନୀତି ବା ଜୀବନଧର୍ମର ଏକ ଅଙ୍ଗରୂପେ ସ୍ୱୀକାର କଲେ । ତାଙ୍କ ଧର୍ମ ଭିତରେ ରାଜନୀତିର କଥା ଶୁଣାଗଲା, ତାଙ୍କ ରାଜନୀତିରେ ଧର୍ମକଥା ଶୁଣାଗଲା । ତଥାକଥିତ ରାଜନୀତିରେ ବିଚରଣ କରୁଥିବା ନେତାଏ ଏହାକୁ ଏକ ରୀତି ବୋଲି କହିଲେ, ତଥାକଥିତ ଧର୍ମରେ ଆସ୍ଥାନ ମାଡ଼ି ବସିଥିବା ଭୀରୁ ଅହଙ୍କାରୀମାନେ ତାଙ୍କୁ ମୋଟେ ବୁଝିପାରିଲେ ନାହିଁ । ମାତ୍ର ଗାନ୍ଧିଜୀଙ୍କର ଏହି ନୂତନ ଅଭିକ୍ରମ ଫଳରେ ଧର୍ମ ଓ ରାଜନୀତି ଉଭୟ କ୍ଷେତ୍ରରେ ନୂତନ ଜୀବନ ଓ ନୂତନ ଦୃଷ୍ଟିର ସଂଚରଣ ହେଲା, ନୂତନ ସମ୍ଭାବନାର ପତ୍ର କଅଁଳିଲା । ଧର୍ମ ଓ ରାଜନୀତି ସହିତ ଏହି ଦୃଷ୍ଟିଗତ ନୂତନ ପ୍ରସ୍ଥଟି ଯୋଡ଼ିଦେବାକୁ ଯାଇ ଗାନ୍ଧିଜୀ କହିଚନ୍ତି : ‘ସମଗ୍ର ମାନବଜାତି ସହିତ ଏକାତ୍ମ ହୋଇ ନ ପାରିଲେ ମୋ ଜୀବନକୁ କଦାପି ଏକ ଧର୍ମସ୍ଥ ବା ଧର୍ମଗତ ଜୀବନ ବୋଲି କୁହାଯାଇପାରିବ ନାହିଁ ଏବଂ ରାଜନୀତିଠାରୁ ଅଲଗା ହୋଇ ରହିଥିବା ପର୍ଯ୍ୟନ୍ତ ସମଗ୍ର ମାନବଜାତି ସହିତ ମୁଁ କଦାପି ଏକାତ୍ମତା ଅର୍ଜନ କରିପାରିବି ନାହିଁ । ସାମାଜିକ, ଅର୍ଥନୈତିକ, ରାଜନୀତିଗତ ଓ ବିଶୁଦ୍ଧ ଧର୍ମସମ୍ବନ୍ଧୀ କାର୍ଯ୍ୟକ୍ଷେତ୍ରଗୁଡ଼ିକୁ ଆମେ କଦାପି ପରସ୍ପରଠାରୁ ବିଭକ୍ତ କରି ଗୋଟିଏ ଗୋଟିଏ ଅଲଗା ଅଲଗା ଖୋଳ ଭିତରେ ବନ୍ଦ କରି ରଖିପାରିବା ନାହିଁ । ମାନବସମାଜ ସହିତ ଆପଣାକୁ କୌଣସି କର୍ମଗତ ସୂତ୍ରରେ ନ ବାନ୍ଧି ଦୂରଛଡ଼ା ହୋଇ ରହିଥିବା ଧର୍ମ ମୋତେ ଜଣା ନାହିଁ । ମାନବସମାଜ ଲାଗି କରାଯାଉଥିବା ଯାବତୀୟ କାର୍ଯ୍ୟରେ ଧର୍ମ ଏକ ନୈତିକ ଭୂମି ଯୋଗାଇ ଦେଇଥାଏ । ଧର୍ମ ବିନା ସେସବୁରେ ନୈତିକ ଭୂମିର ଅଭାବ ରହିଯାଏ ଏବଂ ସେହି ଅଭାବ ହେତୁ ଜୀବନ ପ୍ରଧାନତଃ ଏକ ପ୍ରକାଣ୍ଡ ଅଡୁଆରେ ପରିଣତ ହୋଇଥାଏ । ଏଥିରେ କୋଳାହଳ ଓ ପ୍ରଚଣ୍ଡତା ବଢ଼େ ସିନା, ମାତ୍ର ଜୀବନଟା ସମ୍ପୂର୍ଣ୍ଣଭାବେ ନିରର୍ଥକ ହୋଇପଡ଼େ ।’’ (ହରିଜନ,୨୪.୨୧.୩୮) ପୁଣି, ‘‘ଧର୍ମରହିତ ରାଜନୀତିକୁ ମୁଁ ତୁଚ୍ଛା ଏକ ଆବର୍ଜନା ବୋଲି ବିଚାର କରିଥାଏ, ଏବଂ ସେହି ଆବର୍ଜନାକୁ ବର୍ଜନ କରି ବାଟ ଚାଲିବାକୁ ମୁଁ ମଣିଷ ଜୀବନର କାମ୍ୟ ବୋଲି ମନେକରେ । ମଣିଷର ସାମୂହିକ ଓ ଜାତୀୟ-ଜୀବନକୁ ନେଇ ହିଁ ରାଜନୀତିର ସଂଚାରକ୍ଷେତ୍ର ତିଆରି ହୁଏ । ଜାତି ଓ ସମୂହର କଲ୍ୟାଣସାଧନ ହିଁ ରାଜନୀତିର ଆକାଙ୍‌କ୍ଷା ହୋଇ ରହିଥାଏ । ତେଣୁ ଯଥାର୍ଥରେ ଧର୍ମାକାଙ୍‌କ୍ଷୀ ଯେକୌଣସି ମଣିଷ ରାଜନୀତିର କ୍ଷେତ୍ରକୁ ମଧ୍ୟ ଆପଣାର ଏକ ଅନ୍ୟତମ କ୍ଷେତ୍ରରୂପେ ଅବଶ୍ୟ ଗ୍ରହଣ କରିନେବ । ଅର୍ଥାତ୍‌ ଈଶ୍ୱର ଓ ସତ୍ୟର ସନ୍ଧାନ କରି ବାହାରିଥିବା ମଣିଷ ରାଜନୀତିରୁ କଦାପି ବିଚ୍ଛିନ୍ନ ହୋଇ ରହିବ ନାହିଁ । ରାଜନୀତି କ୍ଷେତ୍ରରେ ମଧ୍ୟ ଆମକୁ ଭଗବତ୍‌ ସାମ୍ରାଜ୍ୟର ପ୍ରତିଷ୍ଠା କରିବାକୁ ହେବ ।’’ (ୟଙ୍ଗ୍‌ ଇଣ୍ଡିଆ ୧୮.୬.୨୫) ଶ୍ରୀମଦ୍‌ ଭଗବତ୍‌ଗୀତା ଉପରେ ଲେଖିଥିବା ଆପଣାର ଭାଷ୍ୟରେ ଗାନ୍ଧିଜୀ ଗୋଟିଏ ପ୍ରସଙ୍ଗରେ କହିଚନ୍ତି, ‘‘ସାଧାରଣତଃ ବିଶ୍ୱାସ କରାଯାଇଥାଏ ଯେ ଧର୍ମ ହେଉଚି ପାର୍ଥିବ ସୁଖର ସମ୍ପୂର୍ଣ୍ଣ ବିରୋଧୀ । ଅନେକେ ଭାବିଥାନ୍ତି ଯେ ଏଣେ ଧର୍ମପରାୟଣ ରହି ତେଣେ କଦାପି ସଫଳ ଜୀବନବ୍ୟାପାର କରିହେବ ନାହିଁ । ଅର୍ଥାତ୍‌ ବ୍ୟବସାୟ ଓ ବେପାର ଆଦିରେ ସଫଳ ହେବାକୁ ହେଲେ ଧର୍ମବାଟରେ ରହିବା ଆଦୌ ସମ୍ଭବ ହେବନାହିଁ । ଧର୍ମ ତ କେବଳ ମୋକ୍ଷ ପାଇବା ଲାଗି, ତେଣୁ ସଂସାରରେ ସିଦ୍ଧିଲାଭ କରିବା ସକାଶେ ଧର୍ମ ଆମର କୌଣସି କାମରେ ଲାଗିବ ନାହିଁ । ମାତ୍ର ମୋ’ ମତରେ ଗୀତାଗ୍ରନ୍ଥର ରଚୟିତା ଆମ ମନରୁ ଏହି ସଂଶୟକୁ ସମୂର୍ଣ୍ଣରୂପେ ଦୂର କରି ଦେଇଚନ୍ତି । ଧର୍ମସମର୍ପିତ ଜୀବନ ଓ ଇହଜୀବନ ମଧ୍ୟରେ ସିଏ କେଉଁଠି ହେଲେ କୌଣସି ବ୍ୟବଧାନ ରଖିନାହାନ୍ତି । ଆମକୁ ଏକ ସମ୍ପୂର୍ଣ୍ଣ ଓଲଟା ପଥ ଦେଖାଇଛନ୍ତି । ଆମ ଇହଜୀବନରେ ମଧ୍ୟ ଧର୍ମ ହିଁ ଆମର ବିଧାୟକ ହୋଇ ରହିବ ବୋଲି ସେ ଦର୍ଶାଇ ଦେଇ ଯାଇଛନ୍ତି-।’’

 

ଆପଣାର ସମଗ୍ର ଦୃଷ୍ଟିରେ ଗାନ୍ଧୀ ଆମ ଧର୍ମଗ୍ରନ୍ଥଗୁଡ଼ିକରୁ ସର୍ବଦା ଏକ ଜୀବନବାଚୀ ସମଗ୍ର ପ୍ରେରଣା ହିଁ ପାଇଚନ୍ତି । ସେ ଜୀବନରେ କୌଣସିଠାରେ କୌଣସି ବିଭେଦ ଦେଖିନାହାନ୍ତି-। ପୃଥିବୀର ବିଭିନ୍ନ ଧର୍ମର ଐତିହ୍ୟ ଭିତରେ ମଧ୍ୟ ସେ ପ୍ରଧାନତଃ ଏହି ସମଗ୍ର ଭାବାତ୍ମକ ପ୍ରେରଣାଟିକୁ ଅନୁଭବ କରିଚନ୍ତି । ମାତ୍ର ତଥାପି କହିବାକୁ ହେବ ଯେ, ଇତିହାସର ଏହି ବିଭିନ୍ନ ଧର୍ମଗୁଡ଼ିକ ସବୁବେଳେ ଯଥାର୍ଥ ଧର୍ମପରି ଆଚରଣ କରିନାହାନ୍ତି । ପ୍ରେରଣା ଦେବା ଅପେକ୍ଷା ଏମାନେ ଅଧିକ ପରିମାଣରେ ମଣିଷକୁ ନିଶା ଖୁଆଇବାର କୌଶଳ କରିଚନ୍ତି । ଏଇ ନିଶାରେ ପଡ଼ି ମଣିଷ ଭଲପାଇ ଶିଖିବା ଅପେକ୍ଷା ଅଧିକ ଉଗ୍ର ହୋଇଚି, ଅଧିକ ଅନ୍ଧ ହୋଇଚି । ଖାସ୍‌ ଧର୍ମଘରର ପଣ୍ଡାମାନେ ମଣିଷ ଉପରେ ଧର୍ମକୁ ଅଫିମ ପରି ପ୍ରୟୋଗ କରିଚନ୍ତି, ଧର୍ମଘରକୁ ଦୂଷିତ କରି ଦେଇଚନ୍ତି, ଧର୍ମକୁ ନାନା ଅନ୍ୟାୟର ନିମିତ୍ତ ରୂପେ ବ୍ୟବହାର କରିବାରେ ବ୍ରତୀ ହୋଇ ବାହାରିଚନ୍ତି । ଉଗ୍ର ମଣିଷକୁ ଧର୍ମ ଆହୁରି ଉଗ୍ର କରି ପକାଇଚି, ଅସହାୟ ମଣିଷକୁ ଆହୁରି ଅସହାୟ କରି ପକାଇଚି, ମଣିଷର ହୃଦୟକୁ ନାନା ପ୍ରକାରେ ଆଳସ୍ୟଜର୍ଜର କରି ପକାଇଚି । ଧର୍ମ ଓ ସଂସାରର ଦ୍ୱୈତକଳ୍ପନା ଏହି ପ୍ରମାଦଗୁଡ଼ିକୁ ଜାରି ରଖିବା ଲାଗି ହୁଏତ ଏକ ଯୁକ୍ତିଗତ ଅପପ୍ରେରଣା ବି ଯୋଗାଇ ଦେଇଚି । ଖ୍ରୀଷ୍ଟିଆନ୍‌ ଧର୍ମଶାସ୍ତ୍ରୀ ସନ୍ଥ ଅଗଷ୍ଟିନ୍‌ଙ୍କ ବିଚାର ଭିତରେ ଆମେ ଏହି ଦ୍ୱୈତଦୃଷ୍ଟିର ଅତି ସ୍ପଷ୍ଟ ପରିଚୟ ପାଇପାରିବା । ଅଗଷ୍ଟିନ୍‌ ଆପଣା ବିଚାରରେ ଦୁଇଟି ପୃଥକ୍‌ ଓ ଅସଂଲଗ୍ନ ପୃଥିବୀର ଭେଦ ବତାଇ ଦେଇ ଯାଇଚନ୍ତି । ଗୋଟିଏ ହେଉଚି ଦିବ୍ୟଜଗତ (Civitas divina) ଏବଂ ଅନ୍ୟଟି ଇହଜଗତ (Civitas terrena) । ଦିବ୍ୟଜଗତ ପରାତ୍ପର ପରମେଶ୍ୱରଙ୍କର ପରମଶକ୍ତିକୁ କେନ୍ଦ୍ର କରି ଅବସ୍ଥିତ ରହିଚି । ସେହି ଦିବ୍ୟ ବ୍ୟୂହଭିତରେ କେବଳ ଭଗବାନଙ୍କର ହିଁ ବ୍ୟବସ୍ଥା ଚାଲୁଚି । ଏ ସଂସାରର ମଳିଧୂଳି ଓ ପାପପୁରୀଷ ତାହାକୁ ଆଦୌ ସ୍ପର୍ଶ କରୁନାହିଁ । ଇହଜଗତ ଦିବ୍ୟଜଗତଠାରୁ ଅନେକତଳ ବ୍ୟବଧାନରେ ରହିଚି । ଇହଜଗତ ଶଇତାନକୁ କେନ୍ଦ୍ର କରି ଚାଲିଚି । ଶଇତାନର ପ୍ରବୃତ୍ତିଗୁଡ଼ାକ ହିଁ ଏଠି ଜୀବନରେ ନାନା ବୃତ୍ତିକୁ ପ୍ରଭାବିତ କରିବାରେ ଲାଗିଚି । ଏହି ଯୁକ୍ତିରେ ଆଉ ଟିକିଏ ଆଗକୁ ମୋହିଁଗଲେ ଆମେ ବେଶ୍ ବିଶ୍ୱାସ କରିପାରିବା ଯେ ଭଗବାନ ସେଠି ଅଛନ୍ତି, ଧର୍ମ ସେଠି ଅଛି; ସ୍ୱର୍ଗ ବି ସେଇଠି ରହିଚି-। ଏ ଧରାତଳେ ଧର୍ମର ସ୍ଥାନ ନାହିଁ । ଧରାତଳର ସଫଳ ନ୍ୟାୟ ଧର୍ମଜଗତର ଆଦର୍ଶ ନ୍ୟାୟଦ୍ୱାରା ଆଦୌ ନିୟନ୍ତ୍ରିତ ହେଉନାହିଁ । ଅର୍ଥାତ୍, ଆମର ବାସ୍ତବ ଓ ଆଦର୍ଶକୁ ଗୋଟିଏ ସମଗ୍ର ଦୃଷ୍ଟିରେ ଏକତ୍ର କରି ଦେଖିଲେ ଆମେ ଏହି ଶଇତାନୀ ସଂସାରରେ ବଡ଼ ଫିସାଦିରେ ପଡ଼ିଯିବା, ଅତ୍ୟନ୍ତ ଶୋଚନୀୟ ଭାବରେ ହାରିଯିବା । ଅର୍ଥାତ୍, ଶଠେ ଶାଠ୍ୟମ୍ ସମାଚରେତ୍ । ମନ୍ଦିର ଭିତରେ ଅର୍ଥାତ୍ ଭଗବାନଙ୍କ ଇଲାକାରେ ଧର୍ମକଥା କହ, ଧର୍ମକଥା ଶୁଣ, ଧର୍ମବିହ୍ୱଳ ହୁଅ । ମାତ୍ର ସଂସାର ଭିତରେ ସେସବୁ ବାତୁଳତା ଓ ବୋକାମୀ ଛାଡ଼ିଦେଇ ସଂସାରୀ ହୁଅ । ଭଗବାନଙ୍କୁ ଭଗବାନଙ୍କ ପ୍ରାପ୍ୟ ଦିଅ, ସଂସାର ଚଳାଉଥିବା ମାଲିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ମଧ୍ୟ ଗଣିଦିଅ-। ତା’ହେଲେ ଆପଣାର ବିବେକ ଭିତରେ ଆଉ କଦାପି ଝୁଣ୍ଟିବାକୁ ପଡ଼ିବ ନାହିଁ; କୌଣସି ପ୍ରକାର ଦ୍ୱନ୍ଦର ବିଡ଼ମ୍ୱନା ବି ଭୋଗିବାକୁ ପଡ଼ିବ ନାହିଁ । ଆମ ସଂସାରରେ ଦୀର୍ଘ ଅନେକ ଦିନ ହେଲା ଆମେ ଏହିପରି ଏକ ନିରାପଦ ଜୀବନଶାସ୍ତ୍ରରେ ବେଶ୍ ମଣ ହୋଇଆସିଚୁ । ଆମ ଅଳସୁଆ ମନର ଏହି ଦୁଇଟି ଅଲଗା ପୃଥିବୀକୁ ବାଇବେଲ୍‌ରେ Realm of God ଓ Realm of Caesar ବୋଲି ସୂଚାଇ ଦିଆଯାଇଚି । ଆମ ଭୀରୁମନର ସକଳ ଆତ୍ମଦ୍ୱନ୍ଦର ସମାଧାନ କରିଦେଲାପରି ବତାଇ ଦିଆଯାଇଚି ଯେ ଯାହା ଭଗବାନଙ୍କର ପ୍ରାପ୍ୟ, ଆମେ ତାହା ଭଗବାନଙ୍କୁ ଦେବା, ଏବଂ ଯାହା Caesarଙ୍କର ପ୍ରାପ୍ୟ, ତାହା Caesarଙ୍କୁ ଦେବା । ଧର୍ମଜଗତରେ ପଶିଥିବା ବେଳର ପୋଷାକୀ ପ୍ରହରଗୁଡ଼ାକରେ ଧର୍ମାଧୀଶ ଭଗବାନଙ୍କର ପରିଚର୍ଯ୍ୟା କରିବା, ପୁଣି ଏହି ସଂସାରର ଆଠପ୍ରହରୀ ବାସ୍ତବ ଜୀବନରେ ସଂସାରର ସ୍ୱୀକୃତ ଅଧୀଶ୍ୱରମାନଙ୍କର ସକଳ ପାଉଣାକୁ ଆମେ କଡ଼ାଗଣ୍ଡା ହିସାବରେ ଅବଶ୍ୟ ଗଣିଦେବା ।

 

ଅର୍ଥାତ୍ ଆମେ ସେଠି ସୁନାପୁଅ ହେବା, ଏଠି ବି ସୁନାପୁଅ ହେବା । ବ୍ରତ ଦିନ ଅରୁଆ ଖାଇବା, ଅନ୍ୟ ଦିନମାନଙ୍କରେ ଉଷୁନା ଖାଇବା । ଭଗବାନଙ୍କ ପାଖରେ ଶାନ୍ତିଲାଗି କାମନା କରିବା, ବିଗଳିତମତି ବାଳକପରି ବିଶ୍ୱ ଶାନ୍ତି ଲାଗି ଗୁହାରି କରିବା, ମାତ୍ର ଏଣେ ଆପଣାର ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ସର୍ବସାମୂହିକ ଜୀବନ ପର୍ଯ୍ୟନ୍ତ ସର୍ବବିଧ କ୍ଷେତ୍ରରେ ଯୁଦ୍ଧର ବିଗ୍ରହଟିକୁ ହିଁ ଲୋଡ଼ି ବୁଲୁଥିବା । ଧର୍ମସ୍ଥାନରେ ଦରିଦ୍ରକୁ ଦାନ କରୁଥିବା, ଏଣେ ଆମେ ନିଜେ ସଂସାର ତଥା ସମାଜରେ ଦାରିଦ୍ର୍ୟ ବଢ଼ାଇବାରେ ଅନେକପ୍ରକାରେ ସହଯୋଗ କରୁଥିବା । ଅସହାୟ ମଣିଷକୁ ଦୟା ଦେଖାଇବାରେ ପୁରୋଗାମୀ ହୋଇ ବାହାରୁଥିବା, ମାତ୍ର ତେଣେ ମଣିଷକୁ ଦୟନୀୟ ଅବସ୍ଥାରେ ପକାଇ ରଖିବାଲାଗି କେତେପ୍ରକାରେ ନିମିତ୍ତ ହେଉଥିବା । ମନ୍ଦିରର ସଉଦାଲାଗି ଧର୍ମର ଆଚାରଗୁଡ଼ାକୁ ଗଣ୍ଠି କରି ରଖିଥିବା; ଏଣେ ଧର୍ମବର୍ଜିତ ଜୀବନର ଆଚାରଗୁଡ଼ାକୁ ବି କାମୁଡ଼ି ଧରିଥିବା, ଗୋଟାକର ଆରଟା ପାଖକୁ କୌଣସି ପହଞ୍ଚ ନ ଥିବ, ଏବଂ ଏଣେ ଜୀବନର କରୁଣ ଦରିଦ୍ର ଅଭିନୟଗୁଡ଼ାକ ଲାଗି ରହିଥିବ ।

 

ମଣିଷର କଲ୍ୟାଣ ଲାଗି (ପ୍ରଭବାର୍ଥାୟ ଭୂତାନାଂ) ଧର୍ମ ସରଜା ହୋଇଥିଲା । ସଂସାରରୁ ପଳାଇଯିବା ଲାଗି ଅର୍ଥାତ୍ ଆମ ସଂସାର-ଚଳଣି ଭିତରୁ ଭଗବାନଙ୍କୁ ବାସନ୍ଦ କରି ରଖିବାଲାଗି ଧର୍ମର ସୃଷ୍ଟି ହୋଇନଥିଲା । ଜୀବନର ଅନ୍ୟାନ୍ୟ ସକଳ ନୀତି ଭଳି ରାଜନୀତି ମଧ୍ୟ ମଣିଷର କଲ୍ୟାଣ ପାଇଁ ତିଆରି ହୋଇଥିଲା । ତେଣୁ ଯେକୌଣସି ସୁସ୍ଥ ଓ ସ୍ୱାଭାବିକ ବ୍ୟବସ୍ଥାରେ ଆମ ଜୀବନର ବ୍ୟବହାରିକ ସେତୁଦ୍ୱାରା ଧର୍ମ ଏବଂ ରାଜନୀତି ପରସ୍ପର ସହିତ ଯୋଡ଼ାହୋଇ ରହିବା ଉଚିତ । ମାତ୍ର ମଣିଷଗଢ଼ା ଇତିହାସର କ୍ରୁରତା ଭିତରେ ଚାପି ହୋଇ ରାଜନୀତି କ୍ରମେ ପ୍ରଧାନତଃ ଏକ କ୍ଷମତାନୀତିରେ ହିଁ ପରିଣତ ହୋଇଆସିଚି । ଭଗବାନଙ୍କର ନିୟନ୍ତ୍ରଣକୁ ମାନି ସିଜର ସଂସାରକୁ ଚଳାଇଥିଲେ ଆମ ସଂସାରରେ ଧର୍ମ ରହିଥାନ୍ତା, ସୁସ୍ଥ ରାଜନୀତି ବି ରହିଥାନ୍ତା । ମାତ୍ର ସେପରି ନହୋଇ ଅନେକ କ୍ଷେତ୍ରରେ ଭଗବାନଙ୍କୁ ମଧ୍ୟ ପ୍ରତାପଶାଳୀ ସିଜରର ବୋଲ ମାନିବାର କାମରେ ଲଗାଇ ଦିଆଯାଇଚି । ଏହି ପୃଥିବୀର କ୍ଷମତାଧୀଶ ସମ୍ରାଟମାନେ ଅଧସ୍ତନ ସାଧାରଣ ମଣିଷଠାରୁ କେବଳ ଯେ ଆପଣାର ପ୍ରାପ୍ୟ ଦାବୀ କରି ସେତିକି ପାଇ ସନ୍ତୁଷ୍ଟ ରହିଚନ୍ତି ତାହା ନୁହେଁ, ସେମାନେ ମଣିଷଠାରୁ ଭଗବାନଙ୍କର ପ୍ରାପ୍ୟକୁ ମଧ୍ୟ ଆତ୍ମସାତ୍‌ କରିବା ଲାଗି ମନ ବଳାଇଚନ୍ତି । ରାଜଧର୍ମ ପରମଧର୍ମ ରୂପେ ସାବ୍ୟସ୍ତ ହୋଇଚି । ସ୍ୱୟଂ ଭଗବାନ ସିନା ମଣିଷଠାରୁ ତା’ର ସର୍ବସ୍ୱ ଦାବୀ କରିବାଲାଗି ଅଧିକାରୀ ବୋଲାଇ ପାରନ୍ତି, ମାତ୍ର ଆମ ଏଯୁଗରେ ସିଜର୍‌ ହିଁ ମଣିଷର ଯାବତୀୟ ଅନୁରକ୍ତିକୁ ମାଡ଼ି ବସିବାଲାଗି କେତେ କେତେ ସଫଳ ଚକ୍ରାନ୍ତ କରିଆସିଚି । ଜଣେ ଆଧୁନିକ ଯୁଗସମୀକ୍ଷକ ଏହାକୁ ଆମ ଇତିହାସର ସର୍ବପ୍ରଧାନ ଦୈନ୍ୟ ବା ଟ୍ରାଜେଡ଼ି ବୋଲି କହିଚନ୍ତି । (୧) ଏଥିଲାଗି ଆମେ ଖାଲି ସିଜର୍‌ ବା ରାଜନୀତି କ୍ଷେତ୍ରର ଅଧୀଶ୍ୱରମାନଙ୍କୁ କଦାପି ଦୋଷ ଦେଇପାରିବା ନାହିଁ । ତଥାକଥିତ ଧର୍ମାଧୀଶମାନେ ବି ଧର୍ମକୁ ସମ୍ରାଟର ଗୋଲାମ କରି ରଖିବା ପାଇଁ କମ୍‌ ଦୌରାତ୍ମ୍ୟ ଓ କମ୍‌ କାପୁରୁଷତା ଦେଖାଇ ନାହାନ୍ତି । କ୍ଷମତାର ଲାଳସାରେ ପଡ଼ି ଭୟଭୀତ ଧର୍ମ ଆପଣାକୁ ରାଜନୀତି ପାଖରେ ସମର୍ପଣ କରିଦେଇଚି, ସଂସାରରେ କ୍ଷମତାଶାଳୀ ହେବାର ମତଲବରେ କ୍ଷମତାର ବାଟକୁ ଆପଣାର ବାଟ ବୋଲି ଗ୍ରହଣ କରିଚି, ଯେକୌଣସି ପ୍ରକାରେ ପରାକ୍ରମୀ ହେବାର ଉତ୍ତେଜନାରେ ପଡ଼ି ଆପଣାର ବାଟ ଛାଡ଼ି, କ୍ଷମତାର ବାଟ ଧରିଚି । ଐତିହାସିକ ଟଏନ୍‌ବୀ ଏହି ସଂକ୍ରାନ୍ତରେ ଶିଖ୍‌ଧର୍ମର ଇତିହାସରୁ ଏକ ପ୍ରସଙ୍ଗର ଆଲୋଚନା କରିଚନ୍ତି । (୨) ହିନ୍ଦୁଧର୍ମ ଓ ଇସ୍‌ଲାମ ଭିତରେ ସମନ୍ୱୟ ଆଣିବା ଉଦ୍ଦେଶ୍ୟରେ ଗୁରୁନାନକ ଶିଖଧର୍ମର ପ୍ରଚାର କରିଥିଲେ । ମାତ୍ର ଏକ ପରବର୍ତ୍ତୀ ପର୍ଯ୍ୟାୟରେ ଶିଖ୍‌ଗୁରୁ ହରଗୋବିନ୍ଦ ଓ ଗୋବିନ୍ଦ ସିଂହ ଶିଖ୍‌ଧର୍ମ ଓ ଶିଖ୍‌ଜାତିର ରକ୍ଷା ସକାଶେ ଧର୍ମଶକ୍ତି ଅପେକ୍ଷା କ୍ଷମତା ଓ ସମରଶକ୍ତି ଉପରେ ଅଧିକ ନିର୍ଭର କରିବାକୁ ଲାଗିଲେ । ଧର୍ମପଥ ଅପେକ୍ଷା ସମରପଥରେ ଶିଖ୍‌ଜାତି ଅଧିକ ମଣ ହେବାରେ ଲାଗିଲା । ଦୁର୍ଦ୍ଧର୍ଷ ଯୁଦ୍ଧବୀର ରଣଜିତ୍‌ ସିଂହଙ୍କ ଅମଳରେ ଶିଖ୍‌ମାନେ ହୁଏତ ମୂଳ ଧର୍ମଶକ୍ତିଟିକୁ ବିଲକୁଲ୍‍ ପାଶୋରି ପକାଇଲେ ଓ ଯୁଦ୍ଧଶକ୍ତିକୁ ହିଁ ଗୋଟାସୁଦ୍ଧା ଆପଣାର କରିନେଲେ । ଶିଖ୍‌ଜାତିର ପରାକ୍ରମ ବଢ଼ିଲା, ମାତ୍ର ଶିଖ୍‌ଧର୍ମର ପ୍ରେରଣାଶକ୍ତିରେ ବିଲୟ ଘଟିଲା । ଶିଖ୍‌ମାନଙ୍କୁ ରାଜନୀତିର କୁଣ୍ଡ ମୋହିଁଦେଇ ଶିଖ୍‌ଗୁରୁମାନେ ଶିଖ୍‌ଧର୍ମର ହାନି ଘଟାଇଲେ । ଶ୍ରୀ ଟଏନ୍‌ବୀଙ୍କ ମତରେ ସ୍ୱୟଂ ମହମ୍ମଦ ମଧ୍ୟ ଧର୍ମର ବିଜୟଲାଗି ହିଂସା ଓ ଯୁଦ୍ଧଶକ୍ତିର ପ୍ରଲୋଭନରେ ପଡ଼ିଯାଇଥିଲେ । ଖ୍ରୀଷ୍ଟ ଚତୁର୍ଥ ଶତାବ୍ଦୀରେ ରୋମ୍‌ ସମ୍ରାଟ୍‌ କନ୍‌ଷ୍ଟାଣ୍ଟିନ୍‌ ନବପ୍ରଚାରିତ ଖ୍ରୀଷ୍ଟିଆନ୍‌ ଧର୍ମକୁ ରାଜଧର୍ମରେ ପରିଣତ କରିଥିଲେ ସତ, ମାତ୍ର ଯୀଶୁଖ୍ରୀଷ୍ଟଙ୍କର ଆତ୍ମତ୍ୟାଗ ଓ ପ୍ରେମଭାବ ଅପେକ୍ଷା ତାଙ୍କର ଅଜେୟ ପରାକ୍ରମ ହିଁ ପରାକ୍ରମ ଲୋଭୀ କନ୍‌ଷ୍ଟାଣ୍ଟିନ୍‌ଙ୍କୁ ଖ୍ରୀଷ୍ଟିଆନ୍‌ ଧର୍ମଆଡ଼େ ଆକୃଷ୍ଟ କରିନେଇଥିଲା । କନ୍‌ଷ୍ଟାଣ୍ଟିନ୍‌ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ ସତ, ମାତ୍ର ତାଙ୍କର ଏହି ଚକ୍ରାନ୍ତ ଫଳରେ ଧର୍ମକୁ ରାଜନୀତିର କାମରେ ଆଣି ଲଗାଇ ଦିଆଗଲା, ଖ୍ରୀଷ୍ଟଧର୍ମକୁ ସାମ୍ରାଜ୍ୟସିଦ୍ଧି ସକାଶେ ବ୍ୟବହାର କରାଗଲା ।

 

ହୃଦୟ ଭିତରେ ପ୍ରେମଭାବ ରହିଥିବ, ଏଣେ ଭଗବାନଙ୍କ ଅମିତ ଶକ୍ତି ଉପରେ ଅଟଳ ବିଶ୍ୱାସ ରହିଥିବ । ସେହି ଶକ୍ତି ଉପରେ ବିଶ୍ୱାସ ରଖିଥିବା ବ୍ୟକ୍ତି ଆପଣାକୁ ମଧ୍ୟ ଶକ୍ତିମନ୍ତ ବୋଲି ଅନୁଭବ କରିବ । ଏହି ଶକ୍ତିମତ୍ତାକୁ ସେ ସବୁରି କଲ୍ୟାଣ ଲାଗି ନିୟୋଜିତ କରିବା ସକାଶେ ପ୍ରସ୍ତୁତ ହୋଇ ବାହାରିଥିବ । ଏତିକି ହୋଇପାରିଲେ ଆମଭିତରେ ଧର୍ମ-ଭାବର ଉଦ୍ରେକ ହେଲା ବୋଲି ଅବଶ୍ୟ କୁହାଯିବ । ବାହାର ଭେକରେ ଆମେ ଯେଉଁ ଧର୍ମର ପଥକୁ ଗ୍ରହଣ କରୁଥିଲେ ମଧ୍ୟ ଏତିକି ନ ଥିଲେ ଆମର ଜୀବନ କଦାପି ଧର୍ମସ୍ଥ ହୋଇପାରିବ ନାହିଁ । ଅନ୍ୟପକ୍ଷରେ, ରାଜନୀତି ସାଧାରଣ ଅର୍ଥରେ କ୍ଷମତାକୁ ହିଁ ବୁଝାଏ । କ୍ଷମତାଶୀଳ ହେବାକୁ ହିଁ ବୁଝାଏ । ଗାନ୍ଧିଜୀ ଏହି କ୍ଷମତା ସହିତ ଧର୍ମପ୍ରେରଣାକୁ ମିଶାଇବାକୁ ଚାହୁଁଥିଲେ । ଧର୍ମପ୍ରେରଣା ଅର୍ଥାତ୍‌ ମଣିଷଜୀବନର ଗଭୀରତମ ପ୍ରେରଣା । ଧର୍ମର ଅର୍ଥ ନିରୂପଣ କରିବାକୁ ଯାଇ ଏ ଯୁଗର ଜଣେ ବିଜ୍ଞ ସମୀକ୍ଷକ ପାଉଲ୍‌ ଟିଲିଖ୍‌ (Paul Tilich) ଆମ ଜୀବନର ଗଭୀରତା ବାଚକ ପ୍ରସ୍ଥଟିକୁ (Tiefendimension) ଧର୍ମ ବୋଲି କହିଚନ୍ତି । ମନୁଷ୍ୟମାନସର ସମଗ୍ର କ୍ଷେତ୍ରରେ ଯିଏ ଯେତିକି ଗଭୀର ତଳକୁ ପ୍ରବେଶ କରି ପାରିଥାଏ, ତା’ ଜୀବନରେ ଧର୍ମ ସେତିକି ଯଥାର୍ଥଭାବେ ଭେଦିକରି ରହିଥାଏ । ଧର୍ମର ଜଣେ ଜର୍ମାନ୍‌ ବ୍ୟାଖ୍ୟାକାର Schleirmacher ଧର୍ମକୁ ବିଶ୍ୱତୋଦୃଷ୍ଟି ଓ ବିଶ୍ୱାନୁଭୂତି ବୋଲି ବର୍ଣ୍ଣନା କରିଚନ୍ତି । ଜର୍ମାନ ଦାର୍ଶନିକ Edward Spranger ଧର୍ମର ଏକ ଅନୁଭୂତିମୂଳକ ପ୍ରକରଣ Stimmungsreligionର ନିର୍ଣ୍ଣୟ କରିଚନ୍ତି । ଏହି ପ୍ରକରଣର ବିଚାର କଲାବେଳେ ଧର୍ମର ନାମ, ରୂପ, ଭେକ ଓ ଆୟତନଗୁଡ଼ାକ ଆମର ଆଖି ଆଗରେ ଆଦୌ ମୁଖ୍ୟ ବୋଲି ଦେଖାଯାଏ ନାହିଁ । ଆପଣାର ଅନୁଭୂତି ମଧ୍ୟଦେଇ କିଏ କେତେ ଗଭୀର ଭାବରେ ସକଳ ଜୀବନ ସହିତ ଏକାତ୍ମ ହୋଇପାରିଚି, ଆପଣାର ଅନ୍ତର୍ଧମନୀରେ କିଏ କେତେଦୂର ନିଶ୍ଚିତ ଭାବରେ ସମଗ୍ର ବିଶ୍ୱର ସ୍ପନ୍ଦନକୁ ଅନୁଭବ କରିପାରୁଚି ଓ ଜୀବନର ସର୍ବବିଧ କ୍ଷେତ୍ରରେ ଆପଣାକୁ ସେହି ଅନୁସାରେ କେତେଦୂର ପ୍ରେରିତ କରିପାରୁଚି, ସେଇଥିରୁ ହିଁ ଧର୍ମର ଅସଲ କଳନା କରାଯାଏ । ଇତିହାସର ସବୁ ଧର୍ମ ପଛରେ ଗାନ୍ଧିଜୀ ମଧ୍ୟ ଏହାକୁ ହିଁ ଧର୍ମର ସାରସତ୍ୟ ବୋଲି ଚିହ୍ନିଥିଲେ । ସବୁରି ଭିତରେ ଭଗବାନ ଅଛନ୍ତି, ମୋ’ ଭିତରେ ଯେମିତି ରହିଚନ୍ତି ଠିକ୍‌ ସେମିତି । ତେଣୁ ଯେକୌଣସି ସମାଜରେ ସବୁ ମଣିଷଲାଗି ଅବଶ୍ୟ ସମ୍ମାନିତ ସ୍ଥାନ ରହିବ । ଯେଉଁ ରାଜନୀତିର ରଜ୍ଜୁ ବନ୍ଧାହୋଇ ଆମ ସମାଜ ତିଆରି ହେବ, ସେହି ରାଜନୀତିରେ ମଧ୍ୟ ମଣିଷ ହିସାବରେ ପ୍ରତ୍ୟେକ ମଣିଷଲାଗି ସମ୍ମାନିତ ସ୍ଥାନ ରହିବ । କ୍ଷମତା ସମ୍ମାନ ଦେଇ ଜାଣେ ନାହିଁ, ସମ୍ମାନ ଅପହରଣ କରେ । ଅପର ମଣିଷର ମହିମାକୁ ଲୁଣ୍ଠନ କରି ମହାନ୍‌ ବିକ୍ରମର ସହିତ ଆପେ ସ୍ଫୀତ ହୋଇ ରହିବାକୁ ଇଚ୍ଛାକରେ । ଗାନ୍ଧିଜୀ ରାଜନୀତି ଭିତରେ ଧର୍ମକୁ ସୂତ୍ର କରି ମାନିଥିଲେ । ଅର୍ଥାତ୍‌ ସମାଜର ଯାବତୀୟ ରାଜନୀତି ନୈତିକତାକୁ ହିଁ ନିର୍ଣ୍ଣାୟକ ବୋଲି ମାନୁ ବୋଲି ସେ କହୁଥିଲେ । ଯେଉଁ ନୈତିକତାକୁ ଶାସକ ଉପରୁ ଥାଇ ଅଧସ୍ତନ ଆଉ ସମସ୍ତଙ୍କ ଉପରେ ଲଦିଦିଏ, ଏଠାରେ ସେହି ନୈତିକତାର ପ୍ରଶ୍ନ ହିଁ ଉଠୁନାହିଁ । ମାତ୍ର ଯେଉଁ ନୈତିକତା ମଣିଷ ମାତ୍ରକେ ସମସ୍ତଙ୍କୁ ସମ୍ମାନିତ ସ୍ୱୀକାର ଦିଏ, ରାଜନୀତିରେ ମଧ୍ୟ ସେହି ନୈତିକତାକୁ ସର୍ବୋଚ୍ଚ ନିର୍ଣ୍ଣାୟକ କରି ରଖାଯିବ । କ୍ଷମତା କୌଣସି ନୈତିକତାର ବୋଲ ମାନେ ନାହିଁ, ମୂଳତଃ ଆତ୍ମବୃଦ୍ଧିର ହିଁ ବୋଲ ମାନିଥାଏ । ଆତ୍ମବୃଦ୍ଧିକୁ ମହତ୍ତମ ଲକ୍ଷ୍ୟ ବୋଲି ମାନିନେଇ, ସେହି ଲକ୍ଷ୍ୟର ସିଦ୍ଧିପାଇଁ କ୍ଷମତା ଯେକୌଣସି ପନ୍ଥା ଓ କୌଶଳ ଅବଲମ୍ବନ କରିବାକୁ ମଧ୍ୟ ପଛାଏ ନାହିଁ । ରାଜନୀତି ଭିତରେ ଧର୍ମ ଓ ନୈତିକତାର ପ୍ରବେଶ କରାଇ ଗାନ୍ଧିଜୀ ରାଜନୀତିକୁ ବିଶୋଧିତ କରିବାକୁ ଚାହୁଁଥିଲେ । ଯଦି ଆମର ଲକ୍ଷ୍ୟ ମହାନ୍‌ ହୁଏ, ତେବେ ସେହି ଲକ୍ଷ୍ୟକୁ ହାସଲ କରିବାର ପନ୍ଥାଗୁଡ଼ିକ ମଧ୍ୟ ସେହିପରି ମହାନ୍‌ ଅର୍ଥାତ୍‌ ଦୋଷମୁକ୍ତ ଓ ଶୁଦ୍ଧ ହୋଇଥିବା ଉଚିତ, ଗାନ୍ଧିଜୀ ଏହିକଥା କହୁଥିଲେ । ସୁଆଦର୍ଶ ଲାଗି ସୁପଥ ହିଁ ଦରକାର । ଧର୍ମରେ ଏହି ରୀତି, ବ୍ୟକ୍ତିଗତ ଜୀବନଗଠନରେ ବି ଏହି ରୀତି । ଜାତୀୟ ଅର୍ଥାତ୍‌ ସାମୂହିକ ଯାବତୀୟ ନିର୍ମାଣରେ ଏହି ରୀତି, ରାଜନୀତିରେ ମଧ୍ୟ ଏହି ରୀତି । ଅର୍ଥାତ୍‌ ଯୁଦ୍ଧଦ୍ୱାରା ଶାନ୍ତିର ସ୍ଥାପନା କଦାପି ସମ୍ଭବ ନୁହେଁ; ବନ୍ଧୁକର ଭୟ ଦେଖାଇ ମଣିଷକୁ ବଦଳାଇବା ସମ୍ଭବ ନୁହେଁ; ଭୟ ଓ ଭୟପ୍ରସୂତ ଜାତୀୟ ଉଗ୍ରତା ବଢ଼ାଇବାଦ୍ୱାରା ଜାତି ଜାତି ଅର୍ଥାତ୍‌ ମଣିଷ ମଣିଷ ଭିତରେ ସଦ୍‌ଭାବ ସ୍ଥାପନ ଓ ସହୃଦୟତା ସମ୍ଭବ ନୁହେଁ । ଆପଣା କାଳରେ ଯୀଶୁଖ୍ରୀଷ୍ଟ ଓ ବୁଦ୍ଧ ଏହି ସତକଥାଟିକୁ ସୂଚାଇ ଦେଇ ଯାଇଥିଲେ । ଆପଣାର ରାଜନୀତି ଓ ଲୋକ ସଂଗ୍ରହନୀତିରେ ଗାନ୍ଧିଜୀ ଏହି ସତ୍ୟଟିର ପ୍ରୟୋଗ କରିଥିଲେ ।

 

ରାଜନୀତିକୁ ଧର୍ମନୀତି ଦ୍ୱାରା ପରିଶୁଦ୍ଧ କରିବା ଗୋଟାଏ କଥା, ମାତ୍ର ରାଜନୀତିରେ ଧର୍ମର ପୁଟ ଦେଇ ଲୋକ ଭଣ୍ଡାଇବା ଆଉ ଏକ କଥା । ରାଜନୀତିରେ ଧର୍ମର ପୁଟ ଦେଇ ଏବେ ଅନେକ ସ୍ଥଳରେ ଧର୍ମ ଓ ରାଜନୀତି ମଧ୍ୟରେ ରହିଥିବା ସମ୍ୱନ୍ଧଗତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାଲାଗି ଚେଷ୍ଟା କରାଯାଉଚି । ଆଧୁନିକ ଜାତୀୟତାବାଦ ହେଉଚି ଏହି ଖଳଚେଷ୍ଟାର ଗୋଟିଏ ଉଦାହରଣ । ଏବେ ଜାତିର ପୂଜା ହେଉଚି, ଜନ୍ମଭୂମିକୁ ସ୍ୱାର୍ଗାଦପି ଗରୀୟସୀ ବୋଲି କୁହାଯାଉଚି, ଜାତୀୟତାବାଦକୁ ନୂତନ ଧର୍ମ ବୋଲି କହି ବଡ଼ ଉଗ୍ରତାର ସହିତ ଡିଣ୍ଡିମ ବାଜୁଚି । ଏଇ ଜାତିଗୁଡ଼ାକ କୁଆଡ଼େ ସିଆଡ଼ୁ ଅର୍ଥାତ୍ ଭଗବାନଙ୍କ ଘରୁ ସେମିତି ଅଲଗା ଅଲଗା ଭାବରେ ଈଶ୍ୱର ନିର୍ଦ୍ଦେଶିତ ବିଭିନ୍ନ ଓ ବିଶିଷ୍ଟ କର୍ମଭାରମାନ ନେଇ ସଂସାରକୁ ଆସିଚନ୍ତି ବୋଲି ଏକ ଦୁର୍ବୃତ୍ତ ଦର୍ଶନର ବି ବୟାନ କରାଯାଉଚି । ଭାରତୀୟ ଜାତିର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ମହାତ୍ମା ଗାନ୍ଧୀ ସତେ ଅବା ବିଧିନିର୍ଦ୍ଦିଷ୍ଟ ହେଲାପରି ଭାରତରେ ନେତୃତ୍ୱ ଦେବାକୁ ଆସିଥିଲେ । ଆମେ ସମସ୍ତେ ତାଙ୍କୁ ଜାତିର ଜନକ ବୋଲି ସ୍ୱୀକାର କରି ନେଇଥିଲୁ । ମାତ୍ର ଗାନ୍ଧିଜୀ ଆଦୌ ଜତୀୟତାବାଦୀ ନ ଥିଲେ, ସେ ମାନବତାବାଦୀ ଥିଲେ । ମଣିଷକୁ ନେଇ ଜାତି, ମଣିଷବ୍ୟକ୍ତିର ଅଭୁଦୟରେ ଜାତିର ଅଭ୍ୟୁଦୟ, –ଗାନ୍ଧୀଙ୍କର ଆହ୍ୱାନଗୁଡ଼ିକୁ ବୁଝିବାକୁ ହେଲେ ଆମକୁ ଏହି ପ୍ରଥମ ସତ୍ୟଟିର ମର୍ମକୁ ବି ବୁଝିବାକୁ ପଡ଼ିବ । ଜାତିକୁ ହିଁ ଏକମାତ୍ର ସାର, ଆଧାର ଓ ଆୟତନରୂପେ ମାନିନେଲେ ରାଜନୀତିର ମତ୍ତ ପ୍ରବାହରେ ପଡ଼ି ଆମକୁ ଯେ ଅସ୍ତ୍ରସଜ୍ଜା, ଯୁଦ୍ଧ ତଥା ରାଜନୀତିକ ଓ ଅର୍ଥନୀତିକ କ୍ଷମତାର ବିବେକହୀନ କେନ୍ଦ୍ରୀକରଣକୁ ମଧ୍ୟ ମାନିନେବାପାଇଁ ଆଦୌ ବେଶୀ ଡ଼େରି ଲାଗିବ ନାହିଁ, ଗାନ୍ଧୀଜୀ ଏହି କଥାଟି ବେଶ୍ ଜାଣିଥିଲେ । ଏକ ଜାତୀୟ ମୁକ୍ତିର ଆନ୍ଦୋଳନରେ ସେ ନେତୃତ୍ୱର ଆସ୍ଥାନ ଉପରେ ଅବତୀର୍ଣ୍ଣ ହୋଇ ଆସିଥିଲେ ସତ, ମାତ୍ର ଜାତିକୁ ଏକ ଅଭିନବ ମାନବିକ କଳେବର ଦେବା ହିଁ ସର୍ବଦା ତାଙ୍କର ଲକ୍ଷ୍ୟ ହୋଇ ରହିଥିଲା । ଏ ଦେଶରେ ବାସ କରୁଥିବା ପ୍ରତ୍ୟେକ ମଣିଷକୁ ମଣିଷର ବିବେକ ଓ ବୁଦ୍ଧି ଦ୍ୱାରା ସମ୍ପନ୍ନ କରିବାଲାଗି ହିଁ ସେ ଦେଶର ସ୍ୱାଧୀନତା କାମନା କରୁଥିଲେ । ଏହି ଉଦ୍ଦେଶ୍ୟରେ ସେ ହିଂସା ଛାଡ଼ି ସତ୍ୟାଗ୍ରହର ବାଟ ଦେଖାଇଥିଲେ, ଏବଂ ଦ୍ୱିତୀୟତଃ ଜାତିର ସାମାଜିକ ଓ ଆର୍ଥିକ ଜୀବନରେ ବିକେନ୍ଦ୍ରୀକରଣ-ବ୍ୟବସ୍ଥାର ଯଥାସମ୍ଭବ ପ୍ରବର୍ତ୍ତନ କରିବାକୁ ଚାହିଁଥିଲେ । କେନ୍ଦ୍ରୀକରଣର ଅତ୍ୟୁତ୍ସାହ ଜାତିକୁ ଉଗ୍ର ହେବାରେ ସାହାଯ୍ୟ କରିଥାଏ, ଜାତୀୟ ନେତୃତ୍ୱକୁ ମଦାନ୍ଧ ହେବାରେ ସାହାଯ୍ୟ କରିଥାଏ । ଜାତିର ଆୟତନ ଭିତରେ ବାସ କରୁଥିବା ମଣିଷକୁ ଅମଣିଷ ହେବାଲାଗି ପ୍ରରୋଚନା ଯୋଗାଇଥାଏ । ଗାନ୍ଧିଜୀଙ୍କର ଜାତୀୟତା ସେସବୁ ଧାତୁରେ ଗଢ଼ାହୋଇ ନଥିଲା । ଜାତୀୟ ଅଭିକ୍ରମକୁ ତୁଚ୍ଛା ଜାତୀୟତାବାଦର ସ୍ତରରୁ ଉତ୍ତୋଳିତ କରିନେଇ ସେ ତାହାକୁ ଏହି ସଂସାରରେ ଈଶ୍ୱରଙ୍କର ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ଏକ ସାଧନରୂପେ ବ୍ୟବହାର କରିବାକୁ ଚାହୁଁଥିଲେ । ସେ ଜାତିକୁ ସାଧ୍ୟ ବୋଲି ମାନୁ ନଥିଲେ, ମଣିଷକୁ ସାଧ୍ୟ ବୋଲି ମାନୁଥିଲେ । ଧର୍ମରତ, ଅର୍ଥାତ୍ ଆପଣାର ଶୁଭତମ ବାସନାଗୁଡ଼ିକୁ ଜାଣି ସେହି ଦିଗରେ ଅନୁରତ ରହିଥିବା ମଣିଷକୁ ହିଁ ସାଧ୍ୟ ବୋଲି ମାନୁଥିଲେ । ଆଜିର ଦେଶଭକ୍ତ ଶାସକମାନେ ସେତେବେଳେ ଗାନ୍ଧିଜୀଙ୍କୁ ଆପଣାର ନେତା ବୋଲି ମାନିଥିଲେ । ଧର୍ମ, ନୀତି ଓ ମଣିଷର ଯଥାର୍ଥ ଅଭ୍ୟୁଦୟକୁ ଯେ ଗାନ୍ଧୀ ଦେଶଠାରୁ ଅଧିକ ବଡ଼ ବୋଲି ମାନୁଥିଲେ, ସେକଥା ସେମାନେ ସେତେବେଳେ ନିଶ୍ଚୟ ବୁଝିଥିବେ । ‘ମୋ ଦେଶର ସ୍ୱାଧୀନତା ଓ ମୋର ଧର୍ମ ସକାଶେ ମଧ୍ୟ ମୁଁ ସତ୍ୟ ଓ ଅହିଂସାକୁ ବର୍ଜନ କରିପାରିବି ନାହିଁ-।’ ପୁଣି ‘ମୋ ଧର୍ମର କୌଣସି ଭୌଗୋଳିକ ସୀମାବଦ୍ଧତା ଆଦୌ ନାହିଁ । ଯଦି ଏହି ଧର୍ମରେ ମୋର ଅଟଳ ବିଶ୍ୱାସ ରହିଥାଏ, ତେବେ ଭାରତବର୍ଷ ପ୍ରତି ମୋ ଚିତ୍ତରେ ରହିଥିବା ପ୍ରେମକୁ ମଧ୍ୟ ତାହା ନିଶ୍ଚୟ ଅତିକ୍ରମ କରି ଚାଲିଯିବ ।’ (ୟଙ୍ଗ୍ ଇଣ୍ଡିଆ, ୧୧.୮.୨୦) ଏସବୁ କଥା ଗାନ୍ଧିଜୀଙ୍କର କଲମରେ ଲେଖା ହୋଇଥିଲା । କୌଣସି କ୍ଷମତା କିମ୍ୱା ଖ୍ୟାତିଲାଭର ମୋହରେ ପଡ଼ି ଗାନ୍ଧିଜୀ ରାଜନୀତି ଭିତରକୁ ଆସି ନଥିଲେ । ଆପଣାର ଜୀବନକୁ ଧର୍ମାନୁଗତ କରି ରଖିବାର ପ୍ରୟୋଗରେ ସେ ରାଜନୀତିକୁ ଆସିଥିଲେ । ଧର୍ମକୁ ରାଜନୀତିର କର୍ଦ୍ଦମ ଭିତରେ ପୂରାଇଦେବାକୁ ନୁହେଁ, ଧର୍ମଗତ ଆହ୍ୱାନବୋଧ ଦ୍ୱାରା ରାଜନୀତିକୁ ମଣିଷର ଯଥାର୍ଥ କଲ୍ୟାଣକ୍ଷେତ୍ର ଯାଏ ଉତ୍ତୋଳିତ କରିନେବାକୁ ସେ ରାଜନୀତିରେ ପ୍ରବେଶ କରିଥିଲେ । କାରଣ ସେ ରାଜନୀତିକୁ ଜୀବନର ଏକ କ୍ଷେତ୍ର ବୋଲି ମାନୁଥିଲେ ଓ ଧର୍ମକୁ ସେହି ଜୀବନର ଯଥାର୍ଥ ଅଭ୍ୟୁଦୟ ଲାଗି ଆବଶ୍ୟକ ଏକ ଉତ୍‌କ୍ରାନ୍ତିକାରୀ ଜଳବାୟୁରୂପେ ମାନୁଥିଲେ । ଗାନ୍ଧିଜୀଙ୍କର ଚାଟଶାଳୀରେ ପାଠ ପଢ଼ିଥିବା ସେକାଳର ଚାଟମାନେ ଯେଉଁମାନେ କି ଆଜିର ନେତୃତ୍ୱରୁ ଧର୍ମକୁ ବାଦ୍ ଦେଇ ଖାଲି ରାଜନୀତିର କୁଲା ଧରି ଫସଲ ଉଡ଼ାଇବାରେ ଲାଗିଚନ୍ତି, ପରୀକ୍ଷାରେ ସବୁଥିବାବେଳେ ସେମାନେ ବି ହୁଏତ ଏ କଥାଗୁଡ଼ାକୁ ବିଶ୍ୱାସ ହିଁ କରିପାରୁନଥିବେ; ‘‘ଆଜି ମୁଁ ରାଜନୀତି ଭିତରେ ରହିଛି ଓ ରାଜନୀତିରେ ଅଂଶ ଗ୍ରହଣ କରୁଚି ବୋଲି ଯଦି ପ୍ରତୀତ ହେଉଥାଏ, ତେବେ ତାହାର କେବଳ ଗୋଟିଏ ମାତ୍ର କାରଣ ରହିଚି । ଆଜି ରାଜନୀତି ଆମ ବେକରେ ସାପପରି ଗୁଡ଼ାଇ ହୋଇ ରହିଚି । ଯେତେ ଚେଷ୍ଟା କଲେ ମଧ୍ୟ ଆମେ ସେହି ସାପର ଫାଶରୁ ମୁକ୍ତ ହୋଇପାରିବା ନାହିଁ । ସେହି ସାପଟା ସହିତ ମୁଁ ସଂଗ୍ରାମକରି ବାହାରିଚି । ରାଜନୀତି ଭିତରେ ମୁଁ ଧର୍ମର ପ୍ରବେଶ କରାଇବାକୁ ଚେଷ୍ଟା କରୁଚି ।’’(୩)

 

ସମାଜ ଓ ସାମାଜିକ ଜୀବନକୁ ବଦଳାଇବାକୁ ହେଲେ ବିପ୍ଳବ ଦରକାର, ଆନ୍ଦୋଳନ ବି ଦରକାର, ପୁରୁଣା ସରକାର ଭାଙ୍ଗି ନୂଆ ସରକାର ଦରକାର, ରାଜନୀତିକ କ୍ଷମତା ଦରକାର, ରାଜନୀତିକ ସଂସ୍କାର ଦରକାର, ରାଷ୍ଟ୍ର ଓ ରାଷ୍ଟ୍ରୀୟତା ସବୁ ଦରକାର । ଆମ ପୃଥିବୀର ରାଜନୀତି ସଚରାଚର ଏକଥା କହିଆସିଚି । ତଥାପି ଏସବୁ ଯଥେଷ୍ଟ ନୁହେଁ । ଆମର ଇପ୍‌ସିତ ପରିବର୍ତ୍ତନଗୁଡ଼ିକୁ ଆଣିବାଲାଗି ଏସବୁ ଯେ ସମ୍ପୂର୍ଣ୍ଣଭାବେ ସଫଳ ହୋଇପାରିବେ ନାହିଁ, ଆମ ପୃଥିବୀରେ ରାଜନୀତିକ ଇତିହାସ ଅନ୍ତତଃ ସେହି କଥାଟି ପ୍ରମାଣ କରି ଦେଖାଇ ସାରିଲାଣି । Realpolitik ନାମରେ ରାଜନୀତି ଆମ ଜୀବନ ଉପରେ ଯେତିକି ଛାୟା ବିସ୍ତାର କରିବାରେ ଲାଗିଚି, ଆମ ସମସ୍ୟାଗୁଡ଼ିକ ମଧ୍ୟ ସେତିକି ସେତିକି ଅଧିକ ଜଟିଳ ହୋଇଯାଉଥିବା ପରି ମନେହେଉଚି । ସଂସ୍କାର ବା ବିପ୍ଳବ ଆସି ଆମ ବାହ୍ୟ ଜୀବନର ଛାଞ୍ଚ ବା ଭେକଗୁଡ଼ାକୁ ବଦଳାଇ ଦେଇ ଯାଉଚି ସିନା, ମାତ୍ର ଦୁର୍ଗତି ତଥାପି ଯାଉନାହିଁ । ଆମ ଭିତରେ ତେଣେ ସତେଅବା କୋଉଠି କଅଣ ପୋକଖିଆ ବା କାଉଁଦା ହୋଇ ପଡ଼ିରହିଚି । ସେଠି କିଛିହେଲେ ବଦଳୁ ନାହିଁ । ତେଣୁ ବାହାରେ ଆମର ସାମୂହିକ ଅନୁରକ୍ତିଗୁଡ଼ାକରେ ଯେତେ ଓଲଟପାଲଟ ଓ ଅଦଳବଦଳ ହେଉଥିଲେ ମଧ୍ୟ ଆମକୁ ନେଇ ଆମର ଯୁଗଟା ମଧ୍ୟ କ୍ରମେ ଅଧିକରୁ ଅଧିକ ପୋକଖିଆ ହୋଇଯାଇଥିବା ପରି ମନେହେଉଚି । ବିଜ୍ଞାନ ବଢ଼ୁଚି, ଜ୍ଞାନ ବଢ଼ୁଚି, ଶାସନ ସାଧନମାନ ବଢ଼ୁଚି, ତଥାପି ଆପଣା ମନୁଷ୍ୟତ୍ୱର ସମ୍ପୂର୍ଣ୍ଣ ଉପଲବ୍‌ଧି କରିବା ପରିବର୍ତ୍ତେ ମଣିଷ ନୂଆନୂଆ ପ୍ରଭୁତ୍ୱ ପାଖରେ ଅସହାୟ ଗୋଲାମ ହୋଇ ପଡ଼ିରହୁଚି । ମଣିଷ ହିସାବରେ ମଣିଷର ବଳ ଭାଙ୍ଗିଯିବାରେ ଲାଗିଚି । ସାମୂହିକ ନିୟନ୍ତ୍ରଣର ନାନା ନିର୍ମମ ଚକାଭିତରେ ମଣିଷ ପେଷିହୋଇ ଯାଉଚି । ଦରିଦ୍ର ମଣିଷ ତା’ର ସମାଜଟାକୁ କିପରି ସମ୍ପନ୍ନକରି ଗଢ଼ିପାରନ୍ତା ? ସେଥିପାଇଁ ଆମର ସାମାଜିକ ଜୀବନବ୍ୟବସ୍ଥାଗୁଡ଼ାକ ବି ଦିନୁଁଦିନ ଅଧିକ ଦରିଦ୍ର ହେବାରେ ଲାଗିଚି । ତେଣୁ ମଣିଷର ଅନ୍ତର୍ଗତ ପରିବର୍ତ୍ତନକୁ ହିଁ ଗାନ୍ଧିଜୀ ପ୍ରତ୍ୟେକ ବହିଃପରିବର୍ତ୍ତନର ମୂଳରୂପେ ମାନିଥିଲେ । କେବଳ ନୂଆ ମଣିଷ ହିଁ ନୂଆ ସମାଜ ତିଆରି କରିପାରିବ ବୋଲି ସେ ଜିଦ୍‌କରି କହୁଥିଲେ । ତେଣୁ ଗାନ୍ଧୀ ଆନ୍ଦୋଳନର ସର୍ବବିଧ କାର୍ଯ୍ୟକ୍ରମରେ ସମାଜ ଓ ଶାସନକୁ ବଦଳାଇବାର ଆହ୍ୱାନ ସହିତ ମଣିଷର ଭିତରଟାକୁ ଅର୍ଥାତ୍ ତା’ର ଦୃଷ୍ଟିକୋଣ ଓ ବାସନାକ୍ରମକୁ ବଦଳାଇବାର ଆହ୍ୱାନ ନିହିତ ହୋଇ ରହିଥିଲା । ‘‘ଜନଗଣର ଅନ୍ତର୍ଗତ ଜୀବନରେ ପରିବର୍ତ୍ତନ ଆଣିବାର’’ ବାସନା ରଖି ନ ଥିଲେ କୌଣସି ଆନ୍ଦୋଳନକୁ ଏକ ଯଥାର୍ଥ ଆନ୍ଦୋଳନ ବୋଲି କିହବା ଉଚିତ ନୁହେଁ ବୋଲି ଗାନ୍ଧିଜୀ ତାଙ୍କ ରାଜନୀତିକ ଜୀବନର ଆଦ୍ୟ ଅଧ୍ୟାୟରୁ ହିଁ ଅତି ଜୋର ଦେଇ କହିଆସିଚନ୍ତି । (୪) ‘ହିନ୍ଦ୍‌ସ୍ୱରାଜ’ ଗାନ୍ଧିଜୀଙ୍କର ଲିଖିତ ସର୍ବପ୍ରଥମ ପୁସ୍ତକ । ଏହି ପୁସ୍ତକଟିରେ ସେ ଭାରତୀୟ ସ୍ୱରାଜକଳ୍ପନା ବିଷୟରେ ଆପଣାର ସ୍ୱକୀୟ ବିଚାରମାନ ପ୍ରକଟ କରିବାକୁ ଚେଷ୍ଟା କରିଚନ୍ତି । ରାଜନୀତିକୁ ଧର୍ମର ଆଧାର ଉପରେ ପ୍ରତିଷ୍ଠିତ କରି କୌଣସି ରାଷ୍ଟ୍ର ବା ସମାଜକୁ ଗଢ଼ିବାର ଉଦ୍ୟମ କଲେ ଆମ ଆଗରେ ଯେଉଁସବୁ ଆହ୍ୱାନ ଆସି ଉପସ୍ଥିତ ହେବ, ‘‘ହିନ୍ଦ୍‌ସ୍ୱରାଜ’’ ରେ ସେହିସବୁ ଆହ୍ୱାନର ଅବଧାରଣ କରାଯାଇଚି । ଗାନ୍ଧିଜୀଙ୍କର ଅନନ୍ୟସାଧାରଣ ବ୍ୟକ୍ତିତ୍ୱ ପରି ତାଙ୍କର ଏହି ପୁସ୍ତିକାଟି ମଧ୍ୟ ସାରା ପୃଥିବୀର ଅନନ୍ୟସାଧାରଣ ଦୃଷ୍ଟି ଆକର୍ଷଣ କରିଚି । ପାଶ୍ଚତ୍ୟ ବିଚାରକମାନେ ଏହାକୁ ଏକ ମହାନ୍ ଗ୍ରନ୍ଥ ବୋଲି କହିଚନ୍ତି । (୫)ଏହି ସମ୍ୱନ୍ଧରେ ଏକ ପ୍ରବନ୍ଧର ଲେଖକ ଶ୍ରୀଯୁକ୍ତ G.D.H. Cole ତୁଚ୍ଛା ରାଜନୀତି ଦ୍ୱାରା ଆମର ଦୁର୍ଗତି କଦାପି ଘୁଞ୍ଚିବ ନାହିଁ ବୋଲି କହିଚନ୍ତି । ରାଜନୀତିକ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏଣେ ଆମ ଅନେକଙ୍କର ଅନ୍ତର ଭିତରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ହୋଇ ପାରୁଥିବା ଆବଶ୍ୟକ । ତାଙ୍କ ମତରେ ତେବେ ଯାଇ ଆମର ସଭ୍ୟତା ଓ ଆମ ଯୁଗର ଯଥାର୍ଥ ରକ୍ଷା ହୋଇପାରିବ ।

 

ସମାଜଦର୍ଶନର ଜଣେ ଅନ୍ୟତମ ଟୀକାକାର ଆଲ୍‌ଡ଼ସ୍‌ ହକ୍‌ସ୍‌ଲେ ମଧ୍ୟ ତାଙ୍କର ଏକ ଗ୍ରନ୍ଥରେ (୬) ଠିକ୍ ଏହିପରି ଏକ ପ୍ରଶ୍ନର ଉତ୍‌ଥାପନ କରିଚନ୍ତି । ‘‘କେବଳ ରାଜନୀତିକ ସଂସ୍କାରଦ୍ୱାରା ଆମର ସାମାଜିକ ଜୀବନରେ ଖୁବ୍ ବେଶୀ ସୁଧାର ହୋଇପାରିବ ବୋଲି ଆମେ କେବେହେଲେ ଆଶା କରିବା ନାହିଁ । ସ୍ଥାୟୀ ପରିବର୍ତ୍ତନ ସକାଶେ ବାହାର ସଂସ୍କାର ସଙ୍ଗେ ସଙ୍ଗେ ଅଧିକାଂଶ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱରେ ମଧ୍ୟ ଅନୁରୂପ ପରିବର୍ତ୍ତନ ସଂଘଟିତ ହେବା ଦରକାର ଏବଂ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଲାଗି ଆତ୍ମଚିନ୍ତନ ଓ ଆତ୍ମ-ଅନୁସନ୍ଧାନ ବ୍ୟତୀତ ଆଉ କୌଣସି ଅନ୍ୟ ଉପାୟ ହିଁ ନାହିଁ ।’’ ଶ୍ରୀଯୁକ୍ତ ହକ୍‌ସ୍‌ଲେ ଦୁଇପ୍ରକାର ରାଜନୀତିର ଉଲ୍ଲେଖ କରିଚନ୍ତି । ଏଥିରୁ ଗୋଟିଏ କ୍ଷମତା ଉପରେ ପ୍ରତିଷ୍ଠିତ ଓ ଆରଟି ସଜ୍ଜନତା ଉପରେ ପ୍ରତିଷ୍ଠିତ । (Power politics ବନାମ Goodness politics) ଗୋଟିଏ ଅନ୍ୟଟିର ସମ୍ପୂର୍ଣ୍ଣ ବିରୋଧୀ । ସଜ୍ଜନତାକୁ ଆଧାରରୂପେ ମାନିଥିବା ରାଜନୀତି ଜନଗଣଙ୍କୁ ନାନାବିଧ କ୍ଷୁଦ୍ର ବୃହତ୍‌ ସଂଗଠନରେ ସଂଘବଦ୍ଧ କରିଥାଏ ସତ; ମାତ୍ର ତଥାପି ବ୍ୟକ୍ତିଗତ ଓ ଗୋଷ୍ଠୀଜୀବନରେ ସାଧାରଣତଃ ବିକଶିତ ହୋଇପାରୁଥିବା ନୈତିକ ମୂଲ୍ୟଗୁଡ଼ିକୁ ତାହା କୌଣସିପ୍ରକାରେ ନଷ୍ଟ କରି ଦିଏନାହିଁ । ଏଥିରେ ମଣିଷ ପଲଭିତରେ ପଶିଯାଇ ଆପଣାର ମଣିଷପଣିଆ ଓ ମନୁଷ୍ୟସୁଲଭ ସ୍ୱାଧୀନତାକୁ କଦାପି ହରାଇ ବସେ ନାହିଁ । ଅର୍ଥାତ୍ ସଜ୍ଜନତାର ଆଧାର ଉପରେ ରାଜନୀତି ଚାଲିଲେ ରାଷ୍ଟ୍ରୀୟ କ୍ଷମତା ଓ ଶିଳ୍ପୋଦ୍ୟୋଗମାନ ଯଥାସମ୍ଭବ ବିକେନ୍ଦ୍ରିତ ହୋଇ ରହେ, ଆପଣାର ଗୋଷ୍ଠୀଜୀବନରେ ଲୋକମାନେ ସ୍ୱାୟତ୍ତ୍ୱଶାସନର ବହୁଳ ଅଧିକାର ପା’ନ୍ତି । ପ୍ରଶାସନକୁ ମଧ୍ୟ ଯଥାସମ୍ଭବ ବିକେନ୍ଦ୍ରିତ କରି ରଖାଯାଏ । ତଥାପି ସମ୍ପୂର୍ଣ୍ଣ ରାଷ୍ଟ୍ର ଶାସନ ଯେପରି ହୁଗୁଳା ହୋଇ ନ ପଡ଼ିବ, ସେଥିପ୍ରତି ମଧ୍ୟ ଉଚିତ ଦୃଷ୍ଟି ଅବଶ୍ୟ ଦିଆଯାଏ । (ତତ୍ରୈବ, ପୃଷ୍ଠା-୨୯୫) ଅନ୍ୟତ୍ର ଆଉଗୋଟିଏ ପ୍ରବନ୍ଧରେ ଶ୍ରୀଯୁକ୍ତ ହକ୍‌ସ୍‌ଲେ ଗାନ୍ଧିଜୀଙ୍କର ରାଜନୀତିକ ଦୃଷ୍ଟିକୋଣକୁ ଆମେରିକାରୁ ଜଣେ ପୂର୍ବତନ ରାଷ୍ଟ୍ରପତି ଜେଫର୍‌ସନ୍‌ଙ୍କ ସମାଜକଳ୍ପନା ସହିତ ତୁଳନା କରିଚନ୍ତି । (୭) ପ୍ରକାଣ୍ଡ ରାଷ୍ଟ୍ରଭିତରେ ଜଣେ ଅନାମଧେୟ ପ୍ରଜା ହୋଇ ରହିଲେ ମଣିଷ ଆପଣାର ବ୍ୟକ୍ତିତ୍ୱ ହରାଇବସିବ । ଯଥାସମ୍ଭବ ଆପଣାର ସ୍ୱାଧୀନ ରୁଚି ଅନୁସାରେ ଆପଣାର ଭାଗ୍ୟକୁ ଗଢ଼ିବାଲାଗି ତା’ର ଆଉ ଯଥେଷ୍ଟ ସାମର୍ଥ୍ୟ ରହିବ ନାହିଁ । ତେଣୁ ଗଣତନ୍ତ୍ର ମାନବିକ ସମ୍ବନ୍ଧ ତଥା ସୃଷ୍ଟିଧର୍ମୀ ଆତ୍ମଶାସନର ସମ୍ଭାବନାକୁ ଅଧିକତର କରିବାଲାଗି ଜେଫର୍‌ସନ ଚାହୁଁଥିଲେ ଯେ ବଡ଼ ବଡ଼ ଜନସମୂହ ଭିତରେ ମଣିଷବ୍ୟକ୍ତି ଆପଣାକୁ ବିସର୍ଜନ କରି ନ ଦେଉ ଓ ତେଣୁ ସାନ ସାନ ଗୋଷ୍ଠୀରେ ବାସ କରି ଶିଖୁ । ଗାନ୍ଧିଜୀଙ୍କର ଦର୍ଶନ ପରି ଜେଫର୍‌ସନ୍‌ଙ୍କ ଦର୍ଶନ ମଧ୍ୟ ମୂଳତଃ ନୈତିକତା ଓ ଧର୍ମଉପରେ ଭରାଦେଇ ଠିଆ ହୋଇଥିଲା । ପ୍ରତ୍ୟେକ ମଣିଷକୁ ଦୁହେଁ ଭଗବାନଙ୍କର ସନ୍ତାନ ବୋଲି ମାନୁଥିଲେ, ତେଣୁ ସବୁ ମଣିଷ ସମାନ ବୋଲି ମାନୁଥିଲେ । ପ୍ରତ୍ୟେକ ମଣିଷର କେତେକ ଅଧିକାର ଓ କେତେକ ଦାୟିତ୍ୱ ଅବଶ୍ୟ ରହିଚି ବୋଲି ଦୁହେଁଯାକ ଘୋଷଣା କରିଥିଲେ । କେବଳ ସାନସାନ ସ୍ୱୟଂଶାସିତ ଗୋଷ୍ଠୀଭିତରେ ରହିବାର ସୁବିଧା ପାଇଲେ ଯାଇ ପ୍ରତ୍ୟେକ ମଣିଷ ସେଇସବୁ ଅଧିକାର ହାସଲ କରିପାରିବ ଓ ସେହିସବୁ ଦାୟିତ୍ୱର ଅନୁଶୀଳନ ମଧ୍ୟ କରିପାରିବ ବୋଲି ସେମାନେ ବିଚାର କରୁଥିଲେ । ଏହି ତୁଳନାଟିର ଉପସଂହାର କରି ଶ୍ରୀଯୁକ୍ତ ହକ୍‌ସ୍‌ଲେ କହିଚନ୍ତି : ‘‘ଜେଫର୍‌ସନ୍‌ଙ୍କ ପରି ଗାନ୍ଧୀ ମଧ୍ୟ ଧର୍ମ ଓ ନୈତିକତାର ଭିତ୍ତିଉପରେ ଯାବତୀୟ ଯଥାର୍ଥ ରାଜନୀତି ଠିଆ ହୋଇ ରହିବା ଉଚିତ ବୋଲି ବିଚାର କରୁଥିଲେ । ଗୋଟିଏ ଦୃଷ୍ଟିରୁ ଦେଖିଲେ ଗାନ୍ଧିଜୀ ଜେଫରସନ୍‌ଙ୍କଠାରୁ ଏହି ଦିଗରେ ପାଦେ ଆଗକୁ ବଳିପଡ଼ିଥିଲେ । ଆର୍ଥିକ ତଥା ରାଜନୀତିକ ଉଭୟ କ୍ଷେତ୍ରରେ ଗାନ୍ଧିଜୀ ବିକେନ୍ଦ୍ରୀକରଣର ପ୍ରଚାର କରୁଥିଲେ ଏବଂ ସତ୍ୟାଗ୍ରହର ମାର୍ଗଦର୍ଶନ ବି କରାଇଥିଲେ । କାରଣ ଜେଫରସନ୍‌ଙ୍କ ନୀତିଠାରୁ ଗାନ୍ଧିନୀତି ଅଧିକ ମୌଳିକ ଥିଲା । ଜେଫରସନ୍‌ଙ୍କ ଧର୍ମ ତୁଳନାରେ ତାଙ୍କ ଧର୍ମର ମଧ୍ୟ ଜୀବନ ସହିତ ଅଧିକ ସଂଯୋଗ ରହିଥିଲା ।’’

 

ଆମେ ମଣିଷକୁ ଦୁଇପ୍ରକାର ଭିନ୍ନଭିନ୍ନ ଦୃଷ୍ଟିରେ ଦେଖିପାରିବା । ତାକୁ ଆମେ ମଣିଷ ହିସାବରେ ଦେଖିପାରିବା ବା କେବଳ ଗୋଟାଏ ପଣ୍ୟ ପରି ଦେଖିପାରିବା । (୮) ମଣିଷକୁ ପଣ୍ୟ ପରି ଦେଖିବା ଓ ମଣିଷକୁ ପ୍ରଧାନତଃ ଗୋଟାଏ ପଶୁପରି ଦେଖିବାରେ ଖୁବ୍‌ବେଶୀ ଫରକ ନଥାଏ-। କ୍ଷମତା ମଣିଷକୁ ପଣ୍ୟପରି ଦେଖେ, ପଶୁପରି ଦେଖେ । କାରଣ କ୍ଷମତା ମଣିଷକୁ ଆପଣା କାମରେ ଲଗାଏ ଓ ସେହି ଅନୁସାରେ ତାକୁ ମଣ କରିବାର ଅଭିପ୍ରାୟ ରଖିଥାଏ । କ୍ଷମତାକୁ ଆଶ୍ରା କରି ରହିଥିବା ରାଜନୀତି ମଧ୍ୟ ମଣିଷକୁ ଏହିପରି କାମରେ ଲଗାଏ । ଦେଶ, ଜାତି, ଆଦର୍ଶବାଦ ଓ ଭଗବାନଙ୍କର ବାହାନା ଧରି କ୍ଷମତାଧୀଶମାନେ ମଣିଷକୁ କାଳେ କାଳେ ଆପଣାର କାମରେ ଲଗାଇଚନ୍ତି, ମଣିଷ ଭିତରେ ରହିଥିବା ମଣିଷପଣିଆକୁ ଭଣ୍ଡାଇ ଦେଇଚନ୍ତି । କେବଳ ବାଧ୍ୟ ମଣିଷକୁ ହିଁ ଭଲ ମଣିଷ ବୋଲି କହିଚନ୍ତି, ଅବାଧ୍ୟକୁ ଦୁଷ୍ଟ ଓ ମନ୍ଦ ବୋଲି କହିଚନ୍ତି । ତା’ ଲାଗି କଠୋର ଶାସ୍ତିର ବିଧାନ କରିଚନ୍ତି । ବାଧ୍ୟ ଓ ଅବାଧ୍ୟ କେବଳ ଏହି ଦୁଇଟି ପ୍ରକରଣରେ ହିଁ କ୍ଷମତା ମଣିଷର ବିଚାର କରିଥାଏ । ଏ ପଲକୁ ଖୁଆଇ ପିଆଇ ଦଉଡ଼ିରେ ବାନ୍ଧି ମେଣ୍ଢା କରି ରଖେ ଓ ସେ ପଲକୁ ଦୁଷ୍ଟ ଓ ବର୍ଜନୀୟ ବୋଲି ଘୋଷଣା କରି ଶାସ୍ତି ଦିଏ । କ୍ଷମତାମାର୍ଗର ଅନୁସରଣ କରିଥିବା ସନ୍ଥ ଅଗଷ୍ଟିନ୍‌ ଦୁଷ୍ଟଲୋକମାନଙ୍କୁ ଆମ ଶରୀର ଭିତରେ ବେଳେବେଳେ ଜମିଯାଉଥିବା ଅନିଷ୍ଟକାରୀ କଫ ସହିତ ତୁଳନା କରିଚନ୍ତି । ଶରୀରର ସ୍ୱାସ୍ଥ୍ୟ ଫେରାଇ ଆଣିବାକୁ ହେଲେ କଫଗୁଡ଼ାକୁ ଶରୀର ଭିତରୁ ବାହାର କରିଦେବାକୁ ପଡ଼େ । ଠିକ୍ ସେହିପରି ଆମ ସମାଜକୁ ସୁସ୍ଥ ଓ ନିରାପଦ ରଖିବାକୁ ହେଲେ ସମାଜ ଭିତରେ ରହିଥିବା ଦୁଷ୍ଟ ଅର୍ଥାତ୍‌ ଅବାଧ୍ୟ ମଣିଷଙ୍କୁ ସମାଜରୁ ବାହାର କରିଦେବାକୁ ହୁଏ । କ୍ଷମତା ସବୁକାଳେ ଏହିପରି ଭାବରେ ବିଶ୍ୱାସ କରିଆସିଚି-। ନିଷ୍କାସନରେ ବିଶ୍ୱାସ କରିଆସିଚି, ପରିବର୍ତ୍ତନରେ ବିଶ୍ୱାସ କରିପାରି ନାହିଁ । ମଣିଷକୁ ମଣିଷ ବୋଲି ମଣିଥିଲେ ହୁଏତ ତାହା ଅନ୍ୟପ୍ରକାର ବିଶ୍ୱାସ କରିପାରିଥାନ୍ତା । ମଣିଷ ଭିତରେ ଦେବତା ରହିଚି ବୋଲି ବିଶ୍ୱାସ କରି ଯେଉଁ ରାଜନୀତି ତଦନୁସାରେ ଆପଣାକୁ ପରିଚାଳିତ କରେ ତାହାର ସଞ୍ଚାରପଥ କ୍ଷମତାମୂଳ ରାଜନୀତିର ରାସ୍ତାଠାରୁ ନିଶ୍ଚୟ ପୃଥକ୍‌ ହେବ । ମହାତ୍ମା ଗାନ୍ଧୀ ଆମକୁ ଏହି ପୃଥକ୍‌ ପଥର ସୂଚନା ଦେଇଥିଲେ । ସେଥିଲାଗି ସେ ରାଜନୀତିର ଶରୀର ଭିତରେ ଧର୍ମରୂପୀ ହୃଦୟର ପରିସ୍ଥାପନ କରିବାର ପ୍ରୟୋଗ କରିଥିଲେ । କେବଳ ତାଙ୍କ ନିଜ ଦେଶକୁ ନୁହେଁ, ସମସ୍ତ ପୃଥିବୀ ଓ ଅନାଗତ ସକଳ ଯୁଗକୁ ସେ ଏକ ଅଭିନବ ପ୍ରେରଣାର ଆହ୍ୱାନ ଜଣାଇଦେଇ ଯାଇଥିଲେ । ମଣିଷ ଭିତରେ ଭଗବାନ୍‌ ରହିଚନ୍ତି, ଅର୍ଥାତ୍ ମଣିଷ ଭିତରେ ଅମିତ ସମ୍ଭାବନା ଲୁକ୍‌କାୟିତ ହୋଇ ରହିଚି । ‘‘ଆପଣାକୁ ନୂତନଭାବେ ରୂପାନ୍ତରିତ କରିବାଲାଗି ଅକଳନ ଶକ୍ତି ସମ୍ପନ୍ନତା’’ –ମଧ୍ୟଯୁଗୀୟ ଇତାଲୀର ମାନବତାବାଦୀ ପିକୋ (Pico della Mirandola, 1463-94) ଏହାକୁ ହିଁ ଇତର ଜୀବଜଗତଠାରୁ ମଣିଷର ସର୍ବପ୍ରଧାନ ଓ ସର୍ବବରିଷ୍ଠ ବୈଶିଷ୍ଟ୍ୟ ବୋଲି ବର୍ଣ୍ଣନା କରି ଯାଇଚନ୍ତି । ଏହିପରି ଏକ ବିଶ୍ୱାସ ହେଉଚି ଧର୍ମବିଶ୍ୱାସ-। ମଣିଷର ଅଭ୍ୟୁଦୟ ଲାଗି ଆକାଙ୍‌କ୍ଷା ରଖିଥିବା ରାଜନୀତିର ମଧ୍ୟ ଏହିପରି ବିଶ୍ୱାସ ରହିଥିବା ଉଚିତ । ରାଜନୀତି ଭିତରକୁ ଗାନ୍ଧିଜୀ ଏହିପରି ଏକ ବିଶ୍ୱାସର ସଞ୍ଚାର କରାଇବାକୁ ଚାହିଁଥିଲେ । ତେଣୁ ରାଜନୀତି ଭିତରେ ସେ ଧର୍ମର ସମାବେଶ କରାଇଥିଲେ ।

 

ଧର୍ମ କହିଲେ ମହାତ୍ମା ଗାନ୍ଧୀ ମୂଳତଃ ବା ସାରତଃ କ’ଣ ବୁଝୁଥିଲେ ? ଭଗବାନ କହିଲେ ବି ସେ ସାରତଃ କ’ଣ ବୁଝୁଥିଲେ ? ଭାରତୀୟ ଅଧ୍ୟାତ୍ମ-ପରମ୍ପରାରେ ଗୋଟାକୁ ସ୍ୱୀକାର କରିବା ଲାଗି ଆଉ ଗୋଟାକୁ ନ୍ୟାୟତଃ ଅସ୍ୱୀକାର କରିବାକୁ ପଡ଼େ ନାହିଁ । ସବୁଟିକୁ ସ୍ୱୀକାର କରିନେବାକୁ ହୁଏ, ସବୁ ଧାରାକୁ ଏକଧାରା କରି ବହିଯାଉଥିବା ଅନ୍ତର୍ନିଷ୍ଠାଟିକୁ ଚିହ୍ନିବାକୁ ହୁଏ । ଧର୍ମକୁ ଚିହ୍ନିବାଲାଗି ଏଠି ମୂର୍ତ୍ତିକୁ ଭାଙ୍ଗିବା ଦରକାର ହୁଏ ନାହିଁ, ସୂତ୍ରାତ୍ମାକୁ ଚିହ୍ନିବାଲାଗି ସୂତାରେ ଗୁନ୍ଥାହୋଇ ରହିଥିବା ଭଳିଭଳି ମୁକ୍ତାକୁ ଅସ୍ୱୀକାର କରିବାକୁ ପଡ଼େନାହିଁ । ଧର୍ମ ଓ ଭଗବାନ ବିଷୟରେ ଆପଣାର ଅନୁଭୂତିଟିକୁ ପ୍ରକାଶ କରିବାଲାଗି ମହାତ୍ମା ଗାନ୍ଧୀ କେତେ ଉପଲକ୍ଷ୍ୟରେ କେତେ କଅଣ କହିଯାଇଛନ୍ତି । ସେ ରାମଚନ୍ଦ୍ରଙ୍କୁ ଭଗବାନ ବୋଲି କହିଚନ୍ତି, ସତ୍ୟକୁ ମଧ୍ୟ ଭଗବାନ ବୋଲି କହିଚନ୍ତି । ଏସବୁ ସକଳ ସଂଜ୍ଞାରୁ ଉତ୍‌କ୍ରାନ୍ତ ହୋଇ ଯାଇଥିବାପରି ଗୋଟାଏ ପ୍ରସଙ୍ଗରେ ସେ ଆପଣା ଉପରେ ରହିଥିବା ବିଶ୍ୱାସର ଚରମତମ ବା ଗଭୀରତମ ଉପଲବ୍‌ଧିକୁ ମଧ୍ୟ ଭଗବାନ ବୋଲି କହିଚନ୍ତି (Faith in oneself multiplied to the nth degree ହରିଜନ ୩.୬.୩୯) । ଏ ବିଶ୍ୱାସର ସ୍ୱରୂପ ପୁଣି କ’ଣ ? ଆପଣା ଉପରେ ବିଶ୍ୱାସ ରଖିବା ଅର୍ଥ ବାହାରେ ରହିଥିବା କୌଣସି ଶକ୍ତିକୁ ଚରମ ବିଶ୍ୱାସର ସ୍ଥଳରୂପେ ମାନିନେବାକୁ ବୁଝାଏ ନାହିଁ । ‘ଆପଣା ଭିତରେ ବିରାଜମାନ ରହିଥିବା ଭଗବାନଙ୍କ ବିଷୟରେ ଏକ ଜୀବନ୍ତ ଓ ଜାଗ୍ରତ ସଚେତନତା ହେଉଚି, ଯଥାର୍ଥ ବିଶ୍ୱାସ ।’ (a living wide awake consciousness of God within–ପୁସ୍ତକ ଟିପ୍‌ପଣୀ ୩, ପୃଷ୍ଠା ୪୭ରେ ଉଦ୍ଧୃତ) । ଅର୍ଥାତ୍‌ ମୋ ଆପଣା ଭିତରେ ରହି ଭଗବାନ ମୋତେ ସତତ ପରିଚାଳିତ କରୁଚନ୍ତି–ଏହି ବିଶ୍ୱାସଟି ଯେତିକି ବେଶୀ ଗଭୀର ହେଉଥିବ, ଆମେ ଭଗବାନଙ୍କର ସେତିକି ଅଧିକ ନିବିଡ଼ ପରିଚୟ ପାଉଥିବା, ସେତିକି ବେଶୀ ଯଥାର୍ଥ ଭାବରେ ଧର୍ମପ୍ରବିଷ୍ଟ ହୋଇପାରୁଥିବା । ଗାନ୍ଧୀଙ୍କର ଧର୍ମ ଦୁର୍ବଳର ଧର୍ମ ନୁହେଁ, ଏହା ଆତ୍ମବିଶ୍ୱାସର ଧର୍ମ, ଆତ୍ମବଳର ଧର୍ମ, ଆପଣା ଭିତରେ ଭଗବାନ ବିଦ୍ୟମାନ ରହିଚନ୍ତି ବୋଲି ଜାଣି ଜୀବନ ବଞ୍ଚିବାର ଧର୍ମ । ଏହି ଆତ୍ମବଳ ପ୍ରତ୍ୟେକ ମଣିଷଠାରୁ ଅନ୍ତର୍ନିହିତ ରହିଚି । ଶିଶୁଟି ଭିତରେ ତରୁଣ ମଣିଷ ଲୁଚି ରହିଥିବା ପରି ପ୍ରତ୍ୟେକ ମଣିଷ ଭିତରେ ଆତ୍ମବଳର ଅମିତ ସମ୍ଭାବନା ଲୁକ୍‌କାୟିତ ହୋଇ ରହିଚି, ବିକସିତ ହେବାପାଇଁ ଅପେକ୍ଷା କରି ରହିଚି । ଧର୍ମର ବାସନା ରଖିବା ଅର୍ଥାତ୍‌ଏହି ଆତ୍ମବଳର ପରିପୂର୍ଣ୍ଣତମ ବିକାଶରେ ସହଯୋଗ କରିବା, ପ୍ରତ୍ୟେକ ମଣିଷର ପ୍ରକୃତ ଭିତରେ ଯେଉଁ ଶାଶ୍ୱତ ଉପାଦାନଟି (the permanent element in human nature–ୟଙ୍ଗ୍‌ ଇଣ୍ଡିଆ, ୧୨.୫.୨୦) ଅବଶ୍ୟ ରହିଚି, ଏହି ଆତ୍ମବଳ ସେଇଥିରୁ ହିଁ ଉଦ୍‌ଭୂତ ହୋଇଥାଏ । ଆମ ଜୀବନର ବହୁବିଧ କାର୍ଯ୍ୟକଳାପରେ ଯେପରି ଏହି ଶାଶ୍ୱତ ଉପାଦାନଟିର ପରିପୂର୍ଣ୍ଣ ପ୍ରକାଶ ହୋଇପାରିବ, ଯଥାର୍ଥ ଜୀବନଧର୍ମ ଆମକୁ ସତତ ସେହି ପ୍ରୟାସରେ ହିଁ ପ୍ରବୃତ୍ତ କରି ରଖିଥାଏ । ଆମ ଜୀବନରେ ଏହି ଉପାଦାନଟିର ଆତ୍ମପ୍ରକାଶ ଯେତିକି ଅଧିକ ସମ୍ଭବ ହୁଏ, ଜୀବନରୁ ସେତିକି ପରିମାଣରେ ବ୍ୟର୍ଥତା ନିରାକୃତ ହୋଇଥାଏ, ସେତିକି ପରିମାଣରେ ଭ୍ରମ ଦୂରୀଭୂତ ହୁଏ, ଖଳ ବୃତ୍ତି ମଧ୍ୟ ଶାନ୍ତ ହୋଇଯାଏ । କୌଣସି ନିର୍ଦ୍ଦିଷ୍ଟ ଧର୍ମମାର୍ଗ ବା ସମ୍ପ୍ରଦାୟ ପାଖରେ ଆପଣାକୁ ବିକିଦେଲେ ଆତ୍ମବଳ ଆସେ ନାହିଁ । ମାତ୍ର ଆପଣା ଭିତରେ ରହିଥିବା ଶାଶ୍ୱତ ଉପାଦାନଟିକୁ ଚିହ୍ନି ତାହାରି ଉତ୍ତରୋତ୍ତର ବିକାଶ କରିବାରୁ ହିଁ ଆତ୍ମବଳର ଉଦୟ ହୋଇଥାଏ । ଗାନ୍ଧିଜୀ ଏହାକୁହିଁ ମନୁଷ୍ୟ ଜୀବନର ସର୍ବଶ୍ରେଷ୍ଠ କାମ୍ୟ ବୋଲି ମାନୁଥିଲେ । ଯେଉଁଭଳି ସମାଜରେ ମଣିଷ ଏଥିଲାଗି ପରିପୂର୍ଣ୍ଣ ସ୍ୱାଧୀନତା ଓ ପରିପୂର୍ଣ୍ଣ ଅବସର ଲାଭ କରିପାରିବ, ସେହିପରି ଏକ ସମାଜର ଥାପନାକୁ ଗାନ୍ଧିଜୀ ସକଳ ରାଜନୀତିର ସର୍ବମୂଳ ଧ୍ୟେୟ ବୋଲି ମାନୁଥିଲେ । ତେଣୁ ଧର୍ମ ଓ ରାଜନୀତିର ଆହ୍ୱାନ ଭିତରେ ସେ ଯେ କୌଣସି ଦ୍ୱନ୍ଦ୍ୱ ବା ବିବାଦ ଆଦୌ ଦେଖୁନଥିଲେ, ସେଥିରେ ଆଶ୍ଚର୍ଯ୍ୟ ହେବାର ଆଉ କ’ଣ ଅଛି ? ଆଜିଯାଏ ରାଜନୀତି ମୁଖ୍ୟତଃ ଅନ୍ୟବାଟରେ ଯାଇଚି, ଅନ୍ୟାନ୍ୟ ନାନା ଖଣ୍ଡଆଦର୍ଶକୁ ସାରକରି ଧରିଚି । ରାଜନୀତି ଜରିଆରେ ଗାନ୍ଧିଜୀ ମଣିଷର ପ୍ରତିଷ୍ଠା କରାଇବାକୁ ଚାହୁଁଥିଲେ । ସକଳ ପ୍ରକାର ସୁସ୍ଥ ଧର୍ମ ମଧ୍ୟ ମଣିଷ ଭିତରେ ଭଗବାନର ପ୍ରତିଷ୍ଠା କରାଇବାକୁ ବାସନା ରଖିଥାଏ । ଅନୁଭୂତିର ଚକ୍ଷୁରେ ଦେଖିପାରିଲେ ଆମେ ଦୁଇଟି ମଧ୍ୟରେ କୌଣସି ପାର୍ଥକ୍ୟ ଦେଖିବାକୁ ପାଇବା ନାହିଁ । ଗାନ୍ଧିଜୀ ମଧ୍ୟ ସେହିପରି କୌଣସି ପାର୍ଥକ୍ୟ ଦେଖି ନଥିଲେ । ସେହି କାରଣରୁ ଧର୍ମଛଡ଼ା ରାଜନୀତି ଓ ରାଜନୀତି ଛଡ଼ା ଧର୍ମ କୌଣସିଟିକୁ ହିଁ ସେ ବୁଝିବାକୁ ସମର୍ଥ ହେଉନଥିଲେ । ସେହିପରି ତୁଚ୍ଛା ରାଜନୀତି ଓ ତୁଚ୍ଛା ଧର୍ମର କର୍ଷଣ କରୁଥିବା ଏକଆଖିଆମାନେ ବି ଗାନ୍ଧୀଙ୍କୁ ବୁଝିବାକୁ ଯାଇ ଭାରି ଅସୁବିଧାରେ ପଡ଼ିଥାଆନ୍ତି ।

 

ଗାନ୍ଧୀଜୀବନର ମୂଲ୍ୟାଙ୍କନ କରିବାକୁ ଯାଇ ଶ୍ରୀଯୁକ୍ତ ନମ୍ବୁଦ୍ରୀପାଦ କହିଚନ୍ତି ଯେ ଭାରତବର୍ଷକୁ ବିଦେଶୀଶାସନର ହାତରୁ ମୁକ୍ତ କରିବାରେ ଗାନ୍ଧିଜୀଙ୍କର ଏକ ସଫଳ ଅବଦାନ ଅବଶ୍ୟ ରହିଚି, ମାତ୍ର ଏକ ସାମାଜିକ ଦର୍ଶନ ଓ ମଣିଷର ପୁନରୁତ୍‌ଥାନ ଲାଗି ଅଭିଳାଷ ରଖିଥିବା ଏକ ମାର୍ଗରୂପେ ଗାନ୍ଧୀବାଦ ସଂପୂର୍ଣ୍ଣ ବ୍ୟର୍ଥ ପ୍ରମାଣିତ ହୋଇଚି । (୯) ଦୃଷ୍ଟିର ପ୍ରଭେଦ ଅନୁସାରେ କୌଣସି ମାର୍ଗ ବା ବିଚାରଦୃଷ୍ଟିର ସଫଳତା ଏବଂ ବିଫଳତା ବିଷୟରେ ବିଚାର କରିବାର ରୀତିରେ ମଧ୍ୟ ବେଶ୍‌ ପ୍ରଭେଦ ରହିପାରେ । ରୁଷ୍‌ ଦେଶରେ କମ୍ୟୁନିଜ୍‌ମ ସଫଳ ହୋଇଚି କି ନାହିଁ, ସେ ବିଷୟରେ ମଧ୍ୟ ମତଭେଦ ଅବଶ୍ୟ ରହିବ । କମ୍ୟୁନିଷ୍ଟମାନେ ସଫଳ ହୋଇଚନ୍ତି ବୋଲି ସମସ୍ତେ କହିବେ, ମାତ୍ର କମ୍ୟୁନିଜମ୍‌ ସଫଳ ହୋଇଚି ବୋଲି କହିବାଲାଗି ସମସ୍ତେ ସହଜରେ ବାହାରିବେ ନାହିଁ । ତଥାପି ସଂସାରକୁ ମଣିଷର ଉପଯୁକ୍ତ ରୂପେ ଗଢ଼ିବାର ଏକ ଅନ୍ୟତମ ଆହ୍ୱାନରୂପେ କମ୍ୟୁନିଜମ୍‌ କଦାପି ବ୍ୟର୍ଥହୋଇ ନାହିଁ । କାର୍ଲ୍‌ ମାର୍କ୍‌ସ୍‌ଙ୍କର ସ୍ୱପ୍ନ ଦେଖିବା କଦାପି ବ୍ୟର୍ଥହୋଇ ନାହିଁ । ଆଜି ମଧ୍ୟ ସବୁ ଭୂଗୋଳ ଓ ସବୁ ପରମ୍ପରାର ହିଡ଼ ଭାଙ୍ଗି କମ୍ୟୁନିଜ୍‌ମ୍‌ ମଣିଷକୁ ନାନାଭାବେ ପ୍ରେରଣା ଦେବାରେ ଲାଗିଛି । ଗାନ୍ଧୀ ଓ ଗାନ୍ଧୀ-ବିଚାର ସମ୍ୱନ୍ଧରେ ମଧ୍ୟ ଆମେ ଠିକ୍ ସେଇକଥା କହିପାରିବା । ଆଜି ଗାନ୍ଧୀପ୍ରେରଣା ଭାରତବର୍ଷର ହିଡ଼ ଡେଇଁ ବିଶ୍ୱବ୍ୟାପୀ ହେବାକୁ ବସିଲାଣି । ଆଜିର ବୁଢ଼ା ପୃଥିବୀରେ ଏକ ଅନ୍ୟ ବାଟ ଖୋଜୁଥିବା ତରୁଣଶକ୍ତି ଆଜି ଗାନ୍ଧୀ ଭିତରେ ସତେ ଅବା ଆପଣାର ପୂର୍ବଗାମୀ ଜଣେ ସହୋଦରର ଆବିଷ୍କାର କଲାପରି ଅନୁଭବ କଲାଣି । କ୍ଷମତା ଦ୍ୱାରା ମଣିଷକୁ ଗ୍ରାସ କରିବା ଭାରି ସହଜ, ତୁଚ୍ଛା ରାଜନୀତିରେ ସମସ୍ତଙ୍କୁ ଗୋଟିଏ ନାବରେ ବସାଇ ମରଣ ଓ ବିଲୁପ୍ତି ଆଡ଼କୁ ଠେଲିଦେବା ମଧ୍ୟ ଭାରି ସହଜ । ଆମେ ତଥାପି ଏଗୁଡ଼ାକୁ ଆମ ଏଯୁଗର ଚରମ ବିଡ଼ମ୍ୱନା ଓ ବ୍ୟର୍ଥତା ବୋଲି କହିବା । ମାତ୍ର ମଣିଷର ଆତ୍ମବଳ ଉପରେ ବିଶ୍ୱାସ ରଖିବା, ତାହାରି ଅଭ୍ୟୁଦୟର ଅନୁକୂଳ କରି ରାଜନୀତିର ମଙ୍ଗ ମୋଡ଼ିବା, ମଣିଷକୁ ବଦଳାଇ ମଣିଷ ଲାଖି ଏକ ସୁନ୍ଦର ପୃଥିବୀ ଗଢ଼ିବା–ଏଗୁଡ଼ାକ ବ୍ୟର୍ଥ ଅଭିଳାଷ ନୁହେଁ । ଏହି ଅଭିଳାଷର ବୋଲ ମାନି ଜିଦ୍‌ଧରି ବାହାରିଥିବା ଅବୁଝାମାନଙ୍କର ଯାତ୍ରାକୁ ଆମେ କଦାପି ବ୍ୟର୍ଥ ବୋଲି କହିପାରିବା ନାହିଁ । ଗାନ୍ଧିଜୀ ସେହିପରି ଜଣେ ଅବୁଝା ହୋଇ ଏହି ସଂସାରରେ ସ୍ୱପ୍ନ ଦେଖିଥିଲେ, ବାଟ ଚାଲିଥିଲେ । ଅବୁଝାମାନଙ୍କୁ ବୁଝାଇବା ଆମର କାର୍ଯ୍ୟ ନୁହେଁ, ସେମାନଙ୍କୁ ବୁଝିବା ଉଚିତ ।

 

(‘‘ଶାଶ୍ୱତ-ସନ୍ଦେଶ’’, ଗାନ୍ଧୀ ସାହିତ୍ୟ ସମିତି, ଓଡ଼ିଶା, ଭୁବନେଶ୍ୱର, ୧୯୬୯)

Image

 

ଜୀବନଧର୍ମ ଓ ଗାନ୍ଧୀ

 

ଧର୍ମ-ପ୍ରଚାର କହିଲେ ଗାନ୍ଧିଜୀ ଟିକିଏ ଅନ୍ୟ ପ୍ରକାର ବୁଝୁଥିଲେ । ଧର୍ମ-ପ୍ରଚାର ଓ ଧର୍ମଦୀକ୍ଷା ସମ୍ୱନ୍ଧରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଥରେ କହିଲେ ଯେ, ହିନ୍ଦୁକୁ ମୁସଲମାନ ହେବାକୁ ଓ ମୁସଲମାନକୁ ହିନ୍ଦୁ ହେବାକୁ ପ୍ରରୋଚନା ଦେଲେ ତଦ୍ଦ୍ୱାରା ଯଥାର୍ଥ ଧର୍ମ-ପ୍ରଚାର ହୁଏ ନାହିଁ । ସେପରି ନ କରି ହିନ୍ଦୁକୁ ଜଣେ ଆହୁରି ଭଲ ହିନ୍ଦୁ ଓ ମୁସଲମାନକୁ ଜଣେ ଆହୁରି ଭଲ ମୁସଲମାନ ହେବାଲାଗି ପ୍ରେରଣା ଦେଇ ପାରିବା ଉଚିତ । ଜଣେ ନାସ୍ତିକକୁ ମଧ୍ୟ ଜଣେ ଆହୁରି ଭଲ ନାସ୍ତିକ ହେବା ଲାଗି ପ୍ରେରଣା ଦେବା ଉଚିତ । ଏପରି ହୋଇପାରିଲେ ଗାନ୍ଧିଜୀଙ୍କ ମତରେ ବିଭିନ୍ନ ଧର୍ମ ଓ ମତାବଲମ୍ୱୀମାନେ ପରସ୍ପରର ଅଧିକ ନିକଟବର୍ତ୍ତୀ ହୋଇପାରିବେ । ସଂସାରରେ ଧର୍ମ ବଢ଼ିବ, ନିଷ୍ଠା ବଢ଼ିବ ଓ କନ୍ଦଳ କମିଯିବ ।

 

ଏହି ଯୁକ୍ତିର ଧାରାଟିକୁ ଆଉ ଟିକିଏ ଆଗକୁ ଲମ୍ୱାଇ ଦେଇ ଆମେ ହୁଏତ କହିପାରିବା ଯେ, ଜଣେ କଂଗ୍ରେସବାଲା ଜଣେ କମ୍ୟୁନିଷ୍ଟବାଲାକୁ ଆହୁରି ଭଲ ଓ ନିଷ୍ଠାପର ଭାବରେ କମ୍ୟୁନିଷ୍ଟ ହେବାକୁ ଉତ୍ସାହ ଦେବ । ଜଣେ କମ୍ୟୁନିଷ୍ଟ ମଧ୍ୟ କଂଗ୍ରେସବାଲାକୁ ଆହୁରି ଅଧିକ ଭଲ ଭାବରେ ଜଣେ କଂଗ୍ରେସବାଲା ହେବାଲାଗି ଉତ୍ସାହିତ କରୁଥିବ । ବାମପନ୍ଥୀ ଦକ୍ଷିଣପନ୍ଥୀକୁ ଅଧିକ ନିଷ୍ଠାପର ଭାବରେ ଦକ୍ଷିଣପନ୍ଥୀ ହେବାକୁ କହିବ, ଦକ୍ଷିଣପନ୍ଥୀ ବାମପନ୍ଥୀକୁ ଅଧିକ ନିଷ୍ଠାପର ଭାବରେ ବାମପନ୍ଥୀ ହେବାକୁ କହିବ । ଗାନ୍ଧୀଙ୍କର ଯୁକ୍ତି ଅନୁସାରେ କହିଲେ, ତଦ୍ଦ୍ୱାରା କଂଗ୍ରେସବାଲା ଓ କମ୍ୟୁନିଷ୍ଟ ପରସ୍ପର ଅଧିକ ନିକଟବର୍ତ୍ତୀ ହେବେ; ତଥାକଥିତ ଦକ୍ଷିଣପନ୍ଥୀ ଓ ବାମପନ୍ଥୀ ବି ପରସ୍ପରର ନିକଟତର ହୋଇଆସିବେ । ବାଦ ଓ ବିବାଦର ନିଷ୍ଠା ଗୌଣ ହୋଇଯିବ; ମାର୍ଗନିଷ୍ଠା ବଢ଼ିବ । ଆଚାରନିଷ୍ଠା ହ୍ରାସ ହେବ, ଧର୍ମନିଷ୍ଠା ବଢ଼ିବ । ଏହା ଭାବିବାର କଥା, ମାନି ନେବାର କଥା ନୁହେଁ । ଆପଣାର ଅନୁଭୂତି ଓ ଗଭୀରତମ ଆକୂତିଗୁଡ଼ିକ ସହିତ ମିଳାଇ ଦେଖିବା କଥା, ଆଦର୍ଶ ଓ ଅବାସ୍ତବ କହି ଉଡ଼ାଇଦେବାର କଥା ନୁହେଁ ।

 

ଆପଣାର ଦୃଷ୍ଟି ଓ ଜୀବନଗତ ଆଗ୍ରହକୁ ଏହି ବିଚାରଟି ଆଡ଼କୁ ମୁହାଁଇ ଦେଇ ପାରିବାଲାଗି ଆମ ଭିତରେ ତିନୋଟି କଥା ଆମର ସାଥୀ ହୋଇ ରହିଥିବା ଦରକାର । ସେଗୁଡ଼ିକ ହେଉଚି ନିର୍ଭୀକତା, ବିଶ୍ୱାସ ଓ ଶ୍ରଦ୍ଧା । ନିର୍ଭୀକତାକୁ ଗାନ୍ଧିଜୀ ଆଧ୍ୟାତ୍ମିକ ଜୀବନାଚାରର ପ୍ରଥମ ଆବଶ୍ୟକତା ବୋଲି ମାନିଥିଲେ । ଭୀରୁତା ବା କାପୁରୁଷତାକୁ ହିଂସାଠାରୁ ହୀନତର ବୋଲି କହିଥିଲେ । ତାଙ୍କ ଭାଷାରେ–

 

Anything is better than cowardice.

Cowardice is violence double distilled.

 

ବେଦରେ ଏହି ନିର୍ଭୀକତାର ମନ୍ତ୍ର ଦିଆଯାଇଚି । ଦିନ ଓ ରାତି ଯେପରି ପରସ୍ପରକୁ ଡରୁ ନାହାନ୍ତି, ମୋର ପ୍ରାଣ ମଧ୍ୟ ସେହିପରି ନିର୍ଭୟ ହେଉ ବୋଲି ଉଦ୍‌ବୋଧନ ଦିଆଯାଇଚି । ଆମ ଭିତରର ରାତି ଆମର ଦିନକୁ ଡରିବ ନାହିଁ, କି ଆମ ଭିତର ଦିନ ଆମର ରାତିଗୁଡ଼ାକୁ ନେଇ ଲାଜରା ହୋଇ ଲୁଚି ରହିବ ନାହିଁ । ଏହା ସହଜ କଥା ନୁହେଁ । ଖାଲି ପାଣ୍ଡିତ୍ୟ ବଢ଼ିଲେ ଆମର ଚତୁରତା ବଢ଼ିବ ସିନା, ମାତ୍ର ଆମର କୁତ୍ସିତତା ଯିବ ନାହିଁ ।

 

ଆମ ଜୀବନର ସେତୁ ଉପରେ ଆମ ଆଠପହରୀ ଓ ପୋଷାକୀ ଏକାଠି ହୋଇପାରିବେ ନାହିଁ । କାରଣ ସେଥିଲାଗି ବିଶ୍ୱାସ ଦରକାର ।

 

ବିଶ୍ୱାସର ଅର୍ଥ ହେଉଚି, affirmation; ଆମ ପ୍ରାଚୀନ ଶାସ୍ତ୍ରର ଓଁ ଓ Amen ସହିତ ଏହାର ନିବିଡ଼ ବ୍ୟଞ୍ଜନାଗତ ସମ୍ପର୍କ ରହିଚି । ବିଶ୍ୱାସ ଅର୍ଥାତ୍ ଜୀବନ ଉପରେ ବିଶ୍ୱାସ, ଜଗତ ଉପରେ ବିଶ୍ୱାସ, ମଣିଷ ଉପରେ ବିଶ୍ୱାସ ଓ ସର୍ବୋପରି ଆପଣା ଉପରେ ବିଶ୍ୱାସ । ଏହି ବିଶ୍ୱାସଗୁଡ଼ିକୁ ଏକତ୍ର ଠୁଳ କରି ଏକ ସଙ୍ଗତ ସମଗ୍ରତା ଭିତରେ ଧରି ରଖିପାରିଲେ ଗାନ୍ଧିଜୀଙ୍କ ଭାଷାରେ ଆମେ ତାହାକୁ ଭଗବତ୍‌–ବିଶ୍ୱାସ ବୋଲି କହିପାରିବା । ମଣିଷ ଉପରେ ବିଶ୍ୱାସ ଅର୍ଥାତ୍ ମଣିଷ ଭିତରେ ରହିଥିବା ଶୁଭ ବାସନାଗୁଡ଼ିକ ଉପରେ ବିଶ୍ୱାସ, ଭଗବାନଙ୍କ ଉପରେ ବିଶ୍ୱାସ ଅର୍ଥାତ୍ ଜୀବନର ଶ୍ରେଷ୍ଠତମ ସମ୍ଭାବ୍ୟତାଗୁଡ଼ିକୁ ପୂର୍ଣ୍ଣ ବିକଶିତ କରାଇବା ଲାଗି ସହଯୋଗ କରିବାରେ ବିଶ୍ୱାସ । ମଣିଷକୁ ମୂଳତଃ ଭଲ ବୋଲି ବିଶ୍ୱାସ କରିବା ଓ ଆପଣାକୁ ମୂଳତଃ ଭଲ ବୋଲି ବିଶ୍ୱାସ କରିବା, ଏସବୁ ସହଜ ବିଦ୍ୟା ନୁହେଁ । ଯେକୌଣସି କାରଣ ଦର୍ଶାଇ ଉଗ୍ର ହୋଇପଡ଼ିଲେ ଏହି ବିଶ୍ୱାସ ବଢ଼େ ନାହିଁ, କମିଯାଏ । ବିଶ୍ୱାସ କଦାପି ଉଗ୍ର ହୁଏ ନାହିଁ; ଅବିଶ୍ୱାସ ଉଗ୍ର ହୁଏ । ଖଣ୍ଡବିଶ୍ୱାସର ପରିଚ୍ଛଦ ପିନ୍ଧି ଅବିଶ୍ୱାସ ଉଗ୍ର ହୁଏ । ଠିକ୍ ସେହିପରି ଶ୍ରଦ୍ଧା ଅନ୍ଧ ହୁଏ ନାହିଁ । ଅଶ୍ରଦ୍ଧା ହିଁ ଅନ୍ଧ ହୁଏ । ଖଣ୍ଡଶ୍ରଦ୍ଧାର ପରିଚ୍ଛଦ ପିନ୍ଧି ଅଶ୍ରଦ୍ଧା ଅନ୍ଧ ହୁଏ ।

 

ଜୀବନର ଶେଷ ପର୍ଯ୍ୟାୟରେ ଗାନ୍ଧିଜୀ ଗୋଟିଏ ସଭାରେ କହିଥିଲେ : Give me your love. I want nothing else. ଶ୍ରଦ୍ଧା ଓ ପ୍ରୀତି ନାମରେ ଇତିହାସରେ କେତେ ଅର୍ଥ ଓ କଦର୍ଥ ହୋଇଚି । ନାନା ସଂସ୍କାର ଓ କୁସଂସ୍କାର ଅନୁସାରେ ଏବେ ମଧ୍ୟ ଏହି ଶବ୍ଦଟିର କେତେ ଭାଷ୍ୟ କରାଯାଉଛି । ଧର୍ମଶାସ୍ତ୍ରରେ ଶ୍ରଦ୍ଧା ଓ ଭକ୍ତିକୁ ସମତୁଲଭାବେ ବିଚାର କରାଯାଇଚି । ଦାର୍ଶନିକ ଆଲବର୍ଟ ସ୍ୱାଇତ୍‌ଜର ଶ୍ରଦ୍ଧାର ଅର୍ଥରେ Ehrfurcht fuer das Leben ସୂତ୍ରଟିର ବ୍ୟବହାର କରିଚନ୍ତି । ମନୋବିଶ୍ଳେଷକ ଫ୍ରଏଡ଼୍ ଯେତେ ସୀମାବଦ୍ଧ ଅର୍ଥରେ ହେଲେ ମଧ୍ୟ ଶ୍ରଦ୍ଧାର ଏକ ଜୀବନଗତ ସମଗ୍ର ଦୃଷ୍ଟିକୁ Eros ବୋଲି ବର୍ଣ୍ଣନା କରିବାର ଚେଷ୍ଟା କରିଚନ୍ତି । ଯାହା ଆମକୁ ଜୀବନ ଆଡ଼କୁ ଟାଣି ନିଏ, ଯାହା ଖିଅ ଲଗାଏ, ସଂପୃକ୍ତ କରାଏ, ତାହାହିଁ eros; ଏବଂ ଅପର ପକ୍ଷରେ ଯାହା ଆମକୁ ନିଜ ଭିତରେ ଓ ଜୀବନର ବୃହତ୍ତର କ୍ଷେତ୍ରରେ ବିଚ୍ଛିନ୍ନ ଓ ବିଦୀର୍ଣ୍ଣ ହୋଇ ରହିବାର କୁମନ୍ତ୍ରଣା ଦିଏ, ତାହା ହେଉଚି ମୃତ୍ୟୁ ବାସନା, ତାହା ଅଶ୍ରଦ୍ଧା । ଗ୍ରୀକ୍ ପରମ୍ପରାରୁ ସୂତ୍ର ଆଣି ଫ୍ରଏଡ଼୍ ଏଇଟିକୁ Thanatos ବୋଲି କହିଚନ୍ତି । କ୍ରୋଧ, ପ୍ରତିହିଂସା, ଭାଙ୍ଗିବାର ଇଚ୍ଛା ବାସନା–ଏଗୁଡ଼ିକ Thanatosର ଅନ୍ତର୍ଗତ । ଭୟ ହେଉଚି ମୃତ୍ୟୁ-ବାସନାର ବାହନ ।

 

Thanatos ଡୋର ଛିଣ୍ଡାଇଦିଏ, ଚେରଗୁଡ଼ାକୁ ଉତ୍ପାଟିତ କରିଦିଏ । ବିନାଶକାରୀ ବୈରାଗ୍ୟଗୁଡ଼ାକୁ ହିଁ ଏକମାତ୍ର ସତ୍ୟ ବୋଲି ଚିହ୍ନେ । ଆପଣା ଭିତରେ ମଧ୍ୟ ମଣିଷ ଚେରଛିଣ୍ଡା ଓ ଘରଛଡ଼ା ହୋଇପଡ଼େ । ତା’ର ମନ ଆଉ କେଉଁଠି ଲାଗେନାହିଁ । ଆଧୁନିକ ସାହିତ୍ୟରେ ବହୁ ପ୍ରଚାରିତ ଅବକ୍ଷୟବାଦର ମୂଳ ହେଉଚି ଏଇଠି । ଶହେବର୍ଷ ତଳେ ଏହି ଅରୁଚିକୁ କାର୍ଲ ମାର୍କ୍‌ସ୍‌ Entfremdung ବୋଲି କହିଥିଲେ । ସଂସାରରେ ଆଜି ନାନା କ୍ଷେତ୍ରରେ ଯୁଦ୍ଧ, ଈର୍ଷା, ଦ୍ୱେଷ ଓ ଖଣ୍ଡତାମାନ ଆମ ଭାଗ୍ୟର ପ୍ରବଳ ନିୟାମକରୂପେ ଅବତୀର୍ଣ୍ଣ ହେବାର ଅଭିପ୍ରାୟ ରଖୁଥିଲେ ମଧ୍ୟ ତଥାପି ଶ୍ରଦ୍ଧାକୁ ନେଇ ଆମ ସମ୍ୱନ୍ଧ–ସଂସାରର ମୂଳାଧାରରୂପେ ଥାପିବାକୁ ହେବ । ଏକଥା ମଧ୍ୟ ଆଦୌ ସହଜ ନୁହେଁ । ଏଥିଲାଗି ଆପଣାକୁ ବି ଶ୍ରଦ୍ଧା କରିବାକୁ ହେବ । କୌଣସି ପ୍ରକାର ବୈରାଗ୍ୟ ଦର୍ଶନରେ ଆପଣାକୁ ବିସର୍ଜି ନଦେଇ ଏକ ଶ୍ରଦ୍ଧାମୂଳ ନୂତନ ଜଳବାୟୁର ସୃଷ୍ଟି ଲାଗି ଆପଣାକୁ କେନ୍ଦ୍ରରୂପେ ମାନିବାକୁ ହେବ ।

 

ଗାନ୍ଧିଜୀ ମୂଳତଃ ଜଣେ ମଣିଷ ଥିଲେ । ସାଧାରଣ ମଣିଷର ନାନା ଅପୂର୍ଣ୍ଣତା ନେଇ ସିଏ ଜୀବନ ଆରମ୍ଭ କରିଥିଲେ । ମାତ୍ର ସେ ନିର୍ଭୀକ ଥିଲେ, ଜୀବନର ପରମ ସମ୍ଭାବ୍ୟତାଗୁଡ଼ିକ ବିଷୟରେ ତାଙ୍କ ଭିତରେ ଅବିଚଳ ବିଶ୍ୱାସ ରହିଥିଲା, ଏବଂ ଶ୍ରଦ୍ଧାକୁ ହିଁ ସେ ଜୀବନର ଯାବତୀୟ ଅନୁଧାବନରେ ସର୍ବମୂଳ ଓ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ଉତ୍‌ପ୍ରେରକରୂପେ ଗ୍ରହଣ କରିଥିଲେ-। ତାହାରି ଫଳରେ ସେ ମହାତ୍ମା ହେଲେ, ଅସାଧ୍ୟକୁ ସାଧ୍ୟ କଲେ । ସେ ଜାତିର ଜନକ ହେଲେ; ଅର୍ଥାତ୍ ଜାତିକୁ ନୂଆ ଜନ୍ମ ଦେଲେ, ନୂଆ ଆଖି ଦେଲେ । ମାନବିକ ମନୋବିଜ୍ଞାନ କହୁଚି ଯେ, ମଣିଷ ଭିତରେ ଅମିତ ଶକ୍ତି ରହିଚି । ଅମିତ ସମ୍ଭାବନା ରହିଚି । ଆମେ ସମସ୍ତେ ସେହି ଶକ୍ତିକୁ ବ୍ୟବହାର କରିପାରୁ ନାହିଁ । ସେହି ସମ୍ଭାବନାକୁ କୁସୁମିତ କରିପାରୁ ନାହିଁ । ସାମାଜିକ ଓ ସଂସ୍କାରଗତ ନାନା ଅଡ଼ା ଭିତରେ ପଶି ଆମେ ଆପଣାର ଯଥାର୍ଥ ଦ୍ୱାରୋଦ୍‌ଘାଟନ କରିବାର ପରମ କର୍ତ୍ତବ୍ୟଟିକୁ ଭୁଲିଯାଉଚୁ । ଜଣେ ସମୀକ୍ଷକଙ୍କ ଭାଷାରେ, The genius differs from the ordinary man in his capacity to use his faculties completely and purposefully’ ମନୋବିଜ୍ଞାନରେ ଜଣେ ସୁସ୍ଥ ବ୍ୟକ୍ତିକୁ a fully functioning person ବା ଜଣେ self-actualizing person ବୋଲି ଏବେ କୁହାଯାଉଚି । ଗାନ୍ଧୀ ଆପଣା ଭିତରର ସମ୍ଭାବନାଗୁଡ଼ିକୁ ପୂର୍ଣ୍ଣ ଭାବରେ ଚିହ୍ନିଥିଲେ ଓ ସେଗୁଡ଼ିକର ବିକାଶ ଲାଗି ଆପଣାର ପ୍ରଥମ ଆଗ୍ରହକୁ ଉଦ୍ଦିଷ୍ଟ କରି ରଖିଥିଲେ । ସେଇଥିଲାଗି ବୃହତ୍ତର ପ୍ରତିଭାର ପାଖରେ ଯାଇ ବସିବାର ସୁଯୋଗ ପାଇଲେ ନିଜକୁ ଆଦୌ କ୍ଷୁଦ୍ର ବା ଅକିଞ୍ଚନ ବୋଲି ମନେ ହୁଏ ନାହିଁ । ଆପଣାର ମହତ୍ତମ ପରିଚୟଟି ଅନୁଭୂତ ହେବାକୁ ଲାଗେ । ସଂସାରରେ ଭୟ ଓ ଈର୍ଷାର ବଣିଜ ଛାଡ଼ି ଶ୍ରଦ୍ଧା ଓ ବିଶ୍ୱାସର ବଣିଜ କରିବାକୁ ଲୋଭ ହୁଏ । ମଣିଷକୁ ନେଇ ନୂଆ ସ୍ୱପ୍ନ ଦେଖିବାକୁ ଲାଜମାଡ଼େ ନାହିଁ, ଡର ବି ମାଡ଼େ ନାହିଁ ।

 

ଏହି ପ୍ରସଙ୍ଗରେ ଗାନ୍ଧିଜୀ କହିଥିଲେ; You must watch my life – how I live, eat, sit, talk, behave in general. The sum total of all those is my religion ! ଏହି ଭାବନାଟି ହେଉଚି ଶ୍ରଦ୍ଧା ଓ ବିଶ୍ୱାସ ନେଇ ବାହାରିଥିବା ପ୍ରତ୍ୟେକ ମଣିଷଲାଗି ପ୍ରଯୁଜ୍ୟ । ଯ ପଶ୍ୟତି ସ ପଶ୍ୟତି ।

 

ତା ୧୦/୪/୬୯

(‘ସମାଜ’, ୪/୧, ଅକ୍ଟୋବର, ୧୯୭୨)

Image

 

ଶତବାର୍ଷିକୀ

 

ଉତ୍କଳ ସମ୍ମିଳନୀରେ, ଅର୍ଥାତ୍ ଓଡ଼ିଆମାନଙ୍କର ଏକ ସମ୍ମିଳନୀରେ ଉତ୍କଳମଣି ଗୋପବନ୍ଧୁ ଥରେ କହିଥିଲେ, ‘‘ଆମ୍ଭେମାନେ ପ୍ରଥମେ ମନୁଷ୍ୟ, ପରେ ଭାରତୀୟ ଓ ସର୍ବଶେଷରେ ଓଡ଼ିଆ । ଯେ – ଯେଉଁ ଜାତିର ହୁଅନ୍ତୁ, ସେ ସର୍ବପ୍ରଥମେ ମନୁଷ୍ୟ ଈଶ୍ୱରଙ୍କର ସନ୍ତାନ ।’’ ଆଜିକୁ ଠିକ୍‌ ପଚାଶବର୍ଷ ତଳେ ଗୋପବନ୍ଧୁ ଏକଥା କହିଥିଲେ । ସେ ଯଦି ନିଜକୁ ପ୍ରଥମେ ଓଡ଼ିଆ, ପରେ ଭାରତୀୟ ଓ ସର୍ବଶେଷରେ ମନୁଷ୍ୟ ବୋଲି ଭାବିଥାନ୍ତେ, ତେବେ ସେ ଗଧଙ୍କ ଭିତରେ ହୁଏତ ଗଧୋତ୍ତମ ହୋଇ ପୂଜା ପାଇଥାନ୍ତେ; ମାତ୍ର ଉତ୍କଳମଣି ବୋଲାଇ ନଥାନ୍ତେ । ଯିଏ ଆପଣାକୁ ସର୍ବପ୍ରଥମେ ମଣିଷ ବୋଲି ଅନୁଭବ କରେ, ସିଏ ଯେ ଆପଣାର ଦେଶ ବା ପ୍ରଦେଶକୁ ଫାଙ୍କି ଦିଏ, ସେକଥା ନୁହେଁ; ମାତ୍ର ଜୀବନପ୍ରେରଣାର ଉତ୍ସକୁ ଓଲଟାଆଡୁ ନିରୂପଣ କରିବାକୁ ବସୁଥିବା ବ୍ୟକ୍ତି ସଂପୃକ୍ତ ସମସ୍ତଙ୍କୁ ଫାଙ୍କିଦିଏ । ସାହିକୁ ଫାଙ୍କିଦିଏ, ଗାଁକୁ ଫାଙ୍କିଦିଏ, ଭଗବାନଙ୍କୁ ଫାଙ୍କିଦିଏ । ସିଏ ପ୍ରଦେଶକୁ ଫାଙ୍କିଦିଏ । ଦେଶକୁ ଫାଙ୍କିଦିଏ ଏବଂ ସର୍ବମୂଳତଃ ଆପଣାକୁ ଫାଙ୍କିଦେବାରେ ଲାଗିଥାଏ । ଆପଣାକୁ ଘୋଡ଼ାଇ ରଖିବାରେ ଲାଗିଥାଏ । ଆପଣା ଭିତରେ ରହିଥିବା ମଣିଷଟିକୁ ଚିହ୍ନି ତାହାରି ଅନୁଶୀଳନ କରି ନ ପାରିବାର ଗ୍ଳାନିକୁ ସିଏ ନାନାବିଧ ପ୍ରାଦେଶିକତାର ମିଛଦମ୍ଭ ଦେଖାଇ ଘୋଡ଼ାଇ ରଖିବାର ଚେଷ୍ଟା କରୁଥାଏ । ଦାମ୍ଭିକ ଲୋକମାନେ ଯାହା କରନ୍ତି, ତଦ୍ଦ୍ୱାରା କେବଳ ଆପଣାର ଦମ୍ଭ ବଢ଼ାଇବାର ମତଲବରେ ହିଁ ସବୁ କରନ୍ତି; ମାତ୍ର ଆପଣାକୁ ପ୍ରଥମେ ଜଣେ ମଣିଷ ବୋଲି ଅନୁଭବ କରୁଥିବା ବ୍ୟକ୍ତି ଯାହା କରେ, ତଦ୍ଦ୍ୱାରା ସେ ନିଜେ ଉପକୃତ ହୁଏ; ଅର୍ଥାତ୍‌ ସେ ଆପଣା ଭିତରେ ଯଥାର୍ଥ ଦ୍ୱାରଟିର ଉଦ୍‌ଘାଟନ କରିବାକୁ ସମର୍ଥ ହୁଏ । ତେଣୁ ସାମୂହିକ ବା ଜାତୀୟ ଜୀବନରେ ମଧ୍ୟ ନାନାବିଧ ଦ୍ୱାରୋଦ୍‌ଘାଟନ ତାହାରି ଦ୍ୱାରା ସମ୍ଭବ ହୁଏ । ସେହି ବ୍ୟକ୍ତି ଯୁଗର ରକ୍ଷା କରେ । ସେହି ନମସ୍ୟ ହୋଇ ରହେ । ଆମ ଭିତରେ ରହିଥିବା ମଣିଷକୁ ସେଇ ସ୍ପର୍ଶ କରିପାରେ । ତେଣୁ ଆମକୁ ଅଧିକ ଯୋଗ୍ୟ କରିପାରେ । ଅନ୍ୟ ଅଳପକିଆମାନେ କାଳର ଜୀବନରୀତି ଅନୁସାରେ ଫସରଫାଟି ଯାଆନ୍ତି; ବଡ଼ ସହଜରେ ପାସୋର ଯାଆନ୍ତି ।

 

ଗୋପବନ୍ଧୁ କହିଥିଲେ; ‘‘ଯେ ଯେଉଁ ଜାତିର ହୁଅନ୍ତୁ, ସେ ସର୍ବପ୍ରଥମେ ମନୁଷ୍ୟ-ଈଶ୍ୱରଙ୍କ ସନ୍ତାନ ।’’ ଯିଏ ଆପଣାକୁ ଈଶ୍ୱରଙ୍କର ସନ୍ତାନ ବୋଲି ଭାବେ, ସେ ଅନ୍ୟସବୁ ମଣିଷଙ୍କ ସହିତ ଏକସୂତତ୍ରା ବା ଆତ୍ମୀୟତା ଅନୁଭବ କରିଥାଏ । ଜୀବନବୈରାଗ୍ୟ ଅପେକ୍ଷା ଜୀବନଯୋଗକୁ ହିଁ ସେ ଅଧିକ ସତ୍ୟରୂପେ ହୃଦୟଙ୍ଗମ କରେ । ଘୃଣା ଅପେକ୍ଷା ଶ୍ରଦ୍ଧା ଲାଗି ଅଧିକ ବିବେକ ପାଏ । ଏହିସବୁ ଅନୁଭୂତି ତାକୁ ଆପଣାକୁ ସର୍ବପ୍ରଥମେ ମଣିଷ ବୋଲି ଭାବି ଶିଖାଏ; ତାକୁ ଅଧିକ ସଂବେଦନଶୀଳ କରାଏ । ଏହି ସଂବେଦନଶୀଳତାକୁ ହିଁ ସର୍ବପ୍ରଥମ ପୁଞ୍ଜି କରି ସେ ଜୀବନର ବଣିଜ କରି ବାହାରେ । ଏହି ସଂବେଦନଶୀଳତାର ଆବେଦନଦ୍ୱାରା ସେ ଆପଣାର ପ୍ରଦେଶକୁ ଆବିଷ୍କାର କରେ; ଦେଶକୁ ଆବିଷ୍କାର କରେ, ଜାତିକୁ ଆବିଷ୍କାର କରେ ଓ ଜଗତକୁ ଆବିଷ୍କାର କରେ । ସମଗ୍ର ଜଗତ ତାକୁ ଆପଣାର ଘର ପରି ଲାଗେ । ଆପଣାର ଈଶ୍ୱର-ସନ୍ତାନତ୍ୱ ତାକୁ ସବୁଠି ସବୁରି ସହିତ ଅତି ସ୍ୱାଭାବିକ ଭାବରେ ଯୁକ୍ତ କରିଦିଏ । ମଣିଷର ଦୁଃଖ ଦେଖିଲେ ସେ ଦୁଃଖୀ ହୁଏ । ମଣିଷ ଉପରେ ହେଉଥିବା ଅନ୍ୟାୟଗୁଡ଼ାକୁ ସେ ଆପଣା ଉପରେ ବି ଆଘାତରୂପେ ଅନୁଭବ କରେ । ତା’ର ଜୀବନ ଭିତରେ, ଜାତୀୟତା ଓ ମନୁଷ୍ୟତା ଭିତରେ ସକଳ ବିରୋଧ ତୁଟିଯାଏ, ଧର୍ମ ଓ ରାଜନୀତି ଭିତରେ ବିରୋଧ ତୁଟିଯାଏ । ସିଏ ମଣିଷକୁ ମଣିଷ ପରି ଦେଖିବାକୁ ଚାହେଁ, ଈଶ୍ୱରଙ୍କର ଏହି ସଂସାରରେ ସେ ତାକୁ ଈଶ୍ୱରଙ୍କର ସନ୍ତାନ ରୂପେ ନିର୍ଭୟ ହୋଇ ବଢ଼ିବାର ଦେଖିବାକୁ ଚାହେଁ । ତାହାକୁ ହିଁ ଉଦ୍ଦେଶ୍ୟ ରୂପେ ଗ୍ରହଣ କରି ସେ ଆପଣାର କର୍ତ୍ତବ୍ୟ ସ୍ଥିର କରେ ଏବଂ ସେହି କର୍ତ୍ତବ୍ୟର ସାଧନାଲାଗି ଆତ୍ମନିବେଦନ କରେ । ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନରେ ହୁଏତ ତାହା ହିଁ ହୋଇଥିଲା । ତାଙ୍କର ସଂବେଦନଶୀଳତା ମଣିଷର ହୃଦୟକୁ ଛୁଇଁ ପାରିଥିଲା ।

 

ଯିଏ ନିଜକୁ ଈଶ୍ୱରଙ୍କର ସନ୍ତାନ ବୋଲି ଅନୁଭବ କରୁଥାଏ, କେବଳ ସେଇ ଅନ୍ୟ ସବୁ ମଣିଷଙ୍କୁ ଈଶ୍ୱରଙ୍କର ସନ୍ତାନ ବୋଲି ଅନୁଭବ କରିପାରେ । ଯିଏ ଭିତରେ ଦେଖେ, ସେ ବାହାରେ ମଧ୍ୟ ଦେଖିପାରେ । ଯିଏ ଜାତି ଭିତରେ ଦେଖେ, ସିଏ ଜଗତ ଭିତରେ ବି ଦେଖିପାରେ । ମୁଁ ସର୍ବପ୍ରଥମେ ଜଣେ ମନୁଷ୍ୟ, ଯିଏ ଏହି ସତ୍ୟଟିକୁ ଅନୁଭବ କରିପାରେ, କେବଳ ସେଇ ଅନ୍ୟ ସମସ୍ତଙ୍କୁ ମଧ୍ୟ ମଣିଷପରି ଦେଖିପାରେ । ଅନ୍ୟ ସମସ୍ତଙ୍କୁ ମଧ୍ୟ ସର୍ବପ୍ରଥମେ ମନୁଷ୍ୟ ବୋଲି ଅନୁଭବ କରିପାରେ । ମନୁଷ୍ୟ,- ଅର୍ଥାତ୍‌ ନିର୍ଭୟ ମନୁଷ୍ୟ, ଶକ୍ତିମାନ୍‌ ମନୁଷ୍ୟ, ସଂବେଦନଶୀଳ ମନୁଷ୍ୟ ଓ ସମର୍ପିତ ମନୁଷ୍ୟ । ଆପଣାର ପୁତ୍ରତ୍ୱ ଅର୍ଥାତ୍‌ ବିରାଟତ୍ୱକୁ ଆବିଷ୍କାର କରିଥିବା ମନୁଷ୍ୟ-। ସେହି ବିରାଟତ୍ୱର ମଞ୍ଜିଟିକୁ ଫୁଲଫଳରେ ଉଦ୍‌ଘାଟିତ କରିବାଲାଗି ସତତ ଉଦ୍ୟମ କରୁଥିବା ମନୁଷ୍ୟ । ଏପରି ଜଣେ ମନୁଷ୍ୟ ସହଜରେ ସନ୍ତୁଷ୍ଟ ହୋଇପାରେ ନାହିଁ । ସେ କେବଳ ଆପଣା ମୁକ୍ତି, ଆପଣା ଖ୍ୟାତି ବା ଆପଣା ବଡ଼ତିରେ ସନ୍ତୁଷ୍ଟ ହୋଇଯାଏ ନାହିଁ । ଆପଣାର ସ୍ୱପ୍ନ ଅନୁସାରେ ସିଏ ସଂସାରକୁ ବି ବଦଳାଇବା ଲାଗି ବ୍ୟଗ୍ର ହୋଇ ଉଠେ; ସମାଜକୁ ବଦଳାଇବାଲାଗି ଅଗ୍ରସର ହୁଏ । ଏହି ଅସନ୍ତୋଷ ଏକ ଐଶ୍ୱରିକ ଅସନ୍ତୋଷ । ଏହା ରାଜାକୁ ମାନେ ନାହିଁ, ଶାସନକୁ ବି ମାନେ ନାହିଁ । କେବଳ ଭଗବାନଙ୍କୁ ମାନେ, ସତ୍ୟକୁ ମାନେ । ସବୁ ମଣିଷଙ୍କ ଭିତରେ ସତ୍ୟର ଉଦ୍‌ଘାଟନ କରିବାକୁ ଚାହେଁ । ସଂସାର ଓ ସମାଜରୁ ନାନା ଅନ୍ୟାୟ ଓ ଦୁଃଖକୁ ହଟାଇ ସେ ମଣିଷକୁ ସତ୍ୟ ଲାଗି ପ୍ରସ୍ତୁତ କରିବାକୁ ଚାହେଁ । ଭଗବତ୍‌ ସାମ୍ରାଜ୍ୟକୁ ଏହି ସଂସାରରେ ଅବତୀର୍ଣ୍ଣ କରାଇବାକୁ ଚାହେଁ । ଉତ୍କଳମଣି ଗୋପବନ୍ଧୁ ଏହିପରି ଏକ ଅବତରଣର ବାର୍ତ୍ତାବହ ହୋଇ କାର୍ଯ୍ୟ କରୁଥିଲେ । ମଣିଷର ବାଟରେ ରହିଥିବା ବାଧାବିଘ୍ନମାନ ଘୁଞ୍ଚାଇବା ଲାଗି ସେ ସବୁ କରିବାକୁ ପ୍ରସ୍ତୁତ ହୋଇଯାଉଥିଲେ । ସେ ଅନ୍ୟାୟ ସହି ପାରୁ ନଥିଲେ । ପ୍ରାକୃତିକ କୋପଜନିତ ଅନ୍ୟାୟକୁ ସହୁ ନ ଥିଲେ କି ସମାଜଗତ ଅନ୍ୟାୟକୁ ସହିପାରୁ ନ ଥିଲେ । ସେ ମଣିଷ ଲାଖି ଏକ ସମାଜର ପ୍ରତିଷ୍ଠା ଚାହୁଁଥିଲେ । ସେହିପରି ଏକ ସମାଜର ପ୍ରତିଷ୍ଠା ଲାଗି ଦେଶପାଇଁ ସ୍ୱରାଜ ଚାହୁଁଥିଲେ । ସ୍ୱରାଜ ଆସିଲେ ନିଜେ କ୍ଷମତା ଭୋଗ କରିବେ ବୋଲି ସେ ଦେଶଲାଗି ସ୍ୱରାଜ ଚାହୁଁ ନ ଥିଲେ । ସେପରି ହୋଇଥିଲେ ସେ ଉତ୍କଳସିଂହ କିମ୍ବା ଉତ୍କଳ ଶାର୍ଦ୍ଦୁଳ ଯାହା ବୋଲାଇଥାନ୍ତେ ସିନା, ଉତ୍କଳମଣି କଦାପି ବୋଲାଇ ନ ଥାନ୍ତେ ।

 

ଗୋପବନ୍ଧୁଙ୍କ ଭାଷାରେ କହିବାକୁ ଗଲେ ମହାତ୍ମା ଗାନ୍ଧୀ ଏ ଦେଶରେ ସ୍ୱରାଜଗଙ୍ଗାର ଅବତରଣ କରାଇଥିଲେ । ଉପମାଟିର ଖିଅ ଧରି ଆମେ ବି କହିପାରିବା ଯେ ଗୋପବନ୍ଧୁ ସେହି ଗଙ୍ଗାର ପ୍ରବାହକୁ ଆମ ଉତ୍କଳଭୂମିଆଡ଼େ ମୁହାଁଇ ଦେଇଥିଲେ । ଏହା ଫଳରେ ସେ ଏକ ପ୍ରାଦେଶିକ ଆନ୍ଦୋଳନକୁ ଜାତୀୟ ଆନ୍ଦୋଳନର ଭୂମିକୁ ଉତ୍ତୀର୍ଣ୍ଣ କରାଇ ନେଇଥିଲେ । ଏଠି ଓଡ଼ିଆମାନଙ୍କୁ ଭାରତୀୟ ବୋଲି ଭାବିବାଲାଗି ସେ ନୂତନ ପ୍ରେରଣା ଦେଇଥିଲେ । ମୂଳତଃ ମଣିଷ ବୋଲି ଭାବିବାକୁ ପ୍ରେରଣା ଦେଇଥିଲେ । ତାଙ୍କରି କଲମରେ ‘ଜଗନ୍ନାଥ’ଙ୍କର ନୂଆ ବ୍ୟାଖ୍ୟା ହେଲା, ‘ଧର୍ମପଦ’ର ନୂଆ ବ୍ୟାଖ୍ୟା ହେଲା, ତତ୍କାଳୀନ ଉତ୍କଳ-କଳ୍ପନାରେ ମାନବିକ ବ୍ୟଞ୍ଜନାର ଜୀବନ୍ୟାସ କରାଗଲା । ମହାତ୍ମା ଗାନ୍ଧୀଙ୍କର ସ୍ୱରାଜ୍ୟ-ଆକାଙ୍‌କ୍ଷା ଭିତରେ ଜାତିକୁ ବଡ଼ ଓ ଦୁର୍ଦ୍ଧର୍ଷ କରିବାର ଆକାଙ୍‌କ୍ଷା ଯେତେ ନ ଥିଲା, ଏହି ଜାତିର ଶିବିରରେ ବାସ କରୁଥିବା କୋଟି କୋଟି ମଣିଷଙ୍କୁ ମଣିଷ ପରି ବଞ୍ଚିବା ଲାଗି ଏକ ଅନୂକୂଳ ପରିବେଶ ଯୋଗାଇଦେବାର ଆକାଙ୍‌କ୍ଷା ତା’ଠାରୁ ଯଥେଷ୍ଟ ଅଧିକ ରହିଥିଲା । ମଣିଷ ମଣିଷ ପରି ବଞ୍ଚୁ, ଅର୍ଥାତ୍‌ ସେ ଆପଣାକୁ ଈଶ୍ୱରଙ୍କର ସନ୍ତାନ ବୋଲି ଅନୁଭବ କରୁ, -ଏହି ସଂସାରକୁ ମଧ୍ୟ ଈଶ୍ୱଙ୍କର ସଂସାର ବୋଲି ଅନୁଭବ କରୁ,-ପ୍ରତ୍ୟେକ ମଣିଷପାଇଁ ଏତିକି ଅବସର ଯୋଗାଇ ଦେବାଲାଗି ଗାନ୍ଧୀ ଦେଶପାଇଁ ସ୍ୱାଧୀନତା ଚାହୁଁଥିଲେ । ସେଥିଲାଗି ବିଦେଶୀ ରାଜତ୍ୱକୁ ସେ ଏକ ଅନ୍ୟାୟ ବୋଲି କହୁଥିଲେ, ପାପ ବୋଲି କହୁଥିଲେ । ଏହା ମଣିଷ ବିରୋଧରେ ଏକ ପାପ, ଭଗବଦ୍‌ ବିଧାନ ବିରୋଧରେ ଏକ ପାପ । ସାମାଜିକ ଅନ୍ୟାୟଗୁଡ଼ିକୁ ମଧ୍ୟ ସେ ସମାଜସ୍ଥ ମଣିଷ ବିରୋଧରେ ଅସାମାଜିକ ବ୍ୟବସ୍ଥାର ପାପ ବୋଲି କହୁଥିଲେ । ମହାତ୍ମା ଗାନ୍ଧୀଙ୍କର ଏହି ଦୃଷ୍ଟି ଓଡ଼ିଶାକୁ ଆସି ଉତ୍କଳମଣି ଗୋପବନ୍ଧୁଙ୍କର ଦୃଷ୍ଟିରେ ଉକୁଟି ଥିଲା । ଗୋପବନ୍ଧୁ ହିଁ ଗାନ୍ଧୀଙ୍କୁ ଓଡ଼ିଶା ଭୂଇଁକୁ ଡାକି ଆଣିଥିଲେ । ସେହିଦିନଠାରୁ ଆମ ସାମୂହିକ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା, ଆମର ରାଜନୀତିକୁ ପରିପ୍ସୁତ କରି ଏକ ନୂତନ ଆକୃତି ଜନ୍ମଲାଭ କଲା ।

 

ଏବର୍ଷ ହେଉଚି ଗାନ୍ଧୀ-ଶତବାର୍ଷିକୀ ବର୍ଷ । ଦରବାରଠାରୁ ଆରମ୍ଭ କରି ଆମ ଦାଣ୍ଡଦୁଆର ପର୍ଯ୍ୟନ୍ତ ଆଜି ସବୁଠାରେ ଶତବାର୍ଷିକୀର ବାଜଣା ବାଜୁଚି । ଦେଶରେ ସ୍ୱାଧୀନତାର କୋଡ଼ିଏ ବର୍ଷ ପୂରିଯିବା ପରେ ଆମେ ସମସ୍ତେ ଶତବାର୍ଷିକୀ ପାଳନ କରୁଚୁ । ଏବର୍ଷ ଗୋପବନ୍ଧୁଙ୍କୁ ମନେ ପକାଇଲାବେଳକୁ ଗାନ୍ଧୀ ମନେ ପଡ଼ିଯିବା ଅତ୍ୟନ୍ତ ସ୍ୱାଭାବିକ । ଗୋପବନ୍ଧୁଙ୍କ କଥା କହିଲାବେଳକୁ ଗାନ୍ଧୀ-କଥା ଗୁଡ଼ାକ ଉଚ୍ଚାରିତ ହୋଇଯିବା ସ୍ୱଭାବସିଦ୍ଧ । ଥରେ ଶ୍ରୀଯୁକ୍ତ ଆନନ୍ଦ କୁମାରସ୍ୱାମୀ ଭାରତବର୍ଷକୁ ଗାନ୍ଧୀଙ୍କର ଭାରତବର୍ଷ ବୋଲି କହିଥିଲେ । ଗାନ୍ଧୀଙ୍କର ଭାରତବର୍ଷ ବୋଲି କହିଲାବେଳକୁ ଆମର ଆଖିଆଗରେ ଯେଉଁସବୁ ଜୀବନମୂଲ୍ୟ ଓ ଜୀବନସ୍ୱପ୍ନର ଛବି ରୂପାୟିତ ହୋଇଗଲା ପରି ମନେହୁଏ, ଗୋପବନ୍ଧୁଙ୍କର ଓଡ଼ିଶା କହିଲେ ଏଠି ଆମ ଆଗରେ ମଧ୍ୟ ସେହିପରି ଛବିମାନ ଉକୁଟି ଉଠିବା ପରି ଲାଗେ । ଜାତି ଓ ଜାତୀୟତାର ବାଧକ ସୀମାଗୁଡ଼ାକ ହଟି ହଟି ଯାଏ । ସଫଳତାବାଦୀ ରାଜନୀତିର ସୀମାଗୁଡ଼ାକ ବି ହଟି ହଟି ଯାଏ । ସ୍ୱୟଂ ମଣିଷ ଆସି ସିଂହାସନରେ ବସେ । ଯେଉଁ ମଣିଷ ଆମ ସମସ୍ତଙ୍କ ଭିତରେ ଆପଣାର ବିରାଟ ସମ୍ଭାବନାରେ ମୁକୁଳିତ ହେବା ଲାଗି ଅପେକ୍ଷା କରି ରହିଚି, ଚତୁର୍ଦ୍ଦିଗକୁ ଅନାଇ ଆମେ ସତେଅବା ତାହାରି ବିଶ୍ୱରୂପକୁ ଦେଖିବାକୁ ଲାଗୁ ।

 

ଗାନ୍ଧୀ ଓ ଗୋପବନ୍ଧୁ ଉଭୟେ ମଣିଷ ହାତରେ ରଜ୍ଜୁ ରଖିବାକୁ ଚାହୁଁଥିଲେ । ମୂଳତଃ ସେଇଥିସକାଶେ ଏମାନେ ଦେଶଲାଗି ସ୍ୱାଧୀନତା ଚାହୁଁଥିଲେ । ମଣିଷପାଇଁ ରାଜନୀତି ଚାଲିବ, ମଣିଷ ଲାଗି ଅର୍ଥନୀତି ଗଢ଼ା ହେବ, ଆମର ସାମୂହିକ ଓ ସାମାଜିକ ବ୍ୟବସ୍ଥାମାନ ମଣିଷର ଅନୁକୂଳ ହେବ, ମଣିଷକୁ କୌଣସିପ୍ରକାର ଅଫିମ ଖୁଆଇ ଅବଶ କରିଦିଆଯିବ ନାହିଁ । ମଣିଷ ତିଆରି ହେବାଲାଗି ପାଠର ବ୍ୟବସ୍ଥା ହେବ । ସବୁ ମଣିଷଙ୍କ ଲାଗି ବ୍ୟବସ୍ଥା ହେବ । ଦୟାରେ ଶାସନ ଚଳିବ ନାହିଁ, ନ୍ୟାୟରେ ଶାସନ ଚଳିବ । ଦେଶରେ ସବୁ ପିଲାଏ ପାଠ ପଢ଼ିବେ । କର୍ମଠ ଓ ଆତ୍ମଶକ୍ତିମାନ୍ ହେବାର ପାଠ ପଢ଼ିବେ । ଦେଶରେ ସବୁ ମଣିଷଙ୍କୁ ମଣିଷ ହିସାବରେ ସ୍ୱୀକୃତି ମିଳିବ । ସବୁଠାରେ ପ୍ରତିଭାର ଆଦର କରାଯିବ, ପଇସାଦ୍ୱାରା ପ୍ରତିଭାକୁ ମପାଯିବ ନାହିଁ । ମଣିଷର ବଡ଼ପଣିଆ ତା’ର ମଣିଷପଣିଆଦ୍ୱାରା ମପାଯିବ, ସିଏ ମାଡ଼ି ବସିଥିବା କ୍ଷମତା ଦ୍ୱାରା ମପାଯିବ ନାହିଁ । ଏହିସବୁ କଥା ଗାନ୍ଧୀଯୁଗରେ ଆମ ଜାତୀୟ-ସଂଗ୍ରାମର ସୂତ୍ର ହୋଇ ରହିଥିଲା । କୋଡ଼ିଏ ବର୍ଷ ତଳେ ଏହିସବୁ ସୂତ୍ର ହିଁ ଆମ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରି ରଖିଥିଲା । ଖାଲି ବିଦେଶୀଶାସନକୁ ଏଠାରୁ ତଡ଼ି ଦେଇ ଚୁପ୍‌ହୋଇ ବସିଯିବେ ବୋଲି ଗାନ୍ଧୀ କେବେହେଲେ ଭାବୁ ନ ଥିଲେ । ବିଦେଶୀ ଶାସନ ଘୁଞ୍ଚିଯିବା ପରେ ଆମେ ଆମର ମାନବିକ ଅଭିଳାଷଗୁଡ଼ିକୁ ଜାତୀୟ ଯଥାର୍ଥ ରୂପ ଦେଇପାରିବା ବୋଲି ସେ ପ୍ରଥମ ସୋପାନ ସ୍ୱରୂପ ଦେଶକୁ ବିଦେଶୀ ଶାସନ ହାତରୁ ମୁକ୍ତ କରିବାକୁ ଚାହୁଁଥିଲେ । ଆଜି କୋଡ଼ିଏ ବର୍ଷ ପରେ ସେସବୁ ଆକାଶକଇଁଆ ପରି ମନେ ହେଉଥିବ । ଗତ କୋଡ଼ିଏ ବର୍ଷର ରାଜନୀତି ଓ କ୍ଷମତାନୀତି ସେଗୁଡ଼ାକୁ ଆକାଶକଇଁଆ ହୋଇ ରହିବାରେ ପ୍ରକୃତରେ ଭାରି ସାହାଯ୍ୟ କରିଛି । ସ୍ୱାଧୀନ ହେବାର ପ୍ରାୟ ଗୋଟାଏ ପୁରୁଷ ବିତିଯାଇଥିଲେ ମଧ୍ୟ ଏ ଦେଶର ରାଜାମାନେ ଆଜି ବି ରାଜା ହୋଇ ରହିବାକୁ ଚାହୁଁଚନ୍ତି; ସରକାରୀ ସଲାମୀ ଭୋଗିବାକୁ ଚାହୁଁଛନ୍ତି । ମନ୍ତ୍ରୀମାନେ ଯେକୌଣସି ପ୍ରକାରେ ମନ୍ତ୍ରୀ ହୋଇ ବସି ରହିବାକୁ ଚାହୁଚନ୍ତି । କ୍ଷମତାସକ୍ତମାନେ ଯେକୌଣସି ପ୍ରକାରେ କ୍ଷମତାରେ ରହିବାକୁ ଚାହୁଁଚନ୍ତି । ଏପରି କରିବାରେ ଏମାନଙ୍କୁ କାହାକୁ ଲାଜ ମାଡ଼ୁନାହିଁ । ସେମାନଙ୍କୁ ଏପରି କରିବାକୁ ଦେବାରେ ଜନଗଣକୁ ବି ଲାଜ ମାଡ଼ୁନାହିଁ । ଉପରେ ରହିଥିବା ଭୋଗୀବର୍ଗର ମଣିଷପଣିଆ ମରିଗଲାଣି । ଶିକ୍ଷା, ସମାଜ ଓ ସରକାର ଭିତରେ ଶାସନର ଆସନରେ ବସିଥିବା ଏହି ବର୍ଗ ଦେଶକୁ ଯାହା ଦେଉଚି, ଯଦି ତାହାକୁ ହିଁ ନେତୃତ୍ୱ ବୋଲି କୁହାଯାଏ, ତେବେ ସେହି ନେତୃତ୍ୱର ବିବେକ ହଜିଗଲାଣି ବୋଲି ବି କହିବାକୁ ହେବ । ଆପଣା ଭିତରେ ନିଶା ଖାଇ ସାନ ହୋଇ ପଡ଼ିଥିବା ମଣିଷଟି ଆଡ଼କୁ ଅନାଇବା ଲାଗି ମଧ୍ୟ ହୁଏତ ସେମାନଙ୍କୁ ଆଜି ଡର ମାଡ଼ୁଚି । ସେମାନେ ଆପଣା ଭିତରର ମଣିଷଟି ଉପରେ ନିର୍ଭର କରିବାକୁ ବି ଭୁଲିଗଲେଣି । ତେଣୁ ସେମାନଙ୍କୁ ଏବେ ଅନ୍ୟ ଯଷ୍ଟି ଉପରେ ନିର୍ଭର କରି ଜୀବନ ଜମାଇବାକୁ ପଡ଼ୁଚି । ସେମାନେ ପଇସା ଉପରେ ନିର୍ଭର କରୁଛନ୍ତି; କ୍ଷମତାର ଦଉଡ଼ିରେ ଆପଣାକୁ ଚଉକଷ କରି ଭିଡ଼ି ରଖିବାରେ ଲାଗିଚନ୍ତି । କୋଠା ବାଡ଼େଇବାରେ ଲାଗିଛନ୍ତି, ଓ ସତେଅବା ପ୍ରାୟଶ୍ଚିତ୍ତ କଲାପରି ୟାକୁ ତାକୁ ଅନର୍ଗଳ ଉପଦେଶ ଦେବାରେ ଲାଗିଚନ୍ତି । ଭିତରେ ଆପଣାର ଅସଲ ମଣିଷଟି ସହିତ ଖିଅ ଛିଡ଼ିଗଲେ ଠିକ୍ ଏହିପରି ଦୁର୍ଦ୍ଦଶା ହୋଇଥାଏ । ଏମାନେ ଉପରେ ଥାଇ ଅମଣିଷ ହେବାରେ ଲାଗିଚନ୍ତି ଏବଂ ତଳେ ରହିଥିବା ଜନସାଧାରଣ ମେରୁଦଣ୍ଡହୀନ ହେବାରେ ଲାଗିଚନ୍ତି । ସତେ ଯେପରି ସବୁ ସହିଯିବା ଲାଗି ସେମାନେ ପ୍ରସ୍ତୁତ ହୋଇ ବସିଲେଣି । ଅନ୍ୟାୟ ଦେଖି ଦେଖି ସେମାନେ ତାହାକୁ ହିଁ ନ୍ୟାୟର ବିକଳ୍ପ ବୋଲି ଧରିନେଲେଣି । କଥା ଶୁଣି ଶୁଣି ସେମାନେ ତାହାକୁ ହିଁ କର୍ମର ବିକଳ୍ପ ବୋଲି ଧରିନେଲେଣି । ସଫଳତାକୁ ସାର୍ଥକତାର ବିକଳ୍ପ ବୋଲି ଧରିନେଲେଣି । ଜୀବନ-ସଂଗ୍ରାମରେ ସେମାନେ ମଧ୍ୟ ବଡ଼ମାନଙ୍କର ଅନୁକରଣ କରିବାକୁ ହିଁ ଧର୍ମ ବୋଲି ଗ୍ରହଣ କରିନେଲେଣି । ମତ୍ସ୍ୟନ୍ୟାୟର ମୋହବନ୍ଧରେ ପଡ଼ି ସେମାନେ ବି ଆପଣା ଭିତରର ବଳ ହରାଇ ବସିଲେଣି । ଏହି ଶତବାର୍ଷିକୀର ବର୍ଷରେ ଅନୁଷ୍ଠିତ ହେଉଥିବା ଯାବତୀୟ ଛଉନାଚ ତଳେ ଆମକୁ ଗ୍ରାସ କରି ରହିଥିବା ଦୁର୍ଗତି ଗୁଡ଼ାକ ହିଁ ଆଖି ଉପରେ ଉଗାରି ହୋଇପଡ଼ୁଚି । ସମସ୍ତେ ତ୍ରାହି ତ୍ରାହି ଡାକୁଚନ୍ତି । ବାଟ ନାହିଁ ବୋଲି ଚିତ୍କାର କରୁଚନ୍ତି । ତଥାପି ଯୋଉଠି ଅଛନ୍ତି, ତାହାକୁ ହିଁ ଆଦରି ରହୁଚନ୍ତି । ପ୍ରହସନ ବଢ଼ିଆମତେ ଚାଲିଚି ।

 

ଆମେ ଅନ୍ୟାୟକୁ କଦାପି ସହିଯିବା ନାହିଁ; -ଗାନ୍ଧିଜୀ ଆପଣାର ଜୀବନନୀତିରେ ଏହାରି ଉପରେ ହିଁ ସବୁଠାରୁ ଅଧିକ ଜୋର ଦେଉଥିଲେ । ଭାରତରେ ବ୍ରିଟିଶ ଶାସନକୁ ସେ ଏକ ସଂଗଠିତ ଅନ୍ୟାୟ ରୂପେ ଦେଖୁଥିଲେ ଏବଂ ସେଇଥିପାଇଁ ଜାତୀୟ ମୁକ୍ତିର ସଂଗ୍ରାମରେ ନେତୃତ୍ୱ ଗ୍ରହଣ କରିଥିଲେ । କେବଳ ରାଜନୀତିକ ଅନ୍ୟାୟର ବିରୋଧରେ ହେଉଥିବା ସଂଗ୍ରାମରେ ନୁହେଁ, ଯେକୌଣସି କ୍ଷେତ୍ରର ଅନ୍ୟାୟ ବିରୋଧରେ ମଧ୍ୟ ଗାନ୍ଧିଜୀ ଯେଉଁ ଅସ୍ତ୍ରଟି ପ୍ରୟୋଗ କରୁଥିଲେ, ସେହି ଅସ୍ତ୍ରକୁ ସେ ସତ୍ୟାଗ୍ରହ ବୋଲି କହୁଥିଲେ । ସତ୍ୟାଗ୍ରହ, ଅର୍ଥାତ୍ ସତ୍ୟର ଆଗ୍ରହ । ଜୀବନକୁ ସତ୍ୟ ଉପରେ ପ୍ରତିଷ୍ଠିତ କରାଇବାର ଆଗ୍ରହ, ସତ୍ୟର ଅନୁରୂପ ଜୀବନ ଧରି ବଞ୍ଚିବାର ଆଗ୍ରହ । ସତ୍ୟ ସହିତ ସହଯୋଗ ତେଣୁ ଅସତ୍ୟ ସହିତ ଅସହଯୋଗ । ଅନ୍ୟାୟ ହେଉଛି ଅସତ୍ୟର ପ୍ରତୀକ । ଯେତେ ଥାନରେ ମଣିଷକୁ ମଣିଷପରି ବଞ୍ଚିବା ଅଧିକାର ମିଳୁ ନାହିଁ, ସେଠାରେ ଅନ୍ୟାୟର ଆଚରଣ କରାଯାଉଚି, ସେଠାରେ ଅସତ୍ୟକୁ ପ୍ରଶ୍ରୟ ଦିଆଯାଉଚି । ଯେଉଁ ସମାଜରେ ମଣିଷକୁ ନାନାଭାବେ ଗୋଲାମ ଓ ଗଧକରି ରଖିବାକୁ ଚେଷ୍ଟା କରାଯାଉଚି, ସେଠାରେ ଅନ୍ୟାୟ ହେଉଚି, ଅସତ୍ୟକୁ ବାଟ ଛାଡ଼ି ଦିଆଯାଉଚି । ସତ୍ୟ ଲୋଡ଼ୁଥିବା ଅର୍ଥାତ୍ ଜଣେ ମଣିଷ ହିସାବରେ ପରିପୂର୍ଣ୍ଣ ଶକ୍ତିରେ ବିକଶିତ ହେବାକୁ ଚାହୁଁଥିବା ମଣିଷ ସେହି ଅନ୍ୟାୟର ପ୍ରତିରୋଧ କରିବ । ଅସତ୍ୟକୁ ସେ ଅସତ୍ୟ ବୋଲି କହିବ । ଆପଣାର ମୁଣ୍ଡ ଛିଡ଼ିଯିବ ପଛକେ, ସେ ତଥାପି ଅସତ୍ୟକୁ ବାଟ ଛାଡ଼ି ଦେବ ନାହିଁ । ଏହା ହେଉଚି ଜଣେ ସତ୍ୟାଗ୍ରହୀ ହେବାର ପ୍ରଥମ ଯୋଗ୍ୟତା, ପ୍ରଥମ ସୋପାନ । ସେଥିଲାଗି ଗାନ୍ଧିଜୀ ଥରେ ନିର୍ଭୟ ହେବାକୁ ହିଁ ସବୁ ଧର୍ମ ଓ ସବୁ ଜୀବନାଚାରର ମୂଳକଥା ବୋଲି କହିଚନ୍ତି । ଇତିହାସରୁ ସକ୍ରେଟିସ୍ ଓ ଯୀଶୁଖ୍ରୀଷ୍ଟଙ୍କର ଦୃଷ୍ଟାନ୍ତ ଦେଇ ସେ ସତ୍ୟାଗ୍ରହର ବ୍ୟାଖ୍ୟା କରିଛନ୍ତି । ସକ୍ରେଟିସ୍ ଆପଣାର ପ୍ରାଣ ଦେଲେ, ତଥାପି ଆପଣାର କଥାରୁ ଟଳିଲେ ନାହିଁ । ରୋମ୍ ସମ୍ରାଟଙ୍କଦ୍ୱାରା ଶାସିତ ଜେରୁଜେଲମ୍‌ରେ ଦେବ ମନ୍ଦିରରେ ମଧ୍ୟ ବେପାରିମାନଙ୍କର ମେଳା ଲାଗୁଥିଲା । ଧର୍ମସ୍ଥାନକୁ ଦୂଷିତ କରି ପଇସାର ଦୁରାତ୍ମତା ଚାଲିଥିଲା । ରାଷ୍ଟ୍ରର ସମର୍ଥନରେ ଏସବୁ ଚାଲିଥିଲା । ଯୁବକ ଯୀଶୁଖ୍ରୀଷ୍ଟ ସେହି ବେପାରିମାନଙ୍କୁ ମନ୍ଦିରରୁ ଘଉଡ଼ାଇ ବାହାର କରି ଦେଇଥିଲେ । ସତ୍ୟାଗ୍ରହର ଶକ୍ତି ମଣିଷକୁ ଏମିତି ଶକ୍ତିମାନ୍ କରାଏ, ଏମିତି ସଂକଳ୍ପବାନ୍ କରାଏ । ଏଯୁଗରେ ମହାତ୍ମା ଗାନ୍ଧୀ ଆମକୁ ଆମ ଭିତରେ ରହିଥିବା ସତ୍ୟାଗ୍ରହୀର ପରିଚୟଟି ଆଣି ଦେଇଥିଲେ । ତାହାରି ଫଳରେ ଏଠି ମଧ୍ୟ ମୂକ କଥା କହିଲା, ପଙ୍ଗୁ ଗିରି ଲଘିଂପାରିଲା । ଆପଣା ଭିତରର ଅସଲ ପରିଚୟ ପାଇଲେ ଏମିତି ହୁଏ । ଆପଣା ଭିତରେ ମଣିଷର ଆବିଷ୍କାର କରିପାରିଲେ ଓ ତାହାରି ନିର୍ଦ୍ଦେଶକୁ ଶୁଣିପାରିଲେ ଯେଉଁ ସାହସ ଏବଂ ଶ୍ରେୟାକାଙ୍‌କ୍ଷାର ଜନ୍ମ ହୁଏ, ତାହା ସାମ୍ରାଜ୍ୟ ମାନେ ନାହିଁ, ଶାସନ ମାନେ ନାହିଁ, ଦେଶୀ ଓ ବିଦେଶୀ ସବୁପ୍ରକାରର ଅନ୍ୟାୟ ଓ ଅସତ୍ୟକୁ ତାହା ଅନ୍ୟାୟ ଓ ଅସତ୍ୟ ବୋଲି କହିବାଲାଗି ପ୍ରସ୍ତୁତ ହୋଇଯାଏ । ସେମାନଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ସିଧା ନାହିଁ କରିଦିଏ । ସେଥିଲାଗି ଗାନ୍ଧୀ-ସମୀକ୍ଷକ ରୋମାଁ ରୋଲାଁ ସତ୍ୟାଗ୍ରହକୁ ‘the supreme resistance’ ବୋଲି କହିଛନ୍ତି ।

 

ଏ ସତ୍ୟାଗ୍ରହ କିଏ କରିପାରିବ ? ବାଇବେଲ୍‌ର ଭାଷାରେ, ଯିଏ ଖୋଜିବ, କେବଳ ସେହି ପାଇବ । ଯିଏ କବାଟ ଉପରେ ବାରବାର ଆଘାତ କରିବ, କେବଳ ତାହାରି ଲାଗି କବାଟ ଖୋଲିବ । ଯିଏ ଆଖି ଫିଟାଇ ଦେଖିବ, କେବଳ ସେଇ ଦେଖିପାରିବ । ଗାନ୍ଧିଜୀଙ୍କର ଶବ୍ଦରେ କହିବାକୁ ଗଲେ, ‘‘ଯେଉଁମାନେ ଆପଣାକୁ ଦୁର୍ବଳ ବୋଲି ବିଚାରନ୍ତି, ସେମାନଙ୍କ ପକ୍ଷରେ ଏହି ଶକ୍ତି (ସତ୍ୟାଗ୍ରହ-ଶକ୍ତି)ର ପ୍ରୟୋଗ କରିବା ଆଦୌ ସମ୍ଭବ ନୁହେଁ । ମଣିଷ ଭିତରେ ପଶୁପ୍ରକୃତି ରହିଚି ସତ; ମାତ୍ର ତା ଭିତରେ ପଶୁପ୍ରକୃତିଠାରୁ ଅଧିକ ଶକ୍ତିଶାଳୀ ଆଉଗୋଟିଏ ସମ୍ପଦ ମଧ୍ୟ ରହିଚି, ଏବଂ ଏହା ସମ୍ମୁଖରେ ତା’ର ପଶୁପ୍ରକୃତି ସବୁବେଳେ ପରାଜୟ ସ୍ୱୀକାର କରୁଚି । ଯେଉଁମାନେ ଏହି ସତ୍ୟଟି ଉପଲବ୍‌ଧି କରିଥିବେ, କେବଳ ସେହିମାନେ ହିଁ ଯଥାର୍ଥ ସତ୍ୟାଗ୍ରହୀ ହୋଇପାରିବେ ।’ (ୟଙ୍ଗ୍ ଇଣ୍ଡିଆ, ୩.୧୧.୨୭) ପୁଣି, ‘‘ସ୍ୱେଚ୍ଛାପ୍ରଣୋଦିତ ହୋଇ କଷ୍ଟବରଣ କରିବା ହେଉଚି ଅହିଂସାର ଏକ ଗତିଶୀଳ ରୂପ । କିନ୍ତୁ କଷ୍ଟବରଣ କରିବାର ଅର୍ଥ ନୁହେଁ ଯେ, ଆମେ ଅନ୍ୟାୟକାରୀ ବା ଅସତ୍ୟାଚାରୀର ମର୍ଜିକୁ ଲାଙ୍ଗୁଳ ଜାକି ସ୍ୱୀକାର କରିନେବା ବା ତା’ଆଗରେ ମୁଣ୍ଡ ନୁଆଁଇଦେବା । କଷ୍ଟବରଣର ଯଥାର୍ଥ ତାତ୍ପର୍ଯ୍ୟ ହେଉଚି ଯେ, ଅତ୍ୟାଚାରୀର ଜୁଲମ ବିରୁଦ୍ଧରେ ଆମେ ଆମର ସକଳ ଆତ୍ମଶକ୍ତିକୁ ନେଇ ଠିଆ କରାଇବା । ମଣିଷ ଏକଥା ନିଶ୍ଚୟ କରିପାରିବ । ଏହି ଅନ୍ତରବିଧାନଟିର ବୋଲ ମାନି ଜଣେ ବ୍ୟକ୍ତି ପକ୍ଷରେ ମଧ୍ୟ ଆପଣାର ସମ୍ମାନ, ଧର୍ମ ଓ ଆତ୍ମାର ରକ୍ଷା କରିବାକୁ ଯାଇ ଅନ୍ୟାୟାଶ୍ରିତ ଯେକୌଣସି ସାମ୍ରାଜ୍ୟର ସ୍ତୂପୀକୃତ ସମସ୍ତ ଶକ୍ତିକୁ ଅସ୍ୱୀକାର କରିବା ଅବଶ୍ୟ ସମ୍ଭବ ହୋଇପାରିବ । ଏପରି କରି ସେ ହୁଏତ ସେହି ସାମ୍ରାଜ୍ୟର ବିଲୋପ ଲାଗି ବାଟ ଫିଟାଇଦେବ ବା ତାହାକୁ ନୂତନ ଭାବେ ଗଢ଼ିବାଲାଗି ପ୍ରଥମ ପାଦ ପକାଇବ । ପ୍ରତ୍ୟକ୍ଷ ସଂଗ୍ରାମ (Direct Action) ବ୍ୟତୀତ ଏହି ପୃଥିବୀରେ କେବେହେଲେ କିଛି ସମ୍ଭବ ହେବ ନାହିଁ ।’ (ୟଙ୍ଗ୍ ଇଣ୍ଡିଆ, ୧୨.୫.୨୦)

 

ସତ୍ୟାଗ୍ରହ ହେଉଚି ପ୍ରତ୍ୟକ୍ଷ ସଂଗ୍ରାମ । ଅନ୍ୟାୟ ଓ ଅସତ୍ୟର ସମ୍ମୁଖୀନ ହେବା ଲାଗି ଏହା ଏକ ଶକ୍ତିଶାଳୀ ଅସ୍ତ୍ର । ଅସହଯୋଗ ଓ ଆଇନ ଅମାନ୍ୟକୁ ଗାନ୍ଧିଜୀ ସତ୍ୟାଗ୍ରହ ସଂଗ୍ରାମର ଦୁଇଟି ମୌଳିକ ସାଧନରୂପେ ମାନିଥିଲେ । ଅସହଯୋଗ ଓ ଆଇନ ଅମାନ୍ୟ ବଳରେ ହିଁ ସେ ନିରସ୍ତ୍ର ଓ ନିର୍ବଳ ଭାରତବର୍ଷକୁ ନୂତନ ବଳ ଓ ନୂତନ ଆକାଙ୍‌କ୍ଷା ଦେଇଥିଲେ । ଆମ ପ୍ରତ୍ୟେକଙ୍କ ଭିତରେ ଅସଲ ଶକ୍ତିକୁ ଜାଗ୍ରତ କରାଇଥିଲେ; ମଣିଷ ହିସାବରେ ଆମର ଅସଲ ଦାୟିତ୍ୱଟିକୁ ଉଦ୍‌ବୋଧନ ଦେଇଥିଲେ । ‘ଭାରତ ଛାଡ଼’ ଆନ୍ଦୋଳନର ଅବ୍ୟବହିତ ପୂର୍ବରୁ ସେ ଏକ ବିବୃତିରେ (Bombay Chronicle, ୯.୮.୪୨) କହିଥିଲେ ‘‘ଶଠତା ଏବଂ ଅସତ୍ୟ ଆଜି ସମଗ୍ର ପୃଥିବୀକୁ ଗ୍ରାସ କରିବାକୁ ମାଡ଼ି ଆସୁଚି । ଏପରି ଏକ ପରିସ୍ଥିତିରେ ମୁଁ କେବଳ ଚୁପ୍‌ହୋଇ ବସି ଏସବୁ କଦାପି ଦେଖିପାରିବି ନାହିଁ ।

 

‘‘ମୁଁ ଆଜି ଯଦି ଚୁପ୍‌ହୋଇ ବସି ରହେ ଓ କିଛି ହେଲେ ନ କରେ, ତେବେ ଭଗବାନ ମୋତେ ସେଥିଲାଗି ନିଶ୍ଚୟ ଶାସ୍ତି ଦେବାକୁ ଆସିବେ । ମୋତେ ସେ ଯେଉଁ ସମ୍ପଦ ପ୍ରଦାନ କରିଥିଲେ, ସାରା ପୃଥିବୀକୁ ଗ୍ରାସ କରି ହୁତୁହୁତୁ ନିଆଁ ଜଳୁଥିଲାବେଳେ ସେହି ସମ୍ପଦକୁ ଯଥାର୍ଥଭାବେ କାମରେ ନ ଲଗାଇବାର ଅପରାଧ ହେତୁ ସେ ମୋତେ ଶାସ୍ତି ଦେବେ ।’’ ସେତେବେଳେ ଆମ ପୃଥିବୀରେ ଯେଉଁ ନିଆଁ ଜଳୁଥିଲା, ତାହା ଏବେ ମଧ୍ୟ ଜଳୁଚି । ଆମ ଆପଣା ଦେଶରେ ମଧ୍ୟ ଜଳୁଚି । ସେତେବେଳର ଶଠତା ଓ ଅସତ୍ୟଗୁଡ଼ାକ ଆଜି ସତେଅବା ଅଧିକ ଭିତରକୁ ଚେରମଡ଼ାଇ ଅଧିକ ଜବର ହୋଇ ରହିଚି । ପୃଥିବୀରେ ରହିଚି, ଆମ ଆପଣା ଦେଶରେ ମଧ୍ୟ ରହିଚି । ଆମର ଏହି ଦେଶରେ ସରକାର ସମାଜବାଦ ଓ ଗଣତନ୍ତ୍ରକୁ ଗଢ଼ିବ ବୋଲି ଠିକା ନେଇଚି, ତେଣୁ ସରକାରଙ୍କୁ ବିଚଳିତ କଲାଭଳି ଆମେ କଦାପି କିଛି କରିବା ନାହିଁ । ଅନ୍ୟାୟ ଓ ଅସତ୍ୟଗୁଡ଼ାକୁ ଜଳଜଳ ଦେଖୁଥିଲେ ମଧ୍ୟ ଆମେ କିଛି କରିବା ନାହିଁ, -ଏହା ସତ୍ୟାଗ୍ରହର ବିଚାର ନୁହେଁ, ଏହା ଆଳସ୍ୟର ବିଚାର । ମହାତ୍ମା ଗାନ୍ଧୀ ସମ୍ଭବତଃ ଆଳସ୍ୟକୁ ଅର୍ଥାତ୍ କିଛି ନ କରିବାକୁ ହିଁ ସବୁଠାରୁ ବଡ଼ ଦୁଷ୍କର୍ମ ବୋଲି କହିଥିଲେ । ସେ କହିଥିଲେ, ‘‘ସତ୍ୟାଗ୍ରହଦ୍ୱାରା ଯେ ଆମେ ଯେକୌଣସି ମହାନ୍ ଲକ୍ଷ୍ୟରେ ଯାଇ ଉପନୀତ ହୋଇପାରିବା, ନିର୍ଭୀକ ଓ ଦୃଢ଼ଭାବରେ ମୁଁ ତାହା ଅବଶ୍ୟ ଘୋଷଣା କରି କହିବି । ଏହି ଲକ୍ଷ୍ୟପ୍ରାପ୍ତିରେ ସତ୍ୟାଗ୍ରହ ହେଉଚି ମହତ୍ତମ ଓ ଅମୋଘତମ ସାଧନ; ଏହା ସର୍ବୋତ୍ତମ ଶକ୍ତି । ସତ୍ୟାଗ୍ରହ ବ୍ୟତୀତ ଅନ୍ୟ କୌଣସି ଉପାୟରେ ଆମେ ସମାଜବାଦ ପ୍ରତିଷ୍ଠା କରିପାରିବା ନାହିଁ । ସତ୍ୟାଗ୍ରହଦ୍ୱାରା ହିଁ ସମାଜରୁ ରାଜନୀତିକ, ସାମାଜିକ ତଥା ନୀତିଗତ ସକଳ ଦୋଷ ଓ ଦୂଷିତତାର ଅପସାରଣ ହୋଇପାରିବ । (ହରିଜନ, ୨୦/୭/୪୭) ଏଠାରେ ମନେ ରଖିବାକୁ ହେବ, ଭାରତବର୍ଷ ରାଜନୀତିକ ସ୍ୱାଧୀନତା ଲାଭ କରିବାର ଦ୍ୱାରଦେଶରେ ପହଞ୍ଚିଲାବେଳେ ଗାନ୍ଧିଜୀ ଏକଥା କହିଥିଲେ । ସମ୍ଭବତଃ ଭବିଷ୍ୟତ ଭାରତବର୍ଷର ସଂକଳ୍ପଗୁଡ଼ିକ ବିଷୟରେ ଏକ ଦିଗ୍‌ଦର୍ଶନର ସଙ୍କେତ ଦେଇ ସେ ଏକଥା କହିଥିଲେ-

 

ସ୍ୱରାଜ ଆମର ଜନ୍ମଗତ ଅଧିକାର, ଅର୍ଥାତ୍ ପ୍ରତ୍ୟେକ ନାଗରିକର ଜନ୍ମଗତ ଅଧିକାର–ଏହା ଲୋକମାନ୍ୟ ତିଳକଙ୍କର କଥା । ଆଇନ ଅମାନ୍ୟ ହେଉଚି ପ୍ରତ୍ୟେକ ନାଗରିକର ଜନ୍ମଗତ ଅଧିକାର, ଏହା ଗାନ୍ଧିଜୀଙ୍କର କଥା (ୟଙ୍ଗ୍ ଇଣ୍ଡିଆ, ୫/୩/୩୨) ଏବଂ ‘‘ଆଇନ ଅମାନ୍ୟକୁ ଦବାଇ ରଖିବା ହେଉଚି, ବିବେକକୁ କାରାରୁଦ୍ଧ କରି ରଖିବା … ଯେତେବେଳେ କୌଣସି ରାଷ୍ଟ୍ର ବିଧାନର ବହିର୍ଭୁତ ଆଚରଣମାନ କରିଥାଏ ଅର୍ଥାତ୍ ଦୁର୍ନୀତିଗ୍ରସ୍ତ ହୋଇପଡ଼େ, ସେତେବେଳେ ଆଇନ ଅମାନ୍ୟ କରିବା ମଧ୍ୟ ଏକ ପବିତ୍ର କର୍ତ୍ତବ୍ୟ ହୋଇପଡ଼େ ଏବଂ ଏପରି ଏକ ରାଷ୍ଟ୍ର ସହିତ ସାଲିସ୍ କରି ରହିଥିବା ପ୍ରତ୍ୟେକ ନାଗରିକ ଏହି ଦୁର୍ନୀତି ଓ ସ୍ୱୈରାଚାରରେ ଅବଶ୍ୟ ଭାଗୀ ହୋଇ ରହେ । ଆଇନ ଅମାନ୍ୟ ବିଷୟରେ ଆମେ କିଞ୍ଚିତ ବିଳମ୍ୱ କିମ୍ୱା ସତର୍କତାର ପରାମର୍ଶ ଦେଇପାରିବା ସିନା, ମାତ୍ର ଆଇନ ଅମାନ୍ୟ କରିବାଲାଗି ପ୍ରତ୍ୟେକ ନାଗରିକର ରହିଥିବା ଅଧିକାର ଉପରେ ଆମେ କେବେହେଲେ କୌଣସି ପ୍ରଶ୍ନ ଉଠାଇପାରିବା ନାହିଁ ।’’ ଅର୍ଥାତ୍ ଗାନ୍ଧିଜୀଙ୍କର କଳ୍ପନା ଅନୁସାରେ ଜଣେ ନାଗରିକ କୌଣସି ରାଷ୍ଟ୍ର ବା ସରକାରକୁ କଦାପି ଚରମ ବୋଲି ମାନିନେବ ନାହିଁ । ସିଏ ସତ୍ୟ ଓ ନ୍ୟାୟକୁ ଚରମ ବୋଲି ମାନିବ । ଆମ ସାମୂହିକ ଜୀବନର ବ୍ୟବସ୍ଥାଗୁଡ଼ିକୁ ଜଣେ ମଣିଷ ହିସାବରେ ପ୍ରତ୍ୟେକ ମଣିଷର ପରିପୂର୍ଣ୍ଣ ବିକାଶ ଲାଗି ଅନୁକୂଳ କରି ପ୍ରସ୍ତୁତ କରିବାକୁ ପ୍ରତ୍ୟେକ ରାଷ୍ଟ୍ର ଓ ସରକାର କର୍ତ୍ତବ୍ୟ ବୋଲି ମାନିବ । ଯଦି କୌଣସି ରାଷ୍ଟ୍ର ବା ସରକାର ଆପଣାର ଏହି କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ, ତେବେ ଜଣେ ସଚ୍ଚା ନାଗରିକ ସତ୍ୟ ଓ ନ୍ୟାୟକୁ ବଳି ଦେଇ ସରକାର ସହିତ କଦାପି ସାଲିସ୍ କରିବାକୁ ଯିବ ନାହିଁ । ସେହି ସରକାର ବା ରାଷ୍ଟ୍ର ବିରୁଦ୍ଧରେ ସେ ଆପଣାର ପ୍ରତିବାଦ ଜଣାଇବ । ସେ ସରକାର ସହିତ ଅସହଯୋଗ କରିବ, ସରକାରର ଆଇନ୍‌କୁ ଅମାନ୍ୟ କରିବ । ଜଣେ ସତ୍ୟାଗ୍ରହୀ ହିସାବରେ ଏସବୁ କରିବାକୁ ସେ ଆପଣାର କର୍ତ୍ତବ୍ୟ ବୋଲି ଜାଣିବ । ଅଧିକାଂଶତଃ ଅନ୍ୟାୟ ଉପରେ ଆଶ୍ରୟ କରି ଠିଆ ହୋଇଥିବା କୌଣସି ସରକାରକୁ ପୁନର୍ବାର ନ୍ୟାୟ ଉପରେ ପ୍ରତିଷ୍ଠିତ କରିବାର ଲକ୍ଷ୍ୟ ସାଧନ ଲାଗି ଗାନ୍ଧିଜୀ ଅସହଯୋଗକୁ ଏକ ପନ୍ଥା ରୂପେ ମାନିଛନ୍ତି । ସେ କହିଛନ୍ତି, ‘‘ନ୍ୟାୟ ଉପରେ ପ୍ରତିଷ୍ଠିତ ଏକ ସରକାର ସହିତ ସହଯୋଗ କରିବା ହେଉଚି ଆମର କର୍ତ୍ତବ୍ୟ । ଅନ୍ୟାୟ-ଆଚରଣ କରୁଥିବା ଏକ ସରକାର ସହିତ ଅସହଯୋଗ କରିବା ମଧ୍ୟ ଠିକ୍ ସେହିପରି ଏକ କର୍ତ୍ତବ୍ୟ ।’’ (ୟଙ୍ଗ୍ ଇଣ୍ଡିଆ, ୧୮/୮/୨୦) ମହାତ୍ମା ବୋଲାଇବା ଓ ଭାରତୀୟ ରାଜନୀତିକ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବାର ବହୁ ପୂର୍ବରୁ ଗାନ୍ଧିଜୀ ତାଙ୍କ ‘ହିନ୍ଦ୍ ସ୍ୱରାଜ’ ବହିରେ ଲେଖିଥିଲେ; ‘‘କେବଳ ସତ୍ୟାଗ୍ରହ-ଶକ୍ତି ଜନଗଣର ପରିଚାଳନାଶକ୍ତି ହୋଇ ରହିଥିବା ପର୍ଯ୍ୟନ୍ତ ହିଁ ଯଥାର୍ଥ ସ୍ୱରାଜ ସମ୍ଭବ ହେବ । ଅନ୍ୟ ଯେକୌଣସି ରାଜକୁ ଆମେ ସ୍ୱରାଜ ବୋଲି ନ କହି କେବଳ ବିଦେଶୀ-ରାଜ ବୋଲି କହିବା।’’ (୧୭ଶ ଅଧ୍ୟାୟ)

 

ଗତ ବାଇଶିବର୍ଷ ହେଲା ଗାନ୍ଧିଜୀଙ୍କ ଅନ୍ତେ ଏ ଦେଶରେ ଯେଉଁ ରାଜ ଚାଲିଚି, ବଞ୍ଚିଥିଲେ ଗାନ୍ଧୀ ତାହାକୁ ଯେ ବିଦେଶୀରାଜ ବୋଲି କହିଥାନ୍ତେ, ଏପରି ବିଶ୍ୱାସ କରିବା ଲାଗି ଅନେକ କାରଣ ରହିଚି । ମାତ୍ର ସ୍ୱାଧୀନତାର ପରବର୍ତ୍ତୀ ଯୁଗରେ ଆମ ସାମାଜିକ ଭାଗ୍ୟ ଉପରେ ରାଜତ୍ୱ ଚଳାଉଥିବା ନେତୃତ୍ୱ ଏହାକୁ ହିଁ ସ୍ୱରାଜ ବୋଲି ଗ୍ରହଣ କରିବା ଲାଗି ଆମକୁ ଅହରହ ପ୍ରରୋଚନା ଦେବାରେ ଲାଗିଚି ଓ ତେଣୁ ଆମକୁ ଅହରହ ପ୍ରବଞ୍ଚିତ କରିବାରେ ଲାଗିଚି । ଗୋରା ଚମର ବଳଦରେ କଳା–ଚରମ ରାଜତ୍ୱ ପ୍ରତିଷ୍ଠିତ ହେବାଟାହିଁ ସ୍ୱରାଜ ଲାଗି ଯଥେଷ୍ଟ, -ତେଣୁ ସବୁ ପ୍ରକାରର ଅନ୍ୟାୟ, ଅସତ୍ୟ ଏବଂ ଅବିମୃଶ୍ୟକାରିତାକୁ ବିନମ୍ର ଭାବରେ ସ୍ୱରାଜଖଳାର ଧାନ ବୋଲି ଗ୍ରହଣ କରିବାକୁ ହେବ ବୋଲି ଆମର ନେତାମାନେ ଆମକୁ ଉପଦେଶ ଦେବାରେ ଲାଗିଚନ୍ତି । ଶାସନ ରାଜନୀତି, ଶିକ୍ଷା ଓ ସମାଜନିର୍ମାଣ ସବୁ କ୍ଷେତ୍ରରେ ଆମେ ଏହି ନେତୃତ୍ୱଦ୍ୱାରା ପ୍ରବଞ୍ଚିତ ହେବାରେ ଲାଗିଚୁ । ଏହି ଇଚ୍ଛାକୃତ ପ୍ରବଞ୍ଚନାକୁ ଆଜି ଜାତୀୟ ସଂହତି ପ୍ରଭୃତି ଶବ୍ଦ ଓ ସ୍ଲୋଗନଦ୍ୱାରା ଘୋଡ଼ାଇ ରଖିବାକୁ ଚେଷ୍ଟା କରାଯାଉଚି । ମଣିଷଠାରୁ ଜାତିକୁ ବଡ଼ ବୋଲି କୁହାଯାଉଛି । ତେଣୁ ମଣିଷକୁ ମାରିଦେବାର ସବୁ ଫିକର କରାଯାଉଚି । ମଣିଷ ହାତରୁ ରଜ୍ଜୁ କାଢ଼ି ନିଆଯାଉଚି । ତାକୁ ନାନାପ୍ରକାର ଅଫିମ ଖୁଆଇ ଶକ୍ତିହୀନ ସୁନାପୁଅ କରି ରଖାଯାଉଚି । ଜାତିଠାରୁ ଯେ ମଣିଷ ବଡ଼, ଏକଥା ଗାନ୍ଧୀ ଓ ଗୋପବନ୍ଧୁ ବଞ୍ଚିଥିଲେ ଆଜି ମଧ୍ୟ ଦୃଢ଼ତାର ସହିତ କହୁଥାନ୍ତେ । ମାତ୍ର ବର୍ତ୍ତମାନର ନେତୃତ୍ୱ ଏବେ ସେକଥାକୁ ଭୁରୁଡ଼ାଇବାରେ ଲାଗିଚି । ଆମ ଦେଶରୁ ବିଦେଶୀ ଶାସନ ହଟିଯାଇଚି, ଆମରି ଲୋକେ ଦେଶର ଶାସନ ଚଳାଉଛନ୍ତି, ବଡ଼ ଲୋକ ଅଧିକରୁ ଅଧିକ ବଡ଼ଲୋକ ଓ ଦରିଦ୍ର ଲୋକ ଅଧିକ ଦରିଦ୍ର ହେବାରେ ଲାଗିଥିଲେ ମଧ୍ୟ ତଥାକଥିତ ଜାତୀୟ ଆୟ ବଢ଼ିବାରେ ଲାଗିଚି । ଅଧିକରୁ ଅଧିକ ଲେକଙ୍କୁ ମୂର୍ଖ କରି ରଖାହୋଇ ଶିକ୍ଷା ନାମରେ ସିଆଣିଆ ବାବୁଗିରି ବଢ଼ୁଥିଲେ ମଧ୍ୟ ତଥାକଥିତ ଜାତୀୟ ଶିକ୍ଷାର ପ୍ରସାର ହେଉଚି, -ଏଇସବୁ ମିଠା କଥା କହି ଆମର ନେତୃତ୍ୱ ଆମକୁ ଠକିବାରେ ଲାଗିଚି । ସତ୍ୟାଗ୍ରହ, ଅସହଯୋଗ ଓ ଆଇନ ଅମାନ୍ୟକୁ ଗାନ୍ଧିଜୀ ପ୍ରତ୍ୟେକ ନାଗରିକର ଜନ୍ମଗତ ଅଧିକାର ବୋଲି କହିଥିଲେ । ଗୋପବନ୍ଧୁ ପ୍ରତ୍ୟେକ ମଣିଷକୁ ଈଶ୍ୱରଙ୍କର ସନ୍ତାନ ବୋଲି କହିଥିଲେ । ମାତ୍ର ସ୍ୱାଧୀନ ଭାରତରେ ସେଗୁଡ଼ାକୁ ସତେଅବା ଆମ ଜାତୀୟ ଜୀବନର ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରାଯାଇଚି । ଆମ ସରକାରୀ ନେତୃତ୍ୱ ଆଉ କିଛି କରି ନ ପାରୁ ପଛକେ ଯେକୌଣସି ପ୍ରକାରେ ଦେଶରେ ଆଇନ ଓ ଶୃଙ୍ଖଳା ରକ୍ଷା କରିବା ଲାଗି ବଦ୍ଧମୁଷ୍ଟି ହୋଇ ଠିଆ ହୋଇଚି । ଅନ୍ୟାନ୍ୟ ନାନା କ୍ଷେତ୍ରରେ ନେତୃତ୍ୱ ବି ସେଥିରେ ଡିଟୋ ମାରିବାରେ ଲାଗିଚନ୍ତି । ଅସତ୍ୟ ଓ ଅନ୍ୟାୟର ବିପଣି ମହାସମାରୋହରେ ଚାଲିଚି । ଅନ୍ୟାନ୍ୟ ନାନା ପ୍ରକାର ଆଗ୍ରହ ମୋଟା ହେବାରେ ଲାଗିଚି, ମାତ୍ର ସତ୍ୟ ଲାଗି ଆଗ୍ରହ ଶୀର୍ଣ୍ଣ ହୋଇ ଯାଉଚି । ଏ ଦେଶରେ ଆଉ ମଣିଷର ହୁଙ୍କାର ଶୁଭୁ ନାହିଁ, କ୍ଷମତାର ହୁଙ୍କାର ଶୁଭୁଚି, ମଣିଷର ଆର୍ତ୍ତନାଦ ଶୁଭୁଚି, ନୈରାଶ୍ୟର ଆର୍ତ୍ତନାଦ ଶୁଭୁଚି ।

 

ଗାନ୍ଧୀ-ଶତବାର୍ଷିକୀରେ ଏବେ ଆମର ନେତୃତ୍ୱ ଗାନ୍ଧୀଙ୍କୁ ଆପଣାର ଭୋଗଖିଆରେ ଏକ ଠାକୁର ପରି ବ୍ୟବହାର କରୁଚି । ଗାନ୍ଧୀ ସତେ ଯେପରି ଏହି ଜାତିର ଏକ ସମ୍ପତ୍ତି ବ୍ୟତୀତ ଆଉ କିଛି ନୁହନ୍ତି, ସେହିପରି ଏକ ଅନ୍ଧବିଶ୍ୱାସ ପ୍ରଚାର କରିବାର ଚେଷ୍ଟା କରୁଚି । ଗାନ୍ଧୀଜିଙ୍କର ସତ୍ୟ ଓ ଅହିଂସା ପ୍ରଭୃତି ଜୀବନମୂଲ୍ୟରେ ଏକ ଜାତୀୟତାବାଦୀ ପୁଟ ଲଗାଇ ଗାନ୍ଧୀବିଚାରକୁ ଏକ ବିକୃତ କଳେବର ଦେବାକୁ ଚେଷ୍ଟା କରୁଚି । ‘‘ଗାନ୍ଧିଜୀଙ୍କ ଅହିଂସା ନୀତିର ମୂଳ ଲକ୍ଷ୍ୟ ଥିଲା ଜାତୀୟତା ଭାବର ଉଦ୍ରେକ ଏବଂ ସାମାଜିକ ରୀତିନୀତିର ପରିବର୍ତ୍ତନ,’’–କଟକର ଏକ ଉତ୍ସବ ସଭାରେ (ସମାଜ, ୧୭.୧୦.୬୮) ଏବେ ଏକଥା କୁହାଯାଇଛି । ଜଣେ ନେତୃସ୍ଥାନୀୟ ବ୍ୟକ୍ତି ଏକଥା କହିଚନ୍ତି ଓ କେହି ଏହାକୁ କୌଣସି ପ୍ରକାରେ ଅସଙ୍ଗତ ମଣିନାହାନ୍ତି । ମନେ ରଖିବାକୁ ହେବ, ମହାତ୍ମା-ଗାନ୍ଧୀ ଜାତୀୟତାକୁ ମାନବିକତାର ପରିପୂରକ ରୂପେ ଦେଖୁଥିଲେ । ତେଣୁ ସାଧାରଣ ଅର୍ଥରେ ବିଚାର କଲେ ସେ ଆଦୌ ଜାତୀୟତାବାଦୀ ନଥିଲେ । ତାଙ୍କର ଧର୍ମ, ତାଙ୍କର ଆଦର୍ଶ ଓ ତାଙ୍କ ଜୀବନବ୍ରତ ଜାତିରୂପକ ଚଉସୀମା ଭିତରେ ଆଦୌ ସୀମାବଦ୍ଧ ନଥିଲା । ଭାରତ ସ୍ୱାଧୀନ ହେବାର ବହୁ ବର୍ଷ ପୂର୍ବେ ସେ ଥରେ ଲେଖିଛନ୍ତି, ‘‘ମୋର ଧର୍ମ କୌଣସି ଭୌଗୋଳିକ ସୀମାରେଖାଦ୍ୱାରା ଆଦୌ ଆବଦ୍ଧ ନୁହେଁ । ମୋ ଧର୍ମରେ ଯଦି ପ୍ରକୃତରେ ମୋର ଏକ ଜୀବନ୍ତ ବିଶ୍ୱାସ ରହିଥାଏ, ତେବେ ତାହା ଭାରତବର୍ଷ ପ୍ରତି ରହିଥିବା ମୋର ପ୍ରେମକୁ ମଧ୍ୟ ଅତିକ୍ରମ କରିଯାଇ ପାରିବ ।’’ (ୟଙ୍ଗ୍‌ଇଣ୍ଡିଆ, ୧୧.୮.୨୦) ସ୍ୱାଧୀନ ଭାରତର ଜାତୀୟ ପତାକା କିପରି ହେବ ଓ ସେଥିରେ କିଭଳି ପ୍ରତୀକ ରହିବ, ସ୍ୱାଧୀନତା ପରେ ଦିଲ୍ଲୀର ବଡ଼ ସଭାରେ ନେତାମାନେ ସେହି ବିଷୟରେ ଗମ୍ଭୀର ବାଦାନୁବାଦ ଚଳାଇଥିଲାବେଳେ ଗାନ୍ଧୀ ଲେଖିଥିଲେ ଯେ, ପତାକା ଯେଉଁ ରଙ୍ଗର ହେଉ ବା ଯେଉଁ ପ୍ରତୀକର ପ୍ରଦର୍ଶନ କରୁ ପଛକେ କୌଣସି ଆପତ୍ତି ନାହିଁ । ମାତ୍ର ସେହି ପତାକା ଭାରତବର୍ଷର ନିରନ୍ନ ଜନସାଧାରଣଙ୍କର ହିଁ ପ୍ରତିନିଧି ହୋଇ ରହିବା ଉଚିତ । ତା ନହେଲେ ସେଭଳି ଏକ ପତାକାକୁ ସମ୍ମାନ ଜଣାଇବାକୁ ଅସ୍ୱୀକାର କରି ସେ ଏଦେଶରେ ପ୍ରଥମେ ପ୍ରତିବାଦ ଜଣାଇ ବାହାରିବେ । ଜାତୀୟତାବାଦୀ ଏପରି କରିପାରେ ନାହିଁ । ଜାତିଠାରୁ ମଣିଷକୁ ଉଚ୍ଚତର ସ୍ଥାନ ଦେଉଥିବା ବ୍ୟକ୍ତି ଏହା କରିପାରେ ।

 

ସତ୍ୟାଗ୍ରହ, ଅସହଯୋଗ ଓ ଆଇନ ଅମାନ୍ୟ, କେବଳ ଏକ ବିଦେଶୀ ଶାସନର ସମ୍ମୁଖୀନ ହେବାଲାଗି ଗାନ୍ଧିଜୀ ଏଗୁଡ଼ିକର ପ୍ରୟୋଗ କରିଥିଲେ ଏବଂ ସ୍ୱାଧୀନ ଭାରତର ପରିବର୍ତ୍ତିତ ଭୂମି ଉପରେ ଏହାର ପ୍ରୟୋଗ ଆଦୌ ବାଞ୍ଛନୀୟ ନୁହେଁ ବୋଲି ଆମ ଦେଶରେ ଅନେକ ସମୟରେ ଶୁଣିବାକୁ ମିଳିଥାଏ । ଏହା ଏକ ଭୁଲ ଦୃଷ୍ଟିକୋଣ । ଘରେ ହେଉ କି ବାହାରେ ହେଉ, ଅସତ୍ୟ ଓ ଅନ୍ୟାୟର ପ୍ରତିରୋଧ କରିବାକୁ ଗାନ୍ଧିଜୀ ପ୍ରତ୍ୟେକ ନାଗରିକର ଜନ୍ମଗତ ଅଧିକାର ବୋଲି ମାନିଥିଲେ । ଅନେକ ବର୍ଷ ପୂର୍ବେ ବ୍ରିଟିଶ ସରକାରଙ୍କ ଅମଳରେ ବସିଥିବା ହଣ୍ଟର୍‌ କମିଟି ଆଗରେ ସେ ଯେଉଁ ସାକ୍ଷ୍ୟ ଦେଇଚନ୍ତି, ସେଇଥିରୁ ଆମେ ଏହାର ସୂଚନା ପାଇପାରିବା । ଗାନ୍ଧିଜୀଙ୍କୁ ପ୍ରଶ୍ନ କରାଯାଇଥିଲା, ‘‘ଦାୟିତ୍ୱହୀନ ବ୍ରିଟିଶ କର୍ମଚାରୀମାନଙ୍କର ମୁକାବିଲା ଲାଗି ଆପଣଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ ବୋଲି କ’ଣ ଆପଣ ଏହି ଆନ୍ଦୋଳନ ଆରମ୍ଭ କରିଚନ୍ତି କି ?’’ ଉତ୍ତର ଦେଇ ଗାନ୍ଧିଜୀ କହିଥିଲେ, ‘‘ମୁଁ ସେକଥା ନିଶ୍ଚିତ ଭାବରେ କହିପାରୁ ନାହିଁ । ଭବିଷ୍ୟତରେ ଦେଶରେ ସମ୍ପୂର୍ଣ୍ଣ ଦାୟିତ୍ୱପୂର୍ଣ୍ଣ ଯେଉଁ ପ୍ରତିନିଧିମୂଳକ ସରକାର ଗଢ଼ାହେବ, ତା’ ବିରୋଧରେ ମଧ୍ୟ ସତ୍ୟାଗ୍ରହ ଆନ୍ଦୋଳନ କରିବାର ଆବଶ୍ୟକତାକୁ ମୁଁ ବେଶ୍‌ କଳ୍ପନା କରିପାରୁଚି । ଆଜି ଇଂରାଜୀ ଅଫିସରମାନେ ଦେଶ ବିଷୟରେ ଆପଣାର ଅଜ୍ଞତାକୁ ଏକ କୈଫିୟତ୍‌ ପରି ବ୍ୟବହାର କରୁଚନ୍ତି । ମାତ୍ର ସେତେବେଳେ ଆମର ମନ୍ତ୍ରୀମାନେ ଏହିପରି କୈଫିୟତ୍‌ମାନ ଦେଇ ରକ୍ଷା ପାଇଯିବା ଲାଗି କଦାପି ଦାବୀ କରିପାରିବେ ନାହିଁ ।’’ ପୁଣି ପ୍ରଶ୍ନ ହେଲା, ‘‘ମାତ୍ର ସେତେବେଳେ ଆମ ହାତରେ ପ୍ରତିନିଧିମୂଳକ ଶାସନର ଅଧିକାରମାନ ରହିଥିବ; ତେବେ ଆମେ ତାହାରି ବଳରେ ମନ୍ତ୍ରୀମାନଙ୍କୁ ଗାଦୀରୁ ହଟାଇ ନ ପାରିବା କାହିଁକି ?’’ ଗାନ୍ଧିଜୀ ଉତ୍ତରରେ କହିଥିଲେ, ‘‘ସବୁବେଳେ ଏପରି ନିଶ୍ଚୟ ହୋଇପାରିବ ବୋଲି ମୋତେ ଆଦୌ ସମ୍ଭବ ଲାଗୁନାହିଁ । ଜନସାଧାରଣଙ୍କର ବିଶ୍ୱାସ ହରାଇବସିବା ପରେ ମଧ୍ୟ ମନ୍ତ୍ରୀମାନେ ଯେ ମନ୍ତ୍ରୀ ଗାଦିରୁ ହଟନ୍ତି ନାହିଁ, ଇଂଲଣ୍ଡରେ ଏପରି ଘଟଣା ଅନେକ ସମୟରେ ଘଟିଥାଏ । ଏଠାରେ ଆମ ଦେଶରେ ମଧ୍ୟ ଠିକ୍‌ ସେଇ କଥା ଘଟିପାରେ । ତେଣୁ ଏଦେଶରେ ମଧ୍ୟ ଏପରି ଏକ ପରିସ୍ଥିତି ଆସି ପହଞ୍ଚିବା ସମ୍ଭବ ବୋଲି ମୁଁ ଅନୁଭବ କରୁଚି, ଯେତେବେଳେ କି ପ୍ରତିନିଧିମୂଳକ ଶାସନର ପ୍ରତିଷ୍ଠା ପରେ ମଧ୍ୟ ସତ୍ୟାଗ୍ରହ ଆନ୍ଦୋଳନର ଆବଶ୍ୟକତା ଅବଶ୍ୟ ଆସି ପହଞ୍ଚିବ ।’’ (ୟଙ୍ଗ୍‌ଇଣ୍ଡିଆ, ୪/୨/୨୦)

 

ଆନ୍ଦୋଳନ ବୋଲି କହିଲା ମାତ୍ରକେ ଅନେକେ ପ୍ରମାଦ ଗଣନ୍ତି । କାରଣ ସେମାନେ ତଦ୍ଦ୍ୱାରା ଚାରିଆଡ଼େ ହିଂସା ବ୍ୟାପିଯିବ ବୋଲି ଆଶଙ୍କା କରନ୍ତି । ମଣିଷ ଦୁର୍ବଳ ହେଲେ ଏପରି ହୋଇଥାଏ । ନେତୃତ୍ୱ ଦୁର୍ବଳ ହେଲେ ଏହିସବୁ କଥା ଶୁଣିବାକୁ ମିଳେ । ଆପଣାର ମନ ଭିତରେ ସତ୍ୟାଗ୍ରହୀ କାହାରି ପ୍ରତି ଅଶ୍ରଦ୍ଧା ରଖିବନାହିଁ ବୋଲି ଗାନ୍ଧିଜୀ କହୁଥିଲେ । ମାତ୍ର ଆମେ ଆପଣାକୁ ଦୁର୍ବଳ ବୋଲି ଭାବୁଥିଲା ପର୍ଯ୍ୟନ୍ତ ଶ୍ରଦ୍ଧା କରିବା ଲାଗି ଆମ ଭିତରେ ସାମର୍ଥ୍ୟ ବା ଆସିବ କୁଆଡ଼ୁ-? ସେ ଏକଥା ମଧ୍ୟ କହୁଥିଲେ । (Satyagraha Leaflet, Bombay,୧୪-୪-୫-୧୯୧୯) ଆମ ଏ ଯୁଗରେ ଅଶ୍ଳୀଳତା କହିଲେ କେତେକ ଲୋକ ତାହାକୁ ଯେପରି ସେହିପରି ଏକ ସଂକୀର୍ଣ୍ଣ ଅର୍ଥରେ ବୁଝିଥାନ୍ତି, ଅହିଂସା କହିଲେ ବି କେତେ ଲୋକ ସେହିପରି ଏକ ସଂକୀର୍ଣ୍ଣ ଅର୍ଥରେ ବୁଝିଥାନ୍ତି । ଅହିଂସା ଭୀରୁ ଲାଗି ନୁହେଁ । ଗାନ୍ଧିଜୀ ସବୁବେଳେ ଭୀରୁତାଠାରୁ ହିଂସାକୁ ଉଚ୍ଚତର ସ୍ଥାନ ଦେଇଆସିଚନ୍ତି ।’’ ଶକ୍ତିହୀନ ହୋଇ ପଡ଼ି ରହିବା ଅପେକ୍ଷା ହିଂସା ଯେକୌଣସି ସମୟରେ ଶ୍ରେୟସ୍କର । ଆଜି ଯିଏ ହିଂସାଚରଣ କରୁଛି ସେ ହୁଏତ କେବେ ଅହିଂସାର ମାର୍ଗକୁ ଆସିବ ବୋଲି ଆଶା କରାଯାଇପାରେ; ମାତ୍ର ଜଣେ ଶକ୍ତିହୀନ ମଣିଷ ବିଷୟରେ କଦାପି ଏପରି ଆଶା କରାଯାଇ ପାରିବନାହିଁ । (ହରିଜନ, ୪.୧୧.୩୯) ପୁଣି ‘‘ଯେତେବେଳେ ଆପଣାର ଦୁର୍ବଳତାକୁ ଘୋଡ଼ାଇ ରଖିବାଲାଗି ଆମେ ଅହିଂସାର ଆଶ୍ରୟ ନେଉ, ସେତେବେଳେ ସେହି ଅହିଂସା ଆମକୁ ପ୍ରକୃତରେ କ୍ଳୀବ କରିପକାଏ । ଯେଉଁମାନେ ଶାରୀରିକ ଶକ୍ତିର ପ୍ରୟୋଗ କରନ୍ତି, ସେମାନଙ୍କର ସାହସକୁ ମୁଁ କ୍ଳୀବ ହୋଇ ବସିବାଠାରୁ ଅନେକଗୁଣ ଶ୍ରେୟସ୍କର ବୋଲି କହିବି । ଯୁଦ୍ଧ କରୁ କରୁ ମୃତ୍ୟୁବରଣ କରିବାକୁ ମୁଁ ଭୀରୁହୋଇ ବସିବାଠାରୁ ଅନେକଗୁଣ ଶ୍ରେୟସ୍କର ବୋଲି କହିବି ।’’ (ହରିଜନ, ୨.୪.୩୮) ଅନ୍ୟାୟକୁ ସହି ବା ଅସତ୍ୟକୁ ମାନିନେଇ ଅହିଂସାର ଆଚରଣ କରିବାକୁ ଗାନ୍ଧିଜୀ କଦାପି କହି ନଥିଲେ । ସେଥିଲାଗି ସେ ହିଂସାକୁ ମଧ୍ୟ ଭୀରୁତା ଅପେକ୍ଷା ଶ୍ରେୟସ୍କର ବୋଲି କହିଥିଲେ । ଗାନ୍ଧିଜୀ ଯେଉଁ ଶକ୍ତିଶାଳୀ ଅହିଂସାର ବ୍ୟାଖ୍ୟା କରିଥିଲେ, ଭୀରୁର ଅହିଂସା ବା ଦୁର୍ବଳର ଅହିଂସା ସହିତ ଆମେ ତାହାକୁ ଏକାଠି ମିଶାଇ ଦେଇପାରିବା ନାହିଁ । ଆଖି ଆଗରେ ଅସତ୍ୟ, ଅନ୍ୟାୟ ଓ ମଣିଷର ଅପମାନକୁ ଦେଖୁଥିଲେ ମଧ୍ୟ ଯିଏ ଚୁପ୍‌ ହୋଇ ରହିଯାଏ, ତାହାର ଆଚରଣକୁ ଆମେ ଅହିଂସା ବୋଲି କହିପାରିବା ନାହିଁ, କେବଳ ଏକ କ୍ରୂର ଉଦାସୀନତା ବୋଲି ହିଁ କହିବା । ଏହି ଉଦାସୀନତାଦ୍ୱାରା ବେଶ୍ ଚତୁର ଭାବରେ ଆପଣାର ଦାୟିତ୍ୱକୁ ଏଡାଇ ଦିଆଯାଇପାରେ ସତ, ମାତ୍ର ତାହାଦ୍ୱାରା ଅହିଂସା ହୁଏ ନାହିଁ । ଏହି ଉଦାସୀନତା ଆଜି ଆମ ଦେଶରେ ଅଫିମ ଭଳି କାମ କରୁଚି ।

 

ଆଜି ଆମର ଏଠି ସତ୍ୟାଗ୍ରହ ବଦଳରେ ଅତ୍ୟାଗ୍ରହ ଚାଲିଚି । ଏହି ଅତ୍ୟାଗ୍ରହ ପରିବର୍ତ୍ତନର ଅତ୍ୟାଗ୍ରହ । ଏହି ଅତ୍ୟାଗ୍ରହର ଉତ୍ତେଜନା ଭିତରେ ସତ୍ୟର ଆଗ୍ରହ କୁଆଡ଼େ ବୁଡ଼ିଗଲା ପରି ଲାଗୁଚି । ଏହି ଅତ୍ୟାଗ୍ରହରେ ସତ୍ୟର ସୌମ୍ୟତା ଭରିଦେଇ ପାରିବା ଭଳି ନେତୃତ୍ୱ ଆଜି ଆମକୁ କିଏ ଦେବ ? ଗାନ୍ଧୀ ବା ଗୋପବନ୍ଧୁ ବଞ୍ଚିଥିଲେ ହୁଏତ ଆମେ ସେହି ସୌଭାଗ୍ୟ ଲାଭ କରିଥାନ୍ତୁ । ଅନ୍ଧାରରେ ବାଟ ପାଇଥାନ୍ତୁ । ଶତବାର୍ଷିକୀର ଏହି ବର୍ଷଟିରେ ଆଜି ବହୁବିଧ ଉତ୍ସବ ପାଳନର କୋଳାହଳ ଲାଗିଚି । ମୁଁ ଭାବୁଚି, ଆମେ ପ୍ରସ୍ତୁତ ହୋଇପାରିଥିଲେ ସତ୍ୟାଗ୍ରହ ଦ୍ୱାରା ହିଁ ଶତବାର୍ଷିକୀର ଶୁଭ ବର୍ଷଟି ସମୁଚିତ ରୂପେ ପାଳିତ ହୋଇପାରିଥାନ୍ତା; ଅସତ୍ୟକୁ ଅସତ୍ୟ ବୋଲି କୁହାଯାଇ ପାରିଥାନ୍ତା, ଅନ୍ୟାୟକୁ ଅନ୍ୟାୟ ବୋଲି କହିବାର ସାହସ ହୋଇପାରିଥାନ୍ତା, ଫମ୍ପାକୁ ଫମ୍ପା ବୋଲି କୁହାଯାଇ ପାରିଥାନ୍ତା । ତେବେ ହୁଏତ ପରିବର୍ତ୍ତନର ବାଟ ଫିଟିଥାନ୍ତା; ଗତ କୋଡ଼ିଏ ବର୍ଷ ହେଲା ନାନାଭାବେ ମରିଆସୁଥିବା ଏହି ଦେଶରେ ନୂତନ ପ୍ରାଣର ସଞ୍ଚାର ହୋଇଥାନ୍ତା – ମଣିଷର ରାତି ପାହିଲା ପରି ଲାଗିଥାନ୍ତା ।

 

(୫/୫/୬୯ – ‘ସମାଜ’ ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟା, ୧୯୬୯)

Image

 

Unknown

ସରକାରୀ ଶତବାର୍ଷିକୀ

 

ଏବର୍ଷ ଆମ ଦେଶରେ ଗାନ୍ଧୀ ଶତବାର୍ଷିକୀ ପାଳନ କରାଯାଉଚି । ବଡ଼ ଧୁମ୍‌ଧାମରେ କରାଯାଉଚି । ବଡ଼ ତୋଡ଼ଗୋଳ ସହିତ କରାଯାଉଚି । ଏହି ଉତ୍ସବଟିକୁ ଆମ ଦେଶର ସରକାର ପାଳନ କରୁଚନ୍ତି, ପାଳନ କରାଉଚନ୍ତି । କେନ୍ଦ୍ର ସରକାର କରୁଚନ୍ତି, ରାଜ୍ୟ ସରକାର କରୁଚନ୍ତି । ଦିଲ୍ଲୀ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଏହି ଉତ୍ସବର ତଲବ ଦିଆଯାଇଚି । ଏଥିଲାଗି ପାହାଚ ପାହାଚ ହୋଇ କମିଟିମାନ ଗଢ଼ାଯାଇଚି । ଯେଉଁ ପାହାଚରେ ଯେଉଁମାନେ ସରକାରୀ ଖାତା ଅନୁସାରେ ଉଚ୍ଚପଦସ୍ଥ ବଡ଼କର୍ତ୍ତା, ସେଇମାନେ ଏସବୁ କମିଟିରେ ଅଛନ୍ତି । ସମସ୍ତଙ୍କ ଲାଗି ଯଥେଷ୍ଟ ଜାଗା ମିଳିବାଭଳି ବଡ଼ ଉଦାର ଭାବରେ କମିଟିମାନ ଗଢ଼ାଯାଇଚି । ଦିଲ୍ଲୀ ସରକାରଙ୍କ ତରଫରୁ ଏବର୍ଷ ଗାନ୍ଧୀଙ୍କର ଛାପ ଥାଇ ନୂଆ ନୋଟ ବାହାର କରିବାର ବରାଦ ହେଉଚି । ନୂଆ ଟଙ୍କା ତ ବାହାରିବ ହିଁ ବାହାରିବ । ଡାକବିଭାଗ ତରଫରୁ ଗାନ୍ଧୀଙ୍କ ଛବିଥାଇ ସ୍ୱତନ୍ତ୍ର ଟିକେଟ ମଧ୍ୟ ବାହାରିବ । କେତେ ଜାଗାରେ ଗାନ୍ଧୀମୂର୍ତ୍ତିର ଥାପନା ହେବ । ଗାନ୍ଧୀଘର ତୋଳା ହେବ । କେତେ କଅଣ ଆଲୋଚନା ହେବ । ସହରରୁ ପିଲାଏ ଗାଆଁକୁ ଯିବେ, ଶ୍ରମଶିବିର କରିବେ । ଆଉ ବକ୍ତୃତା କଥା ତ ଛାଡ଼ିଦିଅ । ଉଦ୍ୟୋକ୍ତାମାନେ ହୁଏତ ଠିକ୍ କରିଚନ୍ତି, ଏହି ଗୋଟିଏ ବର୍ଷ ଭିତରେ ଗାନ୍ଧୀଙ୍କ ବିଷୟରେ ଯାହାସବୁ କଥା କୁହାଯିବା ସମ୍ଭବ, ସବୁତକ କହି ସାରିଦିଆଯିବ । ଅର୍ଥାତ୍‌ ଏତେବେଶୀ କଥା କୁହାଯିବ ସେ ଯେପରି ପରବର୍ତ୍ତୀ ବର୍ଷକୁ ଆଉ ଏ ବିଷୟରେ କାହାରି କିଛି ହେଲେ କହିବାର ନ ଥିବ । ପୃଥିବୀର ଇତିହାସରେ ରେକର୍ଡ଼ ସୃଷ୍ଟି ହେବ, ପୂଜ୍ୟ-ପୂଜାର ଇତିହାସରେ ଆମେ ଆଉ ସମସ୍ତଙ୍କୁ ଟପି ଚାଲିଯିବା ।

 

ଖାଲି ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଗାନ୍ଧୀ ଶତବାର୍ଷିକୀ ପାଳିତ ହେବାକୁ ଯାଉଚି । ଆମ ପୃଥିବୀରେ ଦେଶ ଦେଶ ମଧ୍ୟରେ ଯେଉଁ ରାଜକୀୟ ସମ୍ପର୍କ ବିଧିମାନ ରହିଚି, ଆନ୍ତର୍ଜାତିକ ପରିଭାଷାକୁ ତାହାକୁ ପ୍ରୋଟୋକଲ୍‌ ବୋଲି କୁହାଯାଏ । ମନେହେଉଚି, ଗାନ୍ଧୀ ଶତବାର୍ଷିକୀର ଉତ୍ସବପାଳନକୁ ବିଦେଶୀ ସରକାରମାନେ ସତେଅବା ପ୍ରୋଟୋକଲ୍‌ର ଯାବତୀୟ କାଇଦା ଅନୁସାରେ ଆୟୋଜିତ କରିବାକୁ ଯାଉଚନ୍ତି । ଏସବୁ ଦେଶରେ ମଧ୍ୟ ସରକାରଙ୍କ ତରଫରୁ ଗାନ୍ଧୀ ଶତବାର୍ଷିକୀ ପାଳନର ପ୍ରସ୍ତୁତି କମିଟିମାନ ଗଢ଼ା ହୋଇଚି । ବିଧାନ ଅନୁସାରେ ବିଭିନ୍ନ ଦେଶର ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀମାନେ ଏହିସବୁ କମିଟିର ସିଡ଼ିରେ ସବା ଆଗରେ ଯାଇ ବସିଚନ୍ତି । କମ୍ପ୍ୟୁନିଷ୍ଟବାଦର ଶ୍ରୀକ୍ଷେତ୍ର ମସ୍କୋରେ ଗାନ୍ଧୀ ଶତବାର୍ଷିକୀ ପାଳନ କରିବାଲାଗି ସରକାରଙ୍କ ତରଫରୁ ଘମାଘୋଟ ବ୍ୟବସ୍ଥା ଚାଲିଚି । ସ୍ପେନ୍‌ର ଡିକ୍‌ଟେଟର୍‌ ଶାସନ ଗାନ୍ଧୀଙ୍କର ଶତବାର୍ଷିକୀ ଲାଗି ସଜ ହେଉଚି । ସେଖ ଓ ଶାହାମାନଙ୍କର ନିବୁଜ ରାଜ୍ୟରେ ମଧ୍ୟ ଗାନ୍ଧୀଘଣ୍ଟ ବାଜିବ ବୋଲି ଫରମାସ କରାଯାଇଚି । ବୋଧହୁଏ ଦକ୍ଷିଣ ଆଫ୍ରିକା, ପର୍ତ୍ତୁଗାଲ୍‌ ଏବଂ କମ୍ୟୁନିଷ୍ଟ ଚୀନକୁ ଛାଡ଼ିଦେଲେ ପୃଥିବୀର ଜଣାଶୁଣା ଦେଶମାନେ କିଛି ନା କିଛି କରୁଚନ୍ତି । ଭାରତ ସହିତ ଯେଉଁ ଦେଶର ଯେତେ ବେଶୀ ଘନିଷ୍ଟ ସମ୍ପର୍କ ରହିଚି, ସେହି ଦେଶ ସେତେ ଯମକରେ ଏ ଦିଗରେ ଅଗ୍ରସର ହେଉଥିବା ପରି ଜଣାଯାଉଚି । ଆମ ସମାଜରେ ବିବାହ ନିମନ୍ତ ଇତ୍ୟାଦିରେ ଯେପରି ହୋଇଥାଏ, ଅନେକତଃ ତାହାରି ପରି । ଯେଉଁ ବନ୍ଧୁ ଯେତେ ନିକଟ, ତାଙ୍କ ଘରକୁ ବେଭାର ପଠାଇଲା ବେଳକୁ ସେତିକି ବେଶୀ ସାଆନ୍ତିଆ ଆବଶ୍ୟକତାଗୁଡ଼ିକ ଦୃଷ୍ଟିରୁ ଭାବିବାକୁ ପଡ଼େ । ତାଙ୍କର ନିମନ୍ତବେଳେ ଆମେ ତାଙ୍କୁ ଭଲଭାବରେ ଲୋଡ଼ିଥିଲେ ସିନା ସିଏ ବି ଆମର ନିମନ୍ତବେଳେ ଆମକୁ ଲୋଡ଼ିବେ ! ଆନ୍ତର୍ଜାତୀକ ସମ୍ବନ୍ଧର ଗୋଲକଧନ୍ଦା ଖେଳରେ ବି ଦେଶ ଦେଶ ଭିତରେ ଏମିତି ଲୋଡ଼ିବା ଦରକାର ହୁଏ ।

 

ଗାନ୍ଧୀ ବଞ୍ଚିଥିଲାବେଳେ ଆମ ଦେଶରେ ଥୋକେ ଲୋକ ତାଙ୍କୁ ଡରୁଥିଲେ, ଆଉ ଥୋକେ ତାଙ୍କୁ ମାନୁଥିଲେ । ମାନିବା ଲୋକଙ୍କ ଭିତରେ ମଧ୍ୟ ଆମେ ନାନା ପ୍ରକାର ଭେଦ କରିପାରିବା । କେତେକ ଲୋକ ତାଙ୍କୁ ଦେବତା ପରି ମାନୁଥିଲେ, ଗାନ୍ଧୀଙ୍କୁ ଅବତାର ବୋଲି କହୁଥିଲେ, କ୍ୟାଲେଣ୍ଡରର ଛବିରେ ତାଙ୍କୁ ଶ୍ରୀକୃଷ୍ଣ ଓ ଗୌତମବୁଦ୍ଧଙ୍କ ସହିତ ଏକାଠି ନେଇ ବସାଇ ଦେଉଥିଲେ । ଆଉ କେତେକ ଗାନ୍ଧୀଙ୍କୁ ଜାତିର ଜନକ ବୋଲି ମାନୁଥିଲେ । ଆଉକେହି ତାଙ୍କୁ ଏକ ନୂତନ ଧର୍ମର ପ୍ରବର୍ତ୍ତକ ବୋଲି ମାନୁଥିଲେ । ପୁଣି କେହି ଆବଶ୍ୟକତା ଦୃଷ୍ଟିରୁ ଜାତୀୟ ରାଜନୀତିକ ସଂଗ୍ରାମରେ ଗାନ୍ଧୀଙ୍କୁ ଆପଣାର ନେତା ବୋଲି ମାନୁଥିଲେ । ତାଙ୍କରି କୁହା ମାନି ଜେଲ ଯାଇଥିଲେ, ପୁଣି ତାଙ୍କରି କୁହା ମାନି ମନ୍ତ୍ରୀ ହେବାକୁ ଯାଇଥିଲେ । ଆଜି ସ୍ୱାଧୀନ ଭାରତରେ ଏମାନେ ସମସ୍ତେ ଆପଣା ଆପଣାର ଆସ୍ଥାନ ଜମାଇ ରହିଚନ୍ତି । କେହି ଆପଣାକୁ ଗାନ୍ଧୀବାଦୀ ବୋଲି କହୁଚନ୍ତି । ପୁଣି କେହି କେହି ଦେଶଟାକୁ ଗାନ୍ଧୀଙ୍କର ସ୍ୱପ୍ନ ଅନୁସାରେ ତିଆରି କରି ଥୋଇଦେବେ ବୋଲି ଶାସନ କ୍ଷମତାରେ ରହିଚନ୍ତି । ଏମାନେ ମନ୍ତ୍ରୀ ହୋଇଚନ୍ତି, ଆପଣାକୁ ଗାନ୍ଧୀଭାରତର ଦାୟାଦ ବୋଲାଉଚନ୍ତି । ଶାସନରୂପକ ସମ୍ପତ୍ତିକୁ ଯେକୌଣସି ପ୍ରକାରେ ଦଖଲ କରି ରହିବେ ବୋଲି ଏମାନେ ବଦ୍ଧପରିକର ହୋଇ ରହିଚନ୍ତି । ଗାନ୍ଧୀ ଶତବାର୍ଷିକୀରେ ଏମାନେ ସମସ୍ତେ ରଥ ସଜାଇ ବଡ଼ଦାଣ୍ଡରେ ବାହାରିଚନ୍ତି । କେହି ବାଟ ପହଁରିଦେବ ବୋଲି ସୁବର୍ଣ୍ଣ ଛାଞ୍ଚୁଣି ଧରିଚି, ଆଉ କିଏ ରଥ ଉପରେ ଡାହୁକ ହୋଇ ବସି ଚଉଦ ଭୁବନ କମ୍ପାଉଚି । ଏମାନେ ସମସ୍ତେ ମିଶି ଏଇ ଗୋଟାଏ ବର୍ଷରେ ପ୍ରକୃତରେ କରିବେ କ’ଣ ? ଏମାନେ ଗାନ୍ଧୀଙ୍କୁ ଅମର କରି ରଖିବେ-। ଗାନ୍ଧୀଙ୍କୁ ଏକ ପଥର ମୂର୍ତ୍ତିପରି ଅମର କରି ରଖିବେ । ଗାନ୍ଧୀଙ୍କ ଜୀବନକାଳରେ ଏ ଦେଶକୁ ଏକ ନୂତନ ବିପ୍ଳବର ଆଘାତ ଦେଇ ଯେଉଁ ପ୍ରେରଣା ସାରା ପୃଥିବୀଲାଗି ଏକ ନୂଆ ବାଟର ସୂଚନା ଦେଇଥିଲା, ଏମାନେ ସେଇ ପ୍ରେରଣାକୁ ବରଫ ଦେଇ ବାକ୍‌ସ ଭିତରେ ବନ୍ଦ କରି ରଖିବେ । ବେଳେବେଳେ ମନେହୁଏ, ଉପରେ ଗାନ୍ଧୀ ଶତବାର୍ଷିକୀର ନାମ ନେଇ ଏବର୍ଷ ମହୀମଣ୍ଡଳ ହୁଲସ୍ତୁଲ କରିଦେବାକୁ ବାହାରିଥିବା ନେତା ଓ ବେବର୍ତ୍ତାମାନେ ହୁଏତ ଭିତରେ ଗାନ୍ଧୀଙ୍କୁ କେବଳ ଭୟ ହିଁ କରୁଚନ୍ତି, ସେମାନଙ୍କର ଅଧିକୃତ ଏହି ଯୁଗରେ ଗାନ୍ଧୀଙ୍କୁ ଏକ ବଡ଼ ପ୍ରମାଦ ବୋଲି ଭାବୁଚନ୍ତି ।

 

ସବୁ ଶାସନ ଉପରେ ଗାନ୍ଧୀ ମଣିଷର କର୍ତ୍ତୃତ୍ୱକୁ ସ୍ୱୀକାର କରିଥିଲେ । ଗାନ୍ଧୀ ଯେ-କୌଣସି ସାମ୍ରାଜ୍ୟଶକ୍ତିଠାରୁ ନ୍ୟାୟକୁ ଉଚ୍ଚତର ସ୍ଥାନ ଦେଇଥିଲେ । ଖାଲି କଥାରେ ନୁହେଁ, ଆପଣା ଜୀବନର ସାନ ବଡ଼ ନାନା କାମରେ ସିଏ ସତ୍ୟର ପ୍ରତିଷ୍ଠା ଲାଗି ଅସତ୍ୟର ପ୍ରତିରୋଧ କରିବାର ଏବଂ ନ୍ୟାୟର ପ୍ରତିଷ୍ଠା ଲାଗି ଅନ୍ୟାୟର ପ୍ରତିରୋଧ କରିବାର ଦୃଷ୍ଟାନ୍ତ ଦେଖାଇଦେଇ ଯାଇଥିଲେ-। ଆମେ ଯେଉଁମାନେ କୋଡ଼ିଏ ବର୍ଷ ପରେ ଏ ଦେଶରେ ତାଙ୍କରି ମୂଳଦୁଆ ଉପରେ ତିଆରି ହୋଇଥିବା ମହୁଡ଼ ଉପରେ ଆସନ ଓ ପାଦାସନ ମାଡ଼ି ବସିଚୁ, ଆମେ ସେସବୁ କଥା ଯେ ଆଦୌ ଚାହୁନାହୁଁ, ଗତ କୋଡ଼ିଏ ବର୍ଷ ମଧ୍ୟରେ ଆମେ କେବଳ ଏହି ସତ୍ୟଟିର ହିଁ ପ୍ରମାଣ ଦେଇଚୁ । ଆମେ ନ୍ୟାୟ ଚାହୁନାହୁଁ, ଆମରି କ୍ରୂରତାଗୁଡ଼ିକୁ ହିଁ ଆମେ ନ୍ୟାୟ ବୋଲି ସାବ୍ୟସ୍ତ କରିବାକୁ ଚାହୁଁ-। ଆମେ ସତ୍ୟ ଚାହୁନାହୁଁ; ଆମରି କ୍ଷମତାଟାକୁ ହିଁ ସତ୍ୟ ବୋଲି ସାବ୍ୟସ୍ତ କରି ରଖିବାକୁ ଚାହୁଁ । ଆମେ ଶିକ୍ଷା ଚାହୁନାହୁଁ, ଦେଶଟାଯାକ ମଣିଷଙ୍କୁ ଅଶିକ୍ଷିତ ରଖି ଆମେ ବେକରେ ଫୁଲମାଳ ପକାଇ ବୁଲିବାକୁ ଚାହୁଁ । ଆମେ ଏ ଦେଶର ମଣିଷ ମଣିଷ ପରି ତିଆରି ହେଉ ବୋଲି ଚାହୁନାହିଁ, ନାନାବିଧ ରସିକତାବର୍ଜିତ ଆଡ଼ମ୍ବର ଭିତରେ ଆମ ନିଜର ଅମଣିଷପଣିଆଗୁଡ଼ାକୁ ଘୋଡ଼ାଇ ରଖିବାକୁ ଚାହୁଁ । ଆମେ ଯିଏ ଯୋଉ ଦଳରେ ରହିଥାଉ ପଛକେ, ଯେଉଁଭଳି ଭେକ ପିନ୍ଧିଥାଉ ପଛକେ, ଆମେ ମୂଳତଃ ଏତିକିମାତ୍ର ଚାହୁଁ । ସେଇଥିଲାଗି ଆମ ଦେଶର ସ୍ୱାଧୀନତା ଯେପରି ନୂଆଦିଲ୍ଲୀ ବା ନୂଆ ରାଜଧାନୀରେ ଅଡ଼ା ଦିଆହୋଇ ରହିବ, ଗତ କୋଡ଼ିଏ ବର୍ଷ ଯାବତ୍‌ ଆମେ କେବଳ ସେହି ଉଦ୍ୟମ କରିଆସିଚୁ । ଦେଶର କୋଟି କୋଟି ମଣିଷ ନାନାପ୍ରକାର ଗୋଲାମ ହୋଇ ରହିଥିବେ ଏବଂ ଉପରେ ଗାଦୀରେ ଥାଇ ଆମେ ଲୋକରଞ୍ଜନ କରିବାରେ ଲାଗିଥିବୁ, ରାଜନୀତି କହିଲେ ଆମେ ପ୍ରଧାନତଃ ଏହି ମୋଗଲତାମସାକୁ ହିଁ ବୁଝିଆସିଚୁ । ତେଣୁ ଆଉ ଯାହାଦ୍ୱାରା ହେଉ ପଛକେ, ଆମଦ୍ୱାରା ଗାନ୍ଧୀ କଦାପି ଫଳିବ ନାହିଁ । ଭାରତ ବାହାରେ ହୁଏତ ଆଉ କେଉଁ ଦେଶମାନଙ୍କରେ ଲୋକେ ଗାନ୍ଧୀର ଆହ୍ୱାନ ଶୁଣିବାକୁ ପାଇବେ ପଛକେ, ଏ ଦେଶରେ ଅନ୍ତତଃ ଆମେ ନେତା ହୋଇ ବସିଥିବା ପର୍ଯ୍ୟନ୍ତ ଅସଲ ଗାନ୍ଧୀ କଦାପି ବାହାରକୁ ବାହାରିବେ ନାହିଁ । ସିଏ ଆମ ଭିତରଘରେ ବଡ଼ବଡୁଆ ହୋଇ ରହିଥିବେ–ବାସ୍‌ ସେତିକି ।

 

ଅଳ୍ପ କେତେମାସ ତଳେ ହିନ୍ଦୀଭାଷାରେ ଲେଖା ହୋଇଥିବା ବାର-ଖଣ୍ଡିଆ ଏକ ‘ଗାନ୍ଧୀଯୁଗ-ପୁରାଣ’ ଦେଶର ରାଷ୍ଟ୍ରପତିଙ୍କୁ ଭେଟି ଦିଆଯାଇଚି । ଶତବାର୍ଷିକୀର ନାନା ଆଡ଼ମ୍ବର ଭିତରେ ଇଏ ବି ଗୋଟିଏ ଆଡ଼ମ୍ବରରୂପେ ଚାରିଆଡ଼େ ବିଜ୍ଞାପିତ ହୋଇଚି । ସାତଖଣ୍ଡ ରାମାୟଣରେ କବି ରାମଚନ୍ଦ୍ରଙ୍କର ଚରିତ ବର୍ଣ୍ଣନା କରିଥିଲେ । ରାମଙ୍କ ପରେ ରାମଙ୍କ ଅଯୋଦ୍ଧା ମଧ୍ୟ ବଡ଼ ଶ୍ରୀହୀନ ହୋଇପଡ଼ିଥିଲା । ମାତ୍ର ଉତ୍ତର-ରାମଚରିତ ଲେଖିବା ଆଉ ରାମାୟଣର କବିଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ସେଥିଲାଗି ଆଉ ଜଣେ କବିଙ୍କର ଲୋଡ଼ା ପଡ଼ିଲା । ଗାନ୍ଧୀ ମରିବାର କୋଡ଼ିଏ ବର୍ଷ ପରେ ଅନ୍ତତଃ ଏ ଦେଶରେ ଗୋଟାଏ ଗାନ୍ଧୀଯୁଗ-ପୁରାଣ ଲେଖି ତାକୁ ଦରବାରରେ ଭେଟି ଦେବାର ଯେତେ ଆବଶ୍ୟକତା ନ ଥିଲା, ଏକ ଉତ୍ତର-ଗାନ୍ଧୀ ଯୁଗର ପୁରାଣ ଲେଖି ତାକୁ ଏଦେଶର ମଣିଷ ଆଗରେ କହିବା ଓ ତା ଭିତରେ ଅସଲ ମଣିଷକୁ ଜାଗୃତ କରାଇବାର ଅନେକ ଅଧିକ ଆବଶ୍ୟକତା ଥିଲା । କିନ୍ତୁ ଏଇଟା ଧରାବନ୍ଧା କଥା ଯେ ଆମେ ଏହି ଉତ୍ତର ଗାନ୍ଧୀଚରିତକୁ କଦାପି ଲେଖିପାରିବା ନାହିଁ । କାରଣ ଉତ୍ତର–ଗାନ୍ଧୀଚରିତ ଲେଖିବାକୁ ଗଲେ ଆମକୁ ଆପଣା ଭିଆଇଥିବା ଅକୀର୍ତ୍ତିଗୁଡ଼ାକର କଥା ହିଁ ଲେଖିବାକୁ ପଡ଼ିବ । ଗାନ୍ଧୀକୁ ଦର୍ପଣ କରି ତାହାରି ଉପରେ ଆପଣାର ପୋଡ଼ା ମୁହଁକୁ ଦେଖିବାକୁ ହେବ । ସେଥିଲାଗି ସାହସ ଦରକାର । ଆପଣା ଯୁଗର ସମ୍ମୁଖୀନ ହେବାଲାଗି ଅନେକ ସାହସ ଦରକାର । ଡରୁଆ ମଣିଷଙ୍କ ଦ୍ୱାରା ଏସବୁ କାମ ଆଦୌ ହୋଇପାରିବ ନାହିଁ । ଡରୁଆ ମଣିଷ ସ୍ତୁତି କରିପାରିବେ, ଅତୀତକୁ ନେଇ ପୁରାଣ ଲେଖିପାରିବେ । କିନ୍ତୁ ଆପଣାର ସମ୍ମୁଖୀନ ହୋଇପାରିବେ ନାହିଁ । ଡରୁଆ ସାହିତ୍ୟ ମନୋରଞ୍ଜନ ବେଶ୍ କରାଇ ପାରିବ, ବେଶ୍ ଶୀତଳ କରି ରଖାଇପାରିବ । ମାତ୍ର ଯଥାର୍ଥ ସାହିତ୍ୟ ଯୋଉଯାଏ ଭେଦିପାରିବା କଥା, ସେଯାଏ କଦାପି ଭେଦିପାରିବ ନାହିଁ । ସାହିତ୍ୟ ନାଆଁରେ ଆମେ ସଭା ହକାରି ପରସ୍ପରର ପ୍ରଶଂସା ଗାଇ ଆପ୍ୟାୟିତ ହେଉଥିବା ସିନା, ମାତ୍ର ସାହିତ୍ୟ ଆମ ଅସଲ ନାଡ଼ିଗୁଡ଼ାକୁ କେବେହେଲେ ଜଗାଇପାରିବ ନାହିଁ ।

 

ତେଣୁ ଶତବାର୍ଷିକୀର ଏହି ସମ୍ୱତ୍ସରଟିରେ ଯଥାର୍ଥରେ କିଛି ହେବ ନାହିଁ । କେବଳ କୌଣସି ପିତାମହ ବା ପ୍ରପିତାମହଙ୍କୁ ଶ୍ରାଦ୍ଧ ଦେଲାପରି ହେବ । ଆଜି ଯେଉଁମାନେ ଗାନ୍ଧିଜୀଙ୍କର ଶତବାର୍ଷିକୀ ପାଳନ କରିବାର ରଙ୍ଗସରାଗରେ ମାତି ମେଢ଼ ସଜାଇ ନାହିଁନଥିବା କୋଳାହଳ କରୁଚନ୍ତି, କାଲି ମୂର୍ତ୍ତି ପାଣିରେ ପଡ଼ିସାରିବା ପରେ ଏମାନେ ଆଗରୁ ଯେଉଁପରି ଥିଲେ, ଠିକ୍ ସେହିପରି ପୁରୁଣା ଭାବରେ ପୁରୁଣା ମେଢ଼ଟାକୁ ଧରି ଘରକୁ ଫେରିବେ । ମନ୍ତ୍ରୀ ତା’ର ପୁରୁଣା ଫାଇଲ ଭିତରକୁ ଫେରିବ, ମାଜିଷ୍ଟ୍ରେଟ ତା’ର ପୁରୁଣା ବଙ୍ଗଳାକୁ ଫେରିଆସିବ । ଅଧ୍ୟାପକ ତା’ର ପୁରୁଣା କଲେଜକୁ ଫେରିବ, ସାହିତ୍ୟିକ ତା’ର ପୁରୁଣା ସାହିତ୍ୟକୁ ଫେରିଆସିବ, କର୍ମୀ ତା’ର ପୁରୁଣା ଆଶ୍ରମକୁ ଫେରିଯିବ । ଯୋଉଠି ଯାହା ଯେମିତି ଚାଲୁଥିଲା, ଠିକ୍ ସେମିତି ଚାଲିବ । ଶତବାର୍ଷିକୀର ପାଣ୍ଠିଗୁଡ଼ାକ ଖର୍ଚ୍ଚ ହୋଇସାରିବା ପରେ ସମସ୍ତେ ପୁଣି ଆପଣାର ପିତୃଗୃହକୁ ଫେରିଆସିବେ, ପୁରୁଣା ପାଇଟିରେ ଲାଗିଯିବେ । ଅନ୍ଧକାର ଯେମିତି ଜବର ଥିଲା, ସେମିତି ଜବର ହୋଇ ରହିବ ।

 

ଗାନ୍ଧୀ ଶତବାର୍ଷିକୀର ସରକାରୀ ସମାରୋହରେ ଆମେ ଯେତେସବୁ ପୁରୁଣା ପାକୁଆ ମଣିଷ ବିକାରମୁକ୍ତ ଭାବରେ ବାଟ-ଘାଟଠାରୁ ଆରମ୍ଭ କରି ସ୍କୁଲ କଲେଜ ପର୍ଯ୍ୟନ୍ତ ଗାନ୍ଧୀଙ୍କ କଥା କହି ବୁଲୁଚୁ, ଗାନ୍ଧୀଙ୍କ କଥା କହିବାକୁ ଯାଇ ଆମେ ତଥାପି ଆମ ନିଜ ଭିତରର ଫମ୍ପାଟାକୁ ଯେ ବେଶୀ ଧରାପକାଇ ଦେଉଚୁ, ଆମେ ହୁଏତ ସେକଥା ଠଉରାଇ ପାରୁନାହିଁ । ଗାନ୍ଧୀଙ୍କର ଯେଉଁ କଥାଗୁଡ଼ାକ ଆଜି ମଧ୍ୟ ମଣିଷର ହୃଦୟରେ ନିଆଁ ଲଗାଇ ଦେଇପାରନ୍ତା, ବଡ଼ ସାବଧାନତାର ସହିତ ଆମେ ସେଗୁଡ଼ିକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଚୁ । ଗାନ୍ଧୀ ଜଣେ ଦେବତା ଥିଲେ, ମହାମାନବ ଥିଲେ, ଜାତିର ଜନକ ଥିଲେ, –ପ୍ରଧାନତଃ ଏହିସବୁ ଶାଗଖିଆ ଶାନ୍ତ କଥାଗୁଡ଼ାକୁ ହିଁ ଆମେ ଚାରିଆଡ଼େ କହିବୁଲୁଚୁ । ଗାନ୍ଧୀଙ୍କ ଓହଳ ଧରି ପିଲାଙ୍କୁ କେତେଟା ଉପଦେଶର ଅଫିମ ଖୁଆଇ ଆମେ ଗାନ୍ଧୀ କଥାକୁ ଇତି କରିଦେଉଚୁ । ସତେ ଯେମିତି ଗାନ୍ଧୀ କେବଳ ଉପଦେଶ ଦେବାକୁ ହିଁ ଏ ଦେଶର ମ୍ଳେଚ୍ଛ କଟକରେ ମହାତ୍ମାରୂପେ ଅବତୀର୍ଣ୍ଣ ହୋଇଥିଲେ । ଆମେ ଗାନ୍ଧୀଙ୍କର ଅହିଂସା କଥା କହୁଚୁ, ସେବା କଥା କହୁଚୁ, ସଂଯମ ଓ ସହିଷ୍ଣୁତା କଥା କହୁଚୁ, ଏବଂ ଆମ ଆପଣା ଭିତରେ ରହିଥିବା ଭୀରୁତାଗୁଡ଼ିକର ଖଇର ମଡ଼ାଇଦେଇ ଆମେ ସେଇ କଥାଗୁଡ଼ାକୁ ବଡ଼ ବିକୃତ କରି ଥୋଇଦେଉଚୁ । ଗାନ୍ଧୀ ସତ୍ୟକୁ ଜୀବନର ବ୍ରତ ବୋଲି ଗ୍ରହଣ କରିଥିଲେ, ଅହିଂସାକୁ ପରମ ଧର୍ମ ବୋଲି ମାନୁଥିଲେ, ସେବା, ସଂଯମ ଓ ସହିଷ୍ଣୁତାକୁ ଜୀବନର ଭୂଷଣ ବୋଲି କହୁଥିଲେ, କିନ୍ତୁ ସେ ସର୍ବପ୍ରଥମେ ନିର୍ଭୀକତାକୁ ହିଁ ମଣିଷ ଲାଗି ଏକ ମଣିଷଯୋଗ୍ୟ ଗୁଣ ବୋଲି ମାନୁଥିଲେ । ନିର୍ଭୀକ ଭାବରେ ଅନ୍ୟାୟକୁ ଅନ୍ୟାୟ ବୋଲି କହୁଥିଲେ, ଅସତ୍ୟକୁ ଅସତ୍ୟ ବୋଲି କହୁଥିଲେ । ମଣିଷକୁ ତା’ର ମଣିଷପଣିଆରୁ ଚିହ୍ନିବାକୁ କହୁଥିଲେ । କ୍ଷମତା ବା ଆସନର ବୈଡୁର୍ଯ୍ୟ-ବ୍ୟସନ ଦେଖି ଆମର ଆଖି ଯେପରି ଝଲସି ନ ଯାଏ, ଆମ ଭିତରର ମଣିଷ ଯେପରି ଜଳକା ହୋଇନଯାଏ, ଗାନ୍ଧୀ ଆମକୁ ସେହି ବିଷୟରେ ସତର୍କ କରିଦେଉଥିଲେ । ଗାନ୍ଧୀ ସତ୍ୟାଗ୍ରହ କଥା କହୁଥିଲେ । ଅର୍ଥାତ୍ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ଲାଗି ଅସହଯୋଗ ଓ ଆଇନ ଅମାନ୍ୟର କଥା କହୁଥିଲେ । ଆମେ ଛେରୁଆମାନେ ପିଲାଙ୍କ ଆଗରେ ଏସବୁ କଥା କହୁଥିଲେ ସେଇଟା ପ୍ରକୃତରେ କେଡ଼େ ବଡ଼ ଆତ୍ମାଘାତମୂଳକ ବ୍ୟାପାର ହେଉନଥାନ୍ତା । ମନ୍ତ୍ରୀମାନେ ପ୍ରଜାଙ୍କ ଆଗରେ ସତ୍ୟାଗ୍ରହ ଓ ଆଇନଅମାନ୍ୟ କଥା କହୁଥିଲେ ରାଜକୁଳକୁ ସେଇଟା କେଡ଼େ ଅଯୋଗ୍ୟ ଦିଶୁନଥାନ୍ତା । ତେଣୁ ସରକାରୀ ଶତବାର୍ଷିକୀରେ ଯାହା ହେବାର କଥା ତାହାହିଁ ହେଉଚି । ସତ୍ୟାଗ୍ରହ ବିଷୟରେ ଯେପରି କୌଣସି କଥା ଶୁଣାନଯାଏ, ସେଥିଲାଗି ଚଉରାଶିଆଜ୍ଞା ଜାରି ହୋଇଚି । ଗାନ୍ଧୀରୂପୀ ଅଗ୍ନିପ୍ରେରଣାକୁ ଗୋଡ଼ତଳେ ମାଡ଼ିଦେଇ ରଖାଯାଇଚି । ଗାନ୍ଧୀପୂଜା ଓ ଗାନ୍ଧୀବାଦରୂପକ ପାଉଁଶଗଦାରୁ କେବଳ ଚୁମୁଟାଏ କରି ବିଭୂତି ପରଷା ଯାଉଚି । ଧରାପୃଷ୍ଠରୁ ବିଘ୍ନଶାନ୍ତି ହେବାର କାମନା କରାଯାଉଚି ।

 

ଏ ସରକାର ଶତବାର୍ଷିକୀ ପାଳନ କରିନଥାନ୍ତେ, ଲୋକମାନେ ପାଳନ କରିଥାନ୍ତେ ! ଏ ଦେଶର ଲୋକଶକ୍ତି ଶତବାର୍ଷିକୀ ପାଳନ କରିଥାଆନ୍ତା । ବରଷକର ଏ ଅଷ୍ଟପ୍ରହରୀ ଜମିଦାରମାନଙ୍କ ଦାଣ୍ଡରେ ହୋଇନଥାନ୍ତା । ଶତବାର୍ଷିକୀ ଜନଶକ୍ତିକୁ ଜାଗୃତ କରାଇଥାନ୍ତା ! ତେବେ ଯାଇ ଶତବାର୍ଷିକୀ ଶତବାର୍ଷିକୀ ପରି ଲାଗିଥାନ୍ତା । ଗାନ୍ଧୀ ପ୍ରେରଣାକୁ ଯାଥାର୍ଥ ଶ୍ରଦ୍ଧା ପ୍ରକଟ କରାଯାଇ ପାରିଥାନ୍ତା । ବର୍ତ୍ତମାନ ନେତାମାନେ ଲୋକମାନଙ୍କୁ ଗାନ୍ଧୀକଥା ଶୁଣାଇବାକୁ ବାହାରିଚନ୍ତି । ସେମିତିରେ ଲୋକମାନେ ନେତାମାନଙ୍କୁ ଗାନ୍ଧୀକଥା ଶୁଣାଇଥାନ୍ତେ । ସେମାନଙ୍କଠାରୁ ଗାନ୍ଧୀବର୍ଜିତ ଗତ କୋଡ଼ିଏ ବର୍ଷର ହିସାବ ମାଗିଥାନ୍ତେ । ଅନ୍ୟାୟର ଦରବାରରୁ ନ୍ୟାୟର ହିସାବ ମାଗିଥାଆନ୍ତେ । କ୍ଷମତାର ଦରବାରରୁ ମଣିଷପଣିଆର ହିସାବ ମାଗିଥାଆନ୍ତେ । ପ୍ରହସନର ଦରବାରରୁ ଜୀବନର ହିସାବ ମାଗିଥାନ୍ତେ । ପ୍ରଜା ଶାସକଠାରୁ ହିସାବ ମାଗିଥା’ନ୍ତା, ମୂଲିଆ ମାଲିକଠାରୁ ହିସାବ ମାଗିଥା’ନ୍ତା । ଅଶିକ୍ଷିତ ଶିକ୍ଷିତଠାରୁ ହିସାବ ମାଗିଥାନ୍ତେ, ବଞ୍ଚିତମାନେ ଭୂରିଭୋଜୀଙ୍କଠାରୁ ହିସାବ ମାଗିଥାଆନ୍ତେ । କୁଡ଼ିଆ କୋଠାଘରୁ ହିସାବ ମାଗିଥାନ୍ତା । ଛାତ୍ର ଅଧ୍ୟାପକଠାରୁ ହିସାବ ମାଗିଥାନ୍ତା, ଭଗବାନଙ୍କ ଉପରେ ସର୍ବେସର୍ବା ବୋଲାଉଥିବା ଦେଉଳ କମିଟିଠାରୁ ଭକ୍ତ ହିସାବ ମାଗିଥାନ୍ତା । ଏ ମଣିଷକୁ ଓ ଏ ଦେଶକୁ ନେଇ ଗାନ୍ଧୀ ଥିଲାବେଳେ ତୁମେମାନେ କ’ଣସବୁ ଗଢ଼ିବ ବୋଲି ମସୁଧା କରିଥିଲ, ଆଉ ଗାନ୍ଧୀ ଗଲାପରେ ଏଠାରେ କଣସବୁ କରିବସିଲ, -ସବୁଠି ଏହାରି ହିସାବ ମଗାଯାଇଥାଆନ୍ତା । ତେବେ ଯାଇ ଏ ଶତବାର୍ଷିକୀ ଦୀର୍ଘ ଅନେକ ଶତ ବର୍ଷ ପର୍ଯ୍ୟନ୍ତ ମନେ ରହିଯାଇଥାନ୍ତା । ପ୍ରବାଦ ଅଛି, ଗତ ଶତାବ୍ଦୀରେ କେବେ ଓଡ଼ିଶାର ଶବରମାନେ କୁଆଡ଼େ ମେଳି ହୋଇ ‘ଜଗନ୍ନାଥ ଆମର ଦେବତା’ ବୋଲି ଦାବୀ କରି ପୁରୀ ଘେରାଉ କରିବାକୁ ବସିଥିଲେ । ଜଗନ୍ନାଥ ଏ ଦେଶରେ ଶ୍ରେୟର ପ୍ରତୀକ । ଶବର ହେଉଚି ବଞ୍ଚିତ ମଣିଷର ପ୍ରତୀକ । ବଞ୍ଚିତ ମଣିଷ ଭାଗ୍ୟକୁ ଆଦରି ପଡ଼ିରହିଥିବା ପର୍ଯ୍ୟନ୍ତ କୌଣସି ପାଟିତୁଣ୍ଡ କରେନାହିଁ । ମାତ୍ର ଭିତରୁ ଆପଣାର ଅସଲ ମଣିଷଟିର ଆହ୍ୱାନ ଶୁଣିବାମାତ୍ରେ ସେ ମେଳି ବାନ୍ଧି ବାହାରେ । ଜଗନ୍ନାଥଙ୍କୁ ଆମର ବୋଲି ଦାବୀ କରେ । ଏ ଦେଶଟାକୁ ମୋର ବୋଲି ଦାବୀ କରେ । ସେତେବେଳେ ସିଏ ହାକିମ ମାନେନାହିଁ, କ୍ଷମତା ମାନେନାହିଁ, ଅହଙ୍କାରର କୌଣସି ସାମ୍ରାଜ୍ୟକୁ ମାନେନାହିଁ । ଭୋଟ ବାକ୍‌ସର ଗଣତିକୁ ଭଗବାନଙ୍କର ବରାଦ ବୋଲି ମାନେନାହିଁ । ସେ ଆପଣାର ହାତ ଭିତରେ ରହିଥିବା ରଜ୍ଜୁର ଆବିଷ୍କାର କରେ । ମଣିଷପରି ବଞ୍ଚିବାକୁ ବାହାରେ । ଦରକାର ପଡ଼ିଲେ ମଣିଷ ପରି ମରିବାକୁ ବି ବାହାରିପଡ଼େ । ମାତ୍ର ଭୀରୁ ହୋଇ ବଞ୍ଚିବାଟା ତାକୁ ଅସହ୍ୟ ବୋଧହୁଏ । ଏହି ଶତବାର୍ଷିକୀରେ ସେହିପରି କୌଣସି ଗୌରବମୟ ଘଟଣା ଘଟିଥିଲେ ତାହା କେଡ଼େବଡ଼ କଥା ହୋଇନଥାନ୍ତା ! ମାତ୍ର ସେଥିଲାଗି ଅଲଗା ନେତୃତ୍ୱ ଦରକାର । ନେତୃତ୍ୱପରି ନେତୃତ୍ୱ ଦରକାର ।

 

(ତା ୧୩/୫/୬୯ – ‘ଜନସାହିତ୍ୟ’, ରଜସଂଖ୍ୟା, ୧୯୬୯)

Image

 

ଗାନ୍ଧୀ-ଶକ୍ତି : ସତ୍ୟାଗ୍ରହ-ଶକ୍ତି

 

ସତ୍ୟାଗ୍ରହ କହିଲେ ମହାତ୍ମା ଗାନ୍ଧୀ ସତ୍ୟର ଆଗ୍ରହକୁ ବୁଝୁଥିଲେ । ସତ୍ୟ କହିଲେ କୌଣସି ଏକ ନିର୍ଦ୍ଦିଷ୍ଟ ମାର୍ଗ, ବାଦ ବା ଧର୍ମର ପ୍ରଚାରିତ ଫର୍ମୁଲାଗୁଡ଼ାକୁ ବୁଝାଏ ନାହିଁ । ସାରା ସଂସାରର, ଅର୍ଥାତ୍‌ସମଗ୍ର ମାନବସମାଜର ଯେଉଁଥିରେ କଲ୍ୟାଣ ହୁଏ, ତାହାହିଁ ସତ୍ୟ । ଯେଉଁ ମାର୍ଗର ଅନୁସରଣ କଲେ ସଂସାରରେ ମାନବିକତା ବଢ଼େ, ତାହାହିଁ ସତ୍ୟର ମାର୍ଗ । ଆଗ୍ରହ କହିଲେ ଆପଣାର କରିନେବାର ଇଚ୍ଛା ଅର୍ଥାତ୍‌ ହୃଦୟର ସହିତ ବଞ୍ଚିବାର ଇଚ୍ଛାକୁ ବୁଝାଏ । ତେଣୁ ସତ୍ୟାଗ୍ରହ କହିଲେ ସକଳ ମାନବସମାଜ ଓ ମାନବତାର କଲ୍ୟାଣଲାଗି ଆପଣାକୁ ପ୍ରସ୍ତୁତ କରିନେବାର ବାସନାକୁ ହିଁ ବୁଝାଇବା ଉଚିତ । ଆପଣାର ଜୀବନକୁ ସତ୍ୟ ଅନୁସାରେ ମଣାଇନେଇ ପାରିଲେ ଆମ ଭିତରୁ ଯେକୌଣସି ବ୍ୟକ୍ତି ସତ୍ୟାଗ୍ରହର ପଥରେ ନିଶ୍ଚୟ ଆଗେଇଯାଇ ପାରିବ । ସତ୍ୟାଗ୍ରହୀ ହେବାକୁ ହେଲେ ଆପଣାର ଧର୍ମ ପରିବର୍ତ୍ତନ କରିବାର ଆଦୌ କୌଣସି ଆବଶ୍ୟକତା ନାହିଁ, ନୂଆ ମନ୍ତ୍ର ନେବାର ବି ପ୍ରୟୋଜନ ନାହିଁ । ଯିଏ ଯେଉଁଠାରେ ଅଛି, ସିଏ ସେହିଠାରେ ଥାଇ ମଧ୍ୟ ସତ୍ୟଲାଗି ଆଗ୍ରହ ପୋଷଣ କରିପାରିବ, ଏହି ଆଗ୍ରହକୁ ହିଁ ଜୀବନର ଅନ୍ୟ ସକଳ ଆଗ୍ରହର ଉତ୍‌ପ୍ରେରକ ରୂପେ ବ୍ୟବହାର କରିପାରିବ ।

 

ଜଣେ ଶିକ୍ଷକ ଆଗ୍ରହ କଲେ ସତ୍ୟାଗ୍ରହୀ ହୋଇପାରିବ । ସେଥିଲାଗି ତାକୁ କୌଣସି ସଭାରେ ଆଡ଼ମ୍ବରପୂର୍ଣ୍ଣ ଭାବରେ ଶପଥ ନେବାକୁ ପଡ଼ିବନାହିଁ କିମ୍ବା କୌଣସି ଖବରକାଗଜରେ ଏହି ମର୍ମରେ ଏକ ବିବୃତ୍ତି ଦେବାକୁ ପଡ଼ିବନାହିଁ । ସତ୍ୟରେ ଆଗ୍ରହ ରଖୁଥିବା ଶିକ୍ଷକ ସବୁ ପିଲାଙ୍କୁ ମଣିଷ ପରି ଦେଖିବ । ତା’ ଚାରିପାଖରେ ରହିଥିବା ଆଉମାନେ ପିଲାମାନଙ୍କୁ ଗୋଟାଏ ଗୋଟାଏ ମେସିନ୍‌ ଓ ଗଧ ଭଳି ଦେଖୁଥିଲେ ମଧ୍ୟ ସେ ତଥାପି ସେମାନଙ୍କୁ ମଣିଷ ପରି ଦେଖିବ । ଭଗବାନଙ୍କଠାରେ ବିଶ୍ୱାସ ଥିଲେ ସେ ପ୍ରତ୍ୟେକ ପିଲାଙ୍କ ଭିତରେ ଦେବତାର ଦର୍ଶନ କରିବ । ବୟସର କୌଣସି ଉଗ୍ରତା ତାକୁ କଦାପି ଗ୍ରାସ କରିବନାହିଁ । ଜଣେ ମଣିଷ ଯେଉଁଠି ତା’ର ହୃଦୟକୁ ଦେଇପାରେ, ସେଠି ସେ ଏକାତ୍ମତା ଅର୍ଜନ କରିବାକୁ ସମର୍ଥ ହୁଏ । ସତ୍ୟରେ ଆଗ୍ରହ ରଖିଥିବା ଶିକ୍ଷକ ତା’ର ଛାତ୍ରମାନଙ୍କୁ ହୃଦୟ ଦେଇ ଦେଖିବ । ସେମାନଙ୍କ ଜୀବନର ଅମିତ ସମ୍ଭାବନାର ଦର୍ପଣ ଉପରେ ସେ ସେମାନଙ୍କୁ ଦେଖିବାକୁ ଚେଷ୍ଟା କରିବ । ଏହିଭଳି ଭାବରେ ସିଏ ସେମାନଙ୍କ ସହିତ କ୍ରମେ ଏକାତ୍ମତା ଅର୍ଜନ କରିପାରିବ । ଆପଣାର ଛାତ୍ରମାନଙ୍କ ପରି ସିଏ ନିଜେ ମଧ୍ୟ ଜଣେ ଛାତ୍ର ହେବାକୁ ଆପଣାର ଆଦର୍ଶ ବୋଲି ଜାଣିବ । ଏଥିରୁ ତା’ଭିତରେ ନୂତନ ଶକ୍ତି ଓ ନୂତନ ସ୍ଫୂର୍ତ୍ତି ଆସିବ । ଏବଂ କୌଣସି ପ୍ରକାର ଆୟାସକୁ ଅପେକ୍ଷା ନ କରି ସେହି ଶକ୍ତି ଓ ସ୍ଫୂର୍ତ୍ତି ବଡ଼ ସ୍ୱାଭାବିକ ଭାବରେ ଛାତ୍ରମାନଙ୍କ ଭିତରକୁ ମଧ୍ୟ ସଂକ୍ରାମିତ ହୋଇଯିବ । ଛାତ୍ରମାନେ ଆପଣାର ମନଲାଖି ଜଣେ ସାଥୀ ପାଇଯିବେ । ଆପଣାର କର୍ମଗତ ଆନନ୍ଦଲାଗି ଶିକ୍ଷକ ଏତେଗୁଡ଼ିଏ ସହଯୋଗୀ ପାଇବ । ତେବେଯାଇ ସେହି ଶିକ୍ଷା ମଣିଷ ଗଢ଼ିବାରେ ସହାୟକ ହୋଇପାରିବ ।

 

ରାଜନୀତିରେ ପଶିଥିବା ବ୍ୟକ୍ତି ମଧ୍ୟ ଇଚ୍ଛା କଲେ ସତ୍ୟାଗ୍ରହୀ ହେବାର ବାସନା ରଖିପାରିବ । ରାଜନୀତିରେ ପଶିଥିବା ତଥାକଥିତ କର୍ମୀ ଓ ନେତା ଉଭୟେ ଇଚ୍ଛା କଲେ ସତ୍ୟାଗ୍ରହୀ ହେବାକୁ ମନ ବଳାଇପାରିବେ । ସତ୍ୟଲାଗି ଆଗ୍ରହ ଜନ୍ମିଲେ ଓ ସତ୍ୟଲାଗି ସମର୍ପଣବୁଦ୍ଧି ବଢ଼ିଲେ ଆମେ ଜନଗଣଙ୍କୁ ମେଣ୍ଢାପଲ ପରି ନ ଦେଖି ସେମାନଙ୍କର ଭିତରେ ଜନଶକ୍ତିର ପ୍ରତ୍ୟକ୍ଷ କରିପାରିବା । ପ୍ରତ୍ୟେକ ମଣିଷ ଭିତରେ ଯେ ମଣିଷର ଚକ୍ଷୁ ଲାଭ କରିବାର ଶକ୍ତି ରହିଛି, ଅନ୍ୟର ଭାଗ୍ୟକୁ କୌଣସି ପ୍ରକାରେ ବିପନ୍ନ ଅଥବା ବ୍ୟାହତ ନକରି ଆପଣାର ଭାଗ୍ୟଟିକୁ ଗଢ଼ିବାଲାଗି ଯେ ଜଣେ ଜଣେ ମଣିଷ ହିସାବରେ ଆମ ସମସ୍ତଙ୍କର ଶକ୍ତି ରହିଛି, ଆମେ କ୍ରମଶଃ ଠିକ୍‌ ସେହିଭଳି ଅନୁଭବ କରିବାକୁ ଆରମ୍ଭ କରିବା । ଆମର ସକଳ ଉତ୍ସାହ ଓ ସକଳ ଉଦ୍ୟମରେ ସେହି ଶକ୍ତି ହିଁ କାର୍ଯ୍ୟକାରୀ ହେବ । ଆମ ରାଜନୀତି ପ୍ରତ୍ୟେକ ମଣିଷ ଭିତରେ ମଣିଷକୁ ହିଁ ଜାଗୃତ କରିବ, ମାନବିକ ବାସନାଗୁଡ଼ିକୁ ଜାଗୃତ କରାଇବ । କର୍ମୀ ନେତାକୁ ଭୟ କରିବ ନାହିଁ କି ନେତା କର୍ମୀକୁ ଭୟ କରିବ ନାହିଁ । ନେତା ଓ କର୍ମୀ କେହି ହେଲେ ଜନତାକୁ ଭୟ କରିବେ ନାହିଁ । ତେଣୁ ସେମାନେ ଜନତା ପାଖରୁ ହଟି କଦାପି ଦୂରକୁ ପଳାଇଯିବେ ନାହିଁ, ଜନତାଠାରୁ ଲୁଚି ରହିବେ ନାହିଁ । ଆମର ପାରସ୍ପରିକ ସମ୍ବନ୍ଧ ଭିତରେ ଯେଉଁ ବିଶ୍ୱାସ ମୂଳପିଣ୍ଡ ହୋଇ ରହିବ, ସେହି ବିଶ୍ୱାସର ନିର୍ଭର ପାଉଥିବା ପର୍ଯ୍ୟନ୍ତ ଆମେ କେହି କାହାରିଠାରୁ ଲୁଚି ପଳାଇଯିବା ନାହିଁ; ମଣିଷର ଦୁଃଖ, ଅନ୍ତର୍ଗତ ଓ ବାହାର, ଉଭୟ ପ୍ରକାରର ଦୀନତାକୁ ଦୂର କରିବା ହିଁ ରାଜନୀତିର ସର୍ବପ୍ରଥମ ଧର୍ମ ହେବ ।

 

ଜଣେ ସମାଜସେବକ ମଧ୍ୟ ଇଚ୍ଛା କଲେ ସତ୍ୟାଗ୍ରହୀ ହେବାର ଅଭିଳାଷ ରଖିପାରିବ । ସବୁପ୍ରକାର ସେବା ଭିତରେ ସବୁବେଳେ ସତ୍ୟର ଆଗ୍ରହ ହିଁ ପ୍ରଧାନତମ ଆଗ୍ରହ ହୋଇ ରହିନଥାଏ । କେତେ ପ୍ରକାର ଭିନ୍ନ ଭିନ୍ନ ଆଗ୍ରହ ଓ ଦୁରାଗ୍ରହକୁ ନେଇ କେତ କେତେ ମଣିଷ ସେବାକ୍ଷେତ୍ରକୁ ଆସି ଆପଣାର ତମ୍ବୁଗୁଡ଼ିକୁ ଖଟାଇ ରଖିଥାନ୍ତି । ଅନେକେ ଦୟାପରବଶ ହୋଇ ସେବା କରନ୍ତି, ତେଣୁ ସେମାନେ ସେବାଧର୍ମକୁ ଏକ ଅତ୍ୟନ୍ତ ଦୟନୀୟ ପର୍ଯ୍ୟାୟକୁ ହିଁ ଖସାଇ ଆଣିଥାନ୍ତି । ସେମାନେ କେତେକେତେ ଯଶଃଲାଳସା ହେତୁ ସେବା କରୁଥାନ୍ତି । ତେଣୁ, ଯେଉଁମାନଙ୍କର ସେବା କରୁଥାନ୍ତି, ସେମାନଙ୍କୁ ସେମାନେ ଧର୍ମତଃ ମାଟିଗୋଡ଼ି ପରି ଦେଖୁଥାନ୍ତି, ଯଶଃ ଅର୍ଜନ କରିବାର କଉଡ଼ି ପରି ଦେଖୁଥାନ୍ତି । ଏହାଦ୍ୱାରା ସେବାର ସଦାବର୍ତ୍ତମାନ ବେଶ୍‌ ବସିଯାଏ ସତ, ମାତ୍ର ସତ୍ୟର ଆଗ୍ରହ ବଢ଼େନାହିଁ, ସତ୍ୟ ଆସି ତଳେ ଗଡ଼ଗଡ଼ାଏ । ସେବକ ଅହଙ୍କାରୀ ହୁଏ । ସିଏ ଆଉ କାହାକୁ ବି ସହିପାରେ ନାହିଁ । ଆଉ କାହାରି ଭିତରେ ବି ସତ୍ୟର ବିକାଶ ହେବାକୁ ଦିଏ ନାହିଁ । ସଂସାରର ଅନେକ କବାଟକୁ ସିଏ ଖୋଲିବାକୁ ଦିଏନାହିଁ, ଅନେକ ଫୁଲକୁ ଫୁଟିବାକୁ ହିଁ ଦିଏନାହିଁ । ସେବକ ଭିତରେ ସତ୍ୟର ଆଗ୍ରହ ରହିଥିଲେ ସେବକ ଆପଣାର କାର୍ଯ୍ୟକୁ ଭଗବାନଙ୍କର କାର୍ଯ୍ୟ ବୋଲି ମନେ କରେ, ସେ ଏହି କାର୍ଯ୍ୟରେ ଆପଣାକୁ ଏକ ନିମିତ୍ତରୂପେ ଗ୍ରହଣ କରେ । ଏସବୁ କଥାକୁ ସିଏ କେବେହେଲେ ଏଡ଼େ ପାଟିକରି କହେନାହିଁ ସତ, ମାତ୍ର ପଦେପଦେ ସେହିପରି ହିଁ ଅନୁଭବ କରୁଥାଏ ଓ ସେହି ଅନୁଭୂତିଟି ଦ୍ୱାରା ପରିଚାଳିତ ହେଉଥାଏ ।

 

ଜଣେ ସାହିତ୍ୟିକ ଇଚ୍ଛାକଲେ ସତ୍ୟର ଆଗ୍ରହ ରଖିପାରିବ । ସତ୍ୟ ଏବଂ ସୌନ୍ଦର୍ଯ୍ୟ ତାକୁ ଗୋଟିଏ ପ୍ରତିମାର ଦୁଇଟି ବିଭଙ୍ଗ ପରି ଦେଖାଯିବ । ସେ ଯାବତୀୟ ବାସ୍ତବକୁ ଆଦର୍ଶର ଆକାଙ୍‌କ୍ଷାମୟ ଅସ୍ଥିରତା ରୂପେ ଗ୍ରହଣ କରିବ । ମଣିଷ ପାଇଁ ସିଏ ଆନନ୍ଦର ପରିବେଷଣ କରିବ, ଅର୍ଥାତ୍‌ମଣିଷ ଭିତରେ ସତ୍ୟଦର୍ଶନର ପିପାସା ଜାଗୃତ କରାଇବ । ସେହି ସାହିତ୍ୟିକ ପଥର ଭିତରେ ପ୍ରାଣନ୍ୟାସର ଆହ୍ୱାନ ଦେଇପାରୁଥିବ, କ୍ଷୁଦ୍ର ଭିତରେ ବିରାଟର ଆକୃତି ଜାଗୃତ କରାଇପାରୁଥିବ । ସତ୍ୟର ଆଗ୍ରହ ରଖିଥିବା ସାହିତ୍ୟିକ ଆପଣାର ସାହିତ୍ୟ ଲାଗି କୌଣସି ଦରବାରରେ ଆସନଭିକ୍ଷା କରିବାକୁ ଯିବନାହିଁ । ସଂସାରର ସବୁ ଦରବାରକୁ ଆଣି ସିଏ ସାହିତ୍ୟର ଦୃଷ୍ଟିଦଣ୍ଡରେ କଳନା କରିପାରିବାର ଭରସା ରଖିଥିବ । ସଂସାରରେ ଲୋକପ୍ରିୟ ହେବାର ଲାଳସାରେ ପଡ଼ି ସିଏ ସଂସାରପରି ସାଜିବାକୁ କିମ୍ବା ଗାଇବାକୁ ମୋଟେ ମନ ବଳାଇବ ନାହିଁ । ତାର ସାହିତ୍ୟ ସଂସାରଲାଗି ଦର୍ପଣ ପରି କାର୍ଯ୍ୟ କରିବ । ମଣିଷର ହୃଦୟଲାଗି ମଧ୍ୟ ତାହା ଦର୍ପଣ ପରି କାର୍ଯ୍ୟ କରିବ । ତେବେଯାଇ ଆପଣାର ସାହିତ୍ୟଦ୍ୱାରା ଜଣେ ସାହିତ୍ୟିକ ସଂସାରରେ ଜୀବନର ଅଭିବୃଦ୍ଧି କରାଇପାରିବ । ସାହିତ୍ୟକ ଅନେକ ଘରେ ଅନେକ ଝରକା ଖୋଲିଦେଇ ପାରିବ, ଅନେକ ଅଭିନବ ପରିଚୟର ଆନନ୍ଦ ସମ୍ଭବ କରାଇପାରିବ । ତାର ସାହିତ୍ୟ ସଂସାରରେ ବ୍ୟାଧି ବଢ଼ାଇବ ନାହିଁ, ବ୍ୟାଧିର ନିରାକରଣ ଲାଗି ଅନ୍ତଃଦୃଷ୍ଟି ଯୋଗାଇଦେବ । ଗଣ୍ଠିଗୁଡ଼ାକୁ ଫିଟାଇଦେବ, କୌଣସି ନୂଆ ଗଣ୍ଠି ପକାଇବ ନାହିଁ । ତାର ସାହିତ୍ୟଦ୍ୱାରା ସଂସାରରେ ସାହିତ୍ୟ ଲାଗି ଆଗ୍ରହ ବଢ଼ିବ, ସତ୍ୟ ଲାଗି ଆଗ୍ରହ ବଢ଼ିବ ଓ ଜୀବନ ଲାଗି ଆଗ୍ରହ ବଢ଼ିବ ।

 

ଶିକ୍ଷକ, ରାଜନୀତିକ କର୍ମୀ, ସେବକ ଓ ସାହିତ୍ୟିକ ସମସ୍ତେ ସତ୍ୟର ଆଗ୍ରହୀ ହୋଇପାରିବେ । ଯିଏ ଚାହିବ, ଅର୍ଥାତ୍‌ଉପଯୁକ୍ତ ବାସନା ରଖିପାରିବ, ସିଏ ସତ୍ୟାଗ୍ରହୀ ହୋଇପାରିବ । କିନ୍ତୁ ଯିଏ ହେଉ ପଛକେ, ସତ୍ୟରେ ଆଗ୍ରହ ରଖି ଜୀବନ ବଞ୍ଚି ବାହାରିଲେ ସବା ଆଗ ଗୋଟିଏ ଯୋଗ୍ୟତା ଅବଶ୍ୟ ହାସଲ କରିବାକୁ ହେବ । ସେଇଟି ହେଉଛି ନିର୍ଭୟ ହୋଇପାରିବାର ଯୋଗ୍ୟତା । ନିର୍ଭୟ ନ ହୋଇପାରିଲେ ମଣିଷର ଧର୍ମ, କର୍ମ, ସେବା ଓ ସାହିତ୍ୟ ସବୁ ବୃଥା ହୋଇଯିବ । ସମ୍ଭବତଃ ସେଇଥିଲାଗି ଗାନ୍ଧିଜୀ ନିର୍ଭୟ ହେବାକୁ ହିଁ ସବୁ ଧର୍ମ ତଥା ସବୁ ଅଧ୍ୟାତ୍ମର ସର୍ବମୂଳ କଥା ବୋଲି କହିଥିଲେ । ଯେଉଁଠାରେ ଭୟ ଥାଏ, ସେଠାରେ ଅସତ୍ୟ ରହିଥାଏ । ସତ୍ୟାଗ୍ରହୀ ସତ୍ୟର ଆଗ୍ରହ ରଖିବ, ତେଣୁ ସେ ନିର୍ଭୟ ହେବ । ସଂସାରଯାକ ସମସ୍ତେ ଭୟର କଥା କହୁଥିଲେ ମଧ୍ୟ ସତ୍ୟାଗ୍ରହୀ ନିର୍ଭୟ ହେବ । ସମସ୍ତେ ବିଭେଦ ଏବଂ ବିଚ୍ଛିନ୍ନତାର ତର୍କ ବାଢ଼ୁଥିଲେ ମଧ୍ୟ ସିଏ ତଥାପି ଯୁକ୍ତ ହୋଇ ରହିଥିବ । ଅଯୁକ୍ତ ମଣିଷ ନାନା ଅନ୍ୟ ଆଗ୍ରହର ଫାନ୍ଦ ଭିତରେ ପଡ଼ିଯିବ ସିନା, ମାତ୍ର ତା’ର ସତ୍ୟାଗ୍ରହୀ ହେବା କେବେହେଲେ ଫଳିବ ନାହିଁ । ସତ୍ୟାଗ୍ରହୀ ଆପଣା ପାଖରେ ମଧ୍ୟ ନିର୍ଭୟ ହେବ । ସିଏ ଭୟାଳୁଙ୍କ ପରି ଆପଣାର ଦୋଷ ଓ ଅଭାବଗୁଡ଼ାକୁ ଘୋଡ଼ାଇ ରଖିବାର କୌଣସି ଚେଷ୍ଟା କରିବନାହିଁ । ତେଣୁ ଅପରର ଦୋଷ ଓ ଅଭାବଗୁଡ଼ାକୁ ବଡ଼ କରି ଦେଖାଇବା ବା ସେଗୁଡ଼ାକର ସୁରାଖ ପାଇବା ମାତ୍ରକେ ସେଗୁଡ଼ାକୁ ଯାଇ ହାଉଁକରି ମାଡ଼ିବସିବା ଲାଗି ତା’ ଜୀବନରେ ଆଉ କୌଣସି ପ୍ରୟୋଜନ ରହିବନାହିଁ । ସତ୍ୟାଗ୍ରହୀ ନିର୍ଭୟ ହୋଇ ଆପଣାକୁ ବୁଝିବ, ଅନ୍ୟ ସମସ୍ତଙ୍କୁ ବି ବୁଝିବ । ଭଲ ମନ୍ଦ ବାଛିବାରେ ଶକ୍ତିର ଅପଚୟ ନ କରି ସେ ମର୍ମପ୍ରବେଶ କରିବାର ଆଗ୍ରହ ରଖିଥିବ ।

 

କେବଳ ଭଗବାନଙ୍କ ଉପରେ ଯଥାର୍ଥ ନିର୍ଭର ରଖିପାରିଲେ ଯାଇ ମଣିଷ ପ୍ରକୃତରେ ନିର୍ଭୟ ହୋଇପାରିବ ବୋଲି ଗାନ୍ଧିଜୀ ସବୁବେଳେ କହୁଥିଲେ । ଆପଣା ଉପରେ ରହିଥିବା ବିଶ୍ୱାସର ମହନୀୟତମ ସ୍ତରକୁ ଗାନ୍ଧିଜୀ ଭଗବତ୍‌ସ୍ତର ବୋଲି ଅନୁଭବ କରୁଥିଲେ । ତେଣୁ ସତ୍ୟର ଆଗ୍ରହୀ ହେବାକୁ ହେଲେ ଆପଣା ଉପରେ ବିଶ୍ୱାସ ରଖିବାକୁ ହେବ । ଆପଣା ଭିତରେ ନିହିତ ହୋଇ ରହିଥିବା ବିରାଟ ଓ ଉଦାର ଉପରେ ବିଶ୍ୱାସ ରଖିବାକୁ ହେବ । ଏବଂ ଆପଣା ଉପରେ ବିଶ୍ୱାସ ରଖିଥିବା ମଣିଷକୁ ଆଉ ଅପର କାହାରିକୁ ଅବିଶ୍ୱାସ କରିବାର ପ୍ରୟୋଜନ ହିଁ ନଥିବ ।

 

ତା ୧୯/୧୨/୬୯

Image

 

ଗାନ୍ଧୀ-ପ୍ରେରଣା

 

ଆଜିକୁ ଶହେବର୍ଷ ତଳେ ଗାନ୍ଧୀଙ୍କର ଜନ୍ମ ହୋଇଥିଲା । ସେତେବେଳେ ଆମେସବୁ କେହି ଏହି ସଂସାରରେ ଜନ୍ମ ହୋଇ ନଥିଲେ। କିନ୍ତୁ ସଂସାର ଥିଲା। ଆଜିକୁ ପୁଣି ଶହେବର୍ଷ ଅନ୍ତେ ମଧ୍ୟ ଆମେସବୁ କେହି ଏହି ସଂସାରରେ ନଥିବା । କିନ୍ତୁ ସଂସାର ଥିବ । ମଣିଷ ହିଁ ସଂସାର ତିଆରି କରେ । ମଣିଷ ଚାଲିଯାଏ, ସଂସାର ରହିଥାଏ । ମଣିଷ ସଂସାରକୁ ଯେପରି ଭାବରେ ଗଢେ, ସଂସାର ସେହିପରି ଗଢ଼ାହୁଏ । ମଣିଷ ଯେଉଁଭଳି ବାସନା ରଖେ, ଯେଉଁଭଳି ସ୍ୱପ୍ନମାନ ଦେଖେ ଓ ଯେଉଁଭଳି ଉଦ୍ୟମମାନ କରେ, ସେଇଥିରୁ ହିଁ ସଂସାର ଆକାର ନିଏ । ସଂସାର ହେଉଛି ମଣିଷର ଆପଣା ଗଢ଼ା ଏକ ଇତିହାସ । ମଣିଷ ଆସେ, ମଣିଷ ଯାଏ, ତଥାପି ଇତିହାସ ରହିଥାଏ, ସଂସାର ରହିଥାଏ । ମଣିଷର ବିବେକ ହୁଡ଼ିଲେ ସଂସାରକୁ ବିବେକ ହୁଡ଼େ । ମଣିଷ ଘର ଭାଙ୍ଗିବାକୁ ଇଚ୍ଛା କଲେ ସଂସାରର ଘର ବି ଭାଙ୍ଗିଯାଏ । ମଣିଷ ସୁନ୍ଦର ହେଲେ ସଂସାର ସୁନ୍ଦର ହୁଏ । ସମାଜ ସୁନ୍ଦର ହୁଏ ।

 

ଏହି ମଣିଷକୁ ହିଁ ଗାନ୍ଧୀ ମୂଳ କରି ଧରିଥିଲେ । ଦେଶ ଅଥବା ଜାତିଠାରୁ ମଣିଷ ଆହୁରି ବଡ଼ ବୋଲି ସେ ସବୁବେଳେ କହୁଥିଲେ । ସବୁରି ଭିତରେ ଭଗବାନ ରହିଛନ୍ତି ବୋଲି ସେ ବିଶ୍ୱାସ କରୁଥିଲେ ଓ ସେହି ବିଶ୍ୱାସରୁ ପ୍ରେରଣା ପାଇ ଆପଣାର କର୍ତ୍ତବ୍ୟ ନିର୍ଦ୍ଧାରଣ କରୁଥିଲେ । ଏ ଦେଶରେ ଆମେ ମୋହରେ ପଡ଼ିଯାଇ ଗାନ୍ଧୀଙ୍କୁ ମହାତ୍ମା କରିପକାଉଛୁ ସିନା, ମାତ୍ର ଗାନ୍ଧୀ ସର୍ବଦା ମଣିଷଙ୍କ ଭିତରେ ହିଁ ମଣିଷ ହୋଇ ରହିବାକୁ ଚାହୁଁଥିଲେ । ତାଙ୍କ ଉପରେ ଲଦି ଦିଆଯାଇଥିବା ମହାତ୍ମାପଦକୁ ସିଏ ଗୋଟାଏ ବୋଝ ବୋଲି ବିଚାର କରୁଥିଲେ । ତାଙ୍କ ଉପରେ ସେହି ବୋଝଟାକୁ ଲଦି ଦେଇ ଆମେ ହୁଏତ ବେଶ୍‌ ନିଶ୍ଚିନ୍ତ ହୋଇ ଯାଉଥିଲୁ । ତାଙ୍କୁ ମହାତ୍ମା କରି ଦୂରରେ ଥାପି ରଖୁଥିଲୁ । ଭୟରେ ତାଙ୍କର ପାଖ ମାଡ଼ୁ ନଥିଲୁ କିମ୍ବା ତାଙ୍କୁ ଆମ ପାଖକୁ ଆସିବାକୁ ମଧ୍ୟ ଦେଉନଥିଲୁ । କିନ୍ତୁ, ଗାନ୍ଧୀଙ୍କୁ ମଣିଷ ବୋଲି ଅନୁଭବ କରିବାର ଗୌରବ ଅର୍ଜନ କରିପାରିଲେ ଆଜି ମଧ୍ୟ ଏଇଠି ଆମର ପୁନର୍ଜନ୍ମ ହୁଅନ୍ତା । ଆମେ ନିଜ ଭିତରେ ମଧ୍ୟ ମଣିଷ ହେବାର ଆହ୍ୱାନଟିକୁ ଅନୁଭବ କରିପାରନ୍ତେ । ଆମ ନିତିଦିନର ଜୀବନରେ ଆମେ ଗାନ୍ଧୀଙ୍କୁ ସାଥୀରୂପେ ପାଆନ୍ତେ । ଆଗକୁ ବାଟ ଦିଶିଯାଆନ୍ତା । ଆମ ହୃଦୟ ଭିତରକୁ ମଧ୍ୟ ବାଟ ଦିଶିଯାଆନ୍ତା । ଆମର ଭୟ ତୁଟିଯାଆନ୍ତା ।

 

ଆମକୁ ଅଭୟ ଦେବାଲାଗି ଗାନ୍ଧୀ ଆମରି ଭିତରେ ଜନ୍ମ ହୋଇଥିଲେ । ଆଜି ସମଗ୍ର ପୃଥିବୀରେ ସିଏ ଏହି ଅଭୟର ହିଁ ପ୍ରତିନିଧି ହୋଇ ରହିଚନ୍ତି । ଯିଏ ଅଧର୍ମ କରେ ଓ ଅଧର୍ମ ସହେ, ଉଭୟଙ୍କ ଭିତରେ ଭୟ ପୂର୍ଣ୍ଣ ହୋଇ ରହିଥାଏ, ଘର କରି ରହିଥାଏ । ଯିଏ କର୍ତ୍ତୃତ୍ୱ ଦେଖାଏ ଓ କର୍ତ୍ତୃତ୍ୱ ସହେ, ଉଭୟଙ୍କ ଭିତରେ ଭୟ ପୂର୍ଣ୍ଣ ହୋଇ ରହିଥାଏ । ମାତ୍ର ଭୟଶୂନ୍ୟ ମଣିଷ ଅନ୍ୟ ସକଳ ମଣିଷଙ୍କୁ ଆପଣାର ସାଥୀରୂପେ ପାଏ । ଏହି ସଂସାର ତାକୁ ଆପଣାର ଘର ବୋଲି ଲାଗେ । ଆପଣାର ହୃଦୟ ତଳେ ସିଏ ଆପଣାକୁ ବିଶ୍ୱବିଧାତାଙ୍କର ଜଣେ ପୁତ୍ର ପରି ଅନୁଭବ କରେ । ସବୁ ମଣିଷଙ୍କୁ ମଧ୍ୟ ସେ ବିଶ୍ୱବିଧାତାଙ୍କର ପୁତ୍ର ବୋଲି ଅନୁଭବ କରେ । ଆପଣା ଭିତରେ ସିଏ ଅପାର ଶକ୍ତିର ପରିଚୟ ଲାଭ କରେ । ସଂସାରରେ ସବୁ ମଣିଷଙ୍କୁ ମଧ୍ୟ ସେ ଏହିପରି ଶକ୍ତିମାନ୍‌ ରୂପେ ଦେଖେ । ସିଏ କାହାକୁ ଦଳିଦିଏ ନାହିଁ, ଆପଣାକୁ ବି କାହାରି ପାଖରେ ଦଳିଦିଏ ନାହିଁ । ସିଏ କାହାରି ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହେଁନାହିଁ, ଆପେ ମଧ୍ୟ କାହାରି ଦାସ ହୋଇ ରହେନାହିଁ । ଗାନ୍ଧୀ ଆପଣାର ଜୀବନରେ ଏହି ଶକ୍ତିଟିକୁ ଲାଭ କରିଥିଲେ । ସିଏ ଏହି ଦୃଷ୍ଟିଟିକୁ ଲାଭ କରିଥିଲେ । ଏହି ଦେଶରେ ଜନଗଣଙ୍କୁ ଏହି ଶକ୍ତିଦ୍ୱାରା ଉଦ୍‌ବୁଦ୍ଧ କରିବାକୁ ସେ ଆପଣା ଜୀବନର ବ୍ରତ କରିଥିଲେ । ତାଙ୍କୁ ମଣିଷ ହିସାବରେ ଚିହ୍ନିଲେ, ଆପଣାର ସହଧର୍ମୀ ସାଥୀ ହିସାବରେ ଚିହ୍ନିଲେ ଆମେ ବି ଆପଣା ଭିତରେ ଓ ଆପଣା ସମାଜରେ ଏହି ଶକ୍ତିକୁ ଅନୁଭବ କରିପାରିବା । ମାତ୍ର, ତାଙ୍କୁ ମହାତ୍ମା କରି ଦୂରରେ ରଖିଲେ ସେହି ଶ୍ରେୟଃର ଆଦୌ ଅଧିକାରୀ ହୋଇପାରିବା ନାହିଁ ।

 

ଭାରତୀୟ ରାଜନୀତିକ ସ୍ୱାଧୀନତାର ଆନ୍ଦୋଳନରେ ଗାନ୍ଧୀ ସେନାପତିତ୍ୱ କରିଥିଲେ । ଗାନ୍ଧୀ ଏହି ଦେଶରେ ସମାଜକୁ ବଦଳାଇ ଦେବାକୁ ଚାହୁଁଥିଲେ । ପିଲାମାନଙ୍କ ଲାଗି ନୂତନ ଶିକ୍ଷାର ପ୍ରବର୍ତ୍ତନ ଚାହୁଁଥିଲେ । ସିଏ ଅନ୍ୟାୟ ବିରୁଦ୍ଧରେ ଅସହଯୋଗ କରିଥିଲେ, ସାମ୍ରାଜ୍ୟବାଦୀ ଶାସନ ବିରୁଦ୍ଧରେ ଆଇନ ଅମାନ୍ୟ କରିଥିଲେ । ପୃଥିବୀରେ ସିଏ ଯୁଦ୍ଧ ବଦଳରେ ଶାନ୍ତି ଚାହୁଁଥିଲେ, ଘୃଣା ବଦଳରେ ବିଶ୍ୱାସ ଚାହୁଁଥିଲେ । ଏହି ସକଳ କ୍ଷେତ୍ରର ସକଳ କାର୍ଯ୍ୟକଳାପ ଜରିଆରେ ସିଏ ମୂଳତଃ ମଣିଷକୁ ହିଁ ମୂଳ କରି ଧରିଥିଲେ, ମଣିଷକୁ ସର୍ବମୂଳ ପ୍ରତିଷ୍ଠା ଦେବାକୁ ଚାହୁଁଥିଲେ । ନିଜର ଅଭିନବ ଭାଷାରେ ଆପଣାର ଆନ୍ଦୋଳନକୁ ସେ ସତ୍ୟାଗ୍ରହ ବୋଲି କହୁଥିଲେ । ସତ୍ୟାଗ୍ରହର ଅର୍ଥ କାହାରି ବିରୁଦ୍ଧରେ ଲଢ଼ି ତାକୁ ସାବାଡ଼ କରିଦେବା ନୁହେଁ, ସତ୍ୟାଗ୍ରହର ଅର୍ଥ ହେଉଛି ସତ୍ୟରେ ଆଗ୍ରହ ରଖିବା । ସତ୍ୟର ଆଗ୍ରହକୁ ଜୀବନରେ ସର୍ବବିଧ ଆଗ୍ରହର ପ୍ରେରକରୂପେ ବ୍ୟବହାର କରିବା । କ୍ଷମତାର ଆଗ୍ରହ ନୁହେଁ, କର୍ତ୍ତୃତ୍ୱର ଆଗ୍ରହ ନୁହେଁ, ଦଳ ବା ବାଦର ଆଗ୍ରହ ନୁହେଁ, -ସତ୍ୟର ଆଗ୍ରହ । କିନ୍ତୁ କେବଳ ଜଣେ ନିର୍ଭୀକ ବ୍ୟକ୍ତି ହିଁ ସତ୍ୟର ଆଗ୍ରହ ରଖିପାରିବ । ସେଥିଲାଗି ଗାନ୍ଧୀ ନିର୍ଭୀକତାକୁ ସବୁ ଧର୍ମ ଓ ସବୁ ଧାର୍ମିକତାର ମୂଳ ବୋଲି ମାନୁଥିଲେ ।

 

ଗାନ୍ଧୀଠାରୁ ପ୍ରେରଣା ପାଉଥିବା ବ୍ୟକ୍ତି ଆପଣାକୁ ମଣିଷ ପରି ଭାବିବ, -ଆପଣା ଭିତରେ ସିଏ ଅମିତ ଶକ୍ତିର ଆବିଷ୍କାର କରିବ । ଏହି ଶକ୍ତିର ଆବିଷ୍କାର କରି ସିଏ ଆପଣାର ଯାବତୀୟ ଅଶକ୍ତତା ବା ଦୁର୍ବଳତାକୁ ପାର ହୋଇଯିବ । ଏହି ବିଶ୍ୱାସର ଆବିଷ୍କାର କରି ସିଏ ଭିତରେ ଓ ବାହାରେ ଅନେକ ଅବିଶ୍ୱାସକୁ ଲଘିଂଯିବ । ସିଏ ସଂସାରକୁ ଭଲ ପାଇବ, ମଣିଷକୁ ଭଲ ପାଇବ, ମଣିଷ ଭିତରେ ରହିଥିବା ଭଲ ଉପରେ ଆସ୍ଥା କରି ଜାଣିବ । ଭଲ ଉପରେ ନିର୍ଭର କରି ଜାଣିବା ସଙ୍ଗେ ସଙ୍ଗେ ଭୟ ଓ ଘୃଣା ହଟି ଯାଉଥିବ । ସେତେବେଳେ ଏହି ସଂସାରରେ ହିଁ ସ୍ୱର୍ଗର ଅବତରଣ ହେବ । ମଲାପରେ ସ୍ୱର୍ଗଲାଭ କରିବା ଲାଗି ଆଉ ସ୍ୱତନ୍ତ୍ର ଶ୍ରମ କିମ୍ବା କୂଚ୍ଛ୍ର କରିବାକୁ ପଡ଼ିବ ନାହିଁ ।

 

ଗାନ୍ଧୀଠାରୁ ପ୍ରେରଣା ପାଉଥିବା ବ୍ୟକ୍ତି ଗଧ ପରି ଇତିହାସକୁ ଘୋଷିବ ନାହିଁ; ସିଏ ମଣିଷପରି ଇତିହାସକୁ ତିଆରି କରିବାଲାଗି ବାହାରିବ । ସିଏ କଳପରି ନିୟମ ଗୁଡ଼ାକୁ ମାନିନେବ ନାହିଁ, ସର୍ବବିଧ ନିୟମକୁ ଜୀବନ ଗଢ଼ିବାର ଅନୁକୂଳ କରି ରଖିବ । ସିଏ ଅନ୍ଧ ପରି ଖାଲି ଆଚାରଗୁଡ଼ାକୁ ମାନିନେବ ନାହିଁ । ଆପଣାର ବିବେକ ସହିତ ସିଏ ସକଳ ଧର୍ମଭାବର ଖିଅକୁ ଗଅଁଠାଇ ରଖିବ । ସତ୍ୟର ଆଗ୍ରହ ଦ୍ୱାରା ପ୍ରେରିତ ହୋଇ ମିଥ୍ୟା ପାଖରେ ସେ ଅମାନିଆ ହେବ । ଆଲୋକର ଆଗ୍ରହ ଦ୍ୱାରା ପ୍ରେରିତ ହୋଇ ଅନ୍ଧାର ପାଖରେ ଅମାନିଆ ହେବ । ସିଏ ବଡ଼ ପ୍ରଭୁଙ୍କୁ ଆଶ୍ରା କରିବ, ତେଣୁ ସାନ ସାନ ନାନା ପ୍ରଭୁଙ୍କର ଲୋଭକୁ ଛାଡ଼ିବ ।

 

ଗାନ୍ଧୀର ବାଟ ଏକମାତ୍ର ବାଟ ନୁହେଁ । ଗାନ୍ଧୀ କୌଣସି ଦିନ ଆପଣାର ବାଟକୁ ଏକମାତ୍ର ବାଟ ବୋଲି ଦାବୀ କରିନଥିଲେ । ପ୍ରତ୍ୟେକ ମଣିଷକୁ ତା’ର ଆପଣାର ବାଟ ଆବିଷ୍କାର କରିବାକୁ ପଡ଼ିବ । ଏହି ଆବିଷ୍କାର-ଯାତ୍ରା ହେଉଛି ଜୀବନ । ଏହାକୁ ଗାନ୍ଧୀ ସତ୍ୟର ପ୍ରୟୋଗ ବୋଲି କହୁଥିଲେ । ଆମକୁ ମଧ୍ୟ ସେହିପରି ପ୍ରୟୋଗ କରି ଦେଖିବାକୁ ହେବ । ଆମେ ଅନେକେ ହୁଏତ ଖାଲି ଚାଲିବାରେ ହିଁ ଲାଗିଛୁ, ମାତ୍ର ବାଟ ପାଇନାହୁଁ । ଆମକୁ ବାଟ ଭଳି ବାଟଟିଏ ବାହାର କରିବାକୁ ହେବ । ଏହି ବାଟ ପାଇବାର ପ୍ରୟାସରେ ଗାନ୍ଧୀ ଆମକୁ ଅନେକ ପ୍ରେରଣା ଦେଇପାରିବେ । ଖାଲି ଆମକୁ ବା ଆମର ଏହି ଗୋଟାଏ ଯୁଗକୁ ନୁହେଁ, ସମସ୍ତଙ୍କୁ ଦେଉଥିବେ, ଯୁଗଯୁଗକୁ ଦେଉଥିବେ ।

 

ତେଣୁ ବାଟ ଖୋଜି ବାହାରିବାକୁ ପଡ଼ିବ । ଆପଣା ଭିତରେ ତଥା ଆପଣାର ସମାଜରେ ଏହି ବାଟ ଖୋଜି ବାହାରିବାକୁ ହେବ । ମଣିଷ ବାଟ ପାଇଲେ ସଂସାର ବି ବାଟ ପାଇବ ।

 

ତା ୨୭/୯/୬୯

Image

 

ଶ୍ରାଦ୍ଧବାସର

 

ଘରୁ ଦୂରରେ ଥିଲାବେଳେ ଘର ବିଷୟରେ ଏକ ସମଗ୍ର ଦୃଷ୍ଟି ଲାଭ କରିବା ଲାଗି ସମ୍ଭବତଃ ଅଧିକତର ସୁଯୋଗ ମିଳିଥାଏ । ବିଦେଶରେ ଥିଲାବେଳେ ଆପଣା ଦେଶକୁ ସମଗ୍ରତର ଓ ପ୍ରଶସ୍ତତର କରି ଦେଖିବାଲାଗି ଅଧିକ ଅବକାଶ ମିଳିଲା ପରି ଲାଗେ । ଆପଣାର ମନୋଭୂମି ସେଥିଲାଗି ଅଧିକ ଯୋଗ୍ୟ ଭାବରେ ପ୍ରସ୍ତୁତ ଥିଲାପରି ଲାଗେ । ଇଉରୋପ ଆମ ଓଡ଼ିଶାଠାରୁ ପ୍ରାୟ ସାତହଜାର ମାଇଲ ଦୂର । ଇଉରୋପ ଓ ଆମ ଦେଶର ଐତିହାସିକ ଭୂମି ଭିତରେ ଅନେକ ଅନେକ ଅନ୍ତର ରହିଛି । ଦେଶରେ ଥିଲାବେଳେ ଦେଶର ବର୍ତ୍ତମାନ ପ୍ରବାହରେ ନାନା ମୋହ ଏବଂ ମୁଗ୍‌ଧତାକୁ ସମ୍ପଦ କରି କେବଳ ବହିଯିବା ବ୍ୟତୀତ ଅନେକ ସମୟରେ ଆମେ ଆଉ କିଛି କରୁନାହିଁ । ସେହି ପ୍ରବାହଟାକୁ ସତ୍ୟ ବୋଲି ମାନିନେଉ, ସେହି ମୋହ ଓ ମୁଗ୍‌ଧତାଗୁଡ଼ାକୁ ମଧ୍ୟ ଅତ୍ୟାବଶ୍ୟକ ବୋଲି ମାନିନେଉ । ଏଇସବୁକୁ ନେଇ ଘର ଭିତରେ ଆମେ ଭାରି ବଡ଼େଇ କରୁ; ଆପଣାର ଦ୍ୱେଷଧର୍ମହୀନ ଜୀବନଦୃଷ୍ଟିକୁ ଲୁଚାଇ ରଖିବା ଲାଗି ଆପଣା ଦେଶରେ ଆମର ଯାହା ଅଛି, ଆମେ ତାହାକୁ ହିଁ ସର୍ବଶ୍ରେଷ୍ଠ ଓ ସର୍ବଶ୍ରେୟସ୍କର ବୋଲି ବିଶ୍ୱାସ ମଧ୍ୟ କରିଥାଉ ଏବଂ ଜାତୀୟତା କହିଲେ ଅଧିକାଂଶତଃ ଆମେ ଏତିକି ବୁଝୁ ।

 

ଗତ ଦେଢ଼ବର୍ଷ କାଳ ମୁଁ ବିଦେଶରୁ ଆପଣା ଆଡ଼କୁ ଓ ଆପଣାର ଦେଶ ଆଡ଼କୁ ଅବଲୋକନ କରିବା ଲାଗି ଅନେକ ସୁଯୋଗ ପାଇଚି । ଆମ ଦେଶର ଉତ୍ତର ସୀମାରୁ ଚୀନ ଆମକୁ ଆକ୍ରମଣ କଲା ଓ ଯେକୌଣସି କାରଣରୁ ହେଉ ପଛକେ, ଆମ ଦେଶର ସକଳ କଳ୍ପନା ଓ ଆକାଂକ୍ଷାକୁ ଘୋଟିକରି ରହିଥିବା ନିଦକୁ ସେ ଭାଙ୍ଗିଦେଇ ଗଲା । ଆମର ଦେଶବାସୀ ସହସ୍ର ସଂଖ୍ୟାରେ ସୈନ୍ୟବାହିନୀରେ ଯୋଗ ଦେଇ ଶତ୍ରୁ ସହିତ ଲଢ଼ିବାକୁ ବାହାରିଲେ, ଆମ ପିଲାଏ ଜାତୀୟ ସଙ୍ଗୀତମାନ ଗାଇ ଦେଶଲାଗି ଲଢ଼ିବାର ସଂକଳ୍ପ ନେଲେ, ଆମ ରେଡ଼ିଓରୁ ଜାତି ଲାଗି ଜୀବନପଣ କରିବାର ଓ ଶତ୍ରୁକୁ ଘୃଣା କରିବାର ଉଦ୍ଦୀପନାମୟ ବାଣୀମାନ ପ୍ରଚାରିତ ହେଲା, ଦେଶକୁ ଗୋଟା ଓ ନିଦା ଗଢ଼ିବାର ଏକ ଉପାୟରୂପେ ସିନେମା ଘରେ ରାଷ୍ଟ୍ରୀୟ ସଙ୍ଗୀତ ବୋଲା ଯିବାର ବ୍ୟବସ୍ଥା ଅବଲମ୍ବନ କରାଗଲା । ତିରିଶ ବର୍ଷ ତଳେ ଇଉରୋପରେ ପ୍ରାୟ ପ୍ରତ୍ୟେକ ଦେଶରେ ଏହା ହେଉଥିଲା, ବର୍ତ୍ତମାନ ମଧ୍ୟ କେତେକ ଦେଶରେ ହେଉଚି । କିନ୍ତୁ ଇଉରୋପରେ ଗତ କେତୋଟି ଦଶକର ଇତିହାସ ଓ ଲୟବିଲୟକୁ ଅନୁଭବ କରିଥିବା ଲୋକେ ଏସବୁଥିରେ ଆଉ ଖୁବ୍‌ବେଶୀ ଉତ୍ସାହ ପ୍ରକାଶ କରୁନାହାନ୍ତି । ଆପଣାର ଜାତୀୟତା ଓ ଜାତିପ୍ରୀତିକୁ କୌଣସି ପ୍ରକାରେ କ୍ଷୁର୍ଣ୍ଣ ନକରି ସେଠି ସେମାନେ ଅତୀତରେ ଆଚରିତ ମୁଗ୍‌ଧତାଗୁଡ଼ାକୁ ମୁଗ୍‌ଧତା ବୋଲି ବୁଝିବାକୁ ଆରମ୍ଭ କରୁଛନ୍ତି । ଦ୍ୱିତୀୟ ମହାଯୁଦ୍ଧ ପରେ ପଶ୍ଚିମ ଜଗତର ପ୍ରାଣଭଙ୍ଗୀକୁ ଯିଏ ଅଧ୍ୟୟନ କରିବାର ଚେଷ୍ଟା କରିବ, ସେ ଅବଶ୍ୟ ଏହି ସତ୍ୟଟିର ଆବିଷ୍କାର କରିପାରିବ । ଇଉରାପରେ ଗତ ଏକଶହ ବର୍ଷ ଭିତରେ ଅନେକ କିଛି ବଦଳିଛି । ମଣିଷ-ଜୀବନର କେତେକ କ୍ଷେତ୍ରରେ ପାଶ୍ଚାତ୍ୟ ସଭ୍ୟତା ଓ ପାଶ୍ଚାତ୍ୟ ବିଚାର ପୃଥିବୀରେ ଆମ ସମସ୍ତଙ୍କୁ ନେତୃତ୍ୱ ଦେଇଛି । ପାଶ୍ଚାତ୍ୟ ଜଗତର ଧନ-ସମ୍ପତ୍ତି, ପଶ୍ଚିମର ଲକ୍ଷ୍ମୀଭଣ୍ଡାର; ପଶ୍ଚିମ ସଂସାରକୁ ସଜାଇ ଓ ମଣ୍ଡାଇ ରଖିଥିବା ଆବଶ୍ୟକ ଓ ଆବଶ୍ୟକତାର ଅତିରିକ୍ତ ଭୂଷଣମାନ, -ଦୂରରେ ଥାଇ ଆମକୁ ପାଶ୍ଚାତ୍ୟ ପୃଥିବୀର ଏହିଗୁଡ଼ାକୁ ହିଁ ସବୁଠାରୁ ଅଧିକ ଆକର୍ଷଣ ବୋଲି ବୋଧହୁଏ; ଏହିଗୁଡ଼ାକ ହିଁ ଆମର ବାସନା ଓ ଲାଳସାରେ କେତେ ଆଘାତ ଦେଇଯାଏ । କିନ୍ତୁ ଇଉରୋପ ଯେ ଆପଣାର ଅତୀତକୁ ବୁଝି ବର୍ତ୍ତମାନର ମୂଳଦୁଆକୁ ଏକ ନୂଆ ପ୍ରକାରେ ଗଢ଼ିବାର ଚିନ୍ତା କରୁଚି, ଅତୀତର ଅନେକ ସାରକୁ କ୍ରମେ ଅସାର ଓ ଅସାର୍ଥକ ବୋଲି ଜାଣିବାର ଏକ ମୂଲ୍ୟବାନ ପରୀକ୍ଷା ଭିତର ଦେଇ ଯେ ଅତିକ୍ରମ କରୁଚି, ଦୂରରେ ଥାଇ ଏହିକଥା ହଠାତ୍‌ ଆମର ଆଖିରେ ପଡ଼େ ନାହିଁ ।

 

ଓଡ଼ିଶାର ଗତ କୋଡ଼ିଏ ବର୍ଷର ସାଂସ୍କୃତିକ ଜଳବାୟୁରେ ବଢ଼ିଥିବା ଜଣେ ମଣିଷ ହିସାବରେ ମୁଁ ଇଉରୋପରେ ଥିବାବେଳେ ଏଥର ଏହିସବୁ ବିଷୟରେ ଅନେକ ଚିନ୍ତା କରିଚି । ଆପଣାର ପଛକୁ ଅନାଇ ଦେଖିଚି, ଆପଣାର ବାସନାଗୁଡ଼ାକୁ ଉଖାରି ଦେଖିବାର ଚେଷ୍ଟା କରିଚି, ଆପଣାର ସାମୂହିକ ବା ଜାତୀୟ ପୃଷ୍ଠଭୂମି ଉପରେ ଏକାଠି ଗଦା ହୋଇ ରହିଥିବା ସାର ଓ ଅସାରକୁ ଅଲଗା କରି ଦେଖିବାକୁ ମଧ୍ୟ ଚେଷ୍ଟା କରିଚି । ମୋର ଏହି ଅବଲୋକନ ପଥରେ ମୁଁ ଯେତିକି ଗଭୀରକୁ ଯାଇଚି, ଗୋଟାଏ କଥା ମୋତେ ସେତିକି ଜଳଜଳ ହୋଇ ଦେଖାଯାଇଚି । ଜାତୀୟତାର ଯୁଗକୁ ଯଦି ଆମ ଓଡ଼ିଶାର ବିବର୍ତ୍ତନ-ପର୍ଯ୍ୟାୟରେ ଏକ ବିଶିଷ୍ଟ ସୋପାନ ବୋଲି ଗ୍ରହଣ କରାଯାଏ, ତେବେ ଉତ୍କଳମଣି ଗୋପବନ୍ଧୁ ମଧ୍ୟ ଏହି ସୋପାନର ଏକ ବିଶିଷ୍ଟ ପ୍ରତିନିଧି ବୋଲି ଗ୍ରହଣ କରାଯିବ । ଯଦି ଆମେ ତାଙ୍କ ସହିତ ଅନ୍ୟ ନେତା ଓ ନାୟକମାନଙ୍କୁ ଗୋଳେଇଘାଣ୍ଟି ପକାଇବା, ତେବେ ହୁଏତ ଆମେ ଆମ ଜାତୀୟତାର ଚେରଗୁଡ଼ାକୁ ଠିକ୍‌ଭାବରେ ଠଉରାଇ ପାରିବା ନାହିଁ ଓ ତେଣୁ ଆମର ଜାତୀୟତାରୁ ଆମେ ଖୁବ୍‌ବେଶୀ ଉପକୃତ ହୋଇପାରିବା ନାହିଁ । ଜାତୀୟତାର ବିଚାର ଓ ଅନୁଶୀଳନ ଗୋପବନ୍ଧୁଙ୍କର ବ୍ୟକ୍ତିତ୍ୱ ଓ ଜୀବନ ଭିତରେ ଯେତେଦୂର ସମଗ୍ର ଓ ତେଣୁ ସୁସ୍ଥ ଭାବରେ ବିକଶିତ ହୋଇପାରିଥିଲା, ଓଡ଼ିଶାର ଆଉ କାହାରି ଜୀବନ ଓ ଦୃଷ୍ଟାନ୍ତରେ ସେତେ ଦୂର ବିକଶିତ ହୋଇପାରିଥିଲା, ବୋଲି ମୋର ମନେହୁଏ ନାହିଁ ।

 

ଆମେ ମାନୁ ବା ନ ମାନୁ, ଜାତୀୟତା ହେଉଛି ଏକ ଇଉେରାପୀୟ ସାମଗ୍ରୀ । ପଣ୍ୟ ରୂପେ ଏହା ଇଉରୋପରୁ ପୃଥିବୀର ନାନା ଦେଶକୁ ଯାଇଚି ଓ ନାନା ଦେଶର ସାମାଜିକ ତଥା ରାଜନୀତିକ ଜୀବନରେ ଏହା ନାନା ପ୍ରକାରେ ବ୍ୟବହୃତ ହୋଇଚି । ଇଉରୋପର ସମ୍ପର୍କରେ ଆସି ହିଁ ଭାରତବର୍ଷ ଜାତୀୟତା ଶିଖିଚି ଓ ପ୍ରଧାନତଃ ଇଉରୋପୀୟ କର୍ତ୍ତୃତ୍ୱକୁ ଏ ଦେଶରୁ ହଟାଇବା ଲାଗି ଜାତୀୟତାବାଦକୁ ଏକ ପ୍ରେରଣାମୂଳକ ଅସ୍ତ୍ରରୂପେ ବ୍ୟବହାର କରିଚି । ଜାତୀୟତାବାଦର ଆନ୍ଦୋଳନ ବାଜି ଗୋଟାଏ ଧର୍ମ ଓ ଗୋଟାଏ ସଂସ୍କୃତିର ପରମ୍ପରାରେ ପ୍ରତିପାଳିତ ଇଉରୋପ କେତେ ଦେଶ ଓ କେତେ ଜାତିରେ ଖଣ୍ଡ ଖଣ୍ଡ ହୋଇଯାଇଚି । ଅନ୍ୟମାନଙ୍କଠାରୁ ଅଲଗା ହୋଇ ବଡ଼ ହେବାର ଏହି ଉତ୍ତେଜନାରେ ହିଁ ଇଉରୋପରେ ଗତ ଦେଢ଼ ଶହ ବର୍ଷ ଭିତରେ ଧନସମ୍ପତ୍ତି ଅନେକ ବଢ଼ିଚି, ସାହିତ୍ୟିକ ଓ ସାଂସ୍କୃତିକ ସାମଗ୍ରୀମାନ ମଧ୍ୟ ହୁଏତ ଦେଢ଼ ଶହ ଗୁଣ ବଢ଼ିଯାଇଚି । ଇଉରୋପରେ ଜାତୀୟତାବାଦ ଆଫ୍ରିକା ଓ ଏସିଆର ଶିକାରଭୂଇଁକୁ ଆସି ଭିନ୍ନ ଭିନ୍ନ ପତାକାତଳେ ପରସ୍ପର ସହିତ ଯୁଦ୍ଧ ମଧ୍ୟ କରିଛି । ଇଉରୋପ ପରି ସାରା ପୃଥିବୀ ମଧ୍ୟ ଭାଗ ଭାଗ ହୋଇଯାଇଚି –ଯିଏ ଯେତେ ବେଶୀ ଉପନିବେଶର ଅଧିକାରୀ ହୋଇପାରିଚି, ଘରେ ସିଏ ଆପଣାକୁ ସେତେ ଶକ୍ତିଶାଳୀ ବୋଲି ଦେଖାଇ ବଡ଼ାଇ କରିଚି । ଏହି ବଡ଼ାଇ ଫଳରେ ଦୁଇ ଦୁଇଟା ଯୁଦ୍ଧ ମଧ୍ୟ ହୋଇଚି । ଦୁଇଟା ଯୁଦ୍ଧପରେ କ୍ଳାନ୍ତ ଇଉରୋପ ଆଜି ଅନ୍ୟ ପଥ ଖୋଜିବାକୁ ଆରମ୍ଭ କରୁଚି, ଅନ୍ୟ ମୂଲ୍ୟର ଅନ୍ୱେଷଣ କରିବାକୁ ଉଦ୍ୟତ ହେଉଚି । ଜାତି ଓ ଜାତୀୟତାକୁ ପିତୁଳାବୋଲି ମାନିନେଲେ ମଣିଷର ସାମୂହିକ ଜୀବନ ଯେ କେତେଦୂର ଅମାନୁଷିକ ହୋଇଯାଇପାରେ, ଗତ ଯୁଦ୍ଧକାଳୀନ ଇଉରୋପ ଓ ବିଗତ ଦେଢ଼ଶହ ବର୍ଷର ଉପନିବେଶ ବଢ଼ାଇବାର ଅଖ୍ୟାତ ଇତିହାସ ତାହାର ପ୍ରମାଣ ହୋଇ ରହିଚି । ଜାତୀୟତାବାଦର ପର୍ଯ୍ୟାୟକୁ ଅଙ୍ଗେ ନିଭାଇସାରି ପଶ୍ଚିମ ଜଗତ ଏବେ ଅଧିକ ମନୁଷ୍ୟୋଚିତ କୌଣସି ପଥର ଆବିଷ୍କାର କରିବାକୁ ବାହାରିଚି ।

 

ଭାରତବର୍ଷ ସମେତ ଏସିଆ ଓ ଆଫ୍ରିକାରେ ଆମେ ଜାତୀୟତାବାଦର ପ୍ରେରଣାରେ ମାତ୍ର ଅଳ୍ପ କେତେ ବର୍ଷ ହେଲା ଅବବାହିବାକୁ ଆରମ୍ଭ କରିଚୁ । ଏହି ନୂତନ ଅବଗାହନରେ ଯେଉଁଠି ଆମେ ଇଉରୋପର ଅଭିଜ୍ଞତାରୁ ଶିଖିବାକୁ ଚେଷ୍ଟା କରୁଚୁ, ସେଠାରେ ଜାତୀୟତାର ପ୍ରେରଣା ଆମର ସାମୂହିକ ଜୀବନରେ ସୁସ୍ଥ ଓ ଶୁଭ ପ୍ରେରଣା ପରି କାର୍ଯ୍ୟ କରୁଚି । କିନ୍ତୁ ଯେତେବେଳେ ଆମେ ଜାତୀୟତାକୁ ପ୍ରଧାନତଃ ଏକ ନିଶାଦ୍ରବ୍ୟ ପରି ଖାଇବସୁଚୁ, ଯେତେବେଳେ କେବଳ ଆଉ କାହାର ଅମଣିଷ ହେବା ଆମକୁ ମଧ୍ୟ ଅନ୍ଧ ଓ ଅମଣିଷ ହେବା ସକାଶେ ସରଞ୍ଜାମ ଯୋଗାଇ ଯାଉଚି, ସେତେବେଳେ ଆମେ ଯେଡ଼େ ସାନ କ୍ଷେତ୍ରରେ ହେଲେ ମଧ୍ୟ ପୃଥିବୀ ଲାଗି ନୂଆ ପ୍ରମାଦ ସୃଷ୍ଟି କରିବାରେ ଲାଗିଚୁ । ପୁଣି ସବୁଠାରୁ ବଡ଼ ପ୍ରମାଦର ବିଷୟ ହେଉଚି ଯେ, ମଣିଷ ହିସାବରେ ଆମେ ଆପଣାର ଉଦୟପଥକୁ ମଧ୍ୟ ବଣା କରି ରଖିଚୁ । ଗୋପବନ୍ଧୁ ମଣିଷର ଉଦୟ ଓ ଜାତୀୟତାର ଉଦୟ ମଧ୍ୟରେ କେବେ କୌଣସି ବିରୋଧ ଦେଖିନଥିଲେ । ବରଂ ଜାତୀୟତାକୁ ସେ ମଣିଷର ଉଦୟ-ପଥରେ ଏକ ସମୟାନୁମୋଦିତ ସାଧନ ରୂପେ ଗ୍ରହଣ କରିଥିଲେ । ଜାତି ଓ ଜାତୀୟତାବାଦ ନାମରେ ନାନା ଉଦ୍‌ଗାର ଓ ଚିତ୍କାର କରୁଥିବା ବେଳେ ଯଦି ଆମେ ମଣିଷକୁ ଆଗ ଓ ଜାତୀୟତାକୁ ତାହାର ପଛ ବୋଲି ଗ୍ରହଣ ନ କରିବା, ତେବେ ଓଡ଼ିଶାରେ ଆମେ ଗୋପବନ୍ଧୁଙ୍କର ଜାତୀୟତାରେ ଦୀକ୍ଷିତ ହୋଇଚୁ ବୋଲି କଦାପି କୁହାଯାଇ ପାରିବ ନାହିଁ ।

 

ରାଜନୀତିକ ସ୍ୱାଧୀନତା ହାସଲ ହେବା ପୂର୍ବରୁ ଜାତୀୟତାବାଦ ଆମ ହାତରେ ବିଦେଶୀ ଶାସନ ସହିତ ଲଢ଼ିବା ଲାଗି କେବଳ ଏକ ଅସ୍ତ୍ର ହୋଇ ରହିଥିଲା । ସେତେବେଳେ ଆମେ ସମସ୍ତେ କେଡ଼େ ଉତ୍ସାହରେ ଆପଣାକୁ ଗୋଟିଏ ଜାତି ବୋଲି ଦେଖାଇବାକୁ ଚେଷ୍ଟା କରୁଥିଲୁ, ବିଦେଶୀ ଶାସନ ଆମର ଏହି ବିରାଟ ଜାତିକୁ କବଳଗତ କରି ରଖିଚି ବୋଲି ଆମେ ନ୍ୟାୟର ଓ ସତ୍ୟର ଦ୍ୱାହି ଦେଇ କେତେ ଅଭିଯୋଗ କରୁଥିଲୁ । ବିଦେଶୀ ଶାସନ ଅପସରି ଯିବାପରେ ଏହି ଦେଶରେ ଜାତୀୟତାବାଦର ପୃଷ୍ଠଭୂମି ପରିବର୍ତ୍ତିତ ହୋଇଯିବା ଉଚିତ ଥିଲା । ଏହି ଦେଶର ସବୁ ମଣିଷ ଖାଇବାକୁ ପାଇଥାଆନ୍ତେ, ସବୁ ମଣିଷଙ୍କ ଲାଗି ସମନୀତିରେ ନ୍ୟାୟ କରାଯାଉଥାଆନ୍ତା ଓ ଶାସନ ଚଳୁଥାଆନ୍ତା, ସବୁ ଘରର ସବୁ ପିଲା ପାଠ ପଢ଼ି ପାରୁଥାଆନ୍ତେ-ଯେକୌଣସି ଜାତୀୟତାବାଦ ଏହାକୁ ହିଁ ଆପଣାର ସର୍ବନିମ୍ନ ଆରୋହଣ-ସୋପାନ ରୂପେ ଗ୍ରହଣ କରିଥିଲେ, ତାହାକୁ ଏକ ସ୍ୱାଭାବିକ ଜାତୀୟତାବାଦ ବୋଲି କୁହାଯାଉଥାଆନ୍ତା । କିନ୍ତୁ ଆମ ଦେଶରେ ଗତ ସତରବର୍ଷ ଭିତରେ ଏହି ପ୍ରଥମ ସୋପାନଟିକୁ ଦୃଢ଼ କରିବା ଲାଗି ବେଶୀ କିଛି କାର୍ଯ୍ୟ କରାଯାଇନାହିଁ । ଏ ଦେଶରେ ଅନେକ ତୋଳା ହୋଇଚି, ଅନେକ ଖୋଳା ହୋଇଚି, ଅନେକ ଟଙ୍କା ସରି ଭବିଷ୍ୟତର ମୋହାବରଣ ଭିତରେ ବର୍ତ୍ତମାନର ଅନେକ ଅକାର୍ଯ୍ୟକୁ ଘଣ୍ଟ ଘୋଡ଼ାଇ ରଖାଯାଇଚି । ଧନୀର ଧନ ବଢ଼ିଛି, ଦରିଦ୍ରର ଦରିଦ୍ରତା ମଧ୍ୟ ବଢ଼ିଛି । ଅରାଜକ ନୀତିହୀନ ରାଜ୍ୟରେ ବଡ଼ ମାଛ ଛୋଟ ମାଛକୁ ଖାଇଲା ପରି ଆମ ଦେଶରେ ମଧ୍ୟ ଗତ କେତେ ବର୍ଷ ଧରି ଚାଲିଥିବା ଜୀବନସଂଗ୍ରାମର ପ୍ରତିଯୋଗିତାରେ ବଡ଼ ଆହୁରି ବଡ଼ ହୋଇଚି ଏବଂ ଛୋଟ ଓ ଅକିଞ୍ଚନ ଅଧିକ ଛୋଟ ଓ ଅକିଞ୍ଚନ ହେବାରେ ଲାଗିଚି । ଯୋଗ୍ୟତାର ପ୍ରଶ୍ନ ଉଠୁ ନାହିଁ ବା ସମର୍ଥତାର ପ୍ରଶ୍ନ ମଧ୍ୟ ଉଠୁନାହିଁ । ଯେକୌଣସି ଉପାୟରେ ଯିଏ ଯାଇ ଆସ୍ଥାନ ମାଡ଼ି ବସିଯାଇ ପାରିଲା, ଏ ଦେଶରେ ସେହି ଭାଗ୍ୟବାନ ହେବାର ସ୍ୱୀକୃତି ପାଉଚି । ଯୋଗ୍ୟ ମଣିଷକୁ ନେଇ ତତ୍ତୁଲ୍ୟ ଦାୟିତ୍ୱର ଆସ୍ଥାନରେ ବସାଯାଉ ନାହିଁ । ଯେଉଁପରି ପଦ୍ଧତିରେ ଯୋଗ୍ୟ ମଣିଷ, ଯେଉଁପରି ପଦ୍ଧତିରେ ଯୋଗ୍ୟ ମଣିଷ ଯୋଗ୍ୟ ଆସ୍ଥାନରେ ଆସି ବସିବାର ସୁଯୋଗ ପାଆନ୍ତି, ସେସବୁ ସଭ୍ୟ ପଦ୍ଧତିକୁ ଆଉ ଗ୍ରହଣ କରାଯାଉନାହିଁ । ତେଣୁ ଯେକୌଣସି ପ୍ରକାରେ ଯେକୌଣସି ଅବସରର ସୁଯୋଗ ନେଇ ଆସ୍ଥାନ ଉପରେ ଆସି ବସିଯିବାର ମଣିଷକୁ ହିଁ ଯୋଗ୍ୟ ମଣିଷ ବୋଲି କୁହାଯାଉଚି ଏବଂ ଆମର ଏହି ଭାଗ୍ୟବାଦୀ ଦେଶରେ ଏହିପରି ଭାବରେ ଯୋଗ୍ୟ ସାବ୍ୟସ୍ତ ହୋଇଥିବା ମଣିଷକୁ ହିଁ ଭାଗ୍ୟବାନ୍‌ ମଣିଷର ଆଖ୍ୟା ଦିଆଯାଉଚି ।

 

ପଣ୍ଡିତ ଗୋପବନ୍ଧୁ ବର୍ତ୍ତମାନ ଓଡ଼ିଶାରେ ଦେହଧରି ରହିଥିଲେ ଏଠି କେଉଁ ପ୍ରକାର ନ୍ୟାୟ ଚଳୁଥାନ୍ତା କେଜାଣି; କିନ୍ତୁ ସେ ଯଦି କୌତୁହଳପରବଶ ହୋଇ ବର୍ତ୍ତମାନ ଓଡ଼ିଶା ଭୂଇଁ ଆଡ଼େ ଥରେ ବୁଲି ଆସନ୍ତେ, ତେବେ ଏହି ଭୂଇଁକୁ ଚଳାଉଥିବା ଆମେ ସମସ୍ତେ ତାଙ୍କୁ ହୁଏତ ଭୂତ ବୋଲି କହନ୍ତୁ । ମତ୍ସ୍ୟ-ନ୍ୟାୟ ଚଳୁଥିବା ଆମର ଏହି ଅଖ୍ୟାତ ଭୂମିରେ ସେ ନିପଟ ବୋକା ବୋଲି ନିନ୍ଦିତ ହୁଅନ୍ତେ । ଓଡ଼ିଶାର ବର୍ତ୍ତମାନ ଅବସ୍ଥାରେ ଆମେ ଗୋପବନ୍ଧୁଙ୍କୁ ନ ଚିହ୍ନିବାର ଏକାଧିକ କାରଣ ମଧ୍ୟ ରହିଚି । ଏହି ରାଜ୍ୟର କୌଣସି କ୍ଷେତ୍ରରେ ତାଙ୍କ ଜୀବନ ବା ବ୍ୟକ୍ତିତ୍ୱର କୌଣସି କଳା ବର୍ତ୍ତମାନ କାମ କରୁଚି ବୋଲି କହିବା ପୂର୍ବରୁ ଆମ ମନରେ ନାନା ଆତ୍ମଦ୍ୱନ୍ଦ୍ୱ ଉପୁଜିବା ଅତ୍ୟନ୍ତ ସ୍ୱାଭାବିକ । ଗୋପବନ୍ଧୁଙ୍କର କଳା ରହିଥିଲେ ଓଡ଼ିଶାରେ ଅନେକ ନେତା ନେତା ହୋଇପାରନ୍ତେ ନାହିଁ, ଅନେକ ମନ୍ତ୍ରୀ ମନ୍ତ୍ରୀ ହୋଇପାରନ୍ତେ ନାହିଁ, ଅନେକ ଅଧ୍ୟାପକ ଅଧ୍ୟାପକ ହୋଇପାରନ୍ତେ ନାହିଁ ବା ସାହିତ୍ୟଧନ୍ଦା କରୁଥିବା ଅନେକ ବ୍ୟକ୍ତି ସାହିତ୍ୟିକ ମଧ୍ୟ ହୋଇପାରନ୍ତେ ନାହିଁ । ତେଣୁ ଓଡ଼ିଶାର ଭୂମିରେ ବିଚରଣ କରୁଥିବାବେଳେ ଗୋପବନ୍ଧୁ ଯେଉଁ ଜାତୀୟତାର ପ୍ରତୀକ ଥିଲେ, ବର୍ତ୍ତମାନ ଓଡ଼ିଶାରେ ସେହି ଜାତୀୟତା ଆମର ଜୀବନକୁ ପ୍ରଭାବିତ କରୁଚି ବୋଲି କିପରି କୁହାଯାଇପାରିବ ? ଗୋପବନ୍ଧୁଙ୍କୁ ଯଦି ଓଡ଼ିଆ ବୋଲାଇବାର ଏକ ଗୁଣାତ୍ମକ ଦୃଷ୍ଟାନ୍ତ ବୋଲି ଧରାଯାଏ, ତେବେ ବର୍ତ୍ତମାନକୁ ଆତଯାତ କରାଉଥିବା ଓଡ଼ିଶାରେ ଆମେ କିପରି ଆପଣାକୁ ଓଡ଼ିଆ ବୋଲି କହିବାର ଅଧିକାରୀ ହୋଇପାରିବା ?

 

ଜାତୀୟତା ସାଧାରଣତଃ ଅନେକ ମଣିଷକୁ ଗୋଟିଏ ଗୋଷ୍ଠୀଗତ ଏକକରେ ବାନ୍ଧିରଖିବା ଉଚିତ, ଏକ ସାଧାରଣ ଲକ୍ଷ୍ୟ ଓ କାର୍ଯ୍ୟକ୍ରମରେ ସେମାନଙ୍କୁ ଅନୁପ୍ରେରିତ କରିବା ମଧ୍ୟ ଉଚିତ । କିନ୍ତୁ କୌଣସି ପ୍ରକାର ଭେକ ପିନ୍ଧିବା ଆଗରୁ ମଣିଷକୁ ମଣିଷ ବୋଲି ସ୍ୱୀକାର ନ କଲେ ଜାତୀୟତାବାଦ ଗୋଷ୍ଠୀକୁ ଗୋଟିଏ କରି ରଖିବା ପରିବର୍ତ୍ତରେ ଏହାକୁ ନାନା ଭାଗ ଓ ବିଭାଗରେ ବିଭକ୍ତ କରିପକାଏ । କୌଣସି ପ୍ରକାର ଆଦର୍ଶରୁ ମଣିଷପଣିଆକୁ ବାଦ ଦେଲେ ଆଦର୍ଶବାଦୀ ସମାଜକୁ ଯେଉଁ ନୃଶଂସ ହୃଦୟହୀନତା ଗ୍ରାସ କରିପକାଏ, ବର୍ତ୍ତମାନ ଆମ ଜାତୀୟତାବାଦର ଦଶା ପ୍ରାୟ ତାହା ହିଁ ହେବାକୁ ଯାଉଚି । ଚୀନ ବା ଆଉ କେଉଁ ଦେଶ ସହିତ ଲଢ଼ିଲାବେଳକୁ ଆମେ ଆପଣାକୁ ଭାରତୀୟ ବୋଲି କହୁଚୁ । ମୁସଲମାନଙ୍କୁ ମାରିବା ବେଳକୁ ଆମେ କେବଳ ହିନ୍ଦୁ ପାଲଟିଯାଉଚୁ । ବଙ୍ଗାଳୀ ବା ବିହାରୀଙ୍କ ସହିତ ବାଦ ଲାଗିଥିଲାବେଳେ ଆମେ ଓଡ଼ିଆ ହୋଇଯାଉଚୁ, ଜିଲ୍ଲା ଜିଲ୍ଲା ମଧ୍ୟରେ ଟଣାଓଟରା ହେଲେ ଆମେ ପ୍ରଧାନତଃ କଟକୀ ବା ସମ୍ବଲପୁରୀ ହୋଇ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପଡ଼ୁଚୁ । ଅଳପ ଚାକିରୀ ପାଇଁ ବେଶୀ ଲୋକଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ହେଲାବେଳେ ଆମେ ଜାତି କହିଲେ କେବଳ ବ୍ରାହ୍ମଣ, କରଣ ବା ଖଣ୍ଡାୟତ ଜାତିକୁ ହିଁ ବୁଝୁଚୁ, ପୁଣି ଆମ ପରିଚିତ ବା ସ୍ୱଜନସଂସାରର ସଂସ୍ଥାନ ଯୋଗାଇଦେବାର ଉତ୍ସାହରେ ଆମେ ଆମ ନିଜର ପୁତୁରା, ଭଣଜା ଓ ଭାଇବିରାଦରମାନଙ୍କୁ ଛାଡ଼ି ଏ ଦେଶରେ ଆଉ କେହି ଯୋଗ୍ୟ ଲୋକ ଅଛନ୍ତି ବୋଲି କଳ୍ପନା ମଧ୍ୟ କରିପାରୁ ନାହୁଁ । ତଥାପି ଆମେ ସମସ୍ତେ ସାମୂହିକ ଜୀବନର ନାନା ପୋଷାକୀ ଅବସର ଓ ଆୟୋଜନରେ ଆପଣାକୁ ଜାତୀୟତା-ଆଦର୍ଶର ଧ୍ୱଜାଧାରୀ ବୋଲି ଘୋଷଣା କରି ବୁଲୁଚୁ- ଭାରତୀୟତାର ଖେଚୁଡ଼ିହାଣ୍ଡି ଭିତରେ ଆମେ ସମସ୍ତେ ବେଶ୍‌ ଆତ୍ମଗୋପନ କରି ରହିଯାଇପାରୁଚୁ । ଫଳରେ ବାହାରେ ଗଣତନ୍ତ୍ରର ଛାମୁଡ଼ିଆ ବନ୍ଧାଯାଉଥିଲେ ମଧ୍ୟ ଆମ ଘର ଭିତରେ କେବଳ ଅଧିକାରୀର ଇଚ୍ଛାତନ୍ତ୍ର ହିଁ ଚାଲୁଚି; ସାମ୍ୟବାଦର ନାମସଂକୀର୍ତ୍ତନ ଚାଲିଥିବାବେଳେ ଆମ ଦେଶରେ ତଥାପି ଅସମାନତାଟା ହିଁ ବଢ଼ିଚାଲିଚି । କେତେଜଣ ମଣିଷଙ୍କର ପୁଷମାସ ବର୍ତ୍ତି ରହିଥିବ ବୋଲି ଅନେକ ମଣିଷଙ୍କୁ ସଭ୍ୟ ଜୀବନର ସକଳ ସୀମା ଓ ସମ୍ଭାବନା ଭିତରୁ ବଞ୍ଚିତ କରି ରଖାଯାଇଚି । ମଣିଷକୁ ଅସମ୍ମାନିତ କରି ରଖିବାର ଫନ୍ଦିରେ ଉପରେ ରହିଥିବା ଆମେ କେତେଜଣ ଅମଣିଷ ବୋଧହୁଏ ଏ ଦେଶରେ ଇତିହାସ ସୃଷ୍ଟି କରିବାକୁ ଯାଉଚୁ ।

 

ଅସମାନତା ସାଙ୍ଗକୁ ଆମ ଦେଶରେ ଅସହିଷ୍ଣୁତା ମଧ୍ୟ ବଢ଼ିଚାଲିଚି । ଆମେ ଆଉ କେହି କାହାରିକୁ ସହିପାରୁନାହୁଁ । ନାନା ବୈଚିତ୍ର୍ୟ ଓ ବିବିଧତା ପ୍ରତି ଏକ ସହନଶୀଳ ଦୃଷ୍ଟି ଅବଲମ୍ବନ କରିବା ହେଉଚି ଭାରତୀୟ ପରମ୍ପରାର ବିଶେଷତ୍ୱ । କଥା କହିବାର ସଭାମଞ୍ଚରେ ଆମେ ଏକଥା ଯେତିକି ଜୋରରେ କହିବାକୁ ଲାଗିଚୁ, ଏଣେ ଅନ୍ୟମତ, ଅନ୍ୟ ବିଚାର ଓ ଅନ୍ୟ ଦୃଷ୍ଟିଭଙ୍ଗୀକୁ ସହିବାର ଧୈର୍ଯ୍ୟ ଆମକୁ ସେତିକି ଛାଡ଼ି ଛାଡ଼ି ଯାଉଚି । ସ୍ୱାଧୀନତା ପରେ ରାଜନୀତି-କ୍ଷେତ୍ରର ପଣ୍ଡାମାନେ ବୋଧହୁଏ ପ୍ରଥମେ ଏହି ଅସହିଷ୍ଣୁତାକୁ ରୁଜୁ କରିଛନ୍ତି । କିନ୍ତୁ ଆମେ ସମସ୍ତେ ଏହି ଦେଶରେ ରାଜନୀତି-କ୍ଷେତ୍ରର ପଣ୍ଡାମାନଙ୍କୁ ଆମର ଆଦର୍ଶ ବୋଲି ଗ୍ରହଣ କରିଚୁ କି କଣ କେଜାଣି, ବର୍ତ୍ତମାନ ଏହି ଅସହିଷ୍ଣୁତା ସର୍ବକ୍ଷେତ୍ରବ୍ୟାପୀ ହେବାକୁ ବସିଲାଣି । ବିଭିନ୍ନତା ଆଉ ଆମକୁ ଭଲ ଲାଗୁନାହିଁ – ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଭଲ ଲାଗୁନାହିଁ । ଫଳତଃ ଆମର ନାନା ମୋହ ଓ ମମତାକୁ ସତ୍ୟସିଦ୍ଧ ମତ ବୋଲି ମାନିନେଇ ଆମେ ସମସ୍ତେ ଦେଶର ରାଜନୀତି, ଶିକ୍ଷା ଓ ସାହିତ୍ୟକୁ ନାନା ଶିବିରରେ ଖଣ୍ଡ ଖଣ୍ଡ କରି ରଖୁଚୁ । ବେଳ ପଡ଼ିଲେ ଆପଣାର କୁଦ ଉପରେ ଆମେ ଅପରକୁ ନାନା ଉଲୁଗୁଣା ଦେଇ ହାସ୍ୟାସ୍ପଦ କରି ଦେଖାଇବାର ଚେଷ୍ଟା କରୁଚୁ । ସହିଷ୍ଣୁତା ଥିବାତକ ଦେଶରେ ବିଚାର ବଢ଼ୁଥାଏ, ସାମାଜିକ ଓ ବ୍ୟକ୍ତିଗତ ବିକାଶ ଲାଗି ନାନା ସମ୍ଭାବ୍ୟ ଦ୍ୱାର ଉନ୍ମୁକ୍ତ ହୋଇ ରହିଥାଏ । ବିଚାରକୁ ଡରିଲେ ଅସହିଷ୍ଣୁତା ବଢ଼େ, ଅସହିଷ୍ଣୁତା ବଢ଼ିବା ସଙ୍ଗେ ସଙ୍ଗେ ମଣିଷ ଆପଣାକୁ ଅଧିକରୁ ଅଧିକ ଅସହାୟ ଅନୁଭବ କରେ । ଏହି ଅନ୍ତର୍ଗତ ଅସହାୟତାର ବଶବର୍ତ୍ତୀ ହୋଇ ସେ ବଡ଼ ଉଗ୍ରଭାବରେ ଗୋଟାଏ ନିୟମର ବାଡ଼ି ବୁଲାଇ ସମସ୍ତଙ୍କୁ ଆପଣା ମତର ବଶ କରିବାକୁ ସଜ ହୁଏ । ଏହା ପରେ ସ୍ୱେଚ୍ଛାଚାର ଓ ଏକଛତ୍ର ଶାସନର ଗ୍ରାସରେ ପଡ଼ିବାକୁ ଆଉ ବେଶୀ ଡେରି ଲାଗେ ନାହିଁ ।

 

ସ୍ୱାଧୀନତା ପରେ ଆଉ ଗୋଟାଏ ବଡ଼ ଲକ୍ଷ୍ୟ କରିବାର କଥା ହେଉଚି ଯେ, ଆମର ଅନୁଭବ କରିବାର ଶକ୍ତି ମଧ୍ୟ ଦିନକୁ ଦିନ କମି କମି ଯାଉଚି । ଗୋପବନ୍ଧୁଙ୍କ ବିଷୟରେ ମତ ଦେଇ କିଏ ତାଙ୍କୁ ଅସାମାନ୍ୟ ବା ସାମାନ୍ୟ କୋଟୀର ସାହିତ୍ୟିକ ବୋଲି କହିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ମୁଁ ଭାବେ ଗୋପବନ୍ଧୁଙ୍କର ତୀକ୍ଷ୍‌ଣତମ ଅନୁଭବ କରିବାର ଶକ୍ତି ହିଁ ତାଙ୍କୁ ଓଡ଼ିଶାର ନାନା କ୍ଷେତ୍ରରେ ଏକ ବିଶିଷ୍ଟ ଗୌରବରେ ମଣ୍ଡିତ କରି ରଖିଚି । ରାଜନୀତି, ସାମ୍ବାଦିକତା, ଶିକ୍ଷା ବା ସାହିତ୍ୟ ଯେଉଁଥିରେ ହେଉ ପଛକେ, ମଣିଷ ସହିତ ଲାଗି ରହିଥିବା ତାଙ୍କ ଜୀବନର ସୂତ୍ର ପ୍ରଧାନତଃ ହୃଦୟର ସୂତ୍ର ହୋଇ ରହିଥିଲା । ଆଖପାଖରେ ବା ଦୂରରେ ଥିବା ମଣିଷର ଜୀବନକୁ ସେ ଆପଣାର ଭାବଚେତନାରେ ଅତି ଅନ୍ତରଙ୍ଗ ଭାବରେ ଅନୁଭବ କରିପାରୁଥିଲେ, ଏହି ସହ-ଅନୁଭୂତି ହିଁ ତାଙ୍କର ସକଳ କର୍ମପ୍ରେରଣାର ପ୍ରଧାନ ଉତ୍‌ପ୍ରେରକ ପରି କାର୍ଯ୍ୟ କରୁଥିଲା । ଆଉ ତାଙ୍କରି ଭୂମି ଏହି ଓଡ଼ିଶାରେ ଆମେ ଆଜି କଣ ଦେଖିବାକୁ ପାଇବା ? ହୃଦୟଦ୍ୱାରା ବୁଝିବା ଅପେକ୍ଷା ଚାଲାଖ ଚତୁର ଓ ସିଆଣିଆ ହେବାକୁ ଆଜି ସଫଳତା ବୋଲି କୁହାଯାଉଚି । ବ୍ୟବସାୟୀର ସବୁ ଥାଏ; କିନ୍ତୁ ଏହି ହୃଦୟଟା ହିଁ ନଥାଏ । ଆମେ ସମସ୍ତେ ଯେଉଁଠି ଯେଉଁ କର୍ମବ୍ରତର ଭେକ ପିନ୍ଧିଥାଉ ପଛକେ, ବ୍ୟବସାୟୀ ହିଁ ଆମର ଯାବତୀୟ ଜୀବନୋଦ୍ୟମରେ ଆଦର୍ଶ ହୋଇ ରହିଚି । ଡାକ୍ତରଖାନାରେ ହୃଦୟ ନାହିଁ, ଅଧ୍ୟାପନାର ସାନବଡ଼ ସବୁ କ୍ଷେତ୍ରରୁ ହୃଦୟକୁ ବିଦାୟ ଦିଆଯାଇଚି, ରାଜନୀତିର ସଫଳତାକାମୀ, ଅଥଚ ଅତୃପ୍ତ ମଣିଷ ବଡ଼ ଧୂର୍ତ୍ତଭାବରେ ଆପଣା କ୍ଷେତ୍ରର ସକଳ ସରହଦରୁ ହୃଦୟକୁ ବାସନ୍ଦ କରି ରଖିଚି । ସବୁଠାରେ ମୂଳତଃ କେବଳ ବ୍ୟବସାୟୀମାନେ ଜୀବନଧନ୍ଦାର ନାନା ବେଶ ଓ ମୁଖା ପିନ୍ଧି ଡାକ୍ତର, ଅଧ୍ୟାପକ ଓ ଲୋକସେବକ ହୋଇ ରହିଛନ୍ତି । ସେମାନଙ୍କୁ ଥରେ ଥିର ଭାବରେ ଏସବୁ ପ୍ରସଙ୍ଗ ପଚାରିଲେ ସେମାନେ କହିବେ, ଆଜି ସମସ୍ତେ କେବଳ ଏହା ହିଁ କରୁଚନ୍ତି; ତେଣୁ ମୁଖା ନ ପିନ୍ଧିଲେ ଆଉ ଚଳିବ କିପରି ? କେବଳ ଅନୁଭୂତିର ଦ୍ୱାର ବନ୍ଦ ହୋଇଗଲେ ଏପରି ହୁଏ । କୋଠା ବଢ଼େ, କାରଖାନା ବଢ଼େ, କ୍ଷମତା ବଢ଼େ, ଅପରକୁ ମାଡ଼ି ଦଳିଦେଇ ଆଗକୁ ଚାଲିଯିବାର କ୍ଷୟକାରୀ ପ୍ରବୃତ୍ତି ବଢ଼େ; କିନ୍ତୁ ମଣିଷ ମରିଯାଏ, କାରଣ ହୃଦୟ ମରିଯାଏ । ଗୋପବନ୍ଧୁଙ୍କ ଅପେକ୍ଷା ଓଡ଼ିଶାର ଆଉ କିଏ ଏହି ସତ୍ୟର ଅଧିକ ପରିପୂର୍ଣ୍ଣ ନିଦର୍ଶନ ହୋଇ ରହିଚନ୍ତି, ସେକଥା ମୋତେ ଜଣା ନାହିଁ-

 

ଗୋପବନ୍ଧୁଙ୍କୁ ଓଡ଼ିଆ ବୋଲି କହି ଗର୍ବ କରିବା ଲାଗି ଆମର ଖୁବ୍ ବେଶୀ କାରଣ ରହିଚି ବୋଲି ମୁଁ ବିଶ୍ୱାସ କରେ ନାହିଁ । କାରଣ ମୁଁ ବିଶ୍ୱାସ କରେ ଯେ, ବ୍ୟକ୍ତି ହିଁ ଜାତିର ଗୌରବ ବଢ଼ାଏ; ମାତ୍ର ଜାତି ବ୍ୟକ୍ତିର ଗୌରବ ବଢ଼ାଏ ନାହିଁ । ଆମର ଗୋଷ୍ଠୀଜୀବନ ଆମକୁ କେବଳ ସମ୍ଭାବନା ଯୋଗାଇଦିଏ । ସେହି ସମ୍ଭାବନାକୁ ଆମେ କିପରି ଭାବରେ ବ୍ୟବହାର କରି କ’ଣ ହେବୁ ବା ନହେବୁ, ତାହା ମୂଳତଃ ଆମ ଉପରେ ନିର୍ଭର କରେ । ବ୍ୟକ୍ତିର ଐଶ୍ୱର୍ଯ୍ୟ ହିଁ ଜାତିର ଐଶ୍ୱର୍ଯ୍ୟ ବଢ଼ାଇଥାଏ । ଐଶ୍ୱର୍ଯ୍ୟହୀନ ବ୍ୟକ୍ତି ଆପଣା ଜୀବନର ନିରର୍ଥକତାଗୁଡ଼ାକୁ ଘେଡ଼ାଇ ରଖିବ ବୋଲି ଜାତି ଓ ଜାତୀୟତାର ବଡ଼େଇ କରେ । କିନ୍ତୁ ତଦ୍ଦ୍ୱାରା କେବଳ ଉତ୍ତେଳନା ବଢ଼େ । ଏହିପରି ବ୍ୟକ୍ତି ବା ଗୋଷ୍ଠୀ ହାତରେ ସମାଜକୁ ଚଳାଇବାର କ୍ଷମତା ଆସି ପହଞ୍ଚିଲେ କେବଳ ଗୋଟାଏ ଜାତି ବା ଗୋଟାଏ ଦେଶ ନୁହେ, ଗୋଟାଏ ଗୋଟାଏ ଯୁଗ ମଧ୍ୟ କକ୍ଷଭ୍ରଷ୍ଟ ହୋଇଯାଏ । ଇତିହାସରେ ଏହାର ଅନେକ ପ୍ରମାଣ ରହିଚି । ପୁଣି କେବଳ ସାମଗ୍ରୀ ବଢ଼ିଲେ ଯେ ଜୀବନର ଐଶ୍ୱର୍ଯ୍ୟ ଆପେ ଆପେ ବଢ଼ିଯାଏ, ଖାଲି ଏ ଦେଶର ସଂସ୍କୃତିରେ ନୁହେଁ; ଇଉରୋପର ସଂସ୍କୃତିରେ ମଧ୍ୟ କୌଣସି ଚିନ୍ତାଶୀଳ ବ୍ୟକ୍ତି କୌଣସି କାଳେ ଏପରି କହିନାହାନ୍ତି । ଗୁଡ଼ାଏ କ୍ଷମତା ବଢ଼ିଲେ ମଧ୍ୟ ମଣିଷ ସେଇଥିରେ ବଡ଼ ହୋଇଯାଏ ନାହିଁ, ଆପଣାର କ୍ଷମତାକୁ ମଣିଷ ଯେପରି ଯୋଗ୍ୟ ବା ଅଯୋଗ୍ୟ ଭାବରେ ବ୍ୟବହାର କରେ, ତାହାହିଁ ତାର ଶ୍ରୀସମ୍ପନ୍ନତା ବା ଶ୍ରୀହୀନତାକୁ ନିୟନ୍ତ୍ରିତ କରିଥାଏ ।

 

ଗୋପବନ୍ଧୁଙ୍କର ପଇତା ପିନ୍ଧି ଓଡ଼ିଶାରେ ଆପଣା ଚାରିପାଖକୁ ଅନାଇଲେ ମନରେ ଏହିସବୁ ଭାବନା ଉଦିତ ହୋଇଥାଏ । ତାଙ୍କର ଶ୍ରାଦ୍ଧବାସରେ ଦେଶକୁ ଓ ଜାତିମନକୁ କାମୁଡ଼ି ଧରିଥିବା ଅଶ୍ରଦ୍ଧାଗୁଡ଼ାକ ହିଁ ଆଗ ଆସି ହୃଦୟରେ ଆଘାତ ଦେଇଯାଆନ୍ତି । ଏହି ଅଶ୍ରଦ୍ଧା ଉତ୍ତେଜିତ କରେ ନାହିଁ, ଉନ୍ମତ୍ତ ମଧ୍ୟ କରେ ନାହିଁ । କେଉଁଠି ଗୋଟାଏ ଥାନରେ ସବୁ ଦୋଷଗୁଡ଼ିକ ଢାଳିଦେଇ ଆପେ ଶୁଦ୍ଧ ହୋଇ ବସିଯିବାକୁ ମଧ୍ୟ କୌଣସି ଆସ୍ପର୍ଦ୍ଧା ହୁଏନାହିଁ । ଗୋପବନ୍ଧୁ ଥିଲେ ଆମକୁ କି ପ୍ରତିକାରର ବାଟ ଦେଖାଉଥାଆନ୍ତେ କେଜାଣି ? ଚତୁର୍ଦ୍ଦିଗର ସ୍ଥିତିକୁ ଦେଖି ଆଜି ଭିତରୁ ଗୋଟାଏ ଉଦ୍‌ବୋଧନ ହିଁ ଅନୁଭବ ହୋଇଥାଏ । ଗୋପବନ୍ଧୁଙ୍କର କର୍ମଯୋଗ କୌଣସି ବିଷାଦଯୋଗରୁ ଆରମ୍ଭ ହୋଇନଥିଲା । ମଣିଷ ହିସାବରେ ପ୍ରତିବେଶୀ ମଣିଷ ସହିତ ହୃଦୟସୂତ୍ରରେ ସମ୍ମିଳିତ ହୋଇ ରହିଥିଲେ, ସେଥିରୁ ଯେଉଁ ଶ୍ରଦ୍ଧା ନିଷ୍ପନ୍ନ ହୁଏ, ସେହି ଶ୍ରଦ୍ଧା ହିଁ ଗୋପବନ୍ଧୁଙ୍କୁ ବିବିଧ କର୍ମପଥରେ ପ୍ରେରିତ କରି ନେଉଥିଲା । କିନ୍ତୁ କେବଳ ଧର୍ମ ଉପରେ ଅବିଚଳିତ ବିଶ୍ୱାସ ରହିଥିଲେ ଯାଇ ଏହି ଶ୍ରଦ୍ଧାକୁ ଅନୁଭବ କରିହୁଏ । ଏହି ଧର୍ମ କୌଣସି ପନ୍ଥାର ପାଖଣ୍ଡ ଭିତରେ ବାନ୍ଧି ହୋଇ ରହିବାର ଧର୍ମ ନୁହେଁ; ଜାତି, ଦେଶ ବା ବାଦକୁ ପିତୁଳା କରି ତାହାକୁ ପୂଜା କରିବାର ତାମସ ଧର୍ମ ଏ ନୁହେଁ । ସକଳ ଅସତ୍ ସତ୍ତ୍ୱେ ସତ୍‌ଆଡ଼କୁ ଅଭିମୁଖୀ ହୋଇ ରହିବାକୁ, ସଳକ ମୃତ୍ୟୁ ଓ ସକଳ ବିଲୟ ସତ୍ତ୍ୱେ ତଥାପି ଅମୃତ ଜୀବନର ଆଚରଣ କରିବାକୁ ଏବଂ ବହୁଜନସମର୍ଥିତ ସକଳ ଅନ୍ଧକାର ସତ୍ତ୍ୱେ ଆଲୋକ ଆଡ଼କୁ ଅନ୍ତରର ଗବାକ୍ଷ ଖୋଲି ରଖିବାକୁ ହୃଦୟ ଯେଉଁ ନିର୍ଭୟ ଧର୍ମରେ ବନ୍ଧାହୋଇ ରହିଥିବା ଦରକାର, ମୁଁ ସେଇ ଧର୍ମର କଥା କହୁଚି । ଆଜି ମଧ୍ୟ ଏହି ଧର୍ମ ଯାହାକୁ ଉଦ୍‌ବୋଧନ ଦେଇପାରୁଚି, କେବଳ ସେଇ ଆଜିର ସ୍ଥିତିକୁ ବଦଳାଇପାରିବ । ଏପରି ମଣିଷ ସବୁ ଯୁଗରେ ଓ ସବୁ ଦେଶରେ ରହି ଆସିଚନ୍ତି ଓ ଏହିମାନଙ୍କ ଦ୍ୱାରା ହିଁ ଯୁଗ ବଦଳିଚି । ଯୁଗକୁ ମାନି ନେଇଥିବା ସଫଳ ମଣିଷଦ୍ୱାରା କିଛି ବଦଳି ନାହିଁ । ଓଡ଼ିଶାର ଜଣେ ମଣିଷ ହିସାବରେ ମୁଁ ଏହି ସତ୍ୟରେ ଆସ୍ଥା ରଖିବା ଲାଗି ଗୋପବନ୍ଧୁଙ୍କଠାରୁ ସବୁଠାରୁ ଅଧିକ ଉଦ୍‌ବୋଧନ ପାଇଆସିଚି; ଆଜି ମଧ୍ୟ ପାଉଚି । ସେଥିଲାଗି ତାଙ୍କର ଶ୍ରାଦ୍ଧବାସରକୁ ମୁଁ ମୋର ଶ୍ରଦ୍ଧାର ପରୀକ୍ଷା-ବାସର ବୋଲି ଗ୍ରହଣ କରିନେଇଚି ।

 

ଆମେରିକାର ଅଧ୍ୟାପକ David Riesman ଅଳ୍ପ କେତେ ବର୍ଷ ତଳେ ଆପଣାର ଗୋଟିଏ ପ୍ରବନ୍ଧରେ ଠିକ୍ ଏହି ବିଷୟରେ ଆଲୋଚନା କରିଚନ୍ତି । ଦେଶ, ଜାତି, ସାମରିକ ଓ ରାଜନୀତିକ କ୍ଷମତା, ଯନ୍ତ୍ର ଓ ଯନ୍ତ୍ରବାଦୀ ଜୀବନନୀତିକୁ ଗୋଟିଏ ଗୋଟିଏ ପିତୁଳାରେ ପରିଣତ କରିଦେଇଥିବା ଆମର ଏହି କ୍ଷୟିଷ୍ଣୁ ପୃଥିବୀରେ ତଥାପି ଯେଉଁମାନେ ସୁନ୍ଦର ଓ ସୁଗଠିତ ଜୀବନର ସ୍ୱପ୍ନ ଦେଖୁଚନ୍ତି ଓ ବିଶ୍ୱାସର ସହିତ ସେହିପରି ଜୀବନର ବୃଦ୍ଧି ଲାଗି ଆପଣାର ସକଳ ଶକ୍ତି ଏବଂ ପ୍ରବୃତ୍ତିକୁ ନିୟୋଜିତ କରୁଛନ୍ତି, ରିସ୍‌ମାନ ସେମାନଙ୍କୁ ଅନ୍ତର ଭିତରେ ଆହୁରି ବଳିଷ୍ଠ ହେବାକୁ କହିଚନ୍ତି । ବଳିଷ୍ଠ ହେବାର ଏହି ଗୁଣକୁ ସେ never of failure ବୋଲି ଉଲ୍ଲେଖ କରିଚନ୍ତି । ବାହାର ଜୀବନର ସଞ୍ଚୟ ଓ ସମୃଦ୍ଧି ନାନା ପ୍ରକାରେ ବିଫଳ ହୋଇ ମଧ୍ୟ ଏମାନଙ୍କୁ ଆପଣାର ବିଶ୍ୱାସକୁ ବଳିଷ୍ଠ ରଖିବାକୁ ପଡ଼ିବ । ହାସ୍ୟାସ୍ପଦ ହୋଇ ମଧ୍ୟ ତଥାପି ଆପଣା ବିଶ୍ୱାସର ବିବେକକୁ ବିବେକ ବୋଲି ମାନିବାକୁ ପଡ଼ିବ । ଏହି ବିବେକ କୌଣସି ସମ୍ରାଟ ବା କୌଣସି ଗୋଷ୍ଠୀର ଖିଆଲକୁ ମାନି ନେବନାହିଁ, ଯକ୍ଷଘରର ଝଲମଲ ଦେଖି ତା’ର ବିବେକଆଖି କୌଣସି ଦିନ ବୁଜି ହୋଇଯିବ ନାହିଁ । ବାଧ୍ୟ ଓ ସଫଳ ମଣିଷଙ୍କର ପଲଭିତରେ ତଥାପି ଏକ ବ୍ୟତିକ୍ରମ ହୋଇ ରହିବାକୁ ତାକୁ ଲାଜ ମାଡ଼ିବ ନାହିଁ, ଡର ମଧ୍ୟ ମାଡ଼ିବ ନାହିଁ । ତେବେ ଯାଇ ସେମାନଙ୍କର ସମୟ ଅବଶ୍ୟ ଆସିବ ।

 

ଓଡ଼ିଶାରେ ଥିଲେ ଗୋପବନ୍ଧୁ ଖୁବ୍‌ସମ୍ଭବ ଏହିପରି ଏକ ବ୍ୟତିକ୍ରମ ହୋଇ ରହିଥାନ୍ତେ । ସବୁ ଶିବିରର ଚାଲାଖ ମଣିଷମାନେ ତାଙ୍କୁ ଖୁବ୍‌ସମ୍ଭବ ନିର୍ବୋଧ ବୋଲି କହୁଥାନ୍ତେ । ଆଜି ଓଡ଼ିଶାରେ ଏପରି ନିର୍ବୋଧ ବୋଲାଇବାର ସାହସୀ ମଣିଷ କେତେଜଣ ଅଛନ୍ତି କେଜାଣି ? ଆମ ଶାସ୍ତ୍ରରେ ଭକ୍ତିକୁ ‘ସ୍ୱ-ସ୍ୱରୂପାନୁସନ୍ଧାନଂ’ ବୋଲି କୁହାଯାଇଛି । ଆମର ଜଣେ ଅତି ଆପଣାର ମଣିଷ ଗୋପବନ୍ଧୁଙ୍କୁ ଭକ୍ତି ପ୍ରଦର୍ଶନ କଲାବେଳେ ଆମେ କଣ ଏହିପରି ଏକ ଅନୁସନ୍ଧାନ ଲାଗି ମନ ବଳାଇପାରିବା ?

 

(‘ସମାଜ’, ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା, ୧୯୬୪)

Image

 

ଗୋପବନ୍ଧୁ ଦରକାର

 

ଓଡ଼ିଶାର ସାଧାରଣ କ୍ଷେତ୍ରରେ ଆତଯାତ ହେଉଥିବା ଗୁରୁଜନମାନେ ମୋ’ ସହିତ ଏକମତ ହୋଇ ନିଶ୍ଚୟ କହିବେ ଯେ ଉତ୍କଳମଣି ଗୋପବନ୍ଧୁ ହିଁ ଓଡ଼ିଶାରେ ଜାତୀୟ କଂଗ୍ରେସର ସ୍ଥାପନା କରିଥିଲେ । ଜାତୀୟ କଂଗ୍ରେସର ନେତୃତ୍ୱରେ ସମଗ୍ର ଭାରତବର୍ଷରେ ସ୍ୱାଧୀନତାର ଯେଉଁ ଆକାଙ୍‌କ୍ଷା ଏକ ଜାତୀୟ ଆନ୍ଦୋଳନ ରୂପେ ଜନ୍ମଲାଭ କରିଥିଲା, ସେହି ଆକାଙ୍‌କ୍ଷାର ପ୍ରବାହକୁ ପଣ୍ଡିତ ଗୋପବନ୍ଧୁ ଓଡ଼ିଶାଖଣ୍ଡକୁ ଆଣିବାରେ ପୁରୋଧା ରୂପେ କାର୍ଯ୍ୟ କରିଥିଲେ । ଓଡ଼ିଶା ସ୍ତରରେ ଗୋପବନ୍ଧୁ ଯାହା, ସର୍ବଭାରତୀୟ ସ୍ତରରେ ମହାତ୍ମା ଗାନ୍ଧୀ ମଧ୍ୟ ସେଇଆ । ଗାନ୍ଧୀ ହେଉଛନ୍ତି ଜାତୀୟ ସ୍ୱାଧୀନତାର ଜନକ । ଜାତି ଓ ଜାତୀୟତା କହିଲେ ଆଧୁନିକ ଭାରତବର୍ଷରେ ସାଧାରଣତଃ ଯାହାସବୁ ବୁଝାଇବା ଉଚିତ, ତାହାସବୁ ପ୍ରଧାନତଃ ଗାନ୍ଧୀଙ୍କର ହାତରେ ଓ ଗାନ୍ଧୀଙ୍କ ବିଚାରଦ୍ୱାରା ଜୁଆ ହୋଇଚି । ୧୯୪୭ ମସିହାରେ ଭାରତବର୍ଷ ସ୍ୱାଧୀନତା ଲାଭ କଲା, ଭାରତୀୟ ଜାତୀୟ କଂଗ୍ରେସର ବିଜୟବାନା ଉଡ଼ିଲା । ୧୯୪୮ ମସିହା ଆରମ୍ଭରେ ହିଁ ଗାନ୍ଧୀଙ୍କର ଦେହାବସାନ ଘଟିଲା । ଏହି ଦୁଇଟି ଘଣାର ପ୍ରାୟ କୋଡ଼ିଏ ବର୍ଷ ପରେ ଓଡ଼ିଶାରେ ଏବେ ଯାହା ଘଟିଲା ତାକୁ ଜାତୀୟ କଂଗ୍ରେସ ପକ୍ଷରେ ଗୋଟିଏ ବିପର୍ଯ୍ୟୟ ବୋଲି କୁହାଯାଇପାରିବ । ଏପର୍ଯ୍ୟନ୍ତ ଓଡ଼ିଶାର ଲୋକେ କଂଗ୍ରେସକୁ ହିଁ ଶାସନ ଗାଦୀରେ ବସାଇଆସୁଥିଲେ । ଏଥର ସେହି ଲୋକମାନେ କଂଗ୍ରେସକୁ ଗାଦିରୁ ହଟାଇବାର ମାନସରେ ଅନ୍ୟମାନଙ୍କୁ ଆଣି ଗାଦିରେ ବସାଇଲେ । ଏପରି ହେଲା କାହିଁକି ? ଏହାଦ୍ୱାରା ଏକ ପୁରାତନ ଯୁଗର ଅନ୍ତ ହେଲା ନା ଏକ ନୂତନ ଯୁଗର ଆରମ୍ଭ ହେଲା ? ଉତ୍କଳମଣି ଗୋପବନ୍ଧୁ ଦେହଛାଡ଼ି ଯିବା ବର୍ତ୍ତମାନକୁ ପ୍ରାୟ ପୁରୁଷେ ହେବାକୁ ବସିଲାଣି । ତଥାପି ତାଙ୍କରି ହାତରେ ଯେତେବେଳେ ଓଡ଼ିଶାରେ ଜାତୀୟ ସ୍ୱାଧୀନତା ଓ ଜାତୀୟ କଂଗ୍ରେସର ପ୍ରଥମ ମହୁଡ଼ ମରାହୋଇଥିଲା, ସେତେବେଳେ ଆଜି ଜାତୀୟ କ୍ଷେତ୍ରରେ ନାନାପ୍ରକାର ଗାଦି ବଦଳା ହେଉଥିବା ଦେଖି ଗୋପବନ୍ଧୁ ମନେପଡ଼ିବା ହିଁ ବଡ଼ ସ୍ୱାଭାବିକ । ଗୋପବନ୍ଧୁ ଯାହା ଚାହିଁଥିଲେ ବା ଯାହା କରିଥିଲେ, ଓଡ଼ିଶାର ଜୀବନ-ଦାଣ୍ଡରେ ବାଟ ଚାଲିବାବେଳେ ଜାତୀୟତା ବିଷୟରେ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ସେସବୁର ମିଆଦ କଣ କେବଳ କୋଡ଼ିଏ ବର୍ଷ ହିଁ ଥିଲା ?

 

କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଆମେ ବର୍ତ୍ତମାନ ଏପରି ଏକ ପର୍ଯ୍ୟାୟରେ ଆସି ପହଞ୍ଚିଛୁ, ଯେତେବେଳେ କି ଆମକୁ ଜାତୀୟତା ଓ ଜାତୀୟତା-ବାଦର ସଦର ମଫସଲ ବିଷୟରେ ଗଭୀର ଭାବରେ ବିଚାର କରିବାକୁ ପଡ଼ିବ । ଜାତୀୟତାବାଦ ଭାରତବର୍ଷର ନିଜସ୍ୱ ସମ୍ପତ୍ତି ନୁହେଁ, ଏହା ଇଉରୋପର । ପାଶ୍ଚାତ୍ୟ ସଭ୍ୟତାର ଇଉରୋପର ପରମ୍ପରାରେ ହିଁ ପୃଥିବୀରେ ସର୍ବପ୍ରଥମେ ଆପଣା ଦେଶକୁ ଆପଣାର ମାଆ ବୋଲି କୁହାଯାଇଛି । ଆମ ଭାରତବର୍ଷର ସଂସ୍କୃତିରେ ତ ମାଟିକୁ ମାଆ ବୋଲି କୁହାଯାଇଛି । ଆମ ଦେଶରେ କୌଣସି ଏକ ନିର୍ଦ୍ଦିଷ୍ଟ କୁଳରେ ଜନ୍ମ ହେବାକୁ ଯେତିକି ମହତ୍ୱପୂର୍ଣ୍ଣ ଓ ଯେତିକି ନିର୍ଣ୍ଣୟକାରୀ ବୋଲି ଗ୍ରହଣ କରାଯାଇଛି, ଇଉରୋପରେ ଅନେକଦିନରୁ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ବା ଜନପଦରେ ଜନ୍ମିବାକୁ ସେତିକି ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ନିର୍ଦ୍ଦିଷ୍ଟ ଅଞ୍ଚଳ ବା ଜନପଦର ପ୍ରତୀକ ରୂପେ ସେଠି ଠାକୁର ଓ ଠାକୁରାଣୀମାନଙ୍କର କଳ୍ପନା କରାଯାଇଚି । ଆମଦେଶର ସଂସ୍କୃତିରେ କୌଳିକ କର୍ତ୍ତବ୍ୟ ଓ ଅନୁରକ୍ତିଗୁଡ଼ିକୁ ଯେତିକି ପ୍ରଧାନ ବୋଲି କୁହାଯାଇଛି, ଇଉରୋପରେ ଆପଣା ଦେଶ ବା ଆପଣାର ରାଷ୍ଟ୍ରୀୟ ସମୂହ ପ୍ରତି ରହିଥିବା କର୍ତ୍ତବ୍ୟ ଓ ଅନୁରକ୍ତିଗୁଡ଼ିକୁ ସେତିକି ପ୍ରଧାନ ବୋଲି ଘୋଷଣା କରାଯାଇଛି । ଆମଦେଶର ପରମ୍ପରାରେ କୁଳକୁ ନେଇ ମଣିଷ ଯେତିକି ଗୌରବ ଓ ଗର୍ବ ଅନୁଭବ କରି ଶିଖିଛି, ଇଉରୋପୀୟ ପରମ୍ପରାରେ ନିଜ ଦେଶ ବା ଜାତିକି ନେଇ ମଣିଷ ସେତିକି ଗର୍ବ ଓ ଗୌରବ ଅନୁଭବ କରିବାର ଶିକ୍ଷା ପାଇଛି । ଆଧୁନିକ ଜଗତରେ ଆଜି ଇଉରୋପ ଓ ପୁରାତନ ଗ୍ରୀସ୍‌ର ପ୍ରତିନିଧିତ୍ୱ କରୁଥିବା ଦାର୍ଶନିକ ସକ୍ରେଟିସ୍‌ ଓ ପ୍ଲେଟୋଙ୍କ ବିଷୟରେ ଅପବାଦ ରହିଚି ଯେ ସେମାନେ ତିନୋଟି କାରଣରୁ ଆପଣାର ଭାଗ୍ୟଦେବତା ପାଖରେ କୃତଜ୍ଞତା ଜ୍ଞାପନ କରୁଥିଲେ । ଭାଗ୍ୟ ସେମାନଙ୍କୁ ମଣିଷର ଶରୀର ଦେଇଚି, ପଶୁର ଶରୀର ଦେଇନାହିଁ; ପୁରୁଷ ଜନ୍ମ ଦେଇଚି, ସ୍ତ୍ରୀ ଜନ୍ମ ଦେଇନାହିଁ; ଗ୍ରୀସ୍‌ଦେଶରେ ଜଣେ ନାଗରିକ ଭାବରେ ଜନ୍ମ ଦେଇଚି, ଅନ୍ୟ କୌଣସି ଦେଶରେ ମ୍ଳେଚ୍ଛ ହିସାବରେ ଜନ୍ମ ଦେଇନାହିଁ । ଏଥିଲାଗି ସେମାନେ ଭାଗ୍ୟ ପାଖରେ ବାରଂବାର ଆପଣାର କୃତଜ୍ଞତା ପ୍ରକାଶ କରୁଥିଲେ । କହିବା ବାହୁଲ୍ୟ, ସବୁ ଦେଶ ପରି ଗ୍ରୀସ୍‌ରେ ମଧ୍ୟ ସେମାନେ ଏହିସବୁ ମୋହୋକ୍ତିର କ୍ଷେତ୍ରରେ ସାଧାରଣ ମଣିଷର ଆଖିରେ ଆଦର୍ଶ ଦୃଷ୍ଟାନ୍ତ ହୋଇ ରହିଥିବେ । ଅର୍ଥାତ୍‌ ଗ୍ରୀସ୍‌ର ସାଧାରଣ ନାଗରିକ ମଧ୍ୟ ସେହି ପ୍ରାଚୀନ କାଳରେ ଆପଣାକୁ ଗ୍ରୀସ୍‌ ରାଜ୍ୟର ଭାଗ୍ୟବନ୍ତ ନାଗରିକ ବୋଲି ଭାବି ଗର୍ବ ଅନୁଭବ କରିବା ଆଦୌ ବିଚିତ୍ର କଥା ନ ଥିଲା ।

 

ମାତ୍ର ଏହିପରି ଭାବିବାର ମଞ୍ଜି ଇଉରୋପ ମାଟିରେ ଅନେକ ଦିନରୁ ପଡ଼ିଥିଲେ ମଧ୍ୟ ଆଧୁନିକ ଅର୍ଥରେ ଦେଶ ଓ ଜାତୀୟତାର ବିଚାରଗୁଡ଼ିକ ଆଦୌ ବେଶୀ ଦିନର କଥା ନୁହେଁ । ଏହାର ଇତିହାସ ପ୍ରାୟ ମୋଟେ ଦୁଇଶହ ବର୍ଷର ଇତିହାସ । ତା’ ପୂର୍ବରୁ ଏହିସବୁ ଶବ୍ଦର ବ୍ୟବହାର ହେଉଥିଲା ଓ ଏଥିରୁ ପ୍ରେରଣା ପାଇବାର ମଣିଷ ପୂର୍ବେ ମଧ୍ୟ ରହିଥିଲେ । କିନ୍ତୁ କେବଳ ବ୍ୟକ୍ତିବିଶେଷ ହିଁ ଏହି ଶବ୍ଦଗୁଡ଼ିକର ବ୍ୟବହାର କରୁଥିଲେ ଓ ଏଥିରୁ ପ୍ରେରଣା ପାଉଥିଲେ-। ଜାତି କହିଲେ ଭାବୁକତାର ବେଢ଼ ଭିତରେ ହୁଏତ ସମଗ୍ର ଦେଶଟାକୁ ଅନ୍ତର୍ଗତ କରିଦିଆଯାଇଥିଲା, ମାତ୍ର ଦେଶର ସବୁ ମଣିଷଙ୍କୁ ସେତେବେଳେ ଜାତିର ପଂକ୍ତି ଭିତରେ ଆଦୌ ଗଣାଯାଉନଥିଲା । ଆଜିକୁ ଚାରିଶହ ବର୍ଷ ତଳର ଜର୍ମାନୀ ଦେଶରେ ତତ୍କାଳୀନ ଧର୍ମକଳହର ନେତା ମାଟିନ୍‌ଲୁଥର୍‌ ଜର୍ମାନ ଜାତି କହିଲେ କେବଳ ବିଶପ୍‌ବା ଧର୍ମଯାଜକ ଓ ରାଜ୍ୟର ଶାସକମାନଙ୍କୁ ବୁଝୁଥିଲେ । ପୃଥିବୀପୃଷ୍ଠରେ ଦଣ୍ଡଧାରୀ ଶାସକ ହିସାବରେ ରାଜାମାନଙ୍କୁ ତ ଆଗ ଜାତିତ୍ୱବାଚୀ ଗଣ ଭିତରେ ଅନ୍ତର୍ଭୁକ୍ତ କରି ରଖାଯିବାର କଥା । ଇହଲୋକ ପରି ପରଲୋକରେ ମଧ୍ୟ ଶାସକ ହିସାବରେ ଯେଉଁ ଭଗବାନ ଅଛନ୍ତି, ଏଠି ଧର୍ମଯାଜକମାନେ କେବଳ ତାଙ୍କରି ସନ୍ତକ ହିସାବରେ ରହିଚନ୍ତି । ତେଣୁ ସେମାନଙ୍କୁ ମଧ୍ୟ ଜାତି ଭିତରେ ଅନ୍ତର୍ଗତ କରି ରଖିବାରେ ଲୁଥର୍‌ଙ୍କର କୌଣସି ଆପତ୍ତି ହେବାର ପ୍ରଶ୍ନ ନ ଥିଲା । ମାତ୍ର ଏମାନଙ୍କୁ ଛାଡ଼ିଦେଲେ ଅନ୍ୟାନ୍ୟ ମଣିଷ ଯାବତୀୟ ଦୃଷ୍ଟିରୁ ମଣିଷ ପରି ଦେଖାଯାଉଥିଲେ ମଧ୍ୟ ସେମାନଙ୍କୁ ଜାତିର ଚାରିହତା ଭିତରେ ପୂରାଇବାଟା ଆଦୌ ସଙ୍ଗତ ବୋଲି ବିଚାର କରାଯାଉ ନ ଥିଲା । ସେମାନେ ଦେଶ ଭିତରେ ଅବଶ୍ୟ ରହିଥିଲେ; ମାତ୍ର ଜାତିର ବିଶେଷାୟତନରେ ସେମାନେ ଭାଗ୍ୟବନ୍ତମାନଙ୍କର ପ୍ରଧାନତଃ ପରିକର ହିସାବରେ ହିଁ ରହିଥିଲେ । ଠିକ୍‌ ଏହି ଯୁକ୍ତିଦ୍ୱାରା ପରିଚାଳିତ ହୋଇ ପ୍ରାୟ ଦୁଇଶହ ବର୍ଷତଳେ ଫ୍ରାନ୍‌ସର ଜଣେ ସମ୍ରାଟ କଥାଟାକୁ ଅଧିକ ସ୍ପଷ୍ଟ କରିଦେଇ କହିଥିଲେ ଯେ କେବଳ ସମ୍ରାଟଙ୍କର ବ୍ୟକ୍ତିଗତ ଜୀବନପରିଧି ଭିତରେ ହିଁ ଫରାସୀଜାତି ନିହିତ ହୋଇ ରହିଛି । ଆପଣା ସମ୍ରାଟଙ୍କର ପଦାଙ୍କ ଅନୁସରଣ କରି ସେହି ଦେଶର ଆଉଜଣେ ଭାଷ୍ୟକାର ମାତ୍ର ଗତ ଶତାବ୍ଦୀରେ କହୁଥିଲେ ଯେ ଜାତି କହିଲେ କଦାପି ସବୁ ମଣିଷଙ୍କୁ ବୁଝାଏ ନାହିଁ. କେବଳ ଶାସକ ଓ ସାମନ୍ତବର୍ଗଙ୍କୁ ବୁଝାଏ । ଆଗରୁ କୁହାଯାଇଛି, ଏହି ବିଚାରଟି ଇଉରୋପରେ ନଗର ଓ ନାଗରିକତାର ଆଦିଯୁଗରୁ ରହିଚି । ଗ୍ରୀସ୍‌ଦେଶର ଆରିଷ୍ଟଟ୍‌ଲ ଆପଣାର ‘ନୀତିଶାସ୍ତ୍ର’ ଗ୍ରନ୍ଥଟିରେ ଏଡ଼େ ବଡ଼ ସଂସାର ଭିତରେ କେବଳ ଗ୍ରୀସ୍‌ର ନାଗରିକମାନଙ୍କୁ ହିଁ ପ୍ରକୃତ ମଣିଷ ବୋଲି ସ୍ୱୀକାର କରିଛନ୍ତି । ସଭ୍ୟ ଗ୍ରୀସ୍‌ଦେଶର ଚାରି ସୀମା ବାହାରେ ତାଙ୍କ ମତରେ ଯେଉଁ ମ୍ଳେଚ୍ଛ ଓ ବର୍ବରମାନେ ମଣିଷର ଶରୀର ଧରି ବାସ କରୁଥିଲେ, ସେମାନଙ୍କୁ ସେ ପଶୁ ବୋଲି ଅଭିହିତ କରିଛନ୍ତି । ସେକାଳର ଗ୍ରୀକ୍‌ ସାହିତ୍ୟରେ ମନୁଷ୍ୟ ଓ ମନୁଷ୍ୟେତରର ସଂଜ୍ଞା ବିଷୟରେ ଏହି ନିର୍ଣ୍ଣୟଟି ଭରପୂର ହୋଇରହିଛି ।

 

ଆଧୁନିକ ଅର୍ଥରେ ‘ଜାତୀୟତାବାଦ’ ଶବ୍ଦଟିର ବ୍ୟବହାର ହୁଏତ ଦେଢ଼ଶହ ବର୍ଷ ପୁରୁଣା ବି ହୋଇନାହିଁ ଏବଂ ଏହି ବ୍ୟବହାର ବି ସେହି ଇଉରୋପରୁ ଆରମ୍ଭ ହୋଇଛି । ଆଧୁନିକ ବିଜ୍ଞାନ ବଳରେ ଇଉରୋପରେ ଆଧୁନିକ ଯନ୍ତ୍ରୋଦ୍ୟୋଗମାନ ବଢ଼ିଲା । ପ୍ରତିଯୋଗିତାର ବଜାରରେ ଯନ୍ତ୍ରୋଦ୍ୟୋଗୀ ଶକ୍ତିମାନେ ପରସ୍ପର ପ୍ରତିଯୋଗିତା କରିବାକୁ ବାହାରିଲେ । ସଫଳ ଭାବରେ ଏହି ପ୍ରତିଯୋଗିତା କରିପାରିବା ଲାଗି ଅର୍ଥଗତ ରାଜନିୟନ୍ତ୍ରଣମାନ ଆବଶ୍ୟକ ହେଲା । ଏହି ଉଦ୍ଦେଶ୍ୟରେ ଯନ୍ତ୍ରୋଦ୍ୟୋଗର ସ୍ୱାର୍ଥକୁ ରାଜ୍ୟର ସ୍ୱାର୍ଥ, ଦେଶର ବା ଜାତିର ସ୍ୱାର୍ଥ ବୋଲି କୁହାଗଲା । ରାଜାକୁ ସଂସାରରେ ଭଗବାନଙ୍କର ପ୍ରତିନିଧି ବୋଲି ନ ମାନି ଜାତୀୟ ପ୍ରତୀକ ବୋଲି ବିଶ୍ୱାସ କରାଗଲା । ଆପଣା ଦେଶର ସରକାରକୁ ଜାତୀୟ ସରକାର ବୋଲି କୁହାଗଲା । ଆପଣା ଭାଷାକୁ ଜାତୀୟ ଭାଷା ଓ ଆପଣାର ସଂସ୍କୃତିକୁ ଜାତୀୟ ସଂସ୍କୃତି ବୋଲି କୁହାଗଲା । ଇଉରୋପର ଧର୍ମ ଖ୍ରୀଷ୍ଟିଆନ୍‌ ଧର୍ମ, ଜାତି ଓ ଦେଶ ଅନୁସାରେ ଜାତୀୟ ଧର୍ମରୂପୀ ଖଣ୍ଡମାନଙ୍କରେ ବିଭକ୍ତ ହୋଇଗଲା । ଆପଣା ଦେଶରେ ଗୀର୍ଜାକୁ ଜାତୀୟ ଗୀର୍ଜା ବୋଲି କୁହାଗଲା । ମୋଟ ଉପରେ ଆପଣା ଦେଶକୁ ମାତୃଭୂମି ବା ପିତୃଭୂମି ହିସାବରେ ପରିଚିତ କରାଗଲା । ବର୍ଗସ୍ୱାର୍ଥର ଜାତୀୟକରଣ ହେଲା, ମଣିଷକୁ ମୂଳତଃ ମଣିଷଭାବରେ ନ ଦେଖି କୌଣସି ନିର୍ଦ୍ଦିଷ୍ଟ ଜାତି ବା ଜାତୀୟତାର ପ୍ରତିନିଧି ପରି ଦେଖାଗଲା । ଅର୍ଥାତ୍‌ ଜାତୀୟତାବାଦର ସର୍ବସ୍ୱାମିତ୍ୱ ପ୍ରତିଷ୍ଠା କରିବାର ଏହି ଉଦ୍ୟମରେ ମଣିଷ ବଳି ପଡ଼ିଲା; ଭଗବାନ ଓ ଧର୍ମ ବଳି ପଡ଼ିଲେ, ସାହିତ୍ୟ, କଳା ଓ ବିଜ୍ଞାନ ବଳି ପଡ଼ିଲେ; ତତ୍କାଳୀନ ଇଉରୋପର ସକଳପ୍ରକାର ବିଚାର ତଥା ଆଦର୍ଶବାଦ ମଧ୍ୟ ବଳି ପଡ଼ିଲା-। ଜାତୀୟତାର ଦର୍ପଣ ଉପରେ ହିଁ ଆପଣା ଜୀବନର ଯାବତୀୟ ବାସନା ଓ ଆକାଙ୍‌କ୍ଷାକୁ ନିରୀଖି ଶିଖି ଇଉରୋପର ଏହି ନୂଆମାର୍କା ମଣିଷ ଆପଣାର ବ୍ୟକ୍ତିଗତ ଜୀବନରେ ବେଶ୍‌ ଏକ ପ୍ରସାର ଅନୁଭବ କରିପାରିଲା ସତ; ମାତ୍ର ଜାତୀୟତାର ଚାରିବାଡ଼ ତାର ଜୀବନଗତ ସୃଜନେଚ୍ଛାକୁ ନାନା ଭାବେ ଅବରୁଦ୍ଧ କରି ରଖିଲା । ଜାତିର ବଡ଼ତି ହେଲା, ଜାତିର ଧନ ବଢ଼ିଲା, ଜାତିର ବାନା ଉଡ଼ିଲା ଏବଂ ଜାତୀୟତାର କୁଣ୍ଡରେ ଝାସ ଦେଇ ନୂତନ ବର୍ଣ୍ଣ ଧାରଣ କରିଥିବା ମଣିଷ ତାହାକୁ ହିଁ ଜୀବନର ଚରମ ପରିପୂର୍ଣ୍ଣତା ବୋଲି ଗ୍ରହଣ କରିନେଲା । ଜାତି ଓ ଦେଶ ଏଣିକି ତା ଜୀବନର ସକଳ ଅନୁଧାବନରେ ସାଧ୍ୟ ହୋଇ ରହିଲେ ଏବଂ ସେ ନିଜେ ସେହି ସାଧ୍ୟର ପ୍ରାପ୍ତିଲାଗି ଏକ ସାଧନ ବା ନିମିତ୍ତ ରୂପେ ବ୍ୟବହୃତ ହେଲା । ଶିକ୍ଷାକୁ ଜୀବନର ଶିକ୍ଷା କୁହାନଯାଇ ଜାତୀୟ ନିର୍ମାଣ ଲାଗି ଶିକ୍ଷା ବୋଲି କୁହାଗଲା । ଗୁଣ ଓ ଅବଗୁଣର ବି ଜାତୀୟକରଣ ହୋଇଗଲା । ଯୁଦ୍ଧ ପଡ଼ିଆରେ ସରକାରୀ ବାନାତଳେ ଆପଣା ଦେଶ ସକାଶେ ଲଢ଼ିବାକୁ ମଧ୍ୟ ମଣିଷ ଆପଣା ଲାଗି ଏକ ଚରମ ଶ୍ରେୟ ଓ ପରମ ମୁକ୍ତି ପରି ଗ୍ରହଣ କରି ଶିଖିଲା । ଯନ୍ତ୍ର ଓ ଯନ୍ତ୍ରକୌଶଳର କରାମତି ଯେତିକି ବଢ଼ିଲା, ଜାତୀୟତାବାଦର କରାମତି ବି ସେତିକି ବଢ଼ିଲା । ଯନ୍ତ୍ରବାଦର ବିକ୍ରମ ବଢ଼ିବା ସଙ୍ଗେ ସଙ୍ଗେ ଜାତୀୟତାବାଦ ବି ଅଧିକରୁ ଅଧିକ ଉଗ୍ର ହେଲା ଓ ଶାସକବର୍ଗର ପ୍ରରୋଚନାରେ ସାଧାରଣ ମଣିଷମାନେ ବି ସେହି ଉଗ୍ରତାର ବପୁବିସ୍ତାର-କାର୍ଯ୍ୟକ୍ରମରେ ଆପଣାର ସବୁକିଛି ଉତ୍ସର୍ଗ କରିଦେବାକୁ ତିଆରି ହୋଇ ବାହାରିଲେ ।

 

ଆମେ ଭାରତବର୍ଷରେ ଜାତୀୟାବାଦର ଏହି ତିଅଣକୁ ଇଉରୋପରୁ ହିଁ ମାଗିଆଣିଚୁ । କଣ୍ଟାରେ କଣ୍ଟା ବାହାର କରିବାର ନ୍ୟାୟ ଅନୁସରଣ କରି ଆମେ ପାଶ୍ଚାତ୍ୟ ଜାତୀୟତାବାଦର ଅସ୍ତ୍ରଦ୍ୱାରା ପାଶ୍ଚାତ୍ୟ ଆଧିପତ୍ୟକୁ ଦୂର କରିବା ଉଦ୍ଦେଶ୍ୟରେ ହିଁ ଏପରି କରିଛୁ । କେବଳ ଭାରତବର୍ଷରେ ଯେ ଏକଥା ହୋଇଚି ତା’ ନୁହେଁ, ଏସିଆ ଓ ଆଫ୍ରିକାର ପ୍ରତ୍ୟେକ ଦେଶରେ ରାଜନୀତିକ ସ୍ୱାଧୀନତା ଲାଭ କରିବାର ସଂଗ୍ରାମପର୍ଯ୍ୟାୟରେ ଏହିପରି ହିଁ ହୋଇଛି । ଏହାଦ୍ୱାରା ଆମର ଅନେକ କାମ ହାସଲ ହୋଇଛି । ଭାରତର ଧର୍ମ, ଭାଷା, ଭୂଗୋଳ ଓ ସଂସ୍କାର-ପରମ୍ପରାର ନାନା ବୈଚିତ୍ର୍ୟ ସତ୍ତ୍ୱେ ଆମେ କ୍ରମେ ଆପଣାକୁ ଗୋଟିଏ ସାମୂହିକ ଏକକ ବୋଲି ଭାବି ସେଇଥିରୁ ପ୍ରେରଣା ଗ୍ରହଣ କରି ଶିଖିଛୁ । ଆପଣା ଦେଶକୁ ସ୍ୱାଧୀନ କରିବାର ବାସନା ଦ୍ୱାରା ପ୍ରେରିତ ହୋଇ ଆମେ ସମଗ୍ର ଭାରତବର୍ଷକୁ ହିଁ ଆପଣା ଘର ବୋଲି ଗ୍ରହଣ କରିନେଇ ଶିଖିଛୁ । ଏହାଦ୍ୱାରା ଦୃଷ୍ଟିଗତ ଅନେକ ଆଞ୍ଚଳିକ ଭାବ ଓ ସଂକୀର୍ଣ୍ଣତା ଦୂର ହୋଇପାରିଛି । ଆମ ପ୍ରତ୍ୟେକର ଜୀବନରେ ଗତିଶୀଳତା ବଢ଼ିଚି । ଭାରତୀୟ ଭାଷା ଓ ସାହିତ୍ୟଗୁଡ଼ିକର ବିକାଶ ହୋଇଚି, ରାଜନୀତିକ ଓ ସାମାଜିକ ନାନା ନୂତନ ଆଦର୍ଶ ଲାଗି ଆମ ଦେଶରେ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ ହୋଇପାରିଛି ଏବଂ ସର୍ବୋପରି ଆମେ ବିଭବଶାଳୀ କୌଣସି ବିଦେଶର ଅନ୍ଧ ଅନୁକରଣ ନ କରି ଆପଣା ରୀତିରେ ହିଁ ଆପଣାର ଘରଟିକୁ ମନୋମତ ଗଢ଼ିବା ଲାଗି ଆବଶ୍ୟକ ଶ୍ରଦ୍ଧା ମଧ୍ୟ ଅର୍ଜନ କରି ଶିଖିଚୁ । ଜାତୀୟତାବାଦ ଆମକୁ ଆପଣା ଘରକୁ ଫେରାଇ ଆଣିଚି । ଆମ ସାମୂହିକ ଜୀବନରେ ଆମକୁ ଆତ୍ମସ୍ଥ ହେବାରେ ଅନେକ ସାହାଯ୍ୟ କରିଚି । ଆଧୁନିକ ଭାରତବର୍ଷ କହିଲେ ଆମେ ଆଜି ନାନା ସ୍ୱପ୍ନସମ୍ଭାବନାମୟ ଯେଉଁ ରାଜନୀତିକ ଓ ସାମାଜିକ ଭୂମିଟିକୁ ଆପଣାର ବୋଲି ଅନୁଭବ କରି ଶିଖିଲୁଣି, ସେଥିସକାଶେ ଆମକୁ ଗତ ପ୍ରାୟ ଶହେ ବର୍ଷର ଜାତୀୟତାର ଇତିହାସକୁ ହିଁ ପ୍ରଥମ ଶ୍ରେୟ ଦେବାକୁ ହେବ । ସମଗ୍ର ଭାରତବର୍ଷ ଲାଗି ଗୋଟିଏ ପତାକା, ସମଗ୍ର ଭାରତବର୍ଷକୁ ଏକ ଠୁଳରୂପ ଓ ଶ୍ରଦ୍ଧାମୟ ଏକକରୂପେ ଦେଖାଇ ଦେଉଥିବା ଏକ ଜାତୀୟ ସଂଗୀତ ଓ ସମଗ୍ର ଭାରତବର୍ଷ ଲାଗି ଗୋଟାଏ ସଂକଳ୍ପ-ଏହିସବୁର ବିଚାର ଆମେ ଇଉରୋପର ଜାତୀୟତାବାଦରୁ ପାଇଚୁ । ଆମର ଆଧୁନିକ ଜୀବନ ଅନେକାଂଶରେ ଏହାରିଦ୍ୱାରା ଝଳାହୋଇଚି-। ତାହାକୁ ନିଜସ୍ୱ ପ୍ରେରଣାରେ ପରିଣତ କରି ଆମେ ନାନାଭାବେ; ଉପକୃତ ହୋଇପାରିଚୁ ଓ ବର୍ତ୍ତମାନ ବି ଉପକୃତ ହେଉଚୁ ।

 

ମାତ୍ର ଜାତୀୟତାବାଦ ମୂଳତଃ ଏକ ପ୍ରେରଣା ହୋଇଥିଲେ ହେଁ ଯେକୌଣସି ସୁସ୍ଥ ଜାତୀୟତାବାଦକୁ ଆମେ କଦାପି ତୁଚ୍ଛା ଏକ ଭାବପ୍ରବଣତାର ଭୂମି ଉପରେ ସୀମାବଦ୍ଧ କରି ରଖିପାରିବା ନାହିଁ । କାରଣ ଏଥିରେ ଗୋଟିଏ ଜାତି ବା ମଣିଷସମୂହକୁ ନିର୍ମାଣ କରିବାର ନାନାବିଧ କର୍ତ୍ତବ୍ୟ ମଧ୍ୟ ନିହିତ ରହିଛି । ଜାତୀୟତାବାଦ କହିଲେ ଜାତିର ସ୍ତରରେ ଏକ ସୁନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ମଧ୍ୟ ବୁଝାଇଥାଏ । ଜାତୀୟତାବାଦ ଇଉରୋପର ପ୍ରାୟ ପ୍ରତ୍ୟେକ ଦେଶକୁ ସ୍ପର୍ଶ କରିଛି । ମାତ୍ର ଯେଉଁସବୁ ଦେଶ ଏହି ବିଚାର ମଧ୍ୟରେ ଅନ୍ତର୍ନିହିତ ରହିଥିବା କର୍ତ୍ତବ୍ୟ ଓ କାର୍ଯ୍ୟକ୍ରମଗୁଡ଼ିକୁ ବୁଝିଛନ୍ତି ଓ ସେହି ଅନୁସାରେ କାର୍ଯ୍ୟ କରିଛନ୍ତି, ସେହିସବୁ ଦେଶ ହିଁ ଜାତୀୟତାବାଦ ଦ୍ୱାରା ଅଧିକ ଉପକୃତ ହୋଇଛନ୍ତି ଓ ପରିଣାମତଃ ସେହିସବୁ ଦେଶରେ ସୁସ୍ଥ ଜତୀୟତାବାଦ ମଧ୍ୟ ଅଧିକ ଦୃଢ଼ ପ୍ରତିଷ୍ଠିତ ହୋଇପାରିଚି । ଜାତି ବା ଦେଶ କହିଲେ ପୃଥିବୀପୃଷ୍ଠରେ ରହିଥିବା ଗୋଟାଏ ଭୌଗୋଳିକ ଭୂଖଣ୍ଡକୁ ବୁଝାଏ ସତ, ମାତ୍ର ସେହି ଭୂଖଣ୍ଡରେ ବାସ କରୁଥିବା ମଣିଷମାନଙ୍କୁ ଅଧିକ ବୁଝାଏ । ମଣିଷ କହିଲେ, ବଛା ବଛା କେତେ ଜଣ ସାଆନ୍ତ ବା କେତେଟା ବର୍ଗକୁ ନ ବୁଝାଇ ମଣିଷ ମାତ୍ରେ ପ୍ରତ୍ୟେକକୁ ବୁଝାଇବା ଉଚିତ । ଗୋଟାଏ ଦେଶରେ ଯେତେ ମଣିଷ ବାସ କରୁଥାନ୍ତି, ସେ ସମସ୍ତଙ୍କର ଜୀବନକ୍ଷେତ୍ରରେ ରହିଥିବା ନାନାସ୍ତରର ଭୋକ ବୁଝି ନାନାସ୍ତରର କୋଷକୁ ପୂର୍ଣ୍ଣ କରିପାରିଲେ ଯାଇ ଜାତୀୟତାରୁ ସୁଫଳ ବା ସୁସ୍ଥ ଫଳ ମିଳିଥାଏ । ତଦ୍ୱାରା ବ୍ୟକ୍ତିର ସମୃଦ୍ଧି ହୁଏ ଏବଂ ତାହାରି ଜରିଆରେ ଜାତି ଓ ଜାତୀୟତାର ମଧ୍ୟ ଅଭିବୃଦ୍ଧି ହୁଏ । ଯେଉଁଠି ତାହା ନ ହୋଇପାରେ, ଯେଉଁଠି ଜାତି ନାମରେ କେତେଜଣଙ୍କର ବା ମାତ୍ର କେତେଟା ବର୍ଗଙ୍କର ଚତୁର ନିୟମ ହିଁ ଚାଲେ, ସେଠି ଜାତୀୟତା ବି ଖତରା ହୋଇଯାଏ । ସବୁ ପ୍ରକାରର ଆଦର୍ଶ ସେଠି କେବଳ ଶବ୍ଦମୈଥୁନରେ ହିଁ ପରିଣତ ହୁଏ ।

 

ଗୋପବନ୍ଧୁଙ୍କୁ ଭରାଦେଇ ଠିଆ ହୋଇଥିବା ଆଧୁନିକ ଓଡ଼ିଶାରେ ଏକଥା ବୁଝାଇ କହିଦେବାକୁ ଦରକାର ପଡ଼ିବ ନାହିଁ । ଗୋପବନ୍ଧୁ ଓଡ଼ିଶାର ମାଟିକୁ ଭଲ ପାଉଥିଲେ । ଓଡ଼ିଶାର ଦୁଃଖ ନୁହେଁ, ଓଡ଼ିଶାରେ ବାସ କରୁଥିବା ମଣିଷର ଦୁଃଖରେ ସେ ଅଭିଭୂତ ହୋଇପଡୁଥିଲେ । ତାଙ୍କ ଭିତରେ ରହିଥିବା ତାଙ୍କର ପରମପ୍ରିୟ ମଣିଷ ଏଥିଲାଗି ଅତି ସ୍ୱାଭାବିକଭାବରେ ଆପଣାର ସକଳ ଉତ୍ସର୍ଗ କରିଦେବାକୁ ପ୍ରସ୍ତୁତ ହୋଇ ଯାଉଥିଲା । ଓଡ଼ିଶାରେ ଗୋପବନ୍ଧୁ ଓ ଭାରତବର୍ଷରେ ମହାତ୍ମା ଗାନ୍ଧୀଙ୍କୁ ଜାତୀୟ ନେତା ବୋଲି କହିବା ସମୟରେ ଏହି କଥାଟି ଅବଶ୍ୟ ସ୍ମରଣ ରଖିବାକୁ ପଡ଼ିବ । ଆପଣା ମଣିଷ-ହୃଦୟର ପ୍ରସାର ଦେଇ ସେମାନେ ଜାତିକୁ ଚିହ୍ନିଥିଲେ, ଦେଶର ଆବିଷ୍କାର କରିଥିଲେ ଓ ଦେଶ ଏବଂ ଜାତି ଲାଗି ଆପଣା କର୍ତ୍ତବ୍ୟର ନିର୍ଣ୍ଣୟ କରିଥିଲେ । ସେଥିଲାଗି ଗାନ୍ଧୀ ଓ ଗୋପବନ୍ଧୁଙ୍କର ଜାତୀୟତା ଭିତରେ ଏତେଦୂର ପ୍ରାଣଶକ୍ତି ଭରି ରହିଥିଲା । କାରଣ ତା’ ଭିତରେ ମାନବହୃଦୟର ସର୍ବଶ୍ରେଷ୍ଠ ନିଷ୍ଠା ଓ ପ୍ରେରଣାମାନ ଭରି ରହିଥିଲା । ସେମାନେ ରାଜନୀତି କରୁଥିଲେ ସତ, ମାତ୍ର ସେହି ରାଜନୀତି ଉପରେ ସେମାନଙ୍କର ହୃଦୟନୀତି ହିଁ ସର୍ବପ୍ରଧାନ ନିର୍ଣ୍ଣାୟକ ହୋଇ ରହିଥିଲା । ଜାତିର କାମ କରିବାକୁ ସେମାନେ ଭଗବାନଙ୍କ କାମ ବୋଲି ମନେ କରୁଥିଲେ । କାରଣ ମଣିଷ ହିସାବରେ ମଣିଷସମୂହର ସମୃଦ୍ଧିଲାଗି ଆପଣାକୁ ନିୟୋଜିତ କରି ରଖିବାକୁ ମଧ୍ୟ ସେମାନେ ଭଗବାନଙ୍କ କାମ ବୋଲି ମନେ କରୁଥିଲେ । ପ୍ରଧାନତଃ ଏହି କାରଣରୁ ହିଁ ଭାରତବର୍ଷ ଲାଗି ଗାନ୍ଧୀ ସଫଳ ନେତା ରୂପେ ସାବ୍ୟସ୍ତ ହୋଇପାରିଲେ ଓ ଓଡ଼ିଶା ଲାଗି ଗୋପବନ୍ଧୁ ମଧ୍ୟ ସଫଳ ନେତା ରୂପେ ସାବ୍ୟସ୍ତ ହୋଇପାରିଲେ । ଗାନ୍ଧୀ ଓ ଗୋପବନ୍ଧୁଙ୍କ ନେତୃତ୍ୱରେ ଜାତୀୟ ସ୍ୱାଧୀନତା କହିଲେ ବିଦେଶୀ ଶାସନପାଶରୁ ମୁକ୍ତ ହୋଇ ଭାରତବର୍ଷର ମଣିଷ ସମାଜ ଲାଗି ଏକ ସୁନ୍ଦର ଜୀବନର ପର୍ଯ୍ୟାପ୍ତ ଅବସର ଓ ସୁଯୋଗର ସୃଷ୍ଟି କରିବାକୁ ହିଁ ବୁଝାଉଥିଲା । ସେତେବେଳର ଜତୀୟ ମହାସଭା ପ୍ରଧାନତଃ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଅନ୍ତରବାସନା ମଧ୍ୟଦେଇ କଥା କହୁଥିଲା ଓ ଜନମନରେ ଆପଣାର ଆବେଦନ ଜଣାଇ ପାରୁଥିଲା । ସ୍ୱାଧୀନତା ସଂଗ୍ରାମରେ ଭାରତର ଜନସାଧାରଣ ଯେଉଁ ସମର୍ଥନ ଦେଇଥିଲେ, ଏକ ସୁନ୍ଦରତର ଭାରତବର୍ଷ ଗଢ଼ିବା ଲାଗି ହିଁ ତାହା ଦେଇଥିଲେ । ଜାତୀୟତାର ପ୍ରବାହକୁ ସେହି ସମର୍ଥନ ମିଳିଥିଲା ଓ ତାହାରି ଫଳରେ ହିଁ ଦେଶ ସ୍ୱାଧୀନ ହେଲା । ଦେଶକୁ ମନୋମତ ମଣିଷଯୋଗ୍ୟ କରି ଗଢ଼ିବାର ଅବସର ଆମ ଆପଣା ହାତରେ ଆସି ପହଞ୍ଚିଲା ।

 

ଜାତୀୟତାବାଦର ଉତ୍ସାହ ପର୍ବରେ ଇଉରୋପର ସବୁ ଦେଶ ସମାନ ଭାବରେ ଉପକୃତ ହୋଇନାହାନ୍ତି । ଇଉରୋପରେ ଏବେ ବି ଏପରି କେତୋଟି ଦେଶ ରହିଛନ୍ତି, ଯେଉଁଠାରେ କି ଆଜି ଜାତୀୟତାର ମହାକାଳ ଫଳଗୁଡ଼ାକ ପାଚି ଟହ ଟହ ହୋଇ ଲଟକି ରହିଛନ୍ତି; ମାତ୍ର ସେଠି ଜାତି ନାମରେ ଓ ଦେଶ ନାମରେ କେବଳ କେତୋଟି ଶ୍ରେଣୀ ବା କେତୋଟି ଗୋଷ୍ଠୀ ସକାଶେ ହିଁ ପୁଷମାସ ପଡ଼ିରହିଛି, ଅବଶିଷ୍ଟ ଦେଶବାସୀ ଅଫିମ ଖାଇ ରହିଛନ୍ତି । ପାଟିରେ ଅଫିମଟେଳା ପଡ଼ିଗଲେ ଅଫିମ ସରାଗୀ ମଣିଷ ଇହ ଓ ପରଜୀବନର ଚତୁବର୍ଗ ଫଳ ପାଇଗଲା ବୋଲି ଅନୁଭବ କରେ । ତା’ ଜୀବନରେ ଆଉ କିଛି ପ୍ରାପ୍ୟ ରହିଲା ବୋଲି ସେ ଭାବି ମଧ୍ୟ ପାରେ ନାହିଁ । ଆପଣାର କ୍ଷତ ଭୁଲିଯାଏ, ଭୋକ ଭୁଲିଯାଏ, ଚୁପ୍‌ ହୋଇ ରହେ । ଜାତୀୟତା ଅଫିମ ପରି କାର୍ଯ୍ୟ କଲାବେଳେ ମଣିଷର ମଣିଷ ହେବା ଆକାଙ୍‌କ୍ଷା ମରିଯାଏ, ଜୀବନକୁ ସୁନ୍ଦର କରି ଗଢ଼ିବାର ସ୍ୱାଭାବିକ ନିଆଁ ଶୀତଳ ହୋଇଯାଏ, ଜାତୀୟତାର ଭୋକଲଡୁ ଓ ଶୋଷଲଡୁ ଖାଇ ତାର ସକଳ ଭୋକଶୋଷ ମରିଯାଏ । ସେ ପୂଜା କରେ, କୀର୍ତ୍ତନ କରେ, ପତାକା ଧରି ବାହାରେ; ଜାତୀୟ ସାହିତ୍ୟ, ଜାତୀୟକଳା, ଜାତୀୟ ସଂସ୍କୃତି ଓ ମୋଟ ଉପରେ ଜାତୀୟ ଅତୀତ ଓ ଜାତୀୟ ଔଦ୍ଧତ୍ୟର ପଙ୍କପାଣି ପିଇ ସେ ବଡ଼ ପ୍ରେରଣାହୀନ ଓ ତେଣୁ ବଡ଼ ଦୟନୀୟ ଭାବରେ ସତ୍ତାଧୀଶ ବର୍ଗଗୁଡ଼ିକର ଶୋଷଣ ଲାଗି ସହଜ ଶିକାର ରୂପେ ପ୍ରସ୍ତୁତ ହୋଇ ରହେ । ଇଉରୋପରେ ଗ୍ରୀସ୍‌, ଇତାଲୀ, ସ୍ପେନ ଓ ପର୍ତ୍ତୁଗାଲରେ ଆମେ ଅନେକତଃ ଏହାହିଁ ଦେଖିବାକୁ ପାଇବା । ସେଠାରେ ଧର୍ମକୁ ମଧ୍ୟ ଭଗବାନଙ୍କର ଅଧିକାର ଭିତରୁ କାଢ଼ି ନିଆଯାଏ ଓ ଉଚ୍ଚତର ବର୍ଗଗୁଡ଼ିକର ଅଧିକାରବୃତ୍ତ ଭିତରେ ଆଣି ଖଞ୍ଜି ନିଆଯାଏ । ଧର୍ମନୀତି ଧର୍ମଗତ ନୀତି ନ ହୋଇ ଭାଗ୍ୟବାନ ବଡ଼ଲୋକର ଶାସନ-ନୀତିରେ ପର୍ଯ୍ୟବସିତ ହୋଇ ରହେ । ମଣିଷ ଅସ୍ୱୀକୃତ ହୁଏ; ଭଗବାନ ଅସ୍ୱୀକୃତ ହୁଅନ୍ତି । ଜାତୀୟତାବାଦର ପରାକ୍ରମ ହିଁ ବଢ଼ିବାର ଲାଗିଥାଏ ।

 

ଇଉରୋପୀୟ ସମାଜର ଏକ ସମୀକ୍ଷାତ୍ମକ ବିଶ୍ଳେଷଣ କରିବାକୁ ଯାଇ ଇଂଲଣ୍ଡର ଜଣେ ଅର୍ଥନୀତି ବିଶାରଦ (G.D.H.Cole, Essays in Social Theory, Oldbourne, London 1962) ଆମକୁ ଜାତୀୟତାବାଦର ଏହି ଦିଗଟି ବିଷୟରେ ଅନେକ ଅନ୍ତର୍ଦୃଷ୍ଟି ଯୋଗାଇ ଦେଇଛନ୍ତି । ସେ କହନ୍ତି ଯେ ଇଉରୋପରେ ଜାତୀୟତାବାଦର ପୁଲକିତ ଯୁଗରେ ଏହା ପ୍ରଧାନତଃ ସମ୍ଭ୍ରାନ୍ତ ଉଚ୍ଚବର୍ଗଙ୍କ ଭିତରେ ଏକ ବ୍ୟସନ ବା ଫେସନ ହୋଇ ରହିଥିଲା । ଇଉରୋପର ଜନସାଧାରଣ ଏହାର ଧାର ଧାରୁନଥିଲେ ବା ଜାତୀୟତାବାଦ ସେମାନଙ୍କ ଜୀବନର କୌଣସି ପରିଧିକୁ ମଧ୍ୟ ସ୍ପର୍ଶ କରିବାର କୌଣସି ସ୍ପର୍ଦ୍ଧା ରଖିନଥିଲା । ତାପରେ ପ୍ରଜାତନ୍ତ୍ରର ଯୁଗ ଆସିଲା । ପ୍ରଜାତନ୍ତ୍ରର ବିଚାର ପ୍ରସାରିତ ହେଲା । ସରକାର କହିଲେ ରାଜାଙ୍କର ବା ଶାସନାରୂଢ଼ ଉଚ୍ଚବର୍ଗଙ୍କର ଏକାଧିକାରକୁ ନ ବୁଝାଇ ଜନାଧାରିତ ଶାସନ ବୁଝାଇଲା-। ସରକାର ଲୋକଙ୍କର ସମ୍ପତ୍ତି ହେବା ଉଚିତ ବୋଲି ଘୋଷଣା କରୁଥିବା ଏକ ନୂତନ ଆଗ୍ରହର ଉଦ୍ରେକ ହେଲା । ଶାସନ ଓ ସମାଜବିଧାନର କର୍ତ୍ତବ୍ୟମାନ ଲୋକସ୍ତରକୁ ଭେଦିବାକୁ ଆରମ୍ଭ କଲା-। ଏପରି ଭାବରେ ହିଁ ଅର୍ଥାତ୍ ପ୍ରଜାତନ୍ତ୍ର ଶାସନର ପ୍ରତିଷ୍ଠା ଦ୍ୱାରା ହିଁ ଜାତୀୟତା ଜୀବନ୍ୟାସ ପାଇଲା । ପ୍ରଜାତନ୍ତ୍ରର ଅନୁଶୀଳନ ଦ୍ୱାରା ହିଁ ଦେଶର ଜନସାଧାରଣ ଜାତୀୟ ପ୍ରେରଣାକୁ ବୁଝିପାରିଲେ । ଆପଣା ଜୀବନରେ ସେଗୁଡ଼ିକ ଲାଗି ସ୍ଥାନ ରଖିପାରିଲେ । ଲୋକଭୂମିକୁ ସ୍ପର୍ଶ କରି ଅର୍ଥାତ୍ ଲୋକସାଧାରଣଙ୍କ ଜୀବନକୁ ସୁନ୍ଦରତର କରି ଗଢ଼ିବାର ନିଷ୍ଠାପର ବ୍ରତ ନେଇ ହିଁ ଜାତୀୟତାର ପ୍ରେରଣା ଏକ ଲୋକପ୍ରେରଣା ରୂପେ ପ୍ରତିଷ୍ଠିତ ହୋଇପାରିଲା । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଫରାସୀ ବିପ୍ଳବର ତିନୋଟି ସ୍ଲେଗାନ–ସ୍ୱାଧୀନତା, ସମାନତା ଓ ଭାତୃତ୍ୱ-ସମସ୍ତ ଇଉରୋପକୁ ଆଲୋଡ଼ିତ କରି ହୋଇଥିଲା । କିନ୍ତୁ ଏହିସବୁ ଆଦର୍ଶକୁ ପ୍ରତ୍ୟେକ ଦେଶରେ ଜାତୀୟ ଆଦର୍ଶ ରୂପେ ପରିଣତ କରି ଏଗୁଡ଼ିକର ଭାଷ୍ୟ କରିବାକୁ ଇଉରୋପରେ ଆଦୌ ବେଶୀ ଦିନ ଲାଗିଲା ନାହିଁ । ଗୋଟିଏ ଜାତି ବା ଗୋଟିଏ ଦେଶ କହିଲେ ସାଧାରଣତଃ ଯେଉଁ ଲୋକସମୂହକୁ ବୁଝାଏ, ସେହିମାନଙ୍କର ସମ୍ୱନ୍ଧ ଓ ଶାସନକ୍ଷେତ୍ରରେ ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଅନୁଶୀଳନ ନ ହେଲେ ଯେ ଏହିସବୁ ଆଦର୍ଶ କେବଳ ଅର୍ଥହୀନ ପୋଥିସମ୍ପଦ ହୋଇ ରହିବ, ଇଉରୋପର ଲୋକନେତୃତ୍ୱ କ୍ରମେ ଏହି କଥା ବୁଝିପାରିଥିଲା । ତେଣୁ ଏହି ଆଦର୍ଶଗୁଡ଼ିକ ଉପରେ ହିଁ ସେଠି ଏକାଧିକ ଦେଶରେ ଜାତୀୟତାର ମୂଳଦୁଆ ପଡ଼ିଥିଲା । (ପୃଷ୍ଠା-୨୦୪) ଶ୍ରୀଯୁକ୍ତ କୋଲ୍‌ଙ୍କ ଭାଷାରେ କହିବାକୁ ଗଲେ’ ‘‘କୌଣସି ଦେଶର ସରକାର ହିଁ ସେହି ଦେଶର ଲୋକସାଧାରଣଙ୍କର ସମ୍ପତ୍ତି ହୋଇ ରହିବା ଉଚିତ । ଲୋକସାଧାରଣ ସରକାରଙ୍କର ସମ୍ପତ୍ତି ହୋଇ ରହିବା ଉଚିତ ନୁହେଁ । ସରକାର ଉପରେ ଲୋକେ ମାଲିକ ହୋଇ ରହିବେ, ଲୋକମାନଙ୍କ ଉପରେ ସରକାର ମାଲିକ ହୋଇ ରହିବ ନାହିଁ ।’’ ଏହି ଦୃଷ୍ଟିରୁ ବିଚାର କଲେ ପ୍ରଜାତନ୍ତ୍ର ହିଁ ଜାତୀୟତାର ବିଧାୟକ ହୋଇ ରହିବ । ଲୋକମାନଙ୍କର ବ୍ୟକ୍ତିଗତ ଜୀବନରେ ଅଧିକ ସ୍ୱାଧୀନତା ଓ ଅଧିକ ସାର୍ଥକତା ସମ୍ଭବ କରାଇବା ଲାଗି ଦେଶରେ ଯେଉଁ ଅନୁକୂଳ ଅବସର ଓ ବାତାବରଣ ରହିବା, ଉଚିତ, ଦେଶର ସରକାର ସେହି ଅବସର ଓ ବାତାବରଣର ନିର୍ମାଣକାର୍ଯ୍ୟରେ ଏକ ନିମିତ୍ତ ହୋଇ ରହିବ । ଦେଶବାସୀ ଏହି କାର୍ଯ୍ୟ ଲାଗି ସରକାର ହାତରେ ଯେଉଁ କ୍ଷମତା ଦେଇଛନ୍ତି, ଦେଶର ସରକାର ତାହାକୁ ସେହି କାର୍ଯ୍ୟରେ ହିଁ ବ୍ୟବହାର କରିବ । ଏହାକୁ ହିଁ ଆମେ ପ୍ରଜାତନ୍ତ୍ରର ପ୍ରଧାନତମ ଉଦ୍ଦେଶ୍ୟ ବୋଲି କହିପାରିବା । ପ୍ରଜାତନ୍ତ୍ର ଶାସନରେ ଦେଶର ସରକାର ବ୍ୟକ୍ତିଗତ ମଣିଷକୁ, ବ୍ୟକ୍ତିକୁ ଗୋଡ଼ିପଥର ପରି ବ୍ୟବହାର କରିବ ନାହିଁ । ସରକାର ଚଳାଉଥିବା ସତ୍ତାରୂଢ଼ ବ୍ୟକ୍ତିମାନେ ଶୂଦ୍ରମାନଙ୍କ ଦେଶରେ ଆପଣାକୁ ଏକମାତ୍ର ବ୍ରାହ୍ମଣ ଗୋଷ୍ଠୀ ବୋଲି ବିଚାର କରିବସିବେ ନାହିଁ । ଅଧମ ମଣିଷଗୋଷ୍ଠୀ ଉପରେ ଆପଣାକୁ ଏକଚାଟିଆ ଭୋଗୀ ଦୁର୍ଦ୍ଦମ ଅତିମାନବ ପରି ବିଚାର କରିବାର ଦମ୍ଭ ମଧ୍ୟ କରିବେ ନାହିଁ ।

 

ଲୋକଜୀବନ ବା ଲୋକଭାଗ୍ୟକୁ ଯଦି ଗୋଟିଏ ମୁଦ୍ରା ପରି ଧରାଯାଏ, ତେବେ ପ୍ରତାତନ୍ତ୍ର ହେଉଛି ସେହି ମୁଦ୍ରାର ଗୋଟିଏ ପାଖ । ସମାନତା ହେଉଛି ଆଉ ଗୋଟିଏ ପାଖ । ପ୍ରଜାତନ୍ତ୍ରକୁ ଅନେକେ କେବଳ ଗୋଟିଏ ରାଜନୀତିକ ବ୍ୟବସ୍ଥା ବୋଲି ମାନିଥାନ୍ତି । ଏହି ବ୍ୟବସ୍ଥା ଅନୁସାରେ ଦେଶରେ ପ୍ରତ୍ୟେକ ପାଞ୍ଚବର୍ଷରେ ଥରେ ଭୋଟ୍ ନିଆଯାଏ । ପଇସା ଖରଚ କରି ମକଦ୍ଦମା ଜିତିଲା ପରି ଭୋଟ୍‌ରେ ଜିତି ପ୍ରତିନିଧିମାନେ ରାଜଧାନୀ ମଣ୍ଡାଇବାକୁ ଯାଆନ୍ତି । ପାଞ୍ଚବର୍ଷ ସକାଶେ ସେମାନେ ଆତ୍ମବୃଦ୍ଧିର ଅଣସର ଘରେ ରହି ଭୋଗ ଖାଆାନ୍ତି; ପୁଣି ପରବର୍ତ୍ତୀ ନିର୍ବାଚନ ବେଳକୁ ରଥରେ ବସି ପଦାକୁ ବାହାରନ୍ତି । ପ୍ରଜାତନ୍ତ୍ରକୁ ପ୍ରାଣ ଦେବାକୁ ହେଲେ ତନ୍ତ୍ର ପ୍ରଜାର ହେବା ଉଚିତ; ଅର୍ଥାତ୍ ପ୍ରଜାମାତ୍ରକେ ସମସ୍ତଙ୍କ ଲାଗି ବିକାଶର ସମ୍ଭାବନାମାନ ସମାନ ଭାବରେ ଉନ୍ମୁକ୍ତ ହୋଇ ରହିବା ଉଚିତ । ଏହି ସମ୍ଭାବନାଗୁଡ଼ିକରୁ ସମସ୍ତେ ଲାଭବାନ ହୋଇପାରିବା ଭଳି ଜାତୀୟ ସ୍ତରରେ ଏକ ସହଯୋଗକ୍ଷେତ୍ର ପ୍ରସ୍ତୁତକରି ରହିବା ହିଁ ସରକାର ଚଳାଉଥିବା ପ୍ରତିନିଧିମାନଙ୍କର କାର୍ଯ୍ୟ ହେବା ଉଚିତ । ପ୍ରଜାତନ୍ତ୍ର ଓ ପ୍ରଜାମାତ୍ରକେ ସବୁରି ଲାଗି ସମାନ ଅବସର ଯୋଗାଇଦେବା ମଧ୍ୟରେ କିପରି ସମ୍ୱନ୍ଧ ରହିବା ଉଚିତ୍, ତାହାରି ଚର୍ଚ୍ଚା କରି ଇଂଲଣ୍ଡରେ ଆଉ ଜଣେ ବିଚାରକ କହିଛନ୍ତି, ‘‘କେବଳ ଏକ ରାଜନୀତିକ ବ୍ୟବସ୍ଥାମାତ୍ର ହୋଇରହିଲେ ପ୍ରତାତନ୍ତ୍ର କଦାପି ଦୃଢ଼ ହୋଇପାରିବ ନାହିଁ । ଏକ ନିର୍ଦ୍ଦିଷ୍ଟ ସମାଜବ୍ୟବସ୍ଥାକୁ ଓ ତଦନୁରୂପ ଏକ ଜୀବନରୀତିକୁ ହିଁ ପ୍ରଜାତନ୍ତ୍ର ଆପଣାର ଧ୍ୟେୟ ବୋଲି ମାନିବ । ଏଥିଲାଗି ଆମକୁ ଦୁଇଟି ବିଷୟ ଉପରେ ଦୃଷ୍ଟି ରଖିବାକୁ ପଡ଼ିବ । ସମାଜରେ କେବଳ କେତୋଟି ବର୍ଗଲାଗି ଯେଉଁ ବିଶେଷ ସୁବିଧା ଓ ଅଧିକାରମାନ ଉପଲବ୍ଧ ହୋଇରହିଛି, ସେଗୁଡ଼ିକର ବିଲୋପ ସାଧନ କରିବାକୁ ପଡ଼ିବ ଏବଂ ଜାତୀୟ ଅର୍ଥଶକ୍ତିକୁ ମାତ୍ର କେତେଜଣଙ୍କ ହାତରେ ଏକ ଦାୟିତ୍ୱହୀନ ଉତ୍ପୀଡ଼କ ଭାବରେ ନ ରଖି ତାହାକୁ ସମଗ୍ର ସମାଜର ସେବାରେ ଅର୍ଥାତ୍ ସମସ୍ତଙ୍କର ଶିକ୍ଷା ଓ ସମୃଦ୍ଧି ବଢ଼ାଇବା ଦିଗରେ ବ୍ୟବହାର କରିବାକୁ ପଡ଼ିବ ।’’ (R.H.Tawney, : Equality–Allen and Unwin, London, 1952) ତାଙ୍କ ଭାଷାରେ ମୁଷ୍ଟିମେୟ କେତେଜଣ ମଣିଷ ବୃହତ୍ତର ଜନସାଧାରଣଙ୍କୁ ନାନାପ୍ରକାରେ ବଞ୍ଚିତ ଓ ପ୍ରତାରିତ କରି ଯେକୌଣସି ପ୍ରବଞ୍ଚିତ ଉପାୟରେ ଆପଣା ଲାଗି ଅର୍ଥ ଓ ଅବସରର ପାଳଗଦାମାନ ମାଡ଼ିବାରେ ଲାଗିଗଲେ ଆମେ କୌଣସି ଜାତିକୁ ସଭ୍ୟ ବୋଲି କହି ପାରିବାନାହିଁ । ଦେଶରେ ଯେତେ ସମ୍ପତ୍ତି ଗଚ୍ଛିତ ହୋଇ ରହିଛି, ସେଇଥିରୁ ହିଁ କୌଣସି ଦେଶ ବା ସମାଜ ବଡ଼ ହୋଇଯାଏ ନାହିଁ । ଜାତିର ଜୀବନଗତ ସ୍ତର ପ୍ରକୃତରେ କେତେ ଉପରକୁ ଯାଇଛି ବା ତଳକୁ ଖସିପଡ଼ିଛି ଏବଂ ଜାତି ଆପଣାର ଅର୍ଥକୁ କିପରି ଭାବରେ ବ୍ୟବହାର କରୁଛି, ସେଇଥିରୁ ହିଁ ତାର ପ୍ରକୃତ ବଡ଼ପଣିଆ ଜଣାପଡ଼େ । ଜାତି ଆଗରେ କୌଣସି ଆଧ୍ୟାତ୍ମିକ ବା ଗୁଣାତ୍ମକ ଧ୍ୟେୟ ରହିଛି ଓ ଜାତି ତାହାରିଦ୍ୱାରା ହିଁ ପରିଚାଳିତ ହେଉଛି, ଜାତି ଭିତରେ ବାସ କରୁଥିବା ସବୁ ମଣିଷଙ୍କର ଜୀବନକୁ ଅଧିକ ସାର୍ଥକ ଓ ସମ୍ମାନାସ୍ପଦ କରି ଗଢ଼ିବାରେ ହିଁ ଜାତୀୟ ଅର୍ଥରାଶି ବ୍ୟୟିତ ହେଉଚି, ସେଥିରୁ ହିଁ କୌଣସି ଜାତିର ସଭ୍ୟତାକୁ କଳନା କରାଯିବା ଉଚିତ । ମଣିଷ ମଣିଷ ଭିତରେ ଭିତରେ ଅର୍ଥ ଓ କ୍ଷମତାର ବିରାଟ ଖାଇଗୁଡ଼ାକ ରହିଥିବା ପର୍ଯ୍ୟନ୍ତ ଏବଂ ସେହି ଖାଇଗୁଡ଼ାକୁ ଚିରସ୍ଥାୟୀ କରି ରଖିବା ଲାଗି ଜନଜୀବନର ନିୟମ ନ ହେଉଥିବା ପର୍ଯ୍ୟନ୍ତ କୌଣସି ଜାତିକୁ ଆମେ ସଭ୍ୟ ନକହି କେବଳ ବର୍ବର ବୋଲି ହିଁ କହିପାରିବା । ବିଜ୍ଞାନର ସାହାଯ୍ୟ ନେଇ ଗଢ଼ାଯାଇଥିବା ଏକ ସୁସ୍ଥ ପରିବେଶରେ ସମସ୍ତେ ଜୀବନ ଗଢ଼ିବାର ସୁଯୋଗ ପାଇବେ, ସମସ୍ତଙ୍କ ଲାଗି ଏକ ପରିପୂର୍ଣ୍ଣ ଓ ପ୍ରେରଣାଦାୟକ ଶିକ୍ଷା-କ୍ରମ ଉପଲବ୍‌ଧ ହୋଇରହିବ ଓ ଆପଣା ଯୋଗ୍ୟତା ଏବଂ ନିଷ୍ଠା ବଦଳରେ ସମସ୍ତେ ଆପଣାର ଓ ଆପଣା ପରିବାରର ପରିପୋଷଣ କରିପାରିବାର ଅଧିକାର ପାଇବେ । ଜୀବନର ନିଷ୍ଠୁର ଚକ୍ରଦ୍ୱାରା କେହି ଦଳିହୋଇ ଯିବେ ନାହିଁ । କୌଣସି ଜାତି ବା ଦେଶରେ ଏତିକି ସମ୍ଭବ ହୋଇପାରିଲେ ଏଯୁଗର ଅନେକ ଅସମାନତା ଦୂର ହୋଇଯିବ, ପ୍ରଜାତନ୍ତ୍ର ଦୃଢ଼ ହେବ, ମଣିଷ ଜୀବନ ସୁନ୍ଦର ହେବ ଓ ତାହାରି ଜରିଆରେ ଜାତି ଓ ଦେଶ ମଧ୍ୟ ସୁନ୍ଦର ହେବ ।

 

ଇଉରୋପରେ ଡେନ୍‌ମାର୍କ ଏପରି ଗୋଟିଏ ଦେଶ, ଯେଉଁଠିକି ଗତ ଶହେ ବର୍ଷ ଭିତରେ ଜାତୀୟତା, ପ୍ରଜାତନ୍ତ୍ର ଓ ସମାନତା ତିନୋଟିଯାକର ସନ୍ତୁଳିତ ଅଭିବୃଦ୍ଧି ହୋଇ ପାରିଛି । ଜାତିକୁ ବଡ଼ କରିବା ଲାଗି ସେଠାରେ ଜାତୀୟତାବାଦର ଅଫିମ ଖାଇବାକୁ ପଡ଼ିନାହିଁ । ପ୍ରଜାତନ୍ତ୍ର ବସାଇବା ଲାଗି ରାଜାର ମୁଣ୍ଡକାଟ କରିବାକୁ ପଡ଼ିନାହିଁ ବା ସମାନତା ଆଣିବାକୁ ଯାଇ ଖଣ୍ଡା ଓ ବନ୍ଧୁକର ଆଶ୍ରୟ ନେବାକୁ ପଡ଼ିନାହିଁ । ଏହି ସଫଳତା ଲାଗି ଆମକୁ ସେଠାରେ ପ୍ରଥମେ ଜଣେ କବିକୁ ହିଁ ଶ୍ରେୟ ଦେବାକୁ ପଡ଼ିବ । କହିବା ବାହୁଲ୍ୟ, ଗୁଡ଼ାଏ ବହି ଲେଖିଥିବା ବା ଗୁଡ଼ାଏ କଥା କହି ବୁଦ୍ଧିଜୀବୀମାନଙ୍କର ସଭାକୁ ପ୍ରସନ୍ନ କରି ରଖିଥିବା କୌଣସି କବିଦ୍ୱାରା ଏକଥା ହୋଇନାହିଁ । ଜଣେ ଦୃଷ୍ଟି-ସମ୍ପନ୍ନ କବିଦ୍ୱାରା ଏହା ହୋଇଛି । ଓଡ଼ିଶାର ସାହିତ୍ୟଦାଣ୍ଡି ବୁଲିଆସିଲେ କେବଳ ଗୋପବନ୍ଧୁଙ୍କଠାରେ ହିଁ ହୁଏତ ଆମେ ସେହିପରି ଏକ ଦୃଷ୍ଟିର ପ୍ରେରଣାବଳିଷ୍ଠ ସଙ୍କେତ ପାଇପାରିବା । ଡେନ୍‌ମାର୍କର କବି ଗ୍ରୁନ୍ତ୍‌ଭି (Nikolai Fredrik Severin Grundtvig. 1783-1872)ଙ୍କ ଗୋଟିଏ କବିତା ହିଁ ଜାତିନିର୍ମାଣର ଯୁଗରେ ଡେନ୍‌ମାର୍କକୁ ଏକ ସୁସ୍ଥମାର୍ଗର ସନ୍ଧାନ ଦେଇଥିଲା । ସେହି କବିତାଟିରେ ସେ କହିଥିଲେ ଯେ ଅନ୍ୟଦେଶ ପରି ସାନ ଦେଶ ଡେନ୍‌ମାର୍କରେ ବଡ଼ ଓ ଉଚ୍ଚ ପର୍ବତ ନାହିଁ, ନଦୀ ନାହିଁ ବା ହ୍ରଦ ନାହିଁ । ବଡ଼ ବୋଲି କହି ଗୌରବ ନେବାକୁ ଡେନ୍‌ମାର୍କ କିଛି ନାହିଁ । କିନ୍ତୁ ଏହି ଦେଶରେ ଏକ ଚାଷୀକୂଳ ରହିଛି, ଯିଏ କି ଯୁଗ ଯୁଗ ଧରି ଆପଣାର ଶ୍ରଦ୍ଧା ଓ ଶ୍ରମ ଦେଇ ଏହି ମାଟିକୁ ଚାଷ କରୁଚି, ମାଟିରୁ ସୁନା ଫଳାଉଛି । ଦେଶକୁ ସୁନ୍ଦର କରିବାକୁ ହେଲେ ସେହି ଚାଷୀର ଜୀବନକୁ ସୁନ୍ଦର କରିବାକୁ ହେବ, ଚାଷୀ-ସମାଜକୁ ହିଁ ସୁନ୍ଦର କରିବାକୁ ହେବ; ଅର୍ଥାତ୍ ଦେଶର ସମାଜକୁ ଏପରି ମାର୍ଗରେ ଗଢ଼ିବାକୁ ହେବ; ଯେପରିକି ଦେଶରେ ଅତିକମ୍ ସମ୍ବଳ ଥିବା ମଣିଷ କମ୍ ରହିବେ ଓ ଅତିବେଶୀ ସମ୍ବଳ ରହିଥିବା ଲୋକଙ୍କ ସଂଖ୍ୟା ତାଠାରୁ ଆହୁରି କମ୍ ହୋଇପାରିବ । କବିଙ୍କର ଏହି ଦୃଷ୍ଟିଟିକୁ ସମାଜ ବଦଳାଇବାର ମୂଳ ପ୍ରେରଣା ରୂପେ ଗ୍ରହଣ କରି ଡେନମାର୍କରେ ଗତ ଶହେ ବର୍ଷ ଧରି ଶିକ୍ଷା ଓ ଅର୍ଥଗତ ଜୀବନର ନିୟମ ନ ହୋଇ ଆସିଛି ଏବଂ ସାନ ଦେଶ ହେଲେ ମଧ୍ୟ ଡେନ୍‌ମାର୍କ ଅନେକ ଦୃଷ୍ଟିରୁ ଜାତୀୟତା, ପ୍ରଜାତନ୍ତ୍ର ଓ ସମାନତା ତିନୋଟିଯାକ ପରିମାପକରେ ଆମ ଅନେକଙ୍କର ଆଦର୍ଶ-ସ୍ଥାନୀୟ ହୋଇରହିଛି । ଆପଣାର ଏକ ଲେଖାରେ କବି ଗ୍ରୁନ୍ତ୍‌ଭି ଲେଖିଛନ୍ତି, -ଆମ ଏ ଯୁଗରେ ଲୋକମାନେ ସ୍ୱାଧୀନତା ଓ ସଂସ୍କୃତି ବିଷୟରେ ବଡ଼ କର୍କଶଭାବରେ ଗର୍ଜନ କରିବାରେ ଲାଗିଛନ୍ତି-। ଆମ ସମସ୍ତଙ୍କ ଲାଗି ଯେ ସ୍ୱାଧୀନତା ଓ ସଂସ୍କୃତିର ଆବଶ୍ୟକତା ରହିଛି, ସେକଥା କେହି ଅସ୍ୱୀକାର କରିବ ନାହିଁ । ମାତ୍ର ସେଗୁଡ଼ିକ ହାସଲ କରିବା ପାଇଁ ଆମ ଆଗରେ ଯେଉଁସବୁ ପ୍ରସ୍ତାବ ଓ ପରାମର୍ଶମାନ ଦିଆଯାଉଛି, ସେଗୁଡ଼ିକ ପ୍ଲେଟୋଙ୍କର ଆଦର୍ଶ ରାଜ୍ୟବ୍ୟବସ୍ଥା ପରି ହିଁ ମୂଳତଃ ଦୋଷଯୁକ୍ତ ହୋଇ ରହିଛି । ଫଳରେ ସ୍ୱାଧୀନତା ଓ ସଂସ୍କୃତିର ତଥାକଥିତ ଅଭିଭାବକ ଓ ତତ୍ତ୍ୱାବଧାରକମାନେ ଆପେ ସେଗୁଡ଼ିକୁ ଆତ୍ମସାତ୍‌ କରିପକାଉଛନ୍ତି । ଏଣେ ସେମାନଙ୍କର ଆଜ୍ଞାପାଳନ କରୁଥିବା ଓ ସବୁପ୍ରକାର କଷଣ ସହୁଥିବା ଲୋକସାଧାରଣଙ୍କ ଭାଗ୍ୟରେ ଦାମ୍ଭିକ ଉତ୍ପୀଡ଼କମାନଙ୍କର ଶାସନ ଦ୍ୱାରା ବାଧ୍ୟ ହୋଇ ରହିବା ବ୍ୟତୀତ ଆଉ ଅନ୍ୟ କୌଣସି ସୁଯୋଗ ହିଁ ଯୁଟୁନାହିଁ । ଲୋକସାଧାରଣ ଉତ୍ପୀଡ଼କମାନଙ୍କୁ ଆଦରି ରହିବାକୁ ବାଧ୍ୟ ହେଉଛନ୍ତି; ସେମାନଙ୍କର ଗୁଣଗାନ କରୁଛନ୍ତି ଓ ସେହିମାନଙ୍କୁ ହିଁ ଭଗବାନ ବୋଲି ମାନିନେଉଛନ୍ତି ।

 

ଗତ କୋଡ଼ିଏ ବର୍ଷ ତଳେ ଆମ ଦେଶକୁ ରାଜନୀତିକ ସ୍ୱାଧୀନତା ଆସିଥିଲା । ଜାତୀୟତା-ଯୁଗର ସକଳ ଆକାଙ୍‌କ୍ଷା ଓ ଅନୁଧାବନକୁ ଏକ ଭୂମି ଯୋଗାଇଦେଇ ଏହି ସ୍ୱାଧୀନତା ଆସିଥିଲା । ଗତ କୋଡ଼ିଏ ବର୍ଷ କାଳ ଯେଉଁମାନଙ୍କ ହାତରେ କ୍ଷମତାର ରଜ୍ଜୁ ରହିଥିଲା, ସେହି ରଜ୍ଜୁର ମୋହପାଶଦ୍ୱାରା ସେମାନେ କ୍ରମେ ନିଜେ ବାନ୍ଧି ହୋଇ ପଡ଼ିଲେ । ଜାତୀୟତାକୁ ପରିପୂର୍ଣ୍ଣ ଓ ପୂର୍ଣ୍ଣାଙ୍ଗ ରୂପ ଦେବା ଲାଗି ଏଦେଶରେ ପ୍ରଜାତନ୍ତ୍ରର ଦୃଢ଼ ହେବା ଉଚିତ ଥିଲା, ସମାନତା ଅର୍ଥାତ୍‌ ସମାନ ସୁଯୋଗକୁ କର୍ମଗତ ସରଣୀ ବୋଲି ମାନିନେବା ଉଚିତ ଥିଲା । ମାତ୍ର ତାହା ହୋଇପାରିଲା ନାହିଁ । ବର୍ଗତନ୍ତ୍ର ମୋଟା ହେଲା, ଅସମାନତାଗୁଡ଼ାକୁ ଅତି ନିର୍ଲଜ୍ଜ ଭାବରେ ପ୍ରଶ୍ରୟ ଦିଆଗଲା ଏବଂ ପ୍ରଧାନତଃ ସେହି କାରଣରୁ ହିଁ ଜାତୀୟତାର ପ୍ରତିନିଧିତ୍ୱ କରୁଥିବା ଜାତୀୟ କଂଗ୍ରେସର ଭାଗ୍ୟରେ ଏବେ ଏପରି ଏକ ବିପର୍ଯ୍ୟୟ ମଧ୍ୟ ଘଟିଲା । ଆଫ୍ରିକାରେ ଆଧୁନିକ ସାମାଜିକ ସ୍ଥିତିର ଅଧ୍ୟୟନ କରିବାକୁ ଯାଇ ଜଣେ ନୃତତ୍ତ୍ୱବିତ୍‌ (U.R. Ehrenfels; The Light Continent, Asia, Bombay, 1660) ଜାତୀୟତାର ବିକୃତ ପରିଣତି ବିଷୟରେ ଯେଉଁ ଶଙ୍କା ପ୍ରକାଶ କରିଛନ୍ତି, ଭାରତର ଆଧୁନିକ ଜାତୀୟ ପୃଷ୍ଠଭୂମି ଉପରେ ମଧ୍ୟ ଆମେ ତାହାର ବିଚାର କରିପାରିବା । ସେ କହିଛନ୍ତି, ବିଦେଶୀ ଶାସନର କୁମ୍ଭୀରକୁ ସିନା ଜାତି ଓ ଦେଶର ପୋଖରୀ ଭିତରୁ ବାହାର କରି ଦିଆଯାଉଛି, ମାତ୍ର ତାପରେ ଉଗ୍ର ଦୁର୍ଦ୍ଦାନ୍ତ ଜାତୀୟତାବାଦରୂପୀ ସଂସ୍କୃତି-ସଂହାରକାରୀ ବଡ଼ ମାଛର ଧର୍ଷଣ ଓ ଲୁଣ୍ଠନ ସହିବା ହିଁ ସାର ହେଉଛି ଏବଂ ଏହି ଦୁର୍ବିପାକ ଫଳରେ ସୃଜନଶୀଳ ସାନ ମାଛଗୁଡ଼ିକୁ ହିଁ ବିଲୁପ୍ତ ହୋଇଯିବାର ବିପତ୍ତିର ସମ୍ମୁଖୀନ ହେବାକୁ ପଡ଼ୁଚି । ପ୍ରାୟ ସବୁଠାରେ ଏହି ପୁରୁଣା କାହାଣୀଟିର ଅଭିନୟ ହୋଇଚାଲିଚି । (ପୃଷ୍ଠା–୧୨୯) ଜାତୀୟତାର ଏହି ଅସଭ୍ୟ ଯୁଗରେ ଚାଲିଥିବା ମତ୍ସ୍ୟନ୍ୟାୟ ଅନୁସାରେ ବଡ଼ ମାଛ ସାନମାଛକୁ ଖାଇଯାଉଚି । ବିଗତ କୋଡ଼ିଏ ବର୍ଷ ଭିତରେ ଆମ ଭାରତବର୍ଷ ଓ ଓଡ଼ିଶାରେ ମଧ୍ୟ ପ୍ରଧାନତଃ ବଡ଼ମାଛଙ୍କ ସକାଶେ ହିଁ ସବୁ ଚାଲିଚି । ବିଧାନସଭାଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଏହି ବଡ଼ମାଛ ହିଁ ଉଧୋଉଚନ୍ତି, ସାନ ମାଛ ମରି ଯାଉଚନ୍ତି । ନୂଆଦିଲ୍ଲୀଠାରୁ ନୂଆ ରାଜଧାନୀ ପର୍ଯ୍ୟନ୍ତ ହୁଏତ ଏହି ବଡ଼ ମାଛମାନେ ହିଁ ସବୁ ମାଡ଼ି ବସିଚନ୍ତି ଓ ଆହୁରି ଅଧିକ ମାଡ଼ି ବସିବା ଲାଗି ଜାତୀୟ ଅଭିକ୍ରମଗୁଡ଼ିକର ଧୂମ୍ରମଣ୍ଡଳ ସୃଷ୍ଟି କରି ରଖିଛନ୍ତି । ଏହି ବଡ଼ ମାଛମାନଙ୍କ ପାଇଁ ନିରାପଦ ବିନୋଦନର ନିମିତ୍ତ ବନିବା ସକାଶେ ଆମ ସାହିତ୍ୟକୁ ଫରମାସ ଦିଆଯାଇଚି, ସଙ୍ଗୀତ ଓ ନୃତ୍ୟର ପୁରାତନ ପୋଖରୀମାନ ଉଝୁଳା ହେବାରେ ଲାଗିଚି, ବିଶେଷ ମୁଣ୍ଡ ଓ ବିଶେଷ ଅଟକଳଦ୍ୱାରା ତିଆରି ହୋଇଥିବା ବିଶେଷ ସ୍କୁଲମାନଙ୍କରେ ବଛା ଯାଆଁଳ ଛଡ଼ାହୋଇ ଭବିଷ୍ୟତ ଲାଗି ବଡ଼ମାଛ ତିଆରି ହେଉଚନ୍ତି । ଜାତୀୟତାର ଏହି ଶୂନ୍ୟ ପ୍ରହସନ-ପର୍ବରେ ପ୍ରଜାତନ୍ତ୍ର ଉଧେଇବ ବା କିପରି; ସମାନ ସୁଯୋଗ ମିଳିବ ବା କିପରି, ମଣିଷ ହିସାବରେ ପ୍ରତ୍ୟେକ ମଣିଷ ଲାଗି ବାଟ ଫିଟିବ ବା କିପରି ?

 

ଚୀନ୍‌ଦେଶର ଜଣେ ପ୍ରାଚୀନ ଦାର୍ଶନିକ ଥରେ ମନ୍ତବ୍ୟ ଦେଇ କହିଥିଲେ ଯେ, କୌଣସି ଜାତିର ତୁଳାଦଣ୍ଡରେ ଜନସାଧାରଣଙ୍କୁ ହିଁ ସର୍ବାଗ୍ରେ ସ୍ଥାନ ଦିଆଯିବା ଉଚିତ । ତା’ ପରେ ରାଷ୍ଟ୍ରର ସ୍ଥାନ ରହିବା ଉଚିତ; ତା’ ପରେ ଯାଇ ଶାସକ ବା ପ୍ରଶାସକମାନଙ୍କର ସ୍ଥାନ ରହିବା ଉଚିତ । ଦେଶରେ ଗତ କୋଡ଼ିଏ ବର୍ଷର ବିବିଧ ଉଦ୍ୟମର ମଧ୍ୟ ଦେଇ ତାହାର ଓଲଟାଟା ହିଁ ହେଉଚି । ସବୁଠାରେ ଶାସକର ହିଁ ଅଗ୍ରାଧିକାର ଚାଲିଚି; ରାଷ୍ଟ୍ର ଶାସକ ଲାଗି ମୂଳତଃ ଏକ ଡାକବଙ୍ଗଳାର କାର୍ଯ୍ୟ କରୁଛି ଓ ସାଧାରଣ ଅନୁସରଣିଆ ହୋଇ ରହିଛନ୍ତି । ଏହା ଫଳରେ ଜାତୀୟତାର ଉତ୍ସାହସଭା ପ୍ରଧାନତଃ ଏକ ବ୍ୟଙ୍ଗସଭାରେ ପରିଣତ ହୋଇଛି । ଜାତିର ଶାସନ ଏଣିକି ଯାହା ହାତରେ ରହୁନା କାହିଁକି ତାକୁ ଏହିସବୁ କଥା ଅବଶ୍ୟ ମନେ ରଖିବାକୁ ହେବ । ଏତିକିବେଳେ ମନ କହୁଛି, ଏ ଦେଶ ଲାଗି ବର୍ତ୍ତମାନ ଗୋପବନ୍ଧୁଙ୍କ ପରି ଜାତୀୟ ବୀର ଦରକାର, ଗୋପବନ୍ଧୁଙ୍କ ବିଷୟରେ ସରସା ଓ ଷୋଳମାତ୍ରା-ସମ୍ବଳିତ ବକ୍ତୃତା ଦେଉଥିବା ପଣ୍ଡିତ, ଅଧ୍ୟାପକ ବା ତୁଙ୍ଗନେତା ଦରକାର ନାହାନ୍ତି । ଆଜିକୁ ପ୍ରାୟ ଷାଠିଏ ବର୍ଷ ତଳେ ରୁଷିଆ ଦେଶର ଟଲ୍‌ଷ୍ଟୟ ଶୂନ୍ୟଗର୍ଭ ଜାତୀୟତାବାଦର ପ୍ରମାଦ ବିଷୟରେ ଆମକୁ ସତର୍କ କରିଦେଇ ଯାଇଚନ୍ତି । ତାଙ୍କ ମତରେ ଏହି ପ୍ରମାଦ ଘଟିଲେ ରାଷ୍ଟ୍ରାୟତନ ଓ ରାଷ୍ଟ୍ରାୟତ୍ତ ଶାସନର ବାହାରେ ମଣିଷର ଆଉ କୌଣସି ଅର୍ଥ ରହେନାହିଁ । ମଣିଷ ମଣିଷ ହେବା ଆଗରୁ ତାକୁ ଜାତିର ଖୁଆଡ଼ ଭିତରେ ଭର୍ତ୍ତି କରିଦିଆଯାଏ । ମଣିଷ ଯେ ମୂଳତଃ ଭାରତୀୟ, ବଙ୍ଗାଳି ବା ଓଡ଼ିଆ ନୁହେଁ, ମଣିଷ ଯେ ମୂଳତଃ ଜଣେ ମଣିଷ, ଅର୍ଥାତ୍‌ ତା’ର ଯେ ବିବେକ ରହିଛି, ବିଚାର ରହିଚି, ଭଲ ପାଇବାର ଶକ୍ତି ରହିଛି, ଆପଣାର ମଣିଷ ଜୀବନକୁ କୌଣସି ଏକ ସାର୍ଥକ ଉଦ୍ଦେଶ୍ୟ ଦିଗରେ ଅନୁଧାବିତ କରାଇବା ଲାଗି ତା’ର ଯେ ଏକ ସର୍ବମୂଳ ଅଧିକାର ରହିଚି, ସେତେବେଳେ ଜାତୀୟ ବିଧାୟକମାନେ ତାହା ପାସୋରିପକାନ୍ତି । ମଣିଷର ପେଟ ପୂରେ ନାହିଁ । ମନ ବା ହୃଦୟ କିଛି ପୂରେନାହିଁ, ମାତ୍ର ଜାତୀୟତା ନାମରେ ଅମଣିଷ ଶାସକର ଅମାର ଭର୍ତ୍ତି ହୁଏ । ଏହି ପ୍ରମାଦର ପ୍ରତିବିଧାନ ସ୍ୱରୂପ ଟଲ୍‌ଷ୍ଟୟ ପ୍ରତ୍ୟେକ ମଣିଷକୁ ରାଷ୍ଟ୍ର ଓ ଜାତୀୟତାସମ୍ବନ୍ଧୀ ସକଳ ପ୍ରକାର ଅନ୍ଧବିଶ୍ୱାସରୁ ମୁକ୍ତ ହେବାର ଉଦ୍‌ବୋଧନ ଦେଇଥିଲେ । ପ୍ରତ୍ୟେକ ମଣିଷକୁ ମଣିଷ ବୋଲି ସ୍ୱୀକାର କରି ଶିଖିବା ଲାଗି ସେ କହିଥିଲେ । ସକଳ ପ୍ରକାର କର୍ତ୍ତୃତ୍ୱ ଓ ଦାସତ୍ୱ ସହିତ ଅସହଯୋଗ କରିବାର ବାଟ ବତାଇଥିଲେ । ଆମ ଓଡ଼ିଶାରେ ଶ୍ରୀଯୁକ୍ତ ଗୋପବନ୍ଧୁ ମଧ୍ୟ ଏହି ଅନ୍ଧବିଶ୍ୱାସ ସହିତ ଅସହଯୋଗ କରିଥିଲେ । ତାଙ୍କର ରାଜନୀତି, ସାହିତ୍ୟ, ଶିକ୍ଷାପ୍ରୟୋଗ ଓ ଧର୍ମାଦର୍ଶ ପଛରେ ଆମେ ବଡ଼ ସ୍ପଷ୍ଟଭାବରେ ଏହି ଅସହଯୋଗ ବ୍ୟଞ୍ଜନାଟିକୁ ଠଉରାଇ ନେଇପାରିବା ଏବଂ ଏହି ଅସହଯୋଗର ପଛରେ ମଣିଷ ହିସାବରେ ମଣିଷ ପ୍ରତି ରହିଥିବା ତାଙ୍କର ଅଜସ୍ର ଶ୍ରଦ୍ଧା ଓ ସମ୍ମାନକୁ ବି ଠଉରାଇ ନେଇପାରିବା । ଓଡ଼ିଶାରେ ଆଜି ଏହି ଶ୍ରଦ୍ଧା ଓ ସମ୍ମାନର ପୁନର୍ପ୍ଲାବନ ଦରକାର ଏବଂ ଏହି ପ୍ଲାବନରେ ଭଗିରଥ ହେବା ଲାଗି ଓଡ଼ିଶାରେ ଗୋପବନ୍ଧୁ ବି ଦରକାର ।

 

(’ସମାଜ’ ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା, ୧୯୬୭)

Image

 

Unknown

ଗୋପବନ୍ଧୁ ଓ ଶିକ୍ଷା

 

ଗୋପବନ୍ଧୁ ନେତା ନ ଥିଲେ, ପଥିକ ଥିଲେ । ସିଏ ବାଟ ଚାଲିବା ଲାଗି ସଂସାରକୁ ଆସିଥିଲେ । ଆମେ ସମସ୍ତେ ବି ବାଟ ଚାଲିବା ଲାଗି ହିଁ ସଂସାରକୁ ଆସିଥାଉ । ମାତ୍ର କି ଅବେଳରେ ଓ କି ସଂସ୍କାରହୀନତା ଭିତରେ ପଡ଼ି ଆମ ଜୀବନର ଆଖିଗୁଡ଼ାକ କ୍ରମଶଃ ବୁଜିହୋଇ ଆସିବାରେ ଲାଗିଥାନ୍ତି କେଜାଣି ଆମେ ଏହି ସଂସାରରେ ଯହୁଁ ଯହୁଁ ବଡ଼ ହେବାରେ ଲାଗିଥାଉ, ତହୁଁ ତହୁଁ ଆମର ବାଟ ଚାଲିବାଟା ବି କ୍ରମେ ବନ୍ଦ ହୋଇ ଆସୁଥାଏ । ଆମେ ଇସ୍କୁଲ କରୁ, କଲେଜ କରୁ, ପିଲାମାନଙ୍କୁ ଏସା କରିବାରେ ଅଥବା ତେସା କରିବାରେ ଲାଗିଯାଉ, -ଆଜି ଏମିତି ନଚାଉ ତ କାଲି ସେମିତି ନଚାଉ । ମାତ୍ର ସେତେବେଳକୁ ଆମର ସବୁ ଶିକ୍ଷା ପ୍ରାୟ ଗୋଟାସୁଦ୍ଧା ବନ୍ଦ ହୋଇଯାଇଥାଏ । ଆମର ବିଚାରଗୁଡ଼ିକ ଗୋଟାସୁଦ୍ଧା ବହଳ ହୋଇଯାଇଥାଏ, ଆମ ଆଦର୍ଶଗୁଡ଼ାକ କ୍ରମେ ଆଦର୍ଶବାଦରେ ପରିଣତ ହେବାରେ ଲାଗିଥାଏ, ଆମ ନେତୃତ୍ୱଗୁଡ଼ାକ ସିଧା ହାକିମୀ ଓ ଅହଂକାରର ବେଶ ପିନ୍ଧି ସୁକୁଟ ଦେଖାଇ ବାହାରନ୍ତି । ତା’ ପରେ ଆମେ କେବଳ କଥା କହିବାରେ ଲାଗୁ; ଆପଣାକୁ ଭୁରୁଡ଼ାଉଥିବା ସମୟରେ ମଣିଷ ଯେତିକି ସାହସରେ କଥା କହେ, ଆମେ ଠିକ୍ ସେତିକି ଅଥବା ତା’ଠାରୁ ଆହୁରି ଅଧିକ ସାହସରେ କଥା କହୁ । କଥାରେ ସରଗ କମ୍ପାଉ, କଥାରେ ହିଁ ଲଙ୍କାକୁ ସେତୁବନ୍ଧ ବାନ୍ଧୁ । ତା’ପରେ ବଡ଼ ହେଉ, ବଡ଼ ଆସନରେ ବସୁ, ବଡ଼ ହୋଇ ଦିଶୁ; ତଥାପି ଅଶିକ୍ଷିତ ହୋଇ ରହିଯାଉ । ଏବଂ ଆମର ଦୌରାତ୍ମ୍ୟଗୁଡ଼ାକ ଦ୍ୱାରା ଯୁଗଟାକୁ ନରଖର କରିବାରେ ଲାଗିଥାଉ ।

 

ଗୋପବନ୍ଧୁ ପଥିକ ଥିଲେ, ତେଣୁ ସେ ଶିକ୍ଷା ଲାଗି ମନ କରିଥିଲେ । ଚାରଣା ହିଁ ତାଙ୍କ ଜୀବନର ଅନ୍ୟ ସଂଜ୍ଞା ହୋଇ ରହିଥିଲା, ତେଣୁ ଶିକ୍ଷକ କହିଲେ ସିଏ ଆଚାର୍ଯ୍ୟକୁ ହିଁ ବୁଝୁଥିଲେ । ସମଗ୍ର ଜୀବନ ହିଁ ତାଙ୍କ ଚାରଣାର ଅଭିଳାଷଭୂମି ହୋଇ ରହିଥିଲା, ତେଣୁ ଆପଣାର କଳ୍ପିତ ଯେକୌଣସି ବିଦ୍ୟାଳୟ ଜୀବନ ପରି ହିଁ ବ୍ୟାପକ ଏବଂ ଜୀବନ ପରି ହିଁ ସମଗ୍ର ହେବବୋଲି ଗୋପବନ୍ଧୁ ପ୍ରତ୍ୟେକ ମୁହୂର୍ତ୍ତରେ ସ୍ୱପ୍ନ ଦେଖୁଥିଲେ । କୁତ୍ସିତତାକୁ ନ ସହିବାର ସଂସ୍କାରଟି ସମ୍ଭବତଃ ଶିକ୍ଷାର ଅସଲ ସଂସ୍କାର । ଗୋପବନ୍ଧୁ ପ୍ରକୃତରେ କୌଣସି କୁତ୍ସିତତାକୁ ସହିନଥିଲେ, କିମ୍ବା କୌଣସି କୁତ୍ସିତତା ସହିତ ସାଲିଶ୍‌ କରିବାକୁ ବି ମନ କରିନଥିଲେ । ଗୋପବନ୍ଧୁଙ୍କର ତିରୋଧାନ ପରେ ଏହି ଅର୍ଦ୍ଧଶତାବ୍ଦୀର ଅବଧିଟିକୁ ଯଦି ଏକ ଯୁଗ ବୋଲି କୁହାଯାଏ, ତେବେ ଅତ୍ୟନ୍ତ ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ ଏହି ଯୁଗରେ ଆମେ ଯେଉଁମାନେ ସବୁଠାରୁ ଅଧିକ ସାଲିଶ୍‌ କଲେ, କୁତ୍ସିତତାଗୁଡ଼ାକୁ ସବୁଠାରୁ ଅଧିକ ପରିମାଣରେ ସହିଲେ ଓ ତାହାରି ମଧ୍ୟରେ ଆପଣା ଲାଗି କୋଠାଟିଏ ତୋଳିବାକୁ ହିଁ ଅସଲ ସାର୍ଥକତା ବୋଲି ବିଶ୍ୱାସ କଲେ, ଆମେ ସେହିମାନେ ହିଁ ନାନା କାରଣରୁ ଏଠି ଗୋପବନ୍ଧୁଙ୍କୁ ମଧ୍ୟ ପ୍ରାୟ ଗୋଟାସୁଦ୍ଧା ଆବୋରି ବସିଲେ, ଆମେ ଗୋପବନ୍ଧୁଙ୍କୁ ଗୋଟାସୁଦ୍ଧା ଗିଳି ସଫା କରିଦେବାକୁ ମନ କଲେ, ନିଜର ମଣୋହି ଲାଗି ତାଙ୍କୁ ଅନୁରୂପ ଭାବରେ ଶୀତଳ କରି ରଖିଲେ । ଆମେ ତାଙ୍କୁ ଉତ୍କଳମାତାର ବରପୁତ୍ର ବୋଲି କହିଲେ, ନବ ଉତ୍କଳର ନିର୍ମାତା ବୋଲି କହିଲେ, ମଣି ବୋଲି କହି ବଡ଼ାଇ କଲେ । ତାଙ୍କର ପଥିକଧର୍ମକୁ ପାସୋରି ବସିଲେ ।

 

ତଥାପି ଗୋପବନ୍ଧୁ ପଥିକ ହିଁ ଥିଲେ, ଜୀବନରେ ଆପଣାର ଯାବତୀୟ ଅର୍ଜନକୁ ପାଥେୟ କରି ବାଟ ଚାଲିବାକୁ ହିଁ ସେ ଜୀବନର ଅସଲ ଧର୍ମ ବୋଲି ଗ୍ରହଣ କରିଥିଲେ । ଯିଏ ଆମକୁ ସତତ ବାଟ ଚାଲିବାର ଅସଲ ଭେଦଟିକୁ ବତାଇଦିଏ, ତାହାହିଁ ଶିକ୍ଷା । ପଢ଼ି ପଢ଼ି ବହି ଅଣ୍ଟେନାହିଁ, ଦେଖୁ ଦେଖୁ ଆକାଶ ଅଣ୍ଟେନାହିଁ, ଉଡୁ ଉଡୁ ଡେଣାଗୁଡ଼ାକ ସାନ ହୋଇ ଆସୁଥିବା ପରି ମନେ ହେଉଥାନ୍ତି, ଭଲ ପାଇବାକୁ ଯାଇ ପୃଥିବୀ ଅଣ୍ଟେନାହିଁ । ଗୋପବନ୍ଧୁଙ୍କର ଜୀବନକୁ ଅଧ୍ୟୟନ କଲେ ମନେହୁଏ, ସାରା ପୃଥିବୀଟାକୁ ସିଏ ସତେଅବା ଗୋଟାଏ ବିରାଟ ଗ୍ରନ୍ଥ ପରି ମନେ କରୁଥିଲେ; ସାଧୁ ଓ ସନ୍ଥମାନେ ଯେଉଁ ସଂସାରକୁ ପ୍ରାୟ ଏକ ଗହନ ବୋଲି ବର୍ଣ୍ଣନା କରିଯାଇଛନ୍ତି, ଗୋପବନ୍ଧୁ ତାହାକୁ ସତେଅବା ରତ୍ନର ଏକ ଭଣ୍ଡାର ବୋଲି ଗ୍ରହଣ କରି ତାହାରି ସହିତ ଅଧିକରୁ ଅଧିକ ଘନିଷ୍ଠ ଭାବରେ ବାନ୍ଧି ହୋଇଯାଉଥିଲେ । ଏଠି ଆମେ ଯେଉଁମାନେ ସଂସାର ସହିତ ବାନ୍ଧି ହୋଇଯାଇ ଗୋଟାସୁଦ୍ଧା ସଂସାରୀ ହୋଇ ବସୁ, ଏହାରି ମଧ୍ୟରେ ହିଁ ଆପଣାଲାଗି ସୁଖ ଓ ସିଦ୍ଧିଲାଭର କଣଟିଏ ଲୋଡ଼ିନେଇ ବାକୀ ସବୁକିଛିକୁ ଆଖି ବୁଜି ବସିଯାଉ, ଗୋପବନ୍ଧୁ ସେମାନଙ୍କ ଭଳି ସଂସାରୀ ହେବାକୁ କେବେହେଲେ ମନ କରିନଥିଲେ । ଯେଉଁ ସଂସାରର ପରିଧି କ୍ରମଶଃ ବୃହତ୍ତର ହେବାରେ ଲାଗିଥାଏ, ଯେଉଁଠି ବାଡ଼ ଘୁଞ୍ଚି ଘୁଞ୍ଚି ଯାଉଥାଏ, ଗଣ୍ଠିଗୁଡ଼ାକ ଫିଟି ଫିଟି ଯାଉଥାଏ, ଯେଉଁଠାରେ ଦେଶ କହିଲେ ସବାଆଗ ମଣିଷଗୁଡ଼ାକ ହିଁ ଜଳ ଜଳ ହୋଇ ଦିଶିଯାଉଥାନ୍ତି, ସମାଜ କହିଲେ ଯେଉଁଠି ସହାନୁଭବର ସମ୍ପର୍କଗୁଡ଼ାକୁ ହିଁ ବୁଝାଏ, ସଂସାର କହିଲେ ଗୋପବନ୍ଧୁ ତାହାକୁ ହିଁ ବୁଝୁଥିଲେ । ଅର୍ଥାତ୍‌, ସିଏ ସେହିପରି ଗୋଟିଏ ସଂସାରର ସ୍ୱପ୍ନ ଦେଖୁଥିଲେ । ବର୍ତ୍ତମାନ ଆମର ସଂସାର ଓ ଆମର ସମାଜ ଯେଉଁପରି ରହିଛି, ସିଏ ତାକୁ ବଦଳାଇବାକୁ ଚାହୁଁଥିଲେ । ତାଙ୍କର ଯେଉଁ ଦେଶ ଅଥବା ଭୂମିକୁ ଆମେ ବି ଆମର ଯାବତୀୟ ବିମୂଢତା ଖଟାଇ ଆମ ନିଜର ଦେଶ ଓ ନିଜର ଭୂମି ବୋଲି କହୁଛୁ, ସେହି ଦେଶକୁ ସିଏ ବଦଳାଇବାକୁ ଚାହୁଁଥିଲେ, ସେହି ଭୂମିକୁ ସିଏ ବଦଳାଇବାକୁ ଚାହୁଁଥିଲେ । ଏବଂ, ଏହିପରି ବଦଳାଇ ପାରିବାକୁ ହେଲେ, ମଣିଷଠାରେ ଯେଉଁ ଶ୍ରଦ୍ଧା ରହିଥିବା ଦରକାର, ଯେଉଁ ନିଷ୍ଠା ଓ ବିଶ୍ୱାସ ରହିଥିବା ଦରକାର, ଯେଉଁ ଅସନ୍ତୋଷ ଓ ଅଶ୍ୱସ୍ତିବୋଧ ରହିଥିବା ଦରକାର, ସେହିଗୁଡ଼ିକର ଅର୍ଜନକୁ ଗୋପବନ୍ଧୁ ଶିକ୍ଷା ବୋଲି କହୁଥିଲେ । ଏଠି ଆମରି ପାରସ୍ପରିକ ସମ୍ବନ୍ଧରେ ଭଗବତ୍‌ପ୍ରେରଣାର ଅନୁସିଞ୍ଚନ ଘଟିଲେ ଆମର ସମାଜ ଯେଉଁଭଳି ଆତଯାତ ହୁଅନ୍ତା, ସମାଜ ଠିକ୍‌ ସେହିପରି ଆତଯାତ ହେଉ ଏବଂ ସେହିପରି ବିକାଶ ଲାଭ କରୁ ବୋଲି ଗୋପବନ୍ଧୁ ଆମର ଏଠାରେ ଏକ ନୂତନ ପ୍ରକାରର ଶିକ୍ଷା-ରୀତିର ପ୍ରଚଳନ ଇଚ୍ଛା କରିଥିଲେ ।

 

କେବଳ ଇଚ୍ଛା କରିନଥିଲେ, ଏହି ନୂତନ ପ୍ରବର୍ତ୍ତନ ଦିଗରେ ସିଏ କିଛି କାର୍ଯ୍ୟ ମଧ୍ୟ କରିଥିଲେ । ସତ୍ୟବାଦୀ ବକୁଳବନର କଥାକୁ ପକାଇ ଆମେ ଯେଉଁମାନେ ଆଖିଗୁଡ଼ାକୁ ଓଦା କରିପକାଉ, ଗୁଣ ସୁମରି କେତେ ବାହୁନିବାରେ ଲାଗିଯାଉ, ସେମାନେ ମଣିଷ ଭିତରେ ବଡ଼ସାନ ବିଚାର କରୁ, ସମାଜ ଭିତରେ ଜାତିଭେଦ ମାନୁ, ଗ୍ରାସ କରିପକାଇବାକୁ ହିଁ ରାଜନୀତି ବୋଲି ମାନୁ ଏବଂ ବାଧ୍ୟ କରି ରଖିବାକୁ ହିଁ ଶିକ୍ଷା ବୋଲି କହୁ । ଗୋପବନ୍ଧୁ ଜାତି ମାନୁନଥିଲେ, ମଣିଷ ଭିତରେ ବଡ଼ସାନ ମାନୁ ନଥିଲେ, ରାଜନୀତିକୁ ମଧ୍ୟ ସିଏ ଏକାତ୍ମ ହେବାର ଏକ ସାଧନ ବୋଲି ମାନିଥିଲେ-। ଏହିସବୁ ପ୍ରତ୍ୟୟକୁ ଆଗ ନିଜର ଜୀବନବିଶ୍ୱାସରେ ପରିଣତ କରି ତା’ପରେ ଯାଇ ଗୋପବନ୍ଧୁ ଶିକ୍ଷାକୁ ମନ କରିଥିଲେ । ସେବାକୁ ମନ କରିଥିଲେ, ରାଜନୀତିକୁ ମନ କରିଥିଲେ, ଏବଂ ଖବରକାଗଜକୁ ମଧ୍ୟ ମନ କରିଥିଲେ । ଆପଣାର ଆଦର୍ଶଗୁଡ଼ିକୁ ସିଏ ଆପଣା ଭିତରେ ଅର୍ଥାତ୍‌ ଆପଣା ଜୀବନରେ ଅନୁଭବ କରୁଥିଲେ, ନିଜର ବାଟ ଚାଲିବା ଦ୍ୱାରା ସିଏ ସେଗୁଡ଼ିକର ନିକଟବର୍ତ୍ତୀ ହୋଇଆସୁଥିବାର ଅନୁଭବ କରୁଥିଲେ । ଆଦର୍ଶଗୁଡ଼ାକୁ ସତେଅବା ଗୋଟାଏ ମୁଖାବରଣ କରି ରଖିବା ଓ ତେଣୁ ସେଗୁଡ଼ିକୁ ଆପଣାଲାଗି ଗୋଟାଏ ଗୋଟାଏ ମୁଖାବରଣ ରୂପେ ବ୍ୟବହାର କରିବା, ଗୋପବନ୍ଧୁଙ୍କର ଅନ୍ତଃଜାତକ ଭିତରେ ଏଗୁଡ଼ାକ ଆଦୌ ନଥିଲା ।

 

ଜଣେ ପୂର୍ଣ୍ଣ ମନୁଷ୍ୟ ହେବା ହିଁ ଗୋପବନ୍ଧୁଙ୍କ ଆପଣା ଜୀବନରେ ସର୍ବମୂଳ ସାଧନା ଓ ସର୍ବମୂଳ ପ୍ରଚେଷ୍ଟା ହୋଇ ରହିଥିଲା, ଏବଂ ଶିକ୍ଷା ବୋଇଲେ ସେ ଯେତେବେଳେ ଯାହାକିଛି ପ୍ରଚେଷ୍ଟା କରିଥିଲେ, ତାହାର ମୂଳରେ ମଧ୍ୟ ସର୍ବଦା ଠିକ୍‌ ସେହି କଥାଟି ହିଁ ନିହିତ ହୋଇ ରହିଥିଲା-। ଗୋପବନ୍ଧୁ ପ୍ରଥମେ ମଣିଷ ହେବାର ଶ୍ରଦ୍ଧା ରଖିଥିଲେ, ତା’ପରେ ନିଜକୁ ଭାରତୀୟ ବୋଲି ଭାବୁଥିଲେ ଓ ସବା ଶେଷରେ ଯାଇ ଆପଣାକୁ ଓଡ଼ିଆ ବୋଲି କହୁଥିଲେ । ପୂର୍ଣ୍ଣ ମଣିଷ ହେବାର ଅର୍ଥଟି ପ୍ରକୃତରେ କ’ଣ ସବା ଆଗ ଜଣେ ମଣିଷ ହେବାର ଶ୍ରଦ୍ଧା ରଖିବାର ଅର୍ଥଟି ବି କ’ଣ ? ଏଠି ସଂସାର ଭିତରେ ଆମେ ଏପରି ଅନେକ ରହିଛୁ, ଯେଉଁମାନେ କି ଗୋଟାଏ ପାଖରେ ଭରଣି କରାଇବା ସକାଶେ ଆଉ ଗୋଟାଏ ପାଖକୁ ଖଣ୍ଡିଆ ରଖିବାପାଇଁ ବାଧ୍ୟ ହୋଇଥାଉ, କୌଣସି ଗୋଟାଏ କ୍ଷେତ୍ରରେ ମତ୍ତଗଜ ହୋଇପାରିବାଲାଗି ଆଉ ସବୁଯାକ ଦିଗରୁ ଆପଣାକୁ ଗୋଟାସୁଦ୍ଧା ନାଣ୍ଡୁକରି ଆଣିଥାଉ । ସେହିସବୁ କ୍ଷେତ୍ରରେ ନିଜକୁ ଅତ୍ୟନ୍ତ ଦରିଦ୍ର, ଅସୁନ୍ଦର ଓ ଦୁଷ୍ଟ କରି ରଖିଥାଉ ଏବଂ ଗୋଟାଏ କ୍ଷେତ୍ରରେ ନାଆଁ କରି ବାହାରିଥାଉ । ଆମେ ବେଳେବେଳେ ତୁଚ୍ଛା ପଣ୍ଡିତ ହୋଇ ବାହାରୁ, କେବଳ ସେବା କରୁ, କେବଳ ରାଜନୀତି କରୁ; ଏବଂ ଯାହାକିଛି କରୁ, ତାହାରି ଭିତରେ ହିଁ ଲାଖିଯାଉ । ଏଗୁଡ଼ାକ ହେଉଛି ଆମ ଅଶିକ୍ଷାର ପରିଣାମ, ଅର୍ଥାତ୍‌ ଆମର ଯାବତୀୟ ପ୍ରୟାସ ମଧ୍ୟରେ ଶିକ୍ଷାକୁ ହିଁ ଅସ୍ୱୀକାର କରି ଆସିଥିବାର ପରିଣାମ । ଭିତରର ଅନେକ ଖଣ୍ଡିଆକୁ ଘୋଡ଼ାଇ ରଖିବାଲାଗି ଆମେ ଯେଉଁମାନେ ବେଶ ପିନ୍ଧୁ, ଜୀବନର ଅନେକ କ୍ଷେତ୍ରରେ ଆପଣାକୁ ଏବଂ ସଂସାର ଗୋଟାକୁ ଚିତା କାଟିବୁ ବୋଲି ଆମେ ଯେଉଁମାନେ ବାହାରେ ଚିତା ବୋଳିହୋଇ ରହିଥାଉ, ଆମଦ୍ୱାରା ହୁଏତ ଆଦୌ କୌଣସି ଶିକ୍ଷା ସମ୍ଭବ ହୁଏନାହିଁ-। ହଁ, ପ୍ରଦର୍ଶନ ହୁଏ, ଅତିରିକ୍ତତା ହୁଏ, ଦୌରାତ୍ମ୍ୟ ହୁଏ; ଆପଣାକୁ ମୟୂରପକ୍ଷୀ ଦ୍ୱାରା ବିଭୂଷିତ କରି ରଖିହୁଏ, ଭୀରୁମାନଙ୍କର ଗହଣରେ ଚନ୍ଦନଚର୍ଚ୍ଚିତ ଓ ବଡ଼ ହୋଇ ଶୋଭା ପାଇହୁଏ; ନାନାବିଧ ରସହୀନ ନୃଶଂସ ପ୍ରହସନରେ ହିରୋ ହୋଇ ବସି ହୁଏ, ତଥାପି ଶିକ୍ଷା ସମ୍ଭବ ହୁଏନାହିଁ-

 

ପୂର୍ଣ୍ଣ ମଣିଷର ଶିକ୍ଷା ହେଉଛି ସବାଆଗ ନିର୍ଭୀକ ହୋଇ ଆପଣାକୁ ବାଟ ଚଳାଇ ନେବାର ଶିକ୍ଷା ଆମ ପ୍ରତ୍ୟେକଙ୍କର ଗୋଟାଏ ଗୋଟାଏ ବାଟ ଥିବ, ସେହି ବାଟରେ ଚାଲିବାଲାଗି ଆପଣା ଭିତରେ ଏକ ବଳିଷ୍ଠ ବିଶ୍ୱାସ ରହିଥିବ, ଅଥଚ ଯଥାର୍ଥ ଶ୍ରଦ୍ଧା ରହିଥିବ । ଆପଣାର ବାଟଟିକୁ ଚାଲିବାରେ ମୁଁ ନିର୍ଭୀକ ହେବି, ଆପଣାର ନିବେଦନ କ୍ଷେତ୍ରରେ ମଧ୍ୟ ନିର୍ଭୀକ ହୋଇପାରିବି । ବଡ଼ମାନଙ୍କ ପାଖରେ ନିର୍ଭୀକ ହେବି, ସାନମାନଙ୍କ ପାଖରେ ବି ନିର୍ଭୀକ ହେବି, ଅନ୍ତଃପ୍ରକୃତି ପାଖରେ ନିର୍ଭୀକ ହେବି, ବହିଃପ୍ରକୃତି ପାଖରେ ବି ନିର୍ଭୀକ ହୋଇପାରିବି । ସତ୍ୟବାଦୀ ବିଦ୍ୟାଳୟରେ ଯେଉଁ ପିଲାମାନେ ପାଠ ପଢ଼ୁଥିଲେ, ସେମାନେ ସେହିପରି ନିର୍ଭୀକ ଭାବରେ ହିଁ ପାଠ ପଢ଼ୁଥିଲେ; ଆାପଣାର ଶିକ୍ଷକମାନଙ୍କଠାରୁ ସେମାନେ ନିର୍ଭୀକ ହୋଇ ଗ୍ରହଣ କରିପାରୁଥିଲେ, ଶିକ୍ଷକମାନେ ମଧ୍ୟ ପିଲାମାନଙ୍କ ପାଖରେ ନିର୍ଭୀକ ହୋଇପାରୁଥିଲେ । ସେହି ସତ୍ୟବାଦୀର ଆସ୍ଥାନଟି ଭାଙ୍ଗିଯିବା ପରେ ସେମାନେ ନାନା ସ୍ଥାନରେ ନାନାବିଧ ଭାବରେ ସଂକ୍ରାମିତ ହୋଇ ହୁଏତ କେତେକେତେ ଭୀରୁତା ମଧ୍ୟରେ ଆପଣାକୁ ଅନ୍ୟପ୍ରକାରେ ପରିଚିତ କରାଇଲେ ସିନା, ମାତ୍ର ସେମାନେ ସତ୍ୟବାଦୀର ଜୀବନ ପାଖରେ ମୂଳତଃ ମିଥ୍ୟାବାଦୀ ହୋଇ ରହିଥିଲେ । ଯିଏ ନିର୍ଭୀକ ହୁଏ, ସିଏ କାହାରି ଖାତକ ହୋଇ ରହିନାହିଁ, ଅଥବା କାହାରି ଖାମିନ୍ଦ ହେବାଲାଗି ବି ମନ କରେନାହିଁ । ସିଏ କେବେହେଲେ କାହାରିଠାରୁ ଖୋସାମଦ ଶୁଣିବାକୁ ଭଲ ପାଏ ନାହିଁ ବା ନିଜେ ବି କାହାରି ଖୋସାମଦ କରିବାକୁ ଯାଏନାହିଁ । ଗୋପବନ୍ଧୁଙ୍କ ପରେ ଆମ ସାମାଜିକ ବ୍ୟବସ୍ଥାପନାର ସର୍ବବିଧ ଅବସରରେ ଆମେ ଓଡ଼ିଶାରେ ଯେଉଁ ଦୁର୍ଗୁଣଟିକୁ ସବୁଠାରୁ ବଡ଼ ଭୂଷଣ କରି ଆପଣାକୁ ଗୋଟାସୁଦ୍ଧା ତାହାରି ଭିତରେ ହିଁ ବାନ୍ଧି ରଖିଛୁ, ସେହି ଭୀରୁତା, ଅର୍ଥାତ୍ ବଡ଼କୁ ଖୋସାମଦ କରି ସାନ ଉପରେ ପ୍ରଚଣ୍ଡପଣିଆ ଜାରି କରିବାର ହୀନତା ଗୋପବନ୍ଧୁଙ୍କଠାରେ ନଥିଲା ଏବଂ ଏକ ଶିକ୍ଷାଳୟ ବୋଲି ସିଏ ଯାହାକିଛିର କଳ୍ପନା କରୁଥିଲେ, ତାହା ସେକୁଡ଼ାକ ଭିତରେ ବି ମୋଟେ ନଥିଲା । ଆଜି ଓଡ଼ିଶାରେ ସରକାରଙ୍କ କୋଠାଠାରୁ ପିଲାଙ୍କ ଇସ୍କୁଲ ପର୍ଯ୍ୟନ୍ତ ସମସ୍ତେ ଭଳିଭଳି ଭୀରୁତାରେ ହିଁ ମଣ ହେବାରେ ଲାଗିଛନ୍ତି । ସାନମାନେ ମଣ ହୋଇ ବଡ଼ମାନଙ୍କ ପରି ହୋବାଲାଗି ତିଆରି ହେଉଛନ୍ତି । ଭୀରୁତାଗୁଡ଼ାକ ଖୋସାମଦର ନିଶ ଓ ଦୌରାତ୍ମ୍ୟର ପୌରୁଷଗୁଡ଼ାକୁ ଗଣ୍ଠିଧନ କରି ଆମକୁ ଅସଲ ଜୀବନ ଓ ଅସଲ ଯାବତୀୟ ସମ୍ପର୍କରୁ ପ୍ରାୟ ନିଃସ୍ୱ କରି ରଖିଛନ୍ତି । ଏଗୁଡ଼ାକ ଆମ ଅନ୍ୟ ଶିକ୍ଷାର ଫଳ । ସତ୍ୟବାଦୀ ବିଦ୍ୟାଳୟରେ ଗୋପବନ୍ଧୁ ଯେଉଁ ଶିକ୍ଷା ଏବଂ ଶିକ୍ଷିତପଣିଆର ସ୍ୱପ୍ନ ଦେଖିଥିଲେ, ଏଗୁଡ଼ାକ ତାହାର ଠିକ୍ ଓଲଟା ଶିକ୍ଷାର ଫଳ । ଅନେକ ଧୂର୍ତ୍ତତାର ଫଳ, ଅନେକ ଦାମ୍ଭିକତାର ଫଳ, ଏଗୁଡ଼ାକ ଅନେକ ମୂର୍ଖତାର ଫଳ ।

 

ନିର୍ଭୀକତା ଏକ ନୀତିଶିକ୍ଷାର ଫଳ ନୁହେଁ, ଏହା ହେଉଛି ସମଗ୍ରତଃ ଏକ ଅନ୍ତଃବିଶ୍ୱାସର ଫଳ । ସ୍ୱୟଂ ଗୋପବନ୍ଧୁ ତାହାକୁ ଭଗବତ୍‌ବିଶ୍ୱାସ ବୋଲି କହିଥାନ୍ତେ । ଭୀରୁ ମଣିଷ ବି ଗୋଟାଏ ପ୍ରକାରର ଭଗବାନଙ୍କୁ ଆଶ୍ରାକରି ରହିଥାଏ; ସିଏ ତାଙ୍କ ବିଶ୍ୱାସ କରୁଛି ବୋଲି କହି ବୁଲୁଥାଏ । ତାଙ୍କୁ ସିଏ ବିଶ୍ୱାସ କରୁନଥାଏ, ଭୟ କରୁଥାଏ । ତାଙ୍କୁ ଆଶ୍ରାକରି ସେ ଆପଣାର ଅନେକ ଦାୟିତ୍ୱରୁ ଖସିଯିବ ବୋଲି ଭାବୁଥାଏ । ସେଥିଲାଗି ସେ କେତେ କ’ଣ ଖରଚ କରେ, କେତେ କ’ଣ ଭେକ ଧରେ, କେତେ କେତେ ଚାହାଳୀରେ ଆପଣାକୁ ସତେଅବା ଜଣେ ସୁନାଚାଟ ପରି ଦେଖାଇହୁଏ । ସେ ଆପଣାକୁ କେତେ ପ୍ରକାରେ ଗେଲବସର କରି ରଖିଥାଏ । ଗୋପବନ୍ଧୁଙ୍କର ଭଗବଦ୍‌ବିଶ୍ୱାସ ଏହିସବୁ ଅତି-ପ୍ରଦର୍ଶନ ଏବଂ ଅତି-ଆଚାର ଠାରୁ ବହୁ ଦୂରରେ । ଏହି ବିଶ୍ୱାସରେ ମନ ରହିଥିଲେ ମନୁଷ୍ୟ ବାଟ ଚାଲୁଥାଏ, ଗିରିଶିଖର ଉପରେ ଲୟ ରଖି ବାଟ ଚାଲୁଥାଏ, ସେହି ଗିରିଶିଖରକୁ ଅତ୍ୟନ୍ତ ଅଭିନ୍ନ ରୂପେ ସେ ଆପଣାର ଅନ୍ତଃଗଭୀରରେ ମଧ୍ୟ ଅନୁଭବ କରୁଥାଏ, ନିଜର ସବୁଯାକ ଦ୍ୱାରକୁ ଖୋଲିଦେଇ ସେ ବାହାରେ ଭିତରେ ସବୁଟିରେ ମର୍ମପ୍ରବେଶ କରୁଥାଏ । ଏବଂ ସମାଜସ୍ଥ ନାନା ସମ୍ପର୍କଗତ ଜୀବନରେ ତାହା ମୂଳତଃ ଏକ ସକ୍ରିୟ ଅର୍ଥାତ୍ ସଦାପ୍ରସ୍ତୁତ ସମ୍ବେଦନଶୀଳତା ରୂପେ ଆପଣାକୁ ଅଭିବ୍ୟକ୍ତ କରି ଆଣୁଥାଏ ।

 

ଏହି ସମ୍ବେଦନଶୀଳତା ହେଉଛି ଗୋପବନ୍ଧୁଙ୍କ ଦ୍ୱିତୀୟ କଥା । ଜୀବନ ଉପରେ ଯେ ମୋର ବିଶ୍ୱାସ ଅଛି, ମୋର ଆପଣା କ୍ଷେତ୍ରଟିକୁ ଯେ ମୁଁ ସ୍ୱୀକାର କରିନେଇଛି, ଜୀବନର ଆହୁରି ଅନେକ ସମ୍ଭାବନା ଉପରେ ଯେ ମୋ’ର ଏକ ମୂଳଭୂତ ଆସ୍ଥା ରହିଛି, ମୋ’ର ସମ୍ବେଦନଶୀଳତା ଦ୍ୱାରା ହିଁ ତାହାର ଅସଲ ପରୀକ୍ଷା ହୁଏ । ମୋ’ର ଜ୍ଞାନ, ମୋ’ର ଭକ୍ତି ଓ ମୋ’ର କର୍ମ-ଏସବୁ ପ୍ରକୃତରେ କେଉଁଥିଲାଗି ? ଏସବୁ କ’ଣ କେବଳ ମୋ’ ନିଜଲାଗି, ଏସବୁ କ’ଣ ଏହି ଜୀବନଗହଣରୁ ପଳାଇଯାଇ ନିଜ ସକାଶେ କେଉଁଠି ଅଲଗା କରି ଏକ ଶ୍ରୀମନ୍ତ ଗାତର ବିରଚନା କରିବା ଲାଗି ? ଗୋପବନ୍ଧୁ ପରେ ଓଡ଼ିଶାରେ ଆମେ ଶିକ୍ଷିତମାନେ ପ୍ରାୟ ଏକ ଧାର୍ମିକ ନିଷ୍ଠା ସହିତ ଯାହାକିଛି କରିଆସୁଛୁ ଓ ଯେପରି ନିର୍ମମ ଭାବରେ ଆପଣାକୁ ବହୁ ପଲ୍ଲବିତ କରି ରଖିବାରେ ମସ୍ତ ହୋଇ ରହିଛୁ, ଏସବୁ କ’ଣ ଖାସ୍ ସେଇଥିଲାଗି ? ଆଜି ଆମ ପାଖରେ ଠିଆ ହୋଇଥିଲେ ଗୋପବନ୍ଧୁ ଏସବୁର ଉତ୍ତରରେ ସିଧା ‘‘ନା’’ ବୋଲି କହିଥାନ୍ତେ । ସିଏ ଆମକୁ ଆମର ଗାତଗୁଡ଼ାକ ଭିତରୁ ବାହାରି ଆସିବାକୁ ହିଁ କହିଥାନ୍ତେ । ଏକ ଅନ୍ୟପ୍ରକାରର ଶିକ୍ଷାଦ୍ୱାରା ହିଁ ଯେ ଆମେ ଏହି ଗାତ ଅଥବା ଏହି ଖୋଳଗୁଡ଼ାକ ଭିତରୁ ବାହାରି ଆସିପାରିବା, ଆମେ ବିଶ୍ୱାସ ନ କଲେ ମଧ୍ୟ ଗୋପବନ୍ଧୁ ଆମକୁ ଠିକ୍ ସେହିକଥା ହିଁ କହନ୍ତେ ।

 

ସମ୍ବେଦନଶୀଳତାରୁ ସମର୍ପଣ । ଆମେ ନିର୍ଭୀକ ହୋଇ ଜାଣିବା, ସମ୍ୱେଦନଶୀଳ ହୋଇ ଜାଣିବା । ଆଜି ଯେତିକି ଜାଣିଛେ, କାଲି ତା’ଠାରୁ ଅଧିକ ଜାଣିବା । ଆମେ ଅଧିକରୁ ଅଧିକ ଜାଣିବା । କିନ୍ତୁ ଏକ ସମର୍ପଣ ଲାଗି ପ୍ରସ୍ତୁତ ହେବାର ସମଗ୍ର ପୀଠଟି ଉପରେ ଠିଆହୋଇ ହିଁ ଆମେ ଯାହାକିଛି ଜାଣିବା ବା ଯାହାକିଛି ଅର୍ଜନ କରିବା । ଆମେ କେଉଁଥିଲାଗି ନିଜର ଜୀବନକୁ ସମର୍ପଣ କରି ରଖିବା, ଆମେ ନିଜେ ହିଁ ତାହାର ନିର୍ଣ୍ଣୟ କରିବା । ସେହି ସମର୍ପଣର ସ୍ତର ଉପରେ ହିଁ ଆମର ଅର୍ଜିତ ଯାବତୀୟ ଜ୍ଞାନ, ଭକ୍ତି, ଓ କର୍ମଗୁଣର ସାର୍ଥକତା ନିର୍ଭରଶୀଳ ହୋଇ ରହିଥିବ । ତେଣୁ ଜ୍ଞାନ ପାଇଁ ଜ୍ଞାନ ନୁହେଁ, କର୍ମ ପାଇଁ କର୍ମ ନୁହେଁ, ଭକ୍ତି ପାଇଁ ଭକ୍ତି ବି ନୁହେଁ । ଆମର ଏହିସବୁ ଅର୍ଜନ କେଉଁ ସେପାନରେ କେତେ ବ୍ୟପକ ଭାବରେ କାହାଲାଗି ଆପଣାକୁ ସମର୍ପଣ କରି ରଖିଛନ୍ତି, ତାହାର ଅସଲ ମୂଲ୍ୟଟି ତାହାରିଦ୍ୱାରା ହିଁ ନିରୂପିତ ହେବ । ଗୋପବନ୍ଧୁଙ୍କର ଜୀବନ ସତତ ଏକ ସମର୍ପଣର ଜୀବନ ହୋଇ ରହିଥିଲା । ଏକ ସଚେତନ ସମର୍ପଣର ଜୀବନ ହୋଇ ରହିଥିଲା । ସେହି ସମର୍ପଣ ଦ୍ୱାରା ହିଁ ସେ ଏକ ପରିପୂର୍ଣ୍ଣ ଜୀବନଯାପନ କରିବାର ନିତ୍ୟ ଆକାଙ୍‌କ୍ଷୀ ହୋଇ ରହିଥିଲେ । ଜୀବନର କୌଣସି କ୍ଷେତ୍ରରୁ ସିଏ ଆପଣାକୁ ବିଲଗ କରିବାକୁ ଇଚ୍ଛା କରୁନଥିଲେ । ଆତ୍ମସଚେତନ ଅସମର୍ପିତ ମଣିଷ ସ୍ୱଭାବତଃ ଯେତେ ଯେତେ କୃପଣତା ଦ୍ୱାରା ସନ୍ତାପିତ ହୋଇ ରହିଥାଏ, ଗୋପବନ୍ଧୁଙ୍କଠାରେ ସେଗୁଡ଼ିକ ମଧ୍ୟରୁ ହୁଏତ ଗୋଟିଏ ହେଲେ ନ ଥିଲା ।

 

ଆମେ ସବୁ ଯେଉଁମାନେ ଜୀବନଯାକ ଭୀରୁ ହୋଇ ବସିଥିଲୁ, ଆତ୍ମସଚେତନ ଓ ଅସମର୍ପିତ ହୋଇ ରହିଥିଲୁ, ଆମେ ଗୋପବନ୍ଧୁଙ୍କର ଶତବାର୍ଷିକୀରେ ଅଖଣ୍ଡଜ୍ୟୋତି ବୁଲାଇଲୁ । ଦୈତ୍ୟଶାସନର ସମସ୍ତ ରାଜସିକତା ଏବଂ ମତ୍ତତାଦ୍ୱାରା ଆମେ ଯେପରି ଆପଣାର ଜମିଦାରୀଗୁଡ଼ାକରେ ଆପଣାର ବାହାଦୁରୀଟାକୁ ଜାରି କରିବାରେ ଲାଗି ଯାଇଥିଲୁ । ଏଗୁଡ଼ାକ ଆମ ଅଶିକ୍ଷାର ପରିଣାମ, ଆମ ଜୀବନର ଓ ଆମ ଆଗ୍ରହ ଗୁଡ଼ାକର ସ୍ୱଳ୍ପତାର ପରିଣାମ । ଗୋପବନ୍ଧୁ ଯେଉଁ ଶିକ୍ଷିତପଣିଆର କଳ୍ପନା କରୁଥିଲେ, ସିଏ ଯେଉଁ ଓଡ଼ିଶାର ସ୍ୱପ୍ନ ଦେଖୁଥିଲେ, ଯଦି ଆମ ଓଡ଼ିଶା ସେହିପରି ହୁଅନ୍ତା ବା ଆମେ ଯଦି ସେହି ଶିକ୍ଷିତପଣିଆକୁ ଏତେ ଟିକିଏ ହେଲେ ବି ମନ କରିପାରନ୍ତୁ, ତେବେ ହୁଏତ ଏହି ବାହାଦୁରୀଗୁଡ଼ାକୁ ଛାଡ଼ିଦେଇ ପାରନ୍ତୁ । ତେବେ ଆମେ କମ୍ କୋଳାହଳ କରନ୍ତୁ, ଚାଟୁକାରିତା କମ୍ କରନ୍ତୁ । ଆମ ଅତିଭକ୍ତି ଗୁଡ଼ାକ ଆମଠାରୁ ଲାଜରା ହୋଇ ପଳାଇଯାଆନ୍ତେ । ମାତ୍ର, ଗୋପବନ୍ଧୁଙ୍କ ନାମରେ ଗୋଟାଏ କଲେଜ କରିଦେଇ, ସିଏ ପକାଇଯାଇଥିବା ପଡ଼ିଆ ଡିହଟା ଉପରେ ସେହି ପୁରୁଣା ଛାଞ୍ଚର ଆଉ ଧାଉଡ଼ିଏ ନୂଆ ଘର ଠିଆ କରିଦେଇ ଆମେ କଦାପି ଆମର ଅଶିକ୍ଷିତ ଆଗ୍ରହଗୁଡ଼ାକୁ ସାବାଡ଼ କରିପାରିବା ନାହିଁ । ସେପରି କରି ଆମର ଭୀରୁତାଗୁଡ଼ାକ ଉପରେ ଆମେ କୌଣସି ବିଜୟଲାଭ କରି ପାରିବା ନାହିଁ । ଏହି କପଟାଚାରଗୁଡ଼ାକୁ କପଟାଚାର ବୋଲି ଚିହ୍ନିଲେ ଆମେ ହୁଏତ ତାହା କରିପାରିବା । ଆମର ଅସୁରମୁଖାଗୁଡ଼ାକ ଧରାପଡ଼ିଯିବା ଆଗରୁ ଆମେ ନିଜେ ସେଗୁଡ଼ାକୁ ନିଜ ମୁହଁରୁ ବାହାର କରିଦେଇ ପାରିଲେ ଯାଇ ହୁଏତ ଆମ ଜୀବନରେ ଆମେ କିଞ୍ଚିତ୍ ପରିମାଣରେ ସେହି କଥାଟିକୁ ସମ୍ଭବ କରିପାରିବା ।

 

ତା ୪/୧୦/୭୭

Image

 

 

ଭାରତୀୟ ଦେଶାତ୍ମବୋଧୀ ସାହିତ୍ୟ ଓ ଗୋପବନ୍ଧୁ

 

ଭାରତବର୍ଷ ଆଗ ଗୋଟିଏ ଦେଶରୂପେ ସଚେତନ ହେଲାପରେ ଯାଇ ଏଠାରେ ଦେଶାତ୍ମବୋଧୀ ସାହିତ୍ୟର ସୃଷ୍ଟି ଲାଗି ସ୍ଥୂଳ ତଥା ଭାଗବତ ଉଭୟ ବାତାବରଣର ସୃଷ୍ଟି ହୋଇଥିଲା । ବ୍ରିଟିଶ ଶାସନର ଅଧୀନକୁ ଆସି ଭାରତବର୍ଷ ଗୋଟିଏ ରାଜନୀତିକ ଏକକ ହିସାବରେ ସଚେତନତା ଲାଭ କଲା । ସେଇଥିରୁ କ୍ରମଶଃ ଏକ ସଂସ୍କୃତିଗତ ଏବଂ ନିୟତିଗତ ଏକତ୍ୱବୋଧ ଜନ୍ମଲାଭ କରିଥିଲା । ବ୍ରିଟିଶ ଏବଂ ବୃହତ୍ତର ଭାବରେ ଦେଖିଲେ, ଇଉରୋପୀୟ ଜାତୀୟତାର ଆଘାତ ଏବଂ ପ୍ରେରଣା ଉଭୟଟିକୁ ଲାଭକରି ହିଁ ଭାରତବର୍ଷ ଆପଣାକୁ ଏକ ଜାତୀୟ ଏକକ ବୋଲି ଅନୁଭବ କରିବାର ପ୍ରେରଣା ପାଇଲା, ଏକ ଜାତୀୟ ଏକକ ହିସାବରେ ବିଦେଶୀ ଆଧିପତ୍ୟ ବିରୁଦ୍ଧରେ ଲଢ଼ିବାର ସଚେତନତା ଲାଭ କଲା; ଆପଣାକୁ ଗୋଟିଏ ଭୂମି, ଗୋଟିଏ ଦେଶ ଏବଂ ଗୋଟିଏ ଆକାଙ୍‌କ୍ଷା ରୂପେ ଅନୁଭବ ବି କରି ପାରିଲା । ସେହି ସୂତ୍ରରେ ଇଉରୋପୀୟ ସାହିତ୍ୟ ଏବଂ ବିଶେଷ କରି ଇଂରାଜୀ ସାହିତ୍ୟ ଏଠି ଆମ ଦେଶରେ ମଧ୍ୟ ଏକ ଭବିଷ୍ୟକାମୀ ଜାତୀୟ ସାହିତ୍ୟର ଆବିର୍ଭାବ ଦିଗରେ ଆଦୌ କମ୍ ପ୍ରେରଣା ଦେଇ ନଥିବ । ସେଇଥିପାଇଁ ୧୮୫୭ ମସିହା ପରେ ଯେତେବେଳେ କମ୍ପାନୀ-ରାଜତ୍ୱର ଅବସାନ ଘଟାଇ ସ୍ୱୟଂ ବ୍ରିଟିଶ ପାର୍ଲିଆମେଣ୍ଟ ଭାରତବର୍ଷରୂପୀ ଉପନିବେଶର ଶାସନକୁ ନିଜ ହାତରେ ଗ୍ରହଣ କଲା, ସେତେବେଳେ ଯାଇ ଭାରତବର୍ଷ ଓ ଇଂଲଣ୍ଡ ଭିତରେ ଯଥାର୍ଥ ଯୋଗସୂତ୍ର ସ୍ଥାପିତ ହେବାର ଅବକାଶ ଆସି ପହଞ୍ଚିଲା । ଭାରତୀୟମାନେ ଉଚ୍ଚ ଶିକ୍ଷା ଲାଭ କରିବାପାଇଁ ବିଲାତ ଗଲେ । ସେମାନେ ଦେଶକୁ ଫେରିଆସି ସର୍ବୋଚ୍ଚ ରାଜପଦମାନଙ୍କରେ ଅବସ୍ଥାପିତ ହେବାପାଇଁ ବିଲାତ ଯାଇଥିଲେ ସତ, ମାତ୍ର ସେମାନଙ୍କ ମଧ୍ୟରୁ କେତେଜଣ ଉଚ୍ଚଶିକ୍ଷା ସହିତ ଏକ ନୂତନ ଆଖି ନେଇ ମଧ୍ୟ ସେଠାରୁ ଦେଶକୁ ଫେରିଥିଲେ । ସେମାନେ ତେଣୁ ସଂକ୍ରାମିତ ହୋଇ ଆସିଥିଲେ । ରେନେସାଁସ୍ ଦ୍ୱାରା ସଂକ୍ରାମିତ ହୋଇ ଆସିଥିଲେ, ପ୍ରାୟ ଫରାସୀ ରାଷ୍ଟ୍ରବିପ୍ଳବ ଠାରୁ ଆରମ୍ଭ ହୋଇଥିବା ଇଉରୋପୀୟ ଜାତୀୟ ରୋମାଣ୍ଟିକ୍ ଦୃଷ୍ଟିର ସମଗ୍ର ପର୍ଯ୍ୟାୟଟି ଦ୍ୱାରା ସଂକ୍ରମିତ ହୋଇ ଆସିଥିଲେ, ବିଜ୍ଞାନର ଅମିତ ପ୍ରତିଶ୍ରୁତି ଏବଂ ଅଜସ୍ର ସମ୍ଭାବନା ଦ୍ୱାରା ସଂକ୍ରାମିତ ହୋଇ ଦେଶକୁ ଫେରିଥିଲେ ଏବଂ ସର୍ବୋପରି, ଆଦର୍ଶବାନ୍ ମନୁଷ୍ୟ ଏକ ମୁକ୍ତିକାମୀ ସମ୍ବେଦନଶୀଳତା ଏବଂ ମାନବିକତାବାଦ ଦ୍ୱାରା ପ୍ରେରିତ ହୋଇ ପରସ୍ପର ସହିତ ମିଶି ଏକ ସାମୂହିକ ଜୀବନର ସୃଷ୍ଟି ଲାଗି ମନ କରିପାରିଲେ ତଦ୍ଦ୍ୱାରା ଯେ ମଣିଷ ମାତ୍ରକେ ସମସ୍ତେ ମନୁଷ୍ୟକୃତ ଅନେକ ଦୁଃଖ, ଅନେକ ଦୌରାତ୍ମ୍ୟ ଏବଂ ଅନେକ ଅନ୍ୟାୟର କବଳରୁ ମୁକ୍ତ ହୋଇ ସମ୍ମାନିତ ମଣିଷ ଭାବରେ ଜୀବନଯାପନ କରିପାରିବେ ଓ ତଦ୍ଦ୍ୱାରା ଯେ ଆମର ପୃଥିବୀ ଅଭ୍ୟସ୍ତ ହୋଇ ଆସିଥିବା ଅନେକ କୁତ୍ସିତତାରୁ ମୁକ୍ତ ହୋଇ ଆସିପାରିବ, ସେମାନେ ତାହାରି ଦ୍ୱାରା ସଂକ୍ରାମିତ ହୋଇ ଆସିଥିଲେ ।

 

ଭାରତୀୟ ତତ୍କାଳୀନ ସମାଜ ଉପରେ ସେହି ସଂକ୍ରମଣ ପ୍ରକୃତରେ ପ୍ରାୟ ଏକ ଯୁଗାନ୍ତକାରୀ ଆଘାତ ରୂପେ କାର୍ଯ୍ୟ କରିଥିବ । ସେତେବେଳର ସମାଜ, ଅର୍ଥାତ୍ ପ୍ରାୟ ଗୋଟାସୁଦ୍ଧା ଏକ କର୍ମବାଦୀ ସମାଜ, ରାଜଆଶ୍ରିତ ସମାଜ, ଅଳ୍ପ କେତେଜଣ ସଂହିତାସର୍ବସ୍ୱ ପଣ୍ଡିତଙ୍କ ସମେତ ଭାଗ୍ୟରୂପୀ ଅନ୍ଧକାରକୁ ଆଶ୍ରୟ କରି ରହିଥିବା ଅନେକସଂଖ୍ୟକ ଅକିଞ୍ଚନ ଓ ସମ୍ମାନହୀନ ମଣିଷଙ୍କର ସମାଜ । ସେହି ସମାଜ ପ୍ରାୟ କୌଣସି ପରିବର୍ତ୍ତନରେ ବିଶ୍ୱାସ କରୁ ନ ଥିଲା, ସଂସାରସ୍ଥ ଜୀବନକୁ ପୂର୍ବଜନ୍ମକୃତ ପାପାଗୁଡ଼ାକ ହେତୁ ଏକ କ୍ରୁଦ୍ଧ ଭଗବାନଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇ ରହିଥିବା ପ୍ରାୟ ଏକ ଦଣ୍ଡଭୋଗ ବୋଲି ବିଶ୍ୱାସ କରୁଥିଲା । ମଣିଷର ଭିତରେ ହିଁ ଯେ ଭଗବାନ ରହିଛନ୍ତି, ମଣିଷର ଭିତରେ ହିଁ ଯେ ତା’ର ଅନେକ ଅଭ୍ୟୁଦୟର ସର୍ବମୂଳ ସୂତ୍ରଗୁଡ଼ିକ ନିହିତ ହୋଇରହିଛି, ସେହି କଥାଟିକୁ ବହୁଯୁଗର ନାନା ଆବଦ୍ଧ ଜଳାଶୟ ଭିତରେ ପଶି ଭାରତବର୍ଷରେ ଗୋଟାସୁଦ୍ଧା ଭୁଲି ହୋଇ ଯାଇଥିଲା । ଇଉରୋପର ସଂସ୍ପର୍ଶ ଭାରତୀୟ ଅସଲ ପ୍ରାଣଟି ସହିତ ଭାରତୀୟ କେତେଜଣଙ୍କ ମନରେ ଏକ ନୂତନ ସ୍ପର୍ଶର ଆହ୍ୱାନ ଆଣି ଦେଇଥିଲା । ସେମାନେ ଆପଣାକୁ ନୂଆ କରି ଦେଖି ଶିଖିଲେ, ନୂଆ କରି ଅନୁଭବ କଲେ, ନୂଆ କରି ଆବିଷ୍କାର କରି ବାହାରିଲେ । ଇଉରୋପୀୟ ରେନେସାଁସ୍‌ର ଅନେକ ଅନେକ ଦଶକ ପରେ ତାହା ଭାରତବର୍ଷରେ ଏକ ନବଜାଗରଣର ମୂଳଦୁଆ ଆଣି ପକାଇଥିଲା । ଭାରତରେ ଏକ ବନ୍ଧନମୁକ୍ତିର ଯୁଗ ଆରମ୍ଭ ହେଲା । ରାଜନୀତିକ ବନ୍ଧନମୁକ୍ତିକୁ ସବୁକିଛିର କେନ୍ଦ୍ର କରି ରଖି ଏଠାରେ ଧର୍ମ, ସାହିତ୍ୟ, ସଂସ୍କୃତି ଓ ଲୋକଜୀବନର ପ୍ରାୟ ସବୁ କ୍ଷେତ୍ରରେ ଏକ ବନ୍ଧନମୁକ୍ତିର ଆନ୍ଦୋଳନ ଆରମ୍ଭ ହୋଇଗଲା । ଏକାଧିକ ଦୃଷ୍ଟିରୁ ଏହାକୁ ପ୍ରକୃତରେ ଏକ ଗୁହାମୁକ୍ତିର ଆନ୍ଦୋନଳ ବୋଲି ବି କୁହାଯାଇ ପାରିବ ।

 

ହଁ, ଏହା ଯଥାର୍ଥରେ ଏକ ଗୁହାମୁକ୍ତିର ଆନ୍ଦୋଳନ । ଏହାରି ଦ୍ୱାରା ଉଜ୍ଜୀବିତହୋଇ ହିଁ ବୋଧହୁଏ ଭାରତୀୟ ମଣିଷ ଆପଣାର ବର୍ତ୍ତମାନ ଉପରେ ଆଖି ପକାଇ ଶିଖିଲା, ବର୍ତ୍ତମାନକୁ ଆବିଷ୍କାର କରୁ କରୁ ସିଏ ଆପଣାର ଦୀର୍ଘ ଅତୀତଟିର ଐତିହ୍ୟକୁ ଏକ ନୂତନ ମର୍ମାର୍ଥ ସହିତ ଆବିଷ୍କାର କରି ବି ଶିଖିଲା, ଏବଂ ତା’ର ସେହି ପୁନରାବିଷ୍କୃତ ଅତୀତ ମଧ୍ୟରୁ ବଳ ଓ ସାହସ ପାଇ ସିଏ ଆପଣାଲାଗି ଏକ ନୂତନ ଭବିଷ୍ୟର ନକ୍‌ସା ଆଙ୍କିବାକୁ ଆରମ୍ଭ କଲା । ଏଥର ସିଏ ଆପଣାର ଭାଗ୍ୟର ବାହାରେ ବି ସ୍ୱପ୍ନ ଦେଖି ପାରିଲା, ଆପେ ଆପଣାର କର୍ମକୁ ଗଢ଼ି ପାରିବ ବୋଲି କ୍ରମେ ବିଶ୍ୱାସ ବି କଲା । ଏହି ବିଶ୍ୱାସ, ବଳ ଓ ସାହସ ସେତେବେଳେ ଭାରତବର୍ଷର ସାହିତ୍ୟରେ ମଧ୍ୟ ଏକ ନୂତନ ଉଦ୍‌ବେଳନ ସୃଷ୍ଟି କରିଥିଲା । ସାହିତ୍ୟରୂପୀ ନିର୍ଝରର ଏକ ସ୍ୱପ୍ନଭଙ୍ଗ ଘଟିଲା । ଜୀବନ କହିଲେ ଯେ ଏଡ଼େବଡ଼ ଏକ ବିପୁଳ ଭୂମିକୁ ବୁଝାଏ, ଦୃଷ୍ଟି କହିଲେ ଯେ ମୂଳତଃ ଏକ ଭବିଷ୍ୟଦୃଷ୍ଟିକୁ ବୁଝାଏ ଏବଂ ଶକ୍ତି କହିଲେ ଯେ ଆମ ସାମୂହିକ ଜୀବନର ଆକୃତିଗୁଡ଼ିକୁ ଉଦ୍‌ବୁଦ୍ଧ କରି ପାରୁଥିବା ଏକ ଆତ୍ମଶକ୍ତିକୁ ବୁଝାଏ, ନୂତନ ଜାଗରଣର ସେହି ଯୁଗଟିରେ ଭାରତବର୍ଷର ପ୍ରାୟ ପ୍ରତ୍ୟେକ ପ୍ରାନ୍ତରେ ସାହିତ୍ୟ କ୍ରମେ ଏହିପରି ଏକ ସ୍ୱପ୍ନ ଦେଖିବାକୁ ଆରମ୍ଭ କଲା । ଆଗେ ଶାସ୍ତ୍ର ଥିଲା, ଜ୍ଞାନ ଥିଲା, ସଂସାରକର୍ମ ବି ଥିଲା, ମାତ୍ର ସେଗୁଡ଼ାକ ହୁଏତ ମାତ୍ର କେତେଜଣଙ୍କର ଏକକମୋକ୍ଷର ବ୍ୟାକୁଳ ପାଥେୟ ହୋଇ ରହିଥିଲା । ଶ୍ରଦ୍ଧାଗୁଡ଼ାକ ମଧ୍ୟ ଏହି ଅର୍ଥରେ ପ୍ରଧାନତଃ ଏକ ଭୟପ୍ରଣୋଦିତ ଅପ୍ରଶସ୍ତ ଅତିକାତରତା ହୋଇ ରହିଥିଲା । ଆମ ଜାତୀୟତାବୋଧ ଯେତେବେଳେ ସେହି ପ୍ରଥମ ଯୁଗରେ ଆମ ଦେଶାତ୍ମବୋଧରେ ଆପଣାକୁ ଅଭିବ୍ୟକ୍ତ କରି ସାହିତ୍ୟ ରୂପେ ଦେଖାଦେଲା, ସେତେବେଳେ ଆମେ ହୁଏତ ପ୍ରାୟ ସର୍ବପ୍ରଥମ ଥର ପାଇଁ ଏଠି ଭାରତବର୍ଷରେ ମଣିଷମାନେ ଅଛନ୍ତି ବୋଲି ଅନୁଭବ କଲୁ । ଆଗେ ମଣିଷ ନଥିଲେ, ଭାଗ୍ୟର ପ୍ରସାଦଗୁଡ଼ାକୁ ଭୋଗ କରୁଥିବା କେତେଜଣ ଜ୍ଞାନୀ, ମାନୀ ଓ ପ୍ରଧାନୀ ରହିଥିଲେ ଏବଂ ସେମାନଙ୍କର ସଂସାରର ଯାବତୀୟ ଅପୂରଣକୁ ଯଥାଦିଷ୍ଟ ଭାବରେ ପୂରଣ କରି ରଖିବାକୁ କର୍ମର କଷଣ ସହ୍ୟ କରୁଥିବା ଅନାମଧେୟମାନେ ବି ବହୁ ସଂଖ୍ୟାରେ ରହିଥିଲେ । ଦୁହିଁଙ୍କୁ ଏକାଠି କରି ଏଠି ଗୋଟାଏ ବିଚିତ୍ର ଗୋଷ୍ଠୀଜୀବନ ଚାଲିଥିଲା । ସେହି ଗୋଷ୍ଠୀ ଭିତରେ କେହି କହାରିଲାଗି ଦାୟୀ ନଥିଲେ, ଏକ ପରମ ଅଦୃଷ୍ଟର ପାଞ୍ଜି ଅନୁସାରେ ସମସ୍ତେ ନଶ୍ୱର ମାନବଜୀବନର ନିରୂପିତ ଦିନଗୁଡ଼ିକୁ ସାରିଦେବା ସକାଶେ ଏଠି ସଂସାରର ଭୋଗ ଅଥବା ବୋଝକୁ ବହନ କରି ରହିଥିଲେ-। ପରବର୍ତ୍ତୀ ଜନ୍ମରେ ଏଠିକି ଆଉ ମୋଟେ ନ ଆସିବା ଲାଗି ସେମାନେ ଦାନ କରୁଥିଲେ, ପୁଣ୍ୟ କରୁଥିଲେ, ବୈରାଗ୍ୟ ଆଚରୁଥିଲେ ଏବଂ ନାନା ପୌତ୍ତଳିକତାର ଗହନ ଭିତରେ ଆପଣାକୁ କୁଆଡ଼େ ମନ କୁଆଡ଼େ ଗୁରାଇ ତୁରାଇ ରଖିଥିଲେ । କେହି କାହାରି ସାଥୀ ବି ନଥିଲେ, ସମସ୍ତେ–ଖାଦକ ଓ ଖାଦ୍ୟ ଦୁଇଟିଯାକ ପକ୍ଷ–ଏହି ସଂସାରର ବସାଘରେ ଦି’ଦିନର କୁଣିଆ ହୋଇ ରହିଥିଲେ । ଏଗୁଡ଼ାକୁ ଛାଡ଼ି ଯୋଉ ଧର୍ମଟି ରହିଥିଲା, ସେହି ଧର୍ମକୁ ହିଁ ସେମାନେ ଗୁରୁମୁଖରୁ ଏକମାତ୍ର ମହତପଣିଆ ବୋଲି ଶ୍ରବଣ କରୁଥିଲେ । କିନ୍ତୁ ମୂଳତଃ ଏକୁଟିଆ ହୋଇ ରହିଥିଲେ । ଜାତୀୟତାର ବୋଧ ମଣିଷକୁ ସେହି ଦୁର୍ଦ୍ଦଶା ଭିତରୁ ଉଦ୍ଧାର କରିଥିଲା । ଏହି ଦେଶର ନଦୀ, ଏହି ଦେଶର ତୀର୍ଥ ଓ ଏହି ଦେଶର ଦେବାତାଗୁଡ଼ାଙ୍କୁ ଏକାଠି କରି ଭାବବିଳାସୀ କେତେକ ଶ୍ଳୋକ ଭାରତବର୍ଷରେ ଆଗରୁ ହୁଏତ କେଉଁ ମୁନି ବା କେଉଁ ଋଷିଙ୍କ ଦ୍ୱାରା ଉଚ୍ଚାରିତ ହୋଇଥିଲା ଏବଂ ମୁକ୍ତିକାମୀ କେତେକ ମଣିଷ ତାକୁ ହୁଏତ ସ୍ନାନମନ୍ତ୍ର ଅଥବା ଯଜନମନ୍ତ୍ର ରୂପେ ଆବୃତ୍ତି କରୁଥିଲେ ସତ, ମାତ୍ର ହିମାଳୟ ଠାରୁ କୁମାରୀକା ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଥିବା ଏହି ବୃହତ୍‌ ଉପନିବେଶଟିର ଦୁଃଖ ଯେ ଏକ, ନିୟତି ଏକ ଏବଂ ଆକୃତି ଏକ, ଏହି ଦେଶର କୋଟି ମଣିଷ ଏକତ୍ର ହେଲେ ଯାଇ ଯେ ଏହି ଦେଶର ଭାଗ୍ୟ ନିଶ୍ଚୟ ଫେରିବ, ଦେଶାତ୍ମବୋଧୀ ସାହିତ୍ୟ ହିଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏହି ନୂତନ ସାହସର ଘୋଷଣା କରିଥିଲା ।

 

ଏହି ନୂତନ ଉତ୍ସାହ ଏବଂ ନୂତନ ଉତ୍‌କ୍ରମଣର ବନ୍ୟାରେ ଭାରତୀୟ ବୃହତ୍‌କ୍ଷେତ୍ରଟି ଉପରେ ଆମେ ରାମମୋହନ, ଦୟାନନ୍ଦ ଓ ବିବେକାନନ୍ଦଙ୍କୁ ପାଇଥିଲୁ । ସେହି ସ୍ରୋତରେ ଦ୍ୱିତୀୟ ପର୍ଯ୍ୟାୟରେ ରବୀନ୍ଦ୍ରନାଥ, ଶ୍ରୀ ଅରବିନ୍ଦ ଏବଂ ତିଳକ ଆସିଲେ । ସବା ଶେଷକୁ ଗାନ୍ଧୀ ଆସିଲେ ଏବଂ ବିଂଶ ଶତାବ୍ଦୀର ସିନ୍ଦୂରା ଫାଟିବା ସଙ୍ଗେ ସଙ୍ଗେ ସେହି ଦାଣ୍ଡରେ ଆମେ ଭାରତୀୟ ପ୍ରତ୍ୟେକ ସାହିତ୍ୟରେ ଏପରି କେତେଜଣ କର୍ଣ୍ଣଧାରଙ୍କୁ ଦେଖିଲୁ, ଯେଉଁମାନେ କି ଦେଶାତ୍ମବୋଧକୁ ହିଁ ଆପଣା ସାହିତ୍ୟଦୃଷ୍ଟିର ଆଶୟରୂପେ ଗ୍ରହଣ କରିଥିଲେ । ଏଇଠି ବଙ୍ଗଳାରେ ବଙ୍କିମଚନ୍ଦ୍ର ଆସିଲେ, ଶରତଚନ୍ଦ୍ର ଆସିଲେ; ହିନ୍ଦୀ ସାହିତ୍ୟରେ ମୈଥିଳୀଶରଣ ଓ ସୁମିତ୍ରାନନ୍ଦନଙ୍କର ଆବିର୍ଭାବ ହେଲା–ତାମିଲରେ ସୁବ୍ରହ୍ମଣ୍ୟମ୍‌ଭାରତୀ ଏବଂ ମାଲୟଲମ୍‌ରେ ଭଲ୍ଲତୋଳ୍‌ଏବଂ କୁମାରନ୍‌ ଆସନ୍‌ ଏହି ନୂତନ ଅଭିକ୍ରମର ପ୍ରତିନିଧି ହୋଇ ବାହାରିଥିଲେ ଏବଂ ଓଡ଼ିଶାରେ ଆମେ ଶ୍ରୀ ଗୋପବନ୍ଧୁଙ୍କୁ ପ୍ରାୟ ସେହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରି ଗ୍ରହଣ କରି ପାରିବା । ଭାରତବର୍ଷରେ ଏହି ଜାତୀୟତାଧର୍ମୀ ସଚେତନତା ଅନେକ ଦୃଷ୍ଟିରୁ ଦେଖିଲେ ସବାଆଗ କଲିକତାକୁ ଆସିଥିଲା ସିନା, ମାତ୍ର କଲିକତାରୁ ଆମ ଓଡ଼ିଶା ଭିତରକୁ ଆସିବା ପାଇଁ ତାକୁ ନାନା କାରଣରୁ ଅନେକ ସମୟ ଲାଗିଲା । ସେତେବେଳେ ଓଡ଼ିଶା ବଙ୍ଗଳା ସହିତ ଗୁନ୍ଥାହୋଇ ରହିଥିଲା । ଅଧିକାଂଶ ବଙ୍ଗାଳୀ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଏକକ ବୋଲି ହୁଏତ ସ୍ୱୀକାର କରୁ ନଥିଲେ । ଓଡ଼ିଶାରେ ସେତେବେଳେ ଇସ୍କୁଲ ବା କଲେଜ ବୋଲି ପ୍ରାୟ କିଛି ବି ନଥିଲା । ଓଡ଼ିଶାମଣ୍ଡଳ ଚାରିଆଡ଼ୁ ପ୍ରାୟ କିଳି ହୋଇ ରହିଥିଲା । ଓଡ଼ିଶାର ଇତିହାସରେ ଆଗରୁ ଯେଉଁ ସମର୍ଥ ବ୍ୟକ୍ତିମାନେ ଥିଲେ, ସେମାନେ ନାନାଭାବେ ପରାଭୂତ ଏବଂ କ୍ଷତବିକ୍ଷତ ହୋଇ ଆଗକୁ ଚାହିଁବାର ଶକ୍ତିଟିକୁ ମଧ୍ୟ ହରାଇ ସାରିଥିଲେ । ବାଣିଜ୍ୟ ଏବଂ ଶାସନ କ୍ଷେତ୍ରରେ ଓଡ଼ିଶାର ନାକରେ ବନ୍ଧା ହୋଇଥିବା ତୁଣ୍ଡିଗୁଡ଼ାକର ଦଉଡ଼ି ସିଧା କଲିକତାରେ ଥିବା କର୍ତ୍ତାମାନଙ୍କ ହାତରେ ରହିଥିଲା । ମୁଷ୍ଟିମେୟ ଯେଉଁ କେତେଜଣ ଓଡ଼ିଆ ସେତେବେଳେ କଲିକତା ପର୍ଯ୍ୟନ୍ତ ଯାଇ ଏଫ୍‌.ଏ. କିମ୍ବା ବି. ଏ. ପଢ଼ି ଆସୁଥିଲେ, ସେମାନେ ସେହି କଲିକତାରୁ ହିଁ ବଡ଼ ଚାକିରୀ ପାଇ ଓଡ଼ିଶାକୁ ଆସୁଥିଲେ । ବ୍ରିଟିଶ୍‌ କେଶରୀର ସିରସ୍ତା ଭିତରେ ବନ୍ଧା ହୋଇଥିବା ମୋଟା ବେତନଭୋଗୀ ଗୋଟିଏ ଗୋଟିଏ ମେଣ୍ଢା ରୂପେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେତେବେଳେ ହୁଏତ ଭାରି ଆତ୍ମପ୍ରସାଦ ଲାଭ କରୁଥିଲେ ଏବଂ; ଓଡ଼ିଶାର ଗଡ଼ଜାତରେ ଯେଉଁ ରାଜାମାନେ ଆପଣା ଆପଣାର ସାନସାନ କରଦରାଜ୍ୟ ଗୁଡ଼ିକରେ ଗତବୀର୍ଯ୍ୟ ହୋଇ ବସି ବ୍ରିଟିଶ୍‌ ଦରବାରର ସୁରକ୍ଷା ବଳରେ ନିଜ ନିଜର ସାନ ଗାତଗୁଡ଼ିକୁ ସତେଅବା ଗୋଟାଏ ଗୋଟାଏ ସାମ୍ରାଜ୍ୟ ବୋଲି ମନେ କରୁଥିଲେ, ପୂର୍ବ କୁସଂସ୍କାର ଫଳରେ ନିଜକୁ ହୁଏତ ଗୋଟାଏ ଗୋଟାଏ ରାଜଚକ୍ରବର୍ତ୍ତୀ ବୋଲି ଭାବୁଥିଲେ ଓ ପ୍ରଜାମାନଙ୍କଠାରୁ ମନଇଚ୍ଛା ଟିକସ ଆଦାୟ କରି ସେମାନଙ୍କ ଲାଗି ନୂଆ ନୂଆ ଅତ୍ୟାଚାରର ଭିଆଣ କରୁଥିଲେ ଏବଂ ‘ଗଡ଼ଜାତୀ’ ଶାସନର ଏକ ନୂଆ ନମୁନା ପ୍ରସ୍ତୁତ କରିବାରେ ଲାଗିଥିଲେ, ଗୋଟିଏ ସମଗ୍ର ଗୋଷ୍ଠୀ ହିସାବରେ ସୋମାନେ ହୁଏତ ପାୟ ଆଦୌ କୌଣସି ଅର୍ଥରେ ହିଁ ଚେତନ ନଥିଲେ; ତେଣୁ ସେମାନଙ୍କ ଭିତରେ କୌଣସି ଜାତୀୟତାର ଚେତନାଗତ ଭାବୋଦ୍ରେକ ହୋଇଥିଲା ବୋଲି କହିଲେ ତାହା କେବଳ ନିର୍ବୋଧତା ହିଁ ହେବ ।

 

ନିଜର ମୂଳଗୁଡ଼ାକ ହଜି ଯାଇଥିବାର ଏବଂ ପ୍ରାୟ ଯାବତୀୟ ଭବିଷ୍ୟଦୃଷ୍ଟିର ରଜ୍ଜୁଗୁଡ଼ାକ ହାତରୁ ଖସି ଚାଲି ଯାଇଥିବାର ଏହିଭଳି ଗୋଟିଏ ସନ୍ଧିକ୍ଷଣ ସମୟରେ ଓଡ଼ିଶାରେ ଓଡ଼ିଆ ସାହିତ୍ୟ ଜନ୍ମଲାଭ କରିଥିଲା । ଆଗରୁ ସାହିତ୍ୟ ଥିଲା, ମାତ୍ର ସେହିସବୁ ଯୁଗର ସାହିତ୍ୟ ଲେଖିଲାବାଲାଙ୍କ ଲାଗି ସଚେତନ ଭାବରେ ଓଡ଼ିଆ ସାହିତ୍ୟ ବୋଲି ହୁଏତ କିଛିହେଲେ ନଥିଲା । ସେମାନେ ନିଜ ଭାଷାରେ ସାହିତ୍ୟ ଲେଖୁଥିଲେ, କିନ୍ତୁ ସେମାନଙ୍କର ଏହି ବିଶେଷ ପ୍ରୟାସଟି ପଛରେ ଆଦୌ କୌଣସି ଜାତୀୟତାଧର୍ମୀ ସଚେତନତା ନଥିଲା । ଧନଞ୍ଜୟ ଭଞ୍ଜ ହୁଅନ୍ତୁ ଅଥବା ଦେବଦୁର୍ଲଭ ଦାସ ହୁଅନ୍ତୁ, ଭକ୍ତଚରଣ ହୁଅନ୍ତୁ କିମ୍ବା ଦୀନକୃଷ୍ଣ ହୁଅନ୍ତୁ; ଏପରିକି, ‘ସମରତରଙ୍ଗ’ ଭଳି ଗୋଟାଏ ବାଗୁଡ଼ିଖେଳକୁ ଏଭଳି ଅତି ଚମତ୍କାର ଆମୋଦସୌଷ୍ଠବ ସହିତ ବର୍ଣ୍ଣନା କରିଥିବା କବି ବ୍ରଜନାଥ ବଡ଼ଜେନା ମଧ୍ୟ ସଚେତନ ଭାବରେ କୌଣସି ଓଡ଼ିଆ ସାହିତ୍ୟ ଲେଖୁ ନଥିଲେ । ସେମାନେ ସାହିତ୍ୟ ଲେଖୁଥିଲେ, ଓଡ଼ିଆଭାଷାରେ ଲେଖୁଥିଲେ । ଓଡ଼ିଶାରେ ଜାତୀୟ ସାହିତ୍ୟର ଆରମ୍ଭ ହେଲା ଊନବିଂଶ ଶତାବ୍ଦୀର ଶେଷ ଚରଣ ଆଡ଼କୁ ଏବଂ ତା’ର ପରବର୍ତ୍ତୀ ଦର୍ଶକମାନଙ୍କରେ ଯେଉଁମାନେ ଓଡ଼ିଶାରେ କଲମ ଧରିଲେ, ସେମାନେ ଆଉ ପୁରୁଣା ପେଟରାଗୁଡ଼ାକରେ ଚିତ୍ର ଓ ବନ୍ଧରେ ଛନ୍ଦାହୋଇ ରହିଥିବା ଅଳଙ୍କାରଗୁଡ଼ାକ ପୁଣି ବାହାର କରି ପିନ୍ଧି ସେଇ ଆଗର ମର୍ଯ୍ୟାଦାଗୁଡ଼ାକ ଅନୁସାରେ ମର୍ଯ୍ୟାଦାବନ୍ତ ହୋଇ ଦିଶିବାକୁ ମୋଟେ ମନ କଲେ ନାହିଁ । ସେମାନଙ୍କର ସାହିତ୍ୟାଗ୍ରହ ଏବେ ଅନ୍ୟ ନାନା ଭୂମିକୁ ସ୍ପର୍ଶ କରିବାକୁ ଆରମ୍ଭ କଲା-। ନିଜ ଘରର ଗବାକ୍ଷଗୁଡ଼ିକୁ ଖୋଲି ଦେବାକୁ ବି ସେମାନେ ସାହସ କରି ପାରିଲେ । କବିବର ରାଧାନାଥ ଓ ଭକ୍ତକବି ମଧୁସୂଦନ ପ୍ରାୟ ଗୋଟାଏ ଗୋଟାଏ ପକ୍ଷୀରାଜ ଘୋଡ଼ାରେ ଚଢ଼ି ସିଆଡୁ ଆମର ଏଠାରେ ଆସି ପହଞ୍ଚିଗଲେ ଓ ନିଜପାଇଁ ସାହିତ୍ୟର ସ୍ୱୟମ୍ବର ସଭାମାନ ବସାଇଲେ । ରାଧାନାଥ ପ୍ରଥମେ ବଙ୍ଗଳା ଭାଷାରେ ଲେଖୁଥିଲେ । ତାଙ୍କ ଗାଆଁ ସୋରୋଠାରୁ କଲିକତା ସହର ତାଙ୍କୁ ହୁଏତ ଭାରି ଅଳପ ବାଟ ପରି ଲାଗୁଥିଲା । କଟକ ବହୁତ ଦୂର ଦିଶୁଥିଲା । ତାଙ୍କର ଭାରି ସୌଭାଗ୍ୟ, ତାଙ୍କର ଏହି ମୋହଟା ମାତ୍ର ଅଳ୍ପ ଜଖମ ହେବା ପରେ ହିଁ ଭାଙ୍ଗି ଯାଇଥିଲା । ବଙ୍ଗପ୍ରଦେଶର ତତ୍କାଳୀନ ସାହିତ୍ୟିକ ବେଢ଼ାରୁ ଏତେ ଦୂରରେ ରହି ନିଜ ଘରେ ବଙ୍ଗଳାରେ ତିଅଣ ରାନ୍ଧି କଲିକତା ପଠାଇବାର ହାସ୍ୟାସ୍ପଦ କର୍ମଟିକୁ ଯେ ଏକ ଅତ୍ୟନ୍ତ ଅସ୍ୱାଭିକକ ଅନ୍ୟଶ୍ରଦ୍ଧା-ପ୍ରରୋଚିତ ଅନୁକରଣ ବ୍ୟତୀତ ଆଉ ଖୁବ୍‌ ବେଶି କିଛି କୁହାଯାଇପାରିବ ନାହିଁ, ଏବଂ ତାହା ଯେ ବଙ୍ଗସାହିତ୍ୟର ବୃହତ୍ତର ସଭାରେ ତାଙ୍କୁ ଆଦୌ କୌଣସି ପ୍ରତିଷ୍ଠାର ପ୍ରତିଶ୍ରୁତି ଆଣିଦେଇ ପାରିବନାହିଁ, ସେହି କଥା ଆବିଷ୍କାର କରିବା ପାଇଁ ରାଧାନାଥଙ୍କୁ ଖୁବ୍‌ବେଶି ସମୟ ଲାଗିନଥିଲା । ତେଣୁ ସିଏ ଅନ୍ତତଃ ଆପଣାର କବି-ଭବିଷ୍ୟର ହିତଦୃଷ୍ଟିରୁ ପ୍ରାୟ ପହିଲି ଓଡ଼ଟି ବି ପଡ଼ିନଥିବା ଓଡ଼ିଆ-ସାହିତ୍ୟର କ୍ଷେତ୍ରଟିକୁ ଆପଣାର ଉଚିତ କ୍ଷେତ୍ରରୂପେ ନିର୍ବାଚିତ କରି ନେଇଥିଲେ । ସେ ଓଡ଼ିଆ-ସାହିତ୍ୟ ମଧ୍ୟକୁ ଅନେକ ବସ୍ତୁକୁ ପ୍ରାୟ ସର୍ବପ୍ରଥମ ଥର ପାଇଁ ଆମଦାନୀ କରି ଆଣିଥିଲେ ଓ ତେଣୁ ସେହି ଶ୍ରେୟଃର ଅଧିକାରୀ ହୋଇଥିଲେ । ଭକ୍ତକବି ମଧୁସୂଦନ ବ୍ରାହ୍ମଧର୍ମର ସାନ ଚାରାଟିଏ ସିଆଡୁ ଆଣି ଓଡ଼ିଆ ସାହିତ୍ୟର ନୂଆ ହୋଇ ସଫା ହୋଇ ଆସୁଥିବା ବାଡ଼ିଟି ଭିତରେ ପୋତିଲେ । ଓଡ଼ିଶାର ମାଟିରେ ହୁଏତ ମୋଟେ ପୋତି ପାରିନଥିଲେ, ମାତ୍ର ସାହିତ୍ୟ ଭିତରେ ଅବଶ୍ୟ ପୋତିଲେ, ଓଡ଼ିଆ ସାହିତ୍ୟକୁ ଏକ ପ୍ରଥମ ସମୃଦ୍ଧିର ସୌଭାଗ୍ୟ ଆଣିଦେଲେ । ଆମଲାଗି ସିଏ ଭକ୍ତକବି ହୋଇ ରହିଲେ । ଆଧୁନିକ ଚେତନାର ଯେଉଁ ଅଭିନବ ଦିଗଟି ଗଙ୍ଗାଧର ମେହେର ଏବଂ ଫକୀରମୋହନଙ୍କର ସାହିତ୍ୟକୁ ଆଧାର କରି ଉନ୍ମୋଚିତ ହୋଇଆସିଥିଲା, ଆମେ ଓଡ଼ିଶାରେ ଆଜି ମଧ୍ୟ ସେହି ଦିଶା ଉନ୍ମୋଚନର ପୁଲକ ଏବଂ ସ୍ଫୂର୍ତ୍ତିଟିକୁ ଅନୁଭବ କରିପାରୁଛୁ । ଗଙ୍ଗାଧର ମେହେର ତପସ୍ୱୀ ଥିଲେ, ଦ୍ରଷ୍ଟା ଥିଲେ । ଭବିଷ୍ୟର ଅନେକ ଅବଶ୍ୟମ୍ଭାବୀ ଆହ୍ୱାନକୁ ସିଏ ସେହି ରାତି ପାହିବା ପୂର୍ବରୁ ମଧ୍ୟ ଆଘ୍ରାଣ କରି ପାରିଥିଲେ । ସିଏ ଓଡ଼ିଆ ସାହିତ୍ୟରେ ଉପକୂଳସ୍ଥ ଆଞ୍ଚଳିକମାନଙ୍କର ଅନେକ ଦମ୍ଭକୁ ଭାଙ୍ଗି ଦେଇଥିଲେ ଏବଂ ଓଡ଼ିଶାରେ ସାହିତ୍ୟାନୁରାଗକୁ ଭୌଗୋଳିକ ଦୃଷ୍ଟିରୁ ମଧ୍ୟ ଏକ ପ୍ରକୃତ ଗରିମାମୟ ପ୍ରସାର ଆଣି ଦେଇଥିଲେ । ଏକ ଆକସ୍ମିକ କାରଣରୁ ବ୍ରିଟିଶ୍‌ସରକାର ଯେଉଁ ଅଞ୍ଚଳଟିକୁ ନାଗପୁରଭୁକ୍ତି ସହିତ ଏକାଠି ଗୁନ୍ଥି ରଖିଥିଲେ, ତାହାର ଭାଷା ଯେ ଓଡ଼ିଆ ଏବଂ ତାହାର ସାହିତ୍ୟ ଯେ ଓଡ଼ିଆ ସାହିତ୍ୟ, ମେହେରଙ୍କର ସାହିତ୍ୟ ଏବଂ ମେହେରଙ୍କର ମୂଳଶ୍ରଦ୍ଧା ଗୁଡ଼ିକ ସଂପୃକ୍ତ ଜନପଦ ଗୁଡ଼ିକରେ ସେହି ଚେତନାଟିକୁ ଆଣିଦେବାରେ କମ୍‌ ସହାୟତା କରିନଥିବ । ଫକୀରମାହନଙ୍କ ଭିତରେ ରହିଥିବା ଦରଦଟି ସବୁଠିଁ ସବାମୂଳରେ ରହିଥିବା ମଣିଷଟିକୁ ଚିହ୍ନିବାର ସାମର୍ଥ୍ୟ ରଖିଥିଲା । ଯିଏ ମଣିଷକୁ ଯଥାର୍ଥ ଭାବରେ ଚିହ୍ନେ, ସିଏ ଜାତି ଓ ସମୂହକୁ ମଧ୍ୟ ଚିହ୍ନେ । ଦେଶକୁ ଚିହ୍ନେ, ଜାତୀୟତାର ମନୁଷ୍ୟମୂଳ ଚେରଗୁଡ଼ାକୁ ସିଏ ଆପଣା ଭାବଧର୍ମ ଗୁଡ଼ାକର ବି ପ୍ରେରଣା କରି ରଖିଥାଏ । ଫକୀରମୋହନଙ୍କର ସାହିତ୍ୟଚାରଣା ଆମ ଆଗରେ ଅନେକ ଦିନ ସକାଶେ ଏହି ଐଶ୍ୱର୍ଯ୍ୟଗୁଡ଼ିକ ବିଷୟରେ ଆମକୁ ସଚେତନ କରି ରଖିଥିବ, ସେହି ସଚେତନତାର ଦାୟାଦ ହେବାଲାଗି ଆମକୁ ତାହା ଯଥାର୍ଥ ଭାବରେ ଆଘାତ ବି ଦେଇ ଯାଉଥିବ । ଫକୀରମୋହନଙ୍କର ସାହିତ୍ୟ ପ୍ରଧାନତଃ ଭବିଷ୍ୟଧର୍ମୀ ସାହିତ୍ୟ, ଅତି ଅଦ୍‌ଭୂତ ଭାବରେ ବିଶ୍ଳେଷଣଧର୍ମୀ ବା ଚରିତ୍ରଧର୍ମୀ ହୋଇଥିଲେ ମଧ୍ୟ ତାହା ସର୍ବପ୍ରଥମେ ଏକ ଭବିଷ୍ୟଧର୍ମୀ ସାହିତ୍ୟ । ଏବଂ ଜାତୀୟତା-ଯୁଗରେ ଯେକୌଣସି ଭାଷାର ସାହିତ୍ୟ ଯେ ଆପଣାର ନିବିଡ଼ତମ ଅନୁରକ୍ତି ଏବଂ ଆବେଦନ ଗୁଡ଼ିକରେ ଭବିଷ୍ୟଧର୍ମୀ ହିଁ ହୋଇ ରହିଥାଏ, ଏକଥା କାହାରିକି ମୋଟେ ବୁଝାଇ କହିବାକୁ ପଡ଼ିବନାହିଁ ।

 

ସେତେବେଳେ ଓଡ଼ିଆ ସାହିତ୍ୟରେ ଏତେ କଥା ହେଉଥିଲା ସିନା, ମାତ୍ର ଆଧୁନିକ ହାଓ୍ୱା ଓ ତାହାର ଫଳଶ୍ରୁତି ଗୁଡ଼ିକୁ ସାକାର ରୂପେ ଅନୁଭବ କରି ପାରୁଥିବା ଓଡ଼ିଶାବାସୀଙ୍କର ଆଖି କେବଳ ଜଣକ ଉପରେ ହିଁ ପଡୁଥିଲା । ସିଏ ଆମ ତତ୍କାଳୀନ ଜାତୀୟ ଜୀବନର ଯାବତୀୟ ଅଙ୍ଗାଭରଣ ଉପରେ ମୁକୁଟ ହୋଇ ଶୋଭା ପାଉଥିଲେ । ଠିକ୍‌ ମୁକୁଟ ପରି ଝଟକୁଥିଲେ । ତାଙ୍କର ଔଜ୍ଜ୍ୱଲ୍ୟ ଏବଂ ନୈପୁଣ୍ୟ ସମ୍ମୁଖରେ ଆଉ ସବୁକିଛି ଉଜ୍ଜ୍ୱଳତା ସତେଅବା ଏକାବେଳେକେ ମଉଳନ ପଡ଼ି ଯାଉଥିବା ପରି ମନେ ହେଉଥିଲା । ସିଏ ହେଉଛନ୍ତି ଉତ୍କଳ-ଗୌରବ ମଧୁସୂଦନ ଦାସ । ତାଙ୍କୁ ଆମେ ଏବେ ଯଥାର୍ଥ ଭାବରେ ତାଙ୍କର ଯଥାର୍ଥ ମର୍ଯ୍ୟାଦା ପ୍ରଦର୍ଶନ କରିବାକୁ ଯାଇ ଉତ୍କଳ-ଗୌରବ ବୋଲି କହୁଛୁ । ତାଙ୍କୁ ଆମ ସମଗ୍ର କୁଳଟିର ବୃଦ୍ଧ ବୋଲି କହୁଛୁ । ସିଏ ଓଡ଼ିଶାର ବାରିଷ୍ଟର ଥିଲେ । ସେତେବେଳର ଅତି ମୁଷ୍ଟିମେୟ ଖ୍ରୀଷ୍ଟିଆନ୍‌ମାନଙ୍କ ମଧ୍ୟରେ ସିଏ ବି ଜଣେ ଖ୍ରୀଷ୍ଟିଆନ୍‌ ଥିଲେ, ଅର୍ଥାତ୍‌ ଲୋକଆଖିରେ ତତ୍କାଳୀନ ଶାସକମାନଙ୍କର ସମଧର୍ମୀ ଥିବାରୁ ସେମାନଙ୍କର ଅଧିକ ନିକଟବର୍ତ୍ତୀ ବୋଲି ମନେ ହେଉଥିଲେ । ମଧୁବାବୁ କହିଲେ ଏବେ ମଧ୍ୟ ଓଡ଼ିଶାର ପିଲାଏ କାଳିଆଘୋଡ଼ାରେ ଚଢ଼ି ମଧୁବାବୁଙ୍କ ସହିତ ଲଢ଼ିବାର କଳ୍ପନା କରନ୍ତି । ସେତେବେଳେ ମଧୁବାବୁ ଓଡ଼ିଶା ବାହାର ସହିତ ଓଡ଼ିଶାର ପ୍ରାୟ ଏକମାତ୍ର ଯୋଗସୂତ୍ର ହୋଇ ରହିଥିଲେ । ମଧୁବାବୁ ହିଁ ସେତେବେଳେ ଓଡ଼ିଶା ପାଇଁ ପ୍ରାୟ ସବୁଯାକ ସ୍ୱପ୍ନ ଦେଖୁଥିଲେ । ବଙ୍ଗଳାର ମହାବଳ-ବାଘ ନାମରେ ଯିଏ ସେତେବେଳେ ବହୁବିଶ୍ରୁତ ହୋଇ ରହିଥିଲେ, ଓ ବିଟ୍ରିଶ୍‌ ସରକାରଙ୍କଠାରୁ ସର୍ବୋଚ୍ଚ ସାର୍‌ ଉପାଧି ଲାଭ କରିଥିଲେ, ଆମ ମଧୁବାବୁ ଯେ ତାଙ୍କୁ ପିଲାଦିନେ ପାଠ ପଢ଼ାଇଥିଲେ, ସେତେବେଳେ ଏହି ଭାବନାଟି ଓଡ଼ିଶାର କେତେ ଭଗ୍ନବଳ ମନରେ କେତେ ଦମ୍ଭ ଆଣି ଦେଇଥିବ । ମଧୁବାବୁ ଯାହା ଚାହୁଁଥିଲେ, କେବଳ ଓଡ଼ିଶା ସକାଶେ ହିଁ ଚାହୁଁଥିଲେ । ଇଂରାଜୀ-ଶାସନର ଅନୁଗ୍ରହ-ଖଳାରୁ ଆମ ଆଖି ଆଗରେ ଆମ ପଡ଼ୋଶୀମାନେ ଯେପରି କେତେ କ’ଣ ମାରି ନେଇ ପାରୁଥିଲେ, ସେହି ତାଲିକାଟିରେ ଯେତେ ପଛରେ ହେଲେ ମଧ୍ୟ ଓଡ଼ିଶାର ନାମଟିକୁ ଦରଜ କରି ରଖିବା, ସେତେବେଳେ ଆପଣାର ପ୍ରାୟ ସବୁକିଛି ଅସାଧାରଣ ସକ୍ରିୟତାର ମାଧ୍ୟମରେ ମଧୁବାବୁ ପ୍ରଧାନତଃ ତାହାହିଁ କରିବାଲାଗି ସର୍ବଦା ବ୍ୟଗ୍ର ହୋଇ ରହିଥିଲେ-। ବ୍ରିଟିଶ ଶାସନର ପ୍ରସାଦରୁ ବଙ୍ଗଳା ଧନୀ ହେଲା, ମାନ୍ଦ୍ରାଜ ଧନୀ ହେଲା, ତେଣୁ ଆମେ ଓଡ଼ିଆମାନେ ବି ଧନୀ ହେବା; ବ୍ରିଟିଶ ସରକାରଙ୍କ ନୂତନ ଶିକ୍ଷା ବଳରେ ବଙ୍ଗାଳୀମାନେ ଉଚ୍ଚଶିକ୍ଷିତ ହେଲେ, ଉଚ୍ଚ ପଦ ଓ ଉଚ୍ଚ ପଦବୀମାନ ପାଇଲେ, ଆମେ ଓଡ଼ିଆମାନେ ବି ଆଉ ପଛରେ ପଡ଼ି ନରହି ସେହି ଲାଭଧନ୍ୟମାନଙ୍କର ତାଲିକା ଭିତରେ ଗଣା ହୋଇପାରିବା । ଏହାକୁ ଜାତୀୟତାଦର୍ଶର ଠିକ୍‌ କେଉଁ ବିଭାଗଟି ବୋଲି ଚିହ୍ନଟ କରାଯାଇ ପାରିବ କେଜାଣି, ମାତ୍ର ଏଥିରେ ସନ୍ଦେହର ଆଦୌ କୌଣସି ଅବକାଶ ନାହିଁ ଯେ, ତାହା ଅଧିକାଂଶତଃ ବା ପ୍ରାୟ ସମ୍ପୂର୍ଣ୍ଣତଃ ଆପଣାର ଭାବଗତ ଭୂଗୋଳରେ ଭାରି ସ୍ଥାନୀୟ ଓ ଅଞ୍ଚଳୀୟ ହୋଇପାରିଥିଲା । ଏଥିରେ ନିଃସନ୍ଦେହ ଭାବରେ ଏକ ନିଷ୍ଠାତିଶଯ୍ୟ ରହିଥିଲା ସତ, ମାତ୍ର ଗୋଟିଏ ଯଥାର୍ଥ ଆଖି ଆପଣାକୁ ସଂପ୍ରସାରଣଧର୍ମୀ କରି ପାରିଲେ ସାଧାରଣତଃ ଯେତିକି ଦେଖି ପାରିବା କଥା ତାହା ସେତେଦୂର ଯାଏ ଆଦୌ ଦେଖିପାରୁ ନଥିଲା । ମଧୁବାବୁ ହୁଏତ ଭୀମପରି ଚାଣ୍ଡେ ଉଡ଼ିଯାଇ କେଉଁ ଇନ୍ଦ୍ରର ଭୁବନ ଲୁଟିକରି ଓଡ଼ିଶାର ଅମାରଗୁଡ଼ାକୁ ସତେଅବା ରାତି ପାହିବା ପୂର୍ବରୁ ଭର୍ତ୍ତି କରି ଦେବାର ବୀର୍ଯ୍ୟବନ୍ତ ଓ ଆହ୍ଲାଦିତ ସ୍ୱପ୍ନଗୁଡ଼ାକୁ ଦେଖି ପାରୁଥିଲେ ସତ, ମାତ୍ର ତଥାପି ସିଏ ଓଡ଼ିଶାରେ ନଥିଲେ । ଆମରି କୁଳର ବୃଦ୍ଧ ହୋଇ ରହିଥିଲେ ମଧ୍ୟ ଆମ କୁଳ ଭିତରେ ନଥିଲେ । ଆଗକୁ କ’ଣ ସବୁ ଆସୁଛି, ସେହି ବିଷୟରେ ଏତେ ଟିକିଏ ସନ୍ଧାନ ପାଇବାଲାଗି ତାଙ୍କର ଅନିଚ୍ଛା ଅଥବା ଅନାଗ୍ରହ ତାଙ୍କୁ ତାଙ୍କର ସକଳ ସକ୍ରିୟତା ସତ୍ତ୍ୱେ ତଥାପି ପ୍ରାୟ ଜଣେ ବୃଦ୍ଧ କରି ହିଁ ରଖିଥିଲା । ଓଡ଼ିଆମାନେ ସର୍ବପ୍ରଥମେ ଓଡ଼ିଆ ଓ ସର୍ବଶେଷରେ ମଧ୍ୟ ଓଡ଼ିଆ, ବୋଧହୁଏ ଏହିଭଳି ଏକ ଦୁଃସାହିକ ଅଥଚ ଅଲୀକ ଅତିପ୍ରତ୍ୟୟ ତାଙ୍କ କର୍ମବିଚରଣର ପରିଧିଗୁଡ଼ାକୁ ତାଙ୍କ ଦୃଷ୍ଟିର ଗୋଟାଏ ଗୋଟାଏ ବାଡ଼ରେ ପରିଣତ କରି ରଖି ଦେଇଥିଲା । ସେହି ବାଡ଼ଗୁଡ଼ାକୁ ମଧୁବାବୁ ମୋଟେ ଡେଇଁପାରି ନଥିଲେ ।

 

ଉତ୍କଳ-ଗୌରବ ମଧୁସୂଦନ ସାହିତ୍ୟ ଲେଖିଥିଲେ । ବେଶି ଲେଖିନଥିଲେ, ତଥାପି ଯେତିକି ଲେଖିଥିଲେ, ଆମ ସାହିତ୍ୟପେଡ଼ୀରେ ସେଗୁଡ଼ିକ ଗୋଟିଏ ଗୋଟିଏ ମଣି ହୋଇ ଅବଶ୍ୟ ରହିଥିବ । ମଧୁବାବୁଙ୍କର ଯାବତୀୟ କର୍ମୋଦ୍ୟମ ମଧ୍ୟରେ ଆମେ ତାଙ୍କ ଭିତରେ ଉନ୍ନତବକ୍ଷ ହୋଇ ରହିଥିବା ଜଣେ ବୀରର ପରିଚୟ ପାଇବା, ମାତ୍ର ତାଙ୍କର କବିତା ପଢ଼ିଲେ ତାଙ୍କର ବୀର ହୃଦୟଟିର ପରିଚୟ ପାଇବା । ଆପଣାର ଅବିରାମ ସକଳ କର୍ମୋଦ୍ୟମ ସତ୍ତ୍ୱେ ମଧୁବାବୁଙ୍କ ଭିତରେ ଏକ ପ୍ରସାରକାମୀ ମାନବମନର ଯେଉଁସବୁ ଅତୃପ୍ତି ତଥାପି ରହି ଯାଉଥିଲା ଓ ତାଙ୍କୁ ହୁଏତ ତାଙ୍କ ବହୁମୁଖର ଯାବତୀୟ ସାଧାରଣ ଜୀବନ ସତ୍ତ୍ୱେ ତଥାପି ଯେଉଁ ସହଜ ଅନ୍ତରଙ୍ଗତାକୁ ବଡ଼ ଧୃଷ୍ଟତାର ସହିତ ବଞ୍ଚିତ କରି ରଖୁଥିଲା, ସେହିଗୁଡ଼ିକର ଦାଉରୁ ପରିତ୍ରାଣ ପାଇବାଲାଗି ସିଏ କବିତା ଲେଖୁଥିଲେ । ସେ ସାହିତ୍ୟ ଲେଖୁଥିଲେ, ଆପଣାର ଅସାଧାରଣତା-ଜନିତ ଶୂନ୍ୟତାର ହୁଏତ ଏକ କ୍ଷତିପୂରଣ ଲୋଡୁଥିଲେ । କ୍ଷଣକ ପାଇଁ ହେଲେ ମଧ୍ୟ ଅତି ସାଧାରଣ ମଣିଷଟିଏ ପରି ସିଏ ତଦ୍ଦ୍ୱାରା ଟିକିଏ ସହଜ ହୋଇ ପାରୁଥିଲେ, ଆପଣାର ଅସଲ ଯାଚଞ୍ଜାଗୁଡ଼ିକୁ ସେ ନିବିଡ଼ ଭାବରେ ଅନୁଭବ କରିବା ଲାଗି ଏକ କ୍ଷେତ୍ର ପାଇ ପାରୁଥିଲେ, ଅବକାଶ ପାଉଥିଲେ । କେଡ଼େ ଭଲ ନ ହୋଇଥାନ୍ତା, ଯଦି ମଧୁବାବୁ ଆହୁରି ଅଧିକ ଲେଖିଥାନ୍ତେ; ସାହିତ୍ୟାନୁଧାବନର ସେହି ଧର୍ମଗତ ସ୍ୱାଭାବିକ ରସାୟନ କ୍ରିୟାଟି ବଳରେ ସେ ହୁଏତ ଓଡ଼ିଆଙ୍କ ଭିତରେ ମଣିଷଙ୍କୁ ଚିହ୍ନିଥାନ୍ତେ, ଓଡ଼ିଶା ଭିତରେ ଭାରତବର୍ଷକୁ ଚିହ୍ନିଥାନ୍ତେ, ଦେଉଳଗୁଡ଼ାକ ଭିତରେ କରୁଣାମୟ ଭାବସାଗର ଭଗବାନଙ୍କୁ ବି ଚିହ୍ନି ପାରିଥାନ୍ତେ । ଖାଲି ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷ ସମେତ ପ୍ରାୟ ତିନିଚଉଠ ପୃଥିବୀରେ ବିଗତ ଅନେକ ଶତାବ୍ଦୀର ପ୍ରଚଳିତ ବିଶ୍ୱାସଗୁଡ଼ାକୁ ଉତ୍ପାଟିତ କରାଇ ପରବର୍ତ୍ତୀ ଦଶକଗୁଡ଼ିକରେ ନୂତନ ମନୁଷ୍ୟ-ଜାଗରଣର ଯେଉଁ ଆଲୋଡ଼ନ ଅପେକ୍ଷା କରି ରହିଥିଲା ଏବଂ ଏକ ଅଦ୍ଭୂତପୂର୍ବ ଭାବସଂକ୍ରମଣର ନିମିତ୍ତ ହେବାକୁ ଯାଉଥିଲା, ମଧୁବାବୁ ସେହି ଆଲୋଡ଼ନଟିକୁ ଅବଶ୍ୟ ବାରି ଜାପି ପାରିଥାନ୍ତେ । ସେହି ଆଗାମୀ ଯୁଗଟିର ଯୁଗନ୍ଧର ହେବାଲାଗି ସିଏ ଆପଣା ଭିତରୁ ଆପଣାକୁ ଏକ ନୂତନ ଜନ୍ମ ଦେଇପାରି ଥାଆନ୍ତେ । ମାତ୍ର ସମ୍ଭବତଃ ଓଡ଼ିଶା ଲାଗି ଏକାବେଳେକେ ଏତେଗୁଡ଼ାଏ ସୌଭାଗ୍ୟ ଆଦୌ ଲେଖା ହୋଇ ରହିନଥିଲା । ଏକ ସମୂହ ହିସାବରେ ଓଡ଼ିଶାର ଆତ୍ମଆବିଷ୍କାର ସମ୍ଭବତଃ ସେହି କାରଣରୁ ହିଁ ସେତେବେଳେ ଭାରି ସ୍ଥାନୀୟ ହୋଇ ରହିଗଲା ।

 

ଆପଣାର କ୍ଷେତ୍ରରୁ ମଧୁବାବୁ ବିଦାୟ ନେଇ ଯାଉଥିବା ସମୟରେ ଉତ୍କଳମଣି ଗୋପବନ୍ଧୁଙ୍କର ଆର୍ବିଭାବ । ମଧୂସୂଦନ ହିଁ ଗୋପବନ୍ଧୁଙ୍କର ଆଦିଗୁରୁ । ମୟୂରଭଞ୍ଜ ମହାରାଜା କୁଆଡ଼େ ଉଦୀୟମାନ, ନିଷ୍ଠାପର ଓ ଶିକ୍ଷିତ ଓଡ଼ିଆ ଯୁବକମାନଙ୍କୁ ବାଛି ବାଛି ନିଜ କରଦରାଜ୍ୟରେ ଉଚ୍ଚପଦସ୍ଥ କର୍ମଚାରୀ ରୂପେ ନିଯୁକ୍ତ କରି ରଖିବା ସକାଶେ ସେତେବେଳେ ଭାରି ଆଗ୍ରହୀ ଥିଲେ ବୋଲି ମଧୁସୂଦନ ତାଙ୍କ ପାଖକୁ ଗୋପବନ୍ଧୁଙ୍କୁ ସୁପାରିଶ କରି ପଠାଇଥିଲେ । ମହାରାଜାଙ୍କର କଚେରୀରେ ଗୋପବନ୍ଧୁ ରାଜାଙ୍କ ପକ୍ଷର ଓକିଲ ହୋଇ ରହିଲେ । ସେହିଠାରୁ ତାଙ୍କର କର୍ମମୟ ଜୀବନର ଆରମ୍ଭ ହେଲା, ସାଧାରଣ ଜୀବନର ବି ଆରମ୍ଭ ହେଲା । ଆପଣା ଜୀବନର ସେହି ପ୍ରଥମ ପାବଚ୍ଛଟିରୁ ହିଁ ଗୋପବନ୍ଧୁ କ୍ରମଶଃ ବହୁପ୍ରସାରିତ ହେଲେ, ବହୁମୁକୁଳିତ ହେଲେ, ବହୁପ୍ରବିଷ୍ଟ ବି ହେଲେ । ତା’ପରେ ପ୍ରାୟ ଦୁଇ ଦଶକ ପର୍ଯ୍ୟନ୍ତ ଓଡ଼ିଶାର ସାହିତ୍ୟ, ଶିକ୍ଷା, ଏବଂ ଲୋକନିର୍ମାଣର କ୍ଷେତ୍ର ଗୁଡ଼ିକରେ ଯେଉଁ ଯୁଗଟି ଆସିଲା, ଏବେ ଆମେ ସମସ୍ତେ ତାହାକୁ ଗୋପବନ୍ଧୁ ଯୁଗ ବୋଲି କହୁଛୁ । ସେହି ପର୍ଯ୍ୟାୟଟିରେ ଭାରତୀୟ ପ୍ରତ୍ୟେକ ପ୍ରାନ୍ତୀୟ ସାହିତ୍ୟରେ ଜାତୀୟତାବାଦୀ ଯୁଗର ପ୍ରବୃତ୍ତିଟି ହିଁ ସର୍ବପ୍ରଧାନ ପ୍ରବୃତ୍ତିଟି ହୋଇ ରହିଥିଲା । ଏହି ସର୍ବଭାରତୀୟ ପ୍ରବୃତ୍ତିଟି ଆମ ଓଡ଼ିଶାକୁ ଅନେକ ପଛରେ ଆସିଲା । ତାହା ପଛରେ ଏକାଧିକ କାରଣ ମଧ୍ୟ ରହିଛି-। କିନ୍ତୁ ଗୋଟିଏ ପ୍ରଧାନ କାରଣ ହେଉଛି ଯେ, ସେତେବେଳେ ଓଡ଼ିଶାରେ ବାହାର ଆଡ଼କୁ ଅନାଇ ଦେଖିବାକୁ, ବୃହତ୍ତର ସ୍ରୋତଟି ମଧ୍ୟରେ ନିଜର ମଧ୍ୟ ଏକ ସ୍ଥାନ ରହିଛି ବୋଲି ଅନୁଭବ କରିବାକୁ ଏବଂ ଆପଣାକୁ ବୃହତ୍ତର ଭାରତବର୍ଷର ଗୋଟିଏ ଅଂଶ ସ୍ୱୀକାର କରି ନେବାକୁ ହୁଏତ ଆଦୌ କୌଣସି ସହାୟକାରୀ ଝରକା ହିଁ ନଥିଲା । ତତ୍କାଳୀନ ଓଡ଼ିଶାର ନେତୃବର୍ଗଙ୍କ ପାଖରେ ସେତେବେଳେ ଏପରି କୌଣସି ଦର୍ପଣ ନଥିଲା, ଯାହା ଉପରେ କି ସେମାନେ ବାହାରେ, ଦେଶରେ ଓ ବିଦେଶରେ ଘଟୁଥିବା ଘଟଣା ତଥା ପ୍ରେରଣାଗୁଡ଼ିକର ପରିପ୍ରେକ୍ଷୀ ଉପରେ ଆପଣା ଉତ୍ସାହଗୁଡ଼ିକର ମୂଲ୍ୟାୟନ କରି ପାରିଥାନ୍ତେ, ଏବଂ ସେହି ମୂଲ୍ୟାୟନ ଅନୁସାରେ ଆପଣାର ବାଟଟିକୁ ବାଛି ବାହାର କରି ପାରିଥାନ୍ତେ । ସେତେବେଳେ ଆପଣାର ଏକ ସ୍ୱତନ୍ତ୍ର ଅସ୍ତିତ୍ୱ ବିଷୟରେ ଓଡ଼ିଶା ଏକାନ୍ତ ଅନିଶ୍ଚିତପ୍ରାୟ ହୋଇ ରହିଥିଲା, ତେଣୁ ଅତ୍ୟନ୍ତ ଗୃହସଚେତନ ଓ ଗୃହସର୍ବସ୍ୱ ବି ହୋଇ ରହିଥିଲା । ବାହାରେ ଯେଉଁ ପ୍ରଶସ୍ତତର ଅନ୍ତଃଦୃଷ୍ଟି ସହିତ ବିଚରଣ କରି ପାରୁଥିଲେ କୌଣସି ଏକ ସମୂହ ଆପଣାର ଘର ଭିତରେ ମଧ୍ୟ ଆପଣାକୁ ଏକ ସମ୍ପୂର୍ଣ୍ଣ ପ୍ରସ୍ଥ ଉପରେ ଅବଲୋକନ କରି ପାରିବାର ସାମର୍ଥ୍ୟ ଅର୍ଜନ କରେ ନାନା କାରଣରୁ ଓଡ଼ିଶାର ତତ୍କାଳୀନ ଉଚ୍ଚନାୟକମାନଙ୍କ ପାଖରେ ସେହି ଅନ୍ତଃପ୍ରବୃତ୍ତ ପୁରୋଦୃଷ୍ଟି ପ୍ରାୟ ଆଦୌ ନଥିଲା । ସେମାନଙ୍କ ଆଖିରେ ସେତେବେଳେ କେଉଁଠି ହେଲେ କେହି ମଣିଷ ନଥିଲେ । କେବଳ ସେହିମାନେ ହିଁ ରହିଥିଲେ । ସେମାନେ କଲିକତା ଯାଇ ପାଠ ପଢ଼ିଥିଲେ, କେତେକ ବିଲାତ ପର୍ଯ୍ୟନ୍ତ ବି ଯାଇ ପାରୁଥିଲେ । ଓଡ଼ିଶାର ଭାଗ୍ୟ କହିଲେ ସେମାନେ ପ୍ରାୟ ଗୋଟାସୁଦ୍ଧା ନିଜର ଭାଗ୍ୟଗୁଡ଼ିକୁ ହିଁ ବୁଝୁଥିଲେ । ବାହାରର କିଞ୍ଚିତ୍ ସ୍ୱାର୍ଥ ଲାଗିଥିଲେ ମଧ୍ୟ ତଥାପି ସେମାନଙ୍କର ଦୃଷ୍ଟି ଏବଂ ଅନୁରାଗ ଗୁଡ଼ିକରେ ହୁଏତ କୌଣସି ଯଥାର୍ଥ ପ୍ରସାର ସମ୍ଭବ ହୋଇନଥିଲା । ଦେଶ କହିଲେ ସେମାନେ ହୁଏତ କେବଳ ଏହି ଖଣ୍ଡେ ଓଡ଼ିଶାକୁ ହିଁ ବୁଝୁଥିଲେ । ପ୍ରାୟ ଏକ ଗୃହପ୍ରେମରେ ପଡ଼ି, ଓଡ଼ିଆମାନଙ୍କୁ ଏକ ଜାତି ବୋଲି ଭାବୁଥିଲେ । ବାହାରେ ସମସ୍ତଙ୍କଠାରୁ ଖିଅଛିଣ୍ଡା ହୋଇ ରହି ଏକୁଟିଆ ଓଡ଼ିଶାର ଗୌରବ ଓ ମହତକୁ ବଢ଼ାଇହେବ ବୋଲି ସେମାନେ ଯେ କେବଳ କଳ୍ପନା କରୁଥିଲେ ତା’ନୁହେଁ, କାର୍ଯ୍ୟକ୍ଷେତ୍ର ଗୁଡ଼ାକରେ ମଧ୍ୟ ପ୍ରାୟ ସେତିକି ପୁଞ୍ଜିଦ୍ୱାରା ସେମାନଙ୍କର ଯାବତୀୟ ବ୍ୟବସାୟ ଚାଲିପାରିବ ବୋଲି ନିଷ୍ଠାପର ଭାବରେ ବିଶ୍ୱାସ କରୁଥିଲେ । ଓଡ଼ିଶା-ବିଷୟଟିର ବାହାରେ ତେଣେ ବୃହତ୍ତର ଭାରତବର୍ଷରେ ଯେ ଜାତିର ଏକ ନୂଆ ସଂଜ୍ଞା ନିରୂପିତ ହେବାରେ ଲାଗିଥିଲା, ନୂତନ ପୃଥିବୀରେ ଖାସ୍ ବିଂଶ ଶତାବ୍ଦୀଠାରୁ ଯେ ମନୁଷ୍ୟର ବି ଏକ ନୂତନ ଅର୍ଥ କ୍ରମଶଃ ଆବିଷ୍କୃତ ହୋଇ ଆସୁଥିଲା ଏବଂ ମନୁଷ୍ୟଜାତିର ପ୍ରାୟ ଯାବତୀୟ ପ୍ରୟାସକୁ ଏକ ନୂତନ ବ୍ୟଞ୍ଜନା ଏବଂ ବ୍ୟାଖ୍ୟା ଦେଇ ତାହାକୁ ଉଦ୍‌ବୁଦ୍ଧ କରିବାକୁ ଆରମ୍ଭ କରିଥିଲା, ଏଠି ଓଡ଼ିଶାରେ ସେତେବେଳେ ହୁଏତ କେହିହେଲେ ତାହାର ସମ୍ୱାଦ ପାଇ ନଥିଲେ । ୧୮୮୫ ଖ୍ରୀଷ୍ଟାବ୍ଦରୁ ଭାରତୀୟ ଜାତୀୟ କଂଗ୍ରେସର ଥାପନା ହୋଇ ସାରିଥିଲା, ସ୍ୱାଧୀନତା ହିଁ ଭାରତୀୟମାନଙ୍କର ଜନ୍ମଗତ ଅଧିକାର ବୋଲି ଲୋକମାନ୍ୟ ବାଳଗଙ୍ଗାଧର ତିଳକ କୋଉଦିନୁଁ କହି ସାରିଥିଲେ । ଏହି ଶତାବ୍ଦୀର ଆରମ୍ଭରେ ପଡ଼ୋଶୀ ରାଜ୍ୟ ବଙ୍ଗଳାରେ ଦଳେ ତରୁଣ ସଂଗ୍ରାମୀ ଓ ଯୋଦ୍ଧା ବ୍ରିଟିଶ ସରକାର ବିରୁଦ୍ଧରେ ସଂତ୍ରାସବାଦୀ ନାନା ପ୍ରୟାସ ଆରମ୍ଭ କରି ଦେଇଥିଲେ, ଯାହାକି ନିଜର ପ୍ରତିସ୍ପନ୍ଦନରେ ପଶ୍ଚିମଆଡ଼େ ସୁଦୂର ପଞ୍ଜାବ ପର୍ଯ୍ୟନ୍ତ କ୍ଷେପି ଯାଇଥିଲା । ଏବଂ ଥରେ ସେହି ପର୍ଯ୍ୟାୟରେ ସଂତ୍ରାସବାଦୀମାନେ ଉତ୍ତର ଓଡ଼ିଶାରେ ମଧ୍ୟ ବ୍ରିଟିଶ ଗୁଳି ସହିତ ଯୁଦ୍ଧକରି ଏଇଠି ପ୍ରାଣ ଦେଇଥିଲେ ସତ, ମାତ୍ର ତେବେସୁଦ୍ଧା ଓଡ଼ିଶାର ଚଉକାନ୍ଥ ଭିତରେ ସେଗୁଡ଼ାକ ପ୍ରାୟ ଆଦୌ କୌଣସି ସମ୍ବେଦନଶୀଳତା ସୃଷ୍ଟି କରିପାରିନଥିଲା । ଜାତୀୟ କଂଗ୍ରେସର ବିଭିନ୍ନ ଅଧିବେଶନକୁ ସେତେବେଳେ ଓଡ଼ିଶାରୁ କେତେଜଣ ବ୍ୟକ୍ତି ଦର୍ଶକ ହିସାବରେ ଯାଉଥିଲେ ଓ ତୀର୍ଥଭ୍ରମଣ କରି ଫେରୁଥିଲେ ସତ, ମାତ୍ର ଜାତୀୟତା କିମ୍ୱା ଦେଶାତ୍ମବୋଧର ନୂତନ ଭୂମିଟି ଉପରେ ସେତେବେଳେ ଓଡ଼ିଶାର କୌଣସି ଉପନୟନ ହୋଇନଥିଲା । ଓଡ଼ିଶା ସତେଅବା ବହୁକଷ୍ଟରେ ସେତେବେଳେ ପ୍ରାକ୍‌-ଜାତୀୟତା ସ୍ତରର ଗହୀରଟି ଭିତରେ ପଡ଼ି ରହିଥିଲା, ନିଜର ଗଡ଼ିଆଟି ଭିତରେ ଏକ ଐଶ୍ୱର୍ଯ୍ୟମୟ ଉତ୍କଳର ସ୍ୱପ୍ନ ଦେଖିବାରେ ନିମଗ୍ନ ରହିଥିଲା । ରାଜନୀତିର ନବବିନ୍ୟାସଟିକୁ ସତେଅବା ବୁଝି ନ ପାରୁଥିବା ପରି ସିଏ ତାହାକୁ ପ୍ରଧାନତଃ ଏଡ଼ି ଏଡ଼ି ଆସୁଥିଲା । ବ୍ରିଟିଶ୍‌ସାମ୍ରାଜ୍ୟବାଦକୁ ଏଠି କର୍ତ୍ତାମାନେ ସତେଅବା ଓଡ଼ିଶାର ନୂତନ ଗଜପତି ଅଥବା ଥାନପତି ବୋଲି ଭାବୁଥିଲେ । ଓଡ଼ିଶାଖଣ୍ଡରେ ସେତେବେଳେ ଉତ୍କଳ ସମ୍ମିଳନୀର ଯୁଗ ଚାଲିଥିଲା । ନିଜର ସାନ ଦୋକାନଟିକୁ ନିଜର ଯଥାସାଧ୍ୟ ବୁଦ୍ଧିମତ୍ତା ଦ୍ୱାରା ଗୋଟିଏ ବଡ଼ଦୋକାନରେ ପରିଣତ କରି ହୁଏତ ତାହାରି ଦ୍ୱାରା ହିଁ ଭବିଷ୍ୟତର ସବୁଯାକ ଗୁଜରାଣ ବେଶ୍ ମେଣ୍ଟିଯିବ ବୋଲି ବେଶ୍‌ ଭରସା କରି ହେଉଥିଲା ।

 

ସେତିକିବେଳେ ଗୋପବନ୍ଧୁ ଦାଶ ଏକାବେଳେକେ ଏକ ନୂଆ ଭାଷା, ନୂଆ ଭାବନା, ନୂଆ ଅନୁରକ୍ତି ଏବଂ ନୂତନ ଆହ୍ୱାନ ନେଇ ଏହିସବୁ ପ୍ରତିଷ୍ଠିତ କ୍ଷୁଦ୍ରକ୍ଷେତ୍ର ମଧ୍ୟରେ ମଧ୍ୟରେ ଆସି ଅବତୀର୍ଣ୍ଣ ହେଲେ । ଗୋପବନ୍ଧୁ ମଧ୍ୟ ଏହି ଉତ୍କଳ ସମ୍ମିଳନୀରୁ ହିଁ ଆପଣାର ସାଧାରଣ ରାଜନୀତିକ ଜୀବନ ଆରମ୍ଭ କରିଥିଲେ । ସେତେବେଳକୁ ପ୍ରଥମ ପୃଥିବୀ-ମହାଯୁଦ୍ଧ ଶେଷ ହୋଇଗଲାଣି । ସାମ୍ରାଜ୍ୟଗୁଡ଼ାକ ଯେ ମୋଟେ ଗୋଟାଏ ଗୋଟାଏ କେଶରୀ ନୁହନ୍ତି, ସେକଥା ପ୍ରମାଣିତ ହୋଇସାରିଲାଣି । ଋଷିଆରେ ଘଟିଥିବା ଏକ ନୂତନ ବିପ୍ଳବ ଫଳରେ ସେଠାରୁ ପ୍ରାୟ କେତେ ଶହ ବର୍ଷର ଏକଛତ୍ର ସମ୍ରାଟଶାସନ ବିଲୁପ୍ତ ହୋଇଗଲାଣି । ୧୮୪୮ ମସିହାରେ କାର୍ଲ ମାର୍କ୍‌ସ୍‌ ଯେଉଁ ବିଶ୍ୱ-ବିପ୍ଳବର ନକ୍‌ସା ଆଙ୍କି ପୃଥିବୀ ସମକ୍ଷରେ ଆଣି ରଖି ଦେଇଥିଲେ, ୧୯୧୭ ମସିହାରେ ଋୁଷିଆରେ ନେତା ଲେନିନ୍ ତାହାରି ସୌଧଟି ଲାଗି ଏକ ପ୍ରଥମ ପ୍ରକୃତ ମୂଳଦୂଆ ପକାଇ ପାରିଲେ ବୋଲି ବିଶ୍ୱବାସୀ ସେଇ ଆଡ଼କୁ ଅବାକ୍ ହୋଇ ଅନାଇ ରହିଛନ୍ତି । ସାଧାରଣ ମଣିଷଗୁଡ଼ାଙ୍କ ଭିତରେ ପ୍ରକୃତରେ ଏତେ ବଳ ରହିଛି ବୋଲି କେହି ବିଶ୍ୱାସ କରି ପାରୁନାହାନ୍ତି ସତ, ମାତ୍ର ଆପଣାର ଆଖିଟାକୁ ମଧ୍ୟ ଅବିଶ୍ୱାସ କରିପାରୁ ନାହାନ୍ତି । ଭାରତୀୟ ଜାତୀୟସଂଗ୍ରାମରେ ମଧ୍ୟ ଏକ ନୂତନ ମୋଡ଼ ଆରମ୍ଭ ହୋଇଯାଇଛି । ଜାଲିଆନ୍‌ଓ୍ୱାଲା-ବାଗ୍‌ର ହତ୍ୟାକାଣ୍ଡ ପରେ ଜାତୀୟ ନେତୃତ୍ୱରୁ ମାନ୍ଦାମାନଙ୍କର ପ୍ରତିପତ୍ତି ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଅପସରି ଯାଇଛି । ଜାତୀୟତା, ଜାତୀୟଜୀବନ ଏବଂ ଜାତିର ଭବିଷ୍ୟ ବିଷୟରେ ପ୍ରାୟ ଏକ ଅଶ୍ରୁତପୂର୍ବ ନୂତନ ସନ୍ଦେଶ ନେଇ ଭାରତୀୟ ଗଗନରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ଆବିର୍ଭାବ ଘଟିଛି । ଭୀରୁତା ଉପରେ ସାହସ ଏବଂ ଭୀରୁ ଚତୁରତା ଉପରେ ବିଶ୍ୱାସର ଏକ ବିଜୟଘୋଷଣା ହୋଇସାରିଲାଣି । ଏହିସବୁ ପରିବର୍ତ୍ତନର ଓଡ଼ିଶାରେ ସତେଅବା ଏକ ପ୍ରଥମ ଘୋଷଣା କରିବାଲାଗି ଏତିକିବେଳେ ଗୋପବନ୍ଧୁଙ୍କର ଆବିର୍ଭାବ ହେଲା ।

 

ଆପଣା ଅନ୍ତଃବିକାଶର ସମଗ୍ର ପ୍ରକ୍ରିୟାଟିରେ ଗୋପବନ୍ଧୁ ଏହି ଯାବତୀୟ ପରିବର୍ତ୍ତନ ସହିତ ଆପଣାକୁ ବହୁ ପୂର୍ବରୁ ହିଁ ସଂଲଗ୍ନ କରି ରଖିଥିଲେ । ସିଏ କଲିକତାରେ ପାଠ ପଢ଼ିବା ସମୟରୁ ହିଁ ଇଉରୋପର ଜାତୀୟତାବାଦୀ ରେନେସାଁସ୍ ସହିତ ଆପଣାକୁ ସୁପରିଚିତ କରି ରଖିଥିଲେ । ଓଡ଼ିଶାକୁ ଆସିବା ପରେ ସେ ଆପଣାର ଅନ୍ତରଙ୍ଗ ସହକର୍ମୀ-ଗୋଷ୍ଠୀଟି ସହିତ ମାଜିନି, ଗାରିବାଲ୍‌ଡ଼ି ଏବଂ ଫରାସୀ-ବିପ୍ଳବ ବିଷୟରେ ବିସ୍ତୃତ ଚର୍ଚ୍ଚାମାନ କରୁଥିଲେ । ତୁଚ୍ଛା ଇତିହାସର କେବଳ ଗୋଟାଏ ଗୋଟାଏ ବିଷୟ ହିସାବରେ ନୁହେଁ, ଆପଣାର ସମ୍ମୁଖସ୍ଥ ଗଗନ ଉପରେ ଉକୁଟି ଉଠିଥିବା ଗୋଟିଏ ଗୋଟିଏ ସମାନ୍ତର ପ୍ରକୃତ ପ୍ରେରଣାରୂପେ ହିଁ ଗୋପବନ୍ଧୁ ସେସବୁ ମଧ୍ୟରେ ଅବଗାହିବାକୁ ଯାଇଥିଲେ । ଅନ୍ତରଙ୍ଗ ସାଥିମାନଙ୍କ ସହିତ ସେ ସେହିସବୁ ଅନୁଭୂତିର ବିନିମୟ ବି କରୁଥିଲେ । ରୁଷିଆର ସୋଭିଏଟ୍‌ ବିପ୍ଳବ ତାଙ୍କର ବିଚାର ଏବଂ ଦୃଷ୍ଟିରେ ଆଦୌ କମ୍ ଆଲୋଡ଼ନ ସୃଷ୍ଟି କରି ନଥିବ । ଯେତେବେଳେ ରୁଷିଆ ଦେଶରେ ରାଜସତ୍ତାର ଲୋପ ହେଲା ଏବଂ ମଣିଷର ଇତିହାସରେ ତଦ୍ଦ୍ୱାରା ଏକ ନୂତନ ଯୁଗର ଆରମ୍ଭ ହେଲା, ସେତେବେଳେ ଓଡ଼ିଶାର ଆଉ କୌଣସି କାଗଜରେ ସେହି ଘଟଣାଟିର ସହାନୁଭୂତିଶୀଳ ଆଲୋଚନା ହୋଇଥିଲା କି ନାହିଁ କେଜାଣି, ମାତ୍ର ଗୋପବନ୍ଧୁଙ୍କର ’ସମାଜ’ରେ ଅବଶ୍ୟ ହୋଇଥିଲା । ତା’ପରେ ଗୋପବନ୍ଧୁ ରୁଷିଆରେ ଘଟୁଥିବା ପ୍ରତ୍ୟେକ ଘଟଣା ସହିତ ନିଜକୁ ଅତ୍ୟନ୍ତ ଆଗ୍ରହପୂର୍ଣ୍ଣ ଭାବରେ ପରିଚିତ କରାଇ ରଖିଥିଲେ । ଏପରିକି ୧୯୨୪ ମସିହାରେ ‘ଜନନାୟକ ଲେନିନ୍‌’ ଶୀର୍ଷକରେ ଗୋପବନ୍ଧୁ ଲେନିନ୍‌ଙ୍କର ମୃତ୍ୟୁପରେ ଲେଖିଥିବା ସମ୍ପାଦକୀୟ ଲେଖାଟିରେ ତାଙ୍କୁ ‘ପୃଥିବୀର ପ୍ରଜାଶକ୍ତିର ଏକମାତ୍ର ଆଶ୍ରୟ, ପ୍ରକୃତ ସ୍ୱାଧୀନତା-ଦେବୀଙ୍କର ପରମ-ଉପାସକ ମହାପୁରୁଷ ଲେନିନ୍‌’ ବୋଲି ବର୍ଣ୍ଣନା କରିଥିଲେ । ସିଏ ଲେଖିଥିଲେ, ‘‘ପୃଥିବୀର ଇତିହାସରେ ଯୁଗେ ଯୁଗେ ଯେଉଁ ମହାପୁରୁଷମାନେ ଜନ୍ମଗ୍ରହଣ କରି ମାନବ-ସମାଜର ବିରାଟ ପରିବର୍ତ୍ତନ ଆଣି ନୂତନ ଯୁଗପ୍ରବର୍ତ୍ତକ ରୂପେ ପୂଜା ପାଇଛନ୍ତି, ମହାତ୍ମାଗାନ୍ଧୀ ଓ ମହାପୁରୁଷ ଲେନିନ୍‌ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ।’’ ଗୋପବନ୍ଧୁଙ୍କର ବିଚାର ଓ ଚିନ୍ତାଗୁଡ଼ାକ ଓଡ଼ିଶାର ପୁରୁଣା ନେତା ଓ ସାମନ୍ତମାନଙ୍କୁ ସେତେବେଳେ ହୁଏତ ଅବିକଳ ଗ୍ରୀକ୍‌ପରି ଶୁଭିଥିବ । ମାତ୍ର ସେତେବେଳେ ଓଡ଼ିଶାର ଜୀବନଚେତନାରେ ମଧ୍ୟ ଯେ ଏକ ନୂତନ ଯୁଗର ପ୍ରବର୍ତ୍ତନ ଘଟିବାକୁ ଯାଉଥିଲା, ଓଡ଼ିଶା ଯେ ଏକ ନୂତନ ପ୍ରବାହ ସହିତ ଯାଇ ସଂଯୁକ୍ତ ହେବାର ସୌଭାଗ୍ୟ ଲାଭ କରିବାକୁ ଯାଉଥିଲା, ସେମାନେ ସେହି କଥାଟିକୁ ମଧ୍ୟ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିପାରିନଥିବେ ।

 

ଗୋପବନ୍ଧୁ ପ୍ରଥମେ ଉତ୍କଳ ସମ୍ମିଳନୀରେ ଥିଲେ । ମଧୁବାବୁ ତାଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ । ସିଏ ଗୋପବନ୍ଧୁଙ୍କୁ ଆଣି ଥରେ ଉତ୍କଳ ସମ୍ମିଳନୀର ସଭାପତି ପଦରେ ମଧ୍ୟ ବସାଇଥିଲେ । ମାତ୍ର ଗୋପବନ୍ଧୁ ଯେ ଏମାନଙ୍କଠାରୁ ଏକାବେଳେକେ ଭିନ୍ନ, ସିଏ ଯେ ଏକ ଅନାଗତ ଅନ୍ୟ ବିଚାରର ବାହକ, ଏକ ଅନ୍ୟ କର୍ମକ୍ଷେତ୍ରର କର୍ମୀ, ସେହି କଥାଟି ମଧ୍ୟ ସେହି ଉତ୍କଳ ସମ୍ମିଳନୀର ମଣ୍ଡପ ଉପରେ ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ଧରାପଡ଼ିଯାଇଥିଲା । ଗୋପବନ୍ଧୁ ପୂରା ଧରାପଡ଼ି ଯାଇଥିଲେ । ତାଙ୍କର ବାଟ ଯେ ଅନ୍ୟତ୍ର, ସେହି କଥାଟି ମଧ୍ୟ ପୂରା ଧରାପଡ଼ି ଯାଇଥିଲା । ଉତ୍କଳ ସମ୍ମିଳନୀକୁ ଭାରତୀୟ ସ୍ୱାଧୀନତାସଂଗ୍ରାମର ମହାସ୍ରୋତରେ ନେଇ ମିଶାଇ ଦେବାକୁ ଗୋପବନ୍ଧୁ ଅତ୍ୟନ୍ତ ଦୃଢ଼ତାର ସହିତ ମତ ପ୍ରକାଶ କରିଥିଲେ । ଭବିଷ୍ୟତକୁ ଜଳଜଳ କରି ଦେଖି ପାରୁଥିଲେ ମଣିଷ ଯେତିକି ସ୍ପଷ୍ଟ ଓ ଯେତିକି ଦୃଢ଼ ହୋଇଯାଏ, ଠିକ୍‌ ସେତିକି ଦୃଢ଼ ଓ ସମର୍ପିତ ଭାବରେ ସିଏ ଆପଣାର ଭିନ୍ନ ମତଟିକୁ ବ୍ୟକ୍ତ କରିଥିଲେ । ୧୯୧୯ ମସିହାର ଉତ୍କଳ ସମ୍ମିଳନୀର ସଭାପତି ଆସନରୁ ହିଁ ସେ ଆପଣାର ଭିନ୍ନମତ ଓ ଭିନ୍ନ ଦୃଷ୍ଟିଟି ବିଷୟରେ ଅତି ସିଧା କେତୋଟି କଥାରେ ସୂଚନା ଦେଇଥିଲେ । ୧୯୨୦ ମସିହା ଡିସେମ୍ବର ୩୦ ତାରିଖରେ ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ମଞ୍ଚରୁ ହିଁ ଗୋପବନ୍ଧୁ ଏକ ପ୍ରସ୍ତାବରେ ‘‘ଭାରତ ଜାତୀୟ ମହାସମିତିର ଉଦ୍ଦେଶ୍ୟ ଓ ଆକାଙ୍‌କ୍ଷାକୁ ମଧ୍ୟ ଏହି ସମ୍ମିଳନୀର ଉଦ୍ଦେଶ୍ୟ ଓ ଆକାଙ୍‌କ୍ଷା ବୋଲି ଗ୍ରହଣ କରାଯାଉ’’ ବୋଲି ପ୍ରସ୍ତାବ ଆଗତ କରିଥିଲେ । ତାହାର ଅବ୍ୟବହିତ ପରେ ସେ ‘ସତ୍ୟବାଦୀ’ ପତ୍ରିକାରେ ଲେଖିଥିଲେ : ‘‘ଭାରତରେ ଆନ୍ଦୋଳନ ପରେ ଆନ୍ଦୋଳନ ଚାଲିଯାଉଛି । ଉତ୍କଳ ଦ୍ୱାରରେ ଧକ୍‌କା ବାଜୁଛି । ଉତ୍କଳ ଯୁବକର ପ୍ରାଣରେ ଥରେ ସ୍ପନ୍ଦନ ଆସୁଛି; କିନ୍ତୁ ଅଭିଭାବକମାନେ କହୁଛନ୍ତି, ହଁ, ସାବଧାନ, ଓଡ଼ିଶାର ସେସବୁ କାର୍ଯ୍ୟପାଇଁ ସମୟ ଆସିନାହିଁ । ପୁଣି ଯେତେବେଳେକୁ ହୁଏତ ସମୟ ଆସନ୍ତା ବୋଲି ଆମେ ବିଚାରନ୍ତୁ, ତା’ ପୂର୍ବରୁ ଜାତୀୟ ଆନ୍ଦୋଳନ ଆହୁରି ଏକ ନୂଆ ପ୍ରେରଣା ଘେନି ହାଜର । ପୁଣି ସମୟ ଆସିନାହିଁ । ଏପରି କେତେଦିନ ସମୟ ନ ଆସିବ, କେହି କହିବେ କି ? ସମୟ ଆସିନାହିଁ କେବଳ ଅକର୍ମା ଭୀରୁର ବଚନ । ଏ ଗୋଟିଏ ଦାସତ୍ୱର ମୋହ । ଏ ମୋହ ଶୀଘ୍ର ଛାଡ଼ି ଜାତୀୟ ସ୍ରୋତରେ ଭାସିବାକୁ ହେବ ।’’ ଗୋପବନ୍ଧୁଙ୍କ ଜୀବନର ଶେଷ ପାବଚ୍ଛଟି ପର୍ଯ୍ୟନ୍ତ ଏହାହିଁ ସର୍ବପ୍ରଧାନ ଆବେଦନ ହୋଇ ରହିଥିଲା । ବୃହତ୍ତରଟି ସହିତ ଆପଣାକୁ ମିଶାଇ ଦେବାକୁ ହେବ, ଅଳପ ଓ ଅମୁହାଁ କରି ରଖିଥିବା ଖୋଳଗୁଡ଼ାକୁ ଭାଙ୍ଗିଦେବାକୁ ହେବ, ଭିତରେ ଏବଂ ବହାରେ ଭୀରୁମାନଙ୍କୁ ଜୟ କରିବାକୁ ପଡ଼ିବ । ସ୍ୱାଧୀନ ହେବାର ଅର୍ଥ ହେଉଛି ଆପଣାକୁ ମଣିଷ ବୋଲି ଆବିଷ୍କାର କରିବା, ମଣିଷର ମହିମାରେ ହିଁ ସାମୂହିକ ସକଳାଙ୍ଗ ଜୀବନଟିକୁ ମହିମାନ୍ୱିତ କରି ରଖିବା । ସେହି ‘ସତ୍ୟବାଦୀ’ ପତ୍ରିକାରେ ୧୯୨୬ ମସିହାରେ ଗୋପବନ୍ଧୁ ଆଉ ଗୋଟିଏ ସ୍ଥାନରେ ଲେଖିଥିଲେ, ‘‘ମନେ ରଖିବାକୁ ହେବ, ଆମ୍ଭେମାନେ ପ୍ରଥମେ ମନୁଷ୍ୟ, ପରେ ଭାରତୀୟ ଏବଂ ସର୍ବଶେଷରେ ଓଡ଼ିଆ । ଓଡ଼ିଆ ଜାତିର ସ୍ୱାତନ୍ତ୍ର୍ୟ ଫୁଟିବ ପ୍ରଶସ୍ତତର ଭାରତୀୟ ଜାତୀୟତା କ୍ଷେତ୍ରରେ ଓ ଉଦାର ସାର୍ବଜନୀନ ମାନବିକତାରେ ।’’

 

ଓଡ଼ିଆ ଲୋକ-ଜୀବନର ଇତିହାସରେ, ବିଶେଷତଃ ତା’ର ରାଜନୀତିକ ଇତିହାସରେ ଏହି ଦୁର୍ବିନୀତ ଅଭିଭାବକତ୍ୱର ହାଙ୍ଗାମା ହୁଏତ ଏପର୍ଯ୍ୟନ୍ତ ବି ଲାଗିରହିଛି । ଅକର୍ମା ଭୀରୁମାନଙ୍କର ଏହି ଦାସତ୍ୱର ମୋହ ଏବେ ମଧ୍ୟ ନାନାଭଳି ବାଣମାରି ଛତି ଉଡ଼ାଇ ଆପଣାକୁ ଆଦର୍ଶ ବୋଲି ଜାହିର କରିବାରେ ଲାଗିଛି । ପ୍ରାୟ ଷାଠିଏ ବର୍ଷ ତଳେ ଗୋପବନ୍ଧୁ ଓଡ଼ିଶାର ଯେଉଁ ରୋଗଟି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଇଥିଲେ, ସେହି ରୋଗ ଏବେ ବି ଆମ ସାଧାରଣ ଜୀବନର ନେତୃତ୍ୱଗୁଡ଼ାକୁ ଭାରି ଘାରି ରହିଛି । ଭୀରୁ ଚତୁରସେଣମାନେ ପ୍ରାୟ ସକଳ ଉପଲକ୍ଷ୍ୟରେ ଏବେ ବି ସମୟ ଆସିନାହିଁ ବୋଲି ରଡ଼ିବାରେ ଲାଗିଛନ୍ତି । ନିଜେ ପ୍ରସ୍ତୁତ ଥିଲେ ସମୟ ଯେ ବଳେ ଆସି ପହଞ୍ଚିଯାଏ, ଆମ ଓଡ଼ିଶାରେ ଅଭିଭାବକମାନେ ବାରବାର ସେହି ସତ୍ୟଟିକୁ ଭାରି କୁଶଳତା ସହିତ ଘୋଡ଼ାଇ ରଖି ଆସିଛନ୍ତି । ଷାଠିଏବର୍ଷ ତଳେ ଗୋପବନ୍ଧୁ ଦାଶ ଆମ ସମସ୍ତଙ୍କର ପରିତ୍ରାଣ ସକାଶେ ଏହି ଦିଗରେ ହୁଏତ ଏକ ସର୍ବପ୍ରଥମ ଉତ୍‌କ୍ରମଣ ଘଟାଇଥିଲେ । ସେଥିଲାଗି ତାଙ୍କୁ ମଧୁବାବୁଙ୍କର ନେତୃତ୍ୱରୂପୀ ତତ୍କାଳୀନ ପ୍ରଚଣ୍ଡ ଗିରିଟିକୁ ଲଘଂନ କରିବାକୁ ପଡ଼ିଥିଲା । ସେହି କଥାଟା କରିବା ଆଦୌ ଏକ ସହଜ ବ୍ୟାପାର ହୋଇନଥିବ ! କାରଣ, ମଧୁବାବୁଙ୍କର ଚିନ୍ତାଧାରାଠାରେ ଗୋପବନ୍ଧୁଙ୍କ ଚିନ୍ତାଧାରା ଯେ ସମ୍ପୂର୍ଣ୍ଣ ଭିନ୍ନ, ଏକଥା ଗୋପବନ୍ଧୁ ଓ ମଧୁସୂଦନ ଉଭୟେ କ୍ରମଶଃ ବୁଝିବାକୁ ଆରମ୍ଭ କରିଥିବେ । ଅଭିଭାବକର ଅଭିମାନ ତଦ୍ଦ୍ୱାରା କେତେ ଆଘାତ ପାଇଥିବ । ଭାଗବତ ଘରେ ରଖାହୋଇ ଆସିଥିବା ଖଟୁଲିଗୁଡ଼ାକ ଏକାବେଳେକେ ଦୋହଲି ଗଲାପରି ମନେ ହୋଇଥିବ, ଆମ ବଡ଼ବଡୁଆଁମାନେ ଏଣିକି ଆଉ ମୋଟେ ପାଣି ପାଇବେ ନାହିଁ ବୋଲି କେତେ ମୁହଁ ଲଦା ହୋଇଥିବ; ଉତ୍କଳ ସମ୍ମିଳନୀ ଦୁଇ ଭାଗରେ ବାଣ୍ଟି ହୋଇଯାଇଥିବ । ଗୋଟାଏ ଯୁଗବିଭାଜନ ଅର୍ଥାତ୍‌ ଯୁଗସନ୍ଧି ସମୟରେ ଯାହା ସବୁଠାରେ ହୁଏ, ଓଡ଼ିଶାରେ ମଧ୍ୟ ଠିକ୍ ତାହା ହିଁ ହୋଇଥିବ । ଆହୁରି ଅଧିକ ଶ୍ରଦ୍ଧା ଓ କମ୍ ଭାବପ୍ରବଣତା ସହିତ ସେହି ଯୁଗଟିର ଇତିହାସ ଲେଖାହେଲେ ଯାଇ ଆମେ ସେଗୁଡ଼ିକ ବିଷୟରେ ଅବହିତ ହୋଇପାରିବା ।

 

ଗୋପବନ୍ଧୁ କବିପ୍ରାଣ ଥିଲେ, ମାତ୍ର ସାହିତ୍ୟପ୍ରାଣ ନଥିଲେ । ସାହିତ୍ୟ କେବେହେଲେ ତାଙ୍କର ଏକ ଜୀବନଧନ୍ଦାରେ ପରିଣତ ହୋଇନଥିଲା । ମନ ଖୁସି କରିବାପାଇଁ ଅଥବା, ମୃଗୟାରୁ ଯେଉଁ ଆନନ୍ଦ ମିଳେ, ମଝିରେ ମଝିରେ ସେହି ଆନନ୍ଦଟି ଲାଭ କରିବାପାଇଁ ସିଏ କେବେହେଲେ ସାହିତ୍ୟ ଲେଖିନାହାନ୍ତି । ଭାରତୀୟ ଅନ୍ୟାନ୍ୟ ଭାଷାରେ ଯେଉଁମାନେ ଦେଶାତ୍ମବୋଧୀ ସାହିତ୍ୟ ଲେଖିଛନ୍ତି ଏବଂ ଲେଖି ଯଶସ୍ୱୀ ହୋଇଛନ୍ତି, ସେମାନଙ୍କ ସହିତ ଗୋପବନ୍ଧୁଙ୍କର ଏକ ମୌଳିକ ପାର୍ଥକ୍ୟ ରହିଥିଲା । ଏମାନେ କେହି ଗୋପବନ୍ଧୁଙ୍କ ପରି ଏତେ ସକ୍ରିୟ ଭାବରେ ଓ ଏତେ ଘନିଷ୍ଠ ଭାବରେ ସାଧାରଣ କ୍ଷେତ୍ରରେ ଆଦୌ ନଥିଲେ । ସେମାନେ ସମସ୍ତେ ପରିବର୍ତ୍ତନ ଲାଗି ଆହ୍ୱାନ ଦେଇଥିଲେ, ହତଭାଗିନୀ ଭାରତ-ଜନନୀର ଘୋର ଦୁର୍ଦ୍ଦଶାଗୁଡ଼ିକୁ ବର୍ଣ୍ଣନା କରିଥିଲେ; ସେମାନେ ସଂଗ୍ରାମ ଲାଗି ଆହ୍ୱାନ ଦେଇଥିଲେ । କିନ୍ତୁ କେହି ସଂଗ୍ରାମ ଭିତରେ ନଥିଲେ, କେହି ସଂଗ୍ରାମ କରୁ ନଥିଲେ । ହଁ, ତାମିଲ ସାହିତ୍ୟର ଶ୍ରୀ ସୁବ୍ରହ୍ମଣ୍ୟମ୍ ଭାରତୀ ଏବଂ ବଙ୍ଗ-ସାହିତ୍ୟର ଶରତଚନ୍ଦ୍ରଙ୍କୁ ଆମେ ଏହି କ୍ଷେତ୍ରରେ କେତେକ ପରିମାଣରେ ଗୋଟିଏ ଗୋଟିଏ ବ୍ୟତିକ୍ରମ ବୋଲି କହିପାରିବା-। ମାତ୍ର ଗୋପବନ୍ଧୁଙ୍କ ପରି ସେମାନେ ମୋଟେ ବେକେ ପଙ୍କରେ ବୁଡ଼ିକରି ରହିନଥିଲେ । ଅବଶ୍ୟ ଶରତଚନ୍ଦ୍ର କେତେ ସମୟ ଲାଗି ହାଓଡ଼ା ଜିଲ୍ଲା-କଂଗ୍ରେସ କମିଟିର ସଭାପତି ବି ଥିଲେ, ତଥାପି ସେହି କ୍ଷେତ୍ରରେ ସେ ଆଦୌ ବେଶିଦିନ ରହିପାରି ନଥିଲେ । ଏକ ବୃହତ୍ କୈଫିୟତ୍ ସହିତ ସେଠାରୁ ବିଦାୟ ନେଇ ସିଏ ତାଙ୍କର ଅସଲ କ୍ଷେତ୍ର ସାହିତ୍ୟ ଭିତରକୁ ବାହୁଡ଼ି ଆସିଥିଲେ । ସାହିତ୍ୟିକ ହେଉଛି ମୂଳତଃ ସ୍ରଷ୍ଟା, କର୍ମୀ ନୁହେଁ, ସିଏ ସୃଷ୍ଟି କରିଯିବ, କର୍ମକ୍ଷେତ୍ର ଗୁଡ଼ାକରୁ ବାହାରେ ରହି ସିଏ କେବଳ ସୃଷ୍ଟି କରି ଯାଉଥିବ – ଏପରି ଗୋଟିଏ ମତବାଦ ଆମେ ତତ୍କାଳୀନ ବଙ୍ଗ-ସାହିତ୍ୟରେ ରବୀନ୍ଦ୍ରନାଥ ଓ ଶରତଚନ୍ଦ୍ରଙ୍କଠାରୁ ଆରମ୍ଭ କରି ଆହୁରି ଅନେକ ଲେଖକଙ୍କ ମୁହଁରୁ ଶୁଣିବାକୁ ପାଇବା । ଓଡ଼ିଶାରେ ଗୋପବନ୍ଧୁ ସେହି କଥାଟିର ବ୍ୟତିକ୍ରମ ଥିଲେ । ଅତ୍ୟନ୍ତ ତରୁଣ ବୟସରେ ସିଏ ବିଭିନ୍ନ ସମୟରେ ବିକ୍ଷିପ୍ତ ଭାବରେ ଯେଉଁ ଅଳ୍ପ କେତୋଟି କବିତା ଲେଖିଥିଲେ, ସେଗୁଡ଼ିକ ୧୯୧୨ ମସିହାରେ ‘ଅବକାଶ ଚିନ୍ତା’ ନାମରେ ଖଣ୍ଡେ ଚଟିବହି ରୂପେ ପ୍ରକାଶିତ ହୋଇଥିଲା । ତା’ପରେ ଗୋପବନ୍ଧୁ ଦୀର୍ଘ ଅନେକ ବର୍ଷପାଇଁ ଆଦୌ କୌଣସି କବିତା ଲେଖିନଥିଲେ । ୧୯୧୫ ମସିହାରେ ‘ସତ୍ୟବାଦୀ’ ପତ୍ରିକା ଜନ୍ମଲାଭ କଲାପରେ ଯେଉଁ କୋତୋଟି ବର୍ଷ ଚାଲିଥିଲା, ସେହି ଅବଧିଟି ଭିତରେ ବି ଗୋପବନ୍ଧୁ ଗୋଟିଏ ବୋଲି କବିତା ଲେଖିଛନ୍ତି ବୋଲି କୌଣସି ସୂଚନା ମିଳୁନାହିଁ । ତା’ପରେ କର୍ମକ୍ଷେତ୍ରରୁ ଏକ ସାମୟିକ ବିରତିକାଳ ରୂପେ ସିଏ ଯେତେଦିନ କାରାଗାରରେ ବନ୍ଦୀହୋଇ ରହିଲେ, ସେହି ସମୟଟିକୁ ସିଏ ପୁଣି କିଛି କବିତା ଲେଖିବାରେ ବିନିଯୋଗ କରିଥିଲେ । ‘କାରାକବିତା’ରେ ଯେତେବେଳେ ସିଏ ଲେଖିଥିଲେ :

 

‘‘ଯାର ଚକ୍ରେ ତ୍ରିଂଶକୋଟି ଭାରତ-ସନ୍ତାନ

ନିଜ ବାସେ ପରବାସୀ ନିଜ ଦେଶେ ଶ୍ୱାନ

ଯା’ର ଫଳେ ଉପବାସୀ ମୋର ଦେଶବାସୀ,

ଭାରତ-ଜନନୀ ମୋର ପରଦ୍ୱାରେ ଦାସୀ ।’’

 

ସେତେବେଳେ ସିଏ ବାହାରୁ ଥାଇ ଏକଥା ଲେଖି ନଥିଲେ । ଯୁଦ୍ଧକ୍ଷେତ୍ରର ଜଣେ ସୈନିକ ଓ ଜଣେ ନାୟକ ହିସାବରେ ସିଏ ତାହା ଲେଖିଥିଲେ । ଏକାବେଳେକେ ରାଜନୀତି ଓ ସାହିତ୍ୟ କରିବାର ଦୃଷ୍ଟାନ୍ତ ଏବେ ମଧ୍ୟ ଓଡ଼ିଶାରେ ରହିଛି । ସେତେବେଳେ ହୁଏତ ନିଶ୍ଚୟ ରହିଥିବ-। ଏପରି ଅନେକ ମଣିଷ ଅଛନ୍ତି, ଯେଉଁମାନଙ୍କର ଚେତନାସ୍ତିତ୍ୱର ଗୋଟାଏ ଫାଳ ରାଜନୀତିରେ ରହିଥାଏ ଓ ଆଉ ଗୋଟାଏ ଫାଳ ସାହିତ୍ୟ ଭିତରେ ଆସି ରହିଥାଏ; ହୁଏତ ଏକାବେଳେକେ ସାଢ଼େ ତିନିଚଉଠ ରାଜନୀତିରେ ରହିଥାଏ ଏବଂ ମୋଟେ ଅଧଚଉଠେ ସାହିତ୍ୟ ଭିତରେ ରହିଥାଏ-। ଅଥବା, ଆଠପହରୀଟା ରାଜନୀତି ଭିତରେ ଥାଏ ଓ ସାହିତ୍ୟରେ କେବଳ ପୋଷାକୀଟା ରହି କିଞ୍ଚିତ୍ ବୈଚିତ୍ର୍ୟର ଭିଆଣ କରି ରଖିଥାଏ । ରାଜନୀତିର ଦଗା ଆଉ ଖଣ୍ଡିଆଦାଗଗୁଡ଼ାକୁ ଭୁଲିବାଲାଗି କିଏ ଦଣ୍ଡେ ସାହିତ୍ୟ ଭିତରକୁ ଆସି ସାହିତ୍ୟ କରେ । ପୁଣି ଆଉ କେଉଁମାନେ ରାଜନୀତି-ଜନିତ ପାପର କ୍ଷୟଲାଗି ଅର୍ଥାତ୍ ଆପଣାର ଲଜ୍ଜାଗୁଡ଼ିକୁ ଭୁଲିବା ଲାଗି ଜୀବନରେ ସାହିତ୍ୟରୂପୀ ଆଉଗୋଟିଏ ବିବେକକୁ କିଞ୍ଚିତ୍ ସ୍ଥାନ ଦେବାକୁ ସତେଅବା ଜଣେ ପ୍ରାଜ୍ଞର କର୍ତ୍ତବ୍ୟରୂପେ ଗ୍ରହଣ କରିଥାନ୍ତି । ଗୋପବନ୍ଧୁ ଏସବୁ ମଧ୍ୟରୁ କୌଣସି ଗୋଟିଏ ଦଳରେ ବି ନଥିଲେ । ଏ ଦିଗରେ ସିଏ ତାଙ୍କର ଅତି ଅନ୍ତରଙ୍ଗ ସହକର୍ମୀମାନଙ୍କଠାରୁ ମଧ୍ୟ ଅନେକ ପୃଥକ୍ ଥିଲେ । ଦେଶାତ୍ମବୋଧର ଏପରି ଏକ ସ୍ତର ରହିଛି, ଯେଉଁଠି ଦେଶ କେବଳ ଏକ ସଂପ୍ରସାରଣଧର୍ମୀ ସମ୍ବେଦନଶୀଳ ଆତ୍ମବୋଧରେ ହିଁ ପରିଣତ ହୋଇଯାଏ । ସବୁରି ଭିତରେ ଆପଣାକୁ ଆବିଷ୍କାର କରି ଓ ସମସ୍ତଙ୍କ ଲାଗି ଆପଣାକୁ ସମର୍ପିତ କରି ରଖି ମଣିଷ ଧନ୍ୟ ହୁଏ; ତା’ର ରାଜନୀତି ଓ ତା’ର ସାହିତ୍ୟ ଉଭୟେ ଧନ୍ୟ ହୁଅନ୍ତି । ସେତେବେଳେ ଦେଶ କହିଲେ ସମ୍ଭବତଃ କୌଣସି ଏକ ଭୌଗୋଳିକ ନିର୍ଦ୍ଦିଷ୍ଟ ସୀମାକୁ ବୁଝାଏ ନାହିଁ । ସେତେବେଳେ ଦେଶ ଏକ ପ୍ରତୀକବାଚୀ ଶବ୍ଦରେ ପରିଣତ ହୋଇଯାଏ । ଏକ ଏକାତ୍ମକତାବୋଧୀ ସଂପ୍ରସାରଣକୁ ବୁଝାଏ । ଶ୍ରଦ୍ଧାର କ୍ରମାତିକ୍ରମଣ-ପଥରେ ଦେଶ ସତେଅବା ଏକ ପଥସନ୍ତକ ହୋଇ ରହେ । ଶ୍ରଦ୍ଧା ହିଁ ସାର ହୋଇ ରହେ, ଆତ୍ମନିବେଦନ ସାର ହୋଇ ରହେ, ଏବଂ ତା’ପରେ ରାଜନୀତି ଓ ସାହିତ୍ୟ ଏକାବେଳେକେ ଦୁଇଟାଯାକ କ୍ଷେତ୍ରରେ ଆପଣାକୁ ପ୍ରେରିତ କରି ରଖିବା ଲାଗି ଆପଣା ଭିତରେ ଆଦୌ କୌଣସି ପ୍ରକାରେ ବିଭକ୍ତ ହୋଇ ରହିବାର ପ୍ରୟୋଜନ ହିଁ ରହେନାହିଁ । ଆମଲାଗି ଗୋପବନ୍ଧୁ ସେହି ଏକାତ୍ମକତା ଓ ସେହି ଶ୍ରଦ୍ଧାର ସନ୍ତକ ହୋଇ ରହିଛନ୍ତି । ଓଡ଼ିଶାର ସାହିତ୍ୟ ଏବଂ ଓଡ଼ିଶାର ରାଜନୀତି ଦୁଇଟିଯାକ କ୍ଷେତ୍ରରେ ସିଏ ଆମଲାଗି ଏକ ବିସ୍ମୟକାରୀ ବଳୟର ସନ୍ତକ ହୋଇ ରହିଛନ୍ତି, ତଥାପି ଆମର ଅତି ଆପଣାର ହୋଇ ରହିଛନ୍ତି ।

 

‘‘ଜାତୀୟତା-ପୋତେ ଜୀବନ-ବୋଇତ, ଯୋଡ଼ିବା ତ ପ୍ରତି ଜନର ବିହିତ’’ ବୋଲି ହୃଦୟଙ୍ଗମ କରୁଥିବା ଗୋପବନ୍ଧୁଙ୍କର ଚେତନାରେ ଉତ୍କଳୀୟତା ଏବଂ ଭାରତୀୟତା ମଧ୍ୟରେ ଆଦୌ କୌଣସି ପ୍ରକାର ଦ୍ୱନ୍ଦ ନଥିଲା । ଗୋପବନ୍ଧୁ ଉତ୍କଳକୁ ଆପଣାର କ୍ଷେତ୍ରରୂପେ ଗ୍ରହଣ କରିଥିଲେ ଏବଂ ‘‘ଦିଅ ନବ ତେଜ ନବୀନ ସାହସ ଉତ୍କଳମାତା ଜୀବନେ ହେ’’ ବୋଲି ବିଭୁଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରିଥିଲେ । ଖଣ୍ଡଗିରି ପାହାଡ଼କୁ ସମ୍ବୋଧନ କରି ସେ ‘‘ନିର୍ଜୀବ ଉତ୍କଳେ ପ୍ରାଣ କର ହେ ସଞ୍ଚାର’’ ବୋଲି ବି ଆକୁଳ ହୋଇ କହିଥିଲେ । କିନ୍ତୁ ତାଙ୍କର ଏହି ଆବେଦନ ଓଡ଼ିଶାକୁ ଆପଣା କ୍ଷୁଦ୍ରତାର ଚଉକାନ୍ଥ ରୂପେ ଗ୍ରହଣ କରିବାକୁ କଦାପି ମନ କରିନଥିଲା । ‘ଉତ୍କଳର ପ୍ରବାହ’ଟିକୁ ‘ଭାରତର ମହାଜାତୀୟ-ତରଙ୍ଗ’ ସହିତ ମିଶାଇବା ଲାଗି ହିଁ ତାଙ୍କର ଦେଶାତ୍ମବୋଧୀ ଚେତନା ସତତ ଅଭିଳାଷ ରଖିଥିଲା । କାରଣ, ‘‘ଯେବେ ଧର୍ମ ଯେତେ ବର୍ଣ୍ଣ ଜାତି କୁଳ, ଭାରତ-ଜନନୀ ସମସ୍ତଙ୍କ ମୂଳ’’ ବୋଲି ସେ ଅତ୍ୟନ୍ତ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ । ସ୍ୱାଧୀନତାର ସ୍ୱପ୍ନ ଦେଖିବା ଆଗରୁ ଭାରତବର୍ଷ କଦାପି ଗୋଟିଏ ହୋଇ ରହି ନଥିଲା । ସ୍ୱାଧୀନତା ହାସଲ କରିବାର ସ୍ୱପ୍ନ ଓ ଉଦ୍ୟମ ହିଁ ଭାରତବର୍ଷକୁ ଗୋଟିଏ ଚେତନା ରୂପେ ମୂର୍ତ୍ତିମନ୍ତ କରି ଆଣିଥିଲା । ମହାତ୍ମାଗାନ୍ଧୀଙ୍କର ନେତୃତ୍ୱ ପରେ ସେହି ଚେତନାଟି ବିଶେଷ ଭାବରେ ଜୀବନ୍ୟାସ ପାଇପାରିଲା । ଏବେ, ରାଜନୀତିକ ସ୍ୱାଧୀନତା ଲାଭ କରିଥିବାର ତିରିଶିବର୍ଷ ପରେ ମଧ୍ୟ ଆମେ ଅନେକେ ନିଜ ନିଜର ପ୍ରାନ୍ତ ଓ ଅଞ୍ଚଳଗୁଡ଼ାକୁ କେତେବେଳେ ଖୁସି ହୋଇ ଅଥବା କେତେବେଳେ ବାଉଳା ହୋଇ ଓ ପ୍ରୟୋଜନରେ ପଡ଼ି ଦେଶ ବୋଲି କହିପକାଉଛୁ । ଆପଣାର ସ୍ଥାନୀୟ କ୍ଷୁଦ୍ର ସମୂହଟିକୁ ଜାତି ବୋଲି ବି କହି ପକାଉଛୁ । ସେଥିଲାଗି ଆତ୍ମକୃତ ଅନେକ ପ୍ରମାଦ ଓ ବିସ୍ମରଣ ଭିତରେ ଆମେ ଆମର ଜାତୀୟ ଭାଗ୍ୟଗୁଡ଼ାକୁ ପ୍ରଧାନତଃ ଏକ ଦୁର୍ଭାଗ୍ୟରେ ହିଁ ପରିଣତ କରିଦେବାରେ ଲାଗିଛୁ । ଗୋପବନ୍ଧୁଙ୍କର ଦୃଷ୍ଟି ଏ ଦିଗରେ ଅତ୍ୟନ୍ତ ସ୍ପଷ୍ଟ ଥିଲା, ଏହି ଦୃଷ୍ଟିରୁ ଦେଖିଲେ ତାଙ୍କର ସାହିତ୍ୟ ବି ସକଳ ଭାବପ୍ରବଣତାରୁ ସଂପୂର୍ଣ୍ଣ ଭାବରେ ମୁକ୍ତ ହୋଇ ରହିଥିଲା । ‘ବନ୍ଦୀର ଆତ୍ମକଥା’ରେ ଗୋପବନ୍ଧୁଙ୍କ ଲିଖିତ ନିମ୍ନ କୋତୋଟି ଧାଡ଼ି ଓଡ଼ିଶାର ଭୂମିକୁ ଏକ ଉତ୍ତୋଳନଧର୍ମୀ ଶ୍ରଦ୍ଧାଦୃଷ୍ଟିରେ ଦେଖି ପାରୁଥିବା ଆମ ସମସ୍ତଙ୍କ ଲାଗି ପ୍ରକୃତରେ ଏକ ମନ୍ତ୍ର ପରି ଚିରସ୍ମରଣୀୟ ହୋଇ ରହିଛି :

 

ଥିଲେ ଯହିଁ ତହିଁ ଭାରତ ବକ୍ଷରେ,

ମଣିବି ମୁଁ ଅଛି ଆପଣା କକ୍ଷରେ ।

ମୋ’ ନେତ୍ରେ ଭାରତ ଶିଳା ଶାଳଗ୍ରାମ,

ପ୍ରତି ସ୍ଥାନ ମୋର ପ୍ରିୟ ପୁରୀଧାମ ।

ସକଳ ସଲିଳ ପଞ୍ଚତୀର୍ଥ ଜଳ,

ପ୍ରତି ଧର୍ମାଳୟ ମୋର ନୀଳାଚଳ ।

ଭାରତର ପ୍ରତି ବୃକ୍ଷ କଳ୍ପବଟ,

ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ;

ଜାତୀୟ ମମତା ବିଶ୍ୱଜନ-ପ୍ରୀତି,

ଉତ୍କଳବାସୀର ହେଉ ଏହା ନୀତି ।।

 

ନୀଳାଚଳନାଥଙ୍କର ଏହି କଳ୍ପନା ଏକ ଅନନ୍ୟସାଧାରଣ କଳ୍ପନା, ପ୍ରକୃତରେ ଏହାହିଁ ହେଉଛି ଯଥାର୍ଥ ଜଗନ୍ନାଥ-କଳ୍ପନା, ମନ୍ମାଥଙ୍କୁ ଜଗନ୍ନାଥ–ସ୍ତରକୁ ଉତ୍ତୋଳିତ କରି ନେବାର କଳ୍ପନା । କେବଳ ସାହିତ୍ୟ ଭିତରେ ନୁହେଁ, ନିଜ ଜୀବନରେ ମଧ୍ୟ ଗୋପବନ୍ଧୁ ସେହି କଥାଟିକୁ ସାଧି ପାରିଥିଲେ । ସିଏ ଓଡ଼ିଶାରେ ରହିଥିଲେ, ଓଡ଼ିଶା ତାଙ୍କର କର୍ମଭୂମି ଥିଲା, ଓଡ଼ିଶାର ଦୁଃଖରେ ତାଙ୍କ ଆଖିରୁ ଲୁହଧାର ବୋହି ଯାଉଥିଲା । ତଥାପି ସେ କେବଳ ଏଇଠି ନଥିଲେ, କେବଳ ଆମର ଏହି ପାଚେରୀଗୁଡ଼ାକ ଭିତରେ ନଥିଲେ । ଏକ ସହଜ ଶ୍ରଦ୍ଧାଦ୍ୱାରା ପ୍ରେରିତ ହୋଇ ସେ ସବୁକିଛିକୁ ସ୍ୱୀକାର କରୁଥିଲେ, ଗୋଟିଏ ମଧ୍ୟରେ କୋଟିକୁ ଦେଖି ପାରୁଥିଲେ । ଆପଣାର ଭୂମିଟିକୁ ସିଏ ତାହାର ବୃହତ୍ତମ ବ୍ୟଞ୍ଜନା ଅର୍ଥାତ୍‌ ବୃହତ୍ତମ ନୈକଟ୍ୟ ଦେଇ ଦେଖୁଥିଲେ । ତାଙ୍କ ଉପଲବ୍‌ଧିର ସ୍ତରଟିକୁ, ତାଙ୍କ ଉପଲବ୍‌ଧି ଥଳର ଭାରତବର୍ଷକୁ ଏବଂ ତାଙ୍କର ଅତିପ୍ରିୟ ଓଡ଼ିଶା ଭୂଇଁକୁ ଆମେ ତାଙ୍କ ‘ଅବକାଶ ଚିନ୍ତା’ରେ ରହିଥିବା ନିମ୍ନ କେତୋଟି ପଦରୁ କଳନା କରିବାକୁ ଚେଷ୍ଟା କରିବା :

 

ପ୍ରେମଭାବେ ଯା’ର ଅନ୍ତର ପୂରିତ,

ସର୍ବପ୍ରାଣୀ ହୃଦ ତା’ ହୃଦେ ଅଙ୍କିତ ।

ସର୍ବ ଅନୁଭୂତି ସର୍ବଭୂତା ତା’ର,

ତା’ ଆଖିରେ ବିଶ୍ୱ ଏକ ପରିବାର ।

ସେହି ନିଜେ ବିଶ୍ୱ ବିଶ୍ୱ ମଧ୍ୟେ ସେହି,

ଅନ୍ୟ ହୋଇ ତା’ର ଆଉ କେହି ନାହିଁ ।

 

ଏହାକୁ ଆମେ ଏକାତ୍ମକତା ବୋଲି କହିବା, ଉତ୍ତରୋତ୍ତର ଅଧିକରୁ ଅଧିକକୁ ସ୍ୱୀକାର କରି ନେଇ ପାରୁଥିବା ଶ୍ରଦ୍ଧାର ଏକ ସୋପାନକ୍ରମ ବୋଲି କହିପାରିବା; ଦେଶାତ୍ମବୋଧ ବି ଯେ ଆପଣାକୁ ଏକ ଆଧ୍ୟାତ୍ମିକ ଭୂମିରେ ପ୍ରତିଷ୍ଠିତ କରି ରଖିପାରେ ଏବଂ ଆମର ଯାବତୀୟ ଆକାଙ୍‌କ୍ଷାକୁ ସତେଅବା ଏକ ତୀର୍ଥ ଜଳରେ ଧୌତ କରି ରଖିପାରେ, ଭାରତୀୟ ସ୍ୱଦେଶଚିନ୍ତନର ଇତିହାସରେ ତାହାର ଏକାଧିକ ଦୃଷ୍ଟାନ୍ତ ରହିଛି । ଓଡ଼ିଶାରେ ଗୋପବନ୍ଧୁ ମଧ୍ୟ ତାହାର ନିଦର୍ଶନ ହୋଇ ରହିଛନ୍ତି ।

 

ଗୋପବନ୍ଧୁଙ୍କର ଦେଶାତ୍ମବୋଧ ଦେଶଲାଗି କେବଳ ଏକ ରାଜନୀତିକ ସ୍ୱାଧୀନତାପ୍ରାପ୍ତିରେ କଦାପି ଶେଷ ହୋଇ ଯାଉନଥିଲା । ସେହି ସ୍ୱାଧୀନତାର ପ୍ରାପ୍ତି ପରେ ଦେଶକୁ ଯେଉଁପରି ଏକ ଛାଞ୍ଚରେ ନୂଆ କରି ତିଆରି କରିବାକୁ ହେବ, ତାହା ସେହି ସ୍ୱପ୍ନଟି ମଧ୍ୟକୁ ବି ପ୍ରସାରିତ ହୋଇ ରହିଥିଲା । ସ୍ୱାଧୀନତା ଏକ ସାଧ୍ୟ ନୁହେଁ, ତାହା ଏକ ସାଧନ । ମଣିଷଲାଗି, ଅର୍ଥାତ୍‌ ସୁନ୍ଦର ଓ ସମ୍ମାନିତ ମଣିଷଲାଗି ଏକ ସୁନ୍ଦର ଓ ସମ୍ମାନିତ ସମାଜ ତଥା ସାମୂହିକ ଜୀବନର ସାହସିକ ଉଦ୍ୟମ ହେଉଛି ସାଧ୍ୟ । ମହାତ୍ମାଗାନ୍ଧୀଙ୍କର ଯୋଜନା ଭିତରେ ମଧ୍ୟ ଆମେ ସେହି ଭବିଷ୍ୟଚିତ୍ରଟିକୁ ଦେଖିବାକୁ ପାଇବା । ଯାବତୀୟ ବିପ୍ଳବ ଓ ଜାତୀୟ-ସଂଗ୍ରାମ ପଛରେ ଏହିପରି ଏକ ଚିନ୍ତା ଅବଶ୍ୟ ରହିଥାଏ । ତେଣୁ ଅସଲ ଦେଶାତ୍ମବୋଧ ମଣିଷକୁ ଲୋଡ଼େ, ଭବିଷ୍ୟକୁ ଲୋଡ଼େ, ଏକ ବୃହତ୍‌ ଅଭୀପ୍‌ସା ଏବଂ ଉଦ୍ୟମକୁ ମଧ୍ୟ ଲୋଡ଼େ । ମାତ୍ର, ଯେଉଁ ତଥାକଥିତ ଦେଶାତ୍ମବୋଧ ଅତବା ଦେଶପ୍ରୀତିଦେଶ କହିଲେ କେବଳ ନଈନାଳ, ଅରଣ୍ୟ, ପର୍ବତ କିମ୍ବା ଅତିରଞ୍ଜିତ ଗୁଡ଼ାଏ ଅତୀତ ବା ଏପରିକି କ୍ଷମତାଧିକାର କରି ରହିବାର ଏକ ଅବସରକ୍ଷେତ୍ରକୁ ବୁଝୁଥାଏ, ତାହା କଦାପି ବୟଃପ୍ରାପ୍ତ ହୁଏ ନାହିଁ, ଏବଂ ସମ୍ପୃକ୍ତ ସମସ୍ତଙ୍କଲାଗି ଗୁଡ଼ାଏ ଅନ୍ଧତାଜନିତ ପ୍ରମାଦକୁ ଆମନ୍ତ୍ରଣ କରି ଆଣିବାରେ ଲାଗିଥାଏ । ଗୋପବନ୍ଧୁ ଏସବୁ ଭିତରେ କେବେହେଲେ ନଥିଲେ । ଦେଶ କହିଲେ ସିଏ ସବାଆଗ ଦେଶର ମଣିଷଙ୍କୁ ବୁଝୁଥିଲେ । ସେହିମାନଙ୍କ ଲାଗି ଅଭୀପ୍‌ସିତ ଏକ ଭବିଷ୍ୟକୁ ବୁଝୁଥିଲେ । ତାଙ୍କର ସେହି ଭବିଷ୍ୟଟି ମଧ୍ୟରେ;

 

ନ ସହିବ କଷ୍ଟ କେହି ଅନାହାରେ,

ନ ମରିବ ଦୁଃଖୀ ଧନୀଙ୍କ ପ୍ରହାରେ ।

ଡରାଇ ଶାସିବା ନୀତି ଭାଙ୍ଗିଯିବ,

ପ୍ରଜାଙ୍କ ମତରେ ଶାସନ ଚାଲିବ ।

 

ଜାତୀୟତା-ଯୁଗର ଆଜିର ଏହି ଉତ୍ତର-ଚରଣରେ ବି ଆମେ ଆମ ଚତୁର୍ଦ୍ଦିଗରେ ଦେଖିବାକୁ ପାଇବା ଯେ ଏହି ସ୍ୱପ୍ନଗୁଡ଼ିକ ଏବେ ମଧ୍ୟ ଅସମାହିତ ହୋଇରହିଛି । ଜାତି ନାମରେ ଦୌରାତ୍ମ୍ୟଗୁଡ଼ାକ ହିଁ ଅଧିକ ହୋଇଛି । ଆମ ଜାତୀୟତାବାଦ ତୁଚ୍ଛା ଏକ ରାଜନୀତିରେ ପରିଣତ ହୋଇ ଯାବତୀୟ ସଭ୍ୟତା ଓ ସମ୍ଭାବନା ଭିତରେ କେତେକ ଦୁର୍ମନା ଓ ଦୁର୍ଦ୍ଧର୍ଷଙ୍କୁ ଅଧିକରୁ ଅଧିକ ବର୍ବର ହେବାଲାଗି ଆଧାର ଯୋଗାଇ ଦେଇଛି । ସାନ ଓ ସାଧାରଣ ମଣିଷମାନେ ଅଫିମ ଗିଳି ବିବେକ ଓ ସାହସ ଉଭୟଟିକୁ ହରାଇ ବସିଛନ୍ତି । ଭୋଗର ଭୂଇଁ ଉପରେ ଜାତୀୟତା ନାମରେ ଦେଶ-ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲୁଛି, ବଳି ବଳି ଅସ୍ତ୍ରମାନ ପଜାହୋଇ ରହୁଛି । ପ୍ରୀତି ଲାଜରା ହୋଇ ଲୁଚି ରହିଲାଣି ଓ ନିଶାଗୁଡ଼ାକୁ ବାଟ ଛାଡ଼ି ଦେଇଥିବା ପରି ମନେ ହେଉଛି । ଭାରତରେ ମଧ୍ୟ ସେଇକଥା ଘଟିଛି । ଓଡ଼ିଶାରେ ବି ଅନାହାର ଓ ପ୍ରହାର ହିଁ ବହୁଜନଙ୍କର ଭାଗ୍ୟ ହୋଇରହିଛି-। ଡରାଇ ଶାସିବା ହିଁ ଏ ଯୁଗର ଗଜପତିମାନଙ୍କର ବି ପ୍ରଶସ୍ତତମ ବେଭାର ହୋଇରହିଛି । ଓଡ଼ିଶା ଜାତି ନାଆଁରେ ଆମେ ଅନେକେ ସତେଅବା ଗୋଟିଏ ଗୋଟିଏ ଫୁଲ ସୁଂଘିଦେଇ ଗୋଟିଏ ଗୋଟିଏ ସାବାସ୍‌ମେଣ୍ଢା ହୋଇ ରହିଯାଇଛୁ । ‘ସତ୍ୟବାଦୀ’ ପତ୍ରିକାରେ ପ୍ରଥମ ସଂଖ୍ୟାରେ ହିଁ ଗୋପବନ୍ଧୁ ଷାଠିଏବର୍ଷ ତଳେ ଲେଖିଥିଲେ, ‘‘ଓଡ଼ିଆ ଜାତି କହିଲେ କେବଳ କେତେଜଣ ଶିକ୍ଷିତ ବା ଧନୀବ୍ୟକ୍ତି ନୁହଁନ୍ତି, କେତେକ ରାଜା ବା ଜମିଦାର ନୁହଁନ୍ତି, ହାକିମ, ଅମଲା, ଓକିଲ, ମୁକ୍ତାର ନୁହନ୍ତି । ସମଗ୍ର ଜାତି ମଧ୍ୟରେ ଏମାନଙ୍କର ସଂଖ୍ୟା କେତେ ? ଶତକରା ଜଣେ ଦୁଇଜଣ ହେବେ କି ନାହିଁ ସନ୍ଦେହ । ଧନୀ, ଗରିବ, ଶିକ୍ଷିତ, ଅଶିକ୍ଷିତ, ରାଜା, ପ୍ରଜା-ସମସ୍ତଙ୍କୁ ଘେନି ଓଡ଼ିଆ ଜାତି ।’’ ଓଡ଼ିଶାରେ ଏବେ ମଧ୍ୟ ଶିକ୍ଷିତ ମାତ୍ର କେତେଜଣ ଅଛନ୍ତି, ମାତ୍ର ଅଳ୍ପ କେତେଜଣ ଧନୀ ଅଛନ୍ତି । ସେଇମାନେ ରାଜା ବୋଲାଉଛନ୍ତି । ଶତକରା ସେଇ ଜଣେ ବା ଦୁଇଜଣ ହିଁ ଆମ ସମସ୍ତଙ୍କୁ ଭୋଗ କରୁଛନ୍ତି । ଆମ ସାହିତ୍ୟ ଭିତରେ ବି କେବଳ ସେଇମାନେ ଅଛନ୍ତି । ସଂସ୍କୃତିଗୁଡ଼ାକ ସେଇମାନଙ୍କ ଘଣାରେ ପଶି ବୁଲୁଛି ଏବଂ ଓଡ଼ିଆ ଜାତି ନାମରେ ସେହିମାନଙ୍କର ବାନାଗୁଡ଼ାକ ଫରଫର ହୋଇ ଉଡ଼ିବାରେ ଲାଗିଛନ୍ତି । ଗୋପବନ୍ଧୁଙ୍କର କାଳିଆ ଧୂମାଳିଆ ମୂର୍ତ୍ତିଗୁଡ଼ାକ ଉପରେ ବାନାଟି ହିଁ ଉଡ଼ି ଯୁଗଟାଯାକ ସତେଅବା ଏକା ତାହାରି ଘୋଷଣା କରିବାରେ ଲାଗିଛି । ଏତିକିବେଳେ ଗୋପବନ୍ଧୁଙ୍କୁ ଆହୁରି ଭଲକରି ଓ ଆହୁରି ଗଭୀର କରି ବୁଝିବାର ଅତ୍ୟନ୍ତ ପ୍ରୟୋଜନ ରହିଛି, ତାଙ୍କୁ ଆହୁରି ଅନ୍ତରଙ୍ଗ ଓ ଆତ୍ମୀୟ ରୂପେ ବୁଝିବା ଲାଗି ଆମର ଏକାନ୍ତ ପ୍ରୟୋଜନ ରହିଛି ।

 

୨୫/୦୯/୭୯

କେଣାର୍କ (ଓଡ଼ିଶା ସାହିତ୍ୟ ଏକାଡ଼େମୀର ମୁଖପତ୍ର)

୫୬-୧୯୮୫

Image

 

କାଳ ହଟିବ, ନା ମଣିଷ ?

 

ବାପା କହନ୍ତି, ତାଙ୍କ ପିଲାଦିନେ ସଂସାର ଅନେକ ସହଜ ଥିଲା, ଅଭାବ ଅଭାବ ବୋଲି ମନେ ହେଉ ନ ଥିଲା । ମଣିଷର ଆବଶ୍ୟକତା କହିଲେ ଖୁବ୍ ବେଶୀଗୁଡ଼ାଏ ପଦାର୍ଥକୁ ବୁଝାଉ ନଥିଲା । ଛୋଟ ଗାଆଁର ଛୋଟ ସମାଜ ଏକ ସ୍ୱୟଂସମ୍ପୂର୍ଣ୍ଣ ପୃଥିବୀ ପରି ହୋଇରହିଥିଲା । ଧର୍ମ କହିଲେ ଏକ ଛୋଟ ସମାଜର ବ୍ୟାଖ୍ୟା ଅନୁସାରେ ଏକ ଆଦର୍ଶ ଜୀବନଯାପନ କରିବାକୁ ହିଁ ବୁଝାଉଥିଲା । କଣ ମାନିବାକୁ ହେବ ଓ କଣ ବର୍ଜନ କରିବାକୁ ହେବ, କେଉଁ ବାଟରେ ଚାଲିବାକୁ ହେବ ଓ କେଉଁ ବାଟରୁ ଦୂରରେ ରହିବାକୁ ହେବ, ଏ ବିଷୟରେ ବ୍ୟକ୍ତିକୁ ସ୍ୱତନ୍ତ୍ର କରି କିଛି ଭାବିବାକୁ ପଡ଼ୁନଥିଲା; କାରଣ ତା’ପାଇଁ ସମାଜ ବା ସମୂହ ତରଫରୁ ସେସବୁ ବେଶ୍ ସ୍ୱାଭାବିକ ଭାବରେ ସୂତ୍ରବଦ୍ଧ ହୋଇ ରହିଥିଲା । ସମସ୍ତେ ସମସ୍ତଙ୍କ ପାଇଁ ବଞ୍ଚୁଥିଲେ, ସମାଜରେ ମାନି ଚଳୁଥିବା ଧର୍ମ ଓ ମୂଲ୍ୟଗୁଡ଼ିକୁ ହିଁ ସେମାନେ ଜୀବନଧର୍ମ ଓ ଜୀବନମୂଲ୍ୟ ବୋଲି ଗ୍ରହଣ କରି ନେଉଥିଲେ । ସନ୍ଦେହ ବା ସଂଶୟ ଲାଗି କୌଣସି ସ୍ଥାନ ନ ଥିଲା; କାରଣ ବ୍ୟକ୍ତିର ଜୀବନରେ ସାମାଜିକ ଶୀଳଧର୍ମର କୌଣସି ବ୍ୟତିକ୍ରମ ହିଁ ଘଟୁନଥିଲା ।

 

ବାପାଙ୍କର ପିଲାଦିନେ ଗାଆଁରେ କୁଆଡ଼େ ଚାହାଳୀ ଖଣ୍ଡେ ଥିଲା । ସରକାରୀ ସ୍କୁଲ ହୁଏତ କଟକ ସହରରେ ଥିଲା; କିନ୍ତୁ ଗାଆଁରେ ମଧ୍ୟ ଖଣ୍ଡେ ସ୍କୁଲ ବସିବା ଦରକାର ବୋଲି ସେତେବେଳେ ଗାଆଁରେ ପ୍ରବୀଣମାନେ ଅନୁଭବ ସୁଦ୍ଧା କରୁ ନଥିଲେ । ଯେଉଁମାନଙ୍କର ପିଲା ଚାହାଳିକୁ ଯାଉଥିଲେ, ଚାହାଳିର ଅବଧାନଙ୍କ ଲାଗି ସେହିସବୁ ଘରୁ ସିଧା ପଠାଯାଉଥିଲା । ପର୍ବପର୍ବାଣିରେ ପିଲାଙ୍କର ଚାନ୍ଦା ପଇସାରେ ଅବଧାନଙ୍କୁ ବରଷକର ପିନ୍ଧିବା ଲୁଗା ମଧ୍ୟ ମିଳିଯାଉଥିଲା । କରଣୀ ଅକ୍ଷର ପଢ଼ିବା ଓ ଲେଖିବା, ଭାଗବତ ପଢ଼ି ପାରିବା ଏବଂ ଟଙ୍କା-ଅଣା-ପାହୁଲା ଓ ଗଣ୍ଡା କଡ଼ାର ହିସାବ କରିବାର ଶିକ୍ଷା ହାସଲ ହୋଇଯିବା ପରେ ପିଲାର ପାଠ ସରିଯାଉଥିଲା । ଏତିକିରୁ ଉପରକୁ ସଂସାରରେ ଆଉ କେଉଁଠି କେଉଁ ପାଠ ଅଛି ବୋଲି ଭାବିବାକୁ ମଧ୍ୟ ସେହି ସ୍ୱୟଂସମ୍ପୂର୍ଣ୍ଣ ଗାଆଁରେ କାହାରି କୌଣସି ଆବଶ୍ୟକତା ନ ଥିଲା । ଘରୁ କୋଳଥ ପଇତି ଖାଇ ଗାଆଁର କୌଣସି ପିଣ୍ଡାରେ ବସି ଗାଆଁର ଅବଧାନଙ୍କଠାରୁ ପାଠ ପଢ଼ିବା, ଗାଆଁରେ ପାଠୁଆ ହେବାକୁ ହେଲେ କେବଳ ଏତିକି ଔପଚାରିକ ପାଠର ଆବଶ୍ୟକତା ଥିଲା ।

 

ବାପା ହେଉଛନ୍ତି ତିନି ଭାଇଙ୍କ ମଧ୍ୟରେ ସବା ସାନ; କିନ୍ତୁ ବଡ଼ ହୋଇ ସିଏ ରହିଲେ ଘରେ, ବଡ଼ ଦୁଇଜଣ ଗଲେ ବିଦେଶ । ବିଦେଶ ବୋଇଲେ ସେତେବେଳେ ଖୋର୍ଦ୍ଧା, ପିପିଲି ଓ ବାଲେଶ୍ୱରକୁ ହିଁ ବୁଝାଉଥିଲା । ସେତେବେଳେ ଓଡ଼ିଶାର ମୋଗଲବନ୍ଦୀରେ ବନ୍ଦୋବସ୍ତ ଲାଗିଥାଏ-। ମୋର ବଡ଼ବାପା ଦୁଇଜଣ ସେହି ବନ୍ଦୋବସ୍ତରେ କାମ କରିବାକୁ ଗଲେ । ମାସିକ ଦରମା କେତେ ଥିଲା, ସେକଥା ମୁ ଜାଣି ନାହିଁ । ମାସିକ ଦରମାଟା ନିୟମିତ ଭାବରେ ପ୍ରତି ମାସରେ ମିଳିଯାଉଥିଲା କି ନାହିଁ, ସେକଥା ମଧ୍ୟ ମୁଁ ଜାଣିନାହିଁ । କିନ୍ତୁ ଏତିକି ଜାଣେ ଯେ, ଦରମା ଟଙ୍କାର ଶତକଡ଼ା ୧୦୦ ଭାଗ ସେମାନେ ଘରକୁ ସାନ ଭାଇ ପାଖକୁ ହିଁ ପଠାଇ ଦେଉଥିଲେ । ଖାଇବା ଓ ବିଦେଶରେ ଚଳିବାର ଖରଚ ଉପରୁ ହୋଇ ଯାଉଥିଲା । ବାପା ଘରେ ରହି ଚାଷବାସ ବୁଝୁଥିଲେ ।

 

ସଂସାର ଆରମ୍ଭ କଲାବେଳେ ସେମାନଙ୍କ ପାଖରେ ଜମି ଖୁବ୍ କମ୍ ଥିଲା । କିନ୍ତୁ ବନ୍ଦୋବସ୍ତରୁ ଆସୁଥିବା ନଗଦ ଟଙ୍କାରେ ନୂଆ ଜମିମାନ କିଣା ହେଲା । ବାପାଙ୍କୁ ସାହାଯ୍ୟ କରିବା ଲାଗି ପାଣ ମୂଲିଆ ରହିଲେ । ପାଣମାନେ ଆମ ଜାଗାରେ ଘର କରି ରହିଥିଲେ; ତେଣୁ ଆମର ବିଲ ବଛାଠାରୁ ଧାନ କଟା ପର୍ଯ୍ୟନ୍ତ ସବୁପ୍ରକାର ଚାଷକାମରେ ସେହିମାନେ ହିଁ ଧାନମୂଲରେ କାମ କରିବାକୁ ଆସୁଥିଲେ । ସେତେବେଳେ ସାମାଜିକ ରୀତି ଅନୁସାରେ ଦୁଇ ପକ୍ଷ ଏହାକୁ ଅତି ସ୍ୱାଭାବିକ ବୋଲି ମାନି ନେଉଥିଲେ । ତେଣୁ ଅସନ୍ତୋଷର ପ୍ରଶ୍ନ ହିଁ ଉଠୁନଥିଲା । ବାପା କହନ୍ତି, କ୍ରମେ ଧୋଇଆ ଜମିର ପରିମାଣ ବଢ଼ାଇ ନଈ ସେପାରି ନାଳକୂଳରେ ଜମି କିଣା ହେଲା । ତଥାପି ବାପା ନିଜେ ସବୁ ବୁଝୁଥିଲେ, ନିଜେ ସବୁକଥାରେ ତତ୍ତ୍ୱ ନେଉଥିଲେ । ମୂଲିଆ ହଳ କରୁଥିଲେ; କିନ୍ତୁ ବାପା ଆପଣା ହାତରେ ସବୁ ଜମିରେ ଯାଇ ବିହନ ବୁଣି ଆସୁଥିଲେ । ସେ କହୁଥିଲେ, ଲକ୍ଷ୍ମୀ-ଧାନକୁ ନିଜ ହାତରେ ନ ବୁଣି ମୂଲିଆ ହାତରେ ଛାଡ଼ି ଦେଲେ କ୍ରମେ ଲକ୍ଷ୍ମୀ ଛାଡ଼ିଯିବା ହିଁ ସାର ହେବ ।

 

ତିନିଭାଇ ବାହା ହୋଇ ଘରକୁ ତିନି ବୋହୂ ଆଣିଲେ । ମୋ’ ବୋଉ ହେଉଛି ଘରର ସବା ସାନ ବୋହୂ । ତେଣୁ ରୋଷେଇବାସ କରିବା ତାହାରି ହିଁ କାମ ହୋଇଥିଲା । ବୋଉ କହେ, ସେତେବେଳେ ଭିତର ଘର କହିଲେ ଖଣ୍ଡେ ଅନ୍ଧାରୁଆ ଅଧବଖରାକୁ ହିଁ ବୁଝାଉଥିଲା । ତା’ର ସଂସାର ସେହି । ଭିତର ଘର ମଧ୍ୟରେ ସେ ସୀମାବଦ୍ଧ ହୋଇ ରହିଥିଲା । ମୋର ବଡ଼ମାଆ ଘରର ଆଉ ସବୁକଥା ବୁଝୁଥିଲେ; ଭାର ବେଭାର ସେଇ ସଜାଡ଼ୁଥିଲେ । ଶନିବାର ଓ ରବିବାର ପୂଜାରେ ସେଇ ବ୍ରାହ୍ମଣଙ୍କୁ ସାମଗ୍ରୀ ସଜାଡ଼ି ଦେଉଥିଲେ । ସଞ୍ଜ ବୁଡ଼ିଲେ ସେଇ ସଞ୍ଜସଳିତା ବଳି ଦଧିବାମନଙ୍କ ଦେଉଳକୁ ଯାଉଥିଲେ । ମାତାମଠରୁ ମାତା ବା ବାବାଜୀ କେହି ଘରକୁ ଆସିଲେ ବଡ଼ମାଆ ହିଁ ସେମାନଙ୍କ ଚର୍ଚ୍ଚା କରୁଥିଲେ । ବୋଉ କହେ, କେବଳ ରାନ୍ଧିବାଢ଼ି କୁଟୁମ୍ୱଯାକକୁ ଖାଇବାକୁ ଦେବା ଓ ପିଲା ଜନମ କରିବା ବ୍ୟତୀତ ଜୀବନରେ ସେ ଆଉ କିଛି ଜାଣିନଥିଲା । ପିଲା ବୋଲି କଣ ଗୋଟାଏ, ନା ଦୁଇଟା ? ଅନ୍ତୁଡ଼ିଶାଳରେ ମରିଥିବା ତିନିଟା ପିଲାଙ୍କୁ ଛାଡ଼ିଦେଲେ ଆମେ ହେଉଚୁ ପାଞ୍ଚ ଭାଇ ତିନି ଭଉଣୀ ।

 

ଆମେ ପିଲାମାନେ ମଧ୍ୟ ସେତେବେଳେ ବୋଉର ସମ୍ପତ୍ତି ହୋଇ ନ ଥିଲୁ; ବଡ଼ମାଆଙ୍କର ସମ୍ପତ୍ତି ହୋଇଥିଲୁ । ବୋଉ ସହିତ ଆମର ଖୁବ୍ ବେଶୀ ସମ୍ୱନ୍ଧ ମଧ୍ୟ ନ ଥିଲା । ବଡ଼ମାଆଙ୍କୁ ହିଁ ଆମେ ସମସ୍ତେ ମାଆ ବୋଲି ଡାକୁଥିଲୁ ଓ ବଡ଼ବାପାଙ୍କୁ ବାପା ବୋଲି । ରାତିରେ ବଡ଼ ମାଆ ପାଖରେ ଶୋଉଥିଲୁ । ଖାଇବାବେଳେ ବଡ଼ବାପାଙ୍କ ସହିତ ଏକା ଥାଳୀରେ ବସି ଖାଉଥିଲୁ । ତାଙ୍କୁ ଯେତେବେଳେ ଯାହା କିଛି ଖାଇବାକୁ ଦିଆଯାଉ ପଛକେ, ସେ ଆଗ ଆମ ସମସ୍ତଙ୍କୁ ବଡ଼ ପାଟିକରି ଡାକୁଥିଲେ । ଯୋଗକୁ ଆମ ଭିତରୁ ଯେଉଁ କପାଳିଆ ସେତେବେଳକୁ ଘରେ ଥିଲା, ସେ ଯାଇ ତତ୍‌କ୍ଷଣାତ୍ ସେଠି ପହଞ୍ଚି ଯାଉଥିଲା ଏବଂ ବଡ଼ବାପାଙ୍କ ଭୋଜନର ପ୍ରଧାନତମ ଭାଗ ହିଁ ତାହାରି ଗ୍ରାସରେ ପଡ଼ୁଥିଲା । ବାପା ତ ଚାଷକାମରେ ପ୍ରାୟ ବିଲରେ ରହୁଥିଲେ, ଦିନବେଳେ ଯାହା ଖାଇବାଲାଗି ସେ ଘରକୁ ଆସୁଥିଲେ । ତେଣୁ ଆମେ ପିଲାଏ ତାଙ୍କ ଅପେକ୍ଷା ବଡ଼ବାପାଙ୍କର ସାନ୍ନିଧ୍ୟରେ ହିଁ ଅଧିକତର ପିତୃସାନ୍ନିଧ୍ୟ ଲାଭ କରୁଥିଲୁ । ମୋର ଭଲ କରି ମନେ ଅଛି, ଆମେ ସେଇ ପିଲାଦିନେ ବଡ଼ମାଆଙ୍କର ପ୍ରତାପକୁ ହିଁ ପ୍ରତାପ ବୋଲି ଘେନା କରୁଥିଲୁ । କାରଣ ବୋଉର ଘରେ କୌଣସି ବିଷୟରେ କୌଣସି ପ୍ରଭାବ ବା କର୍ତ୍ତୃତ୍ୱ ରହିଚି ବୋଲି ଆମେ ପ୍ରକୃତରେ କୌଣସି ପ୍ରମାଣ ମଧ୍ୟ ପାଉ ନଥିଲୁ । ସାହିପିଲାଙ୍କ ସହିତ କଜିଆ କଲେ ବଡ଼ମାଆ ଯାଇ ଆମକୁ କାନ ଧରି ସେଠୁ ନେଇ ଆସୁଥିଲେ । କାର୍ତ୍ତିକ ମାସ ସୋମବାରକୁ ସୋମବାର ବକ୍ରେଶ୍ୱର ମହାଦେବଙ୍କର ଯାତ୍ରା ଦେଖିଯିବା ଲାଗି ଆମେ ବଡ଼ମାଆର ହିଁ ଅନୁମତି ଲୋଡ଼ୁଥିଲୁ । ମୋର ବେଶ୍ ମନେ ଅଛି, ବାରିପଟ ଚୁଆରେ ଠାକୁର ଗଢ଼ିବାର ବାହାନାରେ କାଦୁଅ ଭିତରେ ଲଟପଟ ହେଇଥିଲାବେଳେ କେତେଥର ବଡ଼ମାଆ ମତେ ସେଠାରୁ ଟାଣି ଟାଣି ଘରକୁ ଆଣିଛନ୍ତି; ପୁଣି କୌଣସି କାରଣରୁ ବୋଉ ମୋତେ ମାରୁଥିବାବେଳେ ସେଇ ବଡ଼ମାଆ ଆପଣାର ଭେଟୋ (Veto) ପ୍ରୟୋଗ କରି ମୋତେ ସେ ପ୍ରମାଦରୁ ରକ୍ଷା କରିଛନ୍ତି । ପରିବାର ଓ ଗାଆଁର ସାନ ସଂସାରରେ ସେତେବେଳେ ଏହାହିଁ ରୀତି ହୋଇ ରହିଥିଲା ।

 

ସବା ବଡ଼ବାପା ହୁଏତ ମୋର ହେତୁ ହେବା ପୂର୍ବରୁ ସଂସାରରୁ ବିଦାୟ ନେଇଥିଲେ । ସାନ ବଡ଼ବାପା, ଯାହାଙ୍କୁ ଆମେ ସମସ୍ତେ ବାପା ବୋଲି ଡାକୁଥିଲୁ, ତାଙ୍କର ଗୋଟିଏ ପୁଅ । ସେ ହେଉଛନ୍ତି ଆମ ଗାଁର ପ୍ରଥମ ଶିକ୍ଷିତମାନଙ୍କ ଭିତରୁ ଜଣେ । ଆମ ଅଞ୍ଚଳରେ ସେ ପ୍ରଥମେ ବି.ଏ ପାସ କରି ସରକାରୀ ଚାକିରି କରିଥିଲେ । ସେହି କେତେଜଣ ଶିକ୍ଷିତ ଚେଷ୍ଟା କରି ଆମ ଗାଁରେ ମାଇନର ସ୍କୁଲଟିଏ ବସାଇଥିଲେ । ଦୁଇବର୍ଷ କଲେଜରେ ବିଜ୍ଞାନ ପଢ଼ିସାରିବା ପରେ ଏହି ବଡ଼ ଭାଇଙ୍କୁ ପାଟନା ଯାଇ ଇଞ୍ଜିନିୟରିଂ କଲେଜରେ ପଢ଼ିବା ଲାଗି ସରକାରୀ ବୃତ୍ତି ମିଳିଥିଲା । କିନ୍ତୁ ତାଙ୍କର ବୋଉ ଶାସନର ହସ୍ତ ବିସ୍ତାର କଲେ ଓ ବାଧା ଦେଇ କହିଲେ, ଏ ଘରେ ଆମର କ’ଣ ଅଭାବ ରହିଛି ଯେ ପୁଅ ପାଟନା ରାଜ୍ୟକୁ ପାଠ ପଢ଼ିବାକୁ ଯିବ ? ସେହି ସାନ ସମାଜରେ ସ୍ନେହଲାଳିତ ପୁଅ ମଧ୍ୟ ମାଆଙ୍କ କଥା ମାନି ସରକାରୀ ବୃତ୍ତି ଛାଡ଼ିଲେ । ଆପଣା ସାନ ସଂସାରର ସ୍ନେହସୀମା ଭିତରେ କୌଣସି ଅସଙ୍ଗତି ନ ଭିଆଇବା ଉଦ୍ଦେଶ୍ୟରେ ସେ ଭବିଷ୍ୟତରେ ଇଞ୍ଜିନିୟର ହୋଇ ଅଧିକ ଟଙ୍କା କମାଇବାର ସମ୍ଭାବନାକୁ ତ୍ୟାଗ କରିଆସିଲେ ।

 

ଆମେ ପାଞ୍ଚଭାଇ ଏଇ ଭାଇଙ୍କ ହାତରେ ମଣିଷ ହୋଇଛୁ, ତାଙ୍କରି ପାଖରେ ରହି ପାଠ ପଢ଼ିଛୁ । ତାଙ୍କରି ଜୀବନର ଦୃଷ୍ଟାନ୍ତକୁ ସ୍ୱାଭାବିକ ସବୁଦିନର ସହଜ ଅଭିଜ୍ଞତା ଭିତରେ ଅନୁଭବ କରି ଆମେ ଜୀବନ ଓ ସଂସାରର ମୂଲ୍ୟ ଓ ଅମୂଲ୍ୟକୁ ଚିହ୍ନି ଶିଖିଚୁ, ଆପଣା ଆପଣା ଜୀବନର ଗତିରେ କୌଣସି ଏକ ନିର୍ଦ୍ଦିଷ୍ଟ ଦିଗ ଦେଇ ଶିଖିଚୁ । କଟକର ସାନ ବସାଟିରେ ଭାଉଜବୋଉ ରାନ୍ଧିବାଢ଼ି ଦିଅନ୍ତି, ଭାଇ ପାଠ ବତାଇଦିଅନ୍ତି–ପାଠରେ ଚଗଲା ହେଲେ ଆକଟ କରି ବାଟକୁ ଆଣନ୍ତି । ସଂସାରକୁ ନୂଆ କରି ଚିହ୍ନିବାର ସେଇ ସରସ ବର୍ଷଗୁଡ଼ିକର କଥା ମୋର ଏପର୍ଯ୍ୟନ୍ତ ମନେ ଅଛି । ବଡ଼ଭାଇ କିପରି ଏକାବେଳେକେ ସାଥି ଓ ଗୁରୁଜନ ମଧ୍ୟ ହୋଇପାରିବ, ଅଙ୍ଗେ ନିଭାଇଥିବା ଜୀବନରୁ ସେହି ପ୍ରମାଣଗୁଡ଼ାକ ଆଜି ମଧ୍ୟ ମୋ ଆଖିକୁ ଜଳ ଜଳ କରି ଦିଶିଯାଉଛି । ବିଳାସବ୍ୟସନ ତ ଦୂରର କଥା, ମାଟ୍ରିକ୍ ପାସ କରିବାଯାଏ ଆମ କାହାରିକୁ ଜୋତା ପିନ୍ଧିବାର ଅନୁମତି ମିଳିନଥିଲା । ଆମ ବସାଠାରୁ କଟକର କଲେଜିଏଟ୍ ସ୍କୁଲ ପ୍ରାୟ ତିନି ମାଇଲ ବାଟ । ଖରାଦିନର ସକାଳୁଆ ସ୍କୁଲ ପରେ ଆମକୁ ଏହି ତିନିମାଇଲର ଦହଡ଼ ସଡ଼କବାଟ ପ୍ରାୟ ଡେଇଁ ଡେଇଁ ଆସିବାକୁ ପଡ଼ୁଥିଲା । ହାଇସ୍କୁଲରେ ପଢ଼ିବା ବେଳେ ମୁଁ ମାଇନର ବୃତ୍ତି ମାସିକ ପାଞ୍ଚଟଙ୍କା ଲେଖାଏଁ ପାଉଥାଏ । ଥରେ ମୋର ପକ୍ଷ ନେଇ ଭାଉଜ ବୋଉ ଭାଇଙ୍କ ପାଖରେ ଅଭିଯୋଗ କରି କହିଲେ–ଖାଲି ପାଦରେ ଖରାବାଟ ଦୌଡ଼ି ଏତେ କଷ୍ଟ ପାଇବା ଅପେକ୍ଷା ମୋହରି ବୃତ୍ତିଟଙ୍କାରେ ମୋ ଲାଗି ଚଟି କିଣାହୋଇ ଆସିବା ଉଚିତ । ଜୀବନର ବାଟରେ ସିଦ୍ଧ ହୋଇ ଆସିଥିବା ପରି ଭାଇ ଉତ୍ତରରେ କହିଲେ; ‘‘ବି.ଏ. ପାସ୍ ପର୍ଯ୍ୟନ୍ତ ମୁଁ ଜୋତା ମାଡ଼ି ନାହିଁ । ମୁଁ ହାତରେ ରୋଷେଇ କରି, ଟିଉସନ କରି ପାଠ ପଢ଼ିଚି । ଦୁଇଟା କମିଜରେ ବର୍ଷେ ଚଳାଇଚି।’’ କଥାଗୁଡ଼ାକ ନିରାଟ ସତ କଥା । ତେଣୁ ଭାଉଜବୋଉଙ୍କୁ ସେଦିନ ନିରସ୍ତ ହେବାକୁ ପଡ଼ିଥିଲା ।

 

ଏହା ହେଉଛି ଆଜକୁ ପ୍ରାୟ କୋଡ଼ିଏ ପଚିଶ ବର୍ଷ ତଳର କଥା । ଏହା ଭିତରେ ଗୋଟାଏ ପୁରୁଷ ଯାଇ ଆଉଗୋଟିଏ ପୁରୁଷର ସଂସାର ଚାଲିଲାଣି । ବଡ଼ଭାଇମାନଙ୍କର ପିଲାମାନେ କଲେଜରେ ଯାଇ ପାଠ ପଢ଼ିଲେଣି । ଏହି ପଚିଶି ବର୍ଷ ଭିତରେ ସଂସାର ମଧ୍ୟ ଅନେକ ବଦଳିଗଲାଣି । ଆମ ଟୋକାମାନଙ୍କ ଚେଷ୍ଟାରେ ଗାଆଁରେ ଯେଉଁ ହାଇସ୍କୁଲ ଆରମ୍ଭ ହୋଇଥିଲା, ତାହା ବର୍ତ୍ତମାନ ସରକାରଙ୍କର ଖରଚ ଓ ବ୍ୟବସ୍ଥାନୁସାରେ ସ୍ୱଚ୍ଛନ୍ଦରେ ଚଳୁଚି । ସେତେବେଳେ ଆଖପାଖରେ କିଏ ବି.ଏ. ପାସ କଲେ କେତେ ବଡ଼ ଘଟଣା ଘଟିଲା ପରି ଲାଗୁଥିଲା । ବର୍ତ୍ତମାନ ଗାଆଁର ଝିଅମାନେ ମଧ୍ୟ ବି.ଏ ପାସ କଲେଣି ଏବଂ ସେକଥା ଶୁଣି ଆଉ କେହି ଅବାକ୍ ହେଉନାହାନ୍ତି । ସେତେବେଳେ ପାହାନ୍ତାରୁ ଉଠି ଥଣ୍ଡାଏ ଥଣ୍ଡାଏ ବାହାରିଗଲେ ଦଶକୋଷ ରାସ୍ତା ପାରିହୋଇ ଲୋକ ଗାଧୁଆବେଳକୁ କଟକରେ ପହଞ୍ଚି ଯାଉଥିଲେ; ଏବେ ମଟରରେ ଯିବାଟା ହିଁ ସବୁଠାରୁ ସୁଗମ ହୋଇଗଲାଣି । ନଈ ସେପାଖ ନାଳବନ୍ଧ ଯାଏ ସାଇକଲ ରିକ୍‌ସା ମଧ୍ୟ ଆସିଲାଣି । ଆବଶ୍ୟକତା ଅନେକ ବଢ଼ିଗଲାଣି । ଗାଆଁରେ ଶିକ୍ଷିତ ସଂଖ୍ୟା ଅନେକ ହୋଇଗଲାଣି । ବର୍ତ୍ତମାନ ଘରେ ଘରେ ପାଠପଢ଼ୁଆ ପିଲା ଓ ଘରେ ଘରେ ନଗଦ ଟଙ୍କା ରୋଜଗାର କରୁଥିବା ଚାକିରିଆ । ଗତ ପନ୍ଦର ବରଷ ମଧ୍ୟରେ ଗାଆଁର ଜୀବନଚକ ଯେପରି କେଉଁ ବେଗବାନ୍ ଇଞ୍ଜିନ ସହିତ ଯୋଡ଼ା ହୋଇ ପନ୍ଦରଶହ ବରଷର ଶଗଡ଼ ବାଟ ଅତିକ୍ରମ କରି ଆସିଥିବା ପରି ମନେ ହେଉଛି ।

 

ଏହା ଭିତରେ ବାପା ମଧ୍ୟ ପଞ୍ଚସ୍ତରି ଟପି ଗଲେଣି । ବଡ଼ ସନ୍ଦିଗ୍‌ଧ ହୋଇ ସେ ଆମ କାଳକୁ ବୁଝିବାକୁ ଚେଷ୍ଟା କରୁଛନ୍ତି; କିନ୍ତୁ କେବଳ ଆପଣା କାଳଟି ସହିତ ବର୍ତ୍ତମାନ କାଳର ତୁଳନା କରିବା ବ୍ୟତୀତ ତାଙ୍କ ପାଖରେ ଯୁଗକୁ ବୁଝିବାର ଅନ୍ୟ କୌଣସି ସାଧନ ନଥିବାରୁ ତାଙ୍କର ସକଳ ଚେଷ୍ଟା ସତ୍ତ୍ୱେ ସେ ସଂସାରର ଗତି ବିଷୟରେ ଅଧିକ ସନ୍ଦିଗ୍‌ଧ ହୋଇପଡ଼ୁଛନ୍ତି । ସେ ଭାବୁଛନ୍ତି, ଆଗେ ଘରେ ଚାଷବାସ ଥିଲା । ଚାଷରୁ ଉପୁଜୁଥିବା ସମ୍ପତ୍ତିରୁ ଘର ଚଳାଇ ବାହାର କାମକୁ କେତେ ବଳକା ରହୁଥିଲା । କଟକର ବସାକୁ ମଧ୍ୟ ବରଷକରେ ଚାରିଥର ଗାଡ଼ି ବୋଝାଇ ହୋଇ ଚାଉଳ, ଡାଲି ଓ ଚୁଡ଼ା ପ୍ରଭୃତି ପଠାଯାଉଥିଲା । କିନ୍ତୁ ଏବେ ଚାଷର ଅବସ୍ଥା ଏପରି ହେଲାଣି ଯେ ଘର ଚଳାଇବାକୁ ମଧ୍ୟ ପୁଅମାନଙ୍କଠାରୁ ଟଙ୍କା ଆଣିବା ଦରକାର ପଡ଼ୁଛି । ତଥାପି ବରଷକରେ ଥରେ ଖଜଣା ଦେଲାବେଳକୁ ନାନା ହରକତ ହେବାକୁ ପଡ଼ୁଚି । ପିଲାମାନେ ଆପଣା ଆପଣା ଚାକିରି-ଗାଆଁରେ ଆପଣାର ପିଲାପିଲିଙ୍କୁ ନେଇ ରହିଛନ୍ତି । ସେମାନେ ବରଷେ ବା ଦୁଇବରଷେ ପରେ ଥରେ କୁଣିଆ ପରି ଘରକୁ ଆସି ଦୁଇ ଦିନ ରହି ପୁଣି ଚାଲିଯାଉଛନ୍ତି । ଆପଣାର ଗାଆଁ ଓ ଘରଠାରୁ ସେମାନଙ୍କର ଚାକିରି-ଗାଆଁ ସେମାନଙ୍କୁ ଅଧିକ ଆରୋଉଛି । ସେମାନେ ସମସ୍ତେ ଚାକିରି କରି ଟଙ୍କା କମାଉଛନ୍ତି; ଅଥଚ ପ୍ରତ୍ୟେକେ ଅଭାବ ଭିତରେ ଦିନ କଟାଉଚନ୍ତି । ଯେଉଁ ଘର, ଯେଉଁ ଗାଆଁ, ଯେଉଁ ସମାଜ ଓ ଯେଉଁ ଚାଷବେଉସା ତାଙ୍କ କାଳରେ ତାଙ୍କ ତିନିଭାଇଙ୍କୁ ଏକାଠି ଗୋଟିଏ ଜୀବନର ମୂଲ୍ୟସୂତ୍ରରେ ବାନ୍ଧି ରଖିଥିଲା, ସେହି ସୂତ୍ରଟି ଫିଟି ଆଜି ଯେପରି କେତେ ଖିଅ ହୋଇଗଲାଣି ।

 

ଆମ ଆଗର ଘର ଏବେ ତିନି ବରଷ ହେଲା ଦୁଇଟା ଘର ହୋଇଯାଇଛି । ଘରର ବଖରାଗୁଡ଼ିକରୁ ତାଙ୍କର ଅଧେ, ଆମର ଅଧେ । ରୋଷେଇଘର ମଧ୍ୟ ଦୁଇ ଭାଗ ହୋଇ ଦୁଇଘରେ ଦୁଇଟା ଚୂଲା ଜଳୁଚି । ଲମ୍ୱା ପିଣ୍ଡାର ଦୁଇଟି ଥାନରେ ଦୁଇଟି ପଂକ୍ତି ଅଲଗା ଅଲଗା ହୋଇ ଖାଇ ବସୁଛନ୍ତି । ପ୍ରଥମେ ପ୍ରଥମେ ଏହିସବୁ ନୂଆ ସଂସ୍କାରରେ ଆପଣାକୁ ବଡ଼ ଅମଣିଆ ଲାଗୁଥିଲା, ବଡ଼ ଅଡ଼ୁଆ ଅଡ଼ୁଆ ଲାଗୁଥିଲା । କିନ୍ତୁ କ୍ରମେ ସେଗୁଡ଼ାକ ଆମର ଅଭ୍ୟାସରେ ପଡ଼ିଗଲାଣି । ଘର ଦୁଇ ଭାଗ ହୋଇଯିବା ପରେ ଯେପରି ପରସ୍ପର ପ୍ରତି ଆମର କର୍ତ୍ତବ୍ୟ ମଧ୍ୟ ଦୁଇ ଭାଗ ହୋଇଯାଇଚି । ସେ ପାଖରେ କେହି ରୋଗରେ ପଡ଼ିଲେ ଏପାଖକୁ ଆଉ ବାଧିଲା ପରି ମନେ ହେଉନାହିଁ । ଗତବର୍ଷ ମୁଁ ଜର୍ମାନୀରେ ଥିବାବେଳେ ଆମଠାରୁ ଅଲଗା ହୋଇଯାଇଥିବା ବଡ଼ ଭାଇଙ୍କର ମଝିଆଁ ପୁଅ ଭାରି ଅସୁସ୍ଥ ହୋଇପଡ଼ିଲା । ସେହି ଅସୁସ୍ଥତା କ୍ରମେ ଅଧିକ ହୋଇ ସେଥିରେ ତାହାର ଜୀବନ ମଧ୍ୟ ଗଲା । ଅଥଚ ଏପାଖରେ ଥିବା ଆମେ ଯେପରି ଏହି ଅସୁସ୍ଥତା ବିଷୟରେ କୌଣସି ପ୍ରକାରେ ଲିପ୍ତ ହୋଇ ରହିବା ଉଚିତ ବୋଲି ଅନୁଭବ କରୁ ନଥିଲୁ । ଘରୁ ମୋ’ପାଖକୁ ସେତେବେଳେ କେତେ ଚିଠି ଯାଏ । ଘରର କେତେ ହାନିଲାଭ, ଅନୁଯୋଗ ଓ ଅଭିଯୋଗ ସେଥିରେ ଥାଏ । କିନ୍ତୁ ସେହି ପିଲାଟି ବିଷୟରେ କିଛି ଲେଖିବାକୁ କଦାପି ମନେ ପଡ଼େ ନାହିଁ । ବିଦେଶରେ ଥିବାବେଳେ ବଡ଼ ଆଚମ୍ୱିତ ହୋଇ ଅନେକ ଥର ମୁଁ ଏହି ବିଷୟରେ ଭାବିଚି । କାଲି ଆମେ ସମସ୍ତେ ଏକାଠି ଥିଲୁ, ଅତି ସ୍ୱାଭାବିକ ଭାବରେ ପରସ୍ପରର ହର୍ଷ ଓ ଶୋକରେ ହସି ଓ କାନ୍ଦି ପାରୁଥିଲୁ । ଆଜି ସେହି ମଣିଷ ସମସ୍ତେ ଅଛନ୍ତି, ତଥାପି ଜମି ଦୁଇ ବାଣ୍ଟ ହୋଇଚି ଓ ଦୁଇଟା ଚୂଲିରେ ରୋଷେଇ ହେଉଚି ବୋଲି କଣ ଆମେ ପରସ୍ପର ପ୍ରତି ଏତେଦୂର ଉଦାସୀନ ହୋଇପଡ଼ିବା ? ଏହି କେତେଟା ଦିନରେ ଆମର ଜୀବନବୋଧ କଣ ଏଡ଼େ ଅସ୍ୱାଭାବିକ ଭାବରେ ରୂପାନ୍ତରିତ ହୋଇଗଲା ?

 

ଘର ଓ ପରିବାର କହିଲେ ସାଧାରଣତଃ ଆମେ ଭାରତର ଗାଆଁରେ ଯାହା ବୁଝିଥାଉ, ଇଉରୋପରେ ବର୍ତ୍ତମାନ ସେହି ଘର ଓ ପରିବାର ଦେଖିବାକୁ ମିଳିବ ନାହିଁ । ଆଗେ ଥିଲା, କିନ୍ତୁ ଗତ ଶହେ ବର୍ଷ ଭିତରେ ତାହା ଲୁପ୍ତ ହୋଇଯାଇଚି । ସେଠି ପରିବାର କହିଲେ ବର୍ତ୍ତମାନ କେବଳ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ସନ୍ତାନକୁ ବୁଝାଏ । ବିବାହ ସରିବା ପରେ ନୂତନ ଦମ୍ପତି ନୂଆ ଘରେ ଆପଣାର ସ୍ୱତନ୍ତ୍ର ସଂସାର ଗଢ଼ିବା ଲାଗି ଅଲଗା ହୋଇଯାଆନ୍ତି । ବାପା ମାଆଙ୍କର ସଂସାର ସହିତ ଲାଗିଥିବା ନାଡ଼ି କଟା ହୋଇଯାଏ । ଦୁଇ ଭାଇ ସେଠି କେଉଁଠି ସପରିବାର ଏକାଠି ରହିଥିବାର ମୁଁ ଦେଖିନାହିଁ । ସେଇଥିଲାଗି ବୋଧହୁଏ ସେଠି ବୃଦ୍ଧାବସ୍ଥାରେ ବାପାମାଆଙ୍କୁ ସମାଜ ଓ ସଙ୍ଗର ସ୍ୱାଦ ଦେବାପାଇଁ ସ୍ୱତନ୍ତ୍ର ଆଶ୍ରୟ-ସଦନର (Old-age homes) ଆବଶ୍ୟକତା ରହିଚି ଓ ଜନକଲ୍ୟାଣ-ରାଷ୍ଟ୍ର ତରଫରୁ ଏସବୁର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆମ ଘରେ ବୋଉ ସହିତ ମୋର ତିନି ଭାଉଜବୋଉ ଯେ ନଅଜଣ ପିଲାଙ୍କୁ ନେଇ ଏକାଠି ସଂସାର ଚଳାଉଛନ୍ତି, ଇଉରୋପରେ ଅନେକ ମାଆ ଓ ଅନେକ ବୋହୂ ମୋର ଏକଥା ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ଅନେକ ପୁଣି ଆମର ଏହି ଯୌଥ-ପରିବାରର ବ୍ୟବସ୍ଥାକୁ ଆଦିମ ଓ ଇଉରୋପର ଦମ୍ପତିପରିବାର ବ୍ୟବସ୍ଥାକୁ ହିଁ ଆଧୁନିକ ବ୍ୟବସ୍ଥା ବୋଲି କହି ମନକୁ ସାନ୍ତ୍ୱନା ମଧ୍ୟ ଦିଅନ୍ତି । ଆମ ଭାରତୀୟ ଘରେ ବୋହୂକୁ ଅନ୍ୟତ୍ର ପଠାଇ ଦେଇ ହୁଏତ ଶାଶୁ କୌଣସି ଘର ଗଢ଼ିବାର କଳ୍ପନା ମଧ୍ୟ କରିପାରିବ ନାହିଁ । ବୋଉ ପାଖରେ ବସି ଯେତେବେଳେ ମୁଁ ସାଧାରଣତଃ ସ୍ୱାମୀ ଓ ସନ୍ତାନମାନଙ୍କ ସହିତ ଏକାକୀ ରହୁଥିବା ଇଉରୋପର ମେମ୍ ସାହେବମାନଙ୍କ କଥା କହେ, ସେତେବେଳେ ସେ ସାଙ୍ଗଛଡ଼ା ହୋଇ ରହୁଥିବା ସେହି ପୃଥିବୀର ମାଆ ଓ ବୋହୂମାନଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁଥିଲା ପରି ମନେହୁଏ ।

 

ଯୌଥ-ପରିବାରର ଗଢ଼ଣ ଭାଙ୍ଗି କାହିଁକି ଦମ୍ପତି-ପରିବାର ସାନ ସାନ ଏକକରେ ଖଣ୍ଡ ଖଣ୍ଡ ହୋଇଯାଏ, ସାମାଜିକ ଇତିହାସରୁ ଏହାର ଏକାଧିକ କାରଣ ବାହାର କରାଯାଇପାରିବ । ଆବଶ୍ୟକତା ବଢ଼ିବା ସଙ୍ଗେ ସଙ୍ଗେ ମଣିଷର ଅଭାବବୋଧ ମଧ୍ୟ ବଢ଼େ । ମଣିଷ ଭାବେ, ପଲେ ମଣିଷଙ୍କୁ ପରିବାର ବୋଲି ମାନି ନେଇ ସମସ୍ତଙ୍କର ଦାୟିତ୍ୱକୁ ଆପଣା ମୁଣ୍ଡରେ ବୋହିବା ଅପେକ୍ଷା ହୁଏତ ଆପେ ଅଲଗା ହୋଇ ସଂସାର କଲେ ସେ ଆପଣାର ଅଭାବଗୁଡ଼ିକୁ ଟିକିଏ ଅଧିକ ସହଜରେ ମେଣ୍ଟନ କରିଦେଇ ପାରିବ । ଆପଣା କର୍ତ୍ତବ୍ୟବୋଧର ଆୟତନକୁ କେବଳ ଆପଣାର ଦାମ୍ପତ୍ୟ ସଂସାର ଭିତରକୁ କ୍ଷୁଦ୍ର କରି ଆଣି ସେ ଅଧିକ ସୁଖ ଓ ଅଧିକ ଉପଭୋଗ ସମ୍ଭବ କରିପାରିବ ବୋଲି ଭାବେ । ଯାନ୍ତ୍ରିକ ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ଦ୍ରବ୍ୟର ଆବଶ୍ୟକତା ମଣିଷର ଜୀବନରେ ଅଧିକ ପ୍ରଭାବ ବିସ୍ତାର କରିବାକୁ ଲାଗେ । ଦ୍ରବ୍ୟର ଉପଭୋଗ ହିଁ ଜୀବନକୁ ଉପଭୋଗ କରିବାର ପ୍ରଧାନ ତରାଜୁ ହେବାକୁ ଆରମ୍ଭ କରେ । ତା’ପରେ ମଣିଷର ଜୀବନମୂଲ୍ୟ ବଦଳିଯାଏ, ତା’ର କର୍ତ୍ତବ୍ୟର ଆୟତନ କ୍ରମେ ସଙ୍କୁଚିତ ହୋଇଆସେ । ଦ୍ରବ୍ୟର ଆବଶ୍ୟକତାବୋଧ ବଢ଼ିବା ସଙ୍ଗେ ସଙ୍ଗେ ମଣିଷର ମନରେ ଦ୍ରବ୍ୟର ଅଭାବଜନିତ ତ୍ରାସ ମଧ୍ୟ ବଢ଼ିବାକୁ ଲାଗେ । ଏହି ଅଭାବରୁ ଆପଣାକୁ ନିରାପଦ ରଖିବାର କଳ୍ପନାରେ ମଣିଷ କ୍ରମେ ମଣିଷର ଓ ବଡ଼ ପରିବାରର ସଙ୍ଗକୁ ବର୍ଜନ କରିଆସେ ।

 

ଆମେରିକାର ଜଣେ ସମାଜଶାସ୍ତ୍ରବିତ୍ ଚାରିବର୍ଷ ତଳେ ଫିଲିପାଇନ୍ ଦ୍ୱୀପରେ ଥିବା ପରିବାର-ବ୍ୟବସ୍ଥାର ଏକ ଅଧ୍ୟୟନ ପ୍ରସ୍ତୁତ କରିଛନ୍ତି । ଫିଲିପାଇନ୍ ଦ୍ୱୀପର ସମାଜରେ ପରିବାର ହେଉଛି ସମଗ୍ର ସମାଜର ଠୁଳ କ୍ଷୁଦ୍ର ପ୍ରତିମୂର୍ତ୍ତି ସ୍ୱରୂପ । ବ୍ୟକ୍ତିର ସର୍ବପ୍ରଧାନ ଅନୁରକ୍ତିଗୁଡ଼ିକର ସ୍ଥଳ ହେଉଛି ଏହି ପରିବାର । ପରିବାରର ବ୍ୟବସ୍ଥା ପରଂପରାକ୍ରମେ ପରିବାରର ପ୍ରତ୍ୟେକ ବ୍ୟକ୍ତିଲାଗି ଯେଉଁସବୁ କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ଦ୍ଧାରଣ କରିଆସିଚି ତାହାରି ପରିପାଳନ ଉପରେ ହିଁ ପରିବାରର ଶକ୍ତି ନିର୍ଭର କରିବା କଥା, କିନ୍ତୁ ଆଲୋଚିତ ସମାଜଶାସ୍ତ୍ରବିତ୍‌ଙ୍କ ମତରେ ଆମେରିକା ବ୍ୟକ୍ତିବାଦୀ ଜୀବନଦୃଷ୍ଟି ଫିଲିପାଇନ୍‌ର ସମାଜ ଭିତରେ ପ୍ରବେଶ କରି ପରିବାରକୁ କ୍ରମେ ଦୁର୍ବଳ ଓ କ୍ଷତବିକ୍ଷତ କରିବାକୁ ଆରମ୍ଭ କଲାଣି । ଆପଣାର ସ୍ୱାର୍ଥ ଓ ହିତ ନ ଦେଖି ସେ କାହିଁକି ଆପଣା ସାନ ଭାଇଭଉଣୀଙ୍କ ପ୍ରତି ଆପଣାର କର୍ତ୍ତବ୍ୟ ତୁଲାଇବାକୁ ଯିବ ? ଫିଲିପାଇନ୍ ଅଧିବାସୀ କ୍ରମେ ମନେ ମନେ ଏପରି ପ୍ରଶ୍ନ ପଚାରିବାକୁ ଆରମ୍ଭ କଲାଣି । ତା’ର ସଞ୍ଚିତାର୍ଥ ଆପଣାର ଉଚ୍ଚତର ଶିକ୍ଷା ଓ ବିକାଶରେ ନ ଲାଗି କାହିଁକି ପରିବାର ଓ ଜ୍ଞାତିକୁଟୁମ୍ୱଙ୍କର କାର୍ଯ୍ୟରେ ନିୟୋଜିତ ହେବ ? ଆଜି ସେ ଆପଣାକୁ ଏହି ପ୍ରଶ୍ନ ପଚାରୁଚି । ଏହି ସଂକ୍ରମଣ ବଢ଼ିବା ସଙ୍ଗେ ସଙ୍ଗେ କ୍ରମେ ଫିଲିପାଇନ୍ ଦ୍ୱୀପର ପାରମ୍ପରିକ ସମାଜ କ୍ଷୟପ୍ରାପ୍ତ ହୋଇଯିବ ଓ ଯୌଥ-ପରିବାର ଲୋପ ହେଇ ଦମ୍ପତି-ପରିବାର ତାହାର ସ୍ଥାନ ଅଧିକାର କରିବ ଏବଂ ଏହା ସଙ୍ଗେ ସଙ୍ଗେ ସମାଜର ସାର୍ବଜନୀନ ମୂଲ୍ୟ ଓ କର୍ତ୍ତବ୍ୟବୋଧ ମଧ୍ୟ କ୍ରମେ ଭାଙ୍ଗିପଡ଼ିବ । ପୁରୁଣା ସମାଜ ଓ ପୁରୁଣା ପରିବାର ଭାଙ୍ଗିଗଲେ ପ୍ରତ୍ୟେକ ଗୃହସ୍ଥ ହୁଏତ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ ହେବ; କିନ୍ତୁ ଗୋଷ୍ଠୀ-ଜୀବନ ସହିତ ଲାଗିରହିଥିବା ତା’ର ଅନେକ ଚେର ଛିଡ଼ିଯିବ ଓ ସେ ଗୋଷ୍ଠୀଗତ ଅନେକ ମୂଲ୍ୟର ଅନୁଶୀଳନ କରିବାକୁ ଭୁଲିଯିବ । (B.H.Stoodleyଙ୍କର ପ୍ରବନ୍ଧ–The American Journal of Sociology, July, 1959, ପୃ. ୩୯-୪୮)

 

ଫିଲିପାଇନ୍‌ରେ ଯେପରି ପୁରୁଣା ଯାଇ ନୂଆ ଆସୁଚି, ଭାରତବର୍ଷରେ ମଧ୍ୟ ଠିକ୍ ତାହାହିଁ ହେଉଚି । ମୂଲ୍ୟ ବଦଳୁଛି, ଜୀବନର ଦୃଷ୍ଟିକୋଣ ବଦଳୁଚି–ସୁଖ, ହିତ, ସଫଳତା ଓ ସାର୍ଥକତାର ସଂଜ୍ଞାମାନ ମଧ୍ୟ ଭାରି ତୀବ୍ର ବେଗରେ ବଦଳିଯାଉଚି । ଆବଶ୍ୟକତା ଯେତିକି ବଢ଼ୁଚି, ଅଭାବବୋଧ ସେତିକି ବଢ଼ୁଚି । ସଂସାରର ରଣଭୂଇଁରେ ସଫଳ ନ ହୋଇପାରିବାର ଶଙ୍କା ଯେତିକି ବଢ଼ୁଚି, ଆପଣାକୁ ସାଙ୍ଗଛଡ଼ା, ଗୋଷ୍ଠୀ ଓ ପରିବାରଛଡ଼ା କରି ମଧ୍ୟ ଅନ୍ତତଃ ଆର୍ଥିକ ଦୃଷ୍ଟିରୁ ନିରାପଦ ରହିବାର ଉଦ୍‌ବେଗ ସେତିକି ବଢ଼ୁଛି । ସବୁ ନୂଆ ସୁନା ନୁହେ, କି ସବୁ ପୁରୁଣା ପିତ୍ତଳ ନୁହେଁ । ଯେଉଁ ପୁରୁଣା ସମାଜ ଚାଲିଯାଉଚି, ତାହା ଗୋଟାସୁଦ୍ଧା ଖରାପ ନୁହେଁ ବା ନୂଆ ନାମରେ ଅତି ଅସତର୍କ ଭାବରେ ଯେଉଁ ‘ନୂଆ’ ମଣିଷର ଜୀବନକୁ ବେଷ୍ଟିତ କରିବାକୁ ଆସୁଚି, ତାହା ମଧ୍ୟ ଗୋଟାସୁଦ୍ଧା ଆଦର୍ଶସ୍ଥାନୀୟ ନୁହେଁ । ଆମ ଦେଶ ବା ଫିଲିପାଇନ୍‌ରେ ଏବେ ଯେଉଁ ନୂଆ କଳେବର ହେବାକୁ ଯାଉଚି, ଇଉରୋପ ଓ ଆମେରିକାରେ ପ୍ରାୟ ଶହେ ଦେଢ଼ଶହ ବର୍ଷ ତଳେ ଠିକ୍ ସେଇକଥା ଘଟିଯାଇଚି । ଗତ ଦେଢଶହ ବର୍ଷ ଭିତରେ ସେପାଖ ପୃଥିବୀରେ ଧନ ବଢ଼ୁଚି, ଭୋଗ ଓ ସଂପଦ-ବୃଦ୍ଧିର ରାଜସିକତା ବଢ଼ିଛି, ଦ୍ରବ୍ୟ ବଢ଼ାଇ ମଣିଷ ଆପଣାର ଜୀବନକୁ ମଧ୍ୟ ଅଧିକ ଗୁଣ ସମୃଦ୍ଧ କରିପାରିବ ବୋଲି ସେଠି କେତେ ସ୍ୱପ୍ନ ଦେଖିଚି । ଏହି ସ୍ୱପ୍ନକୁ ନେଇ ଦର୍ଶନ ବଢ଼ାଯାଇଚି, ଅର୍ଥନୀତିର ଭୋଗଧର୍ମୀ ନିୟମମାନ ପଣ୍ଡିତମାନଙ୍କର ଆଶୀର୍ବାଦ ପାଇ ବାହାରିଚି, ନୂଆଯୁଗର କାମଧେନୁଠାରୁ ସଫଳତା ଓ ଲାଭରୂପୀ ଦୁଗ୍‌ଧ ଦୁହିଁବାର ମତଲବରେ ଧର୍ମ ଓ ଭଗବାନଙ୍କୁ ମଧ୍ୟ ବାଛୁରୀ କରି ଖୁଣ୍ଟରେ ଖଟାଇ ଦିଆଯାଇଚି । ଏହି ଦ୍ରବ୍ୟ ତଥା ଦ୍ରବ୍ୟ-ଉତ୍ପାଦନ ଓ ଭୋଗ କରିବାର କ୍ଷମତା ବତାଇବା ଲାଗି ବଡ଼ ବଡ଼ ଯୁଦ୍ଧ ମଧ୍ୟ ହୋଇଚି, ଆଦର୍ଶ ଓ ଜାତୀୟତା ନାମରେ ମଣିଷ ମରାଯାଇଚି, ଉପନିବେଶର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାମାନଙ୍କୁ ନଷ୍ଟ କରି ଦିଆଯାଇଚି । ଭାଗବାନଙ୍କଠାରୁ ମଧ୍ୟ ବେଶୀ କ୍ଷମତାର ବାରୁଦଘର ତିଆରି କରି ବସିଥିବା ସେହି ଉଚ୍ଚାଭିଳାଶୀ ନୂଆ ଲୋଭୀ ମଣିଷର ଦଶା ଆଜି କଣ ହୋଇଛି ? ହଜାର ହଜାର ମଣିଷର ଭିଡ଼ ଭିତରେ ମଧ୍ୟ ସେଠି ମଣିଷ ବଡ଼ ଏକୁଟିଆ ହୋଇ ରହିଛି । David Riesman ବିଖ୍ୟାତ ଗ୍ରନ୍ଥ ‘The Lonely Crowd’ ଭିଡ଼ ଭିତରେ ଏହି ଏକୁଟିଆ ମଣିଷ–ଏକକଗୁଡ଼ିକର ଅଧ୍ୟୟନ କରିବାର ଉଦ୍ୟମ କରିଚି ।

 

ଆଉ ଏପାଖରେ ଆମ ପୁରୁଣା ପାରମ୍ପରିକ ସମାଜମାନଙ୍କରେ ମଣିଷ ଆର୍ଥିକ ଦୃଷ୍ଟିରୁ ବଡ଼ ଦରିଦ୍ର ରହିଆସିଚି । ତଥାପି ତା’ର ଗୋଷ୍ଠୀଗତ ଜୀବନର ନାନାଅନୁରକ୍ତି ଓ ସମର୍ପଣ-ପରାୟଣତା ସକଳ ଦାରିଦ୍ର୍ୟ ସତ୍ତ୍ୱେ ତା’ର ଜୀବନରେ ଏକପ୍ରକାର ପରିପୂର୍ଣ୍ଣତା ଆଣିଦେଇଚି । ପାରମ୍ପରିକ ସମାଜରେ ବ୍ୟକ୍ତି ଆପଣାକୁ ଖୁବ୍‌ କ୍ୱଚିତ୍‌ ବିପନ୍ନ ଅନୁଭବ କରିଥାଏ-ଯେତେ ଦରିଦ୍ର ହେଲେ ମଧ୍ୟ ସେ କୌଣସି ବିଚ୍ଛିନ୍ନତାର ଦଂଶନ ଅନୁଭବ କରେନାହିଁ । ସମାଜ ଓ ପରିବାରର ନାନା ସାର୍ବଜନୀନ ମୂଲ୍ୟ ଓ ଦାୟିତ୍ୱବୋଧ ତାକୁ ଜୀବନରେ ଯେଉଁ ନିର୍ଭର ଦେଇଯାଏ, ଛଅ ମହଲା କୋଠା ଉପରେ ବାସକରି ଆପଣା ଗଚ୍ଛିତ ଧନର ପରିମାଣ ବଢ଼ାଉଥିବା ଲକ୍ଷପତି ମଧ୍ୟ ସେହି ନିର୍ଭର ପାଇପାରେ ନାହିଁ । ସେଠି ବଡ଼ ଭାଇ ଆପଣା ରୋଜଗାର ଟଙ୍କାରେ ସହରରେ ଆପଣା ଲାଗି ନୂଆ ଜମି ନ କିଣି ସାନ ଭାଇଭଉଣୀମାନଙ୍କୁ ପାଠ ପଢ଼ାଇବାକୁ ଖୁସି ହୋଇ ଆପଣାର କର୍ତ୍ତବ୍ୟ ବୋଲି ମନେ କରେ । ବରଷକୁ ଆପଣା ଲାଗି ଦୁଇଖଣ୍ଡ କମିଜରେ ସନ୍ତୁଷ୍ଟ ରହି ମଧ୍ୟ ସେ ଅନ୍ୟମାନଙ୍କୁ ଆପଣାର ବୋଲି ଆଦରି ନିଏ । ସାନ ପରିବାରରେ ଥାଇ ମଧ୍ୟ ସମସ୍ତ ବିଶ୍ୱର ମଣିଷ ବିକଶିତ ହେବାକୁ ସେ ସାର୍ଥକ ବାଟ ବୋଲି ଗ୍ରହଣ କରେ ।

 

ନୂଆର ପଥକୁ କେହି ଓଗାଳି ରଖିପାରିବ ନାହିଁ; କିନ୍ତୁ ନୂଆ ଭିତରକୁ ଆଖି ବୁଜି ଡେଇଁ ପଡ଼ିଲେ ମଧ୍ୟ ଆମର ନିସ୍ତାର ହୋଇଯିବ ନାହିଁ । ଆଧୁନିକ ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପରିସର ବହୁଧା ବିସ୍ତ୍ରୀର୍ଣ୍ଣ ହୋଇଯିବ; ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥୋପାର୍ଜନର ପଥ ଅଧିକ ସୁଗମ ହୋଇଯିବ । କିନ୍ତୁ ଆମେ ଯଦି ତଥାପି ଦ୍ରବ୍ୟର ବୃଦ୍ଧି ଓ ଧନର ସଞ୍ଚୟ ଉପରେ ବିଶ୍ୱାସ ନ କରି ମାନବିକ ମୂଲ୍ୟ ଉପରେ ବିଶ୍ୱାସ କରୁଥିବା, ତେବେ ନୂଆ ସଭ୍ୟତାର ପରିବେଶ ମଧ୍ୟରେ ତଥାପି ଆମେ ମଣିଷ ହୋଇ ରହିପାରିବା, ତଥାପି ଆମେ ଜୀବନର ସାର୍ବଜନୀନ ମୂଲ୍ୟ ସହିତ ପରିପୂର୍ଣ୍ଣ ଓ ସାର୍ଥକ ଜୀବନଯାପନ କରିପାରିବା । ଆପଣାର ଧନ ବଢ଼ାଇ ଆପଣାଙ୍କୁ ନିରାପଦ ରଖିବାର ଖଳ ପ୍ରବୃତ୍ତି ପରିବର୍ତ୍ତେ ଯଦି ମଣିଷ, ଆମର ଅତି ପାଖରେ ଆମ ପରିବାରରେ ଓ ଆମ ସମାଜରେ ଥିବା ମଣିଷ–ଆମକୁ ଟାଣିପାରୁଥିବ, ତେବେ ଯନ୍ତ୍ରର ଯୁଗରେ ଆମେ ଯାନ୍ତ୍ରିକ ହୋଇଯିବା ନାହିଁ, ମଣିଷପଲର ଭିଡ଼ ଭିତରେ ଆମେ ତଥାପି ଏକାକୀ ହୋଇ ହଜିଯିବା ନାହିଁ ।

 

ସାହିତ୍ୟକୁ ଅନେକେ ଜୀବନର ସମାଲୋଚନା ଅର୍ଥରେ ବ୍ୟାଖ୍ୟା କରିଚନ୍ତି । ସାହିତ୍ୟର ଦୃଷ୍ଟି ହେଉଚି, ସାମାଜିକ ଭୂମି ଉପରେ ମଣିଷର ସମ୍ଭୂତ ବର୍ତ୍ତମାନ ଓ ସମ୍ଭାବ୍ୟ ଜୀବନର ବିଚାର କରିବାର ଦୃଷ୍ଟି । ଆଗେ ଯାହା ହୋଇଥାଉ ପଛକେ, ବର୍ତ୍ତମାନ ସାହିତ୍ୟ କହିଲେ ଆମକୁ ଏହାର ସମାଲୋଚନାମୂଳକ ଦୃଷ୍ଟିକୁ ହିଁ ବୁଝିବାକୁ ପଡ଼ିବ । ଅତୀତର ଯୁଗମାନଙ୍କରେ କେହି ଭଗବାନଙ୍କର ତୁଷ୍ଟିଲାଗି ସାହିତ୍ୟ ଲେଖୁଥିଲେ, କେହି ମୋକ୍ଷଲାଗି ସାହିତ୍ୟ ଲେଖୁଥିଲେ, ପୁଣି କେହି ରାଜାକୁ ତୁଷ୍ଟ କରି ରଖିବା ଲାଗି ସାହିତ୍ୟ ଲେଖୁଥିଲେ । ସେହି କାରଣରୁ ସଜାଇବାର ପ୍ରବୃତ୍ତିଟା ହୁଏତ ସାହିତ୍ୟରେ ଏକ ଅତିପ୍ରଧାନ ବିନ୍ୟାସ ହୋଇ ରହିଥିଲା । ଅଳଙ୍କାର କହିଲେ ସାହିତ୍ୟ–ଭଣ୍ଡାରର ଅଧେ ଉପକରଣକୁ ବୁଝାଉଥିଲା । ଏଯୁଗର ସାହିତ୍ୟ ଅନ୍ତଃପ୍ରବେଶ କରିବାର ସାହିତ୍ୟ–ସବୁପ୍ରକାର ବେଶଭୂଷାର ଭ୍ରମ ପରିଚୟକୁ ଭେଦି ସ୍ୱରୂପର ଅନୁସନ୍ଧାନ କରିବାର ସାହିତ୍ୟ । ଏଯୁଗରେ ମଣିଷକୁ ପ୍ରତି ମୁହୂର୍ତ୍ତରେ ଉନ୍ମୁକ୍ତ ନାନା ପଥରୁ ଆପଣାର ଅଭିଳଷିତ ପଥ ବାଛିନେବାକୁ ପଡ଼ିବ । ପରବର୍ତ୍ତୀ ପହୁଣ୍ଡଟି ସିଏ କେଉଁ ବାଟରେ ପକାଇବ, ସେହି ନିଷ୍ପତ୍ତି ତାକୁ ନିଜକୁ କରିବାକୁ ହେବ ଏବଂ ଜୀବନର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନାନାବିଧ ଅବସରରେ କରିବାକୁ ପଡ଼ିବ ଏବଂ ତାହାର ନିଷ୍ପତ୍ତି ଉପରେ ହିଁ ତାହାର ଭବିଷ୍ୟତ ନିର୍ଭର କରିବ । ସାମାଜିକ ମଣିଷର ଏହି ଗୁରୁତ୍ୱପୂର୍ଣ୍ଣ ଯୁଗରେ ସାହିତ୍ୟ ତାହାର ସଙ୍ଗୀ ହୋଇ ରହିବା ଉଚିତ, ତାକୁ ବାଟ ବିଷୟରେ ଅନ୍ତର୍ଦୃଷ୍ଟି ଯେଗାଇଦେବା ଉଚିତ । ଗତ ଦଶ ପନ୍ଦର ବର୍ଷ ଭିତରେ ଆମ ଦେଶର ସମାଜରେ ତୁମୁଳ ପରିବର୍ତ୍ତନମାନ ଆରମ୍ଭ ହୋଇଚି । ନୂତନ ଓ ଅଭିନବର ନାନା ପ୍ରବାହ ବାଜି ପାରମ୍ପରିକ ସମାଜ କେତେ ପ୍ରକାରେ ଅତଡ଼ା ଖାଇବାକୁ ଆରମ୍ଭ ମଧ୍ୟ କଲାଣି । କେବଳ ଭାବପ୍ରବଣ ଓ ମତ୍ତଭାବରେ ଗୋଟାକୁ ଛାଡ଼ି ଆଉ ଗୋଟାକ ଉପରେ ଆଉଜି ପଡ଼ିଲେ ଆଧୁନିକ ଜୀବନର ସମସ୍ୟାମାନ ମେଣ୍ଟିବ ନାହିଁ । ସମାଧାନର ବାଟ ପାଇବାକୁ ହେଲେ ଆଗ ସମ୍ୟକ୍‌ ଅବଲୋକନ ଦରକାର, ସମୀକ୍ଷା ଦରକାର । ଏହି ସମୀକ୍ଷାର ପରିସର ଯୋଗାଇଦେବାର ଦାୟିତ୍ୱ ହେଉଚି ପ୍ରଧାନତଃ ଆମ ସାହିତ୍ୟର ।

 

(‘ସମାଜ’ ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟା, ୧୯୬୫)

Image

 

ଜଣେ ଶିକ୍ଷକଙ୍କ କାହାଣୀ

 

ପଣ୍ଡିତ ଗୋପବନ୍ଧୁ ମୂଳତଃ ପଣ୍ଡିତ ନ ଥିଲେ, ମଣିଷ ଥିଲେ । ପଣ୍ଡିତମାନେ ତାଙ୍କୁ ପଣ୍ଡିତ ବୋଲି କହିବାରେ ଭାରି ଆଗ୍ରହ ଦେଖାନ୍ତି, ସାହିତ୍ୟଚାଷୀମାନେ ତାଙ୍କୁ ଆଗ ସାହିତ୍ୟିକ ବୋଲି ଧରିନେଇ ସାହିତ୍ୟ ବ୍ୟୂହର କୌଣସି ନା କୌଣସି ଦୁଆରେ ତାଙ୍କୁ ପ୍ରହରୀ ରୂପେ ବସାଇଦେବାର ସରାଗ ଦେଖାନ୍ତି । ସମାଜସେବୀମାନେ ତାଙ୍କୁ ଆଗ ସମାଜସେବୀ ବୋଲି କହନ୍ତି-। ତ୍ୟାଗକୁ ଜୀବନର ଆଟିକା ବୋଲି ଦେଖାଇବାକୁ ବାହାରିଥିବା ଥୋକେ ଲୋକ ତାଙ୍କୁ ତ୍ୟାଗବୀର ବୋଲି ପ୍ରମାଣ କରିଦିଅନ୍ତି । ଶିକ୍ଷକମାନେ ଗୋପବନ୍ଧୁଙ୍କୁ ଆଗ ଶିକ୍ଷକ ବୋଲି ଦେଖାଇପାରିଲେ ହୁଏତ ଭାରି ପୁଲକ ଅନୁଭବ କରନ୍ତି । ପୁଣି ରାଜନୀତି-ଦାଣ୍ଡର ଦଉଡ଼ାଳିମାନେ ତାଙ୍କୁ ଆଗ ରାଜନୀତିକ ନେତା ବୋଲି ଚିତ୍ରିତ କରିବାକୁ ଚେଷ୍ଟା କରି ନିଜକୁ ତାଙ୍କର ଦାୟାଦ ବୋଲି ଭାବିଥାନ୍ତି ଓ ଅନେକ ଆତ୍ମଗୌରବ ପାଇଥାଆନ୍ତି । କିନ୍ତୁ ହୁଏତ ସେମାନେ ସମସ୍ତେ ଆପଣା କ୍ଷେତ୍ରଜନିତ ନାନା ପ୍ରମତାରେ ପଡ଼ି ଏପରି କରିଥାନ୍ତି । କାରଣ ଗୋପବନ୍ଧୁ ପଣ୍ଡିତ, ସାହିତ୍ୟିକ, ସମାଜସେବୀ, ଶିକ୍ଷକ ଓ ରାଜନୀତିକ ନେତା ସବୁ ଥିଲେ; କିନ୍ତୁ ମୂଳତଃ ସେ ମଣିଷ ଥିଲେ । କେବଳ ପଣ୍ଡିତ ବା କେବଳ ସାହିତ୍ୟିକ ନ ଥିଲେ । କେବଳ ଶିକ୍ଷକ ଓ କେବଳ ସମାଜସେବୀ ବା କେବଳ ରାଜନୀତିଜ୍ଞ ନ ଥିଲେ । ଆଗ ମଣିଷ ନ ହୋଇ ମଧ୍ୟ ଆମ ଭିତରୁ ଯେକେହି ଉଚ୍ଚପଦସ୍ଥ ପଣ୍ଡିତ, ସାହିତ୍ୟିକ, ସମାଜସେବୀ ବା ରାଜନୀତିଜ୍ଞ ହୋଇପାରେ, ସ୍ୱୀକୃତିର ବାହାଦୁରୀ ମଧ୍ୟ ଅର୍ଜନ କରିପାରେ । ଗୋପବନ୍ଧୁଙ୍କର ଜୀବନଗୁଳା ଓଲଟା ରୀତିରେ ପଡ଼ିଥିଲା । ତାଙ୍କ ଜୀବନକୁ ଜୁଆଇ ରଖିଥିବା ମଣିଷପଣିଆ ଓ ମାନବିକ ଦୃଷ୍ଟି ତାଙ୍କୁ ସାହିତ୍ୟ, ଶିକ୍ଷା, ସେବା ଓ ରାଜନୀତି ପ୍ରଭୃତି ଯାବତୀୟ କ୍ଷେତ୍ରକୁ ହାତ ବଢ଼ାଇବାରେ ଆଗଭର କରାଇ ନେଇଥିଲା ।

 

ମଣିଷପଣିଆ କହିଲେ ଆମେ କଅଣ ବୁଝିବା ? ଅନୁଭୂତିଶୀଳତା ହେଉଛି ମଣିଷପଣିଆର ସର୍ବପ୍ରଥମ କଷଟି । ପ୍ରତ୍ୟେକ ମଣିଷ ସହିତ ଜୀବନାନୁଭୂତିର କ୍ଷେତ୍ରରେ ଏକ ସ୍ୱାଭାବିକ ଆତ୍ମିକ ଏକତା ଅର୍ଜନ କରିବା ଓ ଜଣେ ଅନୁଭୂତିଶୀଳ ମଣିଷ ହିସାବରେ ଆପଣାର ପରିଚୟକୁ ଆପଣାର ସର୍ବଶ୍ରେଷ୍ଠ ପରିଚୟ ବୋଲି ଅନୁଭବ କରିବା–ମଣିଷପଣିଆ କହିଲେ ପ୍ରଧାନତଃ ଏହାକୁ ହିଁ ବୁଝାଇବ । ଯେଉଁ ଅନ୍ତର୍ଗତ ସମ୍ୱେଦନଦ୍ୱାରା ବଳିଷ୍ଠ ହୋଇ ଜଣେ ମଣିଷ ଅନ୍ୟ ସମସ୍ତଙ୍କର ଦୁଃଖ ଓ ସୁଖକୁ ନିଜର ଦୁଃଖ ଓ ସୁଖ ବୋଲି ଅନୁଭବ କରିଥାଏ ଓ ଅନ୍ତର୍ଗତ ଜୀବନବାସନାର ସ୍ତରରେ ପ୍ରତ୍ୟେକ ମଣିଷ ସହିତ ଏକରସତା ଅର୍ଜନ କରିଥାଏ, ସେହି ସମ୍ୱେଦନାକୁ ଆମେ ମଣିଷପଣିଆର ଲକ୍ଷଣ ବୋଲି କହିପାରିବା । ଅସଲ ଅର୍ଥରେ ସଂସ୍କୃତି କହିଲେ ମଧ୍ୟ ଏହି ସମ୍ୱେଦନା ଓ ଅନୁଭୂତିଶୀଳତାକୁ ବୁଝାଇବା ଉଚିତ । ଏହି ସ୍ତରକୁ ଆସିଲେ ଆମ ଜୀବନରେ ବ୍ୟକ୍ତି ଓ ସମାଜ ଭିତରେ କୌଣସି ପ୍ରକାର ଅନ୍ତର୍ବିରୋଧ ରହେ ନାହିଁ । ସମାଜଠାରୁ ପଳାଇ ବ୍ୟକ୍ତି କେବଳ ଆପଣାର ସ୍ୱାର୍ଥକୁଞ୍ଚାରେ ବେପାର କରିବାକୁ ବିଚାରେ ନାହିଁ ବା ଅପର ପକ୍ଷରେ ସାମାଜିକ ନାନା ଦୁଃଶାସନ ଓ ଦୁର୍ବ୍ୟବସ୍ଥାକୁ ସେ ଅପରିହାର୍ଯ୍ୟ ବୋଲି ମାନି ନିଏନାହିଁ । ସବୁରି ଲାଗି ଯଥାର୍ଥ ଓ ପ୍ରକୃଷ୍ଟଭାବରେ ସମର୍ପିତ ହୋଇପାରିବା ଲାଗି ସେ ଆପଣାର ସମସ୍ତ ଶକ୍ତି ଓ ଯୋଗ୍ୟତାର ସମ୍ପୂର୍ଣ୍ଣତର ବିକାଶ କରିବା ଲାଗି ବ୍ରତୀ ହୋଇ ବାହାରେ । ତାହାର ପାଣ୍ଡିତ୍ୟ, ସାହିତ୍ୟ, ସେବା ଓ ରାଜନୀତି ଓ ପ୍ରଧାନତଃ ଏହି ସମର୍ପଣ ଧର୍ମରେ ଅନୁସିକ୍ତ ହୋଇ ରହିଥାଏ । ଏହିପରି ଏକ ଆଧାର ଉପରେ ବିଚାର କଲେ ଆମେ ହୁଏତ ଗୋପବନ୍ଧୁଙ୍କ ଜୀବନର ଏକ ଯୋଗ୍ୟତର ବିଚାର କରିପାରିବା, ତାଙ୍କ ଜୀବନରୁ ଯୋଗ୍ୟତର ଅନୁପ୍ରେରଣା ମଧ୍ୟ ପାଇପାରିବା ।

 

ଆମ ଦେଶରେ ବିବେକାନନ୍ଦ, ଗାନ୍ଧୀ, ରବୀନ୍ଦ୍ରନାଥ ମଣିଷ ତିଆରି କରିବାର ଶିକ୍ଷା କହିଲେ ବୋଧହୁଏ ପ୍ରଧାନତଃ ଏହିକଥାକୁ ବୁଝୁଥିଲେ । ମୂଳତଃ ମଣିଷ ହୋଇଥିଲେ ଯାଇ ସେବକ ଯଥାର୍ଥ ସେବକ ହୋଇପାରିବ, ଧାର୍ମିକ ଯଥାର୍ଥରେ ଧର୍ମର ଜୀବନଯାପନ କରିପାରିବ, ସାହିତ୍ୟିକ ଯଥାର୍ଥ ସାହିତ୍ୟାନୁଶୀଳନ କରିପାରିବ । ପ୍ରଚ୍ଛନ୍ନ ରହିଥିବା କୌଣସି ପ୍ରକାର ପ୍ରମତ୍ତତାର ପୋଷାକ ନ ହୋଇ ସେବା ଏକ ବିସ୍ତୃତତର ନେତ୍ରରେ ମଣିଷ ସହିତ ଆତ୍ମୀୟତା ଅର୍ଜନ କରିବାର ଯୋଗମାର୍ଗରେ ରୂପାନ୍ତରିତ ହୋଇଯିବ । କ୍ଷମତା ପରିବର୍ତ୍ତରେ ମଣିଷକୁ କେନ୍ଦ୍ରକରି ରାଜନୀତି ଚାଲିବ । କେତେ ଶତାବ୍ଦୀ ତଳର ଶିକ୍ଷାବିତ୍ ପେଷ୍ଟାଲଜି (Pestalozzi)ଙ୍କ ବାଣୀରେ ଆମେ ଏହିପରି ଏକ ମଣିଷଧର୍ମୀ ଆହ୍ୱାନର ସମ୍ମୁଖୀନ ହୋଇଥାଉ । ସୁଇଜର୍‌ଲାଣ୍ଡର ସମସାମୟିକ ସମାଜଦ୍ୱାରା ଅସ୍ତ୍ରୀକୃତ ଓ ପ୍ରତ୍ୟାଖ୍ୟାତ ହୋଇଥିବା ପେଷ୍ଟାଲଜି ମଣିଷ ତିଆରି କରିବାକୁ ହିଁ ସକଳ ଶିକ୍ଷାର ମୂଳ କଷଟି କରି ଧରିଥିଲେ । ତାଙ୍କ ଭାଷାରେ କହିବାକୁ ଗଲେ ଚାଷୀ, ଶ୍ରମିକ, ପଣ୍ଡିତ, କାରିଗର ବା ସେହିପରି କୌଣସି ଏକ କ୍ଷେତ୍ରରେ ବିଶେଷଜ୍ଞ ତିଆରି କରିବା ଶିକ୍ଷାର ଦ୍ୱିତୀୟ ଉଦ୍ଦେଶ୍ୟ, ପ୍ରଥମ ଉଦ୍ଦେଶ୍ୟ ନୁହେଁ । ମଣିଷପିଲାକୁ କୌଣସି ବିଶେଷ ଧନ୍ଦା ଲାଗି ତାଲିମ କରିବା ସଙ୍ଗେ ସଙ୍ଗେ ତାକୁ ମୂଳତଃ ମଣିଷ ରୂପେ ବିକଶିତ କରାଇବା ଅର୍ଥାତ୍ ତାହାର ମାନବିକ ଓ ସମ୍ବେଦନାଧର୍ମୀ ଗୁଣଗୁଡ଼ିକର ବିକାଶଲାଗି ଉପଯୁକ୍ତ ଜଳବାୟୁ ସୃଷ୍ଟି କରି ରଖିବା ହେଉଛି ଶିକ୍ଷାର ପ୍ରଥମ ଉଦ୍ଦେଶ୍ୟ । ମଣିଷ ହେବାକୁ ହେଲେ ଯେଉଁ ସ୍ୱାଭାବିକ ଅନୁଭୂତିଶୀଳତା ଆମ ସମସ୍ତଙ୍କ ଭିତରେ ରହିଥିବା ଆବଶ୍ୟକ, ତାହାରି ଲାଗି ଆମ ଜୀବନାଗ୍ରହଗୁଡ଼ିକୁ ଉଦ୍ଦିଷ୍ଟ କରି ରଖିବା ହେଉଛି ଶିକ୍ଷାର ପ୍ରଥମ ଧର୍ମ । ଜାନୁସ୍ କାରସାକ୍‌ଙ୍କୁ ପୋଲାଣ୍ଡର ପେଷ୍ଟାଲଜି ବୋଲି କୁହାଯାଇଛି । ‘ସମାଜ’ର ଗୋପବନ୍ଧୁ–ସଂଖ୍ୟା ଲାଗି ଉଦ୍ଦିଷ୍ଟ ଏହି ପ୍ରବନ୍ଧଟିରେ ଆମେ ତାଙ୍କରି ଜୀବନର କିଞ୍ଚିତ୍ ଆଲୋଚନା କରିବା ।

 

ଜାନୁସ୍‌ କାର୍‌ସାକ୍‌ (Janusz Korczak) ଡାକ୍ତର ହିସାବରେ ଲୋକପ୍ରିୟତା ଅର୍ଜନ କରିଥିଲେ, ଶିକ୍ଷକ ହିସାବରେ ପୋଲାଣ୍ଡରେ ସେ ଆଜି ଅନେକ ଶିକ୍ଷକଙ୍କର ଅନୁକରଣୀୟ ହୋଇ ରହିଛନ୍ତି । ପୋଲାଣ୍ଡ ଦେଶର ସାହିତ୍ୟରେ ତାଙ୍କର ଅବଦାନ ମହାମୂଲ୍ୟ ଅବଦାନ ହିସାବରେ ସ୍ୱୀକୃତି ଲାଭ କରିଛି; କିନ୍ତୁ ମୂଳତଃ ମଣିଷ ହିସାବରେ ସେ ଆମ ସମସ୍ତଙ୍କ ଲାଗି ଅମର ହୋଇ ରହିଛନ୍ତି । ଉନବିଂଶ ଶତାବ୍ଦୀର ସପ୍ତମ ଦଶକରେ ସେ ପୋଲାଣ୍ଡ ରାଜଧାନୀ ଓ୍ୱାରସ ସହରରେ ଗୋଟିଏ ଧନୀ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ଆର୍ଥିକ ଅଭାବ ସହିତ ତାଙ୍କର କୌଣସି ପରିଚୟ ଘଟି ନ ଥିଲା । ଧନୀଘରର ଅଲିଅଳ ପିଲା ହୋଇ ବଢ଼ିଥିଲେ ମଧ୍ୟ ଇହୁଦୀ ଘରେ ଜନ୍ମ ହୋଇଥିବାରୁ ତାଙ୍କୁ ଖ୍ରୀଷ୍ଟଧର୍ମୀ ଜାତୀୟ ସମାଜର ଅନେକ ଅବଜ୍ଞା ଓ ଲାଞ୍ଛନାକୁ ନିଜ ମସ୍ତକରେ ବହନ କରି ସଂସାରରେ ବାହାରିବାକୁ ପଡ଼ିଥିଲା । ଇହୁଦୀ ସଇତାନର ସନ୍ତାନ, ତେଣୁ ସେ ମଣିଷ ପଦବାଚ୍ୟ ନୁହେଁ; ଇହୁଦୀ ଈଶ୍ୱର-ହନ୍ତା, ତେଣୁ ଈଶ୍ୱର-କରୁଣାର ଭାଜନ ନୁହେଁ; -ଇଉରୋପକୁ ଖ୍ରୀଷ୍ଟଧର୍ମର ମାର୍ଗରେ ଦୀକ୍ଷିତ କରାଇବାର ଦିନଠାରୁ ଏହିପରି ଏକ ବିଶ୍ୱାସଗତ ପ୍ରମାଦ ସେହି ମହାଦେଶର ଧର୍ମଶକ୍ତିକୁ ସଂକ୍ରମିତ କରି ରଖିଆସିଥିଲା, ଏହି କାରଣରୁ ଇହୁଦୀ–ଧର୍ଷଣକୁ ହିଁ ଧର୍ମ ବୋଲି କୁହାଯାଉଥିଲା । ଇହୁଦୀକୁ ଘୃଣା ଓ ଅବଜ୍ଞା କରିବାକୁ ହିଁ ଧର୍ମର କର୍ତ୍ତବ୍ୟ ରୂପେ ଗ୍ରହଣ କରାଯାଇଥିଲା । ପ୍ରାୟ ଶହେ ବର୍ଷ ତଳେ ପୋଲାଣ୍ଡରେ ବଢ଼ିଥିବା ପ୍ରତ୍ୟେକ ଇହୁଦୀ ପିଲାଙ୍କୁ ଏହିପରି ଏକ ଲାଞ୍ଛନାର ଅସୁସ୍ଥ ବାୟୁମଣ୍ଡଳ ଭିତରେ ବଡ଼ ଆତ୍ମସଚେତ ଭାବରେ ମଣିଷ ହେବାକୁ ପଡୁଥିଲା ।

 

ଶ୍ରୀଯୁକ୍ତ କାର୍‌ସାକ୍‌ଙ୍କ ବଂଶଗତ ନାମ ହେଉଛି ହେନ୍‌ରିକ୍ ଗୋଲଡ୍‌ସ୍ମିଥ୍ (Henryk Goldsmith)–ଏହା ଏକ ଇହୁଦୀ ନାମ । ବାଳକ ହେନ୍‌ରିକ୍ ପିତା ମାତାଙ୍କର ବଡ଼ପୁଅ । ତେଣୁ ଦୁର୍ଭାଗ୍ୟହେତୁ ଅଳ୍ପ ବୟସରେ ଧନୀବାପାଙ୍କୁ ହରାଇ ତାଙ୍କୁ ପରିବାରର ସକଳ ଦାୟିତ୍ୱ ବହନ କରିବାକୁ ପଡ଼ିଲା । ଜୀବିକାର୍ଜନ ସଙ୍ଗେ ସଙ୍ଗେ ସହାୟ ଲୋଡ଼ୁଥିବା ମନୁଷ୍ୟର ସେବା କରିପାରିବା ଲାଗି ସେ ଡାକ୍ତର ହେବାପାଇଁ ପାଠ ପଢ଼ିଲେ । ପାଠ ପଢ଼ିବା ସହିତ ତାଙ୍କୁ ଆପଣାର ଓ ଆପଣା ପରିବାରର ଭରଣପୋଷଣ ଲାଗି ଟିଉସନ୍ କରିବାକୁ ପଡ଼ୁଥିଲା । ଅବସର ସମୟ କହିଲେ ସାଧାରଣତଃ ଆମେ ଯାହା ବୁଝିଥାଉଁ, ହେନ୍‌ରିକ୍ ତରୁଣ ବୟସରେ ସେପରି କୌଣସି ଅବସର ସମୟର ସ୍ୱାଦ ପାଇବାରୁ ବଞ୍ଚିତ ହୋଇ ରହିଥିଲେ । ତତ୍‌ପରିବର୍ତ୍ତରେ ସେ ଦାରିଦ୍ର୍ୟର ସ୍ୱାଦ ପାଇଥିଲେ, ତିକ୍ତ ଓ ନଗ୍ନ ବାସ୍ତବତାର ସ୍ୱାଦ ପାଇଥିଲେ, ନାନା ପ୍ରସ୍ତରପଥର ପ୍ରସ୍ତୁତିଯାତ୍ରାରେ ଆପଣା ଜୀବନର ସୁନାକୁ କଷିବାର ଅନେକ ସୁଯୋଗ ପାଇଥିଲେ । ଶିକ୍ଷାପ୍ରାପ୍ତି ପରେ ଜଣେ ଡାକ୍ତର ହିସାବରେ ପ୍ରଖ୍ୟାତି ଲାଭ କରିବାକୁ ତାଙ୍କୁ ଆଦୌ ଅଧିକ ସମୟ ଲାଗି ନ ଥିଲା । ଉପାର୍ଜନର ପନ୍ଥାମାନ ଶତମୁଖ ହୋଇ ତାଙ୍କୁ ସହଜ ସଫଳତାର ଯାଦୁରେ ବଶ କରି ରଖିବାର ସବୁପ୍ରକାର ଫିକର କରିଥିଲା । ବଡ଼ ବଡ଼ ଘରର ସାମନ୍ତ ଓ ସାମନ୍ତାଣୀମାନେ ତାଙ୍କରିଦ୍ୱାରା ଚିକିତ୍ସିତ ହେବାକୁ ମୁକ୍ତ ହସ୍ତ ହୋଇ ରହିଥିଲେ । କିନ୍ତୁ ଡାକ୍ତର ହେନ୍‌ରିକ୍‌ଙ୍କର ଡାକ୍ତର-ମନ ଏକ ସଂପୂର୍ଣ୍ଣ ଅନ୍ୟ ଧାତୁରେ ଗଢ଼ା ହୋଇଥିଲା । ଡାକ୍ତର ହୋଇ ସେ ଧନୀ ହେବାକୁ ଚାହୁଁନଥିଲେ; ଅସହାୟ ମଣିଷର ସେବା କରିବାକୁ ଚାହୁଁଥିଲେ । ତେଣୁ କେଉଁଠି ତାଙ୍କ ବିଦ୍ୟା ଓ ତାଙ୍କ ପରିଚର୍ଯ୍ୟାର ସର୍ବାଧିକ ପ୍ରୟୋଜନ ରହିଥିଲା, ସେ ପ୍ରଧାନତଃ ସେହିଆଡ଼କୁ ହିଁ ସବୁଠାରୁ ଅଧିକ ଅଧିକ ଟାଣି ହୋଇ ଯାଉଥିଲେ ।

 

ଶିଶୁ-ରୋଗର ଚିକିତ୍ସା ଡାକ୍ତର ହେନ୍‌ରିକ୍‌ଙ୍କର ବିଶେଷ କ୍ଷେତ୍ର ଥିଲା । କିନ୍ତୁ ତାଙ୍କର କର୍ମକ୍ଷେତ୍ରରେ ଚାରିଆଡ଼କୁ ଅନାଇ ସେ ଏପରି ହଜାର ହଜାର ପିଲାଙ୍କର ସମ୍ପର୍କରେ ଆସୁଥିଲେ, ଯେଉଁମାନେ କି ଏକ ଅସୁସ୍ଥ ସମାଜବ୍ୟବସ୍ଥା ଦ୍ୱାରା ନାନା ଭାବରେ ପରିତ୍ୟକ୍ତ ହୋଇ ରହିଥିଲେ । ବିଶେଷତଃ ଇହୁଦୀ ପିଲାମାନେ ଏହିଦିଗରୁ ସବୁଠାରୁ ଅଧିକ ଅବହେଳାର ପ୍ରପୀଡ଼ନ ସହ୍ୟ କରୁଥିଲେ । ପରିଷ୍କାର ପରିଚ୍ଛନ୍ନ ଜୀବନ, ସୁଯୋଗ୍ୟ ଶିକ୍ଷାଲବ୍‌ଧ ଜୀବନଶୃଙ୍ଖଳା ଓ ଏକ ମୁକ୍ତ, ମନୁଷ୍ୟଧର୍ମୀ ବାୟୁମଣ୍ଡଳ ଭିତରେ ଜୀବନର ସରସ ବିକାଶ–ଅନେକ ପିଲାଙ୍କ ଲାଗି କେବଳ ଆକାଶ-କୁସୁମ ହୋଇ ରହିଥିଲା । ପିଲାଙ୍କର ଜୀବନରେ ସୁସ୍ଥ ଜୀବନର ମୂଳଦୁଆ ନ ପଡ଼ିବା ପର୍ଯ୍ୟନ୍ତ କେବଳ ରୋଗର ଲକ୍ଷଣ ଦେଖି ଔଷଧ ଖଞ୍ଜି ଦେଉଥିବା ଡାକ୍ତର କେତେ ଦୂର ସେମାନଙ୍କର ଆରୋଗ୍ୟ ବିଧାନ କରିପାରିବ ? ଡାକ୍ତରର ଔଷଧ ଖାଇ ଆରୋଗ୍ୟ ଲାଭ କରିବାର ସାମର୍ଥ୍ୟ ବା କେତେ ପିଲାଙ୍କ ଲାଗି ସମ୍ଭବ ହେବ ? ଏହିପରି ଏକ କର୍ମକ୍ଷେତ୍ରଗତ ଦ୍ୱନ୍ଦର ଉତ୍ତର ଦେବାକୁ ଯାଇ ଡାକ୍ତର ହେନ୍‌ରିକ୍‌ ଡାକ୍ତରୀ ଧନ୍ଦା ଛାଡ଼ି ଶିକ୍ଷକ ହେଲେ । ‘ଜାନୁସ୍ କାର୍‌ସାକ୍‌’ର ନୂତନ ନାମ ନେଇ ସେ ପିଲାଙ୍କ ଲାଗି ସାହିତ୍ୟ ଲେଖିଲେ । ପିଲାଙ୍କର ମନୁଷ୍ୟୋଚିତ ବିକାଶଲାଗି ସମାଜର ମନକୁ ଅଧିକ ସମ୍ୱେଦନଶୀଳ କରିବା ଉଦ୍ଦେଶ୍ୟରେ ସେ ସାହିତ୍ୟ ଲେଖିଲେ । ପ୍ରଧାନତଃ ବାପ-ମାଆ-ଛେଉଣ୍ଡ ଇହୁଦୀ ପିଲାଙ୍କ ଲାଗି ସେ ଗୋଟିଏ ବିଦ୍ୟାଳୟ ଆରମ୍ଭ କଲେ ଓ ସେଥିଲାଗି ସେ ଆପଣାର ସମସ୍ତ ଉପାର୍ଜନ ଓ ସକଳ ଶକ୍ତିକୁ ନିୟୋଜିତ କରିଥିଲେ । ତାଙ୍କର କର୍ମଗତ ଜୀବନ ତାଙ୍କ ସାହିତ୍ୟକୁ ପ୍ରେରଣା ଦେଉଥିଲା ।

 

ପ୍ରଥମ କେତେ ବର୍ଷର ଉଦ୍ୟମନିଷ୍ଠା ଫଳରେ ବିଦ୍ୟାଳୟଟି ସୁପ୍ରତିଷ୍ଠିତ ହୋଇ ପାରିଥିଲା । ବିଦ୍ୟାଳୟର ପ୍ରତିଷ୍ଠା ବଢ଼ିବା ସଙ୍ଗେ ସଙ୍ଗେ ଜଣେ ବଳିଷ୍ଠ ଲେଖକ ହିସାବରେ ମଧ୍ୟ କାର୍‌ସାକ୍‌ଙ୍କର ପ୍ରତିଷ୍ଠା ବଢ଼ିବାରେ ଲାଗିଲା । ବିଦ୍ୟାଳୟ ସକାଶେ ତାଙ୍କୁ କେତେକ ଯୋଗ୍ୟ ସହକର୍ମୀ ମଧ୍ୟ ମିଳିଲେ । ସମଗ୍ର ଦେଶରେ ବିଦ୍ୟାଳୟଟି ‘ଆମ ଘର’ (Nasz Dom) ନାମରେ ପ୍ରଖ୍ୟାତ ହୋଇଥିଲା । ପିଲାଙ୍କର ବିଦ୍ୟାଳୟ ପିଲାଙ୍କର ଘର ହୋଇପାରିବାକୁ ହେଲେ ପିଲାର ସମଗ୍ର ଜୀବନକୁ ହିଁ ବିଦ୍ୟାଳୟର ଧ୍ୟେୟଭୂମି କରି ରଖିବାକୁ ପଡ଼େ । ସେଠି ବିଦ୍ୟାର୍ଜନ କହିଲେ କେବଳ ବହିପାଠର ଗର୍ଭସ୍ଥ ଓ ଉଦ୍‌ଗାର କରିବାକୁ ବୁଝାଏ ନାହିଁ । ସେଠି ଶ୍ରଦ୍ଧାରେ ଦିଆଯାଏ ଓ ଶ୍ରଦ୍ଧାରେ ନିଆଯାଏ । ପିଲାଙ୍କର ଶରୀର, ମନ ଓ ହୃଦୟ–ଏହି ତିନୋଟିଯାକ ଭୂମିକୁ ଶିକ୍ଷିତ ଜୀବନର ମନୁଷ୍ୟଧର୍ମୀ ଦୃଷ୍ଟିଲାଗି ପାଗ କରିବାକୁ ପଡ଼େ । ଜୀବନର ଭଲ ଉପରେ ବିଶ୍ୱାସ ରଖି ସେହି ଭଲ ଲାଗି ଆପଣାକୁ ଉତ୍ସର୍ଗ କରିବାକୁ ହେଲେ ଯେକୌଣସି ବିଦ୍ୟାଳୟ ଯେତିକି ନିର୍ଭର (ନିର୍ଭରଶୀଳତା ନୁହେଁ) ଯୋଗାଇଦେଇ ପାରିବାର କଥା, କାର୍‌ସାକ୍‌ଙ୍କର ବିଦ୍ୟାଳୟରେ ସେତିକି ନିର୍ଭର ଲାଗି ସବୁପ୍ରକାର ଅନୁକୂଳତା ସୃଷ୍ଟି ହୋଇ ରହିଥିଲା । ଦିନେ ଜଣେ ଖ୍ୟାତିସମ୍ପନ୍ନ ଡାକ୍ତର ହିସାବରେ ଖ୍ୟାତିଲାଭ କରିଥିବା କାର୍‌ସାକ୍‌ ଏଠାରେ ଜଣେ ଶିକ୍ଷକ ହିସାବରେ ପିଲାଙ୍କର ବାଳ କାଟୁଥିଲେ, ହାତଗୋଡ଼ର ନଖ କାଟିଦେଇଥିଲେ । ବିଦ୍ୟାଳୟର ପରିବେଶଟିକୁ ସୁସ୍ଥ ଓ ସୁନ୍ଦର କରି ରଖିବା ଲାଗି ସେଠି ରହିଥିବା ଯାବତୀୟ କାର୍ଯ୍ୟକ୍ରମରେ ପିଲା ଓ ଶିକ୍ଷକଙ୍କର ସମ୍ମିଳିତ ଓ ପରସ୍ପର ପରିପୂରକ ଭାଗ ରହିଥିଲା ।

 

ମଣିଷର ପିଲାକୁ ସେ ପ୍ରଧାନତଃ କେଉଁ ଦୃଷ୍ଟିରେ ଦେଖନ୍ତି, ସେହି କଥାର ସୂଚନା ଦେଇ ଶ୍ରୀ କାର୍‌ସାକ୍‌ ଯାହା କହିଚନ୍ତି, ତାହା ଆମ ସମସ୍ତଙ୍କର ପ୍ରଣିଧାନଯୋଗ୍ୟ । ‘‘କବି ହେଉଚି ଏପରି ଏକ ବ୍ୟକ୍ତି ଯାହା ଭିତରେ କି ଅପାର ଆନନ୍ଦ ଓ ଅପାର ବେଦନା ଅନୁଭବ କରିବାର ଶକ୍ତି ରହିଛି । କେବଳ କବିହିଁ ବାସନାର ନିବିଡ଼ତମ ଶୀର୍ଷକୁ ଉଠିଯାଇପାରିବ । ଅନ୍ତରର ସକଳ ଉଷ୍ଣତା ଦେଇ ଭଲ ପାଇପାରିବ । କେବଳ କବିର ଜୀବନ ଭିତରେ ଗଭୀର ଅନୁଭୂତି ଓ ସହାନୁଭୂତି ସମ୍ଭବ ହୋଇପାରିବ । ପୁଣି କବି ଯେମତି ପିଲାମାନେ ମଧ୍ୟ ସେମିତି । ଦାର୍ଶନିକ ହେଉଛି ଏପରି ଜଣେ ବ୍ୟକ୍ତି, ଯେ କି କଳ୍ପନାର ଖିଅ ପ୍ରସାରି ଦେଇ କେତେ କୁଆଡ଼େ ଭାସିଯାଇପାରିବ । କେବଳ ଦାର୍ଶନିକ ଭିତରେ ହିଁ ଯାବତୀୟ ଜଗତର ଅନ୍ତର୍ସତ୍ୟଟିକୁ ଯଥାର୍ଥଭାବରେ ଜାଣିବାର ବାସନା ସଚଳ ହୋଇ ରହିଥାଏ । ଏହି କ୍ଷେତ୍ରରେ ମଧ୍ୟ ଦାର୍ଶନିକ ଯେମିତି, ପିଲାଏ ବି ସେମିତି । ଆପଣାର ଅନୁଭୂତି ଓ ବିଚାର ଶବ୍ଦଦ୍ୱାରା ପ୍ରକାଶ କରିବାକୁ ପଡ଼ିଲାବେଳେ ପିଲାମାନେ ସାଧାରଣତଃ ସହଜରେ ତାହା କରିପାରନ୍ତି ନାହିଁ । ଏସବୁକୁ ଲିପିବଦ୍ଧ କରିପାରିବା ସେମାନଙ୍କ ପକ୍ଷରେ ଅଧିକ ଦୁଷ୍କର ହୋଇପଡ଼େ । କିନ୍ତୁ ତଥାପି ପିଲାଏ ହେଉଛନ୍ତି କବି, ପିଲାଏ ହେଉଛନ୍ତି ଦାର୍ଶନିକ ।’’

 

କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ ଯେ କବି ଓ ଦାର୍ଶନିକ ମନ ନେଇ ସଂସାରକୁ ଆସିଥିବା ଶିଶୁର ମନ ଉପରେ ଆମ ପୃଥିବୀରେ ବୟସ୍କ ମନର ଦୌରାତ୍ମ୍ୟ ଚାଲିଛି । ଶ୍ରୀ କାର୍‌ସାକ୍‌ ପିଲାମାନଙ୍କୁ ହିଁ ସଂସାରର ସର୍ବପୁରାତନ ସର୍ବହରା ଶ୍ରେଣୀ ବୋଲି ବର୍ଣ୍ଣନା କରିଛନ୍ତି । ପିଲାମାନେ ସରସ ଓ ସଂପୂର୍ଣ୍ଣ ଭାବରେ ମଣିଷ ହୋଇ ବଢ଼ିବାଲାଗି ଯେଉଁ ସଂପୂର୍ଣ୍ଣ ବାତାବରଣ ଦରକାର, ସେମାନଙ୍କୁ ସେଥିରୁ ନାନାଭାବେ ବଞ୍ଚିତ କରି ରଖାଯାଇଛି । ବୟସ୍କ ବୃଦ୍ଧମନର ରାଜତ୍ୱ ଶିକ୍ଷାକାର୍ଯ୍ୟରେ ନାନାବିଧ କର୍କଶ ଜୀବନବିରୋଧୀ ଛାଞ୍ଚର ଅବତାରଣା କରି ପିଲାକୁ ବୁଢ଼ା କରିଦେବାର ମନ୍ଦାଭିପ୍ରାୟ ପୋଷଣ କରିଛି । ଜାତି ଓ ଜାତୀୟତାବାଦ, ଧର୍ମ ଓ ଧର୍ମଶୃଙ୍ଖଳା ନାମରେ ପିଲାର ମନ ଆଉ ଯେପରି ହୋଇଥାଉ ପଛକେ, ମୁନୁଷ୍ୟୋଚିତ ମାର୍ଗରେ ବିକସିତ ହେବାରୁ ବଞ୍ଚିତ ହୋଇରହିଛି । ଶ୍ରଦ୍ଧା ପାଇବାଠାରୁ ସେ ସମ୍ପତ୍ତି ହୋଇ ଅଧିକ ରହିଚି । ୧୯୧୦ ମସିହାରେ ଶ୍ରୀ କାର୍‌ସାକ୍‌ ଶିଶୁମାନଙ୍କ ଲାଗି ଏକ ମୁକ୍ତିସନନ୍ଦ (Magna Carta Liberalis) ପ୍ରଣୟନ କରିବା ସକାଶେ ଚେଷ୍ଟା କରିଥିଲେ । ଜାତି, ଧର୍ମ ଓ ବାଦ ନିର୍ବିଶେଷରେ ଆମ ପୃଥିବୀର ପ୍ରତ୍ୟେକ ଶିଶୁ ମଣିଷ ହୋଇ ବଢ଼ିବାଲାଗି ତା’ର ଯେଉଁସବୁ ଅଧିକାର ରହିବା ଉଚିତ, ସେହି ସନନ୍ଦରେ ସେଗୁଡ଼ିକୁ ଉଲ୍ଲେଖ କରାଯାଇଥିଲା ।

 

‘ଜୀବନ ବିଦ୍ୟାଳୟ’ର ଶୀର୍ଷକରେ ଶ୍ରୀ କାର୍‌ସାକ୍‌ ଧାରାବାହିକ ଭାବରେ କେତେଗୁଡ଼ିଏ ପ୍ରବନ୍ଧ ଲେଖିଥିଲେ । ପିଲାମାନଙ୍କ ସକାଶେ ଯେଉଁ ନୂତନ ଶିକ୍ଷାର ପ୍ରଣୟନ କରାଯିବା ଉଚିତ ଓ ଯେଉଁ ନୂତନ ରୀତିରେ ସେମାନଙ୍କର ଲାଳନପାଳନ କରାଯିବା ଉଚିତ, ପ୍ରବନ୍ଧଗୁଡ଼ିକରେ ସେ ତାହାରି ଚର୍ଚ୍ଚା କରିଥିଲେ । ତାଙ୍କ ମତରେ ପ୍ରକୃତ ଶିକ୍ଷା ପିଲାକୁ ଜୀବନଠାରୁ ବିଚ୍ୟୁତ କରି ନେଇଯିବା ପରିବର୍ତ୍ତେ ଜୀବନର ନାନା ଜଟିଳତାର ସମ୍ମୁଖୀନ ହେବାଲାଗି ତାକୁ ଯୋଗ୍ୟ ଓ ବଳୀୟାନ କରିବା ଉଚିତ । ଆପଣାର ଜୀବନ ତଥା ବୃହତ୍ତର ପୃଥିବୀକୁ ଅଧିକ ଉନ୍ନତ ଓ ସମୃଦ୍ଧ କରି ଗଢ଼ିବାଲାଗି ପ୍ରତ୍ୟେକ ମଣିଷ ଯେପରି ନିରନ୍ତର ଆଗ୍ରହୀ ଓ ଅନ୍ୱେଷୀ ହୋଇରହିବ, ନୂତନ ଶିକ୍ଷା ମଣିଷକୁ ପିଲାଟିବେଳୁ ସେହିଭଳି ଗଢ଼ିବାର ପ୍ରୟାସ କରିବା ଉଚିତ । ଶିକ୍ଷା ମଣିଷକୁ ଗେଲବସର କରି ପକାଇବ ନାହିଁ; ବଳିଷ୍ଠ କରିବ । ଶିକ୍ଷିତ ମଣିଷକୁ ଜୀବନର ଆହ୍ୱାନ ଗୁଡ଼ିକର ସମ୍ମୁଖୀନ ହେବା ପରିବର୍ତ୍ତରେ ଜୀବନଠାରୁ କେବଳ ଆରାମ ଖୋଜିବାକୁ ଯିବନାହିଁ । ଶିକ୍ଷା ମଣିଷର ପିଲାକୁ କେବଳ ମାନିନେବାକୁ ଶିଖାଇବ ନାହିଁ, ବାବୁ ତିଆରି କରିବନାହିଁ; ମାତ୍ର କର୍ମଠ ସମର୍ପଣବ୍ରତୀ ମଣିଷ ତିଆରି କରିବ । ମଣିଷକୁ ମେଣ୍ଢା କରିଦେବ ନାହିଁ, ମାତ୍ର ମଣିଷପରି ଗଢ଼ିବ-

 

ବିଦ୍ୟାଳୟର ଶିକ୍ଷା ସମାପ୍ତ କରି ପୃଥିବୀର ବୃହତ୍ତର ବିଦ୍ୟାଳୟରେ ପ୍ରବେଶ କଲାବେଳେ ପ୍ରତ୍ୟେକ ବିଦ୍ୟାର୍ଥୀକୁ ଶ୍ରୀ କାର୍‌ସାକ୍‌ ନିମ୍ନଲିଖିତ ସମାବର୍ତ୍ତନ ସନ୍ଦେଶ ଦେଇ ତାହାକୁ ବିଦାୟ ଦେଉଥିଲେ: ଏହି ବିଦ୍ୟାଳୟରେ ଆମେ ତୁମକୁ କୌଣସି ଭଗବାନ ଦେବାକୁ ଚେଷ୍ଟା କରିନାହୁଁ; କାରଣ ତୁମକୁହିଁ ସେହି ଭଗବାନଙ୍କର ସନ୍ଧାନ କରିବାକୁ ପଡ଼ିବ ଏବଂ ଆପଣା ଜୀବନର ଅନ୍ତର୍ଗତ କ୍ଷେତ୍ରରେ ତାହାଙ୍କୁ ଲାଭ କରିବାକୁ ପଡ଼ିବ । ତୁମକୁ ଆମେ ଦେଶ ବୋଲି କୌଣସି ପଦାର୍ଥ ଦେଇନାହୁଁ, କାରଣ ତୁମକୁ ଆପେ ବାଛି ଆପଣାର ଦେଶ ଗ୍ରହଣ କରିବାକୁ ପଡ଼ିବ । ଆପଣା ବିବେକ ଓ ହୃଦୟର ଶକ୍ତିଦ୍ୱାରା ତୁମକୁ ଆପଣା ଦେଶ ବାଛିନେବାକୁ ପଡ଼ିବ । ତୁମର ପସରା ଭିତରେ ଆମେ ମଣିଷପ୍ରତି କୌଣସି ପ୍ରୀତିଭାବନାକୁ ଆଣି ଅଜାଡ଼ି ଦେଇନାହୁଁ: କାରଣ କ୍ଷମା ବିନା କୌଣସି ପ୍ରେମ ବା ପ୍ରୀତିଭାବନା କଦାପି ସମ୍ଭବ ହୋଇନପାରେ । କଠିନ ପରିଶ୍ରମଦ୍ୱାରା ତୁମକୁ ଏହି ପ୍ରେମର ଅନ୍ୱେଷଣ କରିବାକୁ ପଡ଼ିବ । କିନ୍ତୁ ତୁମକୁ ଆମେ ଗୋଟିଏ କଥା ଅବଶ୍ୟ ଦେଇଛୁ । ତୁମକୁ ଆମେ ଏକ ସମୃଦ୍ଧତର ଓ ସାର୍ଥକତର ଜୀବନଲାଗି ଅଭିଳାଷ ଓ ଆକାଙ୍‌କ୍ଷା ଦେଇଛୁ । ସତ୍ୟ ଓ ନ୍ୟାୟର ଭିତ୍ତି ଉପରେ ଏହି ଉନ୍ନତତର ଜୀବନର ପ୍ରତିଷ୍ଠା ହେବ । ଏହିପରି ଏକ ଜୀବନକୁ ଆପେ ଗଢ଼ିବାର ଆହ୍ୱାନ ତୁମ ଆଗରେ ସବୁବେଳେ ରହିଛି ଏବଂ ତୁମକୁ ଅବଶ୍ୟ ତାର ସମ୍ମୁଖୀନ ହେବାକୁ ପଡ଼ିବ । ଆମେ ଆଶା କରୁଛୁ ଯେ ଏହି ଆକାଙ୍‌କ୍ଷା ତୁମକୁ ଭଗବାନଙ୍କର ପାଖକୁ ବହନ କରିନେବ । ତୁମ ଦେଶ ପାଖକୁ ଓ ପ୍ରେମର ସାମ୍ରାଜ୍ୟ ମଧ୍ୟକୁ ତୁମକୁ ବହନ କରି ନେଇଯିବ ।

 

ଦ୍ୱିତୀୟ ମହାଯୁଦ୍ଧର ଆରମ୍ଭ ବେଳକୁ ଶ୍ରୀଯୁକ୍ତ କାର୍‌ସାକ୍‌ ସମଗ୍ର ପୋଲାଣ୍ଡରେ ଜଣେ ସୁଲେଖକ ଓ ଶିକ୍ଷାବିତ୍‌ ଭାବରେ ପ୍ରସିଦ୍ଧ ହୋଇପାରିଥିଲେ । ତାଙ୍କର ବିଦ୍ୟାଳୟଟି ମଧ୍ୟ ସୁବିଦିତ ହୋଇସାରିଥିଲା । ବିଦ୍ୟାଳୟଟିକୁ ଏକ ମହାନ୍‌ ଜାତୀୟ ଅନୁଷ୍ଠାନ ବୋଲି ମନେକରି ସମସ୍ତେ ମୁକ୍ତହସ୍ତରେ ସବୁପ୍ରକାର ସାହାଯ୍ୟ ମଧ୍ୟ କରୁଥିଲେ । କିନ୍ତୁ ଦ୍ୱତୀୟ ମହାଯୁଦ୍ଧ ଆରମ୍ଭ ହେବା ସଙ୍ଗେ ସଙ୍ଗେ ପୋଲାଣ୍ଡର ମଣିଷ ସମୂହର ଭାଗ୍ୟ ଉପରେ ଘୋର ଦୁର୍ଦ୍ଦିନର ମେଘ ଆଚ୍ଛନ୍ନ କରିଆସିଲା । ଜର୍ମାନୀକୁ ବିଶ୍ୱବିଜୟୀ ଭାବରେ ପ୍ରତିଷ୍ଠିତ କରିବାକୁ ବାହାରିଥିବା ହିଟ୍‌ଲର୍‌ ପୋଲାଣ୍ଡ ଦେଶକୁ ଏକ ମୃତ୍ୟୁଖାତରେ ପରିଣତ କରିବାର ଯୋଜନା ନେଇ ବାହାରିଥିଲେ । ସମଗ୍ର ୟୁରୋପରେ ଇହୁଦୀମାନଙ୍କର କ୍ରୂର ମହାସଂହାର ଆରମ୍ଭ ହୋଇଥିଲା । ଇହୁଦୀମାନଙ୍କୁ ଅପମଣିଷ ବୋଲି ଘୃଣାକରି ଇଉରୋପୀୟ ଧର୍ମବିଶ୍ୱାସରେ ଯେଉଁ ବିପଜ୍ଜନକ ପରମ୍ପରାଟି ରହିଆସିଥିଲା, ହିଟ୍‌ଲର୍‌ ଶାସିତ ଜର୍ମାନୀ ତାହାର ସୁଯୋଗ ନେଇ ଏଥର ଇହୁଦୀମାନଙ୍କୁ ସମୂଳେ ଲୁପ୍ତ କରି ୟୁରୋପର ଲୋକଜୀବନକୁ ବିଶୋଧିତ କରିବାର ଦାମ୍ଭିକ ଯୋଜନା ନେଇ ବାହାରିଲା । ହିଟ୍‌ଲର୍‌ ଅଧିକୃତ ପ୍ରତ୍ୟେକ ରାଜ୍ୟରେ ଇହୁଦୀମାନଙ୍କୁ ଅବଶିଷ୍ଟ ନାଗରିକଙ୍କର ଜୀବନରୁ ଅଲଗା କରିଦିଆଗଲା । ସେମାନଙ୍କୁ ନାନାପ୍ରକାର ଅପମାନମୂଳକ ନିୟମ ମାନିବାକୁ ବାଧ୍ୟ କରାଗଲା । ସେମାନଙ୍କୁ ଚିହ୍ନାଇ ଦେବାଲାଗି ନାନା ଲାଞ୍ଛନାମୂଳକ ଉପାୟ ମଧ୍ୟ ଉଦ୍‌ଭାବିତ ହେଲା । ପିଲା, ବଡ଼, ପୁରୁଷ , ସ୍ତ୍ରୀ ସମସ୍ତଙ୍କୁ ବାହାରକୁ ବାହାରିବାବେଳେ ହାତରେ ହଳଦିଆ ରଙ୍ଗର ପଟି ବାନ୍ଧି ବହାରିବାକୁ ପଡ଼ିଲା, ଯେପରିକି ଅନ୍ୟମାନେ ସେମାନଙ୍କୁ ଇହୁଦୀ ବୋଲି ଚିହ୍ନିପାରିବେ ଓ ସେମାନଙ୍କର ସଂକ୍ରମଣରୁ ଆପଣାକୁ ଦୂରେଇ ରଖିପାରିବେ । ଦୁର୍ଭାଗ୍ୟବିଜିତ ଦେଶ ପୋଲାଣ୍ଡରେ ମଧ୍ୟ ଏହି ବ୍ୟବସ୍ଥା ଜାରି କରାଯାଇଥିଲା । ଶିକ୍ଷକ କାର୍‌ସାକ୍‌ ଇହୁଦୀ ହେଲେ ମଧ୍ୟ ଅପମାନମୂଳକ ହଳଦିଆ ପଟି ପିନ୍ଧିବାକୁ ନାସ୍ତିକରି ଦେଇଥିଲେ । ଥରେ ଜର୍ମାନ୍‌ ପୋଲିସ ଏହି ବିଷୟରେ ତାଙ୍କଠାରୁ କୈଫିୟତ୍‌ ମାଗିବାରୁ ସେ ଶାନ୍ତ ଅଥଚ ନିର୍ଭୀକ ଭାବରେ ଜବାବ ଦେଇ କହିଥିଲେ, ‘‘ଦି’ ଦିନ ସକାଶେ ସଂସାରକୁ ଆସିଥିବା ମଣିଷ ଯେଉଁସବୁ ବିଧାନ ତିଆରି କରିଥାଏ, ସେସବୁ ହେଉଛି ଅସ୍ଥାୟୀ । ତାହା କଦାପି ଚିରଦିନଳାଗି ବଳବତ୍ତର ରହିପାରେ ନାହିଁ । କିନ୍ତୁ ଅପର ପକ୍ଷରେ ଟାଣପଣ ଦେଖାଇଲେ ମଧ୍ୟ ସେଗୁଡ଼ିକ ଟାଳିବାଲାଗି କାହାରି ଶକ୍ତି ନାହିଁ । ମୁଁ କେବଳ ସେହି ଭଗବତ୍‌ ବିଧାନଗୁଡ଼ିକ ଉପରେ ବିଶ୍ୱାସ କରେ । ମୁଁ କେବଳ ସେହି ଗୁଡ଼ିକୁ ହିଁ ପାଳନ କରିଥାଏ ।’’

 

ସମଗ୍ର ପୋଲାଣ୍ଡ ଉପରେ ସେତେବେଳେ ନାତ୍‌ସିବାଦୀ ଜର୍ମାନୀର ଉଗ୍ରଶାସନ ଦଣ୍ଡ ଲଦିହୋଇ ରହିଥାଏ । ସମଗ୍ର ଇଉରୋପରେ ଇହୁଦୀ ଜାତିର ମୂଳୋତ୍ପାଟନ ଘୋଷଣା କରି ହିଟ୍‌ଲର୍‌ର ସମରବାହିନୀ ମାରଣ ଅଭିଯାନମାନ ଆରମ୍ଭ କରି ଦେଇଥାଏ । ଇଉରୋପର ଅସାମରିକ ଅଧିବାସୀମାନେ ଭୟଗ୍ରସ୍ତ ହୋଇରହିଥାନ୍ତି । ମୌନ ରହି ଏହି ବର୍ବରତାକୁ ଦେଖିବା ଓ ଯଥାସମ୍ଭବ ଆପଣାର ପ୍ରାଣରକ୍ଷା କରିବାକୁ ହିଁ ସେମାନେ ନିରାପଦତମ ତାତ୍‌କାଳିକ ଧର୍ମ ବୋଲି ବିଚାରୁଥାନ୍ତି । ଏପରି ପରିସ୍ଥିତିରେ ଶ୍ରୀ କାର୍‌ସାକ୍‌ଙ୍କର ବିଦ୍ୟାଳୟ ଜୀବନମରଣ ସମସ୍ୟାର ସମ୍ମୁଖୀନ ହେଲା । ଏତେ ପିଲାଙ୍କ ଲାଗି ଖାଦ୍ୟ, ବସ୍ତ୍ର ଓ ସର୍ବୋପରି ଅଭୟର ବ୍ୟବସ୍ଥା କରିବାକୁ ହେବ । କାର୍‌ସାକ୍‌ ତଥାପି ସବୁପ୍ରକାର ଦୈତ୍ୟଶକ୍ତିର ପ୍ରବଳତା ସମ୍ମୁଖରେ ଆପଣାର ଶିକ୍ଷକଧର୍ମ ଉପରେ ବିଶ୍ୱାସ ରଖିଥିଲେ ଓ ଆପଣାର ସକଳ ଉଦ୍ୟମ ଦେଇ ପିଲାମାନଙ୍କୁ ବଞ୍ଚାଇ ରଖିବାକୁ ପଣ ଗ୍ରହଣ କରିଥିଲେ । କ୍ରମେ ବିଦ୍ୟାଳୟ ଉପରକୁ ଅନାହାର ଘୋଟି ଆସିଲା, ବିଦ୍ୟାଳୟର ପିଲାଏ ଖାଦ୍ୟ ଅଭାବରୁ ପଳ ପଳ କରି ମରିବାକୁ ଆରମ୍ଭ କଲେ । ହିଟଲର-ଅଧିକୃତ ପ୍ରତ୍ୟେକ ଦେଶରେ ସେତେବେଳେ ଯେଉଁ ଇହୁଦୀମେଧ ଯଜ୍ଞ ଚାଲିଥିଲା, ତାହାର ଆତଙ୍କପୂର୍ଣ୍ଣ କାହାଣୀମାନ ମଧ୍ୟ ବିଦ୍ୟାଳୟ ଭିତରେ ଆସି ପହଞ୍ଚିବାକୁ ଆଦୌ ବିଳମ୍ବ ଲାଗିଲା ନାହିଁ । ସେହି ଅଳ୍ପ କେତେଟା ବର୍ଷର ମାରଣ ଯୋଜନାରେ ହିଟ୍‌ଲର୍‌ଙ୍କର ଜର୍ମାନୀବାହିନୀର ସର୍ବମୋଟ ଷାଠିଏ ଲକ୍ଷ ଇହୁଦୀଙ୍କର ପ୍ରାଣ ନେଇଥିବାର ହିସାବ କରାଯାଇଛି । ଏଥିରେ ପ୍ରାୟ ଦଶ ଲକ୍ଷ ଇହୁଦୀ ପିଲାଙ୍କର ପ୍ରାଣ ସମ୍ମିଳିତ ହୋଇରହିଛି । ଏପରିସ୍ଥଳେ ଗୋଟାଏ ସହରର ଗୋଟାଏ ବିଦ୍ୟାଳୟରେ ଇହୁଦୀପିଲା ଓ ଶିକ୍ଷକମାନେ ଏହି ମରଣବାତ୍ୟାକୁ ଏଡ଼ି ରଖନ୍ତେ ବା କିପରି ? ତଥାପି ଶ୍ରୀ କାର୍‌ସାକ୍‌ ପିଲାମାନଙ୍କୁ ଆପଣାର ଅଭୟନୀଡ଼ ଭିତରେ ଶେଷ ପର୍ଯ୍ୟନ୍ତ ଆଶ୍ୱାସନା ଦେଇ ରଖିବାକୁ ଚେଷ୍ଟା କରୁଥିଲେ । ସାନମାନେ ତାଙ୍କର ଏହି ଆଶ୍ୱାସନାରେ ବିଶ୍ୱାସ ଯାଉଥିଲେ; କିନ୍ତୁ ବଡ଼ମାନେ ବିଶ୍ୱାସ ଯାଉନଥିଲେ । ବଡ଼ ସାନ, ଛାତ୍ର ଓ ଶିକ୍ଷକ ସମସ୍ତେ ଅନାହାରର ସମ୍ମୁଖୀନ ହୋଇ କ୍ରମେ ଏକ କ୍ରୂର ଅଦୃଷ୍ଟର ନିକଟବର୍ତ୍ତୀ ହୋଇଆସୁଥିବା ପରି ଅନୁଭବ କରୁଥିଲେ ।

 

ସେତେବେଳେ ପୃଥିବୀର ଇହୁଦୀମାନେ ମଧ୍ୟପ୍ରାଚ୍ୟର ପୁରାତନଭୂମି ଉପରେ ଆପଣା ଜାତୀୟ ଭୂଖଣ୍ଡ ଇସ୍ରାଏଲର ସ୍ଥାପନାରେ ଲାଗିପଡ଼ିଥାନ୍ତି । କେତେ କେତେ ଇହୁଦୀ ନୂତନ ଆଶା ନେଇ ଏହି ନୂତନ ସୁଖପ୍ରସବିନୀ ଭୂମିକୁ ଲେଉଟି ଆସୁଥାନ୍ତି । ଶ୍ରୀ କାର୍‌ସାକ୍‌ ଆଗରୁ ଥରେ ଏହି ଇସ୍ରାଏଲ୍‌ର ପରିଦର୍ଶନରେ ବି ଯାଇଥିଲେ ଓ ଇହୁଦୀ ଜାତିର ନୂତନ ଭାଗ୍ୟକୁ ଆପଣାର ସମ୍ଭାବନାମୟ ଗର୍ଭରେ ସମ୍ଭାଳି ଧରିଥିବା ଏହି ଭୂମିଟି ବିଷୟରେ ପ୍ରେରଣାମୁଗ୍‌ଧ ଭାବରେ କେତେ କଣ କଳ୍ପନା ମଧ୍ୟ କରିଥିଲେ । ଦ୍ୱିତୀୟ ମହାଯୁଦ୍ଧ ଓ ପୋଲାଣ୍ଡର ହିଟ୍‌ଲର୍‌ ଶାସନର ପରିଣାମ ସ୍ୱରୂପ ଯେତେବେଳେ ତାଙ୍କର ଜୀବନ ଓ ତାଙ୍କର ବିଦ୍ୟାଳୟର ଭାଗ୍ୟ ବିପନ୍ନ ହୋଇପଡ଼ିଥିଲା, ସେତେବେଳେ ତାଙ୍କର ଅନେକ ବନ୍ଧୁ ତାଙ୍କୁ ପୋଲାଣ୍ଡ ଛାଡ଼ି ଇସ୍ରାଏଲ ଚାଲିଯିବାକୁ ପ୍ରବର୍ତ୍ତାଇଥିଲେ ଓ ସେଠାରେ ନୂତନ ଜାତୀୟତାର ନିର୍ମାଣରେ ନେତୃତ୍ୱ ନେବାଲାଗି ତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଆପନ୍ନ ଯେକୌଣସି ବ୍ୟକ୍ତି ପକ୍ଷରେ ସେତେବେଳେ ଏହାଠାରୁ ଅଧିକ ନିରାପଦ କୌଣସି ପନ୍ଥାର ଚିନ୍ତା ହିଁ କରାଯାଇପାରିନଥାନ୍ତା । କିନ୍ତୁ ଶ୍ରୀଯୁକ୍ତ କାର୍‌ସାକ୍‌ ଏହି ନିରାପଦ ପନ୍ଥାରେ ଯିବାଲାଗି ଅସ୍ୱୀକାର କଲେ । ଶିକ୍ଷକର ବିଦ୍ୟାଳୟ ଯେଉଁଠି, ତାର ଦେଶ ମଧ୍ୟ ସେଇଠି । ଶିକ୍ଷାର୍ଥୀମାନଙ୍କର ଜୀବନ ଲାଗି ଶିକ୍ଷକ ସମ୍ପୂର୍ଣ୍ଣ ଭାବରେ ଦାୟୀ । ଶିକ୍ଷାର୍ଥୀମାନଙ୍କର ଜୀବନକୁ ବିପନ୍ନ କରି ନୀଡ଼ ଛାଡ଼ି ପଳାଇଯିବାଦ୍ୱାରା ଶିକ୍ଷକ କଦାପି ସ୍ୱଧର୍ମ ପାଳନ କରିପାରିବ ନାହିଁ । ହୁଏତ ଏହିପରି ଜୀବନଧର୍ମୀ ଯୁକ୍ତିଗୁଡ଼ିକଦ୍ୱାରା ପ୍ରଭାବିତ ହୋଇ ଶ୍ରୀ କାର୍‌ସାକ୍‌ ଆପଣାର କ୍ଷେତ୍ର ଛାଡ଼ି ନିରାପତ୍ତାର ଲାଳସାରେ ଅନ୍ୟତ୍ର ଯିବାକୁ ନାସ୍ତି କରିଦେଲେ । ସମ୍ବେଦନଶୀଳ ଶିକ୍ଷକଧର୍ମର ଆହ୍ୱାନ ଆଗରେ ଉଜ୍ଜ୍ୱଳ ଜାତିଭବିଷ୍ୟର ଭୂମି ଇସ୍ରାଏଲର ଆହ୍ୱାନ ହାର ମାନିଲା ।

 

ଇଂରେଜୀରେ ଯାହାକୁ Concentration Camp ବୋଲି କୁହାଯାଏ, ଓଡ଼ିଆରେ ତାହାକୁ କେବଳ ବନ୍ଦାଶିବିର ବୋଲି କହିଲେ ଆମେ ସେ ବିଷୟରେ କୌଣସି ପ୍ରକୃତ ଧାରଣା କରିପାରିବା ନାହିଁ । କୌଣସି ଅଧିକ ଉପଯୁକ୍ତ ଶବ୍ଦର ଅଭାବରୁ ଆମେ ଏହାକୁ ମାରଣପେଣ୍ଠ ବୋଲି କହିପାରିବା । ପ୍ରଧାନତଃ ଏହି ପେଣ୍ଠଗୁଡ଼ିକରେ ଇହୁଦୀମାନଙ୍କୁ ଅତି ଅସହାୟ ଓ ଅକିଞ୍ଚନ ଅବସ୍ଥାରେ ମରାଯାଇଛି । ଜର୍ମାନୀ ଅଧିକୃତ ଇଉରୋପରେ ମାରଣପେଣ୍ଠ ରୂପେ ବ୍ୟବହୃତ ହୋଇଥିବା ବନ୍ଦୀଶାଳାଗୁଡ଼ିକ ମଧ୍ୟରୁ ବେଆର୍ଗେନ ବେଲସେନ୍‌, ଆଉସ୍‌ଭିତଜ୍‌, ସାକ୍‌ସେନ୍‌ ହାଉସେନ ଓ ଟ୍ରେବ୍‌ଲିଙ୍କା ନାମଗୁଡ଼ିକ ଆଜି ମଧ୍ୟ ବର୍ବର କ୍ଷମତାପନ୍ନ ମଣିଷର ଅଖ୍ୟାତପ୍ରତୀକ ରୂପେ ରହିଅଛି । ଏଠାରେ ଗୋଟିଏ ଗୋଟିଏ ସ୍ଥାନରେ ବହୁ ସହସ୍ର ଇହୁଦୀଙ୍କୁ ମରାଯାଇଛି । ବନ୍ଧୁକରେ ଗୁଳିରେ ମରାଯାଇଛି; ବିଷାକ୍ତ ବାଷ୍ପ ପ୍ରୟୋଗ କରି ମଧ୍ୟ ମରାଯାଇଛି । କୌଣସି ଯୁଗରେ କୌଣସି ଦେଶରେ ଜାତିର ନାମ ନେଇ କେବେ ଏପରି ବୀଭତ୍ସତାର ନିଦର୍ଶନ କେହି ଯେ ଦେଖାଇପାରିଛି, ଏହିକଥା ଭାବିଲେ ଆଜି ଆପଣାକୁ ମଣିଷ ବୋଲି କହିବାକୁ ମଧ୍ୟ ସଙ୍କୋଚ ଲାଗୁଛି ।

 

ସେଦିନ ୧୯୪୨ ମସିହା ଅଗଷ୍ଟ ମାସ ପାଞ୍ଚ ତାରିଖ ବୁଧବାର । ସକାଳ ସମୟରେ କାର୍‌ସାକ୍‌ଙ୍କ ବିଦ୍ୟାଳୟର ଛାତ୍ରମାନେ ଜଳଖିଆ ଖାଇସାରିଛନ୍ତି, ଏହି ସମୟରେ ଜର୍ମାନ୍‌ ସାମରିକ ସିପାହୀମାନେ ଆସି ବିଦ୍ୟାଳୟର ଚାରିପାଖରେ ରହିଥିବା ରାସ୍ତାଗୁଡ଼ିକୁ ଘେରିଗଲେ ଏବଂ Alle Juden Raus (ଯେତେ ଇହୁଦୀ ଅଛ, ବାହାରିଆସ) ବୋଲି ଚିତ୍କାର କଲେ । ଶିକ୍ଷକମାନଙ୍କର ନିର୍ଦ୍ଦେଶ ପାଇ ପିଲାଏ ଉପରୁ ଓହ୍ଲାଇ ତଳକୁ ଆସିଲେ । ସଚେତ ବା ଅସଚେତ ଭାବରେ ସେମାନେ ଯେଉଁ ଦିନଟିର ଅପେକ୍ଷା କରି ରହିଥିଲେ, ଏବେ ସେହିଦିନଟି ଯେ ଆସି ପହଞ୍ଚିଛି, ଏ ବିଷୟରେ ଆଉ କାହାରି ମନରେ କୌଣସି ସଂଶୟ ରହିଲା ନାହିଁ । ଅତି ଶୃଙ୍ଖଳିତ ଭାବରେ ସେମାନେ ପାଞ୍ଚ ପାଞ୍ଚ ଜଣ କରି ଅଗଣାରେ ଗୋଟିଏ ଧାଡ଼ିକରି ଠିଆହେଲେ । ଡାକ୍ତର କାର୍‌ସାକ୍‌ ଓ ବିଦ୍ୟାଳୟର କର୍ମୀମଣ୍ଡଳୀ ମଧ୍ୟ କିଛି ସମୟ ପରେ ତଳକୁ ଓହ୍ଲାଇ ଆସିଲେ । ବିଦ୍ୟାଳୟର ସବୁଜ ପତାକାଟି ସେମାନଙ୍କର ହାତରେ ଫରଫର ଉଡ଼ୁଥାଏ । ଦୁଇ ଶହ ପିଲାଙ୍କର ସେହି ସ୍ମରଣୀୟ ଶୋଭାଯାତ୍ରା ରାସ୍ତାକୁ ବହାରିଲା ।

 

ଭୋକ ଓ ଅଭାବ ସେମାନଙ୍କୁ ଆଗରୁ ଦରମରା କରିସାରିଥିଲା; ସେମାନଙ୍କ ପାଦରେ ଚାଲିବା ଲାଗି ଆଉ ଶକ୍ତି ରହିଥିଲା ପରି ମନେ ହେଉନଥିଲା; ତଥାପି ସେମାନେ ଶାନ୍ତଭାବରେ ଚାଲୁଥାନ୍ତି । ରାସ୍ତାର ଦୁଇ ପାଖରେ ଠିଆହୋଇ ରାଜଧାନୀର ଲୋକମାନେ ଏହି ଶାନ୍ତ ଅଥଚ ହୃଦୟବିଦାରକ ଦୃଶ୍ୟ ଦେଖୁଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଲୋକ କ୍ରୁସବାହୀ ଯିଶୁଖ୍ରୀଷ୍ଟଙ୍କର ମରଣଯାତ୍ରାକୁ ସ୍ମରଣ କରୁଥାନ୍ତି । ସବା ଆଗରେ ଡାକ୍ତର ଚାଲିଥାନ୍ତି–ଗୋଟିଏ ହାତରେ ସେ ସବୁଠାରୁ ସାନ ପିଲାଟିକୁ କାଖ କରିଥାନ୍ତି, ଆର ହାତରେ ଆଉଗୋଟିଏ ସାନପିଲାର ହାତ ଧରିଥାନ୍ତି । ତାଙ୍କ ପଛରେ ପିଲାମାନେ, ସବା ପଛରେ ଶିକ୍ଷକ ଓ କର୍ମୀମଣ୍ଡଳୀ । ବେଳେବେଳେ ଧୈର୍ଯ୍ୟ ତୁଟିଯାଉଥାଏ, ନାନା ପ୍ରକାରର ଭୟ ଓ ଛାନିଆ ଆସି ସେମାନଙ୍କ ହୃଦୟକୁ ଦୋହଲାଇ ଦେଇଯାଉଥାଏ । କିନ୍ତୁ ନିଜେ ଡାକ୍ତର ଯେତେବେଳେ ସାଙ୍ଗରେ ରହିଛନ୍ତି, ସେତେବେଳେ ପୁଣି ଭୟ କଅଣ ? ଡାକ୍ତର କାର୍‌ସାକ୍‌ ସମସ୍ତଙ୍କୁ ବୋଧ ଦେଉଥାନ୍ତି-ଜୀବନର ପ୍ରେରଣାରେ ଏପର୍ଯ୍ୟନ୍ତ ଉଦ୍‌ବୁଦ୍ଧ ହୋଇ ରହିଥିବା ପରି ସେମାନେ ସମସ୍ତେ ସେମାନଙ୍କର କ୍ଷୀଣ ଗଳାରେ ବିଦ୍ୟାଳୟରେ ଗାଇଥିବା ପ୍ରାର୍ଥନା ସଙ୍ଗୀତମାନ ଗାଇ ଗାଇ ଚାଲୁଥାନ୍ତି । ଶାନ୍ତହୋଇ ମରଣର ସମ୍ମୁଖୀନ ହେବା ଲାଗି ମଧ୍ୟ ଅନେକ ମଣିଷ ପଣିଆ ଦରକାର, ଅନେକ ହିମ୍ମତ ଓ ଯଥେଷ୍ଟ ବିଶ୍ୱାସ ଦରକାର ।

 

ପ୍ରାୟ ତିନି ମାଇଲ ରାସ୍ତା ଅତିକ୍ରମ କରିବା ପରେ ଏହି ଶୋଭାଯାତ୍ରା ଆସି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲା । ହିଟ୍‌ଲର୍‌ ଅମଳର ଜର୍ମାନ ଶାସନକୋଷରେ ଏହାକୁ Umschlagsplatz ବୋଲି କୁହାଯାଉଥିଲା । ଏହାକୁ ଆମେ ମରଣଘାଟ ବୋଲି କହିବା । ସେଠାରେ ସାମରିକ ଟ୍ରକ୍‌ମାନ ସେମାନଙ୍କ ଲାଗି ଅପେକ୍ଷା କରି ରହିଥିଲା । ସିପାହୀମାନେ ଅତି ଅଭ୍ୟସ୍ତ ରୀତିରେ ଯାଇ ଟ୍ରକ୍‌ର କବାଟ ଖୋଲିଦେଲେ ଓ ପିଲାମାନଙ୍କୁ ସେଗୁଡ଼ିକ ଭିତରେ ଯାଇ ପଶିବାକୁ ଆଦେଶ ଦେଲେ । ଏହା ପରେ କଣ ଘଟିବାକୁ ଯାଉଛି ସେକଥା ଜାଣିବାକୁ ଆଉ କାହାରି ବାକୀ ନଥିଲା । ତଥାପି ସମସ୍ତେ ଯଥାସମ୍ଭବ ଶାନ୍ତ ଓ ସପ୍ରତିଭ ଭାବରେ ଜଣ ଜଣ କରି ଟ୍ରକ୍ ଭିତରକୁ ଗଲେ । ଆଉ ମୁହୂର୍ତ୍ତେ ଗଲେ ଟ୍ରକ୍‌ର କବାଟ ବନ୍ଦ ହୋଇଯିବ ଓ ସଂସାରଟାଯାକ ଅନ୍ଧାର ହୋଇଯିବ । କିନ୍ତୁ ଯେଉଁ ସିପାହୀ ଓ ଶସ୍ତ୍ରଧାରୀ ସୈନ୍ୟମାନେ ଟ୍ରକ୍ ବାହାରେ ସଂସାରର ଆଲୁଅ ଭିତରେ ରହିଗଲେ, ସେମାନେ ଆମ ସମସ୍ତଙ୍କ ଲାଗି କେତେ କଳଙ୍କର କଳା ଅନ୍ଧାର ଅର୍ଜିବାରେ ଭାଗୀ ନହେଲେ !

 

ଏହି ସମୟରେ ଗୋଟାଏ ଅକଥା ଘଟିଲା । ଜୀବନର ପାବନ ମୁହୂର୍ତ୍ତଗୁଡ଼ିକରେ ହୁଏତ ଏହିପରି ପ୍ରଲୋଭନମାନ ଆସି ପହଞ୍ଚିଥାଏ । ମଣିଷର ପରୀକ୍ଷା ହୁଏ, ମଣିଷ ଭିତରେ ରହିଥିବା ନିର୍ଭୀକ ଦେବତାର ପରୀକ୍ଷା ହୁଏ, ଅର୍ଥାତ୍ ମଣିଷପଣିଆର ପରୀକ୍ଷା ହୁଏ । ଶିକ୍ଷକ ଶ୍ରୀ କାର୍‌ସାକ୍‌ଙ୍କୁ ମଧ୍ୟ ଏହି ପାବନପ୍ରସଙ୍ଗର ମହାନ୍ ଅବସରରେ ଏହିପରି ଏକ ପରୀକ୍ଷା ଦେବାକୁ ପଡ଼ିଥିଲା । ଜର୍ମାନ୍ ଫଉଜ ତାଙ୍କୁ ବିଦ୍ୟାଳୟର ଅନ୍ୟମାନଙ୍କଠାରୁ ଅଲଗା କରିଦେଲେ । ସରକାର ତାଙ୍କୁ ମୁକ୍ତିଦେବାକୁ ଚାହାନ୍ତି; ତେଣୁ ତାଙ୍କର ଟ୍ରକ୍ ଭିତରକୁ ଯିବା ଆଦୌ ଆବଶ୍ୟକ ନାହିଁ ବୋଲି କୁହାଗଲା । କାର୍‌ସାକ୍‌ ଆପଣାର ସାହିତ୍ୟ ଓ ସମର୍ପଣମୟ ଜୀବନ ସକାଶେ ସମଗ୍ର ପୋଲାଣ୍ଡରେ ଏତେ ଲୋକପ୍ରିୟତା ଅର୍ଜନ କରିଥିଲେ ଯେ ପ୍ରଚଣ୍ଡ ଜର୍ମାନ୍‌ଶକ୍ତି ମଧ୍ୟ ତାଙ୍କୁ ହତ୍ୟା କଲେ ସବୁରି ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବ ବୋଲି ଭୟ କରୁଥିଲା । ଜର୍ମାନମାନେ ହୁଏତ ଭାବୁଥିଲେ ଯେ କାର୍‌ସାକ୍‌ଙ୍କୁ ବଞ୍ଚାଇ ରଖିଲେ ସେମାନେ ତାଙ୍କୁ ସରକାରୀ ପ୍ରଚାରକାର୍ଯ୍ୟରେ ବି ବ୍ୟବହୃତ କରିପାରିବେ । ସେଥିଲାଗି ସେମାନେ ତାଙ୍କୁ ଜୀବନ ଓ ମୁକ୍ତି ଦେବାର ଅନୁଗ୍ରହ ଦେଖାଇବା ଲାଗି ଠିକ୍ କରିଥିଲେ । କିନ୍ତୁ ଏଡ଼େ ବଡ଼ ଗୋଟାଏ ମୁହୂର୍ତ୍ତରେ ଶ୍ରୀ କାର୍‌ସାକ୍‌ ତାଙ୍କ ଜୀବନର ସକଳ ଉଦ୍ୟମ ଓ ଆକାଙ୍‌କ୍ଷା ଉପରେ କଳା ବୋଳିଦେବାକୁ ଚାହୁଁନଥିଲେ । ୧୯୦୭ ମସିହାରେ ଏହି ପିଲାଙ୍କ ଲାଗି ହିଁ ସେ ସଫଳ ଡାକ୍ତର ଜୀବନର ସବୁ ସୁଖ ଓ ଆରାମ ଛାଡ଼ିବାକୁ ଶିକ୍ଷକ ହୋଇ ବାହାରିଥିଲେ । ସଫଳ ଓ ଲୋକପ୍ରିୟ ଲେଖକର ସବୁ ଖ୍ୟାତିକୁ ସେ ବର୍ଜନ କରି ଆସିଥିଲେ । ବର୍ତ୍ତମାନ ସେ ସେହି ପିଲାଙ୍କର ସାଥି ଛାଡ଼ିବାକୁ ଓ ସେମାନଙ୍କ ପ୍ରତି ଆପଣାର ଦାୟିତ୍ୱକିୁ ଅସ୍ୱୀକାର କରିବାକୁ ମନା କରିଦେଲେ । ସେ କହିଲେ, ‘‘ମୁଁ ମଧ୍ୟ ଏହି ପିଲାମାନଙ୍କ ସହିତ ବାଷ୍ପକୋଠରୀ ଭିତରକୁ ଯିବାଲାଗି ପ୍ରସ୍ତୁତ ଅଛି; ସେମାନଙ୍କର ସମଦଶାପନ୍ନ ହେବାକୁ ପ୍ରସ୍ତୁତ ଅଛି । ଏ ପିଲାମାନେ ଆଜିଯାଏ ମୋରି ଉପରେ ନିର୍ଭର କରି ରହିଥିଲେ; ଆଜି ସେମାନଙ୍କୁ ମରଣ ଭିତରକୁ ଟାଣି ନିଆଯାଉଚି, ମୁଁ ମଧ୍ୟ ସେହିମାନଙ୍କ ପଥରେ ପଥିକ ହୋଇଯିବି ଓ ସେମାନଙ୍କ ସହିତ ଏକାଠି ମରି ସେମାନଙ୍କ ଲାଗି ମରଣର ଯନ୍ତ୍ରଣାକୁ କିଞ୍ଚିତ୍ ଲଘୁ କରିଦେବି ।’’ ପିଲାମାନଙ୍କ ସହିତ ସେ ଟ୍ରକ୍ ଭିତରେ ବସିଲେ । ଟ୍ରକ୍‌ର ଦୁଆର ବାହାରୁ ବନ୍ଦ ହୋଇଗଲା । ବିଦ୍ୟାଳୟର ସବୁଜ ପତାକାଟି ଦୁଆରଫାଙ୍କରେ ଉଡ଼ୁଥାଏ । ଅନ୍ୟ ସବୁଦିନ ପରି ସେଦିନର ଟ୍ରକ୍‌ଟି ମଧ୍ୟ ଟ୍ରେବଲିଙ୍କା ଅଭିମୁଖରେ ଚାଲିଗଲା । ଶିକ୍ଷା ଓ ସମ୍ବେଦନଶୀଳତାର ଇତିହାସରେ କାର୍‌ସାକ୍‌ ଅମର ହୋଇ ରହିଲେ ।

 

ସ୍ୱେଚ୍ଛାରେ ମରଣକୁ ବରଣ କରିଥିବା କାର୍‌ସାକ୍‌ ଆପଣାର ପ୍ରବଳ ଜୀବନବାସନା ଲାଗି ଜୟ-ଘୋଷଣା କରିଦେଇ ଗଲେ । ଆପଣାର ଆତ୍ମଜୀବନୀରେ ସେ ଗୋଟିଏ ଜାଗାରେ ଲେଖିଛନ୍ତି, ଏହି ସୁନ୍ଦର ଓ ଆଗ୍ରହୋଦ୍ଦୀପକ ପୃଥିବୀକୁ ମୁଁ ମୋର ପଛରେ ଛାଡ଼ିଦେଇ ପଳାଇ ଆସିନାହିଁ; ଏହି ପୃଥିବୀ ମୋର ସଙ୍ଗେ ସଙ୍ଗେ ରହିଛି । ମୋତେ ଏଠାରେ ସମସ୍ତେ ଭଲ ପାଆନ୍ତୁ ଓ ସମସ୍ତେ ମୋର ପ୍ରଶଂସା ଗାନ କରନ୍ତୁ, -ସେଥିଲାଗି ମୁଁ ପୃଥିବୀରେ ଜୀବନଧାରଣ କରୁନାହିଁ; ଏଠି ମୁଁ ଆପଣାର କର୍ତ୍ତବ୍ୟ କରିବାଲାଗି, ଭଲ ପାଇବାଲାଗି ଓ ପ୍ରଶଂସା କରିବାଲାଗି ରହିଛି । ମୋ’ ଲାଗି ଉଦ୍‌ବିଗ୍ନ ଓ ଚିନ୍ତିତ ହୋଇରହିବା ସଂସାରର କାର୍ଯ୍ୟ ନୁହେଁ । ସଂସାର ପାଇଁ, ପିଲାମାନଙ୍କ ପାଇଁ ଉଦ୍‌ବିଗ୍ନ ଓ ଚିନ୍ତିତ ହୋଇରହିବା ହେଉଛି ମୋର କର୍ତ୍ତବ୍ୟ ।’’

 

ମରଣ ଭିତରେ ଝାସଦେବାକୁ କାର୍‌ସାକ୍‌ ସଂସାରକୁ ଆସିନଥିଲେ । ମରଣରେ ଅବଲୁପ୍ତ ହେବାଟାକୁ ଜୀବନର ଚରମ ଗତି ବୋଲି କଦାପି କୁହାଯାଇପାରିବ ନାହିଁ । ସଂସାରର ଜୀବନଦ୍ରେହୀମାନେ ମରଣ ଓ ମାରଣର ଯେଉଁ ଷଡ଼ଯନ୍ତ୍ର ଜାଲ ଚାରିଆଡ଼େ ମେଲାଇ ରଖିଛନ୍ତି, ତାହାରି ବିରୁଦ୍ଧରେ ପ୍ରତିବାଦ କରି ଓ ତାହାକୁ ଅସ୍ୱୀକାର କରି ହିଁ ଅନେକ ସମୟରେ ଜୀବନ ଉତ୍ସର୍ଗ କରିବାକୁ ପଡ଼େ । ଶ୍ରୀ କାର୍‌ସାକ୍‌ଙ୍କର ମରଣଦ୍ୱାରା ଜୀବନର ହିଁ ଜୟ ଘୋଷଣା ହୋଇଛି । ପ୍ରବଳ ଓ କ୍ଷମତାକାତର ମରଣାଗ୍ରହ ଆଗରେ ନିର୍ଭୀକ ଜୀବନବାସନାର ଜୟ ଘୋଷଣା ହୋଇଛି-। କୌଣସି ଏକ ପ୍ରସଙ୍ଗରେ ଶ୍ରୀ କାର୍‌ସାକ୍‌ କହିଛନ୍ତି ‘‘ଆଦର୍ଶ ଲାଗି ମରିବାକୁ ହେଲେ ମରଣ ଅପେକ୍ଷାକୃତ ଅଧିକ ସହଜ ହୋଇଯାଏ, କିନ୍ତୁ ଆଦର୍ଶଲାଗି ବଞ୍ଚିବାକୁ ଆହୁରି ଅଧିକ କଷ୍ଟ ସ୍ୱୀକାର କରିବାକୁ ପଡ଼େ । ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ବର୍ଷ ବର୍ଷ ଧରି ଆପଣାର ଆଦର୍ଶଲାଗି ବଞ୍ଚିବାକୁ ହେଲେ ଅନେକ ସାଧନା ଦରକାର ହୁଏ ।’’ ‘‘ଆପଣା ଜୀବନର ଗୋଟାଏମାତ୍ର ଦିନକୁ ପରିପୂର୍ଣ୍ଣ ଭାବରେ ବଞ୍ଚିବାକୁ ହେଲେ ଗୋଟିଏ ବହି ଲେଖିବା ଅପେକ୍ଷା ଅପରିମିତ ଗୁଣ ଅଧିକ ଆୟାସ ସ୍ୱୀକାର କରିବାକୁ ହୁଏ ।’’ –ଶ୍ରୀ କାରସାକ୍‌ ଆଉଗୋଟିଏ ପ୍ରସଙ୍ଗରେ ଏକଥା କହିଛନ୍ତି ।

 

ଭିକ୍‌ଟର ଫ୍ରାଙ୍କଲ୍‌(Victor Frankl) ଭିଏନା ବିଶ୍ୱ-ବିଦ୍ୟାଳୟରେ ମନଃଚିକିତ୍ସା ଶାସ୍ତ୍ରର ଅଧ୍ୟାପକ । ସେ ଇହୁଦୀ । ଗତ ଯୁଦ୍ଧବେଳେ ସେ ମଧ୍ୟ ହିଟ୍‌ଲରଙ୍କ ମାରଣ ଶିବିରରେ କେତେବର୍ଷ କଟାଇଛନ୍ତି । ତାଙ୍କର ଗୋଟିଏ ଉକ୍ତିର ଉଦ୍ଧାର କରି ଆମେ ଶ୍ରୀ କାର୍‌ସାକ୍‌ଙ୍କ ସମ୍ୱନ୍ଧରେ ଏହି କେତେପଦ ଲେଖାକୁ ପୂରଣ କରିବାକୁ ଚେଷ୍ଟା କରିବା । ଡାକ୍ତର ଫାଙ୍କଲ୍‌ କହିଛନ୍ତି, ‘‘ଗୋଟିଏ ବହି ଲେଖିବା କିଛି ବଡ଼ କଥା ନୁହେଁ, ଗୋଟିଏ ଜୀବନ ବଞ୍ଚିବା ତା’ଠାରୁ ଅନେକ ଅଧିକ ବଡ଼ କଥା । ତା’ଠାରୁ ଆହୁରି ବଡ଼ କଥା ହେଉଛି, ଏପରି ବହିଟିଏ ଲେଖିବା, ଯାହା ଅନୁସାରେ କି ମଣିଷ ଆପଣାର ଜୀବନ ବଞ୍ଚିପାରିବ । କିନ୍ତୁ ଯେଉଁପରି ଏକ ଜୀବନ ଉପରେ ବହିଟିଏ ଲେଖାଯାଇ ପାରିବ, ସେହିପରି ଗୋଟିଏ ଜୀବନ ବଞ୍ଚିପାରିବା, ତାହା ପ୍ରକୃତରେ କେଡ଼େ ବଡ଼ କଥା ନୁହେଁ !’’ ପୋଲାଣ୍ଡର କାର୍‌ସାକ୍‌ ଓ ଓଡ଼ିଶାର ଗୋପବନ୍ଧୁ–ଦେଶ, ଜାତି ଓ ଧର୍ମରେ କେତେ ଫରକ ରହିଥିଲେ ମଧ୍ୟ ସେମାନେ ଏହିପରି ଏକ ବଡ଼ ଜୀବନର ନିଦର୍ଶନ ଦେଖାଇଯାଇଛନ୍ତି । ସେମାନେ ମଣିଷର ଜୀବନ ପରି ଜୀବନ ବଞ୍ଚିଛନ୍ତି ।

 

(‘ସମାଜ’, ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟା, ୧୯୬୬)

Image